Advertisment

ଯଥାଶୀଘ୍ର ମରାମତି ହେଉ ରତ୍ନଭଣ୍ଡାର

ଆଗାମୀ ରଥଯାତ୍ରା ସମୟରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ନ୍ୟାୟମୂର୍ତ୍ତୀ ଅରିଜିତ ପଶାୟତ କମିଟି କହିଥିଲା ବେଳେ ଆସନ୍ତା ୮ ତାରିଖ ରଥଯାତ୍ରା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି କହି ଚହଳ ସୃଷ୍ଟି କରିଦେଲେ ଏଏସଆଇର ରାଜ୍ୟ ଅଧୀକ୍ଷକ ଡି.ବି. ଗଡ଼ନାୟକ। ବାଧ୍ୟ ହୋଇ ଏନେଇ ସ୍ପଷ୍ଟ କରିବାକୁ ପଡ଼ିଲା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ। ସରକାର ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଲା ପରେ ରହସ୍ୟମୟ ରତ୍ନଭଣ୍ଡାର ଅଧିକ ରହସ୍ୟମୟ ହୋଇଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଜାନକୀଶ ବଡ଼ପଣ୍ଡା

ଆଗାମୀ ରଥଯାତ୍ରା ସମୟରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ନ୍ୟାୟମୂର୍ତ୍ତୀ ଅରିଜିତ ପଶାୟତ କମିଟି କହିଥିଲା ବେଳେ ଆସନ୍ତା ୮ ତାରିଖ ରଥଯାତ୍ରା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି କହି ଚହଳ ସୃଷ୍ଟି କରିଦେଲେ ଏଏସଆଇର ରାଜ୍ୟ ଅଧୀକ୍ଷକ ଡି.ବି. ଗଡ଼ନାୟକ। ବାଧ୍ୟ ହୋଇ ଏନେଇ ସ୍ପଷ୍ଟ କରିବାକୁ ପଡ଼ିଲା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ। ସରକାର ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଲା ପରେ ରହସ୍ୟମୟ ରତ୍ନଭଣ୍ଡାର ଅଧିକ ରହସ୍ୟମୟ ହୋଇଯାଇଛି।

Advertisment

୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେଉଁ ପରିସ୍ଥିତିରେ ଚାବି ହଜିଲା, ତା’ର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବସରକାର ଏକ କମିଶନ ଗଠନ କରିଥିଲେ। କମିଶନ ନିର୍ଦ୍ଧାରିତ ସମୟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାହା ବିଧାନସଭାରେ ଉପସ୍ଥାପିତ ନହୋଇ ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା। ନୂଆ ସରକାର ଏହାକୁ ସାର୍ବଜନୀନ କରିବାକୁ ନିର୍ବାଚନ ବେଳେ ପ୍ରତିଶୃତି ଦେଇଥିଲେ। ଏଣୁ ଚାବି ହଜିବା ଘଟଣାର କମିଶନ ରିପୋର୍ଟ ସାର୍ବଜନୀନ ହେବ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। କୋର୍ଟ ଅଫ ଇନକ୍ୱାରୀ ଆକ୍ଟ ଅନୁସାରେ, ରିପୋର୍ଟକୁ ସାର୍ବଜନୀନ କରିବା ଆବଶ୍ୟକ। ଅର୍ଥାତ ଏହା ରାଜ୍ୟ ବିଧାନସଭାରେ ଉପସ୍ଥାପନ ହେବା କଥା। କିନ୍ତୁ ପୂର୍ବରୁ କ୍ଷମତାରେ ଥିବା ବିଜେଡି ସରକାର କୌଣସି ରହସ୍ୟମୟ କାରଣରୁ ଏହାକୁ ସାର୍ବଜନୀନ କରି ନଥିଲେ। ତେଣୁ ରାଜ୍ୟବ୍ୟାପୀ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ସ୍ୱେଚ୍ଛାସେବୀ ଦିଲୀପ ବରାଳ ଏନେଇ ହାଇକୋର୍ଟରେ ମାମଲା କରିଥିଲେ। ଗତ ଏପ୍ରିଲ ମାସ ୫ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗୋଟିଏ ସତ୍ୟପାଠରେ କହିଥିଲେ ଯେ ଖୁବଶୀଘ୍ର ନିର୍ବାଚନ ହେବାକୁ ଯାଉଛି ଓ ଜୁନ ମାସରେ ନୂଆ ସରକାର ଗଠନ ହେବା ପରେ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଉପସ୍ଥାପନ କରି ରିପୋର୍ଟକୁ ସାର୍ବଜନୀନ କରାଯିବ। ସତ୍ୟପାଠ ଦାଖଲ କରାଯାଇଥିଲେ ହେଁ ଏଯାଏଁ ମାମଲାର ଶୁଣାଣି ହୋଇ ନଥିଲା। ଜୁନ୍ ୧୯ ତାରିଖରେ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଥିଲେ ହେଁ ସତ୍ୟପାଠ ଅନୁସାରେ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ। ଜବାବରେ ସରକାରୀ ଓକିଲ କହିଛନ୍ତି ଯେ ଆଗାମୀ କ୍ୟାବିନେଟ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ। ଆଗମୀ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ପ୍ରାୟ ଦେଢ଼ କୁଇଣ୍ଟାଲ ସୁନା ଅଳଙ୍କାର ଓ ଅଢ଼େଇ କୁଇଣ୍ଟାଲରୁ କିଛି ଅଧିକ ରୂପା ସାମଗ୍ରୀ ଥିବା ହିସାବ କରାଯାଇଥିବା ବେଳେ ଏବେ ତାହାର ପରିମାଣ କେତେ ବଢ଼ିଛି କିମ୍ବା ଛିଡ଼ିଛି ସେ ସଂକ୍ରାନ୍ତରେ ଜାଣିବା ପାଇଁ ଦଳ ମତ ନିର୍ବିଶେଷରେ ଲୋକଙ୍କ ଭିତରେ ଆଗ୍ରହ ବୃଦ୍ଧି ପାଇଛି।

Advertisment

ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ମଣତି କରାଯାଇଥିଲା। ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି। ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨,୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା। ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ହୋଇଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ହୀରା, ନୀଳା, ମଣି ଓ ମାଣିକ୍ୟ ଭଳି ରତ୍ନ ପଥର ସହିତ ସୁନା ତିଆରି ସ୍ୱର୍ଣ ଅଳଙ୍କାର ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା। ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡ଼ିଥିଲା। ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ତିଆରି ପଦାର୍ଥ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀରେ ଅର୍ନ୍ତଭୁକ୍ତ ହୋଇପାରିନଥିଲା।

ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରର ତିନିଟି ରତ୍ନଭଣ୍ଡାର ରହିଛି। ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ଲାଗି ଯେଉଁ ସୁନା, ରୂପା ଓ ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଏ, ସେ ସବୁ ଚଳନ୍ତି ରତ୍ନଭଣ୍ଡାରରେ ରହିଥାଏ ଏବଂ ଏଠାରେ କାରବାର ପ୍ରାୟ ପ୍ରତିଦିନ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସେବକମାନେ କରିଥାନ୍ତି। ସେହିଭଳି ରଥଯାତ୍ରା, ସୁନାବେଶ ଆଦି ବିଭିନ୍ନ ପର୍ବ ପର୍ବାଣିରେ ଯେଉଁସବୁ ସାମଗ୍ରୀ ବ୍ୟବହୃତ ହୁଏ ତାହା ବାହାର ରତ୍ନଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯାଇଥାଏ। ତେବେ ଅନ୍ୟ ସୁନା ରୂପା ସହ ମୂଲ୍ୟବାନ ପଥର ସାମଗ୍ରୀଗୁଡ଼ିକ ଭିତର ରତ୍ନଭଣ୍ଡାରରେ ରଖାଯାଇଥାଏ। ଶ୍ରୀମନ୍ଦିର ଆଇନ୍‍ ଅନୁଯାୟୀ ନିର୍ଦ୍ଧାରିତ ପନ୍ଥାରେ ରତ୍ନଭଣ୍ଡାରର ସମ୍ପତ୍ତି ସବୁର ହିସାବ, ଗଣତି (ମଣତି) ଓ ରକ୍ଷଣା ବେକ୍ଷଣ ହେବାକଥା। ତେବେ ବିଭିନ୍ନ କାରଣରୁ ୪୬ ବର୍ଷ ଧରି ଭିତର ରତ୍ନଭଣ୍ଡାରର ସାମଗ୍ରୀର ମଣତି ହୋଇପାରିନାହିଁ। ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଏକଦା ଉଦ୍ୟମ ହୋଇଥିଲେ ମଧ୍ୟ ଚାବି ହଜିଯିବା ଘଟଣା ଯୋଗୁଁ ଭିତରକୁ କେହି ଯାଇପାରି ନଥିଲେ। ଗତ ଫେବୃୟାରୀ ୨୯ ତାରିଖରେ ସୁପ୍ରିମ୍ କୋର୍ଟର ଅସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ରତ୍ନଭଣ୍ଡାର ସାମଗ୍ରୀ ସୁମାରି ଲାଗି ଏକ ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ ଲେଜର ସ୍କାନିଂରୁ ରତ୍ନଭଣ୍ଡାରରେ ଫାଟ ରହିଥିବା ଜଣାପଡ଼ିଥିଲା।

କେହି ବି ଜଣେ ସଂସ୍କୃତି ସମ୍ପନ୍ନ ଓଡ଼ିଆ ରତ୍ନ ଭଣ୍ଡାର ସମେତ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟିତ୍ୱ ତଥା ସୁରକ୍ଷା ଲାଗି ଚିନ୍ତିତ ହେବ ହିଁ ହେବ। ଏଣୁ ଆଜି ନହେଲେ ବି କାଲି ରତ୍ନ ଭଣ୍ଡାରକୁ ଖୋଲାଯାଇ ଆବଶ୍ୟକୀୟ ମରାମତି ଅତ୍ୟାବଶ୍ୟକ ମନେହୁଏ। ଶ୍ରୀମନ୍ଦିରର ସ୍ଥାୟିତ୍ୱ ତଥା ସୁରକ୍ଷା ରତ୍ନ-ମଣତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଦିଅଁମାନଙ୍କୁ ରତ୍ନସିଂହାସନ ଉପରୁ ମାସ ମାସ କାଳ ସ୍ଥାନାନ୍ତର କରିବାକୁ ପଡ଼ିଲେ ବି ଭକ୍ତ ଓ ସେବକ ସମାଜ ଅନିଛା ସତ୍ତ୍ୱେ ନିଶ୍ଚୟ ସହଯୋଗ କରିବେ। ଯାହା ଫଳରେ ଠାକୁରଙ୍କ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା ସହିତ ଭକ୍ତମାନେ ଯେଭଳି ଦର୍ଶନ ପାଇ ପାରିବେ, ତାହାର ବିକଳ୍ପ ବ୍ୟବସ୍ଥା ସରକାରଙ୍କୁ କରିବାକୁ ପଡ଼ିବ।

ଆଜି ସୁଦ୍ଧା ମହାପ୍ରଭୁ ସ୍ନାନ ଗୁଣ୍ଡିଚା ବାଦ୍ ବାଇଶି ଥର ରତ୍ନସିଂହାସନ ଛାଡ଼ିଛନ୍ତି ବୋଲି ଐତିହାସିକ ପ୍ରମାଣ ମିଳୁଛି। ବିଦେଶୀ, ଯବନ ଓ ସ୍ୱଦେଶୀ-କୁଳାଙ୍ଗାରମାନଙ୍କ ଆକ୍ରମଣ ଯୋଗୁଁ କୋଡ଼ିଏ ଥର ଏବଂ ଗର୍ଭଗୃହ ମରାମତି ପାଇଁ ଦୁଇଥର ସିଂହାସନ ଛାଡ଼ିବାକୁ ପଡିଛି ଦିଅଁମାନଙ୍କୁ। ୧୮୭୫ ମସିହା ଜୁଲାଇ ୭ ତାରିଖରେ ଗର୍ଭଗୃହରୁ ପ୍ରାୟ ୪୦ ଫୁଟ ଉଚ୍ଚତାରୁ ଚାରିଗୋଟି ବିରାଟ ପଥର ଖସିଥିଲା। ତତ୍କାଳୀନ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସରକାର ସୁପାରିସ କରିବାରୁ ଠାକୁରମାନଙ୍କୁ ଗୁଣ୍ଡିଚା ଘରେ ଅସ୍ଥାୟୀ ସିଂହାସନରେ ରଖାଯାଇଥିଲା। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ବର୍ତ୍ତମାନର ମନ୍ଦିର ନିର୍ମାଣ ପୂର୍ବରୁ ଏକ ସମୟରେ ଠାକୁରମାନଙ୍କୁ ଜରାଜୀର୍ଣ୍ଣ ମନ୍ଦିରରୁ ବାହାର କରାଯାଇ ଗଛତଳେ ରଖା ହୋଇଥିଲା (ଦେଶ କାଳପାତ୍ର)। ୧୯୯୨ ମସିହା ନଭେମ୍ବର ୨୯ ତାରିଖରେ ଗର୍ଭଗୃହ ମରାମତି ପାଇଁ ଅଣସର ପିଣ୍ଡି ନିକଟସ୍ଥ ଏକ ଅସ୍ଥାୟୀ କାଷ୍ଠ-ସିଂହାସନକୁ ସ୍ଥାନାନ୍ତରିତ କରା ଯାଇଥିଲା ଶ୍ରୀଜୀଉମାନଙ୍କୁ। ଏହି ସବୁ ଉଦାହରଣ ଦେବାର କାରଣ ହେଲା ଯେ, ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରାରେ ଆବଶ୍ୟକ ସ୍ଥଳେ ମନ୍ଦିର ସୁରକ୍ଷା ପାଇଁ ମରାମତି କରିବାକୁ ପଡ଼ିଲେ, ଦିଅଁମାନଙ୍କୁ ରତ୍ନ ସିଂହାସନରୁ ସ୍ଥାନାନ୍ତର କରାଯାଇ ଠାକୁରଙ୍କ ନୀତିକାନ୍ତି, ଭୋଗ ଓ ଦର୍ଶନ ବ୍ୟବସ୍ଥା ଯଥାରୀତି କରାଯାଇ ଥିବାର ପ୍ରମାଣ ଥିବାରୁ ଆମେ ଏବେ ସେହି ପରମ୍ପରା ଅନୁସରଣ କରିପାରିବା।

ଶ୍ରୀମନ୍ଦିରର ଜଗମୋହନ ପାର୍ଶ୍ୱରେ ଅବସ୍ଥିତ ବାହାର ଏବଂ ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ରହିଛି। ଛାତର ପ୍ଲାଷ୍ଟର ଦୁର୍ବଳ ଥିବାବେଳେ କିଛି ଜାଗାରେ ପ୍ଲାଷ୍ଟର ମଧ୍ୟ ଖସିଛି, କାନ୍ଥ ଓ ଚଟାଣ ବାଡ଼େଇଲେ ଫମ୍ପା ଶବ୍ଦ ହେଉଛି, ପୁଣି କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ତୁରନ୍ତ ଭିତର-ରତ୍ନଭଣ୍ଡାରର କେତେ ସୁରକ୍ଷିତ ତାହା ଜାଣିବା ଦରକାର ପଡୁଛି। ଏଥିସହ ବଡ଼ଧରଣର ମରାମତି ମଧ୍ୟ ନିହାତି ଆବଶ୍ୟକ ପଡ଼ିପାରେ ବୋଲି ଆଶଂକା କରାଯାଉଛି। କିନ୍ତୁ ଏହା ପୂର୍ବରୁ ଭିତର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବା ଦରକାର ବୋଲି ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ବିଗତ ବର୍ଷମାନଙ୍କରେ ଜରୁରୀ ବୋଲି ଉଲ୍ଲେଖ କରି ବାରମ୍ବାର ଚିଠି ଦିଆ ଯାଇଛି। ତଥାପି, ଅଜଣା କାରଣରୁ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିନାହିଁ। ଏନେଇ ରାଜ୍ୟବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ସରକାର ନିର୍ବିକାର ରହୁଥିବାରୁ ସମସ୍ତଙ୍କ ମନରେ ରତ୍ନଭଣ୍ଡାରରୁ ଚୋରୀ ହୋଇଥିବା ସନ୍ଦେହ ଅଧିକ ଗୁରୁତ୍ୱପୂର୍ଣ ହୋଇ ଯାଇଛି। ଦୁଃଖର କଥା ଯେ, ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ପ୍ରସଙ୍ଗ ଗୌଣ ହୋଇ ଯାଇଛି।

ରାଜ୍ୟ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକଙ୍କ ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂରୁ ପାର୍ଶ୍ୱ କାନ୍ଥରେ ଫାଟ ଥିବା ଜଣାଯାଇଛି। ଏହାଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥାଇ ପାରେ। ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ୨୦୧୮ ମସିହାରେ ହୋଇଥିବା ଯାଞ୍ଚ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବ। ତେବେ, ରତ୍ନ ଭଣ୍ଡାର ଖୋଲାଯିବା ପରେ, କ୍ଷତି ଆକଳନ କରି, ମରାମତି ଲାଗି କେତେ ଦିନ, କେତେଜଣ ଯନ୍ତ୍ରୀ, ବିଶେଷଜ୍ଞ ଓ ଶ୍ରମିକ ତଥା କେଉଁ ସବୁ ନିର୍ମାଣ ସାମଗ୍ରୀ ଆବଶ୍ୟକ ହେବ, ତାହାର ଆକଳନ କରାଯାଇ ପାରିବ। ବର୍ତ୍ତମାନ, ଶ୍ରୀମନ୍ଦିର ଭିତରେ ଓ ବାହାରେ ଯେଭଳି ଭକ୍ତ ଗହଳି ଲାଗି ରହୁଛି, ସେଥି ମଧ୍ୟରେ ଉନ୍ନତ ମାନର ମରାମତି କାମ କରାଯିବା ହୁଏତ ସମ୍ଭବ ହୋଇ ନପାରେ। ଏଣୁ ଆମର ଏକ ବିନୀତ ପ୍ରସ୍ତାବ ରହିବ ଯେ, ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ଏହି ବହୁ ପ୍ରତୀକ୍ଷିତ ମରାମତି ପ୍ରକ୍ରିୟା ଆରମ୍ଭ କରାଯାଉ। ଆବଶ୍ୟକ ପଡ଼ିଲେ, ଦେଶ ଓ ବିଦେଶରୁ ମନ୍ଦିର ତଥା ଐତିହ୍ୟ ସଂରକ୍ଷଣ କାର୍ଯ୍ୟରେ ନିପୁଣ ଯନ୍ତ୍ରୀ ଓ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ସମଗ୍ର ଶ୍ରୀମନ୍ଦିରର ସର୍ବାଙ୍ଗୀନ, ସଶକ୍ତ ମରାମତି ଏବଂ ସଂରକ୍ଷଣ କାମ ହାତକୁ ନିଆଯାଉ। ଡବଲ ଇଞ୍ଜିନ ସରକାର ଥିବାରୁ, ଏଥିରେ କିଛି ବାଧା ରହିବନି। ପ୍ରତିବର୍ଷ କିଛି କିଛି ମରାମତି କାମ ଆରମ୍ଭକରି ଅଧାରୁ ଛାଡ଼ିଦେବା ଅପେକ୍ଷା, ଥରେ ଭଲକରି ମରାମତି, ଇସ୍ପାତ ଖମ୍ବ ଏବଂ କଡ଼ି ବରଗା (ବିମ) ଦେଇ ସୁରକ୍ଷିତ କରାଯିବା ଉଚିତ ହୁଅନ୍ତା। ଭବିଷ୍ୟତରେ ପଥର ଖସିଲେ ବି କେହି ମୃତାହତ ହୁଅନ୍ତେନି।

ଯଦି ଜଣାଯିବ ଯେ ରତ୍ନଭଣ୍ଡାର ସାମାନ୍ୟ ମରାମତି କଲେ ସୁରକ୍ଷିତ ରହିପାରିବ ତଥାପି, ଆଗାମୀ ଭବିଷ୍ୟତରେ ଯେଭଳି କିଛି ଅସୁବିଧା ନହୁଏ, ସେଥିପାଇଁ ଉଦ୍ୟମ ହେବା ଦରକାର। ବର୍ଷା କାଳରେ ଏକ କୁଇଣ୍ଟାଲ ପଥରର ଓଜନ ବଢ଼ି ଚାରି କୁଇଣ୍ଟାଲ ହେଉଥିବାର କୁହାଯାଉଛି। ଏଣୁ, ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିର ପାଇଁ ସୁରକ୍ଷା ବ୍ୟବସ୍ଥା ଜରୁରୀ।

ଏବେ ଆସନ୍ତୁ, ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାର ଓ ରତ୍ନଗୁଡ଼ିକର ମଣତି ବିଷୟରେ ଆଲୋଚନା କରିବା। ଯଦି, ରତ୍ନଭଣ୍ଡାର ଖୋଲାଯିବ, ସେଠାରେ ଗଚ୍ଛିତ ଥିବା ସମସ୍ତ ବାକ୍ସକୁ ସୁରକ୍ଷିତ ସ୍ଥାନାନ୍ତରଣ କଲାପରେ ସ୍ୱଚ୍ଛତା ସହିତ ମଣତି କରିବାକୁ ପଡ଼ିବ। ସମସ୍ତ ବାକ୍ସକୁ ସୁରକ୍ଷିତ ସ୍ଥାନାନ୍ତରଣ ନକରି, ଯେପରି ଅଛି ସେପରି ରଖିଦେଲେ ଯେବେବି ମଣତି କରାଯିବ, ପୂର୍ବତାଲିକା ସହ ଅମେଳ ରହିଲେ, ରତ୍ନଭଣ୍ଡାର ଖୋଲିଥିବା ବ୍ୟକ୍ତିଙ୍କୁ ସମସ୍ତେ ଦାୟୀ କରିବେ। ପୂର୍ବରୁ, ରତ୍ନଭଣ୍ଡାର ଚାବି ହଜିଥିବା ଏବଂ ଚୋରୀ ହୋଇଥିବା ଅଭିଯୋଗ କାରଣରୁ ସରକାର ଅଧିକ ଭାବିଚିନ୍ତି ପଦକ୍ଷେପ ନେବା ଦରକାର। ଆମର ମତ ରହିବ ଯେ, ସରକାରୀ ଟ୍ରେଜେରୀ କିମ୍ବା କୌଣସି ବ୍ୟାଙ୍କର ଷ୍ଟ୍ରଙ୍ଗରୁମକୁ ସମସ୍ତ ବାକ୍ସ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଉ ଓ ସେହିଠାରେ ମଣତି କାର୍ଯ୍ୟ କରାଯାଇ ସେସବୁର ଭିଡିଓଗ୍ରାଫି ତଥା ଇତିହାସ ଲିପିବଦ୍ଧ ହେଉ। ଏଥିରେ ଲାଭ ଏଇଆ ହେବ ଯେ, ଶ୍ରୀମନ୍ଦିର ମଧ୍ୟରେ ଉଚ୍ଚମାନର ମରାମତି କାମ ନିର୍ବିଘ୍ନରେ ଏବଂ ତରବର ନହୋଇ ବିଚାରସିଦ୍ଧ ଭାବେ କରାଯାଇ ପାରିବ। ଏକ ସଙ୍ଗେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଗଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନଗୁଡ଼ିକର ହିସାବ ମେଳକ, ଶ୍ରୀମନ୍ଦିରର ପ୍ରତ୍ନତାତ୍ତ୍ୱିକ ସୁରକ୍ଷା ଓ ପାରମ୍ପରିକ ସେବା ପୂଜା ଅକ୍ଷୁର୍ଣ୍ଣ ରଖାଯାଇ ପାରନ୍ତା। ଶ୍ରୀମନ୍ଦିରର ଆୟୁଷ ଆକଳନ କରାଯାଇ ପାରନ୍ତା ଓ ଏହା ସେବକ ତଥା ଦର୍ଶନାର୍ଥୀଙ୍କ ଜୀବନ ପାଇଁ ଶ୍ରୀ ମନ୍ଦିର କେତେ ସୁରକ୍ଷିତ, ତାହା ଜଣା ପଡ଼ନ୍ତା। ଜୟ ଜଗନ୍ନାଥ।

ଫୋ- ୯୪୩୮୨୯୯୦୩୭

Odisha Puri Shreemandir Lord Jagannath Puri Ratha Yatra Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe