ସଚିନ୍ ତେନ୍ଦୁଲକର ନିଜର ପ୍ରଦର୍ଶନ ବଳରେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଭେଟି ଦେଇଛନ୍ତି। ତେବେ ଏମିତି ବି ଅନେକ ମ୍ୟାଚ୍ ଅଛି ଯେଉଁଠି ସଚିନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଭାରତ ପରାଜୟ ବରଣ କରିଛି। ଅନେକ ସମୟରେ କ୍ରିକେଟକୁ ଆଦୌ ବୁଝି ନଥିବା ଅନେକ ଆରାମ ଚେୟାର କ୍ରିକେଟ ପଣ୍ଡିତ ଭାରତର ପରାଜୟ ପାଇଁ ସଚିନ୍ଙ୍କ ଧିମା ଖେଳକୁ ଦାୟୀ କରନ୍ତି। ତେବେ କହିବା ଅନାବଶ୍ୟକ ଯେ ସଚିନ୍ ଏସବୁ ଆଲୋଚନା ସମାଲୋଚନାଠୁ ଢେର ଉପରେ। ନିଜ ସମୟରୁ ଆଗକୁ ଯାଇ କ୍ରିକେଟ ଖେଳୁଥିବା ସଚିନଙ୍କ ପାଇଁ କ୍ରିକେଟ୍ ଥିଲା ତାଙ୍କ ଜୀବନର ଏକ ଅଂଶ ବିଶେଷ। ସେ ଭାରତ ପାଇଁ ଖେଳିଲାବେଳେ ଶହେ କୋଟି ଦର୍ଶକଙ୍କ ପ୍ରାର୍ଥନା ଏବଂ ଆଶାର ବୋଝ ନେଇ ପଡ଼ିଆକୁ ଓହ୍ଲାଉଥିଲେ। ପଡ଼ିଆରେ ରକ୍ତ ଓ ସ୍ୱେଦ ଦେଇ କ୍ରିକେଟ ଖେଳୁଥିଲେ। ତାଙ୍କ ପ୍ରଦର୍ଶନ ପାଇଁ ଭାରତ ଜିତୁଥିଲା। ସେ ତତ୍କ୍ଷଣାତ ପାଲଟି ଯାଉଥିଲେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନୟନ ପିତୁଳା।
ଅଥଚ ତାଙ୍କ ଜୀବନରେ ଏମିତି ସମୟ ବି ଆସିଛି ଯେଉଁଠି ସେ ଯନ୍ତ୍ରଣା ଜର୍ଜରିତ ହୋଇ ଦିନସାରା କ୍ରିକେଟ୍ ଖେଳି ଦଳକୁ ବିଜୟର ସୀମାରେଖା ପାଖକୁ ନେଇ ଯାଇଥିଲେ ବି ଦଳକୁ ବିଜୟୀ କରାଇପାରି ନାହାନ୍ତି। ବରଂ ସେ ଆଉଟ୍ ହୋଇ ଫେରିବା ପରେ ପରେ ତାଙ୍କ ଆଖି ଆଗରେ ଭାରତୀୟ ବ୍ୟାଟିଂ ଲାଇନ୍ ଅପ ତାସଘର ପରି ଭୁଶୁଡ଼ି ପଡ଼ିଛି। ଭାରତୀୟ ଦର୍ଶକ ଯିଏ ମାତ୍ର କିଛି ସମୟ ପୂର୍ବରୁ ଭାରତୀୟ ଦଳର ବିଜୟର ସ୍ୱପ୍ନରେ ମସଗୁଲ ଥିଲେ ସେମାନେ ଆଶଙ୍କା ଜର୍ଜରିତ ହୋଇ ପଡ଼ିଛନ୍ତି। ଆଉ ମାତ୍ର କିଛି ସମୟ ମଧ୍ୟରେ ଦର୍ଶକଙ୍କ ଆଶଙ୍କା ସତ ହୋଇଛି। ଭାରତ ହାରି ଯାଇଛନ୍ତି। ଏଥର କିନ୍ତୁ ଦର୍ଶକ ଭାରତର ଖରାପ ବ୍ୟାଟିଂ ପାଇଁ ଦୁଃଖ ପ୍ରକାଶ କରିନାହାନ୍ତି। ବରଂ ସମସ୍ତେ ଦୀର୍ଘଶ୍ୱାସ ଛାଡ଼ି କହିଛନ୍ତି ସଚିନ୍ ଆଉଟ୍ ନ ହୋଇଥିଲେ ଭାରତ ମ୍ୟାଚ୍ ଜିତିଥାଆନ୍ତା। ସେପଟେ କିନ୍ତୁ ଡ୍ରେସିଂ ରୁମର କୌଣସି ଗୋଟିଏ କୋଣରେ ବସିଥିବା ସଚିନଙ୍କ ଆଖିରୁ ଚୁପ୍ ଚାପ୍ ଖସିଯାଇଛି ଦୁଇଟୋପା ଲୁହ।
୩୧ ଜାନୁୟାରୀ ୧୯୯୯ ମସିହାର କଥା। ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଖେଳୁଥାଏ ନିଜର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ। ପାଖାପାଖି ୯ ବର୍ଷ ପରେ ଏହି ଟେଷ୍ଟ ସିରିଜ୍ ଆୟୋଜିତ ହେଉଥିବାରୁ ଭାରତରେ ପ୍ରବଳ ଉତ୍ସାହ ଦେଖାଦେଇଥାଏ। ଏହି ସମୟରେ ଭାରତ ପାକିସ୍ତାନ ମଧ୍ୟରେ ରାଜନୈତିକ ବିରୋଧାଭାସ ପ୍ରବଳ ଥିବାରୁ ପାକିସ୍ତାନ ଭାରତରେ ମ୍ୟାଚ୍ ଖେଳୁବୋଲି ଅନେକ ଚାହୁଁନଥିଲେ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀରେ ହେବାର ଥିବାବେଳେ ଶିବ ସୈନିକମାନେ ପିଚ୍ ଖୋଳି ପକାଇବାରୁ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇ ପାରିଲା ନାହିଁ। ସେହିପରି ଚେନ୍ନାଇ ଷ୍ଟାଡିୟମ ମଧ୍ୟକୁ ବିଷଧର ସର୍ପ ଛାଡ଼ି ଦେବାର ଧମକ ଶିବ ସୈନିକମାନେ ଦେଇଥିବାରୁ ଏହି ସିରିଜକୁ ଠିକ୍ ଠାକ ସଂପନ୍ନ କରାଇବା ବିସିସିଆଇ ଏବଂ ସରକାରଙ୍କ ପାଇଁ ଏକ ଆହ୍ୱାନ ହୋଇ ପଡ଼ିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ତାମିଲନାଡୁରେ ଏହି ମ୍ୟାଚ୍ ପାଇଁ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
ଏହି ସମୟ ବେଳକୁ ସଚିନ୍ ନିଜର ବ୍ୟାଟିଂ ପରାକାଷ୍ଠା ବଳରେ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠ ଖେଳାଳିର ମର୍ଯ୍ୟଦା ପାଇ ପାରିଥାଆନ୍ତି। ଜଣେ ଦକ୍ଷ ଟେଷ୍ଟ ଖେଳାଳି ଭାବରେ ଦ୍ରାବିଡ୍ ଆତ୍ମପ୍ରକାଶ କରିଥାଆନ୍ତି ଏବଂ ସୌରଭ ଗାଙ୍ଗୁଲୀ ଅନେକ ମ୍ୟାଚ୍ ବିଜୟୀ ସ୍ମରଣୀୟ ଇନିଂସ୍ ଖେଳି ସାରିଥାନ୍ତି। ତଥାପି ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର ପୋଷ୍ଟର ବୟ ହିସାବରେ ସଚିନ୍ ସମସ୍ତଙ୍କଠୁ ଅନେକ ଶ୍ରଦ୍ଧା ପାଉଥାଆନ୍ତି।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ୟୁସୁଫ ଏବଂ ମୋଇନ୍ ଖାନଙ୍କ ଅର୍ଦ୍ଧ ଶତକ ବଳରେ ୨୩୮ ରନର ଗୋଟିଏ ଛୋଟିଆ ସ୍କୋର ତିଆରି କରିଥିଲା। ଭାରତ ପକ୍ଷରୁ କୁମ୍ବଲେଙ୍କୁ ୬ ୱିକେଟ୍ ଏବଂ ଶ୍ରୀନାଥଙ୍କୁ ୩ଟି ୱିକେଟ୍ ମିଳିଥିଲା। ଭାରତର ପ୍ରଥମ ଇନିଂସ୍ ବ୍ୟାଟିଂ ମଧ୍ୟ ସେମିତି କିଛି ଖାସ୍ ନଥିଲା। ରାହୁଲ ଦ୍ରାବିଡ୍ଙ୍କ ୫୩ ଏବଂ ସୌରଭ ଗାଙ୍ଗୁଲୀଙ୍କର ୫୪ ରନ ସହାୟତାରେ ଭାରତ କରିଥିଲା ୨୫୪ ରନ୍। ଭାରତ ପାଖରେ ଥିଲା ମାତ୍ର ୧୬ ରନର ଗୋଟିଏ ଛୋଟିଆ ପ୍ରଥମ ଇନିଂସ ଅଗ୍ରଣୀ।
ଦ୍ୱିତୀୟ ଇନିଂସରେ ପାକିସ୍ତାନ ଦମଦାର ବ୍ୟାଟିଂ କରି କରିଥିଲା ୨୮୬ ରନ୍। ପାକିସ୍ତାନର ୧୮ ବର୍ଷୀୟ ବିସ୍ମୟ ବାଳକ ଶାହୀଦ୍ ଆଫ୍ରିଦ୍ ଖେଳିଥିଲେ ୧୪୧ ରନର ବିଶାଳ ଇନିଂସ୍। ଏଥିରେ ସାମିଲ୍ ଥିଲା ୨୧ଟି ଚୌକା ଏବଂ ୩ଟି ଛକ୍କା। ଦଳ ଦ୍ରୁତ ଗତିରେ ବଡ଼ ସ୍କୋର ଆଡ଼କୁ ଆଗାଉଥିବାବେଳେ ଶେଷ ୫ ୱିକେଟ୍ ପଡ଼ିଯାଇଥିଲା ମାତ୍ର ୧୧ ରନରେ। ଏବେ ଭାରତ ସାମନାରେ ବିଜୟ ଲକ୍ଷ୍ୟ ଥିଲା ୨୭୧ ରନ୍।
ଦ୍ୱିତୀୟ ଇନିଂସରେ ଭାରତର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। ମାତ୍ର ୮୨ ରନ ଭିତରେ ଦଳ ହରାଇ ସାରିଥିଲା ୫ ୱିକେଟ୍। ସଦାଗୋପନ ରମେଶ୍ ୫ ରନ, ଭିଭିଏସ ଲକ୍ଷ୍ମଣ ୦, ରାହୁଳ ଦ୍ରାବିଡ୍ ୧୦, ମହମ୍ମଦ ଆଝାରୁଦ୍ଦିନ ୭ ଏବଂ ସୌରଭ ଗାଙ୍ଗୁଲୀ ୨ ରନ କରି ପାଭଲିୟନ ଫେରି ସାରିଥିଲେ। ଭାରତ ଏକ ନିଶ୍ଚିତ ପରାଜୟ ଆଡ଼କୁ ଗତି କରୁଥିଲା। ଭାରତୀୟ କ୍ରୀଡ଼ାପ୍ରେମୀ ବିଜୟର ଆଶା ଛାଡ଼ି ଟିଭି ବନ୍ଦ କରିବା ଆରମ୍ଭ କରିଥିଲେ।
ତେବେ ଏହି ସମୟରେ ହିଁ ସଚିନ୍ ଖେଳିଲେ ନିଜ ଜୀବନର ଅନ୍ୟତମ ଶ୍ରେଷ୍ଠ ଇନିଂସ୍। ବୋଲରମାନଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ଜାରୀ ରଖିଲେ। ତାଙ୍କ ସାଥ ଦେଲେ ନୟନ ମୋଙ୍ଗିଆ। ଉଭୟ ଦଳର ସ୍କୋରକୁ ଦୁଇଶହ ରନ ପାର କରାଇଦେଲେ। ହାତରୁ ଖସିଯାଇଥିବା ମ୍ୟାଚ୍ ପୁଣି ହାତକୁ ଫେରି ଆସିବାପରି ଲାଗିଲା। ଟିଭି ଛାଡ଼ି ବାହାରକୁ ପଳାଇଥିବା ଲୋକ ପୁଣି ଫେରି ଆସି ଟିଭି ଦେଖିବାକୁ ଲାଗିଲେ।
ଏହି ଇନିଂସ୍ ସଚିନ୍ଙ୍କ ପାଇଁ ବେଶ୍ ସ୍ମରଣୀୟ ଥିଲା। ପାକିସ୍ତାନର ବୋଲରଙ୍କ ବିପକ୍ଷରେ ଖେଳୁଥିବା ସଚିନ୍ ନିଜ ଅଣ୍ଟା ଯନ୍ତ୍ରଣା ବିପକ୍ଷରେ ମଧ୍ୟ ଲଢୁଥାଆନ୍ତି। ନିଜର ବ୍ୟକ୍ତିଗତ ସ୍କୋର ୮୩ ଥିବାବେଳେ ସେ ଅଣ୍ଟା ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଆନ୍ତି। ସେଥିପାଇଁ ପଡ଼ିଆ ମଧ୍ୟକୁ ଦଳରୁ ଫିଜିଓଙ୍କୁ ଡାକିବାକୁ ପଡ଼ିଥିଲା। ସେପଟେ ନୟନ ମୋଙ୍ଗିଆ ଅସୁସ୍ଥ ଥାଆନ୍ତି ଏବଂ ଜାନୁଆରୀ ଶେଷ ସପ୍ତାହର ଶୀତ ଦିନିଆ ଅପରାହ୍ନରେ ମୋଙ୍ଗିଆ ସୁଇଟର ପିନ୍ଧି ବ୍ୟାଟିଂ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ମୋଙ୍ଗିଆଙ୍କୁ ସାଥୀ କରି ସଚିନ୍ ଦଳକୁ ଆଗକୁ ବଢ଼ାଇଲେ। ମୋଙ୍ଗିଆ ବି ଅର୍ଦ୍ଧ ଶତକ ହାସଲ କଲେ। ଲାଗୁଥିଲା ଭାରତ ବିଜୟ ସୀମା ରେଖା ପାର କରିଯିବ। ସଚିନ୍ ସେଦିନ ବେଶ୍ ଅବିସ୍ମରଣୀୟ ବ୍ୟାଟିଂ କଲେ। ୱାସିମ୍ ଆକ୍ରମ, ୱାକର ୟୁନିସ୍ ଏବଂ ସାକଲେନ୍ ମୁସ୍ତାକ ସମସ୍ତଙ୍କୁ ଧୁଲାଇ କଲେ। ସଚିନ୍ ପ୍ରଥମ ଇନିଂସରେ ଖାତା ଖୋଲି ନପାରି ସାକଲେନଙ୍କୁ ୱିକେଟ୍ ଦେଇଥିଲେ। ଦ୍ୱିତୀୟ ଇନିଂସରେ ପ୍ୟାଡେଲ ସ୍ୱିପ୍ ଏବଂ ସ୍ଲଗ୍ ସ୍ୱିପର ଚମତ୍କାର ମିଶ୍ରଣ କରି ସେ ଲମ୍ବା ସମୟ ଯାଏ ବ୍ୟାଟିଂ କରି ଚାଲିଲେ।
ସେତେବେଳେ ଭାରତୀୟ କ୍ରିକେଟରେ ଗୋଟିଏ ଆପ୍ତ ବାକ୍ୟ ପ୍ରଚଳିତ ଥିଲା। ସଚିନ୍ ଅଛନ୍ତି ତ ମ୍ୟାଚ୍ ଜିତିବାର ସୁଯୋଗ ଅଛି। ଆଉ ଯେତେବେଳେ ସଚିନ୍ ଆଉଟ୍ ହେଉଥିଲେ ସେତେବେଳେ ଲୋକଙ୍କ ପାଟିରୁ ସ୍ୱତଃ ବାହାରି ଆସୁଥିଲା ସଚିନ୍ ତ ଗଲେ ଆଉ ମ୍ୟାଚ୍ ଦେଖି ଲାଭ କଣ? ଆଉ କ’ଣ ସତରେ ଭାରତ ମ୍ୟାଚ୍ ଜିତିପାରିବ?
ପ୍ରଥମେ ଅର୍ଦ୍ଧ ଶତକ ହାସଲ କଲା ପରେପରେ ମୋଙ୍ଗିଆ ଆଉଟ୍ ହୋଇଗଲେ। ସେତେବେଳକୁ ଦଳର ସ୍କୋର ଥିଲା ୨୧୮। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଆହୁରି ୫୩ ରନ ଆବଶ୍ୟକ ଥାଏ। ବାମହାତୀ ବ୍ୟାଟର ସୁନୀଲ ଜୋଷୀ ସଚିନଙ୍କ ସହ ଯୋଗ ଦେଲେ। ସେମାନେ ଦଳର ସ୍କୋରକୁ ୨୫୨ ଯାଏ ଭିଡ଼ିନେଲେ। ଲାଗୁଥିଲା ଭାରତ ପାଇଁ ଆଉ ବିଜୟ ବେଶୀ ଦୂର ନୁହେଁ।
ତେବେ ସଚିନ୍ ଏଇଠି ଆଉଟ୍ ହୋଇଗଲେ। ସାକଲେନଙ୍କ ବଲରେ ସ୍ଲଗ୍ ସ୍ୱିପ୍ ଖେଳିବାକୁ ଯାଇ ମିସ୍ ଟାଇମ୍ କରି କଭରରେ ୱାସିମ ଆକ୍ରମଙ୍କୁ କ୍ୟାଚ୍ ଦେଇଦେଲ। ସେତେବେଳକୁ ଦଳର ସ୍କୋର ଥିଲା ୨୫୪। ଶେଷ ୧୭ ରନ କରିବାର ଦାୟିତ୍ୱ ରହିଲା ଚାରି କର୍ଣ୍ଣାଟକ ଖେଳାଳୀ ସୁନୀଲ ଯୋଶୀ, ଅନୀଲ କୁମ୍ବଲେ, ଶ୍ରୀନାଥ ଏବଂ ଭେଙ୍କଟେଶ ପ୍ରସାଦଙ୍କ ଉପରେ। କେବଳ ଭେଙ୍କଟେଶ ପ୍ରସାଦଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଅଳ୍ପବହୁତେ ବ୍ୟାଟିଂ କରି ଜାଣିଥିଲେ। ତେବେ ଦଳର ସ୍କୋର ୨୫୬ ହୋଇଥିବାବେଳେ ପ୍ରଥମେ କୁମ୍ବଲେ ଆଉଟ୍ ହେଲେ। ତାଙ୍କୁ ୱାସିମ ଆକ୍ରମ ଏଲବିଡବ୍ଲୁ ଆଉଟ୍ କଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ସୁନୀଲ ଯୋଶୀଙ୍କୁ କଟ ଏବଂ ବୋଲ୍ଡ କରି ସାକଲେନ୍ ମୁସ୍ତାକ ପୂରା ଷ୍ଟାଡିୟମକୁ ନୀରବ କରିଦେଲେ। ଭାରତ ଯେ ଆଉ ମ୍ୟାଚ୍ ଜିତିପାରିବ ନାହିଁ ତାହା ବୋଧହୁଏ ସମସ୍ତେ ହୃଦୟଙ୍ଗମ କରିସାରିଥିଲେ।
ଭାରତ ବିଜୟଠାରୁ ଆଉ ମାତ୍ର ୧୩ ରନ ଦୂରରେ ଥିବାବେଳେ ପାକିସ୍ତାନ କେବଳ ଗୋଟିଏ ୱିକେଟ୍ ଦରକାର କରୁଥିଲା। ଭାରତ ଆଉ ତେରଟି ବଲ ଖେଳି ମାତ୍ର ଦୁଇ ରନ ସଂଗ୍ରହ କରି ପାରିଥିଲା। ଜାଭାଗଲ ଶ୍ରୀନାଥ ସାକଲେନ ମୁସ୍ତାକଙ୍କ ବଲରେ ବୋଲ୍ଡ ହେବା ପରେ ଯେମିତି ସାରା ଭାରତ ଦୁଃଖରେ ବୁଡ଼ି ଯାଇଥିଲା। ଭାରତ ୧୨ ରନରେ ମ୍ୟାଚ୍ ହାରିଯାଇଥିଲା। ସମସ୍ତେ ସଚିନ୍ଙ୍କର ସେହି ୧୩୬ ରନର ବିଶାଳ ଇନିଂସର ପ୍ରଶଂସା କରିଥିଲେ। ସଚିନଙ୍କୁ ଏହି ମ୍ୟାଚ୍ରେ ୧୩୬ ରନ ଏବଂ ତିନି ୱିକେଟର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ମିଳିଥିଲେ ମଧ୍ୟ ସେ ନିଜର କୋହ ସମ୍ବରଣ କରି ପ୍ରକୃତିସ୍ଥ ହୋଇପାରୁ ନଥିବାରୁ ଏହି ପୁରସ୍କାର ନେବା ପାଇଁ ଆସିନଥିଲେ।
ସଚିନ ଡ୍ରେସିଂ ରୁମର ଗୋଟିଏ କଣରେ ବସି ତଉଲିଆରେ ମୁହଁଚାପି କାନ୍ଦୁଥିବାର ଦେଖାଯାଇଥିଲା। ସାଧରଣତଃ ପ୍ରଦର୍ଶନ ପରେ ବି ଶାନ୍ତ ରହୁଥିବା ସଚିନଙ୍କୁ କେବେ ବି କ୍ରିକେଟ ପଡ଼ିଆରେ କେହି ଅତିଶୟ ଭାବପ୍ରବଣ ହୋଇଥିବାର ଦେଖି ନଥିବ। ତେଣୁ ସଚିନଙ୍କ ଡ୍ରେସିଂ ରୁମରେ କାନ୍ଦିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ଏହି ମ୍ୟାଚ୍ ଶେଷରେ ଚେନ୍ନାଇର ଦର୍ଶକଙ୍କୁ ସମସ୍ତେ ଶ୍ରେୟ ଦେଇଥିଲେ। ଯେତେବେଳେ ପାକିସ୍ତାନ ଟେଷ୍ଟ ମ୍ୟାଚ୍ ଜିତି ସାରିଲା ଏହାର ସମସ୍ତ ଖେଳାଳୀ ପଡ଼ିଆରେ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ଧନ୍ୟବାଦ ଦେବାପାଇଁ ଭିକ୍ଟ୍ରି ଲ୍ୟାପ୍ ବା ବିଜୟ ଦୌଡ଼ ଲଗାଇବା ଆରମ୍ଭ କଲେ ସେତେବେଳେ ସମସ୍ତ ଦର୍ଶକ ନିଜ ନିଜ ସିଟରେ ଠିଆ ହୋଇ ତାଳିମାରି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭାରତ ହାରିଯାଇଥିଲେ ବି କାହା ମନରେ ଟିକିଏ ଗ୍ଲାନି ନଥିଲା। ଚେନ୍ନାଇ ଦର୍ଶକଙ୍କର ଏହି ପ୍ରକାର ଆଚରଣ ବିଶ୍ୱ କ୍ରିକେଟରେ ଭାରତର ମର୍ଯ୍ୟାଦା ବଢ଼ାଇଥିଲା।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।