/odisha-reporter/media/post_attachments/uploadimage/library/16_9/16_9_0/IMAGE_1748845380.jpg)
Representative Image
ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତିମାନଙ୍କ ଜମି ହସ୍ତାନ୍ତର ସମ୍ପର୍କରେ ସରକାର ଏକ ନୀତି ଆଣିବାକୁ ଯାଉଥିବା କଥା ଗଣମାଧ୍ୟମକୁ କହିଛନ୍ତି। ତାଙ୍କରି ବକ୍ତବ୍ୟ ଅନୁଯାୟୀ ଏଣିକି ସରକାର ଅନୁସୂଚୀତ ଜାତି ଓ ନଜଜାତିର ଲୋକଙ୍କ ଠାରୁ ସେମାନଙ୍କ ଜମିକୁ କିଣିବେ ଏବଂ ବର୍ଷେ ଦୁଇ ବର୍ଷ ପର୍ଯ୍ୟନ୍ତ ତାକୁ ନିଜ ପାଖରେ ରଖିବା ପରେ ସର୍ବସାଧାରଣରେ ସେହି ଜମିକୁ ନିଲାମ କରିଦେବେ। ମନ୍ତ୍ରୀଙ୍କ ଉପରୋକ୍ତ ବକ୍ତବ୍ୟ ପରେ ରାଜ୍ୟରେ ଦଳିତ ଓ ଆଦିବାସୀମାନଙ୍କ ଜମି ହସ୍ତାନ୍ତରକୁ ନେଇ ପୁଣିଥରେ ବିତର୍କ ସୃଷ୍ଟି ହୋଇଛି। ଆଦିବାସୀ ଓ ଦଳିତ ଲୋକଙ୍କ ସ୍ୱାର୍ଥରେ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଥିବା ବେଳେ ସେମାନଙ୍କ ଜମି ଅଧିକାର ଉପରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସଙ୍ଗଠନମାନେ ଏହାକୁ ରାଜ୍ୟର ସବୁଠାରୁ କମ୍ ଭୂମିର ଅଧିକାରୀ ଥିବା ଉପରୋକ୍ତ ଦୁଇ ବର୍ଗଙ୍କ ପାଖରେ ଥିବା ଅବଶିଷ୍ଟ ଜମିକୁ ଛଡ଼େଇ କର୍ପୋରେଟ୍ମାନଙ୍କୁ ଟେକିଦେବାକୁ ରାଜ୍ୟ ସରକାରଙ୍କ ସଦ୍ୟତମ ଷଡ଼ଯନ୍ତ୍ର ବୋଲି କହିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ ଝିଅ ବାହାଘର, ଉଚ୍ଚଶିକ୍ଷା ଏବଂ ଚିକିତ୍ସା ପାଇଁ ଆଦିବାସୀ ଓ ଦଳିତ ଲୋକେ ଚାହିଁଲେ ସେମାନେ ସରକାରଙ୍କୁ ନିଜର ଜମିକୁ ବିକ୍ରୀ କରିପାରିବେ। ଜମି କିଣିଲା ପରେ ସରକାର ତାକୁ ନିଜ ପାଖରେ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ରଖିବେ। ସେହି ସମୟ ଭିତରେ ଯଦି ବିକ୍ରେତା ଚାହାଁନ୍ତି ତାହେଲେ ନିଜର ଜମିକୁ ସରକାରଙ୍କ ଠାରୁ ପୁନଃ କ୍ରୟ କରିପାରିବେ। ଯଦି ଉପରୋକ୍ତ ଅବଧି ମଧ୍ୟରେ ଜମି ମାଲିକ ନିଜର ଜମିକୁ ସରକାରଙ୍କ ଠାରୁ ଫେରାଇ ଆଣିବାକୁ ଅକ୍ଷମ ହେବେ ତାହେଲେ ସରକାର ତାକୁ ସର୍ବ ସାଧାରଣରେ ନିଲାମ କରିଦେବେ। ଏଥିପାଇଁ ଆବଶ୍ୟକୀୟ ନିୟମ କାନୁନ୍ କରିବା ପାଇଁ ସରକାର କୁଆଡ଼େ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ଏହାସହ ଜମି କିଣିବା ପାଇଁ ମଧ୍ୟ ଏକ କର୍ପସ ପାଣ୍ଠି ଗଠନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟରେ ଆଦିବାସୀ ଓ ଦଳିତ ଲୋକଙ୍କ ଜମି ଅଧିକାରର ସୁରକ୍ଷା ନେଇ ସାନି ଆଶଙ୍କା ସୃଷ୍ଟି ହୋଇଛି। କାରଣ ଗତ ସରକାର ସମୟରେ ୨୦୨୩ ମସିହାରେ ଏହି ଭଳି ଯୁକ୍ତି ଦର୍ଶାଇ ତତ୍କାଳୀନ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସହଜ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ସାମନାରେ ନିର୍ବାଚନ ଥିବାରୁ ଏବଂ ଚାରିଆଡ଼ୁ ବିରୋଧର ସମ୍ମୁଖୀନ ହୋଇ ସରକାର ଶେଷରେ ଘୋଷଣାର ମାତ୍ର ୪୮ ଘଂଟା ମଧ୍ୟରେ ତାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ରାଜସ୍ୱ ମନ୍ତ୍ରୀଙ୍କ ସଦ୍ୟତମ ଘୋଷଣା ସେହି ଘଟଣାକୁ ପୁଣି ଥରେ ମନେ ପକାଇ ଦେଇଛି। ତେବେ ଗତ ସରକାରଙ୍କ ଠାରୁ ବର୍ତ୍ତମାନର ସରକାରଙ୍କ ଉଦ୍ୟମରେ ଦୁଇଟି ଫରକ ରହିଛି। ଗତ ସରକାର କେବଳ ଅନୁସୂଚୀତ ଅଂଚଳରେ ରହୁଥିବା ଆଦିବାସୀଙ୍କ ଜମି ହସ୍ତାନ୍ତର କଥା କହୁଥିବା ବେଳେ ବର୍ତ୍ତମାନର ସରକାର ସାରା ରାଜ୍ୟର ଆଦିବାସୀ ତଥା ଦଳିତ ଲୋକଙ୍କ ଜମି ହସ୍ତାନ୍ତରର କଥା କହିଛନ୍ତି। ସେହିପରି ଗତ ସରକାର ଆଦିବାସୀଙ୍କ ଜମିକୁ ସିଧାସଳଖ ଅଣ ଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ଆଇନରେ ସଂଶୋଧନ ଆଣିବାକୁ କହୁଥିବା ବେଳେ ବର୍ତ୍ତମାନର ସରକାର ସିଧାସଳଖ ହସ୍ତାନ୍ତର ବଦଳରେ ପ୍ରଥମେ ସରକାରଙ୍କୁ ହସ୍ତାନ୍ତର କରାଯିବ ଓ ତା’ପରେ ଅଣ ଆଦିବାସୀ କିମ୍ବା ଅଣ ଦଳିତଙ୍କୁ ହସ୍ତାନ୍ତର କରାଯିବ ବୋଲି ବ୍ୟବସ୍ଥା କରୁଛନ୍ତି। ଏହାର ଅର୍ଥ ଖୋଦ୍ ସରକାର ଆଦିବାସୀ ଓ ଦଳିତଙ୍କ ଜମି ହସ୍ତାନ୍ତର ପ୍ରକ୍ରୀୟାରେ ମଧ୍ୟସ୍ତ ଅଥବା ଦଳାଲର ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। ସବୁଠାରୁ ରୋଚକ କଥା ହେଲା, ଆଜିର ଶାସକ ବିଜେପି ଦଳ ସେତେବେଳେ ବିରୋଧି ଭୂମିକାରେ ରହି ସରକାରଙ୍କ ନିଷ୍ପତ୍ତିକୁ ଆଦିବାସୀ ବିରୋଧି ବୋଲି କହି ତା’ର ବିରୋଧ କରିଥିଲା ବେଳେ ବର୍ତ୍ତମାନ ସେମାନେ ନିଜେ ସେପରି କରିବାକୁ ଯାଉଛନ୍ତି।
ରାଜ୍ୟରେ ଆଦିବାସୀମାନଙ୍କ ଜମି ଉପରେ ସେମାନଙ୍କ ମାଲିକାନାକୁ ସୁରକ୍ଷିତ ରଖି ସେମାନଙ୍କୁ ଭୂମିହୀନ ହେବାରୁ ରୋକିବାକୁ ୧୯୫୬ ମସିହାରେ ଓଡ଼ିଶା ଅନୁସୂଚୀତ ଅଞ୍ଚଳ ଅସ୍ତାବର ସମ୍ପତ୍ତି ହସ୍ତାନ୍ତର (ଅନୁସୂଚୀତ ଜମଜାତି) ନିବାରଣ ଆଇନ - ୧୯୫୬ ପ୍ରଣୟନ କରାଯାଇଥିଲା। କିନ୍ତୁ ଏହା କେବଳ ରାଜ୍ୟର ଅନୁସୂଚୀତ ଅଞ୍ଚଳ ରୂପେ ପରିଚିତ ୧୧୯ଟି ବ୍ଳକ୍ରେ ରହୁଥିବା ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଅନୁସୂଚୀତ ଅଂଚଳ ବାହାରେ ବସବାସ କରୁଥିବା ରାଜ୍ୟର ଅନ୍ୟ ଆଦିବାସୀମାନେ ଏହି ଆଇନର ସୁରକ୍ଷାରୁ ବଂଚିତ ଥିଲେ। ତେବେ ଏହି ଆଇନରେ ଅନେକ ଦୁର୍ବଳତା ରହିଥିବାରୁ ଏବଂ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଆଦିବାସୀଙ୍କ ଜମିକୁ ନେବାର ବ୍ୟବସ୍ଥା ଥିବାରୁ, ତା’ର ସୁଯୋଗ ନେଇ ଅଣ ଆଦିବାସୀ ସମ୍ପ୍ରଦାୟର ଧନୀ ଓ ପ୍ରଭାବଶାଳୀ ଲୋକେ ଆଦିବାସୀଙ୍କ ଜମିକୁ ଆଇନଗତ ଭାବେ ହଡ଼ପ କରିବାରେ ସଫଳ ହୋଇଥିଲେ। ଯାରି ଫଳସ୍ୱରୂପ ଆଦିବାସୀଙ୍କ ଠାରୁ ବ୍ୟାପକ ପରିମାଣରେ ଜମି ଚାଲିଯାଇ ସେମାନଙ୍କ ଭୂମିହୀନତା ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ଜମିକୁ ନେଇ ଅସନ୍ତୋଷ ବି ବଢ଼ିବାକୁ ଲାଗିଲା। ୨୦୦୦ ମସିହା ବେଳକୁ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ ନିଜର ଅପହୃତ ଜମିକୁ ଫେରାଇବା ଦାବିରେ ଆଦିବାସୀମାନଙ୍କ ବଡ଼ ବଡ଼ ଲଢ଼ୁଆ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଏସବୁ ଆନ୍ଦୋଳନର ଚାପରେ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ରୋକିବା ପାଇଁ ଆଇନରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ସଂଶୋଧନ କରିଥିଲେ, ଯାହାକି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇ ୪ ସେପ୍ଟେମ୍ବର ୨୦୦୨ ମସିହାରେ ଆଇନରେ ପରିଣତ ହୋଇଥିଲା। ସଂଶୋଧିତ ଆଇନରେ ଅଣଆଦିବାସୀଙ୍କୁ ଆଦିବାସୀଙ୍କ ଜମିର ସମସ୍ତ ପ୍ରକାର କିଣାବିକାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା। ଏହାବାଦେ ପିଛିଲା ଭାବେ ଅଣ ଆଦିବାସୀଙ୍କ ଦଖଲକୁ ଚାଲିଯାଇଥିବା ଆଦିବାସୀଙ୍କ ଜମିର ହସ୍ତାନ୍ତର ସମ୍ପର୍କରେ ଅଣଆଦିବାସୀ ଜମି ମାଲିକମାନେ ସ୍ୱତଃ ସତ୍ୟପାଠ ଦାଖଲ କରିବାକୁ ବ୍ୟବସ୍ଥା ରହିଥିଲା।
ତେବେ ୨୦୦୨ର ଏହି ସଂଶୋଧନ ପରେ ଅନୁସୂଚୀତ ଅଂଚଳରେ ଆଦିବାସୀ ଜମିର ଆନୁଷ୍ଠାନିକ ଭାବେ ହସ୍ତାନ୍ତର ପ୍ରାୟତଃ ରୋକିଯାଇଥିଲା। କେବଳ ବିଭିନ୍ନ ପ୍ରକଳ୍ପ ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥାର ଅଧିଗ୍ରହଣ ଯୋଗୁଁ ଆଦିବାସୀଙ୍କ ହାତରୁ କିଛି ଜମି ଚାଲିଯାଇଥିଲା। ଅନ୍ୟପଟେ ନୂଆଁ ନିୟମ ପ୍ରକାରେ ଯଦିଓ ଆଦିବାସୀଙ୍କ ଜମି କିଣିଥିବା ସବୁ ଅଣ ଆଦିବାସୀ ଜମି ମାଲିକ ନିଜ ଆଡ଼ୁ ସତ୍ୟପାଠ ଦେଲେ ନାହିଁ କିନ୍ତୁ କିଛି ସ୍ଥାନରେ ଆଦିବାସୀଙ୍କ ଅଭିଯୋଗ କ୍ରମେ ସେମାନଙ୍କ ଅପହୃତ ଜମି ସେମାନଙ୍କ ପାଖକୁ ଫେରି ଆସିଥିଲା। ତେବେ ଅଣ ଆଦିବାସୀ ଜମିମାଲିକମାନେ ନିଜ ସ୍ୱାର୍ଥ ବିରୁଦ୍ଧରେ ଯାଉଥିବା ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପ୍ରଥମରୁ ହିଁ ଦାବି କରୁଥିଲେ। ଏହାକୁ ଖାରଜ କରିବାକୁ ୨୦୦୬-୧୦ ମଧ୍ୟରେ ସେମାନେ ହାଇକୋର୍ଟରେ ୧୦୫ଟି ପିଟିସନ୍ ଦାୟର ମଧ୍ୟ କରିଥିଲେ। ୨୦୧୯ ମସିହାରେ ହାଇକୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ଏହିସବୁ ପିଟିସନ୍ର ବିଚାର କରି ଉପରୋକ୍ତ ବ୍ୟବସ୍ଥାକୁ ପିଛିଲା ତାରିଖରୁ ଲାଗୁ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର କିନ୍ତୁ ହାଇକୋର୍ଟର ଏହି ରାୟ ବିରୁଦ୍ଧରେ ଉପର କୋର୍ଟରେ ଆଉ ଅପିଲ କରି ନଥିଲେ। ଅତଏବ ଆଦିବାସୀ ଜମି ହସ୍ତାନ୍ତର ନିରାକରଣ ଆଇନରେ ୨୦୦୨ ମସିହାରେ ହୋଇଥିବା ସଂଶୋଧନର ଗୋଟିଏ ଧାରାକୁ ପୂର୍ବରୁ ହାଇକୋର୍ଟ ଉଚ୍ଛେଦ କରିଥିବା ବେଳେ ଗତ ରାଜ୍ୟ ସରକାର ତା’ର ଦ୍ୱିତୀୟ ବ୍ୟବସ୍ଥାଟିକୁ ଖାରଜ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଆଦିବାସୀ ବିରୋଧି ଥିଲା।
ଜମି ହସ୍ତାନ୍ତର ପାଇଁ ଅନୁମତି ଦେଇ ପୂର୍ବ ସରକାର ହୋଇଥିବା ଅପଦସ୍ତରୁ ଶିକ୍ଷା ନେଇ ବର୍ତ୍ତମାନର ବିଜେପି ସରକାର ଅତ୍ୟନ୍ତ ଚତୁରତାର ସହ ପଦକ୍ଷେପ ନେବାକୁ ଯାଉଛନ୍ତି। ଦଳିତ ଓ ଆଦିବାସୀଙ୍କ ଜମିକୁ ସିଧାସଳଖ ହସ୍ତାନ୍ତର ପାଇଁ ଅନୁମତି ଦେବା ବଦଳରେ ତା’ର ପରୋକ୍ଷ ହସ୍ତାନ୍ତର ପାଇଁ ବାଟ ଖୋଲିଛନ୍ତି। ପ୍ରଥମେ ସେମାନେ ନିଜର ଜମିକୁ ସରକାରଙ୍କୁ ବିକ୍ରୀ କରିବେ ଏବଂ ଦୁଇ ବର୍ଷ ନିଜ ପାଖରେ ରଖିବେ। ଯଦି ଉକ୍ତ ଦୁଇ ବର୍ଷ ମଧ୍ୟରେ ସମ୍ପୃକ୍ତ ବିକ୍ରେତା ନିଜର ଜମିକୁ ପୁନଃ କ୍ରୟ କରିବାକୁ ଚାହାନ୍ତି ତାହେଲେ ସରକାର ତାକୁ ଫେରାଇ ପାରିବେ। ନୋଚେତ ପରେ ସରକାର ତା’ର ନିଲାମ କରି ଯିଏ ଅଧିକ ଦର ଦେଲା ତା’କୁ ଜମିର ମାଲିକାନା ହସ୍ତାନ୍ତର କରିବେ। ଏଠାରେ ପ୍ରଶ୍ନ ଉଠେ, ଯେଉଁ ଆଦିବାସୀ ବା ଦଳିତ ଅଭାବରେ ପଡ଼ି ନିଜର ଜମି ବିକ୍ରୀ କରିଛି ମାତ୍ର ଦୁଇ ବର୍ଷ ମଧ୍ୟରେ କ’ଣ ସେ ଅର୍ଥ ଉପାର୍ଜନ କରି ନିଜ ଜମିକୁ ପୁଣି ଥରେ କିଣି ପାରିବ? ପୁନଶ୍ଚ ସରକାର କିଣିଥିବା ଜମିକୁ ସର୍ବସାଧାରଣ ପାଇଁ ନିଲାମ କରିବାକୁ ଯାଉଥିବାରୁ ପ୍ରାୟତଃ ଅଣ ଆଦିବାସୀ ଓ ସବର୍ଣ୍ଣ ଲୋକେ ଏବଂ ତାହା ବି ସେମାନଙ୍କ ଭିତରେ ଥିବା ବ୍ୟବସାୟୀ, କମ୍ପାନୀ ମାଲିଙ୍କ ପରି ସ୍ୱଚ୍ଛଳ ବର୍ଗ ହିଁ କିଣିପାରିବେ। ଏହାର ଅର୍ଥ ହେଲା, ଏହି ପ୍ରକ୍ରୀୟାରେ ଦଳିତ ଓ ଆଦିବାସୀଙ୍କ ଜମି ନିଶ୍ଚିତ ଭାବେ ସବର୍ଣ୍ଣ ଓ ସ୍ୱଚ୍ଛଳ ବର୍ଗ ତଥା କମ୍ପାନୀମାନଙ୍କ ପାଖକୁ ଚାଲିଯିବ।
ସରକାରଙ୍କ ଯୁକ୍ତି ହେଲା, ଦଳିତ ଓ ଆଦିବାସୀ ଜମିର ହସ୍ତାନ୍ତର ଉପରେ ରହିଥିବା କଟକଣା ଯୋଗୁଁ ସ୍ୱଚ୍ଛଳ ଆଦିବାସୀମାନେ ନିଜର ଜମିକୁ ବଜାର ଦରରେ ବିକ୍ରୀ କରିବା ସମ୍ଭବ ହେଉନି। ନିଜର ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ପାଇବାରେ ବି ସମସ୍ୟା ହେଉଛି। ବିଦେଶ ଭ୍ରମଣ, ବିଦେଶରେ ପାଠ ପଢ଼ିବା ଓ ଚିକିତ୍ସା ପାଇଁ ଋଣ ପାଇବାକୁ ହେଲେ ଏହି ଆଇନ ପ୍ରତିବନ୍ଧକ ସାଜୁଛି। ଅତଏବ ଦଳିତ ଓ ଆଦିବାସୀମାନଙ୍କୁ ହିଁ ସାହାଯ୍ୟ କରିବା ପାଇଁ ତଥା ସେମାନଙ୍କ ଭିତରେ ଉଦ୍ଦ୍ୟମୀ, ଠିକାଦାର, ବ୍ୟବସାୟୀ ଆଦି ସୃଷ୍ଟି କରିବା ପାଇଁ ଏହି କଟକଣାକୁ ଉଠେଇଦେବା ଜରୁରୀ ଥିଲା ବୋଲି କୁହାଯାଇଛି। ଗତ ସରକାର ବି ଏହି ଯୁକ୍ତି କରିଥିଲେ। ଯଦି ଆଦିବାସୀମାନେ ଚିକିତ୍ସା ପାଇଁ ଏବଂ ଉଚ୍ଚଶିକ୍ଷା ପାଇଁ ନିଜର ଜମି ବିକ୍ରୀ କରିବାକୁ ପଡ଼ୁଛି ତାହେଲେ ସରକାରଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଜନା ସବୁ ବିଫଳ ହୋଇଛି ବୋଲି କୁହାଯିବ।
ଆଉ ଏକ ପ୍ରଶ୍ନ ହେଲା, ଆଦିବାସୀଙ୍କ ମଧ୍ୟରେ ଏଭଳି ସ୍ୱଚ୍ଛଳ ଲୋକଙ୍କ ସଂଖ୍ୟା କେତେ, ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଯିବାକୁ ଇଚ୍ଛୁକ ଅଥବା ଶିଳ୍ପ କାରଖାନା କରିବାକୁ ଆଗ୍ରହୀ? ବୋଧହୁଏ ସେଭଳି ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ ଆଦିବାସୀଙ୍କ ସଂଖ୍ୟାର ୧% ବି ହେବ କି ନାହିଁ ସନ୍ଦେହ! ଏହା ବ୍ୟତିତ ସରକାର ଏହା ଏକ ଗୁରୁତ୍ତର ସମସ୍ୟା ବୋଲି କେଉଁ ଆଧାରରେ ଜାଣିଲେ? ଏଥିପାଇଁ କେବେ କ’ଣ କୌଣସି ଆଦିବାସୀ ବା ସେମାନଙ୍କ ସଂଘ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି? ସରକାର କେବେ ଆଦିବାସୀମାନଙ୍କ ଜମି ମାଲିକାନା ଅଥବା ସାମାଜିକ ଅର୍ଥନୈତିକ ସମସ୍ୟାକୁ ଜାଣିବା ପାଇଁ ଅଧ୍ୟୟନ କିମ୍ବା ସର୍ଭେ କରିଛନ୍ତି କି? ଯଦି ନାହିଁ ତାହେଲେ ସରକାରଙ୍କ ନିଷ୍ପତ୍ତିକୁ ଏକପାଖିଆ ବୋଲି ହିଁ କୁହାଯିବ। କାରଣ ସରକାରଙ୍କ ଉପରୋକ୍ତ ନିଶ୍ପତ୍ତିଟି ହୁଏତ ମାତ୍ର ଏକ ଭାଗ ଆଦିବାସୀଙ୍କୁ ସାହାଯ୍ୟ କରିପାରେ କିନ୍ତୁ ଏହା ଫଳରେ ୯୫% ଅଧିକ ଆଦିବାସୀ କ୍ଷତିଗ୍ରସ୍ତ ହେବେ।
ସରକାର କହିବେ କି ଯେ ୨୦୦୨ରେ ଯେଉଁ ପରିସ୍ଥିତିରେ ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତୀୟ ସଂଶୋଧନଟି ଅଣା ଯାଇଥିଲା, ଆଜି କ’ଣ ସେହି ପରିସ୍ଥିତିରେ ପରିବର୍ତ୍ତନ ଘଟିଛି? ଗତ ଦୁଇ ଦଶକ ମଧ୍ୟରେ ଆଦିବାସୀମାନେ କ’ଣ ପ୍ରଚୁର ଜମିର ମାଲିକ ହୋଇଗଲେଣି ନା ସେମାନଙ୍କର ଆଉ ଜମି ହସ୍ତାନ୍ତର ହେବନି ବୋଲି ସରକାର ନିଶ୍ଚିତ ଅଛନ୍ତି? କିନ୍ତୁ ଏହାର ବିପରୀତ ଦେଶର ମହାଲେଖାଗାର ତାଙ୍କ ରିପୋର୍ଟରେ ରାଜ୍ୟରେ ଆଦିବାସୀଙ୍କ ଜମିର ସ୍ଥିତିକୁ ଅଧ୍ୟୟନ କରି ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ଅର୍ଥାତ୍ ଦଶବର୍ଷ ମଧ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ବଢ଼ିଥିବା ବେଳେ ସେମାନଙ୍କ ଦଖଲରେ ଥିବା ମୋଟ ଜମିର ପରିମାଣ ୧୨% ହ୍ରାସ ପାଇଛି ବୋଲି କହିଛନ୍ତି। ସେହିପରି କୃଷି ଜନଗଣନା ଅନୁଯାୟୀ ଆଦିବାସୀମାନଙ୍କ ହାରାହାରି ଜମିର ପରିମାଣ ୨୦୧୫-୧୬ ରେ ୧.୦୪ ହେକ୍ଟର ଥିବା ବେଳେ ୨୦୨୧-୨୨ ବେଳକୁ ତାହା ୦.୯୦ ହେକ୍ଟରକୁ ହ୍ରାସ ପାଇଛି। ଅବଶ୍ୟ ଏହି ହ୍ରାସର ବଡ଼ କାରଣଟି ହେଉଛି, ବିଭିନ୍ନ ପ୍ରକଳ୍ପ ପାଇଁ ସରକାରଙ୍କ ସଂସ୍ଥାମାନଙ୍କ ପକ୍ଷରୁ ହେଉଥିବା ଜମି ଅଧିଗ୍ରହଣ। କିନ୍ତୁ ଯାହା ହେଲେ ବି ଆଇନରେ କଟକଣା ରହିଥିଲେ ବି ଆଦିବାସୀଙ୍କ ହାତରୁ ଜମିର ପରିମାଣ ଲଗାତାର ହ୍ରାସ ପାଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଆଇନକୁ ସଂଶୋଧନ କରି ସରକାର ଦଳିତ ଓ ଆଦିବାସୀଙ୍କ ଜମିକୁ ପରୋକ୍ଷ ଭାବେ ହସ୍ତାନ୍ତର କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ସେମାନଙ୍କୁ ଧିରେ ଧିରେ ଭୂମିହୀନ କରିଦେବ।
ରାଜ୍ୟର ଦଳିତମାନଙ୍କ ଭିତରେ ରହିଥିବା ଭୟଙକର ଭୂମିହୀନତାକୁ ଦେଖି ୨୦୧୦ ମସିହାରେ ଯୋଜନା କମିଶନ ରାଜ୍ୟ ସରକାରଙ୍କ ପାଖକୁ ଏକ ଚିଠି ପଠାଇଥିଲେ। ସେଥିରେ ତହସିଲ ସ୍ତରରେ ଦଳିତମାନଙ୍କ ସର୍ଭେ କରି ସେମାନଙ୍କ ମଧ୍ୟରେ ରହିଥିବା ଭୂମିହୀନ ଲୋକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ସ୍ଥାନୀୟ ଅଂଚଳରେ ଥିବା ସରକାରୀ ଜମିକୁ ଚିହ୍ନଟ କରି ସେମାନଙ୍କ ମଧ୍ୟରେ ବଂଟନ କରିବାକୁ ଏବଂ ଯଦି ଆବଶ୍ୟକୀୟ ସରକାରୀ ଜମି ଉପଲବ୍ଧ ନଥାଏ ତାହେଲେ ଘରୋଇ ମାଲିକାନାରେ ଥିବା ଜମିକୁ ସରକାର ନିଜେ କିଣି ତାକୁ ଭୂମିହୀନ ଦଳିତଙ୍କ ମଧ୍ୟରେ ବାଂଟିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଉପରୋକ୍ତ ଚିଠି ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ତହସିଲ କାର୍ଯ୍ୟାଳୟମାନଙ୍କୁ ପହଂଚିଥିଲେ ବି ତାହା କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ସରକାର ଯଦି ଦଳିତ ଓ ଆଦିବାସୀଙ୍କ ଭିତରେ ଥିବା ସ୍ୱଚ୍ଛଳ ଲୋକମାନଙ୍କ ଠାରୁ ସେମାନଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଜମି କିଣିବାକୁ ଚାହୁଁଛନ୍ତି, ତାହେଲେ କିଣନ୍ତୁ କିନ୍ତୁ ତାକୁ ବିଲକୁଲ୍ ନିଲାମ ନକରି ଦଳିତ ଓ ଆଦିବାସୀଙ୍କ ମଧ୍ୟରେ ରହିଥିବା ଭୂମିହୀନ ଓ ଗୃହହୀନ ଲୋକଙ୍କୁ ମାଗଣାରେ ବାଣ୍ଟି ଦିଅନ୍ତୁ। ତାହେଲେ ସେମାନଙ୍କ ଜମି ସେମାନଙ୍କ ପାଖରେ ହିଁ ରହିବ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଭୂମିହୀନତା କିଛି ପରିମାଣରେ ଦୂର ହୋଇପାରିବ।
ଅନ୍ୟପଟେ ରାଜ୍ୟରେ ଜମି ଓ ଜଙ୍ଗଲ ଉପରେ ଅଧିକାର ଦେବାକୁ ଆଦିବାସୀମାନେ ବାରମ୍ବାର ଦାବି କରି ଅସିଥିଲେ ମଧ୍ୟ ସରକାର କେବେ ବି ତାକୁ ଗୁରୁତ୍ତ ଦେଇ ନାହାନ୍ତି। ରାଜ୍ୟରେ ପୂର୍ବରୁ ଭୂମିହୀନ ଲୋକ ବିଶେଷ କରି ଆଦିବାସୀ ଓ ଦଳିତଙ୍କୁ ସରକାରୀ ଓ ସିଲିଂ ବର୍ହିଭୂତ ଜମି ବଂଟନ କରାଯାଉଥିବା ବେଳେ ତାହା ଗତ ଅଢ଼େଇ ଦଶନ୍ଧି ଧରି ସରକାର ବନ୍ଦ ରଖିଛନ୍ତି। ଏବେ ସରକାରୀ ଜମିକୁ ଗରିବଙ୍କୁ ବାଣ୍ଟିବା ବଦଳରେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ରହିଛି। ଯାରିଫଳରେ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସ କରି ରହିଥିବା ରାଜ୍ୟର ଲକ୍ଷ ଲକ୍ଷ ଦଳିତ ଓ ଆଦିବାସୀଙ୍କ ଦଖଲ ନିୟମିତ ହୋଇପାରୁନି। ଅନ୍ୟପଟେ ସରକାର ନିଜ ଅଧିନରେ ରଖିଥିବା ଲକ୍ଷ ଲକ୍ଷ ସରକାରୀ ଜମିକୁ ନିଜର ଲେଣ୍ଡବ୍ୟାଙ୍କରେ ସଂରକ୍ଷିତ ରଖି ତାକୁ ବଡ଼ ବଡ଼ କର୍ପୋରେଟ୍ମାନଙ୍କୁ ରାତିଅଧିଆ ଟେକିଦେବାରେ ଲାଗିଛନ୍ତି।
ଅତଏବ ଏଭଳି ସ୍ଥିତିରେ ରାଜ୍ୟରେ ଦଳିତ ଓ ଆଦିବାସୀମାନଙ୍କ ଜମିକୁ ପରୋକ୍ଷ ଭାବେ ହସ୍ତାନ୍ତର କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତିଟି ନେଇଛନ୍ତି ତାହା ଆଦୌ ତର୍କସଙ୍ଗତ କିମ୍ବା ବାସ୍ତବତା ଉପରେ ଆଧରିତ ନୁହେଁ। ବରଂ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଲକ୍ଷ ଲକ୍ଷ ଦଳିତ ଓ ଆଦିବାସୀ ପରିବାରଙ୍କୁ ସଶକ୍ତିକରଣ କରିବା ବଦଳରେ ସେମାନଙ୍କୁ ଜମିହୀନ କରି ଦାରିଦ୍ର୍ୟ ଭିତରକୁ ଠେଲିଦେବ। ଆଗାମୀ ଦିନରେ ସେମାନଙ୍କ ଜମି ସେଠାକାର ଧନୀ ଲୋକ, କମ୍ପାନୀ, ରିଏଲ ଇଷ୍ଟେଟ୍ ବ୍ୟବସାୟୀ ତଥା ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କ ହାତକୁ ଚାଲିଯିବ ଯାହାକି ରାଜ୍ୟର ସବୁଠାରୁ ଗରିବ ଓ ଶୋଷିତ ଲୋକଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ ବୋଲି କୁହାଯାଇପାରେ।
ଫୋନ - ୯୪୩୭୧୬୬୩୯୧
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
