Advertisment

ଦରମା ଓ ଭତ୍ତା ବୃଦ୍ଧି ପାଇଁ ଶାସକ ବିରୋଧୀ ଏକଜୁଟ୍‌

ଓଡ଼ିଶାରେ ଶିକ୍ଷା ଅବସ୍ଥା କେଉଁଠାରେ ପହଂଚିଲାଣି ସେ ସଂକ୍ରାନ୍ତରେ ସିଏଜି ବିଧାନସଭାକୁ ରିପୋର୍ଟ ଦେଇଥିବା ସମୟରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ାଇବାକୁ ପ୍ରାଥମିକତା ଦିଆଯିବାରୁ ସ୍ପଷ୍ଟ ପ୍ରମାଣିତ ଯେ, ତଥାକଥିତ ଜନପ୍ରତିନିଧିମାନେ ସେମାନଙ୍କର ନିଜସ୍ୱ ସ୍ୱାର୍ଥ ପାଇଁ ଅଧିକ ବ୍ୟଗ୍ର।

assembly

Odisha Assembly Photograph: (Internet)

Advertisment

ରବି ଦାସ 

ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ପୂର୍ବ ସରକାର ସମୟରେ ବର୍ଷକୁ ୬୦ଟି ବିଧାନସଭା କାର୍ଯ୍ୟ ଦିବସ ଲକ୍ଷ୍ୟରେ ଶୀତ ଅଧିବେଶନଟି ଡାକିଲାବେଳେ ପୂର୍ବରୁ ହୋଇଥିବା ବଜେଟ୍ ଅଧିବେଶନ ଓ ମୌସୁମୀ ଅଧିବେଶନର ମୋଟ୍ କାର୍ଯ୍ୟ ଦିବସକୁ ମିଶାଇ ୬୦ କାର୍ଯ୍ୟଦିବସ କରିବା ପାଇଁ ଯେତିକି ଦିନ ବାକି ଥାଏ ସେହି ଅନୁସାରେ ଶୀତ ଅଧିବେଶନ ଅନୁଷ୍ଠିତ ହୁଏ। କିନ୍ତୁ ବରାବର ଦେଖାଯାଇଛି ଯେ, ଶୀତ ଅଧିବେଶନରେ ଅତିରିକ୍ତ ବଜେଟ୍ ଗୃହିତ ସହିତ ଜରୁରୀ ଆବଶ୍ୟକତା ଥିବା ଗୋଟିଏ ଦୁଇଟି ବିଲ୍ ପାସ୍ ପରେ ସରକାରଙ୍କ ପାଖରେ ଆଉ କାର୍ଯ୍ୟ ପାଇଁ ବିଷୟ ନଥାଏ। ତେଣୁ ସରକାର ବିଧାନସଭା ଅଧିବେଶନ ବନ୍ଦ କରିବା ପାଇଁ ଉଦ୍ୟମ କରନ୍ତି ଓ ବିରୋଧୀ ପକ୍ଷ ଏଥିରେ ରାଜି ହେବା ବ୍ୟତୀତ ଅନ୍ୟ ଉପାୟ ନଥାଏ। ତେଣୁ ଓଡ଼ିଶା ବିଧାନସଭାରେ ୬୦ଟି କାର୍ଯ୍ୟଦିବସ କେବେ ବି ପୂରଣ ହୁଏନାହିଁ। 

Advertisment

ଗତ କେତେବର୍ଷ ହେଲା ଏହି ୬୦ଟି କାର୍ଯ୍ୟଦିବସ ବସ୍ତୁତଃ ୫୦ଟିରୁ କମ୍ କାର୍ଯ୍ୟଦିବସରେ ଶେଷ ହୁଏ। ଶୀତ ଅଧିବେଶନରେ ବାକି ଦିନଗୁଡ଼ିକ ପାଇଁ ଗୋଟିଏ ପ୍ରସ୍ତାବ ଆସେ ଓ ତାହା ଗୃହିତ ହୋଇଯାଏ। ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି ଏହି ପ୍ରକ୍ରିୟାକୁ ନିନ୍ଦା କରି ସରକାର ବିଧାନସଭା କାର୍ଯ୍ୟଦିବସ ଜାଣିଶୁଣି ବିରୋଧୀ ପ୍ରଶ୍ନର ମୁକାବିଲା କରିନପାରି ବନ୍ଦ କରୁଥିବା ଅଭିଯୋଗ କରୁଥିଲା। ଏଥର କିନ୍ତୁ ବିଜେପି ଶାସନରେ ସେହି ପନ୍ଥାର ଆଶ୍ରୟ ନିଆଯାଇଛି। ଏଥର ମଧ୍ୟ ୧୮ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ କରିଦିଆଗଲା। କିନ୍ତୁ ଏଥିରେ ବିଧାୟକମାନେ ମୋଟାମୋଟି ଭାବରେ ଖୁସ୍ ଅଛନ୍ତି। କାରଣ ଶେଷ ଦିବସରେ ବିଧାୟକମାନଙ୍କ ଦରମା ସହିତ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍ ବୃଦ୍ଧି ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଗତ କରିଥିଲେ। ଯାହାକି ବିନା ଆଲୋଚନାରେ ଗୃହିତ ହୋଇଛି। 

ବିଧାୟକମାନଙ୍କର ଦରମା ସହିତ ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍ ବୃଦ୍ଧି ପାଇଁ ପୂର୍ବ ସରକାର ସମୟରେ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସେହି କମିଟି ଏକ ସୁପାରିଶ ମଧ୍ୟ ଦେଇଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ ପୂର୍ବ ସରକାର ଏହା ଉପରେ ନିଷ୍ପତି ନେଲେନାହିଁ। ସେ ଦାୟିତ୍ୱ ଏବେ ବର୍ତମାନର ସରକାର ତୁଲାଇଛନ୍ତି। କାରଣ ଏ ସରକାରଙ୍କ ପାଇଁ ହଠାତ୍ ଏବେ ନିର୍ବାଚନ ଭୟ ନାହିଁ। କିନ୍ତୁ ବିଧାନସଭାର ସମ୍ମୁଖରେ ଶିକ୍ଷକମାନଙ୍କର ଆନ୍ଦୋଳନ ଚାଲିଥିବା ସମୟରେ ବିଧାୟକମାନଙ୍କ ଦରମା ବୃଦ୍ଧି ନିଷ୍ପତି ପ୍ରମାଣ କରୁଛି ଯେ, ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ନେଇ ରାଜ୍ୟରେ ଯେଉଁ ରାଜନୈତିକ ଶାସକ ଶ୍ରେଣୀ ରହିଛି ସେଥିରେ ଯିଏ ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଖୁସି କରିବା ବୋଧହୁଏ ସରକାରଙ୍କ ପାଇଁ ଅଗ୍ରାଧିକାର ବୋଲି ବିଚାର କରାଯାଇଛି। ବିଧାୟକମାନଙ୍କୁ ବର୍ଦ୍ଧିତ ଦରମା ୨୦୨୪ ଜୁନ୍ ମାସରୁ ପ୍ରଦାନ କରାଯିବ ବୋଲି ହୋଇଥିବା ନିଷ୍ପତି ଯୋଗୁ ସବୁ ବିଧାୟକ ଓ ପୂର୍ବତନ ବିଧାୟକ ଗତ ୧୮ ମାସର ବକେୟା ବର୍ଦ୍ଧିତ ଦରମା ଓ ଭତ୍ତା ଏକକାଳୀନ ପାଇବେ। 

Advertisment

ବିଧାୟକମାନଙ୍କର ଓ ସାଂସଦମାନଙ୍କର ଦରମା ସେମାନେ ନିଜେ ସ୍ଥିର କରିବେ ବୋଲି ସମ୍ବିଧାନରେ ବ୍ୟବସ୍ଥା ଅଛି। ସମ୍ବିଧାନର ୧୦୭ ଧାରାରେ ସାଂସଦମାନଙ୍କ ପାଇଁ ଦରମା ଓ ଭତ୍ତା ସାଂସଦମାନେ ହିଁ ସ୍ଥିର କରିବାକୁ ବ୍ୟବସ୍ଥା ଥିବାବେଳେ ସମ୍ବିଧାନର ୧୯୫ ଧାରାରେ ବିଧାୟକମାନଙ୍କ ଦରମା ସଂପୃକ୍ତ ବିଧାନସଭାର ସଦସ୍ୟମାନେ ସ୍ଥିର କରିବେ ବୋଲି ବ୍ୟବସ୍ଥା ଅଛି। ବହୁବର୍ଷ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମର ଆହ୍ୱାନକୁ ଦେଖି ଓ ବିଧାୟକ ବା ସାଂସଦମାନେ ଗରିବ ଲୋକର ପ୍ରତିନିଧି ହୋଇଥିବାରୁ ସେମାନଙ୍କ ଦରମାକୁ ସର୍ବନିମ୍ନ ସ୍ତରରେ ରଖିଥିଲେ। ସେହିପରି ଏମାନଙ୍କୁ ପେନ୍‌ସନ୍ ଦିଆଯିବା ଘଟଣା ଜରୁରୀ ପରିସ୍ଥିତି ସମୟରେ ୧୯୭୬ରେ ଆରମ୍ଭ ହୋଇଥିଲା। ସେତେବେଳେ ବିରୋଧୀ ଆସନରେ ଥିବା ଜନତା ପାର୍ଟି ୧୯୭୭ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲେ ଯେ, ସେମାନେ କ୍ଷମତାକୁ ଆସିଲେ ସଂସଦମାନଙ୍କର ପେନ୍‌ସନ୍ ବ୍ୟବସ୍ଥାକୁ ହଟାଇଦେବେ। କାରଣ ରାଜନୀତିରେ ସାଂସଦ ବା ବିଧାୟକ ହେବା ଜନସେବାର ଏକ ମାଧ୍ୟମ ଓ ଏହା ସରକାରୀ ଚାକିରୀ ନୁହେଁ, ତେଣୁ ସେମାନେ ପେନ୍‌ସନ୍ ପାଇବା ଯୁକ୍ତିଯୁକ୍ତ ନୁହେଁ ବୋଲି କୁହାଯାଇଥିଲା। 

କିନ୍ତୁ ଜନତା ପାର୍ଟି କ୍ଷମତାକୁ ଆସିଲା ପରେ ଏହି ବ୍ୟବସ୍ଥାକୁ ଦୂର କରିନଥିଲେ, ବରଂ ପ୍ରତି ବିଧାନସଭାରେ ସେମାନଙ୍କ ପୂର୍ବତନ ବିଧାୟକମାନଙ୍କ ପାଇଁ ପେନ୍‌ସନ୍ ବ୍ୟବସ୍ଥା ସଂପ୍ରସାରିତ ହୋଇଥିଲା। ସେତେବେଳର ସ୍ଥିତିକୁ ଦେଖିଲେ ଅନେକ ପୂର୍ବତନ ସାଂସଦ ଓ ବିଧାୟକ ଯେଉଁମାନେ କି ସଂରକ୍ଷିତ ବର୍ଗରୁ ଆସିଥିଲେ ସେମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା ଓ ସଂସଦରୁ ବା ବିଧାନସଭାରୁ ଚାଲିଗଲା ପରେ ସେମାନଙ୍କୁ ଜୀବିକା ନିର୍ବାହ କରିବା ପାଇଁ ମୂଲ ଲାଗିବାକୁ ପଡୁଥିଲା। କିନ୍ତୁ ୧୯୯୦ ପରେ ଏହି ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପରେ ଆସୋସିଏସନ୍ ଫର୍ ଡେମୋକ୍ରାଟିଭ୍ ରିଫର୍ମ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ୨୦୨୪ରେ ଯେଉଁମାନେ ଲୋକସଭାର ସଦସ୍ୟ ହୋଇଛନ୍ତି ସେମାନଙ୍କ ଭିତରୁ ଶତକଡ଼ା ୯୩ ଭାଗ କୋଟିପତି। ଓଡ଼ିଶା କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ, ବିଧାନସଭାକୁ ନିର୍ବାଚିତ ହେଉଥିବା ଅଧିକାଂଶ ବିଧାୟକ ଲକ୍ଷପତି। ଗତ କେତେବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକମାନଙ୍କର ସମ୍ପତି ପ୍ରତି ୫ ବର୍ଷରେ ଅନେକ ଗୁଣ ବଢ଼ିଯାଉଛି। ଅର୍ଥାତ୍ ସେମାନେ ସାଂସଦ, ବିଧାୟକ ଥିବା ସମୟରେ ସେମାନଙ୍କର ସମ୍ପତି ବୃଦ୍ଧି ବରାବର କରୁଛନ୍ତି। ତଥାପି ଏମାନଙ୍କ ଦରମା ବଢ଼ାଇବା ଓ ପୂର୍ବତନ ବିଧାୟକମାନଙ୍କୁ ଅଧିକ ପେନ୍‌ସନ୍ ଦେବା ପାଇଁ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଏଲିଟ୍‌ମାନେ ବରାବର ଦାବି କରି ଆସୁଛନ୍ତି। 

ଏହା ପଛରେ କୌଣସି ଯୁକ୍ତି ନଥିଲେ ମଧ୍ୟ ଦେଶର ଅନ୍ୟବର୍ଗର ସରକାରୀ ଅଧିକାରୀମାନେ ବିଭିନ୍ନ ବେତନ କମିଶନ ଜରିଆରେ ସେମାନଙ୍କ ଦରମା, ଭତା ବଢ଼ାଉଥିବା ବେଳେ ଜଣେ ବିଧାୟକ ବା ପୂର୍ବତନ ବିଧାୟକ ବର୍ତମାନର ଦରଦାମ୍ ପରିସ୍ଥିତିରେ କିପରି ସେହି ପୁରୁଣା ଦରମା ଓ ଭତ୍ତାରେ କାମ କରିବେ ବୋଲି ଯୁକ୍ତି କରାଯାଉଛି। ଅର୍ଥାତ୍ ଏମାନେ ପରୋକ୍ଷରେ ସ୍ୱୀକାର କରୁଛନ୍ତି ଯେ, ସାଂସଦ ଓ ବିଧାୟକମାନେ ସରକାରୀ କଳରେ ଥିବା ଉଚ୍ଚ ଦରମାଧାରୀଙ୍କ ପରି ଅଧିକ ଦରମା ଓ ଭତ୍ତା ପାଇବା ନିହାତି ଆବଶ୍ୟକ। ଯଦିଓ ବରାବର ସେମାନେ ନିଜକୁ ସେବକ ବୋଲି କହୁଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ସେବକ ବୋଲି ଉଲ୍ଲେଖ କରିଛନ୍ତି। 

ଭାରତ ଏବେ ମଧ୍ୟ ବିଶ୍ୱର ଏକ ଗରିବ ଦେଶ। କାରଣ ଏହାର ସଂଖ୍ୟାଗରିଷ୍ଠ ଲୋକ ସମ୍ମାନର ସହ ଜୀବିକା ଅର୍ଜନ କରିବା ପାଇଁ ବ୍ୟବସ୍ଥା ନାହିଁ। ମୁଣ୍ଡପିଛା ଆୟରେ ଭାରତର ସ୍ଥାନ ବିଶ୍ୱରେ ୧୩୦ରୁ ୧୪୦ ଭିତରରେ ବରାବର ରହୁଛି। ଏହାର ପ୍ରକୃତ ପରିମାଣ ଆମେରିକୀୟ ଡଲାର୍‌ରେ ୨୩୦୦ରୁ ୨୪୦୦ ଡଲାର୍ ଭିତରେ। ଭାରତରେ ୨୦୨୪ରେ ମୁଣ୍ଡପିଛା ଆୟ ୨ ଲକ୍ଷ ୧୨ ହଜାର। ଓଡ଼ିଶାରେ ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟଠାରୁ କମ୍। ଏହା ୧ ଲକ୍ଷ ୮୦ ହଜାର ଟଙ୍କା। ଅର୍ଥାତ୍ ଓଡ଼ିଶାର ବିଧାୟକମାନେ ମୁଖ୍ୟତଃ ଗରିବ ଲୋକମାନଙ୍କର ପ୍ରତିନିଧି। କିନ୍ତୁ ପ୍ରତି ନିର୍ବାଚନ ପରେ ସେମାନଙ୍କ ସମ୍ପତି ବଢ଼ିଯାଏ ଓ ରାଜ୍ୟର ଅଧିକାଂଶ ବିଧାୟକ ଏବେ କୋଟିପତି। ତଥାପି ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନରେ ବିଧାୟକମାନଙ୍କର ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ବଢ଼ାଇବାକୁ ପ୍ରାଥମିକତା ଦିଆଯାଇ ଏକା ଥରକେ ସେମାନଙ୍କର ତାହାକୁ ୩ ଗୁଣରୁ ଅଧିକ ବଢ଼ାଇ ପ୍ରାୟ ସାଢ଼େ ୩ ଲକ୍ଷ କରାଯାଇଛି। ସେହିପରି ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍ ୩ ଗୁଣ ବଢ଼ାଇ ସେମାନଙ୍କୁ ଗସ୍ତଖର୍ଚ୍ଚ ଦିଆଯିବା ଫଳରେ ଯିଏ ଥରେ ବି ବିଧାୟକ ହୋଇଛନ୍ତି, ସିଏ ଅତିକମ୍‌ରେ ପ୍ରାୟ ୧ ଲକ୍ଷ ଟଙ୍କାର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଇବେ। 

ଯେଉଁ ରାଜ୍ୟରେ ଲୋକମାନଙ୍କର ହାରାହାରି ମୁଣ୍ଡପିଛା ଆୟ ୧୫୦୦ ଟଙ୍କା ନୁହେଁ, ସେଠାରେ ବିଧାୟକ ଓ ପୂର୍ବତନ ବିଧାୟକମାନେ ନିଜ ଦରମା ଓ ଭତ୍ତାକୁ ୩ ଗୁଣ ବଢ଼ାଇ ଦିଆଯାଇଛି। ଏଣିକି ସେମାନଙ୍କର ଦରମା ଓ ଭତ୍ତା ପ୍ରତି ୫ ବର୍ଷରେ ଆପେ ଆପେ ବଢ଼ିବ ବୋଲି ମଧ୍ୟ କୁହାଯାଉଛି। କର୍ମଚାରୀଙ୍କ କ୍ଷେତ୍ରରେ ବେତନ କମିଶନ ଯୋଗୁ ଦରମା ୧୦ ବର୍ଷରେ ବଢୁଥିବା ବେଳେ ବିଧାୟକମାନଙ୍କର ୫ ବର୍ଷରେ ବଢ଼ିବା ପ୍ରମାଣ କରୁଛି ଯେ, ସେମାନେ ନିଜର ସୁବିଧାକୁ ପ୍ରାଥମିକତା ପ୍ରଦାନ କରି କାମ କରୁଛନ୍ତି। ଯେହେତୁ ରାଜ୍ୟରେ ଏମାନଙ୍କୁ ନେଇ ଏକ ରାଜନୈତିକ ଶାସକ ଶ୍ରେଣୀ ସୃଷ୍ଟି ହୋଇଗଲାଣି, ସେଥିରେ ସେମାନେ ଯିଏ ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ସେମାନଙ୍କ ସ୍ୱାର୍ଥ ନିଜର ସମ୍ପତି ବୃଦ୍ଧି କରିବା ଲକ୍ଷ୍ୟ ବୋଲି ପ୍ରମାଣିତ ହେଉଛି। 

ରାଜନୀତିରେ ଏବେ ବିଧାୟକ ବା ସାଂସଦ ହେବା ୟୁପିଏସ୍‌ସି ପରୀକ୍ଷାରେ ଆଇଏଏସ୍ ଓ ଆଇପିଏସ୍ ଅପେକ୍ଷା ଅଧିକ ଆକର୍ଷଣକାରୀ ହୋଇଛି। ତେଣୁ ଯେଉଁମାନେ ୟୁପିଏସ୍‌ସି ପାଇଁ ଯୋଗ୍ୟ ହୋଇପାରୁନାହାନ୍ତି ସେମାନେ ବିଧାୟକ ଓ ସାଂସଦ ହେବାକୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେଇଥିପାଇଁ ନିର୍ବାଚନରେ ମୁଖ୍ୟ ଦଳଗୁଡ଼ିକରୁ ଟିକେଟ୍ ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ସେହି ଦଳର ନେତାମାନଙ୍କୁ ଲାଂଚ ଭାବରେ ଦିଆଯାଉଛି। ଯେଉଁମାନେ ବ୍ୟବସାୟ ଧନ୍ଦାରେ ଅଛନ୍ତି ଓ କିଛି ଅର୍ଥ ସଂଗ୍ରହ କରୁଛନ୍ତି, ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଦଳୀୟ ଟିକେଟ୍ ହାସଲ କରି ବିଧାୟକ ବା ସାଂସଦ ହେବା। ନିର୍ବାଚନରେ ଯେଉଁ ପରିମାଣରେ ଅର୍ଥ ଖର୍ଚ୍ଚ ହେଉଛି ତାହା ଜାଣି ସୁଦ୍ଧା ଟିକେଟ୍ ପାଇଁ ପ୍ରତିଦ୍ୱନ୍ଦିତା ହେଉଛି। କାରଣ ସମ୍ପତି ବୃଦ୍ଧି କରିବା ପାଇଁ ରାଜନୈତିକ କ୍ଷମତା ଦଖଲ ଭଲ ଉପାୟ ବୋଲି ପ୍ରମାଣିତ ହୋଇଗଲାଣି। ଏବେ ବିଧାୟକମାନଙ୍କର ଦରମା ଓ ଭତ୍ତା ସହିତ ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍ ବଢ଼ିଯିବା ଫଳରେ ଏହି ଚାକିରୀ ବା ସେବା ପ୍ରତି ଆଗ୍ରହ ପୂର୍ବାପେକ୍ଷା ଆହୁରି ବଢ଼ିଯିବ। ଯେଉଁମାନେ ପରିବାରବାଦର ବିରୋଧ କରୁଛନ୍ତି ସେମାନେ ପରୋକ୍ଷରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ବଢ଼ାଇ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁନାହାନ୍ତି ତ? ଓଡ଼ିଶାରେ ଶିକ୍ଷା ଅବସ୍ଥା କେଉଁଠାରେ ପହଂଚିଲାଣି ସେ ସଂକ୍ରାନ୍ତରେ ସିଏଜି ବିଧାନସଭାକୁ ରିପୋର୍ଟ ଦେଇଥିବା ସମୟରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ାଇବାକୁ ପ୍ରାଥମିକତା ଦିଆଯିବାରୁ ସ୍ପଷ୍ଟ ପ୍ରମାଣିତ ଯେ, ତଥାକଥିତ ଜନପ୍ରତିନିଧିମାନେ ସେମାନଙ୍କର ନିଜସ୍ୱ ସ୍ୱାର୍ଥ ପାଇଁ ଅଧିକ ବ୍ୟଗ୍ର।

ଫୋ- ୯୪୩୭୪୦୪୪୫୫

Odisha Odisha Mlas MLAs Property MLAs Pension Odisha political analysis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe