Advertisment

Scientific Temper: ବିଜ୍ଞାନର ବିକାଶ ପାଇଁ ବୈଜ୍ଞାନିକ ମନୋଭାବ ଅତ୍ୟନ୍ତ ଜରୁରୀ

ଆଜି ସ୍ୱାଧୀନତାର ୭୭ ବର୍ଷ ପରେ ଦେଶରେ ବିଜ୍ଞାନ ଓ ଗବେଷଣାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ମନେହେଉଛି । ସରକାରରେ ଥିବା ଲୋକେ ଖୋଲାଖୋଲି ଭାବେ ବିଜ୍ଞାନକୁ ଅଣଦେଖା ଓ ତାତ୍ସଲ୍ୟ କରି ତା’ରି ବଦଳରେ ଅପବିଜ୍ଞାନକୁ ପ୍ରୋତ୍ସାହିତ କରିବା ଦେଖାଯାଇଛି ।

author-image
Bhalachandra Shadangi
Science
  • ଭାଲଚନ୍ଦ୍ର ଷଡ଼ଙ୍ଗୀ 

ବର୍ଷଟି ୧୯୨୧ ଥିଲା । ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ (ସି. ଭି. ରମଣ) ଜାହାଜରେ ଚଢ଼ି ସମୁଦ୍ର ପଥରେ ଇଉରୋପ ଯାଉଥିଲେ । ଭୂମଧ୍ୟ ସାଗରରେ ଜାହାଜ ଯାଉଥିବା ବେଳେ ସମୁଦ୍ରର ନୀଳ ଜଳ ଦିଗକୁ ଦେଖି ତାଙ୍କ ମନରେ ପ୍ରଶ୍ନ ଆସିଲା— ଏହି ନୀଳ ରଙ୍ଗ କେଉଁଠୁ ଆସୁଛି ? ସେ ଭାରତକୁ ଫେରି ଆସି ସେଦିଗରେ ନିଜର ଗବେଷଣା ଆରମ୍ଭ କଲେ । ଏହି ସମୟରେ ସେ ନୋବେଲ ବିଜେତା ବୈଜ୍ଞାନିକ ଅଥର୍ କମ୍ପଟନଙ୍କ ‘କମ୍ପଟନ ପ୍ରଭାବ’ ବିଷୟରେ ଜାଣିବାକୁ ପାଇଲେ । ସେ ଭାବିଲେ— ଏକ୍ସ-ରେ ଭଳି ଆଲୋକରେ ମଧ୍ୟ ତ ବିକିରଣ (scattering) ହେବା ଉଚିତ। ଏହାକୁ ନେଇ ସେ ନିଜେ ତିଆରି କରା କିଛି ଯନ୍ତ୍ରପାତି ସହ ଗବେଷଣା କରିବାକୁ ଲାଗିଲେ । ଶେଷରେ ୧୯୨୮ ସାଲ ଫେବୃଆରୀ ୨୮ ତାରିଖରେ ସେ ଏମିତି ଏକ ଆବିଷ୍କାର କଲେ, ଯାହାକୁ ବିଶ୍ୱ ‘ରମଣ ପ୍ରଭାବ’ ଭାବେ ଜାଣୁଛି । ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୩୦ ମସିହାରେ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisment

ଚନ୍ଦ୍ରଶେଖର ଭେଙ୍କଟରମଣ ସିଭିଲ ସର୍ଭିସ ପାସ କରି କଲକାତାରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଚାକିରି ସତ୍ତ୍ୱେ ବିଜ୍ଞାନ ପ୍ରତି ଅଗାଧ ଭଲ ପାଇବାରୁ କଲକାତାର ‘ଇଣ୍ଡିଆନ ଆସୋସିଏସନ ଫର ଦ କଲ୍ଟିଭେସନ ଅଫ ସାଇନ୍ସ’ରେ ଗବେଷଣା କରୁଥିଲେ । ସାରା ରାତି ଗବେଷଣାରେ ଡୁବି ରହୁଥିଲେ । ପରେ ସେ ଚାକିରି ଛାଡ଼ି କଲକାତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ଗ୍ରହଣ କଲେ । ତାଙ୍କ ଆବିଷ୍କାରର ଦିନକୁ ସ୍ମରଣ କରି ପ୍ରତି ବର୍ଷ ଫେବୃଆରୀ ୨୮ ତାରିଖରେ ଭାରତରେ "ଜାତୀୟ ବିଜ୍ଞାନ ଦିବସ" ପାଳନ କରାଯାଏ । ୧୯୮୬ ମସିହାରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସଟିକୁ "ଜାତୀୟ ବିଜ୍ଞାନ ଦିବସ" ରୂପେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ୧୯୮୭ ମସିହା ଫେବୃଆରୀ ୨୮ ତାରିଖରେ ଦେଶରେ ପ୍ରଥମ ବିଜ୍ଞାନ ଦିବସ ପାଳିତ ହୋଇଥିଲା। ସେହିଦିନ ଠାରୁ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଉଭୟ ସରକାରୀ ଓ ବେସରକାରୀ ଭାବେ ଏହି ଦିବସଟିକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି ।  

ନୋବଲ ପୁରସ୍କାର ପାଇବାରେ ବୈଜ୍ଞାନିକ ସି ଭି ରମଣ ଦ୍ୱିତୀୟ ଭାରତୀୟ ଏବଂ ବିଜ୍ଞାନରେ ନୋବଲ ପାଇବାରେ ପ୍ରଥମ ଭାରତୀୟ ଥିଲେ । ସେ କେବଳ ଭାରତ କାହିଁକି ସମଗ୍ର ଦକ୍ଷିଣ ପୂର୍ବ ଏସିଆ ଏପରିକି ଅଶ୍ଵେତ ଲୋକଙ୍କ ମଧ୍ୟରେ ବି ପ୍ରଥମ ଥିଲେ । ସେ ଏପରି ଏକ ସମୟରେ ନିଜର ଗବେଷଣା କରିଥିଲେ ଯେତେବେଳେ ଦେଶ ପରାଧୀନ ଥିଲା ଏବଂ ବିଜ୍ଞାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଘୋର ଅଭାବ ଥିଲା । ଅତଏବ ଏଭଳି ପରିସ୍ଥିତିରେ ଜଣେ ଭାରତୀୟ ନୋବଲ ପୁରସ୍କାର ପାଇବା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୌରବ ଓ ଆତ୍ମବିଶ୍ୱାସର କଥା ଥିଲା । ସେତେବେଳେ ଦେଶରେ ଯୁବକ ଯୁବତୀଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନ ଭୟଙ୍କର ଦେଶପ୍ରେମର ଜୁଆର ସୃଷ୍ଟି କରିଥିଲା । ଏହି କ୍ରମରେ ଦେଶକୁ ବିଜ୍ଞାନ ଓ ଗବେଷଣାରେ ଆଗକୁ ନେବାର ସ୍ଵପ୍ନ ଦେଖି ସି ଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ମେଘନାଦ ଶାହା, ଶ୍ରୀନିବାସ ରାମାନୁଜନ୍‌ଙ୍କ ପରି ଆର୍ନ୍ତଜାତୀୟ ସ୍ତରର ବୈଜ୍ଞାନିକମାନେ ସୃଷ୍ଟି ହୋଇଥିଲେ । ସେମାନଙ୍କ ମଧ୍ୟରେ ଜ୍ଞାନର ପିପାସା ସହିତ ଦେଶକୁ ଏକ ଆଧୁନିକ ତଥା ଉନ୍ନତ ଦେଶରେ ଗଢ଼ି ତୋଳିବାର ଏକ ଶକ୍ତିଶାଳୀ ଇଛାଶକ୍ତି ରହିଥିଲା । ପରେ ଦେଶ ସ୍ୱାଧୀନ ହେବା ପରେ ମେଘନାଦ ଶାହା, ପ୍ରଶାନ୍ତ ଚନ୍ଦ୍ର ମହାଲାନବୀଶ, ହୋମି ଜାହାଙ୍ଗୀର ଭାବା ଓ ବିକ୍ରମ ସରାଭାଇଙ୍କ ଭଳି ଦେଶପ୍ରେମୀ ବୈଜ୍ଞାନିକମାନେ ଦେଶରେ ବିଜ୍ଞାନର ଜୟଯାତ୍ରାର ମଙ୍ଗ ଧରିଥିଲେ । ନୂଆକରି କ୍ଷମତାକୁ ଆସିଥିବା ଜାତୀୟତାବାଦୀ ନେତାମାନଙ୍କ ପ୍ରୋତ୍ସାହନରେ ଦେଶରେ ବିଜ୍ଞାନ ଚର୍ଚ୍ଚାର ବିଧିବଦ୍ଧ ପରମ୍ପରା ଆରମ୍ଭ ହୋଇଥିଲା । ଦେଶରେ ବିଜ୍ଞାନ ଓ ଗବେଷଣାକୁ ଆଗେଇ ନେବା ପାଇଁ ସରକାରଙ୍କ ଅନୁଦାନରେ ଇସ୍ରୋ, ପାରମାଣବିକ ଗବେଷଣା ସଂସ୍ଥା, ସିଆଇଏସ୍‌ଆର୍‌, ଡ଼ିଆର୍‌ଡ଼ିଓ ପରି ରାଷ୍ଟ୍ରାୟତ୍ତ ସଂସ୍ଥାର ଭିତ୍ତି ପଡ଼ିଥିଲା । 

Advertisment

ଆଜି ସ୍ୱାଧୀନତାର ୭୭ ବର୍ଷ ପରେ ଦେଶରେ ବିଜ୍ଞାନ ଓ ଗବେଷଣାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ମନେହେଉଛି । ସରକାରରେ ଥିବା ଲୋକେ ଖୋଲାଖୋଲି ଭାବେ ବିଜ୍ଞାନକୁ ଅଣଦେଖା ଓ ତାତ୍ସଲ୍ୟ କରି ତା’ରି ବଦଳରେ ଅପବିଜ୍ଞାନକୁ ପ୍ରୋତ୍ସାହିତ କରିବା ଦେଖାଯାଇଛି । ଖୋଦ୍ ପ୍ରଧାନମନ୍ତ୍ରୀ ପ୍ଳାଷ୍ଟିକ୍ ସର୍ଜନମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଣେଶଙ୍କ ଦେହରେ ଲାଗିଥିବା ହାତୀର ମୁଣ୍ଡ ସେତେବେଳେ ଆମ ଦେଶରେ ପ୍ଳାଷ୍ଟିକ୍ ସର୍ଜରୀ ଥିବା ପ୍ରମାଣିତ କରୁଛି ବୋଲି କହିଥିବା ବେଳେ ତାଙ୍କର ଜଣେ ତତ୍କାଳୀନ ମନ୍ତ୍ରୀମଣ୍ଡଳ ସହଯୋଗୀ ସତ୍‌ପାଲ ସିଂ ଡ଼ାରଉଇନ୍‌ଙ୍କ ବିବର୍ତ୍ତନବାଦକୁ ମିଛ ବୋଲି ଖୋଲାଖୋଲି ଭାବେ ବୟାନ ଦେଇଥିଲେ । ଆଉ ଜଣେ ପ୍ରମୁଖ ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ, ମହାଭାରତ ଯୁଗରେ ଇଂଟରନେଟ୍ ଓ ଟେଷ୍ଟଟ୍ୟୁବ୍ ବେବି ରହିଥିଲା ବୋଲି କହିଥିବା ବେଳେ ଆଉ ଜଣେ ନେତା ରାଇଟ୍ ବ୍ରଦର୍ସ ନୁହଁନ୍ତି, ବରଂ ଭାରତୀୟମାନେ ହିଁ ପ୍ରଥମ ଉଡ଼ାଜାହାଜ ଉଦ୍‌ଭାବନ କରିଥିଲେ ବୋଲି ଦାବି କରିଛନ୍ତି । କେହି ଗୋବରକୁ ତେଜସ୍କ୍ରୀୟ ରୋଧି ବୋଲି ଦାବି କରୁଥିବା ବେଳେ କେହି ଗୋମୂତ୍ର ପିଇଲେ କ୍ୟାନସର୍ ଭଲ ହୋଇଯିବ ବୋଲି କହିଛନ୍ତି । ନିକଟରେ ଅନ୍ୟ ଜଣେ ମନ୍ତ୍ରୀ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ହନୁମାନଙ୍କୁ ପ୍ରଥମ ମହାକାଶଚାରୀ ବୋଲି ଦାବି କରିଥିଲେ ।

ଅସଲ କଥା ହେଲା, ଦେଶର ନେତାମାନଙ୍କ ଉପରୋକ୍ତ ବୟାନ ବା ବକ୍ତବ୍ୟ ସବୁ କୌଣସି ବନ୍ଦ କୋଠରୀ ମଧ୍ୟରେ କିମ୍ବା କୌଣସି ଘରୋଇ ଆଲୋଚନାରେ ଦିଆଯାଇନି । ବରଂ ସର୍ବସାଧାରଣ ମଂଚରେ ଏସବୁ ଖୋଲାଖୋଲି ଭାବେ କୁହାଯାଇଛି । ଦେଶର ବିଭିନ୍ନ ସାମ୍ବିଧାନିକ ପଦ ପଦବୀରେ ରହିଥିବା ଲୋକେ ଯଦି ଏଭଳି ଦାୟୀତ୍ୱହୀନ ତଥା ଅବୈଜ୍ଞାନିକ କଥା କହିବେ, ତାହେଲେ ସାଧାରଣ ଜନତାଙ୍କ ମଧ୍ୟରେ ତା’ର ସୁଦୂର ପ୍ରସାରୀ ପ୍ରଭାବ ରହିଛି । 

କେବଳ ସେତିକିନୁହେଁ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ଵାଧୀନତାର ୬୫ ବର୍ଷ ମଧ୍ୟରେ ଯାହା ବି ପ୍ରଗତି ହୋଇଥିଲା, ଗତ କିଛି ବର୍ଷ ହେଲା, ସେଥିରେ ମନ୍ଥର ଅଥବା ଘୋର ଅବନତି ଦେଖାଯାଇଛି । ବିଶ୍ଵର ଅନ୍ୟ ଦେଶମାନେ କୃତ୍ରିମ ମେଧା (ଏଆଇ)ର ବିକାଶରେ ବ୍ୟସ୍ତ ଥିବା ବେଳେ ଆମେ ଏଠାରେ ଗୋବର ଓ ଗୋମୂତ୍ରରେ ବିନିଯୋଗ କରିବାରେ ବ୍ୟସ୍ତ ରହିଛୁ । ନୂତନ ଶିକ୍ଷା ନୀତି ନାଁରେ ଶିକ୍ଷା ଓ ପାଠ୍ୟକ୍ରମରେ ଯେତେ ସବୁ ଅବୈଜ୍ଞାନିକ ଧ୍ୟାନ ଧାରଣା ଓ ଅପବିଜ୍ଞାନକୁ ଭର୍ତ୍ତି କରାଯାଉଛି । ଚୀନର ୟୁନିଭେର୍ସିଟିମାନଙ୍କରେ ନୂଆଁ ନୂଆଁ ଉଦ୍ଭାବନ କରାଯାଉଥିବା ବେଳେ ଆମର କଲେଜ ଓ ୟୁନିଭେର୍ସିଟିମାନଙ୍କ ପାଠ୍ୟକ୍ରମରେ ସରକାର ପିଲାଙ୍କୁ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ଆଦି ପଢିବାକୁ କହୁଛନ୍ତି ।

ଭାରତ (୧୯୪୭) ଓ ଚୀନ (୧୯୪୯) ଉଭୟ ପ୍ରାୟତଃ ଗୋଟିଏ ସମୟରେ ସ୍ଵାଧୀନ ହୋଇଥିବା ବେଳେ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ କିନ୍ତୁ ଚୀନ ଆମ ଠାରୁ ବହୁତ ଆଗକୁ ଚାଲିଯାଇଛି । ସେମାନେ ଏବେ ଏ କ୍ଷେତ୍ରରେ ଆମେରିକା, ଜାପାନ ଓ ୟୁରୋପକୁ ପଛରେ ପକାଇବା ଦେଖାଯାଇଛି। ବିଜ୍ଞାନ ଓ ଗବେଷଣା ପାଇଁ ପୁଞ୍ଜି ନିବେଶରେ ମଧ୍ୟ ଚୀନ ଆମ ଠାରୁ ବହୁ ଗୁଣ ଅଧିକ ପୁଞ୍ଜିନିବେଶ କରୁଛି । ୨୦୨୨-୨୦୨୩ର ତଥ୍ୟ ଅନୁସାରେ, ଚୀନର R&D (ଗବେଷଣା ଓ ବିକାଶ)ରେ ବାର୍ଷିକ ବ୍ୟୟ ୪୪୦–୫୪୫ ବିଲିୟନ ଡଲାର ଥିବା ବେଳେ , ସେଠାରେ ଭାରତର ଏହି ବ୍ୟୟ କେବଳ $୧୭–୨୮ ବିଲିୟନ ରହିଛି । ଏହି ବିନିଯୋଗ ରାଶି ଭାରତର ଜିଡିପିର (ପ୍ରାୟ ୦.୬୫%)ରେ ସୀମିତ ରହିଥିବା ବେଳେ ଏହି କ୍ଷେତ୍ରରେ ଚୀନର ବିନିଯୋଗ ତା'ର ବାର୍ଷିକ ଜିଡିପିର ୨.୫% ରହିଛି । କେବଳ ଚୀନ R&D ଉପରେ ଭାରତର ପ୍ରାୟ ୧୯–୨୦ ଗୁଣା ଅଧିକ ଖର୍ଚ୍ଚ କରୁଛି । 

୨୦୨ ୩ ମସିହାରେ, ଚୀନ ୮୫,୦୦୦ ଅଧିକ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ କରିଥିବା ବେଳେ ଭାରତ ପ୍ରାୟ ୨,୦୦୦ ପେଟେଣ୍ଟ ଦାଖଲ କରିଥିଲା । ଉଚ୍ଚ-ପ୍ରଭାବଶାଳୀ ଗବେଷଣା ପ୍ରକାଶନରେ ମଧ୍ୟ ଚୀନ ଅଗ୍ରଣୀ ଅଛି ।
 
ବିଜ୍ଞାନ କଥା ଆସିଲେ ସାଧାରଣତଃ ବିଜ୍ଞାନର ବିକାଶ କଥା କହିଥାଉ। କିନ୍ତୁ ସମାଜର ବିକାଶ ଓ ଆମର ଜୀବନକୁ ଅଧିକ ସହଜ କରିବାକୁ ହେଲେ ବିଜ୍ଞାନ ସହିତ ବୈଜ୍ଞାନିକ ମନୋଭାବର ବିକାଶ ଜରୁରୀ ।

ବିଜ୍ଞାନ ଶିକ୍ଷା ଓ ବିଜ୍ଞାନ ମନସ୍କତା—ଏହି ଦୁଇଟି ଶବ୍ଦ ଦେଖିବାକୁ ନିକଟ ଲାଗିଲେ ମଧ୍ୟ, ତାହାର ଅର୍ଥ ଏକ ନୁହେଁ । ଯେ କେହି ପଦାର୍ଥବିଜ୍ଞାନ, ରସାୟନ, ଜୀବବିଜ୍ଞାନ କିମ୍ବା ବିଜ୍ଞାନର ଯେକୌଣସି ଶାଖାରେ ପଢ଼ିପାରେ, ପରୀକ୍ଷାରେ ଭଲ ମାର୍କ ପାଇପାରେ, ଭଲ ଚାକିରି କରିପାରେ, ଏପର୍ଯ୍ୟନ୍ତ ବିଜ୍ଞାନୀ ମଧ୍ୟ ହୋଇପାରେ; କିନ୍ତୁ ତଥାପି ସେମାନଙ୍କ ମଧ୍ୟରୁ କେହି କେହି କୁସଂସ୍କାରଗ୍ରସ୍ତ, ଗୁଜବରେ ଆସ୍ଥା ରଖୁଥିବା, ତଥାକଥିତ ଧାର୍ମିକ ବିଶ୍ୱାସରେ ଅନ୍ଧ ଏବଂ ଅଯୁକ୍ତିପୂର୍ଣ୍ଣ ହୋଇପାରନ୍ତି । ଅନ୍ୟପଟେ, ଅଧିକ ପ୍ରାତିଷ୍ଠାନିକ ଶିକ୍ଷା ନଥିଲେ ମଧ୍ୟ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନରେ ଯୁକ୍ତିବାଦୀ, ପ୍ରମାଣ ନିର୍ଭର ଓ ମାନବୀୟ ଗୁଣର ଅଧିକାରୀ ହୋଇପାରନ୍ତି । ଏହି ଦ୍ୱିତୀୟ ଗୁଣଟିକୁ ତାଙ୍କର ବିଜ୍ଞାନ ମନସ୍କତା କିମ୍ବା ବିଜ୍ଞାନ ଚେତନା (Scientific Temper) ବୋଲି କୁହାଯାଏ । ଆମ ଦେଶର ସମ୍ଵିଧାନରେ ମଧ୍ୟ ଧାରା - ୫୧ (କ)(ଜ)ରେ ମଧ୍ୟ ସମାଜରେ ବିଜ୍ଞାନ ମନସ୍କତା ବା ବୈଜ୍ଞାନିକ ମନୋଭାବ ଓ ପ୍ରଶ୍ନ ପଚାରିବାର ମନୋଭାବକୁ ବଢାଇବାକୁ ଆମର ମୌଳିକ କର୍ତ୍ତବ୍ୟ ଭାବେ ସ୍ପଷ୍ଟ କରାଯାଇଛି ।

କୁସଂସ୍କାର ଓ ଅନ୍ଧବିଶ୍ୱାସ ଆଜି ମଧ୍ୟ ସମାଜର ବିଭିନ୍ନ ସ୍ତରରେ ସକ୍ରିୟ ଭାବେ ରହିଛି । ଗୁଣିବିଦ୍ୟା, ତାନ୍ତ୍ରିକ ଚିକିତ୍ସା, ଅଲୌକିକ ଚିକିତ୍ସାର ନାମରେ ପ୍ରତାରଣା, ନାରୀ ଓ ଦୁର୍ବଳ ଲୋକଙ୍କ ଉପରେ ନିର୍ଯାତନା—ଏସବୁର ମୂଳ ରହିଛି ଅଯୁକ୍ତିପୂର୍ଣ୍ଣ ବିଶ୍ୱାସ କିମ୍ବା କାହାର ନ୍ୟସ୍ତ ସ୍ୱାର୍ଥ । ବିଜ୍ଞାନମନସ୍କତା ଆମକୁ କାରଣ–କାର୍ଯ୍ୟ ସମ୍ପର୍କ ବୁଝିବାକୁ, ପ୍ରାକୃତିକ ଘଟଣାର ବୈଜ୍ଞାନିକ ବ୍ୟାଖ୍ୟା ଖୋଜିବାକୁ ଶିଖାଏ । ବଜ୍ରପାତ କିମ୍ବା ଭୂକମ୍ପକୁ ଦେବତାଙ୍କ ରୋଷ ଭାବେ ନଦେଖି, ପ୍ରାକୃତିକ ଘଟଣା ଭାବେ ବୁଝିବା; ରୋଗକୁ ପାପର ଫଳ ଭାବେ ନଦେଖି, ଜୀବାଣୁ ସଂକ୍ରମଣ ଭାବେ ବୁଝିବା—ଏହି ମାନସିକ ପରିବର୍ତ୍ତନ ସମାଜକୁ ଅଧିକ ମାନବିକ କରେ ।

ବିଜ୍ଞାନ ମନସ୍କତା ସୃଜନଶୀଳତାର ମୂଳ ଆଧାର । ବିଜ୍ଞାନମାନେ କେବଳ ସୂତ୍ର ମନେ ରଖିବା ନୁହେଁ; ଏହାର ଉଦେଶ୍ୟ ପ୍ରଶ୍ନ କରିବା, କୌତୁହଳ ଜାଗ୍ରତ କରିବା ଓ ବିଫଳତାରୁ ଶିଖିବା । ଯଦି ଏକ ଶିଶୁକୁ ଛୋଟବେଳୁ ହିଁ “କାହିଁକି?” ପ୍ରଶ୍ନ କରିବାକୁ ଶିଖାଯାଏ, ତେବେ ସେ ବଡ଼ ହୋଇ କେବଳ ପରୀକ୍ଷାରେ ଭଲ କରିବ ନାହିଁ, ବରଂ ନୂଆ କିଛି ଆବିଷ୍କାର କିମ୍ବା ଉଦ୍ଭାବନ କରିବାର ସାହସ ମଧ୍ୟ ପାଇବ । ପ୍ରଯୁକ୍ତି ନିର୍ଭର ଏହି ବିଶ୍ୱରେ ଉଦ୍ଭାବନଶୀଳତା ବିନା କୌଣସି ଜାତି ଆଗକୁ ବଢ଼ିପାରେ ନାହିଁ ।

ବିଜ୍ଞାନ ମନସ୍କତାର ଅର୍ଥ ହେଉଛି ବିନୟ ଓ ନିଜକୁ ସଂଶୋଧନ କରିବାର ମନୋଭାବ । ବିଜ୍ଞାନ କେବେ ବି ନିଜକୁ ଶେଷ ସତ୍ୟ ବୋଲି ଦାବି କରେ ନାହିଁ; ନୂଆ ପ୍ରମାଣ ଆସିଲେ ପୁରୁଣା ସିଦ୍ଧାନ୍ତ ସଂଶୋଧିତ କରିବାକୁ ହୁଏ । ଏହି ମାନସିକତା ସମାଜ ଗ୍ରହଣ କଲେ, ମତଭେଦ ସଂଘର୍ଷରେ ନୁହେଁ, ଆଲୋଚନାରେ ପରିଣତ ହୁଏ ।

କିନ୍ତୁ ପରିତାପର ବିଷୟ ହେଲା, ଆମ ଦେଶରେ ବିଜ୍ଞାନ ଦିବସ ପାଳନ ପ୍ରାୟତଃ ଏକ ଔପଚାରିକ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି । ବହୁଲୋକଙ୍କ ଧାରଣା, ବିଜ୍ଞାନ କହିଲେ ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୈବ ବିଜ୍ଞାନ ଆଦିର ଏକ ସମ୍ମିଳିତ ରୂପ ମାତ୍ର । କିନ୍ତୁ ବାସ୍ତବ କଥାଟି ହେଲା, ବିଜ୍ଞାନ ଏକ ପାଠ୍ୟକ୍ରମ ମାତ୍ର ନୁହେଁ, ଏହା ହେଉଛି ଏକ ଜୀବନ ପଦ୍ଧତି । ଆମେ ବିଜ୍ଞାନରେ କେତେ ଡ଼ିଗ୍ରୀ ହାସଲ କଲେ ବି ଯଦି ଆମେ ନିଜର ଦୈନନ୍ଦିନ ଜୀବନରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ଆପଣାଉ ନାହୁଁ , ତାହେଲେ ସେଭଳି ବିଜ୍ଞାନ ଶିକ୍ଷାର କୌଣସି ମାନେ ନାହିଁ । ଜଣେ ବିଜ୍ଞାନରେ ବହୁତ ଅଧ୍ୟୟନ କରି ହୁଏତ ଜଣେ ବୈଜ୍ଞାନିକ ହୋଇପାରେ, କିନ୍ତୁ ସେ ଯଦି ତା’ର ଦୈନନ୍ଦିନ ଜୀବନରେ ବିଜ୍ଞାନର ବିପରୀତ ରୁଢିବାଦୀ ଆଚରଣ କରେ ତାହେଲେ ତା’ର ବୈଜ୍ଞାନିକ ମନୋଭାବର ଘୋର ଅଭାବ ଅଛି ବୋଲି କୁହାଯାଇପାରେ ।

ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ବିଜ୍ଞାନର ଅଧ୍ୟାପକ ଏପରିକି ବୈଜ୍ଞାନିକମାନେ ବି ନିଜର ପେଷାକୁ ଛାଡ଼ିଦେଲେ ବିଜ୍ଞାନର ଶିକ୍ଷାକୁ ନିଜର ବ୍ୟକ୍ତିଗତ ଜୀବନରେ ଲଗାଉ ନାହାନ୍ତି । ସ୍କୁଲରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗର କାରଣ ସମ୍ପର୍କରେ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଟି ଗ୍ରହଣ ବା ପରାଗ ସମୟରେ ନିଜର ଘରେ ପାକତ୍ୟାଗ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅହେତୁକ କାର୍ଯ୍ୟରେ ଲିପ୍ତ ରହିବା ଦେଖିବାକୁ ମିଳୁଛି । ସେହପରି ବିଜ୍ଞାନର ନିୟମକୁ ଲାଗୁ କରି ମହାକାଶକୁ ଚନ୍ଦ୍ରଯାନ ପଠାଉଥିବା 'ଇସ୍ରୋ'ର ବୈଜ୍ଞାନିକଟି ଚନ୍ଦ୍ରଯାନ ପ୍ରେରଣ ପୂର୍ବରୁ ତା’ର ନମୂନାକୁ ଧରି ମନ୍ଦିର ପରେ ମନ୍ଦିର ବୁଲିବା କେବଳ ବିଜ୍ଞାନର ଅପମାନ ନୁହେଁ, ବରଂ ଦେଶରେ ବୈଜ୍ଞାନିକ ମନୋଭାବର ନୈରାଶ୍ୟଜନକ ସ୍ଥିତିକୁ ଉଜାଗର କରୁଛି ।

ଅତଏବ, ଆଜିର ସମୟରେ କେବଳ ବିଜ୍ଞାନ ଶିକ୍ଷା ନୁହେଁ, ବିଜ୍ଞାନ ମନସ୍କତା ଗଢ଼ି ତୋଳିବା କାହିଁକି ଅତ୍ୟନ୍ତ ଆବଶ୍ୟକ—ତାହା ବୁଝିବା ପାଇଁ ଆମ ସମାଜ, ରାଜ୍ୟ ଓ ବ୍ୟକ୍ତିଗତ ଜୀବନର ବାସ୍ତବ ପରିସ୍ଥିତିକୁ ଦେଖିବା ଦରକାର ।

ବିଜ୍ଞାନ ସବୁକଥାକୁ ପ୍ରଶ୍ନ କରିବାକୁ ଏବଂ ପ୍ରମାଣ ବିନା ଆଖିବୁଜି ତାକୁ ଗ୍ରହଣ ନକରିବାକୁ କହିଥାଏ । କିନ୍ତୁ ତା’ର ବିପରୀତ ସମାଜର ପ୍ରଚଳିତ ଧାରଣାଟି ହେଲା, ‘ବିଶ୍ୱାସେ ମିଳିବ ହରି, ତର୍କେ ବହୁଦୂର’ । ଅର୍ଥାତ୍ ତର୍କ ବା ପ୍ରଶ୍ନ କରି ନୁହେଁ, କେବଳ ଆଖିବୁଜି ବିଶ୍ଵାସ କଲେ ହିଁ ସତ୍ୟର ନିକଟବର୍ତ୍ତୀ ହୋଇପାରିବ । ବିଜ୍ଞାନ ସବୁବେଳେ ମଣିଷକୁ ପ୍ରଶ୍ନ କରିବାକୁ ପ୍ରୋତ୍ସାହିତ କରିଥାଏ, କିନ୍ତ ଆସ୍ଥାରେ ପ୍ରଶ୍ନ କରିବା ଏକ ଅପରାଧ । ଆସ୍ଥା, କୌଣସି ପ୍ରକାରର ପରୀକ୍ଷା ନିରୀକ୍ଷା ବିନା କେବଳ ମଣିଷର ଭାବନାର ଆଧାର ଉପରେ ଯାଇ ଠିଆ ହୋଇଛି । ବିଜ୍ଞାନ କୌଣସି ବିଚାରକୁ ପରୀକ୍ଷା ନିରୀକ୍ଷା, ପର୍ଯ୍ୟବେକ୍ଷଣର ଆଧାରରେ ହିଁ ଗ୍ରହଣ କରିଥାଏ । ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷାକୁ ଅତିକ୍ରମ କଲା ପରେ ଯାଇ ହିଁ ତାକୁ ସତ୍ୟ ବୋଲି ଗ୍ରହଣ କୁହାଯାଇଥାଏ । ବିଜ୍ଞାନରେ କେହି ଗୁରୁ କିମ୍ବା ବାବା ନାହାନ୍ତି । ଜଣେ କେତେ ଜ୍ଞାନୀ ହେଲେ ବି ବିନା କୌଣସି ପ୍ରମାଣ ଓ ପରୀକ୍ଷା ନିରୀକ୍ଷାରେ ତାଙ୍କର ଆବିଷ୍କାରକୁ ବୈଜ୍ଞାନିକ ଗୋଷ୍ଠୀ ଗ୍ରହଣ କରନ୍ତି ନାହିଁ । ବିଜ୍ଞାନର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ହେଲା, ଏହା ସାର୍ବଜନୀନ । ଏହାର ଅର୍ଥ ହେଲା, ସ୍ଥାନ ନିର୍ବିଶେଷରେ ବିଜ୍ଞାନର ସମସ୍ତ ପ୍ରକାର ନିୟମ ସବୁଠି ଲାଗୁ ହୋଇପାରେ । ସେ ଆମେରିକାରେ ହେଉ କି ଭାରତରେ ଦୁଇଟି ଉଦ୍‌ଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁର ସମ୍ମିଶ୍ରଣରେ ହିଁ ଏକ ଜଳ ଅଣୁର ଗଠନ ହୋଇଥାଏ । ଅଥବା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଯେକୌଣସି ସ୍ଥାନରେ ଏକ ବସ୍ତୁକୁ ଉପରକୁ ଫୋପାଡ଼ିଲେ, ତାହା ତଳକୁ ଆସିବା ନିଶ୍ଚିତ ଅଟେ । ବିଜ୍ଞାନର ଅନ୍ୟତମ ଲକ୍ଷଣ ହେଲା, ସତ୍ୟକୁ ନମ୍ରତାର ସହ ସ୍ଵୀକାର କରିବା ଏବଂ ନୂତନ ତଥ୍ୟ ଓ ସତ୍ୟର ଆଧାରରେ ନିଜକୁ ସଂଶୋଧିତ ଓ ସମୃଦ୍ଧ କରିବା । ଆଉ ଏକ କଥା ହେଲା, ବିଜ୍ଞାନ କେବେ ନିଜକୁ ପବିତ୍ର ଓ ପ୍ରଶ୍ନରୁ ଉର୍ଦ୍ଧ୍ୱରେ ବୋଲି ଭାବି ନଥାଏ । ସେଥିପାଇଁ କୈାଣସି ଧାର୍ମିକ ଗ୍ରନ୍ଥକୁ ପୋଡିଲେ କିମ୍ବା ପ୍ରଶ୍ନ କଲେ ତା'ର ବିଶ୍ଵାସୀମାନେ ହିଂସା, ଦଙ୍ଗା ଓ ମାରକାଟ କରିବାକୁ ପଛାଉ ନଥିବା ବେଳେ ବିଜ୍ଞାନର ସମର୍ଥକମାନେ କେବେ କୌଣସି ବିଜ୍ଞାନ ପୁସ୍ତକକୁ ପୋଡ଼ିଲେ କିମ୍ବା ଅପମାନିତ କଲେ ଆଦୌ ପ୍ରତିକ୍ରିୟା ପ୍ରକାଶ କରନ୍ତି ନହିଁ । କାରଣ ସେମାନେ ଭଲରୂପେ ଜାଣନ୍ତି ବିଜ୍ଞାନ ଦୁର୍ବଳ ନୁହେଁ କିମ୍ବା କଳ୍ପନାର ବିଷୟ ନୁହେଁ । ଏହା ସତ୍ୟ ଉପରେ ଆଧାରିତ । ତେଣୁ ବିଜ୍ଞାନର କୈାଣସି ପୁସ୍ତକକୁ ପୋଡିଦେଲେ ବା ନଷ୍ଟ କରିଦେଲେ ସେଥିରେ ଥିବା ବୈଜ୍ଞାନିକ ସତ୍ୟକୁ ନଷ୍ଟ କରାଯାଇ ପାରେନା ।

ଅବୈଜ୍ଞାନିକତା ଓ ରୁଢ଼ିବାଦ ହେଉଛି, ବିଜ୍ଞାନର ସବୁଠାରୁ ବଡ଼ ଶତୃ । ସମାଜରେ ଥିବା ଧର୍ମ ଓ ସଂସ୍କୃତି ଏସବୁକୁ ପ୍ରୋତ୍ସାହିତ ଓ ଜୀବିତ କରି ରଖି ଆସିଛି । ପରନ୍ତୁ ବିଜ୍ଞାନ ସର୍ବଦା ଉପରୋକ୍ତ ଅବୈଜ୍ଞାନିକ ବିଚାର ବିରୁଦ୍ଧରେ ଲଗାତାର ସଂଘର୍ଷ କରି ହିଁ ଆଗକୁ ବଢ଼ିଆସିଛି । ଅତଏବ ବିଜ୍ଞାନର ଇତିହାସ ହେଉଛି ଉପରୋକ୍ତ ଧର୍ମାନ୍ଧତା ଓ ରୁଢ଼ିବାଦ ବିରୁଦ୍ଧରେ ସଂଘର୍ଷର ଇତିହାସ । ବିଶ୍ୱରେ ଯଦିଓ ଗ୍ୟାଲିଲିଓଙ୍କୁ ଆଧୁନିକ ବିଜ୍ଞାନର ଜନକ ବୋଲି କୁହାଯାଏ କିନ୍ତୁ ୧୫ଶ ଶତାବ୍ଦୀରେ କୋପରନିକସଙ୍କ ସମୟରେ ହିଁ ଆଧୁନିକ ବିଜ୍ଞାନର ବିକାଶ ହୋଇଥିଲା ବୋଲି କହିବା ଠିକ୍ ହେବ । ବୃନୋ ଥିଲେ ବିଜ୍ଞାନର ପ୍ରଥମ ଶହୀଦ । ସତ୍ୟକୁ ଉଜାଗର କରିଥିବାରୁ ଆଜି ଠାରୁ ଚାରି ଶତ ବର୍ଷ ତଳେ ଇଟାଲୀରେ ଚର୍ଚ୍ଚର ଲୋକେ ତାଙ୍କୁ ଜୀଅନ୍ତା ପୋଡି ମାରି ଦେଇଥିଲେ । ପ୍ରଚଳିତ ଅବୈଜ୍ଞାନିକ ବିଶ୍ଵାସ ବିରୁଦ୍ଧରେ ଯାଇ ସୂର୍ଯ୍ୟ ନୁହେଁ ପୃଥିବୀ ଘୁରୁଛି ବୋଲି କହିବାରୁ ଗ୍ୟାଲିଲିଓଙ୍କୁ ନିଜର ପରିଣତ ବୟସରେ ଅନ୍ଧାର କୋଠରୀ ଭିତରେ ଭର୍ତ୍ତି କରିରଖି ତାଙ୍କ ଦୃଷ୍ଟିଶକ୍ତିକୁ ନଷ୍ଟ କରି ଦିଆଯାଇଥିଲା ।

ବିଜ୍ଞାନ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସମାଜରେ ବିଜ୍ଞାନର ଗୁରୁତ୍ତ୍ୱ ଓ ମଣିଷ ପାଇଁ ତା’ର ଆବଶ୍ୟକତା ସମ୍ପର୍କରେ ଦେଶବାସୀଙ୍କୁ ସଚେତନ କରିବା ସହ ସମାଜରେ ବୈଜ୍ଞାନିକ ମନୋଭାବର ଵିକାଶ କରାଇବା । 

Bhalachandra Shadangi
Mobil No - +91 - 9437166391