ଜାନକୀଶ ବଡପଣ୍ଡା
୨୬ ସେପ୍ଟେମ୍ବର ୨୦୨୦ରେ ପାରିତ ହୋଇ ୨୦୨୧, ନଭେମ୍ବର ମାସ ୨୬ ତାରିଖରେ ପ୍ରତ୍ୟାହୃତ ତିନିଟି କୃଷି ଆଇନ ମଧ୍ୟରୁ ପ୍ରଥମଟି ଥିଲା କୃଷକଙ୍କ ଉତ୍ପାଦ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁଗମ) ଆଇନ ୨୦୨୦ ବା ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋସନ୍ ଆଣ୍ଡ୍ ଫାସିଲିଟେସନ୍) ଆକ୍ଟ। ଉକ୍ତ ଆଇନ ଅନୁଯାୟୀ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ କୃଷି ଉତ୍ପାଦ ବିପଣନ କମିଟି ଆଇନ (ଏପିଏମ୍ସି ଆଇନ) ବ୍ୟବସ୍ଥାରେ ଥିବା ମଣ୍ଡି, କୃଷକ ବଜାର ତଥା ଯେ କୌଣସି ସ୍ଥାନରେ ବିକ୍ରି କରିବାର ବ୍ୟବସ୍ଥା ରହିଥିଲା। ଏହି ଆଇନ ଦ୍ୱାରା ଚାଷୀମାନଙ୍କୁ ବିକଳ୍ପ ବଜାର ବ୍ୟବସ୍ଥା ଉପଲବ୍ଧ କରାଇ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ ପଦକ୍ଷେପ ନିଆ ଯାଇଥିବା କଥା ସରକାର କହୁଥିଲା ବେଳେ ଏହାକୁ ‘ଏଗ୍ରିକଲଚର୍ ପ୍ରଡ୍ୟୁସ୍ ମାର୍କେଟ୍ କମିଟି (ଏପିଏମସି) ବାଇପାସ ଆଇନ’ ବୋଲି ଅଭିହିତ କରୁଥିଲେ ଚାଷୀ ନେତା। ଏହା ଦ୍ୱାରା ମଣ୍ଡି ବ୍ୟବସ୍ଥା ଭୁଷୁଡି ପଡ଼ିବ, ୩୦ ଲକ୍ଷ କୋଟି ଟଙ୍କାର କୃଷି ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବଡ଼ ବଡ଼ କମ୍ପାନୀଙ୍କ ହାତକୁ ଚାଲିଯିବ ଏବଂ ଚାଷୀମାନେ ଏହାଦ୍ୱାରା ଶୋଷଣର ଶିକାର ହେବେ ବୋଲି ଚାଷୀମାନେ ଆଶଙ୍କା କରିଥିଲେ।
ବର୍ତ୍ତମାନ ସାରା ଦେଶରେ ଏପିଏମସି ଆଇନ ଅନୁଯାୟୀ ୬,୯୨୦ଟି ମଣ୍ଡି ବା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟ କରୁଛି। ଏଥିରୁ ଅଧିକାଂଶ ସୁଦୃଢ଼ ଓ ପ୍ରଭାବୀ ନୁହନ୍ତି। ଅଧିକାଂଶ ରାଜ୍ୟରେ ଏଗୁଡ଼ିକର ସଂଖ୍ୟା ଏତେ କମ ଯେ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଏହି ମଣ୍ଡି ଯାଏଁ ପରିବହନ କରି ସେଠାରେ ବିକ୍ରି କରିବା ଲାଭଜନକ ହେଉନାହିଁ। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ବଜାର ଅଭାବରୁ ଦେଶର ଶତକଡା ୫୦ ଭାଗରୁ ଅଧିକ ଚାଷୀ ଏପିଏମସି ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରନ୍ତି ନାହିଁ। ଦେଶରେ ଗୋଟିଏ ‘ଏପିଏମସି’ର ସେବା କ୍ଷେତ୍ର ହାରାହାରି ୪୦୬ ବର୍ଗ କିଲୋମିଟର ହୋଇଥିବା ବେଳେ ଓଡ଼ିଶାରେ ଏହା ପ୍ରାୟ ୨୩୨୪ ବର୍ଗ କିଲୋମିଟର। ସ୍ୱାମୀନାଥନ କମିଟି ପ୍ରତି ୮୦ ବର୍ଗ କିଲୋମିଟର କ୍ଷେତ୍ର ପାଇଁ ଗୋଟିଏ ବଜାର ରହିବା ଆବଶ୍ୟକ ବୋଲି ସୁପାରିଶ କରିଥିଲେ। ୨୦୧୮ରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟରେ ୨୨,୦୦୦ ଗ୍ରାମ୍ୟ ହାଟର ଉନ୍ନତିକରଣ କରାଯାଇ ସେଗୁଡିକୁ ଗ୍ରାମୀଣ କୃଷି ବଜାରରେ ପରିବର୍ତ୍ତିତ କରିବାର ଏକ ଉଚ୍ଚାକାଂକ୍ଷୀ ଯୋଜନା ଘୋଷିତ ହୋଇଥିଲା। ଏଥିପାଇଁ ୨,୦୦୦ କୋଟି ଟଙ୍କାର କୃଷି ବଜାର ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଥିଲା। କିନ୍ତୁ ଅଧିକାଂଶ ରାଜ୍ୟ ଏହାର ସୁଯୋଗ ନେଇ ନାହାନ୍ତି।
ଦ୍ୱିତୀୟ ଆଇନ ଥିଲା, ମୂଲ୍ୟ ପ୍ରତିଶୃତି ଏବଂ କୃଷି ସେବା (କୃଷକ ସଶକ୍ତୀକରଣ ଏବଂ ସୁରକ୍ଷା) ରାଜିନାମା ଆଇନ ୨୦୨୦। ଉକ୍ତ ଆଇନର ଧାରା ୩ରୁ ୧୨ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଚାଷ (କଣ୍ଟ୍ରାକ୍ଟ ଫାର୍ମିଂ) ବ୍ୟବସ୍ଥା ରହିଥିଲା। ଫସଲ ବୁଣିବା ପୂର୍ବରୁ କୃଷକମାନେ ଗ୍ରାହକଙ୍କୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ସିଧାସଳଖ ସାମଗ୍ରୀ ବିକ୍ରି କରିବା ଲାଗି ରାଜିନାମା ବ୍ୟବସ୍ଥା ରହିଥିଲା। ଉକ୍ତ ଆଇନରେ କୃଷକମାନେ ସେମାନଙ୍କ ସାମଗ୍ରୀକୁ ଯେଉଁଠି ଚାହିଁବେ ସେଠାରେ ବିକ୍ରି କରିବାର ସ୍ୱାଧୀନତା ପାଇଛନ୍ତି ବୋଲି ସରକାର ଦାବି କରୁଥିଲେ।
ମଣ୍ଡିଗୁଡ଼ିକରେ ଚାଷୀମାନେ ଶୋଷଣର ଶିକାର ହେଉଥିବାର ଅଭିଯୋଗ ହେଉଥିବାରୁ, ଘରୋଇ କମ୍ପାନୀଙ୍କ ବଜାର ପ୍ରବେଶକୁ ସୁଗମ କରିବା ପାଇଁ ମଧ୍ୟ ଦାବି ଉଠୁଥିଲା। ଯେଉଁ ଚାଷୀମାନେ, ମଣ୍ଡିକୁ ଯାଉନଥିଲେ, ସେମାନେ ପୂର୍ବରୁ କୃଷି ଉତ୍ପାଦ ଗୁଡିକୁ ବାହାରେ ବିକ୍ରି କରି ପାରୁଥିଲେ, ଆଜି ମଧ୍ୟ କରୁଛନ୍ତି। ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଫସଲକୁ ପାରମ୍ପରିକ ଗ୍ରାମ୍ୟ ବ୍ୟବସାୟୀ, ବଡ଼ କମ୍ପାନୀ ଓ କିଛି ଷ୍ଟାର୍ଟ-ଅପ କମ୍ପାନୀ ମଧ୍ୟ କ୍ରୟ କରିଥାଆନ୍ତି। ଗତ ଶତାବ୍ଦୀର ଅଶୀ ଦଶକରେ ‘ମୋଦିପନ୍’ କମ୍ପାନୀ ପକ୍ଷରୁ ମଧ୍ୟ ପ୍ରଦେଶ ଚାଷୀଙ୍କ ଠାରୁ ସୋୟାବିନ୍ ଫସଲକୁ କିଣି ନେଇ, ସେଥିରୁ ଦୁଧ, ଲହୁଣୀ, ବଡ଼ି ଏବଂ ଗୋଖାଦ୍ୟ ପ୍ରସ୍ତୁତ କରୁଥିଲେI ଓଡ଼ିଶାରେ ମଧ୍ୟ ‘ବିଲାତି’ ଅନୁଷ୍ଠାନ ଟମାଟୋ କିଣି ନେଉଥିଲେ। ଓଡ଼ିଶାର ଗୋପାଳକଙ୍କ ଠାରୁ ଓମଫେଡ଼ ଦୁଗ୍ଧ କିଣିନେବା ଆରମ୍ଭ କରିଥିବା ବେଳେ ଆହୁରି ଅନେକ ଘରୋଇ କମ୍ପାନୀ ଏପରି କରୁଛନ୍ତି। କୃଷି ବିପଣନ କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟ-ଅପ କମ୍ପାନୀଗୁଡ଼ିକରେ କୋଟି କୋଟି ଟଙ୍କାର ବିଦେଶୀ ପୁଞ୍ଜି ବି ଲାଗିଛି। ତେଣୁ ଭାରତୀୟ ଚାଷୀଙ୍କ ପାଇଁ ଏହି ଆଇନ ନୂଆ ହୋଇ ନଥିଲେ ବି ଘରୋଇ କମ୍ପାନୀଙ୍କ କୃଷି ବଜାର ପ୍ରବେଶ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବାପାଇଁ ଯେ ଏଭଳି କୃଷି ଆଇନ ସହାୟକ ହେବ, ତାହା ଚାଷୀଙ୍କୁ ବୁଝାଇ ପାରି ନଥିଲେ କେନ୍ଦ୍ର ସରକାର।
ଓଡ଼ିଶା ଭଳି ରାଜ୍ୟରେ ଗୋପାଳନ, କୁକୁଡ଼ା ଚାଷ, ମାଛ ଚାଷ ଏବଂ ହଳଦୀ-କଫି-ମସଲା କ୍ରୟ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକ କାର୍ଯ୍ୟଧାରା ସନ୍ତୋଷଜନକ ଥିଲେ ମଧ୍ୟ ଏଭଳି ଆଇନରେ ‘ଏପିଏମସି’ଗୁଡ଼ିକର ଏକଚାଟିଆ ଅଧିକାରକୁ ସମାପ୍ତ କରି ସେଗୁଡ଼ିକୁ ଦୁର୍ବଳକରି ଆଦାନୀ-ଅମ୍ବାନୀଙ୍କ ପକେଟ୍ ଭର୍ତ୍ତି କରିବାର ଚକ୍ରାନ୍ତ ବୋଲି ବିରୋଧୀ ରାଜନୈତିକ ଦଳ ଏବଂ ଚାଷୀ ନେତାଏ କହିବୁଲିଲେ। ଆଇନ୍ ବଳରେ ବଳୀୟାନ କରାଯାଇ କମ୍ପାନୀଗୁଡିକର ଅବାଧ ପ୍ରବେଶ ଓ କାର୍ଯ୍ୟକଳାପର ବାଟ ପରିଷ୍କାର ହୋଇଗଲା ବୋଲି କୁହାଗଲା। କୃଷି ଉତ୍ପାଦ କିଣିନେବା ପାଇଁ ଯେତେ ଅଧିକ କ୍ରେତା ରହିବେ, ଚାଷୀଙ୍କ ପାଇଁ ସେତେ ଭଲ ବୋଲି ସମସ୍ତେ ସ୍ୱୀକାର କରୁଥିଲେ ବି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପ୍ରଶ୍ନ କଲେ ଯେ, ଯଦି କ୍ରେତାମାନେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦେବେ ନାହିଁ, ସେମାନଙ୍କ ପାଇଁ କି ଆଇନ୍ ଅଛି?
ତିନି ଆଇନ୍ ମଧ୍ୟରୁ ତୃତୀୟ ଆଇନ୍ ଥିଲା - ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦। ଉକ୍ତ ଆଇନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ରେ ଥିବା ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିଲା। ଅତି ଜରୁରୀ ପରିସ୍ଥିତିକୁ ଛାଡ଼ିଦେଲେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ନେଇ ସୀମା ନିର୍ଦ୍ଧାରଣ କରିବାର ଯେଉଁ କ୍ଷମତା ରହିଥିଲା ତାହାକୁ ମଧ୍ୟ ହଟାଇ ଦିଆଯାଇଥିଲା। ଏଥିସହିତ ଖାଇବା ତେଲ, ପିଆଜ ଏବଂ ଆଳୁକୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦିଆଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ କମ୍ପାନୀମାନଙ୍କୁ ଅସୀମ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସ୍ୱାଧୀନତା ଦିଆ ଯାଇଥିଲା। ଯୁକ୍ତି କରାଯାଉଥିଲା ଯେ, ଆଇନରେ ଏଭଳି ସ୍ୱାଧୀନତା ପ୍ରଦାନ କରା ଯାଇଥିବାରୁ ମହଜୁଦକାରୀଙ୍କ ପାଇଁ ଏମଏସପିରେ କିଣିବା ବାଧ୍ୟତାମୂଳକ କରାଯିବା ଅତ୍ୟାବଶ୍ୟକ। ନହେଲେ, ଫସଲ ଅମଳ ସମୟରେ ସେମାନେ ପୂର୍ବରୁ ମହଜୁଦ କରି ରଖିଥିବା କୃଷି ଉତ୍ପାଦ, ବିଶେଷ କରି ଖାଦ୍ୟଶସ୍ୟକୁ ବଜାରକୁ ଛାଡ଼ିଦେବେ। ସେହି ଶସ୍ୟର ବଜାର ଚାହିଦା କମିଗଲେ, ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରିବେ।
ଏହି ତିନୋଟି ଆଇନକୁ ବିରୋଧ କରାଯିବା ନିରାଧାର ଥିଲା ବୋଲି କହି ହେବ ନାହିଁ। କେରଳରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଅନ୍ୟ ରାଜ୍ୟର ଚାଷୀଙ୍କ ଅପେକ୍ଷା ଅଧିକ ମୂଲ୍ୟ ପାଉଛନ୍ତି, ଏପରିକି ଏମଏସପି ଅପେକ୍ଷା ଅଧିକ ମୂଲ୍ୟରେ ନିଜର କୃଷି ଉତ୍ପାଦ ବିକ୍ରି କରୁଛନ୍ତି। ଆମ ରାଜ୍ୟରେ ଧାନମଣ୍ଡି ଅଛି ଏବଂ ସେଠାରେ ଚାଷୀମାନେ ଟୋକେନ୍ ଅନୁସାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରିକରି ଡିବିଟି ମାଧ୍ୟମରେ ଏମଏସପି ପାଆନ୍ତି। ମଣ୍ଡିରେ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ କ୍ରୟ ହେଉ ନଥିଲେ ବି ଘୋଷିତ ଏମଏସପି ଅପେକ୍ଷା ଅଧିକ ମୂଲ୍ୟରେ ଓଡ଼ିଶା ଚାଷୀ ନିଜର କୃଷି ଉତ୍ପାଦ ବିକ୍ରି କରନ୍ତି। ବେପାରୀମାନେ ଘରକୁ ଆସି କିଣି ନିଅନ୍ତି। ବେପାରୀମାନେ ଅଧିକ ପରିମାଣର ଡାଲି ଓ ତୈଳବୀଜ ମହଜୁଦ୍ କରି ରଖିବାରେ ପ୍ରଚଳିତ ଆଇନ ବାଧକ। ତୃତୀୟ ଆଇନରେ କମ୍ପାନୀମାନଙ୍କୁ ଅସୀମ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସ୍ୱାଧୀନତା ଦିଆଗଲେ ଦେଶରେ ଅଭାବ ରହୁଥିବା ଫସଲ ଯଥା ଡାଲି ଓ ତୈଳବୀଜ ଚାଷ କରି ଚାଷୀ ଲାଭବାନ୍ ହେବେ।
ଘରୋଇ କମ୍ପାନୀ ଓ ସେମାନଙ୍କ ପ୍ରତିନିଧିମାନେ ଅପହଞ୍ଚ ଅଞ୍ଚଳର ଚାଷୀମାନଙ୍କ ନିକଟରୁ ଶସ୍ୟ ସଂଗ୍ରହ କରିବାକୁ ଆଗେଇ ଆସିବେ। ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ, ମୋବାଇଲ, ଇଣ୍ଟରନେଟ, ଅର୍ଥ ପ୍ରେରଣ ଆଦି କ୍ଷେତ୍ରରେ ଯେପରି ଉଲ୍ଲେଖନୀୟ ଅଗ୍ରଗତି ହୋଇ ପାରିଛି, ତାହା ହିଁ କମ୍ପାନୀଗୁଡିକୁ କୃଷିଉତ୍ପାଦ ଯୋଗାଣ ଶୃଙ୍ଖଳ ପରିଚାଳନା ପ୍ରତି ଆକୃଷ୍ଟ କରିଛି। ଆଇନ୍ ସହଯୋଗ ରହିଲେ, ସେମାନେ ମଧ୍ୟ ସୁରକ୍ଷିତ ରହିବେ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବର୍ଷକୁ ଦୁଇଥର ଧାନ ଚାଷ ନକରି ଫସଲ ପର୍ଯ୍ୟାୟ ଅନୁସରଣ କରି ବିବିଧ ଫସଲ ଚାଷ କଲେ ଅଭାବୀ ବିକ୍ରି ଦେଖିବାକୁ ମିଳିବ ନାହିଁ। ବିକଳ୍ପ ବଜାର ସୃଷ୍ଟି ପାଇଁ ବ୍ୟବସ୍ଥା କରିବା, ସରକାରଙ୍କ କର୍ତ୍ତବ୍ୟ। ତେବେ, ବଜାର ଦାୟିତ୍ୱ ଘରୋଇ କମ୍ପାନିକୁ ହସ୍ତାନ୍ତର କରି ସରକାର କେବଳ ଦେଖିବା କଥା ଯେ, ବ୍ୟବସ୍ଥା ଠିକ୍ ଚାଲିଛି। ଚାଷୀମାନେ ଲାଭ ପାଉଛନ୍ତି, ଖାଉଟିମାନେ ଶସ୍ତାରେ ବର୍ଷସାରା କିଣି ପାରୁଛନ୍ତି ଏବଂ ଖାଦ୍ୟ ମୁଦ୍ରାସ୍ଫିତି ହାର ୪ ପ୍ରତିଶତରୁ କମ୍ ରହିଛି। ଗୋଶାଳାରୁ ମନ୍ଦିର ପରିଚାଳନା ଯାଏଁ ଦାୟିତ୍ୱରୁ ସରକାର ରହିବା ଅନୁଚିତ। ଯେଉଁଠି, ଯୋଗାଣ ଶୃଙ୍ଖଳା ପରିଚାଳନାରେ ତ୍ରୁଟି ରହୁଛି, ସରକାର ସେଠାରେ ତୁରନ୍ତ ହସ୍ତକ୍ଷେପ କରି ବେପାରୀ, କମ୍ପାନୀ ଓ ଦଲାଲ୍ କିମ୍ବା ବିଭାଗୀୟ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଉଚିତ। ନହେଲେ, ଆଞ୍ଚଳିକ ବୈଷମ୍ୟ ସୃଷ୍ଟି ହେବ, ଉତ୍ପାଦକ-ଉଦ୍ୟୋଗୀ ନିରୁତ୍ସାହିତ ହେବେ। ଖାଉଟିମାନେ ଶୋଷଣର ଶିକାର ହେବେ। ଚାଷୀଙ୍କ ସ୍ୱାର୍ଥରକ୍ଷା କଲାବେଳେ ଖାଉଟିଙ୍କ ସ୍ୱାର୍ଥରକ୍ଷା ମଧ୍ୟ କରିବାକୁ ପଡ଼ିବ।
ପ୍ରତିଟି ରାଜ୍ୟର କୃଷି ସମସ୍ୟା ଅନ୍ୟ ରାଜ୍ୟଠାରୁ ଭିନ୍ନ ହୋଇଥିବାରୁ ସମ୍ୱିଧାନରେ କୃଷିକୁ ରାଜ୍ୟ ତାଲିକାଭୁକ୍ତ ହୋଇଛି। ପଞ୍ଜାବର କୃଷି ସମସ୍ୟା ଯାହା ଓଡ଼ିଶା ବା କେରଳର ସମସ୍ୟା ଠିକ ସେଇଆ ନୁହେଁ। ଯେଉଁ ରାଜ୍ୟମାନେ ଚାହିଁ ଥାଆନ୍ତେ, ସେମାନେ ଉପରୋକ୍ତ ଆଇନ୍ ନିଜ ରାଜ୍ୟରେ ଲାଗୁ କରିଥିଲେ କିଛି ଅସୁବିଧା ହୋଇ ନଥାନ୍ତା। ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଯେପରି ନାଗରିକତା ସଂଶୋଧନ ଆଇନ୍ ଏବଂ ଓଡ଼ିଶା ସରକାର ଯେପରି ବିଳମ୍ବରେ ‘ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ ଲାଗୁ କରିଛନ୍ତି ସେହିପରି, ଆଗ୍ରହୀ ରାଜ୍ୟମାନେ ତିନୋଟି କୃଷି ଆଇନକୁ ନିଜ ରାଜ୍ୟରେ ଲାଗୁ କରି ସୁଫଳ ପାଇଥିଲେ ସମାନ ସ୍ଥିତି ଥିବା ଅନ୍ୟ ରାଜ୍ୟମାନେ ଏତେବେଳକୁ ଲାଗୁ କରି ସାରିଥାଆନ୍ତେ। ଚାଷୀ ଉଚିତ ମୂଲ୍ୟ ପାଇ ଉପକୃତ ହେବା ଅସଲ ଉଦ୍ଦେଶ୍ୟ ହୋଇଥିବାରୁ ଏହି ଆଇନ ଉପାଦେୟ ହୋଇ ଥାଆନ୍ତା, କିନ୍ତୁ ଦୁଇ ତିନୋଟି ରାଜ୍ୟର ଚାଷୀଙ୍କ ପ୍ରବଳ ବିରୋଧ କାରଣରୁ ତାହା ପ୍ରତ୍ୟାହୃତ ହେବା ଠିକ୍ ହେଲାନାହିଁ।
ଯଦି, ଏଭଳି ଆଇନ୍ ନକରି, ଯେପରି ଅଛି ସେପରି ବ୍ୟବସ୍ଥା ସହିତ ଚାଷୀଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଅନ୍ୟ କିଛି ବିକଳ୍ପ କୃଷି ନୀତି ଅଣାଯିବା ପାଇଁ କେହିବି ଭାବୁ ଥାଆନ୍ତି, ତାହା ସେମାନେ ମଧ୍ୟ ପ୍ରକାଶ କରିବା ଉଚିତ। ଏହା ସହିତ, ଖାଉଟିଙ୍କ କିପରି ସ୍ୱାର୍ଥ ରକ୍ଷା ହେବ ଏବଂ ସରକାର ବେପାର ନକରି ନୀତି ପ୍ରଣୟନ ତଥା ସୁଶାସନ ଏବଂ ନିୟନ୍ତ୍ରଣ କରିବେ, ତାହା ମଧ୍ୟ ପ୍ରକାଶ କରିବାକୁ ପଡ଼ିବ। ଆସନ୍ତା ଦିନମାନଙ୍କରେ ଅନ୍ୟ ଏକ ବିକଳ୍ପ ପରିକଳ୍ପନା ଆଧାରରେ ପ୍ରବନ୍ଧ ଲେଖିବାର ଇଛା ବ୍ୟକ୍ତ କରୁଛି।
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।