କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସମ୍ପଦ ନୁହେଁ, ବିପଦ

ଆମେ ଭାରତରେ ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷ ପାଳନ କରୁଥିବା ଅବସରରେ ଜାଣି ରଖିବା ଆବଶ୍ୟକ ଯେ, ୧୯୪୭ରେ ଭାରତୀୟ ଜନସଂଖ୍ୟା ଥିଲା ପ୍ରାୟ ୩୪ କୋଟି; ଯାହା ବିଗତ ୭୫ ବର୍ଷରେ ଚାରି ଗୁଣରୁ ଅଧିକ ହୋଇଯାଇଛି। ଏଭଳି ଲଗାମଛଡ଼ା ଜନସଂଖ୍ୟା ବୃଦ୍ଧି ଦେଶର ସୀମିତ ସମ୍ବଳ ଉପରେ ଯେ ଅସହନୀୟ ଚାପ ସୃଷ୍ଟି କରିଛି, ତାହା ଦ୍ଵିଧାହୀନ ଭାବେ କୁହାଯାଇପାରେ।

  • ଜାନକୀଶ ବଡ଼ପଣ୍ଡା

ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ଜନସଂଖ୍ୟା ଖଣ୍ଡ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱ ଜନସଂଖ୍ୟା ସମ୍ଭାବନା ରିପୋର୍ଟ – ୨୦୨୨। ଏହା କେବଳ ସମ୍ଭାବନା ହୋଇଥିଲେ ହେଁ ନିଶ୍ଚୟ ପ୍ରଣିଧାନଯୋଗ୍ୟ। ସେଥିରେ ଦର୍ଶାଯାଇଛି ଯେ, ୨୦୩୦ ମସିହାରେ ବିଶ୍ୱ ଜନସଂଖ୍ୟା ୮୫୦ କୋଟି ଓ ୨୦୫୦ ବେଳକୁ ଏହା ବଢି ୯୭୦ କୋଟି ହୋଇଯିବ। ଭାରତର ଜନସଂଖ୍ୟା ଏବେ ପ୍ରାୟ ୧୪୧ କୋଟି ଥିଲାବେଳେ ୨୦୫୦ ବେଳକୁ ଏହା ବଢ଼ି ୧୬୬ କୋଟି ହୋଇଯିବ ଏବଂ ଚୀନ୍ ଜନସଂଖ୍ୟା ୧୪୨ କୋଟିରୁ କମି ପହଞ୍ଚିଥିବ ୧୩୧ କୋଟିରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେ, ୨୦୮୦ ବେଳକୁ ବିଶ୍ୱ ଜନସଂଖ୍ୟା ସର୍ବୋଚ୍ଚ ୧୦୪୦ କୋଟିରେ ପହଞ୍ଚି ଆହୁରି ୩୦ ବର୍ଷ ଯାଏଁ ସ୍ଥିର ରହିଯିବାର ଆକଳନ କରାଯାଇଛି ଏହି ରିପୋର୍ଟରେ।

ଆମେ ଭାରତରେ ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷ ପାଳନ କରୁଥିବା ଅବସରରେ ଜାଣି ରଖିବା ଆବଶ୍ୟକ ଯେ, ୧୯୪୭ରେ ଭାରତୀୟ ଜନସଂଖ୍ୟା ଥିଲା ପ୍ରାୟ ୩୪ କୋଟି; ଯାହା ବିଗତ ୭୫ ବର୍ଷରେ ଚାରି ଗୁଣରୁ ଅଧିକ ହୋଇଯାଇଛି। ଏଭଳି ଲଗାମଛଡ଼ା ଜନସଂଖ୍ୟା ବୃଦ୍ଧି ଦେଶର ସୀମିତ ସମ୍ବଳ ଉପରେ ଯେ ଅସହନୀୟ ଚାପ ସୃଷ୍ଟି କରିଛି, ତାହା ଦ୍ଵିଧାହୀନ ଭାବେ କୁହାଯାଇପାରେ। ଚିକିତ୍ସା ବିଜ୍ଞାନର ଚମତ୍କାରିତା ଓ ଶିକ୍ଷା ବିକାଶ କାରଣରୁ ଜୀବନକାଳ ଦୀର୍ଘ ହେଉଛି, ମୃତ୍ୟୁହାର କମୁଛି ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଭାରତ ସମେତ ସମଗ୍ର ବିଶ୍ୱ ଲଗାତାର ପ୍ରଚେଷ୍ଟା ଜାରି ରଖିଛି। ଭାରତର ଏହି ଜନସଂଖ୍ୟା ଅଭିବୃଦ୍ଧି ମଧ୍ୟରେ ସୃଷ୍ଟ ବିଶାଳ ଯୁବପିଢି ଦେଶକୁ ବିଶ୍ୱର ସର୍ବୋଚ୍ଚ ଅର୍ଥନୈତିକ ଶକ୍ତିରେ ପରିଣତ କରିବାକୁ ସକ୍ଷମ। ଅଧିକ ମାନବ ସମ୍ବଳ ଉପଲବ୍ଧ ରାଷ୍ଟ୍ରରେ ବହୁଦେଶୀୟ ସଂସ୍ଥାମାନେ କୁଶଳୀ ମାନବ ସମ୍ବଳକୁ ଅଳ୍ପ ଖର୍ଚ୍ଚରେ ବ୍ୟବହାର କରିବାକୁ ଚାହୁଁଥିବାରୁ, ଆଗାମୀ ଦିନରେ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟିହେବାର ସମ୍ଭାବନା ରହିଛି। ଏହାର ଅର୍ଥ ନୁହେଁ ଯେ, ଆମେ ଜନସଂଖ୍ୟାକୁ ବିସ୍ଫୋରିତ ହେବାକୁ ଛାଡ଼ିଦେଇ ଅପପୁଷ୍ଟି, ଖାଦ୍ୟାଭାବ, ଶିକ୍ଷା ଓ ଚିକିତ୍ସା ଅଭାବରୁ ମଣିଷଙ୍କୁ ପୋକମାଛି ପରି ମରିଯିବାକୁ ଛାଡ଼ିଦେବା।

ଚଳିତ ମାସ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜାତିସଙ୍ଘ ପକ୍ଷରୁ କରାଯାଇଥିବା ଏହି ଭବିଷ୍ୟବାଣୀରେ ମଧ୍ୟ ସୂଚନା ଦିଆଯାଇଛି ଯେ ନଭେମ୍ବର ୧୫ ତାରିଖ ବେଳକୁ ବିଶ୍ଵ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚି ଯାଇଥିବ। ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ପ୍ରତିଶୃତିବଦ୍ଧତା ଓ ଦାୟିତ୍ୱ ଭୁଲିଯାଇଥିବାରୁ ଜନସଂଖ୍ୟା ଏପରି ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି ବୋଲି ପ୍ରକାଶ କରିଛନ୍ତି ଜାତିସଙ୍ଘ ମହାସଚିବ ଆଣ୍ଟେନିଓ ଗୁଟେରସ୍। ଜନସଂଖ୍ୟା ବୃଦ୍ଧିର ତୀବ୍ରତା ମାପିବାକୁ ଆମେ ମୋଟ ପ୍ରଜନନ ହାର ବା ଟୋଟାଲ ଫର୍ଟିଲିଟି ରେଟ ବା ସଂକ୍ଷେପରେ ‘ଟିଏଫଆର’କୁ ଏକକ ରୂପେ ଗ୍ରହଣ କରୁ। ଆମ ଦେଶର ଜନଗଣନା ତଥ୍ୟ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ଅଧିକାଂଶ ରାଜ୍ୟର ‘ଟିଏଫଆର’ ୧୯୯୪ ମସିହାରେ ୩.୪୦ ଥିଲେ ହେଁ ୨୦୧୫ ମସିହା ବେଳକୁ ୨.୨୦କୁ ଖସି ଆସିଥିଲା ଓ ଏବେ ପହଁଚିଛି ୨.୧୦ରେ। କୌଣସି ଦେଶର ଜନସଂଖ୍ୟାକୁ ସ୍ଥିର ରଖିବାକୁ ହେଲେ ସେହି ଦେଶର ଟିଏଫଆର ୨.୧ ରହିବା ଦରକାର। ବିଶ୍ୱର ୮୩ଟି ଦେଶରେ ଏବେ ଟିଏଫଆର  ୨.୧ରୁ ତଳେ ଥିବାରୁ ୨୦୫୦ ସୁଦ୍ଧା ସେହି ଦେଶଗୁଡ଼ିକରେ ବୟସ୍କ ଲୋକଙ୍କ ସଂଖ୍ୟା ଆନୁପାତିକ ଭାବେ ବଢ଼ିଯିବାର ଆଶଙ୍କା ଦେଖା ଦେଇଛି। ଆଫ୍ରିକାର କେତେକ ଦେଶରେ ବର୍ତ୍ତମାନ ଏହି ହାର ୩.୦ରୁ ଅଧିକ ହୋଇଥିବା ବେଳେ ତାଇୱାନରେ ଏହା ସର୍ବନିମ୍ନ ୧.୦୭ ଓ ଦକ୍ଷିଣ କୋରିଆ, ସିଙ୍ଗାପୁର, ଜାପାନ, ଜର୍ମାନୀ ଭଳି ଅନେକ ଉନ୍ନତ ଦେଶରେ ୧.୫୦ରୁ କମ। ଆମ ଦେଶର ଉତ୍ତର ପ୍ରଦେଶ ଓ ବିହାର ରାଜ୍ୟର ଟିଏଫଆର ଯଥାକ୍ରମେ ୨.୯୦ ଓ ୩.୨୦। ପଚିଶଟି ଭାରତୀୟ ରାଜ୍ୟରେ ହାରାହାରି ପ୍ରଜନନ ହାର ୨.୧ରେ ସୀମିତ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତର ମୋଟ ପ୍ରଜନନ ହାର ୨୦୨୫ ସୁଦ୍ଧା ୧.୯୩ ଏବଂ ୨୦୩୦ ସୁଦ୍ଧା ୧.୮କୁ ହ୍ରାସ ପାଇପାରେ। ପରିବାରର ରୋଜଗାର ବୃଦ୍ଧି ହୋଇଥିବାରୁ ଏବଂ ମହିଳାମାନେ ଶିକ୍ଷିତ ହେଉଥିବାରୁ ଭାରତରେ ପ୍ରଜନନ ହାର ବାଧ୍ୟତାମୂଳକ ପଦକ୍ଷେପ ବିନା ସ୍ୱାଭାବିକ ହ୍ରାସ ପାଇଛି।

ଜାତିସଙ୍ଘ ରିପୋର୍ଟ ଅନୁଯାୟୀ, ଆସନ୍ତା ତିନି ଦଶକ ମଧ୍ୟରେ ବିଶ୍ୱ ଜନସଂଖ୍ୟା ଆହୁରି ୨୦୦ କୋଟି ବଢ଼ିଯିବ। ଏହାକୁ ବିଶ୍ୱବାସୀ ଜନସଂଖ୍ୟା ବିସ୍ଫୋରଣ କହିପାରନ୍ତି। ଷାଠିଏ ଦଶକରୁ ନବେ ଦଶକ ଯାଏଁ ଏହା ଭାରତରେ ଥିଲା ବହୁଳ ଆଲୋଚିତ ପ୍ରସଙ୍ଗ। ପ୍ରଥମେ ପରିବାର ନିୟନ୍ତ୍ରଣ, ନିୟୋଜନ ଓ ପରେ ଆମେ ଦୁଇ, ଆମର ଦୁଇ ଆହ୍ୱାନ ଫଳରେ ଜନସଚେତନତା ଜାଗ୍ରତ କରାଯାଇ ଭାରତ ଏଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରି ପାରିଲା। ଯେତେବେଳେ କମ୍ୟୁନିଷ୍ଟ ଚୀନ୍ ଦେଶବାସୀଙ୍କ ଉପରେ ବଳପୂର୍ବକ ପ୍ରଥମେ ଏକସନ୍ତାନ ଓ ପରେ ଦୁଇସନ୍ତାନ ନୀତି ଲଦି ଦେଇଥିଲା, ସେତେବେଳେ ଭାରତୀୟ ଗଣତନ୍ତ୍ର ଶିକ୍ଷା ଓ ସଚେତନତା ମାଧ୍ୟମରେ ସଫଳତା ହାସଲ କରି ପାରିଲା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଷାଠିଏ ଦଶକରେ ଟିଏଫଆର ୬.୦ରୁ କ୍ରମଶଃ କମି କମି ପହଞ୍ଚିଛି ୨.୦ରେ। ଯଦିଓ ବିହାରରେ ୩.୦, ଉତ୍ତର ପ୍ରଦେଶରେ ୨.୪ ଭଳି କେତେକ ରାଜ୍ୟର ଟିଏଫଆର ଦେଶର ହାରାହାରି ଟିଏଫଆର ୨.୦ ଅପେକ୍ଷା ଅଧିକ ରହିଛି, ସିକିମ ରାଜ୍ୟରେ ୧.୧, କେରଳରେ ୧.୮ ଓ ଜାମ୍ମୁ କାଶ୍ମୀର ଭଳି କେନ୍ଦ୍ର ଶାସିତ ଅଞ୍ଚଳ ୧.୪ ରହିବା ମଧ୍ୟ ଉଲ୍ଲେଖନୀୟ। ତେବେ, ଜାତିସଂଘ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି, ତାହାର ଗୁରୁତ୍ୱ ରହିଛି ଜନସଂଖ୍ୟା ବୃଦ୍ଧି ସହ ଜଡ଼ିତ ପରିବେଶଗତ ସଙ୍କଟ, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷାକୁ ନେଇ। ଏବେ ସାମାଜିକ ଓ ଅର୍ଥନୈତିକ ପ୍ରତିବନ୍ଧକକୁ ଏଡ଼ାଇ ବର୍ଦ୍ଧିତ ତଥା ବିବର୍ତ୍ତିତ ଜନ ସମୁଦାୟ ସହଯୋଗରେ କିପରି ବିକଶିତ ଜୀବନ ନିର୍ବାହ ସମ୍ଭବ ହେବ ତାହାର ଉପାୟ ବାହାର କରିବା ଆମପାଇଁ ଆହ୍ୱାନ। ଦେଶର ଜନସଂଖ୍ୟା ଯେତେ ଅଧିକ ହେବ, ସେମାନଙ୍କ ସମସ୍ୟା ପ୍ରତି ସେତେ ଅଧିକ ଧ୍ୟାନ ଦେବାକୁ ପଡିବ। କିପରି ମୁଣ୍ଡପିଛା ଆୟବୃଦ୍ଧି ହେବ, ସେଥିପାଇଁ ଅଧିକ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି କରିବାକୁ ପଡ଼ିବ। ସମୁଦାୟ ଜନସଂଖ୍ୟାର କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ହିଁ ହେବ ଅଧିକ ମହତ୍ୱପୂର୍ଣ୍ଣ। ସବୁଜ ବିପ୍ଳବ ମାଧ୍ୟମରେ ଆମ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ଆଖିଦୃଶିଆ ବଢ଼ିଥିଲେ ବି ଅନିୟମିତ ବୃଷ୍ଟିପାତ କାରଣରୁ ପ୍ରତିବର୍ଷ କେଉଁଠି ନା କେଉଁଠି ଫସଲ ଉତ୍ପାଦନ ବ୍ୟାହତ ହେଉଛି। ଆମଦେଶରେ କେବଳ ଯାନ୍ତ୍ରିକ କୃଷିକୁ ବ୍ୟାପକ କରାଗଲେ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୨୦ ପ୍ରତିଶତ କମିଯିବ ଓ ଉତ୍ପାଦନ ୩୦ ପ୍ରତିଶତ ଅଧିକ ହୋଇପାରିବ। ୨୦୦୧ ମସିହାରେ କୃଷିକ୍ଷେତ୍ରରେ ୫୮.୨ ପ୍ରତିଶତ ଲୋକ ନିଯୁକ୍ତ ହେଉଥିଲାବେଳେ ୨୦୫୦ ବେଳକୁ ତାହା ୨୫.୭ ପ୍ରତିଶତକୁ କମିଯିବା ଦରକାର। ଭାରତରେ ଯାନ୍ତ୍ରିକ କୃଷିରେ ଅଭିବୃଦ୍ଧି ଘଟିଚାଲିଛି। ଏହାକୁ ଆଗେଇ ନେବାକୁ ଯନ୍ତ୍ରପାତି କିଣିବାକୁ ବ୍ୟାଙ୍କ ଋଣ ବ୍ୟବସ୍ଥା ସହ କୃଷି ସେବା କେନ୍ଦ୍ର ମାଧ୍ୟମରେ ଭଡାରେ ଯନ୍ତ୍ରପାତି ମିଳିବାପାଇଁ ସୁବନ୍ଦୋବସ୍ତ ହେବ ଦରକାର। ଆମେ ନିଶ୍ଚିତ ଭାବରେ ଦେଶବାସୀଙ୍କ ଆବଶ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟରେ ପହଞ୍ଚି ପାରିବା ଯଦି ଆମେ ଯାନ୍ତ୍ରିକୀକରଣ, ନିୟନ୍ତ୍ରିତ ଜଳ ପରିଚାଳନା, ଉନ୍ନତ ବିହନ ଏବଂ ଅଧିକ ଅମଳ ପାଇଁ ନିରନ୍ତର ଭାବେ ଗବେଷଣା ପ୍ରସୂତ ଓ ବିକଶିତ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ଚାଲିବା। ଯାନ୍ତ୍ରିକୀକରଣ ସହିତ ସ୍ୱାଭାବିକ ଭାବେ ମାନବ ଶକ୍ତି ବ୍ୟବହାର ହ୍ରାସ ପାଇବ। ତଥାପି କୌଶଳଗତ ଜ୍ଞାନର ସଠିକ ବ୍ୟବହାର କରିବା ପାଇଁ କୃଷକଙ୍କୁ ତାଲିମ ଦେବାକୁ ପଦକ୍ଷେପ ସହିତ, ଏଥିରେ ନିଯୁକ୍ତ ମାନବ ସମ୍ବଳ ଯେପରି ଆକର୍ଷଣୀୟ ନିଯୁକ୍ତି ସୁଯୋଗ ପାଇବେ, ତାହା କରିବାକୁ ପଡ଼ିବ। କୃଷି କ୍ଷେତ୍ରରୁ ବଳକା ମାନବ ସମ୍ବଳ ଯେପରି ବିକଳ୍ପ ନିଯୁକ୍ତି ଓ ରୋଜଗାର ପାଇବେ, ତାହା ମଧ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।

୨୦୫୦ ସୁଦ୍ଧା ବିଶ୍ୱ ଖାଦ୍ୟ ଚାହିଦା ୫୦ ପ୍ରତିଶତ ବୃଦ୍ଧି ପାଇବ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଖାଦ୍ୟ ଉତ୍ପାଦନ ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ଅଧିକ ଖାଦ୍ୟ ଉତ୍ପାଦନ ସହିତ ଖାଦ୍ୟ ନଷ୍ଟ ରୋକିବା ହିଁ  ଭବିଷ୍ୟତରେ ଧ୍ୟେୟ ହେବ, ଯାହା ପାଇଁ ନୂତନ କୃଷି ଅନୁସନ୍ଧାନ ଏବଂ ବିକାଶ ଆବଶ୍ୟକ ହେବ।  ଏକ ସ୍ଥାୟୀ, ପରିବର୍ତ୍ତନଶୀଳ ଜଳବାୟୁ-ଉପଯୋଗୀ ଉତ୍ପାଦନ ଏବଂ ସୂଚନା, ଅଭିନବ ପ୍ରଯୁକ୍ତିବିଦ୍ୟା ଏବଂ ସେଥିପାଇଁ ଆବଶ୍ୟକ ପୁଞ୍ଜି ବ୍ୟୟ କରା ନଗଲେ କ୍ଷୁଦ୍ର, ନାମମାତ୍ର ତଥା ଭାଗଚାଷୀଙ୍କ ପରିବାର ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ସମୁଦ୍ର ପତ୍ତନର ବୃଦ୍ଧି ଏବଂ ବାତ୍ୟା ବିପର୍ଯ୍ୟୟ, ଉପକୂଳବର୍ତ୍ତୀ ଅଞ୍ଚଳର କୋଟି କୋଟି ଲୋକଙ୍କୁ ବାସଚ୍ୟୁତ ହେବାକୁ ବାଧ୍ୟ କରିପାରେ। କୁହାଯାଉଛି ଯେ କେବଳ ଜଳବାୟୁ ପରିବର୍ତ୍ତନ କାରଣରୁ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶର  ପ୍ରାୟ ୧୦ କୋଟିରୁ ଅଧିକ ଲୋକ ଦାରଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଥିବେ।

ଅନେକ ଦେଶର ସରକାରମାନେ ଦାବି କରନ୍ତି ଯେ ସେମାନେ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ। ଅର୍ଥାତ ସେମାନଙ୍କ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ଲୋକମାନଙ୍କର ତୃଣମୂଳ ସ୍ତରରେ ଖାଦ୍ୟ ଆବଶ୍ୟକତା ସହିତ ସମାନ। ଖାଦ୍ୟ ଏବଂ କୃଷି ସଂଗଠନ ଆକଳନ ଅନୁଯାୟୀ ୨୦୫୦ ସୁଦ୍ଧା ୬୦ ପ୍ରତିଶତ ଅଧିକ ଖାଦ୍ୟ ଉତ୍ପାଦନ କରିବାକୁ ପଡ଼ିବ। ଏବେ ଆମେ ଉତ୍ପାଦନ କରୁଥିବା ଖାଦ୍ୟ ପରିମାଣ ଏବଂ ୨୦୫୦ରେ ସମସ୍ତଙ୍କୁ ଖାଇବାକୁ ଦେବା ପାଇଁ ଆବଶ୍ୟକ ଖାଦ୍ୟ ପରିମାଣ ତଥା ମାନ ମଧ୍ୟରେ ଏକ ବଡ଼ ଅନ୍ତର ରହିଛି; କାହିଁକି ନା ସେତେବେଳକୁ  ପୃଥିବୀରେ ପ୍ରାୟ ୩୦ କୋଟି ଅଧିକ ଲୋକ ଖାଇବାକୁ ଅନାଇ ବସିଥିବେ। ସେମାନଙ୍କ ରୋଜଗାର ବଢିଥିବ ଓ ସେମାନେ ଅଧିକ ମୂଲ୍ୟ ଦେଇ ଉଚ୍ଚ ଗୁଣମାନର ପ୍ରାଣୀଜ ଖାଦ୍ୟ ଖାଇବାକୁ ଚାହୁଁଥିବେ। ସେତେବେଳେ ଆମର ଯୁବପିଢିଙ୍କୁ ଅଧିକ କୁଶଳୀ କରି ବ୍ୟବହାର ନକଲେ, ଅପପୁଷ୍ଟି ଓ ଦୁର୍ଭିକ୍ଷ ସମସ୍ୟା ନିଶ୍ଚିତ। ଯେଉଁମାନେ ଯୁକ୍ତି କରନ୍ତି ଯେ ଭାରତରେ ଆଗାମୀ ପ୍ରାୟ ତିନି ଦଶନ୍ଧୀ ଯାଏଁ ଯୁବ ପିଢ଼ି ହିଁ ସମୁଦାୟ ଜନସଂଖ୍ୟାର ବଡ ଭାଗ ଅଧିକାର କରି ରହିବେ ଓ ସେମାନେ ଦେଶପାଇଁ ସମୃଦ୍ଧି ଆଣିବେ, ସେମାନେ ସ୍ୱପ୍ନ ରାଜ୍ୟରେ ରହନ୍ତି। ଯେଉଁ ଦେଶରେ ସରକାରଙ୍କ ପକ୍ଷରୁ ଶିକ୍ଷା ସଂସ୍କାର, କୃଷି ସଂସ୍କାର ଅଣାଗଲେ କେବଳ ବିରୋଧ କରିବା ପାଇଁ ବିରୋଧ କରାଯାଏ, ସେଠାରେ ଆଗାମୀ ୨୫ ବର୍ଷ ମଧ୍ୟରେ ବର୍ଦ୍ଧିତ ଜନସଂଖ୍ୟାକୁ ସମ୍ବଳ ଭାବେ ବ୍ୟବହାର କରିବା ଯେ କେତେ ଆୟାସସାଧ୍ୟ ତାହା ଅନୁମାନ କରାଯାଇପାରେ। ସଂକ୍ଷେପରେ କହିଲେ, ସମଗ୍ର ଦେଶପାଇଁ ଆଇନ ନକରି, ଯେଉଁସବୁ ଗ୍ରାମ, ବ୍ଲକ ଓ ଜିଲ୍ଲାରେ ଟିଏଫଆର ୨.୦ ଉପରେ ରହିଛି ସେଠାରେ ଯଥାଶୀଘ୍ର ଜନ୍ମହାର କମାଇବା ପାଇଁ, ଅଧିକ ଧ୍ୟାନ ଦେବାକୁ ହେବ। ଆଗାମୀ ଦିନରେ, କୃଷି କ୍ଷେତ୍ରରୁ ଶ୍ରମଶକ୍ତି କମିବ, ସୂଚନା ପ୍ରଯୁକ୍ତି ଓ କୃତ୍ତିମ ବୁଦ୍ଧିମତା ପ୍ରୟୋଗ ନିଶ୍ଚିତ ବଢ଼ିବ। ସେତେବେଳେ ବିପୁଳ ଜନସଂଖ୍ୟା ସମ୍ପଦ ନ ହୋଇ ବିପଦ ରୂପେ ଯେ ଦେଖା ନଦେବ, ତାହା କହି ହେବନି।

ଫୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।