Advertisment

ଚଞ୍ଚକ ବର୍ଗର ଚକ୍ରବ୍ୟୁହରେ ନାଗରିକ ଏବେ ଗ୍ରାହକ

– ମାୟାଧର ନାୟକ ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ। ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତ୍ତରେ ଆଘାତ ହାଣୁଛି ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ। ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟ ହେଉଛି ଅର୍ଥକୁବେର ବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ। ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତ୍ତା ବ୍ୟକ୍ତିର ଅଧିକାର […]

author-image
Debendra Prusty
ଅଦ୍ୟତନ ହୋଇଛି
ଚଞ୍ଚକ ବର୍ଗର ଚକ୍ରବ୍ୟୁହରେ ନାଗରିକ ଏବେ ଗ୍ରାହକ

People

- ମାୟାଧର ନାୟକ

ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ। ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତ୍ତରେ ଆଘାତ ହାଣୁଛି ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ। ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟ ହେଉଛି ଅର୍ଥକୁବେର ବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ। ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତ୍ତା ବ୍ୟକ୍ତିର ଅଧିକାର ଅସୁରକ୍ଷିତ। ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ। ନାଗରିକ କହିଲେ ଆମେ କେବଳ ଦେଖୁଛୁ ଗୁଡିଏ ନିରୁପାୟ ଭୋଟର୍‌ଙ୍କୁ – ଯେଉଁମାନେ ସାଂପ୍ରତିକ ସାମାଜିକ ପ୍ରହସନର ଜଣେ ଜଣେ ନୀରବ ଦର୍ଶକ।

Advertisment

ସମାଜ ଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁ ବିଭିନ୍ନ ସ୍ତରରେ। ଆଜି ଯୁଆଡ଼େ ଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀ ଜାଲ। ପ୍ରକୃତି ପ୍ରତି ଅବିଚାରିତ ମୃତ୍ୟୁଦଣ୍ଡ ଘୋଷଣା କରି ଶିଳ୍ପସମୃଦ୍ଧି ନାମରେ ସାରା ସମାଜକୁ ମୁହାଁଇ ନିଆଯାଉଛି ଏକ ନାରକୀୟ ଭବିଷ୍ୟତ ଆଡ଼େ। ଜଳ-ଜମି-ଜଙ୍ଗଲର ଜହ୍ଲାଦ ବର୍ଗ ଜୁଲମ ଚଳାଉଛନ୍ତି ରାଷ୍ଟ୍ର ବ୍ୟବସ୍ଥାକୁ କାଏମ୍ କରି ରଖିଥିବା ଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତ ସୂତ୍ରଧରମାନଙ୍କ ସହାୟତାରେ। ଦେଶର ନିରନ୍ନ ନିରୀହ ଜନସାଧାରଣ ଆଜି ସ୍ୱାଧୀନତାର ଶାସ୍ତି ଦେଖୁଛନ୍ତି ମହାଦୁର୍ନୀତିର ମଂଚଭୂମିରେ। ଚୋର, ତସ୍କର, ତଂଚକ, ଶଠ, ହରିଲୁଟ୍‌କାରୀ, ହତ୍ୟାକାରୀ, କଳା କାରବାରୀମାନେ ଶାସନ ଓ ପ୍ରଶାସନକୁ କ୍ରମେ ଯେପରି କରାୟତ୍ତ କରିଚାଲିଛନ୍ତି, ସେଥିରେ ଭାରତବର୍ଷରେ ଗଣତନ୍ତ୍ରର ମୂଳ ଉତ୍ପାଟିତ ହେବାର ବେଳ ଯେ ଘନେଇ ଆସିସାରିଲାଣି, ଏଥିରେ କ’ଣ ଆଉ ତିଳେମାତ୍ର ସଂଶୟ ରହିଛି?

ଅଧିକାଂଶ ରାଜନେତା ନିଜନିଜ ନୈତିକ ଦାୟିତ୍ୱକୁ ଭୁଲି ଆତ୍ମସମର୍ପଣ କରିସାରିଛନ୍ତି ଚଂଚକବର୍ଗର ଚକ୍ରବ୍ୟୁହ ମଧ୍ୟରେ। ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ, ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ। ସୌଦାଗରୀ ସଭ୍ୟତା ସଂପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମର ମୌଳିକ ସଂସ୍କୃତିର ମୂଲ୍ୟବୋଧକୁ। ରାଜନୀତି ଯେପରି ଜନସାଧାରଣଙ୍କୁ କରିସାରିଛି କଂଜ୍ୟୁମର୍ ବା ଗ୍ରାହକ। ସାଂପ୍ରତିକ ଭାରତବର୍ଷର ଏ ଦୁଇ ଚରିତ୍ରର ସ୍ଖଳନକୁ ଲକ୍ଷ୍ୟ କଲେ ଆମେ ଅବଗତ ହୋଇପାରିବା ଅବକ୍ଷୟର ଅସଲ କାରଣ। ମତଦାତାମାନେ ନକଲି ନେତୃତ୍ୱ ଦ୍ୱାରା ପ୍ରବଂଚିତ ହୋଇସାରିଥିବାବେଳେ ଗ୍ରାହକମାନେ ଭେଜାଲ୍ ବଜାର ଦ୍ୱାରା ଭୟଙ୍କର ଭାବରେ ଭୂଲୁଣ୍ଠିତ!

Advertisment

କିଣାବିକାର ବଜାରରେ ଭୋଟ୍ ଓ ନୋଟ୍‌ର ଅଙ୍ଗାଙ୍ଗୀ ଭାବରେ ଜଡିତ ହେବାର ଇତିହାସ ସ୍ୱାଧୀନତା ପରବର୍ତ୍ତୀ କାଳର ଏକ ବିକୃତ ବିଡ଼ମ୍ବନା। ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବାବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ – ଶୋଷଣସର୍ବସ୍ୱ ବଣିକବର୍ଗର ନିଆଁଗିଳା ପାଉଁଶ କ୍ଷେତରେ! ନବ୍ୟ ପୁଞ୍ଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଲବୀତତ୍ତ୍ୱଠାରୁ ଦୂରେଇରଖିବାର ଅଭିସନ୍ଧିରେ ଯୋଗାଇ ଦେଉଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ – ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡ଼ବଡ଼ ଫୁଲମାଳରେ ସଜାଇ ଦିଆଯାଏ! ଶିଳ୍ପ ବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ୍ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଆଁରୁ ଗଡ଼ଜାତଯାଏଁ ବିଛାଇ ଚାଲିଛନ୍ତି ମାୟାଜାଲ। ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟିପାଣିପବନରେ ବିଷପ୍ରକ୍ରିୟା। କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର। ଗାଆଁସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ। ମଫସଲ ମୂଳପୋଛ। ମଣିଷପଣ ମୁମୁର୍ଷୂ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩