Advertisment

ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା

ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।

author-image
Debendra Prusty
Murdered Journalist Mukesh Chandrakar

Murdered Journalist Mukesh Chandrakar

ରବି ଦାସ

ଭାରତୀୟ ସମ୍ବିଧାନରେ କଥା କହିବାର ମୌଳିକ ଅଧିକାର ବା ଅଭିବ୍ୟକ୍ତିର ଅଧିକାର ସବୁ ନାଗରିକଙ୍କୁ ପ୍ରଦାନ କରାଯାଇଛି। ବାସ୍ତବିକ ଗଣତନ୍ତ୍ରରେ ଏହା ସବୁଠାରୁ ବଡ଼ ଅଧିକାର। ଯେଉଁ ଦେଶରେ କଥା କହିବାର ସ୍ୱାଧୀନତା ନାହିଁ ତାହାକୁ କଦାପି ଏକ ଗଣତାନ୍ତ୍ରିକ ରାଷ୍ଟ୍ର କୁହାଯାଇପାରିବ ନାହିଁ। ସମ୍ବିଧାନର ୧୯ ଧାରାରେ କହିବାର ଓ ମତ ପ୍ରକାଶ କରିବାର ମୌଳିକ ଅଧିକାର ସ୍ୱୀକୃତ ହୋଇଛି। ଏହାରି ଭିତରେ କହିବାର ଅଧିକାର ସହିତ ବିନା ଅସ୍ତ୍ରଶସ୍ତ୍ରରେ ସମାବେଶ କରିବା, ଆସୋସିଏସନ୍ କରିବା ଭାରତର ସବୁ ସ୍ଥାନକୁ ମୁକ୍ତ ଭାବେ ଯିବା, ଭାରତର ଯେକୌଣସି ପ୍ରାନ୍ତରେ ବସବାସ କରିବା ଓ ଯେକୌଣସି ବୃତ୍ତି ବା ବ୍ୟବସାୟ କରିବା ପାଇଁ ସମ୍ବିଧାନର ୧୯ ଧାରାରେ ନାଗରିକମାନଙ୍କୁ ମୌଳିକ ଅଧିକାର ଦିଆଯାଇଛି। ଏଥିରେ କଥା କହିବା ଓ ମତପ୍ରକାଶ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଅଧିକାର।

Advertisment

ଏହି ଅଧିକାର ବଳରେ ସମ୍ବାଦପତ୍ରମାନେ ନିର୍ଭୟରେ କାର୍ଯ୍ୟ କରିବା ପାଇଁ ଅଧିକାର ପାଇଛନ୍ତି। ସାମ୍ବାଦିକମାନେ ସେହି ଅଧିକାର ବଳରେ ସାହସର ସହିତ ସେମାନଙ୍କର ରିପୋର୍ଟ ଏବଂ ମତ ପ୍ରକାଶ କରିପାରୁଛନ୍ତି। ସେଥିପାଇଁ ସମ୍ବିଧାନରେ ସମ୍ବାଦପତ୍ରମାନଙ୍କୁ କୌଣସି ସ୍ୱତନ୍ତ୍ର ଅଧିକାର ଆବଶ୍ୟକ ପଡ଼ିନାହିଁ। ବିଭିନ୍ନ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ବାଖ୍ୟା କରି ସାମ୍ବାଦିକର ସ୍ୱାଧୀନତା ଏକ ମୌଳିକ ଅଧିକାର ଭାବରେ ଗ୍ରହଣ କରିଛନ୍ତି। ଯେହେତୁ ସ୍ୱାଧୀନ ମତ ପ୍ରକାଶ କରିବା ଗଣତନ୍ତ୍ରର ଅତ୍ୟନ୍ତ ଆବଶ୍ୟକ ଉପାଦାନ, ସେହେତୁ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଅନେକ ବିଚାର କରୁଛନ୍ତି। ସେହି କ୍ରମରେ ଦେଖିଲେ ଯେଉଁ ଦେଶରେ ସାମ୍ବାଦିକ ସ୍ୱାଧୀନତା ଯେତେ ଦୁର୍ବଳ, ସେ ଦେଶର ଗଣତନ୍ତ୍ର ମଧ୍ୟ ସେତିକି ଦୁର୍ବଳ ବୋଲି ବିବେଚିତ ହୁଏ। ବିଶ୍ୱର ଯେଉଁ ସଂସ୍ଥା ସବୁ ଦେଶର ସମ୍ବାଦପତ୍ର ସ୍ୱାଧୀନତା ଉପରେ ମୂଲ୍ୟାୟନ କରୁଛନ୍ତି, ସେମାନେ ଏବେ ଭାରତର ସ୍ଥାନକୁ ୧୮୦ଟି ଦେଶରେ ୧୬୧ ସ୍ଥାନରେ ରଖିଛନ୍ତି। ଅର୍ଥାତ୍ ଆମେ ଦେଶର ଗଣତନ୍ତ୍ର ନେଇ ଯେତେ ଯାହା କହିଲେ ମଧ୍ୟ ସମ୍ବାଦପତ୍ର ସ୍ୱାଧୀନତା କ୍ଷେତ୍ରରେ ଭାରତର ସ୍ଥାନ ବହୁ ତଳେ ରହିଛି। ତାର ମୁଖ୍ୟ କାରଣ ହେଲା, ସ୍ୱାଧୀନ ସମ୍ବାଦପତ୍ର ବା ସାମ୍ବାଦିକତା ପାଇଁ ରାଷ୍ଟ୍ର ଯେଉଁପରି ଭାବେ ସୁରକ୍ଷା ଯୋଗାଇବା କଥା ତାହା କରୁନାହିଁ।

ଅପରପକ୍ଷରେ ସତ୍ୟ ପ୍ରକାଶ କରୁଥିବା ସାମ୍ବାଦିକମାନଙ୍କ ଉପରେ ବିଭିନ୍ନ ଭାବରେ ଆକ୍ରମଣ କରାଯାଉଛି। ଏପରିକି ସମ୍ବାଦପତ୍ରର ବା ସାମ୍ବାଦିକର ସତ୍ୟ ପ୍ରକାଶ ଦ୍ୱାରା ଯେଉଁମାନଙ୍କ ସ୍ୱାର୍ଥ ବ୍ୟାହତ ହେଉଛି ସେମାନେ ସିଧାସଳଖ ଭାବରେ ସାମ୍ବାଦିକଙ୍କୁ ଶାରୀରିକ ଆକ୍ରମଣ କରୁଛନ୍ତି। ଯେଉଁଠାରେ ବଡ଼ ବଡ଼ ସଂସ୍ଥା ବା କମ୍ପାନୀ ସାମ୍ବାଦିକର ରିପୋର୍ଟ ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅନୁଭବ କରୁଛନ୍ତି, ସେଠାରେ ସାମ୍ବାଦିକ ବିରୋଧରେ ସିଧାସଳଖ ମାନହାନୀ ମକଦ୍ଦମା ବା ଅନ୍ୟ ଅପରାଧିକ ମାମଲା ଦାୟର କରୁଛନ୍ତି। ବଡ଼ ବଡ଼ ସଂସ୍ଥା ବିରୋଧରେ ଆଇନ୍ ଜରିଆରେ ଅଦାଲତଗୁଡ଼ିକରେ ଯେଉଁମାନେ ମୁକାବିଲା କରିପାରୁନାହାନ୍ତି ସେମାନେ ଦଣ୍ଡିତ ହେଉଛନ୍ତି ବା ଆତ୍ମସମର୍ପଣ କରୁଛନ୍ତି। ଯେଉଁ କ୍ଷେତ୍ରରେ ସାମ୍ବାଦିକମାନେ ରାଷ୍ଟ୍ରୀୟ ବ୍ୟବସ୍ଥା ସଂକ୍ରାନ୍ତରେ ମତ ପ୍ରକାଶ କରୁଛନ୍ତି ସେମାନଙ୍କ ବିରୋଧରେ ରାଷ୍ଟ୍ରୀୟ ଏଜେନ୍ସି ଜରିଆରେ ମାମଲା ଦାୟର କରାଯାଉଛି। ଏହିସବୁ ଘଟଣାରେ ଦେଶର ଅନେକ ସାମ୍ବାଦିକ ଜେଲ୍ ମଧ୍ୟ ଯାଇଛନ୍ତି। ଯେହେତୁ ମତପ୍ରକାଶ କରିବାର ମୌଳିକ ଅଧିକାର ଦେଶର ସବୁ ନାଗରିକଙ୍କର ରହିଛି, ସେହେତୁ ଯେଉଁ ବୁଦ୍ଧିଜୀବୀ ବା ଅଧ୍ୟାପକ, ଲେଖକ ବା ଚିନ୍ତାଶୀଳ ବ୍ୟକ୍ତି ସରକାରୀ ବ୍ୟବସ୍ଥା ବିରୋଧରେ ଲେଖା ପ୍ରକାଶ କରୁଛନ୍ତି ବା ଗବେଷଣା କରୁଛନ୍ତି, ସେମାନଙ୍କୁ ବିଭିନ୍ନ ଅପରାଧ ମାମଲାରେ ଓ ଆବଶ୍ୟକ ପଡ଼ିଲେ ୟୁଏପିଏ ଧାରାରେ ମାମଲା ଦାୟର କରି ଜେଲ୍‌କୁ ପଠାଇ ଦିଆଯାଉଛି। ଏହିସବୁ ବହୁ ଘଟଣାକୁ ଲକ୍ଷ୍ୟ କରି ଆନ୍ତର୍ଜାତିକ ସ୍ତରରେ ମତପ୍ରକାଶ କରିବାର ସ୍ୱାଧୀନ ଅଧିକାର ନେଇ ଭାରତର ସ୍ଥାନ ବହୁ ନିମ୍ନରେ ରହିଥିବା ଦର୍ଶାଯାଉଛି।

Advertisment

ନିକଟରେ ଛତିଶଗଡ଼ର ଜଣେ ମୁକ୍ତବୃତ୍ତ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ଘଟଣା ଭାରତରେ ସାମ୍ବାଦିକମାନେ କେତେ ବିପଦରେ ଅଛନ୍ତି ତାହା ସ୍ପଷ୍ଟ କରିଦେଇଛି। ମୁକେଶ ଚନ୍ଦ୍ରାକର ଛତିଶଗଡ଼ର ମାଓ ପ୍ରଭାବିତ ବସ୍ତର ଅଂଚଳରେ ‘ବସ୍ତର ଏକ୍ସପ୍ରେସ’ ନାମକ ଏକ ୟୁଟ୍ୟୁବ୍ ଚାନେଲ୍ ଚଳାଉଥିଲେ। ମାତ୍ର ୩୩ ବର୍ଷ ବୟସ୍କ ଏହି ସାମ୍ବାଦିକ ଜାତୀୟ ଓ ରାଜ୍ୟ ସ୍ତରର ବହୁ ଟିଭି ଚ୍ୟାନେଲ୍ ପାଇଁ ମଧ୍ୟ ରିପୋର୍ଟ ପଠାନ୍ତି। ମାଓ ପ୍ରଭାବିତ ବସ୍ତର ଅଂଚଳରେ ସାଧାରଣ ଲୋକମାନଙ୍କର ବିକାଶ ପାଇଁ ସରକାର ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି ସେଗୁଡ଼ିକରୁ ଅଧିକାଂଶ ବ୍ୟୟବରାଦରେ ଭ୍ରଷ୍ଟାଚାର ଯୋଗୁ ଲୋକମାନେ ତାହାର ସୁଫଳ କିପରି ପାଉନାହାନ୍ତି ସେ ସମ୍ପର୍କରେ ମୁକେଶ ବିଭିନ୍ନ ରିପୋର୍ଟରେ ଓ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅନେକ ତଥ୍ୟ ପଦାକୁ ଆଣିଛନ୍ତି। ଏହି କ୍ରମରେ ନିକଟରେ ଛତିଶଗଡ଼ରେ ଏକ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଭ୍ରଷ୍ଟାଚାର ହୋଇଥିବା ସମ୍ପର୍କୀତ ରିପୋର୍ଟ ସେ ପ୍ରକାଶ କରିଥିଲେ। କିପରି ଭାବରେ ଠିକାଦାର ଭ୍ରଷ୍ଟାଚାର କରିଥିବା ହେତୁ ସଦ୍ୟ ନିର୍ମିତ ରାସ୍ତା ଓ ପୋଲ ବର୍ଷା ଯୋଗୁ ଭାସିଗଲା, ଫଳରେ ସ୍ଥାନୀୟ ଲୋକମାନଙ୍କର ସୁବିଧା ହେବା ପରିବର୍ତ୍ତେ ଦୁଃଖ ବହୁଗୁଣିତ ହେଲା ତାହା ସେ ଦର୍ଶାଇଥିଲେ। ତାଙ୍କ ରିପୋର୍ଟ ଉପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଯେଉଁ ଠିକାଦାରଙ୍କ ଏହି ଠକେଇ ବା ଦୁର୍ନୀତି ବିରୋଧରେ ମୁକେଶ ରିପୋର୍ଟ ପ୍ରସ୍ତୁତ କଲେ ସେ ରାଜ୍ୟର ଜଣେ ପ୍ରଭାବଶାଳୀ ବ୍ୟକ୍ତି, ଅତ୍ୟନ୍ତ ପଇସାବାଲା ହିସାବରେ ବହୁ ସାମାଜିକ କାର୍ଯ୍ୟକ୍ରମରେ ସପୃକ୍ତ। ତେଣୁ ଠିକାଦାରୀ କରି ଭ୍ରଷ୍ଟାଚାର ଜରିଆରେ ସେ ବିପୁଳ ଅର୍ଥ ଉପାର୍ଜନ କରି ସେହି ଅର୍ଥରୁ ଅନ୍ୟମାନଙ୍କୁ କିଛି ବଂଟନ କରି ନିଜର ସୁନାମ ମଧ୍ୟ ବଢ଼ାଇଛନ୍ତି। ଏହି ଠିକାଦାର ଜଣକ ପୂର୍ବତନ କଂଗ୍ରେସ ସରକାର ସମୟରେ ଜଣେ ବଡ଼ ରାଜନେତାରେ ପରିଣତ ହୋଇଥିଲେ। ଛତିଶଗଡ଼ରେ କଂଗ୍ରେସ ସରକାର ପତନ ପରେ ସେଠାରେ ବିଜେପି ସରକାର ଆସିଥିଲେ ମଧ୍ୟ ଏହି ଠିକାଦାର ବିଜେପି ନେତାମାନଙ୍କୁ ଧରିବାର ବ୍ୟବସ୍ଥା ମଧ୍ୟ କରିଥଲେ। କିନ୍ତୁ ମୁକେଶଙ୍କର ରିପୋର୍ଟ ଫଳରେ ସପୃକ୍ତ ଠିକାଦାରଙ୍କ କାର୍ଯ୍ୟ ଉପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଠିକାଦାର କ୍ରୋଧାନ୍ୱିତ ହୋଇ ମୁକେଶଙ୍କୁ ବିଲ୍‌କୁଲ୍ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସେ ଅନୁସାରେ ତାଙ୍କୁ ଲୋକ ପଠାଇ ଡକାଇ ଏକ ଫାର୍ମହାଉସ୍ ଘରକୁ ନେଇ ଆସିଥିଲେ। ସେହିଠାରେ ତାଙ୍କୁ ଚୁପ୍ କରାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବରେ ସେ ରାଜି ନହେବା ଫଳରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟାକରି ତାଙ୍କ ମୃତ ଦେହକୁ ସେଠାରେ ଥିବା ସେପ୍ଟି ଟାଙ୍କିରେ ଭର୍ତ୍ତି କରି ତାହା ଉପରେ ସିଧାସଳଖ ବଡ଼ ଧରଣର କଂକ୍ରିଟ୍ ସ୍ଲାବ୍‌ ତିଆରି ଦେଇଥିଲେ।

କିନ୍ତୁ ପୋଲିସ୍ ଯେତେବେଳେ ଏହି ସାମ୍ବାଦିକ ହଜି ଯାଇଥିବାର ରିପୋର୍ଟ ପାଇଲେ, ସେତେବେଳେ ତାଙ୍କ ମୋବାଇଲ୍‌କୁ କଲ୍‌ କରାଯିବାରୁ ତାଙ୍କ ମୋବାଇଲ୍‌ର ଶେଷ ପଏଂଟ ଭାବରେ ଏହି ଫାର୍ମ ହାଉସ୍ ଚିହ୍ନଟ ହୋଇଥିଲା। ତେଣୁ ପୋଲିସ୍ ଘଟଣାସ୍ଥଳରେ ପହଂଚି ସାମାନ୍ୟ ତଦନ୍ତ କଲାପରେ ସମସ୍ତ ତଥ୍ୟ ପଦାକୁ ଆସିଲା ଓ ସେପ୍ଟି ଟାଙ୍କି ଭିତରୁ ତାଙ୍କ ଶବ ଉଦ୍ଧାର ହେଲା। ଯେହେତୁ ଠିକାଦାର ଜଣକ କଂଗ୍ରେସ ସହିତ ସପୃକ୍ତ ଥିଲେ ତେଣୁ ଛତିଶଗଡ଼ର ବିଜେପି ସରକାରର ପୋଲିସ୍ ଏହାର ତଦନ୍ତ କରି ଅପରାଧୀଙ୍କୁ ଧରିଛନ୍ତି। ଏହି ଘଟଣାଟି ପୂରା ସୂଚାଇ ଦେଉଛି ଯେ, ସାମ୍ବାଦିକତା କରିବା ଓ ସାହସର ସହିତ କରିବା କେତେ ବଡ଼ ବିପଦଜନକ ବୃତ୍ତିରେ ପରିଣତ ହୋଇଛି।

ସାମ୍ବାଦିକତା ବୃତ୍ତିରେ ଗୋଟିଏ ପକ୍ଷରେ ମାଲିକମାନଙ୍କର ସରକାରଙ୍କ ସହିତ ରହିବାର ନିର୍ଦ୍ଦେଶ ଯୋଗୁ ସାମ୍ବାଦିକତାର ମାନ କମୁଥିବା କୁହାଯାଉଛି। କିନ୍ତୁ ଯେଉଁ ସାମ୍ବାଦିକମାନେ ବୃତ୍ତିଗତ ସ୍ୱାଧୀନତା ବଜାୟ ରଖୁଛନ୍ତି ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୨୩ରେ ପ୍ରାୟ ୫ ଜଣ ସାମ୍ବାଦିକ ବିଭିନ୍ନ ସ୍ଥାନରେ ହତ୍ୟାର ଶିକାର ହୋଇଛନ୍ତି। ୨୨୬ ଜଣଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡ଼ିଛି ଓ ସେମାନଙ୍କ ପାଇଁ ନାନାଦି ଅସୁବିଧା ସୃଷ୍ଟି କରାଯାଇଛି। ଏମାନଙ୍କ ଭିତରୁ ୧୪୮ ଜଣଙ୍କ କ୍ଷେତ୍ରରେ ସରକାର ହିଁ ଏହି ଅସୁବିଧା ସୃଷ୍ଟି କରିଛନ୍ତି। ଏମାନଙ୍କୁ ବିଭିନ୍ନ ଦଫାରେ ଗିରଫ କରାଯାଇଛି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍। ଏଥିରେ ନିର୍ଦ୍ଦିଷ୍ଟ ଭାବରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାର ବ୍ୟବସ୍ଥା ଯଦି କରାଯାଇପାରିବ, ତେବେ ସାମ୍ବାଦିକଙ୍କ ପ୍ରତି ଉଭୟ ସରକାର ଓ ବେସରକାରୀ ଭାବେ ଠିକାଦାର ଓ ମାଫିଆ ମାନଙ୍କର ପକ୍ଷରୁ ଯେଉଁ ବିପଦ ସୃଷ୍ଟି ହୋଇଛି ସେଗୁଡ଼ିକ କିଛି ମାତ୍ରାରେ ରୋକାଯାଇପାରିବ। ଜଣେ ସାମ୍ବାଦିକଙ୍କ ହତ୍ୟା ଘଟଣା ବାସ୍ତବିକ ଦେଶରେ ଗଣତନ୍ତ୍ରର ହତ୍ୟା ବୋଲି ବିବେଚିତ ହେବା ଉଚିତ୍। ଏହି ସବୁ ଘଟଣାର ତଦନ୍ତ ପାଇଁ ପ୍ରତ୍ୟେକ ରାଜ୍ୟରେ ପୋଲିସ୍‌ର ସ୍ୱତନ୍ତ୍ର ସେଲ୍ ରହିବା ଉଚିତ୍ ଯାହାର ମନିଟରିଂ ଅଦାଲତ ହାତରେ ରହିବା ଆବଶ୍ୟକ। ଏବେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଶେଷ ଭାବରେ ମୁକେଶ ଚନ୍ଦ୍ରକାରଙ୍କ ପରି ଯେଉଁ ସାମ୍ବାଦିକମାନେ ଗ୍ରାମାଂଚଳରେ ଓ ଛୋଟ ଛୋଟ ସହରରେ ବିନା କୌଣସି ଆର୍ଥିକ ସୁରକ୍ଷା ନଥାଇ ସାମ୍ବାଦିକତା ବୃତ୍ତି କରୁଛନ୍ତି, ସେମାନଙ୍କ ପାଇଁ ଏକ ସାମ୍ବାଦିକ ସୁରକ୍ଷା ଅଧିକାର ଆଇନ୍ ଅତ୍ୟନ୍ତ ଜରୁରୀ।

ଫୋ- ୯୪୩୭୪୦୪୪୫୫

Indian Democracy Freedom Of Press Journalist Death Democracy