Advertisment

ମାନବ ଜୀବନର ପୁନଃରଚନା:- ଏକ ସମ୍ଭାବ୍ୟ ରାସ୍ତା

ଆଗାମୀ ବଂଶଧରଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ, "ଅଧିକ ନୁହେଁ, ସୀମିତ ଉପଭୋଗ" ହେଉ ନୂଆ ମାନବଜୀବନ ଶୈଳୀର ଆଧାର।

author-image
Debendra Prusty
Every Day Earth Day

Every Day Earth Day

ଡ. ରୀନା ରାଉତରାୟ

ମନୁଷ୍ୟ ସବୁବେଳେ କୌଣସି ବିକଳ୍ପ ଖୋଜେ। ଯଦି ପୃଥିବୀ ନ ରୁହେ, ତେବେ ଆମେ ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରୁଛୁ।

Advertisment

ଚନ୍ଦ୍ର, ମଙ୍ଗଳ ବା ବୃହସ୍ପତି ମଧ୍ୟରୁ କୌଣସି ଗ୍ରହକୁ ବାସଯୋଗ୍ୟ କରିବାର ଚେଷ୍ଟା ଚାଲିଛି। କୃତ୍ରିମ ଉପଗ୍ରହରେ ଜୀବନ ବସାଇବା, ‘space station colonies‘ ତିଆରି କରିବା ଓ ଟେରାଫର୍ମିଂ ଯାହାଦ୍ୱାରା ଅନ୍ୟ ଗ୍ରହକୁ ପୃଥିବୀ ଭଳି କରାଯିବା, ଏସବୁ ବିଜ୍ଞାନର ଏକ ଅଦ୍ଭୁତ ଦିଗ।

କିନ୍ତୁ ଏହି ବିକଳ୍ପ ଗୁଡ଼ିକ ସ୍ବପ୍ନ ସଦୃଶ। ଏଥିପାଇଁ ଅପାର ଧନ, ପ୍ରଯୁକ୍ତି ବିଜ୍ଞାନର ଅମାପ ଶକ୍ତି ଓ ଯନ୍ତ୍ରପାତି ଆବଶ୍ୟକ। ଆମ ପୃଥିବୀ ଯାହା ନିଜ ହୃଦୟରେ ଜୀବନ ଧାରଣ କରେ, ତାହାର ବିକଳ୍ପ କୌଣସି ଗ୍ରହ ହେଇପାରିବ କି? ତେଣୁ, ବିକଳ୍ପ କହିଲେ ମଧ୍ୟ ସୁଦୂର ପ୍ରସାରୀ ଏକ ଆଶା।

Advertisment

କିନ୍ତୁ ସତ୍ୟ ହେଉଛି, ପୃଥିବୀ ନ ଥିଲେ ମନୁଷ୍ୟ ପାଇଁ ଏକ ଗମ୍ଭୀର ଅସ୍ତିତ୍ୱ ସଙ୍କଟ ଦେଖାଯିବ। ଯଦି ପୃଥିବୀ ଉଜୁଡ଼ି ଯାଏ, ତେବେ ଏହା ମାନବତା ପାଇଁ ଏକ ଶେଷ ଚେତାବନୀ। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏହା ଆମର ଲୋଭ ଜନିତ କୁକର୍ମର ଫଳ। ଆମେ ପୃଥିବୀକୁ ଅନ୍ୟ ଗ୍ରହ ଭଳି ବିକଳ୍ପ କରିବା ଚେଷ୍ଟା କରୁଛୁ, କିନ୍ତୁ ଆମ ମନ ଓ ମୂଲ୍ୟବୋଧର ବିକଳ୍ପ କରିପାରିବୁ କି?

ପୃଥିବୀ ବଞ୍ଚିଲେ ଆମେ ବଞ୍ଚିବା; କିନ୍ତୁ ଆମେ ବଞ୍ଚିଲେ ବି ପୃଥିବୀ ବଞ୍ଚିବା ନିଶ୍ଚିତ ନୁହେଁ।

ତେଣୁ, ପ୍ରଶ୍ନ ହେଉଛି,- ଆମେ ବାସ୍ତବରେ କରୁଛୁ କଣ? ଏବଂ ଆମ ନୀତି ନୈତିକତା, ଆଚରଣ ଓ ଉଚ୍ଚାରଣ କେଉଁଠି ଅଛି? ପୃଥିବୀ ଉଜୁଡ଼ି ଯିବା ଆଗରୁ, ଆମେ ନିଜ ମନୁଷ୍ୟତ୍ୱକୁ ବଞ୍ଚାଇପାରିବା ଶକ୍ତି ରଖିଥାଉ। ସେହି ସଚେତନତା, ଦାୟିତ୍ୱ ଓ ନୈତିକ ଶକ୍ତି ହେଉଛି ଆମର ସଂଚୟ,ଯେଉଁଥିରେ ଆମ ଭବିଷ୍ୟତ ଲୁଚିଛି।

କଥାରେ ଅଛି ମଣିଷ ଯେତେ ଉପରକୁ ଉଡ଼ିଲେ ମଧ୍ୟ ପାଦ ଦୁଇଟି ମାଟିରେ ରହିବା ଉଚିତ। ଏହି ରୂଢି ପ୍ରୟୋଗର ଅନେକ ଦୃଷ୍ଟି କୋଣ ରହିଥିଲେ ମଧ୍ୟ ଏତିକି ସ୍ପଷ୍ଟ ଯେ ସବୁବେଳେ ମୂଳକୁ ମନେ ରଖିବା ଉଚିତ।

ଆଜି ମନୁଷ୍ୟ ସମାଜ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ଜାଗା କିଣିଲାଣି ସତ୍ୟ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଚାହିଦା ମେଣ୍ଟାଇବା ପାଇଁ ପ୍ରାକୃତିକ ସମ୍ପଦର ଦୂରୁପଯୋଗ କରି ପୃଥିବୀ ପୃଷ୍ଠକୁ ଛାରଖାର କରିବା ପରେ ଏବେ ପରିବେଶ ପ୍ରଦୂଷଣ ଜନିତ ଭୟାବହତାରୁ ରକ୍ଷା ପାଇବା ପାଇଁ ପୃଥିବୀ ପୃଷ୍ଠକୁ ସଂରକ୍ଷଣ କରିବା ପାଇଁ ନାନା ପ୍ରକାର ସଚେତନତା ସୃଷ୍ଟି ପାଇଁ ଚେଷ୍ଟା ଆରମ୍ଭ କରିଛି।

ଏହି ପ୍ରଚେଷ୍ଟାରେ ୧୯୭୦ ମସିହାରେ ଆମେରିକା ମହାଦେଶ ବିଶ୍ଵର ୧୪୨ ଆମେରିକୀୟ ଦେଶ ସମୂହର ପ୍ରାୟ ୨୦୦ ମିଲିୟନ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ଦିବସଟିକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ପୃଥିବୀ ଦିବସର ପିତା ନାମରେ ପରିଚିତ ଶ୍ରୀ ଗେଲର୍ଡ ନେଲସନ ନାମକ ଆମେରିକୀୟ ରାଜନୀତିଜ୍ଞ ତଥା ପରିବେଶବିତଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତାର ଦିବସଟିକୁ ପ୍ରତି ବର୍ଷ ଅପ୍ରେଲ ମାସ ୨୨ ତାରିଖରେ ଭାରତ ସମେତ ୧୯୦ଟି ଦେଶ ପାଳନ କରି ଆସୁଛନ୍ତି।

ବ୍ୟାପକ କଳ କାରଖାନା,ଶିଳ୍ପ ପ୍ରତିଷ୍ଠାନ ଓ ଟେକ୍ନୋଲୋଜିର କୁପ୍ରଭାବରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ବାୟୁ ମଣ୍ଡଳରେ ବିଷାକ୍ତ ଅଙ୍ଗାର କାମ୍ଲ ସୃଷ୍ଟି କରି ଓଜୋନ ସ୍ତରକୁ କ୍ଷୟ କରିବାରେ ଲାଗିଛି। ଫଳତଃ ବିଶ୍ଵ ତାପମାତ୍ରା ଅତ୍ୟଧିକ ହୋଇ ଜନଜୀବନ ବିପର୍ଯ୍ୟସ୍ତ ହୋଇ ଗଲାଣି।

ବାୟୁ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ରେଡିଓ ଆକ୍ଟିଭ ପ୍ରଦୂଷଣ, ତାପଜ ପ୍ରଦୂଷଣ, ଦୃଷ୍ଟି ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣରେ ସମଗ୍ର ବିଶ୍ଵ ଅସ୍ତ୍ୟବ୍ୟସ୍ତ।

ପ୍ରାଣୀ ଜଗତର ଶ୍ୱାସ କ୍ରିୟା ପାଇଁ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳର ସୁରକ୍ଷିତ ପରିମାଣ ୩୦୦ ପିପିଏମ ଆବଶ୍ୟକ ହେଉଥିବା ବେଳେ ୨୦୨୨ ରିପୋର୍ଟ ଅନୁସାରେ ବାୟୁ ମଣ୍ଡଳରେ ତାହା ଏବେ ୪୨୧ ପିପିଏମରେ ପହଞ୍ଚିଲାଣି ଯାହା ଜୀବନ ପାଇଁ ବିପଦଜନକ।

ମଣିଷ ଆଜି ଏକ ଭୟଙ୍କର ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସୃଷ୍ଟି ଆରମ୍ଭରୁ ଏକ ନିର୍ମଳ ସନ୍ତୁଳିତ ପରିବେଶକୁ ଉପଭୋଗ କରିଆସୁଥିବା ମଣିଷ ଆଜି ତାର ପରିବେଷ୍ଟନୀରେ ଥିବା ପ୍ରାକୃତିକ ପ୍ରକ୍ରିୟାଗୁଡିକ ଅସନ୍ତୁଳିତ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବାରୁ ଦେଖିବାକୁ ପାଉଛି।

ତେବେ ଏହି ଅସନ୍ତୁଳିତ ପରିବେଶ ପାଇଁ ଦାୟୀ କିଏ?

ହଁ, ଆମର କ୍ରିୟାକଳାପ ହିଁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ।

ସୁତରାଂ ଏହାକୁ ସୁଧାରିବା ମଧ୍ୟ ଆମର ଦାୟିତ୍ୱ।

ତେବେ ଏଠାରେ ପ୍ରଶ୍ନ ଉଠେ,ଏହାକୁ କିପରି ରୋକା ଯାଇ ପାରିବ?

ପୃଥିବୀ ଉଜୁଡ଼ିଗଲା ବୋଲି ଧାରଣା କଲେ, ଆମକୁ ନିଜ ଜୀବନ ଦୃଷ୍ଟିକୋଣ ପୁନଃରଚନା କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି: ଅଧିକ ପ୍ରାକୃତିକ ଉପାୟ ଦ୍ୱାରା ବଞ୍ଚିବା, ସରଳ ଓ ନ୍ୟାୟସଂଗତ ଜୀବନ ଶୈଳୀ ଅନୁସରଣ କରିବା, ତୃଣମୂଳ ସ୍ତରରେ ସ୍ୱାବଲମ୍ବୀ ହେବା।

ଏହି ତିନିଟି ପ୍ରମୁଖ ମାନବ ପୁନଃରଚନା ପଦ୍ଧତିକୁ ଅନୁସରଣ କରିବାକୁ ପଡ଼ିବ।

ପ୍ରଥମତଃ ଆମକୁ ପ୍ରକୃତି ସହିତ ସାମଞ୍ଜସ୍ୟ ରଖି ଜୀବନ ଧାରଣ କରିବାକୁ ପଡ଼ିବ।ଯେଉଁଠି ଜଳ, ମାଟି, ଓ ବାୟୁକୁ ଶୁଦ୍ଧ ରଖିବା ମୂଳ ଲକ୍ଷ୍ୟ ହେବ। ସୂର୍ଯ୍ୟ ଶକ୍ତି, ବର୍ଷାଜଳ ସଂଗ୍ରହ, ଓ ପୁନଃଚକ୍ରିତ ବସ୍ତୁ ପ୍ରମୁଖ ଅଂଶ ହେବ।ଦ୍ଵିତୀୟରେ ଭାଗିଦାରୀ ଆଧାରିତ ଜୀବନ, ଯେଉଁଠାରେ ବ୍ୟକ୍ତି ନୁହେଁ, ଗୋଷ୍ଠୀ ମୁଖ୍ୟ ହେବ। ଜୀବନଶୈଳୀ ମଧ୍ୟ ସହଯୋଗ, ଅନ୍ତର୍ନିହିତ ମୂଲ୍ୟ ଓ ସମୂହ ମାନସିକତା ଉପରେ ଭିତ୍ତି କରି ଗଠିତ ହେବ।

ତୃତୀୟରେ ଗ୍ରାମୀଣ କୌଳିକ କଳା କୌଶଳ, ଜୈବ କୃଷି, ଓ ନିଜ ଅଂଳର ଉପାଦାନ ବ୍ୟବହାର କରି ଜୀବନ ଚାଲିବ। ଏହା ଜଳବାୟୁ ସହିତ ସନ୍ଧି, ପ୍ରାକୃତିକ ସମ୍ପଦର ସୁସ୍ଥ ବ୍ୟବହାର ସହ ଅପଚୟ ରୋକିବାରେ ସାହାଯ୍ୟ କରିବ।

ୟୁ.ଏନ.ଡି.ପି.ର(UNDP) ୧୭ଟି ନିରନ୍ତର ଧାରା ବିକାଶର ଲକ୍ଷ୍ୟ (ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ) ଏବଂ ଆମ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦିଆ ଯାଇଥିବା ‘ଲାଇଫ ଷ୍ଟାଇଲ ଫର୍ ଏନଭାଇରନମେଣ୍ଟ’ ଅଭିଯାନ (LIFE) ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଛୋଟଛୋଟ ପଦକ୍ଷେପ ହିଁ ଏକ ବଡ଼ ପରିବର୍ତ୍ତନର ସୂତ୍ରଧାର ହୋଇ ପାରିବ।

କେବଳ ଯେ ଗୋଟିଏ ଦିନ ପାଳନ କରି ଦେଲେ ଆମେ ଦାୟିତ୍ୱମୁକ୍ତ ହୋଇଯିବା ତାହା ନୁହେଁ, ପ୍ରତ୍ୟେକ ଦିନ ପୃଥିବୀ ଦିବସ ହେଉ, ମାଟି ମାଆ ପାଇଁ।

ଯେଉଁ ପୃଥିବୀ ଆମକୁ ବଞ୍ଚାଇ ରଖିଛି ତହାର ଯତ୍ନ ନେଇ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉ।

ତେଣୁ ଆଜି ବିଶ୍ଵ ପୃଥିବୀ ଦିବସରେ ପ୍ରତ୍ୟେକ ବ୍ୟକ୍ତି କେତୋଟି ଛୋଟିଆ ପଦକ୍ଷେପ ପାଇଁ ସଂକଳ୍ପବଦ୍ଧ ହେବା।

୧. ପ୍ଲାଷ୍ଟିକ ପାଣି ବୋତଲ ନ କିଣି ଘରୁ କାଚ ବୋତଲରେ ପାଣି ସାଙ୍ଗରେ ନେବା।

୨. ପାୱାର ନିୟନ୍ତ୍ରିତ ଲାଇଟ୍ ବଲବ ବ୍ୟବହାର କରିବା।

୩. ମୋଟର ଗାଡ଼ିର ବ୍ୟବହାର ଯଥା ସମ୍ଭବ କମ କରି ପୁଲ କାର୍ ସାଇକେଲ ବା ପାଦରେ ଚାଲିବା ଅଭ୍ୟାସ କରିବା।

୪. ଯାନବାହାନ ଚକାର ପମ୍ପକୁ ନିୟମିତ ଭାବରେ ପରୀକ୍ଷା କରିବା। ଏହାଦ୍ବାରା ପେଟ୍ରୋଲ/ଡିଜେଲ ଜାଳେଣୀ ଜନିତ ପ୍ରଦୂଷଣ କମ୍ କରି ପାରିବା।

୫. ଘରର ବର୍ଜ୍ୟ ବସ୍ତୁକୁ ପୁନଃ ପ୍ରକ୍ରିୟାକରଣ କରି ବ୍ୟବହାର କରିବା।

୬. ଲୁଗା ସଫା ସମୟରେ ଗରମ ପାଣିର ବ୍ୟବହାର କରିବା ନାହିଁ।

୭. ବିଭିନ୍ନ ସାମଗ୍ରୀର ପ୍ୟାକେଜିଂ ୧୦ ଭାଗ କମାଇ ପାରିଲେ ବର୍ଷକୁ ହାରାହାରି ୧୨୦୦ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ ସଞ୍ଚୟ କରି ପାରିବା।

୮. ଶୀତ ତାପ ନିୟନ୍ତ୍ରିତ ମେସିନ୍ ରେ ଆବଶ୍ୟକ ସ୍ଥଳେ ମାତ୍ର ଦୁଇ ଡିଗ୍ରୀ ତାପମାତ୍ରା କମ ବେଶୀ କରି ଆମେ ବର୍ଷକୁ ୨୦୦୦ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ ବଞ୍ଚାଇ ପାରିବା।

୯.ଗଛ କାଟିବା ନାହିଁ ବରଂ ପ୍ରତ୍ୟେକ ଦିନ ଗଛଟିଏ ଲଗାଇବା।

୧୦. ଆବଶ୍ୟକ ନ ଥିଲେ ଇଲେକଟ୍ରୋନିକ୍ସ ଯନ୍ତ୍ରପାତିକୁ ବନ୍ଦ କରି ରଖିବା।

୧୧. ଫାଷ୍ଟ ଫୁଡ୍ ଏବଂ ଫାଷ୍ଟ ଫେସନ କୁ ପରିତ୍ୟାଗ କରି ସନ୍ତୁଳିତ ଶାକାହାରୀ ଏଵଂ ବାହାରୁ ଉତ୍ପାଦିତ ଦ୍ରବ୍ୟ ଉପରେ ନିର୍ଭର ନ ହୋଇ ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଓ ପୋଷାକପତ୍ର ବ୍ୟବହାର କରିବା।

୧୨. ଶିଶୁମାନଙ୍କୁ ପ୍ରଥମରୁ ପ୍ରକୃତି ସହିତ ବଞ୍ଚିବା ପାଇଁ ଶିକ୍ଷା ଓ ତାଲିମ ଦେବା ଜରୁରୀ।

ମାନବ ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ହେଉଛି ପ୍ରକୃତି ସହିତ ସନ୍ଧି ଓ ସମନ୍ୱୟ। ଯେତେବେଳେ ପୃଥିବୀ ଆମ ପ୍ରତି ସହନଶୀଳ ହେବା ବନ୍ଦ କରିଦେବ, ଆମକୁ ନିଜ ଅସ୍ତିତ୍ୱ ପାଇଁ ନୂଆ ରାସ୍ତା ଚିନ୍ତା କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି, ଜୀବନ ଶୈଳୀକୁ ପ୍ରକୃତି ଓ ପ୍ରାକୃତିକ ନୀତି ସହିତ ସଂଯୋଗ କରିବା।ପୃଥିବୀ ଭିତରେ ଏ ପରିବେଶ, ଏ ପରିବେଶ ଭିତରେ ମାଟି।ଏହାର ସମନ୍ୱୟ ହିଁ ଏକ ସୁସ୍ଥ ଜୀବନ।

ଗାନ୍ଧୀ ଦର୍ଶନ କୁହେ "ପୃଥିବୀ ପାଖରେ ପ୍ରତ୍ୟେକ ମାନବର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ଅଛି, କିନ୍ତୁ ଲୋଭ ପାଇଁ ନୁହେଁ।"

ବୁଦ୍ଧ ଓ ତାଓ ଦର୍ଶନ ମାନବକୁ ଅନ୍ତଃଜ୍ଞାନ, ଅପେକ୍ଷା ଓ ଅନାସକ୍ତିରେ ବଞ୍ଚିବାକୁ ଶିଖାଏ।

ଆମ ଜୀବନ ଏକ ଉଦ୍ଦେଶ୍ୟ ସହିତ ଏବଂ ଅନ୍ୟ ପ୍ରତି ଦାୟିତ୍ୱ ସହିତ ହେବା ଦରକାର।କାରଣ ବଞ୍ଚିବା କେବଳ ଏକ ଶାରୀରିକ ଅନୁଭବ ନୁହେଁ, ଏହା ଏକ ନୈତିକ ଓ ଅନ୍ତଃଚେତନା ମୂଳକ ପ୍ରତିବଦ୍ଧତା ମଧ୍ଯ।

ଆଗାମୀ ବଂଶଧରଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ, "ଅଧିକ ନୁହେଁ, ସୀମିତ ଉପଭୋଗ" ହେଉ ନୂଆ ମାନବଜୀବନ ଶୈଳୀର ଆଧାର।

ଫୋ- ୯୪୩୮୨୭୨୧୫୨

Development Earth Earth Day Environment