/odisha-reporter/media/media_files/2025/10/03/banu-mustaq-2025-10-03-12-33-24.jpg)
Banu Mustaq Photograph: (Internet)
ଦେବ ରଞ୍ଜନ
ହୁଏତ ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ପ୍ରତିବାଦରେ ଗଳ୍ପ ଭାରତୀୟ ସାହିତ୍ୟରେ ଅନେକ ରହିଛି। କିନ୍ତୁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ଯେଉଁମାନଙ୍କୁ ଚରିତ୍ର କରି ପୁରୁଷାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ ନିଜର ପ୍ରତିବାଦ ଜାହିର କରୁଛନ୍ତି ସେହି ଚରିତ୍ର ଓ ସେଭଳି ଘଟଣା ସାହିତ୍ୟରେ ବିରଳ। ମୁଖ୍ୟତଃ ମୁସଲମାନ ଧର୍ମବିଶ୍ଵାସୀ ମହିଳାଙ୍କ ସମସ୍ୟାକୁ ନେଇ ତାଙ୍କର ନୂତନ ପ୍ରକାଶିତ ଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ’ (ହୃଦୟର ବତୀ)ରେ ସେ ସେମାନଙ୍କ ଧାର୍ମିକ ପରମ୍ପରା ସହିତ ଘରର ଚଳଣିକୁ ଯେଉଁଭଳି ମିଶ୍ରଣ କରୁଛନ୍ତି ଓ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ଗଳ୍ପମାନଙ୍କୁ ଜୀବନ୍ତ କରୁଛି।
‘ହାର୍ଟ ଲ୍ୟାମ୍ପ’ର ବିଭିନ୍ନ ଗଳ୍ପମାନଙ୍କ ମଧ୍ୟରୁ ମୋତେ ଅଧିକ ପ୍ରଭାବିତ କରିଥିବା କେତେକ ଗଳ୍ପ ଏହିପରି।
୧. ମେହରୁନ ନିଜର ସ୍ଵାମୀ ଦ୍ଵାରା ବାରମ୍ବାର ଲାଞ୍ଛିତ ଓ ଅପମାନିତ ହେବା ପରେ ନିଜର ବାପା ଓ ଭାଇମାନଙ୍କ ପାଖକୁ ଦୌଡ଼ିଯାଉଛି। ସେଠାରେ ବି ସେହି ଆଚରଣ ଯେ, ବାହା ହେବା ଝିଅର ବାପ ଘରେ କୌଣସି ଅଧିକାର ନାହିଁ। ସ୍ୱାମୀର ଲାଞ୍ଛନା ଓ ଭାଇମାନଙ୍କ ସମ୍ବେଦନହୀନତା କାରଣରୁ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଯାଉଥିବା ମେହେରୁନକୁ ନାବାଳିକା ଝିଅ ସଲମା ହିଁ ଜୀବନଦାନ ଦେଉଛି। ‘ହାର୍ଟ ଲ୍ୟାମ୍ପ’ (Heart Lamp) କାହାଣୀରେ ନାବାଳିକା ସଲମା ହିଁ ଯେମିତି ମେହରୁନର ଜନ୍ମଦାତ୍ରୀ ମା’ ହେଉଛି ଓ ସେ ହିଁ ମେହରୁନକୁ ବଞ୍ଚିବା ଲାଗି ବାଧ୍ୟ କରୁଛି।
୨. ଶହମୀର ଅଲି ଦରଗାହର ମୁଜାୱାର ବା ଧାର୍ମିକ ଗୁରୁ ହେବାକୁ ଯାଉଥିବା ଅବିଦ ପିଲା ସମୟରେ କରିଥିବା ‘ସଇତାନୀ’ କାର୍ଯ୍ୟ, ‘ଦୁଷ୍ଟାମୀ’, ‘ଅସଭ୍ୟତା’, ଯୌନ ଶୋଷଣ, ଝିଅଙ୍କ ପ୍ରତି ଲାଳସା ଗୁଣକୁ ନିଜେ ସାମ୍ନା କରିଥିବା ଗାଳ୍ପିକଙ୍କ ‘ମୁଁ’ ଗଳ୍ପ ‘ସଫ୍ଟ ହ୍ୱିସ୍ପର୍ସ’ (‘Soft Whispers’)ରେ ଭାବୁଛନ୍ତି, ‘ହଁ, ସତରେ କିଛି ମଣିଷ ଏହି ଭଳି ହୋଇଥାନ୍ତି। ସେମାନେ ସବୁ କିଛିକୁ ଓଲଟପାଲଟ କରିଦେଇପାରନ୍ତି।’
୩. ‘ହେ ଭଗବାନ! ଥରେ ହେଲେ ନାରୀଟିଏ ହୁଅ’ (Be a woman once, oh lord!) ଗଳ୍ପ ମୋ ଭିତରକୁ ଚହଲାଇଦେଇଥିଲା। ହସ୍ପିଟାଲରୁ ଡିସଚାର୍ଜ ହୋଇ ନିଜ ସନ୍ତାନମାନଙ୍କ ସହିତ ଫେରିଥିବା ମହିଳା ଘରେ ଚାବି ପଡ଼ିଥିବା ଦେଖି ସ୍ଵାମୀକୁ ଅପେକ୍ଷା କରୁଛନ୍ତି। କିନ୍ତୁ ସନ୍ଧ୍ୟାରେ ସ୍ଵାମୀ ଆଉ ଜଣେ ମହିଳାଙ୍କୁ ବିବାହ କରି ଘରକୁ ଆଣୁଥିବା ଦୃଶ୍ୟ ମହିଳାଙ୍କ କେବଳ ନିଜ ଭିତରଟାକୁ ଦୋହଲାଇ ଦେଉନାହିଁ ପ୍ରତ୍ୟେକ ପାଠକକୁ ଦୋହଲାଇ ଦେଉଛି।
୪. ସେହିଭଳି ସାଇସ୍ତାକୁ ସ୍ତ୍ରୀ ଭାବରେ ପାଇ ଯେଉଁ ଇଫତିକାର ଦିନେ ପ୍ରେମରେ ଗଦ ଗଦ ହୋଇ ସାଥିମାନଙ୍କ ସାମ୍ନାରେ କହୁଥିଲା, ‘ମୁଁ ସାଇସ୍ତା ମହଲଟେ ତିଆରି କରିବି ଯାହାକୁ ଦେଖି ତାଜମହଲ ବି ଲଜ୍ଜା ପାଇବ’, ପୁଣି ସେହି ଇଫତିକାର ନିଜ ସ୍ତ୍ରୀର ମୃତ୍ୟୁର ମାତ୍ର ଚାରିଦିନ ଭିତରେ ନୂତନ ବିବାହ କରିନେଇଛି। ଗାଳ୍ପିକା ନିଜକୁ ସେହି ସ୍ଥାନରେ ରଖି କହୁଛନ୍ତି, ‘ଇଫତିକାର ଭାଇ! ସାଇସ୍ତା ମହଲ ଭଳି ପୁଣି ଏକ ମହଲର ସ୍ଵପ୍ନ ଦ୍ଵିତୀୟ ସ୍ତ୍ରୀ ନିକଟରେ ଅନ୍ତତଃ କହିବ ନାହିଁ। (ଗଳ୍ପ: ‘Stone slabs for Saista Mahal’) ଗଳ୍ପରେ ପ୍ରତିବାଦ ବେଶ ସୂକ୍ଷ୍ମ କିନ୍ତୁ ନିର୍ଦ୍ଦିଷ୍ଟ।
ହାର୍ଟ ଲ୍ଯାମ୍ପର ସମସ୍ତ ଗଳ୍ପରେ ମୁସଲିମ ମହିଳାଙ୍କ ବିଭିନ୍ନ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ଅଧିକ ଲେଖା ଆବଶ୍ୟକ ହେଉଛି। କିନ୍ତୁ ବାନୁ ଏକ ସାକ୍ଷାତକାରରେ କହୁଛନ୍ତି ଯେ ତାଙ୍କର ପ୍ରାୟ ୬୦ ଗଳ୍ପ ମଧ୍ୟରୁ ତାଙ୍କର ଅନୁବାଦିକା, ଦୀପା ଭସ୍ତି, ଏହି ଧରଣର ୧୨ଟି ଗଳ୍ପକୁ ଚୟନ କରିଥିଲେ।
ଏଥିରେ ପ୍ରକାଶିତ ୧୨ଟି କାହାଣୀ ପଢ଼ିଲା ପରେ ମୋ ନିଜକୁ ପ୍ରଶ୍ନ କରୁଛି, ଆମ ଚାରିପାଖରେ ସେହି ସମସ୍ତ ଘଟଣା ଘଟୁଥିବା ବେଳେ ଆଜି ପର୍ଯ୍ୟନ୍ତ ଆମେ ଅଜ୍ଞ ରହିଥିଲେ କେମିତି? କାହିଁକି ସେ ସମ୍ପର୍କରେ ଆଲୋଚନା ଓ ପ୍ରତିବାଦ ସାହିତ୍ୟ ଲେଖା ହୋଇପାରୁନଥିଲା?
ସତ କଥା ହେଲା ଯେ ଏହି ବର୍ଷ ବୁକର ପୁରସ୍କାର ପାଇବା ପରେ ବାନୁଙ୍କ ଲେଖା ସମ୍ପର୍କରେ କନ୍ନଡ଼ ଭାଷା ବାହାରର ଲୋକେ ଜାଣିଲେ। ଏହା ସହିତ ମୁସଲମାନ ଧର୍ମବିଶ୍ଵାସୀ ନାରୀର ସ୍ଥିତି ମଧ୍ୟ।
ମଜାର କଥା ହେଲା ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟି ମୁସଲମାନ ମହିଳାଙ୍କ ଅଧିକାର ଲାଗି ତିନି ତଲାକ ସମ୍ବନ୍ଧିତ ଆଇନ ତ ଆଣିଲେ, କିନ୍ତୁ ମୁସଲମାନ ମହିଳା ଲେଖିକା ବାନୁ ମୁସ୍ତାକ ଆନ୍ତର୍ଜାତିକ ବୁକର ପୁରସ୍କାର ପାଇବା ସମ୍ବାଦ ପାଇବା ପରେ କୌଣସି ପ୍ରତିକ୍ରିୟା ନା ପ୍ରଧାନମନ୍ତ୍ରୀ ନା ପାର୍ଟି ପ୍ରକାଶ କରିଥିଲେ, ଯଦିଓ ଅନ୍ୟମାନଙ୍କ କ୍ଷେତ୍ରରେ ସେମାନେ କରିଥାନ୍ତି।
ସେହି ସମାନ ନୀରବତା ଦେଖିବାକୁ ମିଳିଥିଲା ଯେତେବେଳେ ଗୀତାଞ୍ଜଳୀ ଶ୍ରୀ ବୁକର ପୁରସ୍କାର (୨୦୨୨) ପାଇଥିଲେ। ମହିଳାଙ୍କୁ ସମ୍ମାନର କଥା କହୁଥିବା ବେଳେ ପ୍ରଧାନମନ୍ତ୍ରୀ ଏଥିରେ ନୀରବ ରହିବାର ଅନ୍ୟତମ କାରଣ ହେଲା ଉଭୟ ବାନୁ ମୁସ୍ତାକ ଓ ଗୀତାଞ୍ଜଳି ଶ୍ରୀ ଧାର୍ମିକ ମୌଳବାଦୀ ବିଚାରର କଟ୍ଟର ବିରୋଧୀ।
ଆମ ସମାଜ ଯେତେବେଳେ ଧାର୍ମିକ ମୌଳବାଦୀ ଶକ୍ତି ଦ୍ଵାରା ଅନେକ ଭାବରେ ପ୍ରଭାବିତ ଓ ଯେଉଁଠି ଏହି ମୌଳବାଦୀ ଶକ୍ତିମାନେ ହିଁ ଲେଖିକାର ବାକ ସ୍ଵାଧୀନତାକୁ ଅଧିକ ଭାବରେ ନିୟନ୍ତ୍ରଣ କରୁଛନ୍ତି ସେହିଭଳି ପରିବେଶରେ ଜଣେ ଲେଖିକା ଅତି ସଂବେଦନଶୀଳ ପ୍ରସଙ୍ଗରେ ଗଳ୍ପ ଲେଖି ଦୁନିଆର ସାମ୍ନାକୁ ସେମାନଙ୍କ କଥାକୁ ଆଣିବାର ଦାୟିତ୍ଵ ଅନୁଭବ କରିବା ପ୍ରଶଂସାର ବିଷୟ। ବାନୁ ମୁସ୍ତାକ ସମଗ୍ର ସଂକଳନରେ ସେହି କାମ ହିଁ କରିଛନ୍ତି।
ମୁସଲମାନ ମୌଳବାଦୀମାନଙ୍କ ଉଗ୍ରରୂପ ଆମେ ତସଲିମା ନାସରିନଙ୍କ ଉପରେ ହୋଇଥିବା ଆକ୍ରମଣ ସମୟରୁ ଦେଖିଆସୁଛୁ। ନିକଟରେ ସେମାନେ ଜାଭେଦ ଅଖତାରଙ୍କ କାଳିକତା କାର୍ଯ୍ୟକ୍ରମକୁ ବାତିଲ କରିଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ବାନୁ ମୁସ୍ତାକ ଯେ ସେମାନଙ୍କ ଆକ୍ରମଣରୁ ବାଦ ପଡ଼ିଥିବେ ତାହା ନୁହେଁ। ସେ ଏକ ସାକ୍ଷାତକାରରେ ସ୍ଵୀକାର କରୁଛନ୍ତି ଯେ ଦିନେ ତାଙ୍କୁ ମଧ୍ୟ ଆତ୍ମହତ୍ୟା ଲାଗି ଇଚ୍ଛା ହୋଇଥିଲା। ଏହାକୁ ସେ ସେ ‘ହେ ଭଗବାନ! ଥରେ ହେଲେ ନାରୀଟିଏ ହୁଅ’ ମାଧ୍ୟମରେ କିଛି ଟା ଉଲ୍ଲେଖ କରିଛନ୍ତି।
ଓଡ଼ିଆ ସାହିତ୍ୟରେ ମଧ୍ୟ ମୁସଲମାନ ମହିଳାଙ୍କ ଅବସ୍ଥିତିକୁ ନେଇ ବର୍ଣ୍ଣନା ବା ଗଳ୍ପ ପ୍ରାୟତଃ ଶୂନ୍ୟ। କଟକ ଅଞ୍ଚଳରେ ଏକ ଚଳଣି ରହିଆସିଛି ଯେ ବାଳିକା ଅବସ୍ଥାରୁ କୋରାନ ମୁଖସ୍ଥ କରିବା ଲାଗି ପ୍ରତ୍ୟେକ ମହିଳା ବାଧ୍ୟ, କାରଣ ଏହା ଦ୍ୱାରା ସେ କୋରାନର ମହତ୍ଵକୁ ଆଗାମୀ ପିଢ଼ିକୁ ନେଇ ଯାଇପାରିବ। ଅଥଚ ତାହାର ମସଜିଦ ମଧ୍ୟକୁ ଯିବାର କୌଣସି ଅଧିକାର ନାହିଁ। କେବଳ ସ୍ୱାମୀର ବଂଶ ରକ୍ଷା କରିବା ଓ ଉତ୍ତମ ସନ୍ତାନ ଜନ୍ମ ଦେବା ତାହାର ଦାୟିତ୍ଵ।
ଭଦ୍ରକ ସହରର ମହିଳାଙ୍କ ତଲାକ ପ୍ରସଙ୍ଗ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟ ନାରୀ ଅଧିକାର ଓ ନାରୀର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ମୌଲବୀଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏ ସମ୍ପର୍କରେ ଓଡ଼ିଆ ସାହିତ୍ୟରେ କେବେ ଚର୍ଚ୍ଚା ହେଉଥିବା ମୋର ନଜରକୁ ଆସି ନାହିଁ।
ସମାଜରେ ଧାର୍ମିକ ମୌଳବାଦ ଦୃଢ଼ ହେବା ପରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରୁଛି। ଏଥିରେ ଯେ ହିନ୍ଦୁ ଧର୍ମ ବିଶ୍ଵାସୀମାନେ ବାଦ ପଡ଼ିଯାଇଛନ୍ତି ତାହା ନୁହେଁ। ମୁଁ ଭାବୁଛି ଯେ ଆମ ସମାଜରେ ହିନ୍ଦୁତ୍ଵ ଶକ୍ତିର ପ୍ରଭାବ ବଢ଼ିବା ପରେ ହୁଏତ ସେମାନେ ମହିଳା ଲେଖିକାଙ୍କ ଲେଖାକୁ ପ୍ରକାଶ କରିବାରେ ବାଧକ ହେଉଛନ୍ତି ଅଥବା ଲେଖିକାଙ୍କୁ ନାରୀ ସ୍ଵାଧୀନତା ଏକ ‘ଉଗ୍ର ସ୍ଵାଧୀନତା’ ବୋଲି ମନ୍ତବ୍ୟ ଦେଇ ଦ୍ଵନ୍ଦରେ ପକାଉଛନ୍ତି। ଫଳରେ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ ଓ ଆଦିବାସୀ ବର୍ଗର ମହିଳାଙ୍କ ସ୍ଥିତି ତଥା ପ୍ରତିବାଦର ସ୍ଵର ଓଡ଼ିଆ ସାହିତ୍ୟରେ କମ ଦେଖିବାକୁ ମିଳୁଛି।
ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତା ନେବାର ପ୍ରତିବାଦରେ ଯଦିଓ କିଛି କବିତା ଲେଖାଗଲା କିନ୍ତୁ ତାହାକୁ ସାମାଜିକ ଗଣମାଧ୍ୟମରେ ଏଭଳି ଆକ୍ଷେପ କରାଗଲା ଯେ ସେଭଳି କବିତାକୁ ଅପସାରଣ କରିବା ଲାଗି
କବି ବାଧ୍ୟ ହେଲେ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା (୨୦୦୮) ପରେ ଯେଉଁ ଖ୍ରୀଷ୍ଟିୟାନ ନନଙ୍କୁ ଦୁଷ୍କର୍ମ କରଯାଇଥିଲା ତାହାଙ୍କ ମାନସିକ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଆଗ୍ରହୀ ଲେଖିକାଙ୍କ ଲେଖା ପ୍ରକାଶ କରାଗଲାନାହିଁ। ଏହା ନିକଟରେ ଘଟିଥିବା ଘଟଣା। ଆମ ଚାରିପାଖରେ ହିନ୍ଦୁ ଉଗ୍ର ମୌଳବାଦୀଙ୍କ ଉପସ୍ଥିତି ହେତୁ ଏହା ଘଟୁଛି।
ପୁରୁଷତାନ୍ତ୍ରିକ ବ୍ୟବସ୍ଥା ଓ ଧାର୍ମିକ ମୌଳବାଦର ପ୍ରତିବାଦରେ ରଚିତ ବାନୁ ମୁସ୍ତାକଙ୍କ କାହାଣୀ ଏହାପରେ ସମାଜରେ କିଛି ସଂସ୍କାର ଆଣିବ ବୋଲି ଆମେ କ’ଣ ବିଶ୍ଵାସ ରଖିପାରିବା ନାହିଁ?
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
