Advertisment

ସମାଜ ପରିବର୍ତ୍ତନ ପାଇଁ ନୂଆ ଦୃଷ୍ଟିକୋଣ: ସମତା, ମମତା ଓ ସମରସତା

ଆଜି ଆମକୁ ଆମର ମୂଳକୁ ଫେରିବା ସହିତ ଆମ ଜୀବନରେ ପଞ୍ଚ ପରିବର୍ତ୍ତନର ନୀତିଗୁଡ଼ିକୁ ଗ୍ରହଣ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା ଭାରତ କେବଳ ନିଜର ସଙ୍କଟକୁ ଦୂର କରିବ ନାହିଁ ବରଂ ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ। ଏହି  ହେଉଛି ସେହି ମାର୍ଗ, ଏହି ମାର୍ଗରେ ଚାଲି  ଭାରତ ପୁଣି ଥରେ ‘ବିଶ୍ୱଗୁରୁ’ ଭୂମିକା ତୁଲାଇ ପାରିବ।

author-image
Debendra Prusty
mohan bhagawat

Mohan Bhagawat Photograph: (Internet)

ଗୋଲଖ ଚନ୍ଦ୍ର ଦାସ

ପରିବର୍ତ୍ତନ ହେଉଛି ଜୀବନର ଚିରନ୍ତନ ନିୟମ। ସମୟ, ପରିସ୍ଥିତି ଏବଂ ସମାଜ ସହିତ ପ୍ରଥା ଓ ପରମ୍ପରା ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ କେତେବେଳେ ଧୀରେ ଧୀରେ ହୋଇଥାଏ, କେତେବେଳେ ପ୍ରଭାବଶାଳୀ ଭାବରେ ହୋଇଥାଏ। ଆଜିର ଭାରତ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଚମତ୍କାର ପ୍ରଗତି ସତ୍ତ୍ୱେ ଆମେ ଆମ ଜୀବନରେ ଏକ ଅଦ୍ଭୁତ ଶୂନ୍ୟତା ଅନୁଭବ କରୁଛୁ। ଭୌତିକ ବିକାଶ ସହିତ ସମାଜ ପାଇଁ ଆବଶ୍ୟକ ମୂଲ୍ୟବୋଧ ଏବଂ ଆଦର୍ଶ ଧୀରେ ଧୀରେ ପଛରେ ପଡ଼ିଯାଉଛି। ପର୍ଯ୍ୟାବରଣ ଅସନ୍ତୁଳନ, ସାମାଜିକ ବିଘଟନ, ପରିବାର ଭାଙ୍ଗିବା, ନୈତିକ ମୂଲ୍ୟବୋଧର ଅବନତି, ଉପଭୋକ୍ତାବାଦ, ଅନ୍ଧାନୁକରଣ ଏବଂ ଆତ୍ମକେନ୍ଦ୍ରିକ ଜୀବନଶୈଳୀ ଆମର ଦ୍ରୁତ ପ୍ରଗତିରୁ ଜନ୍ମିତ ସମସ୍ୟା। ଏହି ସମସ୍ୟାଗୁଡ଼ିକ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ଭାରତର ଅନନ୍ୟ ଗୁଣ ହେଉଛି ଯେ ଏହା ସର୍ବଦା କେବଳ ଭୌତିକ ପ୍ରଗତି ନୁହେଁ ବରଂ ଜୀବନର ଆଧ୍ୟାତ୍ମିକ ଏବଂ ନୈତିକ ଉନ୍ନତିକୁ ମଧ୍ୟ ପ୍ରାଥମିକତା ଦେଇଆସିଛି। ଯେତେବେଳେ ବି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇଛି, ଭାରତ ନିଜର ସାଂସ୍କୃତିକ ଐତିହ୍ୟ ଏବଂ ଜୀବନ ଦର୍ଶନ  ଆଧାରିତ ପଥ  ବିଶ୍ୱକୁ ଦେଖାଇଛି। ଆଜି ମଧ୍ୟ ଭାରତ କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱକୁ ସଙ୍କଟରୁ ଉଦ୍ଧାର କରିବା ନିମନ୍ତେ ମାର୍ଗଦର୍ଶନ କରିବାର କ୍ଷମତା ରଖିଛି। 

Advertisment

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଶ୍ରୀ ମୋହନ ଭାଗବତ ସମାଜ ସମ୍ମୁଖରେ ପଞ୍ଚ ପରିବର୍ତ୍ତନ ବିଷୟ ଉତ୍ଥାପନ କରିଛନ୍ତି। ଏହା କେବଳ କ୍ଷଣିକ ବିଚାର ନୁହେଁ ବରଂ ଜୀବନର ମୂଳ ପର୍ଯ୍ୟନ୍ତ ପହଂଚିବାର ମାର୍ଗଦର୍ଶନ। ଭାଗବତ ଜୀ ସ୍ପଷ୍ଟ କରିଥିଲେ ଯେ ଯଦି ଆମେ ସମାଜ ଏବଂ ରାଷ୍ଟ୍ରର ଅବସ୍ଥାକୁ ଉନ୍ନତ କରିବାକୁ ଚାହୁଁ, ତେବେ ଏହି କାର୍ଯ୍ୟ କୌଣସି ବାହ୍ୟ ଶକ୍ତି କିମ୍ବା ବିଦେଶୀ ବିଚାରଧାରା ଦ୍ୱାରା ସମ୍ପନ୍ନ ହେବ ନାହିଁ; ଏହି ପରିବର୍ତ୍ତନ ଭିତରୁ ଆସିବ। ପଞ୍ଚ ପରିବର୍ତ୍ତନର ବିଚାର ବ୍ୟକ୍ତିଠାରୁ ଆରମ୍ଭ ହୋଇ ପରିବାର, ସମାଜ, ପ୍ରକୃତି ଏବଂ ରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପ୍ତ ହୁଏ। 

ପରିବର୍ତ୍ତନ ପ୍ରଥମେ ବ୍ୟକ୍ତି ଭିତରେ ହେବା ଉଚିତ। ଯେତେବେଳେ ଜଣେ ବ୍ୟକ୍ତି ସଂଯମିତ, ଅନୁଶାସନ, ସଚ୍ଚୋଟତା, ସମର୍ପଣ ,କର୍ତ୍ତବ୍ୟନିଷ୍ଠା ଏବଂ ସରଳତା ସହିତ ବଞ୍ଚିବା ଶିଖିବ, ତେବେ ତାହାର ଆଚରଣ ତାଙ୍କ ପରିବାରକୁ ପ୍ରଭାବିତ କରିବ। ଏକ ସୁସଂସ୍କାରିତ ଏବଂ ସମରସ ପରିବାର ଏକ ସୁସ୍ଥ ସମାଜର ମୂଳଦୁଆ ସ୍ଥାପନ କରେ। ସମାଜର ଏକତା ଏବଂ ସମରସତା ଦ୍ୱାରା ହିଁ ଏକ ରାଷ୍ଟ୍ର ଶକ୍ତିଶାଳୀ ହୋଇଥାଏ। ଏହି ବିଚାର ପଞ୍ଚ ପରିବର୍ତ୍ତନର ମୂଳ ସାର। ଆମ ଦେଶର ଇତିହାସ ଅନେକ ଉଦାହରଣରେ ପରିପୂର୍ଣ୍ଣ ଯାହା ଦର୍ଶାଏ ଯେ ପରିବର୍ତ୍ତନ ବ୍ୟକ୍ତିଠାରୁ ଆରମ୍ଭ ହୁଏ। ମହାତ୍ମା ଗାନ୍ଧୀ ଏହାର ଏକ ଜ୍ୱଳନ୍ତ ଉଦାହରଣ। ସେ ତାଙ୍କ ଜୀବନରେ ସତ୍ୟ ଏବଂ ଅହିଂସାକୁ ଗ୍ରହଣ କରିଥିଲେ ଏବଂ ଏହି ଆଚରଣ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ପ୍ରମାଣିତ କରିଥିଲେ ଯେ ଆତ୍ମବଳ ଏବଂ ଆବରଣର ଶକ୍ତି ଅନ୍ୟ ଯେକୌଣସି ହିଂସାତ୍ମକ ଆନ୍ଦୋଳନ ଅପେକ୍ଷା ଅଧିକ ପ୍ରଭାବଶାଳୀ। 
‘ଆପ ଦୀପୋ ଭବ’, ପ୍ରଥମେ ନିଜକୁ ଆଲୋକିତ କର, ତା'ପରେ ତୁମେ ବିଶ୍ୱକୁ ଆଲୋକିତ କରିପାରିବ। ଜଣେ ବ୍ୟକ୍ତିର ଏହି ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ସେ ଉପଭୋଗର ପ୍ରଲୋଭନରୁ ନିଜକୁ ମୁକ୍ତ କରେ ଏବଂ ସରଳତା ଏବଂ ସଂଯମକୁ ଗ୍ରହଣ କରେ। ଉପଭୋଗ କେବଳ ସଂସାଧନକୁ ବିବେକହୀନ ଭାବରେ ଦୋହନ କରିଥାଏ। ଏଥିସହିତ ମନକୁ ଅସନ୍ତୋଷ ଏବଂ ଲୋଭରେ ମଧ୍ୟ ପୂର୍ଣ୍ଣ କରିଥାଏ। ସଂଯମପୂର୍ଣ୍ଣ ଜୀବନ ଆମକୁ ଅନାବଶ୍ୟକ ଖର୍ଚ୍ଚ ଏବଂ ଦେଖାଇ ହେବାରୁ ରକ୍ଷା କରେ ତଥା ଆତ୍ମିକ ସନ୍ତୋଷ ପ୍ରଦାନ କରେ। ଏହି ଦୃଷ୍ଟିକୋଣ କେବଳ ବ୍ୟକ୍ତି ପାଇଁ ନୁହେଁ ବରଂ ସମାଜ ଓ ପରିବେଶ ପାଇଁ ମଧ୍ୟ ଲାଭଦାୟକ। 

Advertisment

ଏହାପରେ ପରିବାରରେ ପରିବର୍ତ୍ତନ ଆବଶ୍ୟକ। ଭାରତୀୟ ସଂସ୍କୃତିରେ ପରିବାର କେବଳ ରକ୍ତ ସମ୍ପର୍କ ନୁହେଁ, ବରଂ ସଂସ୍କାରର ଏକ ବିଦ୍ୟାଳୟ। ଏହା ଏପରି ଏକ ସ୍ଥାନ ଯେଉଁଠାରେ ପିଲାମାନେ ପ୍ରେମ, ସହଯୋଗ, ଦାୟିତ୍ୱ ଏବଂ କର୍ତ୍ତବ୍ୟର ପାଠ ଶିଖନ୍ତି। ଆଜି ସାମାଜିକ କୁପ୍ରଥା ଏବଂ ପାଶ୍ଚାତ୍ୟ ଜୀବନଶୈଳୀର ପ୍ରଭାବରେ ପରିବାରଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଯାଉଛି। ପରିବାର ଭାଙ୍ଗିଯିବା ଦ୍ୱାରା ସମାଜରେ ସମ୍ବାଦ, ଆତ୍ମୀୟତା ଏବଂ ସଂସ୍କାରର ମୂଳକୁ ଦୁର୍ବଳ କରିଦେଉଛି।

ମୋହନ ଭାଗବତ ପରିବାରକୁ ସୁଦୃଢ଼ କରିବା ପାଇଁ କୁଟୁମ୍ବ ପ୍ରବୋଧନର ସଂକଳ୍ପନା ଉପସ୍ଥାପନ କରିଛନ୍ତି। ଏଥିରେ ସେ ବିଶେଷ ଭାବରେ ଛଅଟି କଥା ଉପରେ ଗୁରୁତ୍ୱାରୋପ କରିଛନ୍ତି: ଆଧ୍ୟାତ୍ମିକତାକୁ ବୃଦ୍ଧି କରିବା ପାଇଁ ପରିବାର ସହିତ ଭଜନ ଗାନ ଏବଂ ପ୍ରାର୍ଥନା କରିବା; ସମ୍ବାଦ ବିନିମୟ ଏବଂ ଘନିଷ୍ଠତାକୁ ବୃଦ୍ଧି କରିବା ପାଇଁ ଦିନକୁ ଅତି କମରେ ଥରେ ଏକାଠି ଭୋଜନ କରିବା; ଘରକୁ ଏପରି ଭାବରେ ତିଆରି କର ଯେଉଁଠି ସଂସ୍କୃତି ଏବଂ ମହାପୁରୁଷଙ୍କ ପ୍ରତିଛବିକୁ ପ୍ରତିଫଳିତ ହେଉଥିବ; ଅସ୍ମିତା ଏବଂ ନିଜ ମୂଳ ପିଢ଼ି ସହିତ ସଂଯୋଗ ବଜାୟ ରଖିବା ପାଇଁ କଥାବାର୍ତ୍ତାରେ ମାତୃଭାଷା ବ୍ୟବହାର କରିବା; ପୋଷାକ ପିନ୍ଧିବାରେ ସରଳତା ଏବଂ ସଂସ୍କୃତିର ଝଲକ ; ଏବଂ ନୂତନ ପିଢ଼ିକୁ ଦେଶର ଗୌରବମୟ ପରମ୍ପରା ସହିତ ପରିଚିତ କରାଇବା ପାଇଁ  ଐତିହାସିକ ତଥା ତୀର୍ଥସ୍ଥଳଗୁଡ଼ିକୁ ସମୟ ସମୟରେ ପରିଦର୍ଶନ କରିବା। ସରଳ ମନେ ହେଉଥିବା ଏହି ପଦକ୍ଷେପଗୁଡ଼ିକ ପାରିବାରିକ ପରିବେଶକୁ ପରିବର୍ତ୍ତନ କରିବାର ସମ୍ଭାବନା ରଖେ।

ଦ୍ୱିତୀୟ କଥା ହେଉଛି ପରିବାର ମଧ୍ୟରେ ସମରସତା ସ୍ଥାପନ। ଯେକୌଣସି ରାଷ୍ଟ୍ରର ଶକ୍ତି ନିଜ ସମାଜର ଏକତାରେ ରହିଛି। ଦୁର୍ଭାଗ୍ୟବଶତଃ ଆମ ସମାଜରେ ଜାତିଗତ ବିଭାଜନ ବହୁତ ଗଭୀରକୁ ମାଡ଼ି ଯାଇଛି। ଏହି ବିଭାଜନ ଆମର ସ୍ୱାଭାବିକ ଜୀବନର ଅଂଶ ନଥିଲା। ବିଦେଶୀ ଆକ୍ରମଣକାରୀ ଏବଂ ଉପନିବେଶବାଦୀ ଶାସକମାନେ ଜାଣିଶୁଣି ଏହାକୁ ପ୍ରୋତ୍ସାହିତ କରିଥିଲେ; ସେମାନେ ଆମର ଦୁର୍ବଳତାରୁ ଫାଇଦା ଉଠାଇ ଆମକୁ ନିଜ ମଧ୍ୟରେ ବିଭାଜିତ କରିଥିଲେ। ଏହା କେବଳ ସମାଜକୁ ଦୁର୍ବଳ କରିନଥିଲା ବରଂ ଆମର ଅର୍ଥନୀତି ଏବଂ ସଂସ୍କୃତିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା।

ଡକ୍ଟର ବାବାସାହେବ ଆମ୍ବେଦକର ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେ ହିନ୍ଦୁ ଧର୍ମର ବିରୋଧୀ ନଥିଲେ, ବରଂ ଏଥିରେ ପ୍ରଚଳିତ କୁସଂସ୍କାରଗୁଡ଼ିକୁ ଦୂର କରିବାକୁ ଚାହୁଁଥିଲେ। ସେ ବିଶ୍ୱାସ କରୁଥିଲେ ଯେ ସାମାଜିକ ନ୍ୟାୟ ଏବଂ ସମାନତା ବିନା ରାଷ୍ଟ୍ରର ପ୍ରଗତି ହୋଇପାରିବ ନାହିଁ। ତାଙ୍କ ଜୀବନ ଏବଂ ସଂଘର୍ଷ ଆମକୁ ଶିକ୍ଷା ଦିଏ ଯେ ସାମାଜ ପରିବର୍ତ୍ତନ କେବଳ ଆଇନ କିମ୍ବା ଦଣ୍ଡ ମାଧ୍ୟମରେ ନୁହେଁ, ବରଂ ଦୃଷ୍ଟିକୋଣରେ ପରିବର୍ତ୍ତନ ମାଧ୍ୟମରେ ଆସେ। ସମାଜକୁ ଏକାଠି କରିବା ପାଇଁ  ସଂଘ ପ୍ରତିଷ୍ଠା ହେବା ଦିନଠାରୁ ‘ସମତା’, ‘ମମତା’ ଏବଂ ‘ସମରସତା’ ନୀତି ଗ୍ରହଣ କରିଛି। ଏହି ଆଭିମୁଖ୍ୟ କାହାକୁ ଚାପ ପକାଇବା କିମ୍ବା ଦ୍ୱନ୍ଦ୍ୱ ସୃଷ୍ଟି କରିବା ବିଷୟରେ ନୁହେଁ, ବରଂ ହୃଦୟକୁ ପରିବର୍ତ୍ତନ କରିବା ବିଷୟରେ ଥିଲା। ଅନେକ ସେବା କାର୍ଯ୍ୟକଳାପ ମାଧ୍ୟମରେ ସଂଘ ଜାତି ଏବଂ ପନ୍ଥର ଉପରକୁ ଉଠି ସମାଜର ବଞ୍ଚିତ ବର୍ଗ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ୱାଭିମାନ ପ୍ରଦାନ କରିଛି। ବନବାସୀ କଲ୍ୟାଣ ଆଶ୍ରମ ଏବଂ ସେବା ଭାରତୀ ଭଳି ସଂଗଠନ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଜନଜାତି ଏବଂ ବଂଚିତ ବର୍ଗ ପାଇଁ ସ୍କୁଲ, ହସ୍ପିଟାଲ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜକୁ ମଜବୁତ କରିଛି। 

ଚତୁର୍ଥଟି ହେଉଛି ପ୍ରକୃତି ସହିତ ଆମ ସମ୍ପର୍କରେ ପରିବର୍ତ୍ତନ: ଆଧୁନିକ ବିକାଶ ପାଇଁ ଅନ୍ଧ ଦୌଡ଼ ଆମକୁ ପ୍ରକୃତିଠାରୁ ଦୂରେଇ ଦେଇଛି। ଜଙ୍ଗଲ କଟାଯାଉଛି, ନଦୀ ଶୁଖିଯାଉଛି, ବାୟୁ ଏବଂ ମାଟି ପ୍ରଦୂଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ମାନବତାର ଅସ୍ତିତ୍ୱକୁ ବିପଦରେ ପକାଇଛି। ଭାରତୀୟ ସଂସ୍କୃତି ପ୍ରକୃତିକୁ ‘ମାତା’ର ମାନ୍ୟତା ଦେଇଛି। ମାତା ଭୂମି ପୁତ୍ରହଂ ପୃଥିବ୍ୟା। ଏଥିପାଇଁ ଆମକୁ ପ୍ରକୃତି ସହିତ ଉପଭୋଗ ନୁହେଁ ସହଜୀବନର ସମ୍ପର୍କ ବିକଶିତ କରିବାକୁ ପଡ଼ିବ। 

ମୋହନ ଭାଗବତଙ୍କ ବୃକ୍ଷରୋପଣ, ପାଣି ସଂରକ୍ଷଣ ଏବଂ ପଲିଥିନ୍ ବର୍ଜନ ପାଇଁ ଆହ୍ୱାନ କେବଳ ଏକ ପରିବେଶ ସୁରକ୍ଷା ଅଭିଯାନର ସ୍ଲୋଗାନ ନୁହେଁ, ବରଂ ଜୀବନ ଜିଇଁବାର ଏକ ବାର୍ତ୍ତା। ଶକ୍ତି ସଂରକ୍ଷଣ, ଜଳର ବିବେକପୂର୍ଣ୍ଣ ବ୍ୟବହାର ଏବଂ କ୍ଷତିକାରକ ରାସାୟନିକ ପଦାର୍ଥରୁ ବଞ୍ଚାଇବା କେବଳ ସରକାରୀ ପଦକ୍ଷେପ ଦ୍ୱାରା ନୁହେଁ, ବରଂ ସାଧାରଣ ଲୋକଙ୍କ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ସମ୍ଭବ ହେବ। ଚିପକୋ ଆନ୍ଦୋଳନର ମହିଳାମାନେ ବୃକ୍ଷର ସୁରକ୍ଷା ପାଇଁ ଗଛକୁ ନିଜ ଶରୀର ଦ୍ୱାରା ଆବୃତ୍ତ କରି ରଖିଥିଲେ, ଏହା ଦର୍ଶାଏ ଯେ ପ୍ରକୃତି ସଂରକ୍ଷଣ କେବଳ ଏକ ସାମୂହିକ ସଂକଳ୍ପ ଦ୍ୱାରା ସଫଳ ହୋଇପାରେ।

ପଞ୍ଚ ପରିବର୍ତ୍ତନର ଅନ୍ତିମ ଆୟାମ ହେଉଛି ରାଷ୍ଟ୍ର ଜୀବନରେ ପରିବର୍ତ୍ତନ। ରାଷ୍ଟ୍ର କେବଳ ଏକ ଭୌଗୋଳିକ ସତ୍ତା ନୁହେଁ; ଏହା ଇତିହାସ, ସଂସ୍କୃତି ଏବଂ ପରମ୍ପରାର ଏକ ଜୀବନ୍ତ ପ୍ରବାହ। ରାଷ୍ଟ୍ର ସେତେବେଳେ ଶକ୍ତିଶାଳୀ ହେବ ଯେତେବେଳେ ନିଜର ନାଗରିକମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଜାଗ ହେବେ ଏବଂ ବ୍ୟକ୍ତିଗତ ସ୍ୱାର୍ଥରୁ ଉପରକୁ ଉଠି ରାଷ୍ଟ୍ରୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବେ। ଯେତେବେଳେ ସମାଜ ସଂଗଠିତ, ସ୍ୱାବଲମ୍ବୀ ଏବଂ କର୍ତ୍ତବ୍ୟପରାୟଣ ହେବ, ସେତେବେଳେ ହିଁ ରାଷ୍ଟ୍ର ସମୃଦ୍ଧ ଏବଂ ସୁରକ୍ଷିତ ହେବ।

ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମକୁ ସୂଚାଇ ଦିଏ ଯେ ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କ ଛୋଟ ଛୋଟ ବଳିଦାନ ଭାରତକୁ ସ୍ୱାଧୀନତା କରାଇଥିଲା। ଏହି ସମର୍ପଣ ଏବଂ ତ୍ୟାଗ ହେଉଛି ରାଷ୍ଟ୍ର ଜୀବନର ପରିବର୍ତ୍ତନର ଆଧାର। ଆଜି ଆମ ପାଇଁ ପୁଣି ସେହି ଭାବନାର ଆବଶ୍ୟକତା ରହିଛି। ଆମକୁ ବିଦ୍ୟୁତ୍‌, ଜଳ, ପ୍ରାକୃତିକ ସମ୍ପଦ ଏବଂ ଦେଶର ପ୍ରତ୍ୟେକ ସଫଳତାକୁ ଆଦର କରିବା ଉଚିତ। ଆମେ ବିଦ୍ୟୁତ୍‌, ଜଳ, ପ୍ରାକୃତିକ ସମ୍ପଦ ଏବଂ ଦେଶର ପ୍ରତ୍ୟେକ ଉପଲବ୍ଧିକୁ ରାଷ୍ଟ୍ରୀୟ ଐତିହ୍ୟ ଭାବରେ ବ୍ୟବହାର କରି ସଂରକ୍ଷଣ କରିପାରିଲେ ତାହାକୁ ବଞ୍ଚାଇ ପାରିବା। 

ପଞ୍ଚ ପରିବର୍ତ୍ତନ କେବଳ ଏକ ସିଦ୍ଧାନ୍ତ ନୁହେଁ, ବରଂ ଏକ ଜୀବନ ଜିଇବାର ସମଗ୍ର ପଦ୍ଧତି। ଏହା ଆମକୁ କହେ ଯେ ଭୌତିକ ସୁଖ ସୁବିଧାରୁ ଆଗକୁ ଗଲେ ଜୀବନ ସାର୍ଥକତା ହୋଇଥାଏ। ଆତ୍ମସଂଯମ, ପରିବାରରେ ପ୍ରେମ ଏବଂ ସଂସ୍କାର, ସମାଜରେ ସମରସତା, ପ୍ରକୃତି ସହିତ ସନ୍ତୁଳନ ଏବଂ ରାଷ୍ଟ୍ରହୀତର ଭାବନା - ଏସବୁ ମିଶି କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଶାନ୍ତି, ସନ୍ତୁଳନ ଏବଂ ସମୃଦ୍ଧି ଆଡ଼କୁ ନେଇଯାଇପାରିବ। ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଶ୍ୱକୁ ପଥ ଦେଖାଇଛି। 

ଆଜି ଆମକୁ ଆମର ମୂଳକୁ ଫେରିବା ସହିତ ଆମ ଜୀବନରେ ପଞ୍ଚ ପରିବର୍ତ୍ତନର ନୀତିଗୁଡ଼ିକୁ ଗ୍ରହଣ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା ଭାରତ କେବଳ ନିଜର ସଙ୍କଟକୁ ଦୂର କରିବ ନାହିଁ ବରଂ ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ। ଏହି  ହେଉଛି ସେହି ମାର୍ଗ, ଏହି ମାର୍ଗରେ ଚାଲି  ଭାରତ ପୁଣି ଥରେ ‘ବିଶ୍ୱଗୁରୁ’ ଭୂମିକା ତୁଲାଇ ପାରିବ।

ଏଫ୍‌-୩୫, ୟୁନିଟ-୩, ଖାରବେଳନଗର, ଭୁବନେଶ୍ୱର, ମୋ-୯୮୬୧୦୬୯୫୫୩

Rss RSS Chief