ମଣିଷ ସୃଷ୍ଟିର ଆଦ୍ୟ କାଳରେ ଯାଯାବର ଜୀବନ ଯାପନ କରୁଥିଲା। ସ୍ଥାୟୀ ଭାବରେ ବସବାସ କରିବା ପରଠାରୁ ସେ ହୁଏତ ନିରନ୍ତର ଘୂରି ବୁଲିବା ଛାଡ଼ିଦେଲା, ହେଲେ ତା’ର ସେ ଆଦିମ ପ୍ରବୃତ୍ତି ବଂଚି ରହିଲା। ସେ ପର୍ଯ୍ୟଟକ ଭାବେ ବିଭିନ୍ନ ସ୍ଥାନ ଘୂରି ବୁଲିବାର ଅଭ୍ୟାସ ବଳବତ୍ତର ରଖିଲା। ସୁଯୋଗ ସୁବିଧା ପାଇଲେ ବିଭିନ୍ନ ସ୍ଥାନକୁ ଦେବ ଦର୍ଶନ ପାଇଁ ହେଉ ଅବା ଆମୋଦ ପ୍ରମୋଦ ବା ନିଜର ଉତ୍କଣ୍ଠା ପାଇଁ ହେଉ ମଣିଷ ପର୍ଯ୍ୟଟକ ସାଜିବାକୁ ଇଚ୍ଛା କରିଥାଏ। ଦାରିଦ୍ର୍ୟ ବା ଅଭାବ ମଣିଷର ଏହି ଇଚ୍ଛାକୁ ସଂକୁଚିତ କରିପାରେ ନାହିଁ। ଏହାରି ସୁଯୋଗ ନେଇ ଅନେକ ବିଜ୍ଞ ଶାସକ ଓ ଯୋଜନାକାର କ୍ଷେତ୍ର ପ୍ରସ୍ତୁତ କରନ୍ତି। ଗମନା ଗମନର ଉତ୍ତମ ବ୍ୟବସ୍ଥା ସୃଷ୍ଟି କରନ୍ତି ଓ ଦୂର ଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାନ୍ତି।
ପର୍ଯ୍ୟଟକଙ୍କର ଯାତ୍ରା ବିବରଣୀ ଅନେକ ଭାଷା ସାହିତ୍ୟ ଜରିଆରେ ସ୍ଥାନର ବୈଶିଷ୍ଟ୍ୟକୁ ନେଇ ଅନ୍ୟ ପାଖରେ ଖବର ପହଞ୍ଚାଇଥାଏ। ସ୍ଥାନ ଓ ଅଞ୍ଚଳର ବୈଶିଷ୍ଟ୍ୟ ବିଜ୍ଞାପିତ ହୁଏ। ଏହି ବିଚିତ୍ର ପ୍ରକୃତି ଭୂପୃଷ୍ଠରେ ଅନେକ ଦର୍ଶନୀୟ, ଆକର୍ଷଣୀୟ ସ୍ଥାନ ବିଛାଡ଼ି କରି ରଖିଛି। ଏସବୁକୁ ସଜାଡ଼ି ଲୋକଙ୍କ ଆଗରେ ପ୍ରସାରିତ କଲେ ସବୁ ଜାଗାରେ ଅସମ୍ଭବ ଭିଡ଼ ଜମେ। ଆସାମର ବ୍ରହ୍ମପୁତ୍ର ନଦୀରେ ନୌସ୍ଥଳ ରହଣି ଓ ରାତ୍ରି ଯାପନ ହେଉ ଅବା ମେଘାଳୟର ସର୍ବଦା ବର୍ଷଣମୁଖର ଚେରାପୁଞ୍ଜି ଘାଟି ଉପରେ ଛିଡ଼ାହୋଇ ମଣିଷ ବର୍ଷାମୁଖର ସମୟକୁ ଉପଭୋଗ କରିବାକୁ ଭଲପାଏ।ଘଞ୍ଚ ଜଙ୍ଗଲ ଭିତରେ ବୁଲି ଭୟଙ୍କର ଜୀବଜନ୍ତୁ, ଗଣ୍ଡା, ଗୟଳ, ସିଂହ, ବାଘ ଦେଖିବାକୁ ସମୟ ଦେଇଥାଏ। ଦାର୍ଜିଲିଂର ପାହାଡ଼ ଶିଖରକୁ ଯାଇ ସେ ବରଫ ପାତର ଦୃଶ୍ୟ ଓ ତା’ ଉପରେ ବିଛାଡ଼ି ହୋଇ ପଡ଼ିଥିବା ବାଳସୂର୍ଯ୍ୟର କିରଣ ଦେଖିବାକୁ ମଣିଷର ଭିଡ଼ ଜମେ।
ଭାରତ ଏକ ବିଚିତ୍ର ଦେଶ। ସବୁ ପ୍ରକାର ଜଳବାୟୁ ବହୁ ଜାତୀୟ ମଣିଷ ବହୁ ଧର୍ମଧାରା ଓ ସାଂସ୍କୃତିକ ପରମ୍ପରା ସହିତ ବିବିଧ ସାମାଜିକ ପ୍ରଚଳନ ଭରି ରହିଛି। ସେହି ଭାରତର ଏକ ଅଂଶ ଭାବେ ଓଡ଼ିଶାର ଭୌଗୋଳିକ ସ୍ଥିତି ଜାହିର କରିଛି। ଏ କ୍ଷେତ୍ରରେ ସମୁଦ୍ର ତଟବର୍ତ୍ତୀ ବିସ୍ତୃତ ସୁଶୀତଳ ଅଞ୍ଚଳ ହିଂସ୍ର ଜନ୍ତୁଙ୍କର ଘଞ୍ଚ ଜଙ୍ଗଲ ଓ ତନ୍ମଧ୍ୟରେ ଥିବା ଜଳ ପ୍ରପାତ ଅନେକ ଜନଜାତିଙ୍କର ବିଭିନ୍ନ ଶୈଳୀର ଜୀବନଯାତ୍ରା ଠୁଳ ହୋଇ ରହିଛି। ବରଫ ପଡ଼ୁଥିବା ଫୁଲବାଣୀ ଜିଲ୍ଲାର ଦାରିଙ୍ଗବାଡ଼ି, ମୟୂରଭଞ୍ଜର ଶିମିଳିପାଳ ଅବିଭକ୍ତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ ରାଜକନିକା ବା ସାତକୋଶିଆର ପ୍ରକୃତିଦତ୍ତ କୁମ୍ଭୀର ଉଦ୍ୟାନ, ଚିଲିକା ଓ ଅଂଶୁପାର ବିଭିନ୍ନ ଜାତିର ପକ୍ଷୀ ଉଦ୍ୟାନ, ମହାକାଳପଡ଼ା ପାରାଦ୍ୱୀପ ଅଞ୍ଚଳରେ ନୀଳ କଙ୍କଡ଼ା ଓ ସମୁଦ୍ର ତଟବର୍ତ୍ତୀ ଅଲିଭ ରିଡଲେ କଇଁଛର ପ୍ରାଚୁର୍ଯ୍ୟ ଲୋକମାନଙ୍କୁ ଆକୃଷ୍ଟ କରିବାର ସୁଯୋଗ ସୃଷ୍ଟି କରିଥାଏ। ରାଜ୍ୟର ଭୌଗୋଳିକ ସ୍ଥିତି ଓ ପ୍ରକୃତିଦତ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଅନେକ ସୁଯୋଗ ସୃଷ୍ଟି କରିଛି। ରାଜ୍ୟର ଜଳବାୟୁ ମଧ୍ୟ ଅନୁକୂଳ। ଯଦିଓ ଅନେକଙ୍କର ଆଶଙ୍କା ଯେ ରାଜ୍ୟରେ ବାରମ୍ବାର ବାତ୍ୟା ଜନିତ ବିପତ୍ତି ରହିଛି ଓ ଏହା ପର୍ଯ୍ୟଟକଙ୍କୁ ଅନେକ ଭାବରେ ଆତଙ୍କିତ କରିଥାଏ ଓ ବିଶେଷତଃ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାର ଭୟାବହତା ସମସ୍ତଙ୍କୁ ବିଶେଷ ଭାବରେ ଆତଙ୍କରେ ରଖିଥାଏ ତେବେ ଏହାର ସମୟୋପଯୋଗୀ ମୁକାବିଲା ମହାବାତ୍ୟା (୧୯୯୯) ପରବର୍ତ୍ତୀ ସମୟରେ ଅନେକ ସତର୍କତା ଓ ସୁରକ୍ଷାର ବ୍ୟବସ୍ଥା ହୋଇ ପାରିଛି। ପାଣିପାଗର ପୂର୍ବାନୁମାନ ବହୁ ଭାବରେ ଲୋକମାନଙ୍କୁ ଯଥା ସମୟରେ ନିର୍ଭରଯୋଗ୍ୟ ଖବର ଜଣାଇ ଦେବାର ବ୍ୟବସ୍ଥା ହେଲାଣି। ଯଦ୍ଦ୍ୱାରା ଏ ସଂପର୍କରେ ସଠିକ୍ ବିବରଣୀ ବାତ୍ୟା ଆସିବାର ବହୁ ପୂର୍ବରୁ ସମସ୍ତଙ୍କୁ ଜଣାଇ ଦେବାର ବ୍ୟବସ୍ଥା ଅନେକ ସଂକଟରୁ ଦୂରେଇ ରଖିବାର ଦେଖିବାକୁ ମିଳିଲାଣି। ଏସବୁକୁ ଲକ୍ଷ୍ୟ କରି ବିଚାରକଲେ ପର୍ଯ୍ୟଟନ ପାଇଁ ଏବେ ଗୋଟିଏ ବଡ଼ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇ ପାରିଛି। ତେବେ ପ୍ରାକୃତିକ ଦୁର୍ବିପାକକୁ ଭୟକରି ପର୍ଯ୍ୟଟନ କ୍ଷେତ୍ର ସଜାଡ଼ିବାରେ ଅବହେଳା ବର୍ତ୍ତମାନ ସମୟରେ ଆଦୌ ଉଚିତ ନୁହେଁ।
ଓଡ଼ିଶାର ଅର୍ଥନୀତିରେ ପର୍ଯ୍ୟଟନର ଗୋଟିଏ ବଡ଼ ଭୂମିକା ଅଛି। ପୂର୍ବେ ବିଶେଷତଃ ଧର୍ମାନୁଷ୍ଠାନକୁ କେନ୍ଦ୍ରକରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଥିଲା। ସମୁଦ୍ର ତଟବର୍ତ୍ତୀ ପୁରୀର କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ହଜାର ହଜାର ଯାତ୍ରୀ ପଶ୍ଚିମ ପ୍ରଦେଶ ବିଶେଷତଃ ନାଗପୁର ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଆଦିରୁ ପୁରୀ ଛୁଟି ଆସୁଥିଲେ। ଏଥିରେ ପ୍ରଭାବିତ ହୋଇ ରାଜା ଶାସକ ମହାରାଜା ଜମିଦାରମାନେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରାସ୍ତା ସଜାଡ଼ିବା, ରାସ୍ତା କଡ଼ରେ ଚଟିଘର ନିର୍ମାଣ, ଜଳାଶୟ ନିର୍ମାଣ କରୁଥିଲେ। ଯାହାର ଅଂଶବିଶେଷ ଏବେ ମଧ୍ୟ ଦେଖିବାକୁ ମିଳେ। ଏହି ଯାତ୍ରୀମାନଙ୍କଠାରୁ ବିଭିନ୍ନ ଭାବରେ ପ୍ରଚୁର ଆୟ ହେଉଥିଲା। ଏପରିକି ଗୋଟିଏ ବିଶେଷ ସମୟ ଯଥା ରଥଯାତ୍ରା ତଥା ପବିତ୍ର କାର୍ତ୍ତିକ ମାସରେ ବହୁ ଯାତ୍ରୀ ସମାଗମ ହେଉଥିଲା। ଇତିହାସ ଅବଲୋକନ କଲେ ଏହି ଯାତ୍ରୀମାନଙ୍କଠାରୁ ବିଭିନ୍ନ ଭାବରେ ସାଧାରଣ ଜନତା, ଦୋକାନ ବଜାର ସଜାଇ ଅବା ପୂଜକ ପଣ୍ଡା ପଢ଼ିଆରୀମାନେ ସେବା ଯୋଗାଇ ପ୍ରଭୁତ ଆୟ କରୁଥିଲେ। ଶାସକମାନେ ମଧ୍ୟ ଯାତ୍ରୀକର ବସାଇ ପ୍ରଚୁର ଅର୍ଥ ଆଦାୟ କରୁଥିଲେ। ମରହଟ୍ଟା ଶାସକମାନେ ଏହି ଆୟର ବ୍ୟବସ୍ଥା କରିଥିଲେ ଓ ୧୮୦୩ ମସିହାରେ ଇଂରେଜ ସରକାର ପୁରୀ ଦଖଲ କଲା ପରେ ଏପରି କର ଉଠାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ପୁନଃ କର ପ୍ରଚଳନ କରିବାକୁ ବାଧ୍ୟ ହୋଇଥିଲେ।
ଏକଥାର ଅବତାରଣା କରିବାର ଅର୍ଥ ହେଉଛି ରାଜ୍ୟରେ ପ୍ରଭୁ ଜଗନ୍ନାଥ ସବୁଠାରୁ ବଡ଼ ଆୟ ସୃଷ୍ଟିର କର୍ତ୍ତା ଥିଲେ ଏବେ ମଧ୍ୟ ଅଛନ୍ତି। ରାଜ୍ୟରେ ବିଭିନ୍ନ ଦେବଦେବୀ ମନ୍ଦିରରେ ବହୁ ରକମର ପର୍ବପର୍ବାଣି ମିଶ୍ରିତ ଧର୍ମାନୁଷ୍ଠାନ ହେତୁ ଦେବସ୍ଥଳୀରେ ଖୁବ୍ ଗହଳି କରୁଥିଲା। ମେଳାର ଆୟୋଜନ କରାଯାଇ ଅର୍ଥ ରୋଜଗାରରେ ପଥ ସୁଗମ ହେଉଥିଲା। କୋଣାର୍କର ଚନ୍ଦ୍ରଭାଗା ବୁଡ଼ ହେଉ ଅବା ବିରଜା କ୍ଷେତ୍ର ନିକଟସ୍ଥ ବୈତରଣୀ ନଦୀରେ ମହାକୁମ୍ଭ ମେଳା ହେଉ ଅଥବା ବିଭିନ୍ନ ସ୍ଥାନରେ ତ୍ରିବେଣୀ ମେଳାମାନଙ୍କରେ ଲୋକ ସମାଗମ ହୋଇଥାନ୍ତି। ଏବେ ଏହି ସବୁ ପର୍ଯ୍ୟଟନସ୍ଥଳିମାନଙ୍କୁ ଅଧିକ ସୁନ୍ଦର କରିବା ନିମନ୍ତେ ସରକାରୀ ଭାବେ ପଛର ଅର୍ଥ ବ୍ୟୟ ବ୍ୟବସ୍ଥା କରାଯାଇଛି। ହେଲେ ଶାସକ ଓ ଯୋଜନାକାରୀମାନେ ମନେ ରଖିବା ଉଚିତ୍ ଯେ ପର୍ଯ୍ୟଟକମାନେ କେବଳ ଧର୍ମାନୁଷ୍ଠାନ ଅଭିମୁଖୀ ନୁହଁନ୍ତି, ଏହା କେବଳ ଦେଶ ଭିତରର ଏକ ନିର୍ଦ୍ଦିଷ୍ଟ ଧର୍ମର ବା ଗୋଷ୍ଠୀର ବିଶ୍ୱାସୀମାନଙ୍କୁ ଆକୃଷ୍ଟ କରିଥାଏ। ଏତଦ୍ ବ୍ୟତୀତ ଅନ୍ୟ ଧର୍ମାବଲମ୍ବୀ ଦେଶୀ, ବିଦେଶୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୁନ୍ଦର ଭାବେ ସଜାଯାଉଥିବା ମନ୍ଦିର ବା ମନ୍ଦିର କ୍ଷେତ୍ରକୁ କେନ୍ଦ୍ରକରି ଅନତି ଦୂରରେ ଥିବା ପ୍ରକୃତିଦତ୍ତ କ୍ଷେତ୍ରଗୁଡ଼ିକୁ ସଜାଡ଼ିବାର ଆବଶ୍ୟକତା ଅଛି। ଉଦାହରଣ ସ୍ୱରୂପ ପୁରୀ ସହିତ ସାତପଡ଼ା, ଚିଲିକା, କୋଣାର୍କ ଓ ସମୁଦ୍ରତଟକୁ ଅଧିକ ଆକର୍ଷଣୀୟ ତଥା ସବୁ ବୟସର ଲୋକଙ୍କ ପାଇଁ ଆମୋଦ ପ୍ରମୋଦ ସ୍ଥଳି ଭାବେ ସଜାଡ଼ିଲେ ଓ ଗମନାଗମନର ସହଜ ସଂଯୋଗ ସୃଷ୍ଟି କଲେ ଅଧିକରୁ ଅଧିକ ସଂଖ୍ୟକ ଯାତ୍ରୀ ଆସିବେ।
ବିଭିନ୍ନ ବର୍ଗର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଦୀର୍ଘଦିନ ବାନ୍ଧି ରଖିବା ଭଳି ପ୍ରକୃତିଦତ୍ତ ୪୮୦ କି.ମି. ବ୍ୟାପୀ ସମୁଦ୍ର ତଟଭୂମି କ୍ଷେତ୍ର ପ୍ରସ୍ତୁତ ହୋଇଛି। ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରଠାରୁ ଦକ୍ଷିଣରେ ଗୋପାଳପୁର ପର୍ଯ୍ୟନ୍ତ ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଛି। ଚନ୍ଦନେଶ୍ୱର ନିକଟସ୍ଥ ପଶ୍ଚିମବଙ୍ଗର ଦିଘାଠାରେ ସବୁ ଋତୁରେ ହଜାର ହଜାର ପର୍ଯ୍ୟଟକ ରୁଣ୍ଡ ହେଉଥିବା ବେଳେ ଏପଟେ ଚନ୍ଦନେଶ୍ୱର ବହୁ ଯାତ୍ରୀ ଅଳ୍ପ କ୍ଷଣ ପାଇଁ ଦର୍ଶନ ଆଶାରେ ଯାଇଥାନ୍ତି। ତଟବର୍ତ୍ତୀ ଅଞ୍ଚଳକୁ ଭଲ ଭାବେ ଦେଖିଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଜିଲ୍ଲାର ନଦୀମୁହାଣରେ ଅନେକ କ୍ଷେତ୍ର ଅବହେଳିତ ହୋଇ ପଡ଼ି ରହିଥିବା ଜଣାଯାଏ। କେବଳ କିଛି ଯାତ୍ରୀ ସାତଭାୟା ବତୀଘର ଆଦି ସ୍ଥାନକୁ ଅଳ୍ପ କେଇ ମାସ ପାଇଁ ଯାଇଥାନ୍ତି। ଦେବୀ ନଦୀ ମୁହାଁଣର ବାଲିକୁଦାଠାରେ ବନ୍ଦରଗାଁ ନିକଟରେ ଏକ ସୁନ୍ଦର ପର୍ଯ୍ୟଟନ କେନ୍ଦ୍ର ସମସ୍ତଙ୍କ ଆଢ଼ୁଆଳରେ ରହି ଯାଇଛି। ଠିକ୍ ସେମିତି ଏହାର ଦକ୍ଷିଣ ପାଶ୍ୱର୍ରେ ଅସ୍ତରଙ୍ଗଠାରେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କ୍ଷେତ୍ର ଲୋକ ଅଗୋଚରରେ ଅଛି। କୋଣାର୍କରୁ ପୁରୀ ପର୍ଯ୍ୟନ୍ତ କ୍ଷେତ୍ରଟି ଯୋଡ଼ିହୋଇ ରହିଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଚିଲିକା ଓ ଗୋପାଳପୁର ସମୁଦ୍ର ତଟ ଅଞ୍ଚଳକୁ ସଜାଡ଼ିଦେଲେ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ହେବ। ଚିଲିକା ଭିତରେ ବୋଟ ହାଉସ୍ ନିର୍ମାଣ ହେଲେ ଏଠାକୁ ଋତୁ ଅନୁସାରେ ଆସୁଥିବା ପକ୍ଷୀମାନଙ୍କୁ ଦେଖିବା ସହିତ ସୁଖକର ଜୀବନ ଯାପନ ନିମନ୍ତେ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିବେ।
ନଦୀ ସଂଲଗ୍ନ ପର୍ଯ୍ୟଟନ କ୍ଷେତ୍ର ଅନ୍ୟ ଏକ ଆକର୍ଷଣୀୟ ପ୍ରକୃତିଦତ୍ତ ବ୍ୟବସ୍ଥା ଅଛି। ସାତକୋଷିଆଠାରୁ ଆରମ୍ଭ କରି ଯୋଡ଼ା ଆନିକଟ ପର୍ଯ୍ୟନ୍ତ ଜଳକ୍ରୀଡ଼ା, ଜଳଯାତ୍ରା ଓ ଏ ମଧ୍ୟରେ ଥିବା ଟାପୁମାନଙ୍କର ରହଣି (ଅବଶ୍ୟ ବର୍ଷାଦିନ ବ୍ୟତୀତ) ସହିତ ଯାତ୍ରୀମାନେ ନଦୀ ନିକଟବର୍ତ୍ତୀ ଧର୍ମାନୁଷ୍ଠାନ ଓ ବୌଦ୍ଧଗ୍ରାମ ଦେଖିବାର ସୁଯୋଗ ପାଇବେ। ଖରାଦିନେ ବିଶେଷ ଆକର୍ଷଣ, ଏପରି ନଦୀପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ଅଛି। ଚିଲିକା, ଅଂଶୁପା ଓ ବିଭିନ୍ନ ସ୍ଥାନରେ ଥିବା ବଡ଼ବଡ଼ ହ୍ରଦମାନଙ୍କରେ ନୌବିହାରକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରସ୍ତୁତ କରାଯାଇପାରେ। ଯେଉଁଥିରେ ରାଜ୍ୟ ଅନେକ ଶିଳ୍ପପତିମାନଙ୍କର ସହଯୋଗ ନେଇପାରନ୍ତି।
ସେହିପରି ଗୋଟିଏ ପ୍ୟାକେଜ ବୈତରଣୀର ଭୀମକୁଣ୍ଡ ଓ ତାର ନିକଟବର୍ତ୍ତୀ କେଉଁଝର ବଡ଼ଘାଘରା, ସାନଘାଘରା ଓ ମା ତାରେଣୀଙ୍କ ପୀଠକୁ ନେଇ କରାଯାଇପାରେ ଓ ଠାକୁରମୁଣ୍ଡା ନେଇ ଖିଚିଂ ଓ ଶିମିଳିପାଳ ଅଭୟାରଣ୍ୟକୁ ଯୋଡ଼ି ଗୋଟିଏ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ ହେଲେ ପର୍ଯ୍ୟଟକମାନେ ଏ କ୍ଷେତ୍ରରେ ଭୀମକୁଣ୍ଡ ଓ ଅନ୍ୟ ଜଳପ୍ରପାତ ନିକଟରେ ଏକାଧିକ ଦିନ ରହିବାର ଇଚ୍ଛା ପ୍ରକାଶ କରନ୍ତେ। ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ଓ ମହିମାପୀଠ ଯୋରନ୍ଦା ସମେତ ସପ୍ତଶଯ୍ୟା ପାଇଁ ମଧ୍ୟ ଗୋଟିଏ ପର୍ଯ୍ୟଟନ ପ୍ୟାକେଜ ପ୍ରସ୍ତୁତ ହୋଇପାରିବ। ଫୁଲବାଣୀ ଜିଲ୍ଲାର ପ୍ରତ୍ୟେକଟି କ୍ଷେତ୍ର ପର୍ଯ୍ୟଟନ ସ୍ଥଳୀ। ଏଠାରେ ସମସ୍ତ କ୍ଷେତ୍ରକୁ ନେଇ ଗୋଟିଏ ପର୍ଯ୍ୟଟନ ପ୍ୟାକେଜ ହୋଇପାରିବ। ସେହିପରି ଅଭିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଏକାଠି କରି ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରାଯାଇପାରିବ। ଏଥିସହିତ ଉଷ୍ମପ୍ରସ୍ରବଣକୁ ଯୋଡ଼ାଯାଇ ପର୍ଯ୍ୟଟକଙ୍କର ସଂଖ୍ୟାବୃଦ୍ଧିର ବ୍ୟବସ୍ଥା ହେବା ଦରକାର।
ରାଜ୍ୟ ଭିତରେ ଅନେକ ପ୍ରାଚୀନ କ୍ଷେତ୍ର କଳାହାଣ୍ଡୀ ଓ ବଲାଙ୍ଗୀର ଜିଲ୍ଲାରେ ଭରି ରହିଛି। ସମସ୍ତ କ୍ଷେତ୍ରକୁ ନିର୍ଣ୍ଣୟକରି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହେବା ସହିତ ହରିଶଂକର, ନୃସିଂହନାଥକୁ ଯୋଡ଼ି ରଖାଯାଇପାରେ। କେବଳ ସେତିକି ନୁହେଁ ହୀରାକୁଦ, କୋଲାବ, ଇନ୍ଦ୍ରାବତୀ ଜଳଭଣ୍ଡାର ତଥା ନଦୀ ଭିତରେ ଥିବା ଆନିକଟ ତଳ ଅଞ୍ଚଳକୁ ସୁନ୍ଦର ଭାବେ ଆଲୋକିକରଣ ସହିତ ସଜାଇ ରଖିଲେ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଆକୃଷ୍ଟ ହେବେ। ଅଧିକନ୍ତୁ ପର୍ଯ୍ୟଟନକୁ ଏକ ଶିଳ୍ପରେ ପରିଣତ କରିବାର ଘୋଷଣା କରିଦେଲେ ଯଥେଷ୍ଟ ହେବନାହିଁ। ଏଥିସହିତ କ୍ଷୁଦ୍ର, ମଧ୍ୟମ ଓ ବୃହତ ହୋଟେଲ ଯୋଡ଼ାଯାଇ ପାରିବ। ମାର୍କେଟ କମ୍ପ୍ଲେକ୍ସ ଗଢ଼ି ଉଠିବ। ଅଞ୍ଚଳ ଭିତରେ ପ୍ରସ୍ତୁତ ସାମଗ୍ରୀର କାରବାର ବେଶ୍ ବଢ଼ିବ। ଏଥିରେ ପ୍ରଶସ୍ତ ନିଯୁକ୍ତି କ୍ଷେତ୍ର ସହିତ ବେପାର ବାଣିଜ୍ୟର ଏକ ପ୍ରଶସ୍ତ ବଜାର ସୃଷ୍ଟି ହେବ। ଆଞ୍ଚଳିକ ସ୍ତରରେ ପ୍ରସ୍ତୁତି ହେଉଥିବା ହସ୍ତଶିଳ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇ ବିକ୍ରି ହେବା ପାଇଁ ବଜାର ସୃଷ୍ଟି ହେବ। ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ ଓ ପ୍ରଶସ୍ତ କରିବା ପାଇଁ ଶିଳ୍ପପତି ବା ଅର୍ଥଯୋଗାଣକାରୀ ପୁଞ୍ଜିପତିମାନଙ୍କୁ ଆହ୍ୱାନ କରାଯାଇପାରେ। ଏମାନଙ୍କୁ ବିଓଟି, ବିଓଓ କିମ୍ବା ବିଓଡବ୍ଲ୍ୟୁ ଭିତ୍ତିରେ କରାଗଲେ ରାଜ୍ୟର ବ୍ୟୟବରାଦ ଅବସ୍ଥା ଉପରେ ଚାପ ସୃଷ୍ଟି ହେବନାହିଁ।
ପଞ୍ଚାନନ କାନୁନ୍ଗୋ
ଫୋ- ୯୪୩୮୩୬୦୮୪୯