ଜଳ ସଂରକ୍ଷଣ ଜୀବନ ସଂରକ୍ଷଣ!

ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ ଏସିଆର ସପ୍ତମ ବୃହତ୍ତମ ଦେଶ ଓ ଦ୍ୱିତୀୟ ସର୍ବାଧ‌ିକ ବୃଷ୍ଟିପାତ ହେଉଥିବା ରାଷ୍ଟ୍ର। ଏହା ସତ୍ତ୍ୱେ ଏହା ଅଷ୍ଟମ ଦେଶ ଯାହାକି ମାରାତ୍ମକ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ ଯଦି ଏବେଠାରୁ ଭାରତର ଜଳ ସଙ୍କଟ ଦୂରୀକରଣ ପାଇଁ ଅଭିଯାନ ଆରମ୍ଭ ନ କରାଯାଏ ତା’ହେଲେ ଆଗାମୀ ବର୍ଷରେ ଭାରତକୁ ଜଳ ଆମଦାନୀ କରିବାକୁ ପଡ଼ିପାରେ।

Water Crisis

Water Crisis

Debendra Prusty
  • Published: Saturday, 22 March 2025
  • , Updated: 22 March 2025, 12:00 PM IST

ଡ. ରୀନା ରାଉତରାୟ, ପରିବେଶ ବିଜ୍ଞାନୀ

ପୃଥିବୀର ଦୁଇ ତୃତୀୟାଂଶ ଜଳ। ସେଥି ମଧ୍ୟରୁ ଶତକଡ଼ା ତିନି ଭାଗ ମଧୁର ଜଳ ଏବଂ ମାତ୍ର ଶତକଡ଼ା ଏକ ଭାଗ ପାନୀୟ ଜଳ। ସେହିପରି ମନୁଷ୍ୟର ଶରୀରର ଶତକଡ଼ା ୬୦ ଭାଗ ଜଳ।

ଏକ ଗବେଷଣାରୁ ଜଣା ଯାଇଛି ମନୁଷ୍ୟର ମସ୍ତିଷ୍କ ଓ ହୃଦୟ ଶତକଡ଼ା ୭୩ ଭାଗ ଜଳରେ ତିଆରି, ଚର୍ମରେ ୬୪ ଏଵଂ ମାଂସପେଶୀ, ବୃକକ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଶତକଡ଼ା ୭୯ ଭାଗ ଜଳ, ଏପରିକି ଆମର ଅସ୍ଥି ସମୂହ ମଧ୍ୟ ଶତକଡ଼ା ୩୧ ଭାଗ ଜଳରେ ତିଆରି।

ଏ ସବୁ କହିବାର ଅର୍ଥ ହେଲା ଆମ ଜୀବନ ପାଇଁ ଜଳ କେତେ ଜରୁରୀ ଓ ଏହାର ସଂରକ୍ଷଣ ଏବଂ ଦୂଷିତ ହେବାରୁ ରକ୍ଷା କରିବା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ତାହାକୁ ହୃଦୟଙ୍ଗମ କରିବାର ସମୟ ଆସିଛି।

ବିଶ୍ଵରେ କୋଟି କୋଟି ଲୋକ ଅଛନ୍ତି। ଯେଉଁମାନେ ପିଇବା ପାଣି ଟୋପେ ଠିକ୍ ଭାବରେ ପାଇପାରୁନାହାନ୍ତି। ଯଦି ବା କିଛି ପାଉଛନ୍ତି ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ। କେଉଁଠି ପିଇବା ପାଣି ପାଇଁ ହିଂସାତ୍ମକ ପ୍ରତିକ୍ରିୟା ତ ଆଉ କେଉଁଠି ଶହ ଶହ ଲିଟର ପାଣି ନଷ୍ଟ ହେଉଛି। ଜଳ କ୍ଲିଷ୍ଟ ଅଂଚଳରେ ମହିଳାମାନେ ମାଇଲ୍ ମାଇଲ୍ ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଣି ସଂଗ୍ରହରେ ଯାଉଛନ୍ତି। ଜୀବଜନ୍ତୁଙ୍କ କଥା ତ ବହୁ ଦୂରରେ। ସେମାନଙ୍କର ପାଟି ଫିଟୁନଥିବାରୁ ଆମେ ତାଙ୍କ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରିବାରେ ଲାଗିଛୁ।

ଜଳର ଅପବ୍ୟବହାର ହିଁ ଜଳ ସଙ୍କଟର ପ୍ରମୁଖ କାରଣ। ଜୀବଜଗତକୁ ଜଳ ସଙ୍କଟରୁ ରକ୍ଷା କରିବା ବର୍ତ୍ତମାନ ସମୟର ଆହ୍ୱାନ। ଆମେ ଯେତେବେଳେ ଜଳ ସଙ୍କଟ ବିଷୟରେ ଆଲୋଚନା କରୁଛୁ ସେତେବେଳେ ଏହାର କାରଣ ଓ ସଂରକ୍ଷଣ କଥା ମନରେ ଆସୁଛି।

ଗଚ୍ଛିତ ଜଳକୁ ଆମେ ପ୍ରଦୂଷଣ ମୁକ୍ତ ରଖି ସୁପରିକଳ୍ପିତ ଭାବରେ ବଣ୍ଟନ କରିପାରିବା ତେବେ ବର୍ତ୍ତମାନର ବର୍ଦ୍ଧିତ ଜନସଂଖ୍ୟାର ପାନୀୟ ଜଳର ଚାହିଦା ମେଣ୍ଟାଯାଇପାରିବ। ମାତ୍ର ଦୁର୍ଭାଗ୍ୟର ବିଷୟ ଭାରତର ୮୦% ଜଳର ଉତ୍ସ ଅତିମାତ୍ରାରେ ପ୍ରଦୂଷିତ। ବଡ଼ ବଡ଼ ସହରମାନଙ୍କରେ ବର୍ଜ୍ୟବସ୍ତୁ ଏବଂ ଗୃହରୁ ନିଷ୍କାସିତ ବ୍ୟବହୃତ ଜଳ ସିଧାସଳଖ ଯାଇ ନଦୀ, ନାଳ ଓ ସମୁଦ୍ର ମଧ୍ୟରେ ମିଶି ଏହାକୁ ଦୂଷିତ କରିବା ସହିତ ଭୂତଳ ଜଳର ଉତ୍ସକୁ ମଧ୍ୟ ଦୂଷିତ କରିବାରେ ଲାଗିଛି।

ଏକ ସର୍ଭେରୁ ଜଣାପଡ଼ିଛି ଯେ ସାରା ଭାରତରେ ମାତ୍ର ୨୬୯ଟି ଜଳ ବିଶୋଧନାଗାର ରହିଛି। ଏଥି ମଧ୍ୟରୁ ପ୍ରଥମ ଶ୍ରେଣୀ ସହରରେ ୨୧୧ଟି, ଦ୍ଵିତୀୟ ଶ୍ରେଣୀ ସହରରେ ୩୧ଟି ଏବଂ ଅନ୍ୟ ଛୋଟ ଛୋଟ ସହରରେ ୨୭ଟି ରହିଛି।

ନଦୀ ଉପକୂଳରେ ଗଢ଼ି ଉଠିଥିବା ବଡ଼ ବଡ଼ ସହରଗୁଡ଼ିକ ସେମାନଙ୍କ ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ବିଶୋଧନ ନ କରି ନଦୀରେ ଫିଙ୍ଗୁଛନ୍ତି ଏବଂ ସେଠି ଗଢ଼ି ଉଠିଥ‌ିବା ଶିଳ୍ପ କାରଖାନା ଗୁଡ଼ିକରୁ ନିର୍ଗତ ଦୂଷିତ ଜଳକୁ ମଧ୍ୟ ସଠିକ୍ ଭାବରେ ବିଶୋଧନ ନକରି ନଦୀଗୁଡ଼ିକ ସହିତ ସଂଯୋଗ କରାଯାଉଛି।

ସର୍ଭେରୁ ଜଣାପଡ଼ିଛି କି ଭୁବନେଶ୍ଵରରେ ଅବସ୍ଥିତ ୮୮ଟି ଶିଳ୍ପ କାରଖାନା ଗୁଡ଼ିକରୁ ୩୪ଟି ଶିଳ୍ପ କାରଖାନା ଜଳ ପ୍ରଦୂଷଣକାରୀ। ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ଏହାର ନିର୍ଗତ ବିପଦଜ୍ଜନକ ରାସାୟନିକ ତରଳ ପଦାର୍ଥକୁ ବିନା ବିଶୋଧକରଣରେ ନିକଟସ୍ଥ କୁଆଖାଇ ଓ ଦୟା ନଦୀ ମଧ୍ୟରେ ନିକ୍ଷେପ କରୁଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁଯାୟୀ ଓଡ଼ିଶାର ଚାରୋଟି ପ୍ରମୁଖ ନଦୀ ବ୍ରାହ୍ମଣୀ, କାଠଯୋଡ଼ି, କୁଆଖାଇ ଓ ମହାନଦୀ ଭାରତର ଦଶଟି ଅତି ପ୍ରଦୂଷିତ ନଦୀମାନଙ୍କ ମଧ୍ୟରେ ଅନ୍ୟତମ।

ଜଳର ସମାନ ଆବଣ୍ଟନ

ସାରା ବିଶ୍ଵରେ ଯେତିକି ଜଳର ଉତ୍ସ ରହିଛି ତାହା ଯଦି ସମାନ ଭାବରେ ବଣ୍ଟାଯାଇପାରିବ, ତା'ହେଲେ ମଧ୍ୟ ଜଳ ସଙ୍କଟ ବହୁ ମାତ୍ରାରେ ଦୂର ହୋଇପାରିବ। ଯେମିତିକି ଆଫ୍ରିକା ମହାଦେଶର ମଧ୍ୟ ଭାଗରେ ଜଳ ବିଦ୍ୟୁତ୍ ଉତ୍ପନ୍ନ ହୋଇପାରୁଥିବାବେଳେ ଏହାର ଉତ୍ତରରେ ସାହାର ମରୁଭୂମିର ଜଳକ୍ଲିଷ୍ଟ ସର୍ବଜନ ବିଦିତ। ସେମିତି ଭାରତର ଉତ୍ତର ପୂର୍ବରେ ସବୁଠୁ ଅଧିକା ବର୍ଷା (୧,୧୮୭ cm) ହେଉଥିବାବେଳେ ତାର ଶତକଡ଼ା ୬୦ ଭାଗ ଜଳ ବ୍ରହ୍ମପୁତ୍ରରୁ ବୋହିଯାଇ ସମୁଦ୍ରରେ ମିଶୁଛି ଅଥଚ ପଶ୍ଚିମ ରାଜସ୍ଥାନର ସବୁ ନଦୀ ଶୁଖୁଲା ପଡ଼ିଛି। ତେଣୁ ଉପଯୁକ୍ତ ସଂଯୋଗୀକରଣ କେନାଲ ତିଆରି କରାଯାଇ ଜଳର ସମାନ ଆବଣ୍ଟନ ସହିତ ବୋହିଯାଉଥବା ବର୍ଷା ଜଳକୁ ଉପଯୁକ୍ତ ବିନିଯୋଗ କରାଯାଇପାରିଲେ ଏହି ସଙ୍କଟ ଦୂର କରାଯାଇପାରିବ। ଇନ୍ଦିରା କେନାଲ ଯାହାଦ୍ୱାରା ହିମାଳୟରୁ ପଶ୍ଚିମ ରାଜସ୍ଥାନ ପର୍ଯ୍ୟନ୍ତ ଜଳ ପହଂଚି ପାରୁଛି ଏହାର ଏକ ସଫଳ ଉଦାହରଣ। ବୋହିଯାଉଥିବା ବର୍ଷାଜଳକୁ ବୋହିବାକୁ ନଦେଇ ଜଳାଶୟରେ ରଖ୍ କୃଷି, ଶିଳ୍ପ ବା ସହରାଞ୍ଚଚଳକୁ ଯୋଗାଇ ଦିଆଯାଇପାରନ୍ତା।

ପୁରାତନ ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର

ଦେଶରେ ବହୁ ସଂଖ୍ୟାରେ ପୁରାତନ କୂଅ, ପୋଖରୀ, ନାଳ ଏମିତିକି ନଦୀ ସମୟାନୁକ୍ରମେ ପୋତି ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଜଳ ସଂରକ୍ଷଣ ଲାଗି ନୂଆ ବ୍ୟବସ୍ଥା ଅପେକ୍ଷା ପୁରୁଣା ବ୍ୟବସ୍ଥାର ପୁନରୁଦ୍ଧାର କରିବାରେ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ।

ଐତିହାସିକ ଜଳଉତ୍ସ ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଅଭିଯାନ ଆରମ୍ଭ ହେବା ଦରକାର। ଭୁବନେଶ୍ଵରସ୍ଥିତ ଗଙ୍ଗୁଆ ନାଳ ବୋଲି କୁହାଯାଉଥିବା ନାଳଟି ବାସ୍ତବରେ ଏକ ନଦୀ ଥିଲା। କାଳକ୍ରମେ ତାହା ପୋତି ହୋଇ ନାଳର ରୂପ ନେଇଛି। ଭୁବନେଶ୍ଵରରେ ଚତୁଃପାର୍ଶ୍ଵରେ ଥ‌ିବା ଚାରୋଟି ବୃହତ ଜଳଉତ୍ସର ପୁନରୁଦ୍ଧାର କରାଯାଇପାରିଲେ ଭୁବନେଶ୍ଵର ସହରରେ ଜଳର ସଙ୍କଟ ରହିବ ନାହିଁ। ବହୁ ସଂଖ୍ୟାରେ ପାରମ୍ପରିକ ତଳର ଉତ୍ସ ତଥା ବଡ଼ ବଡ଼ ମନ୍ଦିର, ସମ୍‌ଜିଦ ଓ ରାଜବାଟୀ ମଧ୍ୟରେ ଥିବା ବାମ୍ପି, କୂଅ ଓ ବଡ଼ ବଡ଼ ପୋଖରୀର ପୁନରୁଦ୍ଧାର କରି ଏହାକୁ ପାନୀୟ ଉପଯୋଗୀ କରିବା ସହିତ ଭୂତଳ ଜଳକୁ ମଧ୍ୟ ରିଚାର୍ଜ କରାଯାଇପାରିବ।

ଶିଳ୍ପାନୁଷ୍ଠାନ ଉପରେ କଡ଼ା ନିୟମ ଓ ଆଇନ ପ୍ରଣୟନ

ବିଶ୍ଵର ସମୁଦାୟ ଶତକଡ଼ା ୨୩% ସ୍ୱଚ୍ଛ ଜଳ କେବଳ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ବ୍ୟବହୃତ ହୋଇଥାଏ। ଯାହାର ଶତକଡ଼ା ୭୫ ଭାଗ ଭୂପୃଷ୍ଠ ଉପରେ ଥିବା ଜଳର ଉତ୍ସ ଯୋଗାଇଥାଏ। ବାକି ୨୫ ଭାଗ ଭୂତଳ ଜଳ ଉତ୍ସରୁ ଆସିଥାଏ। ଗୋଟିଏ ଟନ୍ ଇସ୍ପାତ ତିଆରି ହେବାକୁ ୩୦୦ ଟନ୍ ଜଳର ଦରକାର ହୋଇଥାଏ। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରଚୁର ପରିମାଣ ସ୍ଵଚ୍ଛ ଜଳ ବ୍ୟବହୃତ କରିବା ସହିତ ଏହାର ପ୍ରଦୂଷଣର କାରଣ ମଧ୍ୟ ହୋଇଥାଏ। ତେଣୁ ଶିଳ୍ପାନୁଷ୍ଠାନ ଗୁଡ଼ିକର ଭୂତଳ ଜଳର ଦୁଃବ୍ୟବହାର ଉପରେ ଆଇନଗତ ନିୟନ୍ତ୍ରଣ କରିବା ସହିତ ବ୍ୟବହୃତ ଜଳର ବିଶୋଧନ ଓ ପୁନର୍ବ୍ୟବ‌ହାର ବାଧ୍ୟତା ମୂଳକ କରିବା ଉଚିତ। ଏତଦ୍‍ବ୍ୟତୀତ ବୋହିଯାଉଥୁବା ବର୍ଷାଜଳକୁ ସଂରକ୍ଷଣ କରି ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିବା ଉଚିତ।

ନଗର ପାଳିକା ଓ ମହାନଗର ନିଗମ ଅଞ୍ଚଳରେ ଥିବା ବୃହତ ଅଟ୍ଟାଳିକା ଗୁଡ଼ିକରେ ବର୍ଷାଜଳ ଅମଳ ଓ ସଂରକ୍ଷଣକୁ ବାଧ୍ୟତାମୂଳକ କରାଯିବା ସହିତ ପ୍ରତିଟି ଜନସାଧାରଣ ଜଳର ଉପଯୁକ୍ତ ବିନିଯୋଗ କରିବା ସହିତ ଜଳ ସଂରକ୍ଷଣ ନିମନ୍ତେ ସଚେତନ ହେବା ପାଇଁ ପାଣି ମିଟର ମଧ୍ୟ ବାଧ୍ୟତାମୂଳକ ହେବା ଉଚିତ।

ରାଜସ୍ଥାନର ଆଭ୍ୟନ୍ତରୀଣ ଛୋଟ ଛୋଟ ଗାଁ ଗୁଡ଼ିକରେ ଗାଁ ଶେଷ ମୁଣ୍ଡରେ ଖାଲି ପଡ଼ିଥିବା ପଡ଼ିଆ ଜମିରେ ଛୋଟ ଛୋଟ ଗାତ କରି ସେମାନେ ବର୍ଷା ଜଳକୁ ସଂରକ୍ଷଣ କରିଥାନ୍ତି। ଏତଦ୍ୱାରା ସେହି ଜାଗାର ଭୂତଳ ଜଳ ହ୍ରାସ କମ୍ ହେବା ସହିତ ସେହି ଗାଁର ସବୁଜ ବଳୟ ସୃଷ୍ଟି ହୋଇପାରୁଛି। ଏହିପରି ଛୋଟ ଛୋଟ ପାରମ୍ପରିକ ପଦ୍ଧତି ଅନୁସାରେ ଗାଁ ଗଣ୍ଡା ମାନଙ୍କରେ ମଧ୍ୟ ଜଳ ସଂରକ୍ଷଣର ବ୍ୟବସ୍ଥା ହୋଇପାରିବ।

କଂକ୍ରିଟ୍ ସହରର ସୃଷ୍ଟି ପାଇଁ ବ୍ୟାପକ ବୃକ୍ଷ ଛେଦନ ନିଷିଦ୍ଧ କରାଯିବା ଉଚିତ। ବିଦେଶରେ ଗଛକୁ ନ କାଟି ମଧ୍ୟ ରାସ୍ତା ଓ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ ସ୍ଵତନ୍ତ୍ର ପ୍ରକାରର ପ୍ରକଳ୍ପକୁ। ଯେଉଁମାନେ ପିଇବା ପାଣି ଟୋପେ ଠିକ୍ ଅନୁସରଣ କରାଯାଉଛି। ଅତ୍ୟାବଶ୍ୟକ କ୍ଷେତ୍ରରେ ଯେତିକି ବୃକ୍ଷ କଟାଯାଉଛି ତା'ର ଦୁଇଗୁଣ ଗଛ ଲଗାଯିବା ଦରକାର। ବ୍ୟାପକ ବୃକ୍ଷରୋପଣ କରାଯିବା ସହିତ ଜଙ୍ଗଲର ସୁରକ୍ଷା ଓ ବହୁ ସଂଖ୍ୟାରେ ସବୁଜ ଜଙ୍ଗଲ ସୃଷ୍ଟି କରାଯିବା ଉଚିତ୍। ବୃକ୍ଷ ସମ୍ପ୍ରଦାୟ ପରିବେଶକୁ ଶୀତଳ ରକ୍ଷା କରିବା ସହିତ ଏହାକୁ ବିଶୁଦ୍ଧ ମଧ୍ୟ କରିଥାଏ। ବ୍ୟାପକ ବୃକ୍ଷ ଛେଦନ ଓ ଜଙ୍ଗଲ ଧ୍ୱଂସ ହିଁ ଭୂମଣ୍ଡଳ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ଅଟେ। ତେଣୁ ବ୍ୟାପକ ଭାବରେ ବୃକ୍ଷ ରୋପଣ କରି ପୃଥିବୀର ସବୁଜ ବଳୟକୁ ପୁନଃ ପ୍ରତିଷ୍ଠା ଓ ସୁରକ୍ଷିତ କରିବା ନିହାତି ଜରୁରୀ।

କୃଷି କ୍ଷେତ୍ରରେ ଉନ୍ନତ ମାନର ମରୁଡ଼ି ନିରୋଧକ ବିହନର ବହୁଳ ବ୍ୟବହାର କରିବା ସହିତ ସେଚନ, ଛିଞ୍ଚନ ଇତ୍ୟାଦି ଅତ୍ୟାଧୁନିକ ଜଳ ସଂରକ୍ଷଣ ସହଯୋଗୀ ଯନ୍ତ୍ରପାତିର ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟି କରାଯିବା ଉଚିତ୍। କୃଷି କ୍ଷେତ୍ରରେ ଯେ ସର୍ବଦା ମଧୁର ଜଳ ବ୍ୟବହାର ଏକାନ୍ତ ଜରୁରୀ ତା' ନୁହେଁ। ସମୁଦ୍ରର ଲୁଣି ପାଣିକୁ ଅନେକ କ୍ଷେତ୍ରରେ ଆମେ କୃଷିରେ ବ୍ୟବହାର କରିପାରିବା। ତେଣୁ କୃଷି କ୍ଷେତ୍ରରେ ଲୁଣି ପାଣିର ବ୍ୟବହାର ସମ୍ପର୍କରେ ଗବେଷଣା ଓ ଜନ ସଚେତନତା ସୃଷ୍ଟି ହେବା ଦରକାର।

ସମୁଦ୍ରର ଲବଣାକ୍ତ ଜଳକୁ ବ୍ୟବହାର ଉପ‌ଯୋଗୀ କରାଯିବାର ପଦ୍ଧତି ବ୍ୟୟବହୁଳ ହେଲେ ମଧ୍ୟ ଆଗାମୀ ଦିନର ଆବଶ୍ୟକତାକୁ ଆଖିରେ ରଖୁ ଏହାକୁ କମ୍ ଖର୍ଚ୍ଚରେ କରିବା ପାଇଁ ଗବେଷଣାମାନ ଜାରିରହିଛି।

ଅନେକ କ୍ଷେତ୍ରରେ ଉଷ୍ମ ପ୍ରସ୍ରବଣ ଗୁଡ଼ିକର ଜଳ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ସେହି ଜଳର ବିଶୋଧନ କରାଯାଇ ବ୍ୟବହାର ଉପଯୋଗୀ କରାଯାଇପାରେ।

ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ ଏସିଆର ସପ୍ତମ ବୃହତ୍ତମ ଦେଶ ଓ ଦ୍ୱିତୀୟ ସର୍ବାଧ‌ିକ ବୃଷ୍ଟିପାତ ହେଉଥିବା ରାଷ୍ଟ୍ର। ଏହା ସତ୍ତ୍ୱେ ଏହା ଅଷ୍ଟମ ଦେଶ ଯାହାକି ମାରାତ୍ମକ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ ଯଦି ଏବେଠାରୁ ଭାରତର ଜଳ ସଙ୍କଟ ଦୂରୀକରଣ ପାଇଁ ଅଭିଯାନ ଆରମ୍ଭ ନ କରାଯାଏ ତା’ହେଲେ ଆଗାମୀ ବର୍ଷରେ ଭାରତକୁ ଜଳ ଆମଦାନୀ କରିବାକୁ ପଡ଼ିପାରେ। ଭାରତର ପ୍ରତ୍ୟେକ ସହର ମହାରାଷ୍ଟ୍ରର ଲାଟୁର ପାଲଟି ଯାଇପାରେ।

ସର୍ବ ଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଛୋଟିଆ ଛୋଟିଆ ପଦକ୍ଷେପ ଜଳ ସଂରକ୍ଷଣରେ ଏକ ବିରାଟ ଭୂମିକା ନେଇ ପାରିବ। ତେଣୁ ଆଜି ବିଶ୍ୱ ଜଳ ସଂରକ୍ଷଣ ଦିବସରେ ଆସନ୍ତୁ ଆମେ ଜଳ ସଂରକ୍ଷଣ ପାଇଁ ଶପଥ ନେବା।

୧. ଅନାବଶ୍ୟକ ଜଳ ଅପଚୟ ରୋକିବା।

୨. ବର୍ଷାଜଳ ସଂଗ୍ରହ ପଦ୍ଧତି ଗ୍ରହଣ କରିବା।

୩. ନଦୀ, ଝରଣା, ଏବଂ ଜଳାଶୟଗୁଡ଼ିକୁ ସଫା ଏବଂ ସୁରକ୍ଷିତ ରଖିବାରେ ସହଯୋଗ କରିବା।

୪. ଅଧିକ ପରିମାଣରେ ଗଛ ଲଗାଇବା। କାରଣ ଜଳ ସଂରକ୍ଷଣରେ ଗଛର ଭୂମିକା ଗୁରୁତ୍ୱପୂର୍ଣ୍ଣ।

୫. ଜଳକୁ ପୁନଃଉପଯୋଗ କରିବା ଏବଂ ଦୂଷିତ ହେବାରୁ ରକ୍ଷା କରିବା।

ଭୁବନେଶ୍ୱର, ଦୂରଭାଷ-୯୪୩୮୨୭ ୨୧୫ ୨

Related story