ଆକାଶଛୁଆଁ ତୈଳଦରର ଅନାଲୋଚିତ ଦିଗ

ଏହା ସତ ଯେ ଆମେ ଆମର ତେଲ ଚାହିଦାର ଏକ ସିଂହଭାଗ ବିଦେଶରୁ ଆମଦାନୀ କରୁଛୁ। ଗତ ସତୁରୀ ବର୍ଷ ଧରି କୌଣସି ବି ସରକାର ବିଦେଶ ଉପରେ ରହିଥିବା ଏହି ନିର୍ଭରଶୀଳତାକୁ କମାଇବାକୁ ଚେଷ୍ଟା କରିନାହାନ୍ତି।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶରେ ଗତ କିଛିଦିନ ଧରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। କିଛି ସହରରେ ପେଟ୍ରୋଲ ଦର ଲିଟର ପିଛା ଶତକ ଅତିକ୍ରମ କରିଥିବା ବେଳେ ଡିଜେଲ ଦର ବି ନବେ ଛୁଇଁଛି। କରୋନା ମହାମାରୀ ଓ ତଜ୍ଜନିତ ଲକ୍ ଡ଼ାଉନ୍ ଯୋଗୁଁ ସାଧାରଣ ଜନତା ଅତ୍ୟନ୍ତ ଦୁର୍ଦ୍ଦଶା ଭିତରେ ରହିଥିବା ବେଳେ ତୈଳଦରରେ ଆକାଶଛୁଆଁ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି।

ଗତ ଅଢ଼େଇ ମାସ ମଧ୍ୟରେ ରନ୍ଧନ ଗ୍ୟାସ୍‌ର ଦର ବି ସିଲିଣ୍ଡର ପିଛା ୧୭୫ ଟଙ୍କା ବୃଦ୍ଧି ପାଇଛି। ତେବେ ପେଟ୍ରୋଲଜାତ ଦ୍ରବ୍ୟ ବିଶେଷ କରି ଡିଜେଲର ମୂଲ୍ୟରେ ଲଗାତାର ବୃଦ୍ଧି ଦେଶର ମାଲ ପରିବହନ, ଯାତ୍ରୀ ପରିବହନ, କୃଷି ଏପରିକି ସଙ୍କଟଗ୍ରସ୍ତ ଅଟୋମୋବାଇଲ ଶିଳ୍ପକୁ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ କରିବାକୁ ଯାଉଛି।

ପେଟ୍ରୋଲଜାତ ଦ୍ରବ୍ୟର ଅସ୍ୱାଭାବିକ ମୂଲ୍ୟବୃଦ୍ଧି ଦେଶର ସାଧାରଣ ଜନତାଙ୍କୁ ଏକଦମ୍ ଅସହ୍ୟ କରିଥିବା ବେଳେ କେନ୍ଦ୍ର ସରକାରରେ ଥିବା ବିଜେପିର ନେତାମାନେ କିନ୍ତୁ ତାକୁ ଯଥାର୍ଥ ବୋଲି କହିବାକୁ ପଛେଇ ନାହାନ୍ତି। ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦରବୃଦ୍ଧି ପାଇଁ କରୋନା ଏବଂ ଅଶୋଧିତ ତେଲର ମୂଲ୍ୟବୃଦ୍ଧିକୁ ଦାୟୀ କରି ଭବିଷ୍ୟତରେ ପେଟ୍ରୋଲ ଲିଟର ପିଛା ୧୨୦ ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିବା ବେଳେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ତାଙ୍କର ଚିରାଚରିତ ଢଙ୍ଗରେ ଏଥିପାଇଁ ପୂର୍ବର ସରକାରମାନଙ୍କୁ ଦାୟୀ କରିଛନ୍ତି। ଅତୀତରେ କଂଗ୍ରେସ ସରକାର ସମୟରେ ତୈଳଦରରେ ସାମାନ୍ୟତମ ବୃଦ୍ଧି ହେଲେ ରାସ୍ତା ଉପରକୁ ଆସି ପ୍ରତିବାଦ କରୁଥିବା ବିଜେପି ନେତାମାନଙ୍କ ଆଜି ଦରବୃଦ୍ଧି ସପକ୍ଷରେ ଯୁକ୍ତି ହାସ୍ୟାସ୍ପଦ ମନେହୁଏ।

ତେଲ ମହଙ୍ଗା ହେବା ପଛରେ ଅନ୍ତର୍ଜାତୀୟ ବଜାର କାରଣ ନୁହେଁ

ତେଲ ଦରବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଯେଉଁସବୁ ସବୁ କାରଣ ଦେଖାଇଛନ୍ତି, ତାହା କଦାପି ମୁଖ୍ୟ କାରଣ ନୁହେଁ। କାରଣ ଆଜି ତୈଳଦରରେ ବୃଦ୍ଧି ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ସେଭଳି କିଛି ବୃଦ୍ଧି ହୋଇନାହିଁ।

୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବାର ଠିକ୍ ପୂର୍ବରୁ ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାର ଥିବା ବେଳେ ଆଜି ତାହା ୬୩ ଡଲାର ରହିଛି। ଅଥଚ ସେତେବେଳେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୭୧ ଓ ୫୭ ଟଙ୍କା ରହିଥିବା ବେଳେ ଆଜି ସେସବୁର ଖୁଚୁରା ଦର ଯଥାକ୍ରମେ ଟ.୯୨.୪୦ ଓ ଟ. ୮୮.୬୯ ରହିଛି। ଅର୍ଥାତ୍ ଅତୀତରେ ଉପା ସରକାର ସମୟରେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦାମ ଆଜିର ଦରଠାରୁ ପ୍ରାୟ ଦୁଇଗୁଣ ଅଧିକ ଥିବାବେଳେ ବି ଆମକୁ ଅପେକ୍ଷାକୃତ ଶସ୍ତାରେ ପେଟ୍ରୋଲ, ଡିଜେଲ ଉପଲବ୍ଧ ହେଉଥିଲା। ଅତଏବ, ଦେଶରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜଲେର ଆକାଶଛୁଆଁ ମୂଲ୍ୟବୃଦ୍ଧି ପାଇଁ ବିଶ୍ୱ ବଜାରରେ ଅଶୋଧିତ ତେଲର ଦରବୃଦ୍ଧି କାରଣ ନୁହେଁ ବୋଲି ସ୍ପଷ୍ଟ ହୋଇଯାଉଛି।

ଯଦି ସେପରି ହୋଇଥାନ୍ତା, ତାହେଲେ ଆଜି କେବଳ ଆମ ଦେଶରେ ନୁହେଁ ବରଂ ବିଶ୍ୱର ସବୁଦେଶରେ ତେଲର ଦର ଆକାଶଛୁଆଁ ହୋଇଥାନ୍ତା। ବରଂ ଏହାର ବିପରୀତ ସ୍ଥିତି ଦେଖାଦେଇଛି, ଏବେ କେବଳ ଭାରତକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟାନ୍ୟ ଦେଶରେ ତେଲଦର ଅପେକ୍ଷାକୃତ ଶସ୍ତା ରହିଛି। ଏପରିକି ଆମପରି ତୈଳର ଆମଦାନୀ ଉପରେ ନିର୍ଭରଶୀଳ ଆମର ପଡ଼ୋଶୀ ଦେଶମାନଙ୍କରେ ବି ଆମଠାରୁ ଢ଼େର ଶସ୍ତାରେ ପେଟ୍ରୋଲ ଡିଜେଲ ମିଳୁଛି। ଏହିକ୍ଷଣି ପେଟ୍ରୋଲର ଦର ପାକିସ୍ଥାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ମ୍ୟାନମାର୍ ଓ ଭୁଟାନ୍‌ରେ ଯଥାକ୍ରମେ ଟ.୫୧.୦୬, ଟ.୭୫.୬୫, ଟ.୭୧.୮୨, ଟ.୫୯.୫୭, ଟ.୪୩.୧୬, ଟ.୪୮.୦୬ ଓ ଟ.୪୯.୫୬ ରହିଛି।

ତେଲକୁ ନିୟନ୍ତ୍ରଣମୁକ୍ତ କରିବାର ପରିଣାମ

ଅତୀତରେ ଆମ ଦେଶରେ ତେଲ କାରବାର ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣରେ ଥିବା ବେଳେ ସରକାର ତେଲର ବଜାର ଦର ସ୍ଥିର କରୁଥିଲେ। ବିଶ୍ୱ ବଜାରରେ ତେଲଦରର ବୃଦ୍ଧିହ୍ରାସ ସତ୍ତ୍ୱେ ଦେଶରେ ତେଲ ଦର ପ୍ରାୟତଃ ସ୍ଥିର ରହୁଥିଲା। କିନ୍ତୁ ତେଲର ଖୁଚୁରା ବଜାରରେ ରିଲାଏନ୍ସ୍‌, ଏସାର ପରି ଘରୋଇ କମ୍ପାନୀଙ୍କ ପ୍ରବେଶ ପରେ ସେମାନଙ୍କ ସ୍ୱାର୍ଥରେ ପ୍ରଥମେ ମନମୋହନ ସିଂହଙ୍କ ଉପା ସରକାର ଜୁନ୍ ୨୦୧୦ରେ ପେଟ୍ରୋଲର ଏବଂ ପରେ ନରେନ୍ଦ୍ର ମୋଦିଙ୍କ ଏନ୍‌ଡ଼ିଏ ସରକାର ଅକ୍ଟୋବର ୨୦୧୪ରେ ଡିଜେଲକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରି ତାର ଦରଧାର୍ଯ୍ୟ କରିବାର କ୍ଷମତାକୁ କମ୍ପାନୀଙ୍କ ହାତରେ ଟେକିଦେଲେ।

ଏହି କ୍ରମରେ ୨୦୧୭ ମସିହାରେ ଡାଇନାମିକ୍ ଫୁଏଲ୍ ପ୍ରାଇସ୍ ସିଷ୍ଟମ୍‌ ନାମରେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ଅନୁଯାୟୀ ଦେଶରେ ତେଲର ଦୈନିକ ଖୁଚୁରା ଦର ତେଲ କମ୍ପାନୀମାନେ ସ୍ଥିର କଲେ। ବିଶ୍ୱ ବଜାରରେ ଦରର ବୃଦ୍ଧି ବା ହ୍ରାସ ଅନୁଯାୟୀ ଦେଶରେ ମଧ୍ୟ ତେଲର ଦରରେ ବୃଦ୍ଧି/ହ୍ରାସ ହେବା ବୋଲି କୁହାଗଲା। କିନ୍ତୁ ସରକାରଙ୍କ ଏହି ପରିବର୍ତ୍ତିତ ନୀତି ଜନଗଣଙ୍କୁ ଫାଇଦା ଦେବା ପରିବର୍ତ୍ତେ ସରକାର ଓ କମ୍ପାନୀଙ୍କୁ ହିଁ ଫାଇଦା ଦେଇ ଆସିଛି।

ମୋଦିଙ୍କ ଗତ ସାତ ବର୍ଷର ଶାସନ କାଳରେ ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟରେ ଲଗାତାର ହ୍ରାସ ହୋଇଥିଲେ ମଧ୍ୟ ତେଲର ଖୁଚୁରା ମୂଲ୍ୟରେ ଥରେ ଦୁଇ ଥର ନାମକୁ ମାତ୍ର ହ୍ରାସକୁ ଛାଡ଼ିଦେଲେ ପ୍ରାୟତଃ ବଢ଼ିବା ହିଁ ଦେଖାଯାଇଛି। ଏପରିକି ଗତ ମଇ ମାସରେ ବିଶ୍ୱ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ଦର ସର୍ବନିମ୍ନ ସ୍ତରରେ ଅର୍ଥାତ ୨୦ ଡଲାରରେ ପହଂଚିଥିଲେ ମଧ୍ୟ ତାର ଲାଭ ଜନଗଣଙ୍କୁ ମିଳିନାହିଁ। ସେତେବେଳେ ବିଶ୍ୱର ସବୁ ଦେଶରେ ତେଲର ଖୁଚୁରା ଦର କମିଥିବା ବେଳେ ଆମ ଦେଶରେ ସରକାର ତାକୁ ହ୍ରାସ ନକରି ଏକଦମ୍ ଚୁପ୍ ରହିଗଲେ।

ଜାନୁଆରୀ ୨୦୨୦ଠାରୁ ଜାନୁଆରୀ ୨୦୨୧ ମଧ୍ୟରେ ଭାରତୀୟ ବଜାରରେ ପେଟ୍ରୋଲ ଦରରେ ପ୍ରାୟ ୧୩.୬% ବୃଦ୍ଧି ଘଟିଥିବା ବେଳେ ସେହି ଅବଧିରେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର କିନ୍ତୁ ପ୍ରାୟ ୧୩% କମ୍ ରହିଛି।

ଟିକସ ନାଁରେ ଲୁଟ୍

ଆମ ଦେଶରେ ମହଙ୍ଗା ତୈଳଦର ପଛରେ ମୂଳ କାରଣ ହେଉଛି, ତା’ରି ଉପରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ମାତ୍ରାଧିକ ଟିକସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ରାଜକୋଷ ପାଇଁ ପେଟ୍ରୋଲ ଓ ଡିଜେଲର ଖାଉଟିଙ୍କୁ କାମଧେନୁ ପରି ବ୍ୟବହାର କରି ଆସିଛନ୍ତୁ।

ତେଲ ଉପରେ ବସୁଥିବା କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ଭାଟ୍‌ର ହାରର ଏକ ତୁଳନାତ୍ମକ ଅଧ୍ୟୟନ କଲେ ଦେଶରେ ତୈଳ ଉପରେ ଟିକସ ନାଁରେ କିପରି ଲୁଟ୍ କରାଯାଉଛି ତାହା ସ୍ପଷ୍ଟ ବୁଝାପଡ଼େ। ଦେଶରେ ଏକ ଲିଟର ପେଟ୍ରୋଲର ବର୍ତ୍ତମାନର ଉତ୍ପାଦନ ମୂଲ୍ୟ ଟ.୨୬.୩୪। କିନ୍ତୁ ଜଣେ ଗ୍ରାହକକୁ ସେହି ଏକ ଲିଟର ପେଟ୍ରୋଲ ପାଇଁ ପାଖାପାଖି ଶହେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଅର୍ଥାତ୍ ଶହେ ଟଙ୍କାର ପେଟ୍ରୋଲରେ ଗ୍ରାହକଙ୍କୁ ପ୍ରାୟ ୭୦ ଟଙ୍କା ଟିକସ ଆକାରରେ ଦେବାକୁ ପଡ଼ୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରେ ଟିକସ, ଭାଟ୍ ଓ ସେସ୍ ନାଁରେ ଜନଗଣଙ୍କୁ ଏକରକମ ଲୁଟ୍ କରୁଛନ୍ତି ବୋଲି କୁହାଯାଇପାରେ?

୨୦୧୩ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନେଉଥିବା ମୋଟ ଟିକସର ହାର ୪୪% ଥିବା ବେଳେ ବର୍ତ୍ତମାନ ତାହା ୧୦୦-୧୧୦% ବୃଦ୍ଧି ପାଇଛି। ୨୦୧୪ ନଭେମ୍ବରରେ ମୋଦିଙ୍କ ଶାସନର ପ୍ରଥମ ବର୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ଟ.୯.୨୦ ଓ ଟ..୩.୪୬ ଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଉତ୍ପାଦ ଶୁଳ୍କରେ ଯଥାକ୍ରମେ ଟ.୧୯.୨୮ ଓ ଟ.୧୫.୮୩ ବୃଦ୍ଧି କରି ଟ.୩୨.୯୮ ଓ ଟ.୩୧.୮୩ କରିଛନ୍ତି। ମୋଦି ସରକାରଙ୍କ ଗତ ସାତ ବର୍ଷ ମଧ୍ୟରେ ଡିଜେଲ ଉପରେ ୧୦ ଗୁଣ ଓ ପେଟ୍ରୋଲ ଉପରେ ପ୍ରାୟ ତିନି ଗୁଣ ଟିକସ ବଢ଼ିଛି।

ଏହିକ୍ଷଣି ପେଟ୍ରୋଲ ଓ ଡିଜେଲ ଉପରେ ଦୁନିଆରେ ସବୁଠାରୁ ବେଶୀ ଟିକସ ଭାରତର ଲୋକେ ଦେଉଛନ୍ତି। ଆମ ଦେଶରେ ସରକାରଙ୍କ ଦ୍ୱାରା ତୈଳ ଦରର ପ୍ରାୟ ଦୁଇ ତୃତୀୟାଂଶ କେବଳ ଟିକସ ଆକାରରେ ନିଆଯାଉଛି। ଆମେରିକା, କାନାଡ଼ା, ଜାପାନ, ଇଂଲଣ୍ଡ ଏବଂ ଫ୍ରାନ୍ସ୍ ପରି ବିଶ୍ୱର ବିକଶିତ ଦେଶମାନଙ୍କରେ ପେଟ୍ରୋଲ ଲିଟର ପିଛା ଟିକସର ପରିମାଣଟି ଯଥାକ୍ରମେ ୨୧%, ୬୧%, ୪୭%, ୬୨% ଏବଂ ୫୯% ରହିଥିବା ବେଳେ ଆମ ଦେଶରେ ତାହା ୬୯% ରହିଛି। ତେବେ ବିକଶିତ ଦେଶମାନଙ୍କ କଥା ଛାଡ଼ନ୍ତୁ, ଆମରି ପରି ବିଦେଶରୁ ଆମଦାନୀ ଉପରେ ପ୍ରାୟତଃ ନିର୍ଭରଶୀଳ ଆମର ପଡ଼ୋଶୀ ଦେଶ ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା ଆଦିରେ କେବଳ କମ୍ ଟିକସ କାରଣରୁ ହିଁ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦର ଆମଠାରୁ ଅନେକ ଶସ୍ତା ରହିଛି। ବିଶ୍ୱର କୌଣସି ଦେଶରେ ଏତେ ଦାମ୍‌ରେ ତେଲ ବିକ୍ରୀ ହେଉନାହିଁ କି କୌଣସି ଦେଶ ତେଲ ଉପରେ ଏତେ ହାରରେ ଟିକସ ନେବା ଦେଖାଯାଉନି।

ଗତ ସାତ ବର୍ଷ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲରେ ଟିକସର ହାର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ବେସ୍ ପ୍ରାଇସ୍ ୨୦୧୪ ମସିହା ମଇ ମାସରେ ଟ. ୪୭.୧୨ ଥିବା ବେଳେ ୨୦୨୧ ଫେବୃଆରୀ ସୁଦ୍ଧା ତାହା ୨୯.୩୪କୁ ହ୍ରାସ ପାଇଛି। ଅର୍ଥାତ୍ ୩୭% ହ୍ରାସ ପାଇଛି। ଅନ୍ୟପକ୍ଷରେ ଠିକ୍ ସେହି ଅବଧିରେ ପେଟ୍ରୋଲ ଉପରେ ଟିକସ, ସେସ୍ ଏବଂ ଡିଲର କମିଶନର ପରିମାଣ ଟ.୨୪.୨୯ରୁ ଟ.୫୬.୫୯କୁ ଅର୍ଥାତ୍ ପ୍ରାୟ ୧୩୩% ବୃଦ୍ଧି ପାଇଛି। କେବଳ କେନ୍ଦ୍ର ଆଦାୟ କରୁଥିବା ଟିକସରେ ୨୧୭% ବୃଦ୍ଧି ପାଇଛି।

୨୦୧୪ରେ ପେଟ୍ରୋଲର ମୋଟ ଖଚୁରା ମୂଲ୍ୟରେ ୬୬% ବେସ୍ ପ୍ରାଇସ୍ ଥିବା ବେଳେ ୩୪% ଟିକସ, ସେସ୍ ଓ ଡିଲର କମିଶନ ଥିଲା। ଅଥଚ ୨୦୨୧ରେ ତାହା ସମ୍ପୂର୍ଣ୍ଣ ଓଲଟି ଯାଇ ପେଟ୍ରୋଲର ଖୁଚୁରା ମୂଲ୍ୟରେ ବେସ୍ ପ୍ରାଇସ୍‌ର ହାର ୩୪% ଥିବା ବେଳେ ଟିକସ, ଭାଟ, ସେସ୍ ଓ ଡିଲର କମିଶନର ହାର ୬୬%ରେ ପହଂଚିଛି। କେନ୍ଦ୍ର ସରକାର ୨୦୧୪ ଠାରୁ ଏଯାଏଁ ପେଟ୍ରୋଲ ଓ ଡିଜେଲ ଉପରେ ମୋଟ ୧୨ ଥର ଉତ୍ପାଦ ଶୁଳ୍କରେ ବୃଦ୍ଧି କରି ୨୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଇଛନ୍ତି, ଯାହାକି ସରକାରଙ୍କ ଦ୍ୱାରା ସଂଗୃହୀତ ଦେଶର ମୋଟ ଉତ୍ପାଦ ଶୁଳ୍କର ୩୩% ଅଟେ। ଏପରିକି କେନ୍ଦ୍ର ଦ୍ୱାରା ସଂଗୃହୀତ ଉତ୍ପାଦ ଶୁଳ୍କ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଦେବାକୁ ପଡ଼ୁଥିବାରୁ ସରକାର ତେଲ ଉପରେ ଲଗାତାର ସେସ୍ ଲଗାଇବା ଦେଖାଯାଇଛି, ଯାହାକି କେନ୍ଦ୍ରର ଏକଚାଟିଆ ପରିସରଭୁକ୍ତ ଅଟେ।

ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ବିଭ୍ରାନ୍ତିକର

ଦେଶରେ ତେଲର ଦରବୃଦ୍ଧି ହେବା ପଛରେ ପ୍ରଧାନମନ୍ତ୍ରୀ ପୂର୍ବବର୍ତ୍ତୀ ସରକାରମାନଙ୍କୁ ଦାୟୀ କରିଛନ୍ତି। ବିଦେଶରୁ ତେଲର ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଲାଗି ପୂର୍ବର ସରକାରମାନେ କୌଣସି ଉଦ୍ୟମ କରିନଥିବା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ବକ୍ତବ୍ୟଟି ବିଭ୍ରାନ୍ତିକର ମନେହୁଏ। ପୂର୍ବର ସରକାରମାନଙ୍କ ଉପରେ ଦୋଷକୁ ଲଦି, ତେଲର ଅତ୍ୟଧିକ ଦରବୃଦ୍ଧି ଫଳରେ ଦେଖାଦେଇଥିବା ଜନ ଅସନ୍ତୋଷରୁ ନିଜକୁ ବଂଚାଇବାକୁ ଏଭଳି କହିଛନ୍ତି।

ଏହା ସତ ଯେ ଆମେ ଆମର ତେଲ ଚାହିଦାର ଏକ ସିଂହଭାଗ ବିଦେଶରୁ ଆମଦାନୀ କରୁଛୁ। ଗତ ସତୁରୀ ବର୍ଷ ଧରି କୌଣସି ବି ସରକାର ବିଦେଶ ଉପରେ ରହିଥିବା ଏହି ନିର୍ଭରଶୀଳତାକୁ କମାଇବାକୁ ଚେଷ୍ଟା କରିନାହାନ୍ତି। କିନ୍ତୁ କେବଳ ଅତିତର ସରକାରମାନଙ୍କୁ ଦୋଷ ଦେଇ ମୋଦି ଖସିଯାଇ ପାରିବେ ନାହିଁ। କାରଣ ମୋଦିଙ୍କ ଗତ ସାତ ବର୍ଷର ଶାସନ କାଳରେ ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳତା କମିବା ପରିବର୍ତ୍ତେ ବଢ଼ିବା ଦେଖାଯାଇଛି।

୨୦୧୪ ମସିହା ସୁଦ୍ଧା ଆମର ମୋଟ ତୈଳ ଆବଶ୍ୟକତାର ପ୍ରାୟ ୮୪% ବିଦେଶରୁ ଆମଦାନୀ ହେଉଥିବା ବେଳେ ଆଜି ତାହା ୮୮%କୁ ବୃଦ୍ଧି ପାଇଛି। ତେଲ ଓ ଗ୍ୟାସ୍‌ର ଆଭ୍ୟନ୍ତରୀଣ ଉତ୍ପାଦନ ଗତ ସାତବର୍ଷ ମଧ୍ୟରେ ହ୍ରାସ ପାଇଛି। ଦେଶ ଭିତରେ ନୂତନ ତୈଳ ଉତ୍ସର ସନ୍ଧାନ କରି ଉତ୍ତୋଳନ କରୁଥିବା ସରକାରୀ କମ୍ପାନୀ ଓଏନ୍‌ଜିସି ତାର ଉତ୍ପାଦନକୁ କମାଇବା ସହିତ ତୈଳ ଉତ୍ସର ଅନୁସନ୍ଧାନ ପାଇଁ ୨୦୧୪ରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବର୍ଷ ୬ ହଜାର କୋଟି ଟଙ୍କାକୁ ହ୍ରାସ କରିଛି।

ସେହପରି ଦେଶରେ ଖଣିଜ ଇନ୍ଧନର ବିକଳ୍ପ ଭାବେ ପରିଚିତ ସୌରଶକ୍ତି, ବାୟୁଶକ୍ତି କିମ୍ବା ଜୁଆର ଶକ୍ତି ପରି ଅସରନ୍ତି ଓ ଶସ୍ତା ଶକ୍ତି ଉତ୍ସର ବିକାଶ କରିବା ଦିଗରେ ସରକାର ଆଖିଦୃଶିଆ ବ୍ୟୟବରାଦ କରିବା ଦେଖାଯାଇନି। ସରକାର ତେଲ ଉପରେ ଦେଶବାସୀଙ୍କ ନିର୍ଭରଶୀଳତାକୁ ଯଦି କମାଇବାକୁ ଚାହୁଁଛନ୍ତି, ତାହେଲେ ତେଲ ଉପରେ ଟିକସ ବଢ଼ାଇ ତାକୁ ମହଙ୍ଗା କରି ନୁହଁ ବରଂ ଗାଡ଼ି କିଣିବାକୁ ନିରୁତ୍ସାହିତ କରିବା ପାଇଁ ଗାଡ଼ି ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ତଥା ବସ୍ ଓ ରେଳ ପରି ସାର୍ବଜନିନ ପରିବହନ ବ୍ୟବସ୍ଥାକୁ ଶକ୍ତିଶାଳୀ ଓ ବ୍ୟାପକ କରି ହିଁ କରାଯାଇପାରେ।

ଜନଗଣଙ୍କ ଉପରେ ନୁହେଁ କର୍ପୋରେଟଙ୍କ ଉପରେ ଟିକସ ବଢ଼ାଅ

ତେଲ ଉପରେ ଅତ୍ୟଧିକ ଟିକସ ଧାର୍ଯ୍ୟ କରିବା ପଛରେ ସରକାରଙ୍କ ଆଉ ଏକ ଯୁକ୍ତି ହେଲା, ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ଏବଂ ବଜେଟ୍‌ର ନିଅଣ୍ଟକୁ କମାଇବା। ବିଶେଷ କରି କରୋନା ମହାମାରୀ ଓ ଲକ୍‌ଡ଼ାଉନ୍ ଫଳରେ ସରକାରଙ୍କ ଆୟ କମିଯାଇଥିବାରୁ ସରକାର ତାକୁ ଜନଗଣଙ୍କ ଉପରେ ଅତ୍ୟଧିକ ଟିକସ ଜରିଆରେ ଭରଣା କରିବାକୁ ଚାହିଁଛନ୍ତି।

ଏଠାରେ ପ୍ରଶ୍ନ ଉଠେ, ସରକାର ଅତିରିକ୍ତ ରାଜସ୍ୱ ସଂଗ୍ରହ ପାଇଁ ମହାମାରୀ ଯୋଗୁଁ ଦୁଃସ୍ଥିତିରେ ରହିଥିବା ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଟିକସ ଓ ସେସ୍‌ର ବୋଝକୁ ଲଦୁଛନ୍ତି କାହିଁକି? ମହାମାରୀ ସମୟରେ ଦେଶର ପ୍ରଥମ ଶହେ ଜଣ ଧନୀ ବ୍ୟକ୍ତିଙ୍କ ଆୟରେ ୩୫% ବୃଦ୍ଧି ଘଟିଥିବା ବେଳେ ସରକାର ସେମାନଙ୍କ ଉପରେ କୌଣସି ନୂତନ ଟିକସ ଲଗାଇବାକୁ ଚାହିଁନାହାନ୍ତି। ଅଥଚ ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ବଢ଼ାଇଛନ୍ତି।

ତେଲଦରକୁ ନେଇ ଆମ ଦେଶରେ ସବୁବେଳେ ଏକ କୁତ୍ସିତ ରାଜନୀତି ଚାଲିଆସିଛି। ତେଲ ନାଁରେ ଦେଶର ସାଧାରଣ ଜନତାଙ୍କ ଉପରେ ଚାଲିଥିବା ଏହି ଲୁଟ୍‌ରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଶାସନ କ୍ଷମତାରେ ରହି ଅସିଥିବା ସବୁ ରାଜନୈତିକ ଦଳ ଊଣା ଅଧିକେ ସାମିଲ ଅଛନ୍ତି। ଯେଉଁ ବିଜେପିର ନେତାମାନେ ଆଜି ଦରବୃଦ୍ଧିକୁ ଠିକ୍ ବୋଲି କହୁଛନ୍ତି, କ୍ଷମତାକୁ ଆସିବା ପୂର୍ବରୁ ସେମାନେ ଦେଇଥିବା ବକ୍ତବ୍ୟ ସବୁ ସେମାନଙ୍କ ଛଳନାର ରାଜନୀତିକୁ ଉଜାଗର କରୁଛି। ଅସଲ କଥା ହେଲା ପେଟ୍ରୋଲଜାତ ଦ୍ରବ୍ୟ ବିକ୍ରୀ ନାଁରେ ଜନଗଣଙ୍କୁ ଲୁଟ୍ କରିବାରେ ଶାସକ ଶ୍ରେଣୀର ରାଜନୈତିକ ଦଳମାନେ କିଏ କାହା ଠାରୁ କମ୍ ନୁହଁନ୍ତି ବରଂ ଏକା ଅଟନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୂର୍ବରୁ କାଁ ଭାଁ ତେଲ ଦରରେ ହେଉଥିବା ଦରବୃଦ୍ଧି ନେଇ ଦେଶରେ ଜନଗଣଙ୍କ ମଧ୍ୟରେ ଭୟଙ୍କର ପ୍ରତିକ୍ରୀୟା ପ୍ରକାଶ ପାଉଥିବା ବେଳେ ଆଜି ତାହା ଲୋକଙ୍କ ଦେହସୁହା ହୋଇଯାଇଛି। ସରକାର ଅତ୍ୟନ୍ତ ସୁଚିନ୍ତିତ ଭାବେ ପ୍ରତିଦିନ ଅଳ୍ପ ଅଳ୍ପ କରି ଦର ବଢ଼ାଇବା ଫଳରେ ଲୋକେ ମୂଲ୍ୟବୃଦ୍ଧିର ଚଡ଼କକୁ ଏକାଥରକେ ଅନୁଭବ କରି ପାରୁ ନାହାନ୍ତି।

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଜନଗଣଙ୍କ ଉପରେ ଆକ୍ରମଣ ଅଟେ। କାରଣ ତେଲ ଏଭଳି ଏକ ଦ୍ରବ୍ୟ ପ୍ରତ୍ୟେକ ମଣିଷ ପାଇଁ ଅପରିହାର୍ଯ୍ୟ। ସେ ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ହେଉ ଦେଶର ସବୁ ବ୍ୟକ୍ତିଙ୍କୁ ତେଲର ଦର ପ୍ରଭାବିତ କରିଥାଏ। ଆମର ମାଲ ଓ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ତେଲ ଉପରେ ନିର୍ଭରଶୀଳ ଥିବାରୁ ତେଲର ସାମାନ୍ୟ ଦରବୃଦ୍ଧି ବି ସମାଜର ସବୁ ମଣିଷ ବିଶେଷ କରି ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ବଜେଟ୍‌କୁ ପ୍ରଭାବିତ କରିଥାଏ।

ଦାମୀ ଗାଡ଼ି ବ୍ୟବହାର କରୁଥିବା ସମାଜର ଧନୀ ଲୋକଙ୍କୁ ତେଲର ଦରବୃଦ୍ଧି ହୁଏତ ବାଧି ନପାରେ କିନ୍ତୁ ଯେଉଁମାନେ ଆଦୌ ଗାଡ଼ି ବ୍ୟବହାର ବି କରୁନାହାନ୍ତି ଅଥବା ନିଜର ଜୀବିକା, ବ୍ୟବସାୟ ପାଇଁ ଛୋଟ ଗାଡ଼ି ବ୍ୟବହାର କରୁଛନ୍ତି, ସେମାନଙ୍କ ଉପରେ ତେଲ ଦରବୃଦ୍ଧିର ବୋଝଟି ସର୍ବାଧିକ ହୋଇଥାଏ। ଟ୍ରାକ୍ଟର କିମ୍ବା ଡିଜେଲ ପମ୍ପ୍ ବ୍ୟବହାର କରୁଥିବା ଚାଷୀଙ୍କ ପାଇଁ ବି ତେଲର ଦରବୃଦ୍ଧି ସେମାନଙ୍କ ଉତ୍ପାଦନ ଖର୍ଚ୍ଚକୁ ମହଙ୍ଗା କରିଥାଏ। ଅତଏବ ସରକାର ନିଜର ଆୟବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ଅପ୍ରତ୍ୟକ୍ଷ ଟିକସକୁ ନବଢ଼ାଇ ଧନିକ ଶ୍ରେଣୀଙ୍କ ଉପରେ ପ୍ରତ୍ୟେକ୍ଷ ଟିକସକୁ ବଢ଼ାଇବା ଦରକାର। ତେଲରେ ଟିକସକୁ ସ୍ଥିର ରଖିବାକୁ ତାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଜରୁରୀ।

ଫୋନ୍ : ୯୪୩୭୧୬୬୩୯୧

(ବିଦ୍ର- ଏହି ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର।)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।