Advertisment

Climate Change: ସମୁଦ୍ର ଆଙ୍କୁଛି ନିଜ ମାନଚିତ୍ର!

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅବଗତ ଅଛି ଯେ ବଙ୍ଗୋପସାଗରକୁ ଲାଗି ରହିଥିବା ୪୮୦ କିଲୋମିଟର ସୀମା ମଧ୍ୟରୁ ୧୮୭ କିଲୋମିଟର ଅଞ୍ଚଳରେ ଏହି ଭଳି ସମୁଦ୍ର ନିଜର ନୂଆ ଭୂଗୋଳ ତିଆରି କରୁଛି। ଏହା ସମୁଦାୟ ଉପକୂଳ ଲାଇନର ୩୯ ପ୍ରତିଶତ।

author-image
Debaranjan Sarangi
IMG_5374

Podumpeta Photograph: (Author)

ଦେବ ରଞ୍ଜନ

ପୋଡ଼ମପେଟା ଗ୍ରାମବାସୀଙ୍କ ବଞ୍ଚିବାର ଅଧିକାରକୁ ସମୁଦ୍ର ଛଡ଼େଇ ନେଇଛି। ଯେଉଁ ସମୁଦ୍ର ଦିନେ ଗ୍ରାମବାସୀଙ୍କୁ ଜୀବିକା ଦେଇଥିଲା, ସେହି ପୁଣି ଆଜି ସେମାନଙ୍କ ଠାରୁ ଛଡ଼େଇ ନେଇଛି ଘର, ଜମି, ପଡ଼ିଆ, ଡଙ୍ଗା ବାନ୍ଧିବାର ଜାଗା। ପ୍ରାୟ ୩୦୦ ଘର ସମୁଦ୍ର ମଧ୍ୟରେ ବୁଡ଼ି ଯାଇସାରିଲାଣି ଏହି ମାତ୍ର ୭ ରୁ ୮ ବର୍ଷ ମଧ୍ୟରେ।  

Advertisment

କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ହୁମା ବ୍ଲକର ଏହି ପୋଡ଼ମପେଟା ଅଞ୍ଚଳକୁ ମୁଁ ଯାଇଥିଲି। ଗାଁର ନାମ ଏବେ ପୁରୁଣା ପୋଡ଼ମପେଟା ହୋଇଯାଇଛି। ସମୁଦ୍ର କୁଳକୁ ଲାଗି ରହିଥିବା ଘରଗୁଡ଼ିକ ଭାଙ୍ଗି ଗଲାଣି। ଘରର ଦାଣ୍ଡ ଦୁଆର ବନ୍ଧରେ ଠିଆ ହୋଇ ଦେଖିଲେ ବାଡ଼ି ପଟେ ସମୁଦ୍ରର ଲହଡ଼ି ପିଟିହେଉଥିବା  ଦେଖାଯାଉଛି। ହୁଏତ ଆଗାମୀ ମାସେ କି ଦୁଇ ମାସ ମଧ୍ୟରେ ସେହି ଘରଗୁଡ଼ିକ ମଧ୍ୟ ଧସି ପଶିଯିବ ସମୁଦ୍ର ଗର୍ଭରେ। ଏହାପରେ ଗୁଗୁଲ ମ୍ୟାପରୁ ପୁରୁଣା ପୋଡ଼ମପେଟା ଲିଭିଯିବ। 

ଘରଗୁଡ଼ିକ ଧାଡ଼ି କି ଧାଡ଼ି। ଅନେକ ଘରର ଭିତରେ ଛିଣ୍ଡା ଜାଲ ଗୁଡ଼ିକ ମଶାରୀର ଭ୍ରମ ସୃଷ୍ଟି କରୁଛି। ପିଲାଙ୍କ ଫାଟିଯାଇଥିବା ବହି ବସ୍ତାନୀ ତଳେ ପଡ଼ିଛି। ଅନେକ ଘରର ସାମ୍ନା କାନ୍ଥରେ ଏବେ ବି ଲିଭି ନାହିଁ ‘ସ୍ଵାଗତ’ ଓ ‘ମନୁ ୱେଡ୍ସ ତନୁ’ ଲେଖା ଓ ହାତ ଗଣ୍ଠି ସାଙ୍ଗକୁ ମହୁରୀ ଓ ଢୋଲର ଦୃଶ୍ୟ। 

Advertisment

୨୦୧୧ର ଜନସଂଖ୍ୟା ଅନୁସାରେ ଏହି ଗାଁରେ ଏକଦା ୫୧୦ ପରିବାର ଥିଲେ, ସମୁଦାୟ ୧୬୦୦ ଲୋକ। ଗାଁର ଶହେ ପ୍ରତିଶତ ଲୋକେ ମତ୍ସ୍ୟଜୀବୀ। ସମୁଦ୍ର ସେମାନଙ୍କୁ ମାଛ ଦିଏ ଓ ମାଛ ସେମାନଙ୍କୁ ଦିଏ ଖାଦ୍ୟ, ବସ୍ତ୍ର, ଗୃହ, ଶିକ୍ଷା ଓ ବଞ୍ଚିବାର ସ୍ଵପ୍ନ। ଏହାଥିଲା ପିଢ଼ି ପିଢ଼ି ଲାଗି ବୁଝାମଣା। 

ପୋଡ଼ମପେଟାର ଲୋକେ ସମୁଦ୍ରକୁ ସମାନ୍ତରାଳ କରି ଧାଡ଼ିକୁ ଧାଡ଼ି ଘର ତିଆରି କରିଥିଲେ। ସେ ସବୁ ଘର ନିଜସ୍ଵ ପଟ୍ଟା ଜମି ଉପରେ ଥିଲା। ଆଜିର ସମୟରେ ଅନେକ ଘର ସମୁଦ୍ର ଭିତରେ ଡୁବି ଗଲାଣି। ତଥାପି କେତେକ ପରିତ୍ୟକ୍ତ ଘର ଏବେ ବି ଠିଆ ହୋଇଛି। ହୁଏତ ଆସନ୍ତା ବର୍ଷକ ମଧ୍ୟରେ ତାହା ମଧ୍ୟ ସମୁଦ୍ର ଭିତରକୁ ଚାଲିଯିବ। 

IMG_5404
Podumpeta Photograph: (Author)

‘୨୦୦୭ ମସିହାର ଏକ ବଡ଼ ଜୁଆରରେ ସମୁଦ୍ର ପାଣି ଗାଁ ପାଖକୁ ଚାଲିଆସିଥିଲା। ସେହିଠାରୁ ଜାଣନ୍ତୁ ଆମର ବିପଦ ଆରମ୍ଭ ହେଲା।’ ଏକଥା କହିଲେ ପୋଡ଼ମପେଟା ଗାଁର ସିଏଚ ପୋଡୁରୁ। ବୟସ ୫୨ ବର୍ଷ। ସଂପୂର୍ଣ୍ଣ ୫୧୦ ପରିବାର ମଧ୍ୟରୁ ଏବେ ସେ ଏକ ମାତ୍ର ପରିବାର ସେହି ଜଙ୍ଗଲ ହୋଇଯାଇଥିବା ଗାଁ ମଧ୍ୟରେ ରହିଯାଇଛନ୍ତି। ନିଜର ଘରର ମୋହ ଛାଡ଼ି ପାରୁନାହାନ୍ତି। କିନ୍ତୁ ସେ ବି କେତେଦିନ? ତାଙ୍କ ଘରେ ଏବେ ବି ପିଲାଙ୍କ ବହିପତ୍ର ରହିଛି। 

ଫାଇଲିନ ହୋଇଥିଲା ୨୦୧୩ ମସିହାରେ। ଏହିଠାରୁ ଲୋକେ ବିସ୍ଥାପିତ ହେବା ଆରମ୍ଭ ହେଲେ। ଗାଁର ଲୋକେ ନିଜର ପଟ୍ଟା ଜମିକୁ ସମୁଦ୍ରକୁ ଦେଇଦେଲେ ବିନା ମୂଲ୍ୟରେ। ଯଦି ପୋଡ଼ମପେଟା ଏକ ସହର ହୋଇଥାନ୍ତା ଯେମିତି କି ପଶ୍ଚିମ ବଙ୍ଗର ଦିଘା ଅଥବା ଆନ୍ଧ୍ର ପ୍ରଦେଶର କାକିନାଡ଼ା ତେବେ ସମୁଦ୍ର କୂଳରେ ହୁଏତ ପଥର ବନ୍ଧ ସରକାରଙ୍କ ତରଫରୁ ତିଆରି ହୋଇଥାନ୍ତା। ସହରର ନିଜସ୍ୱ ଅର୍ଥନୀତି ରହିଛି, ରାଜନୀତି ମଧ୍ୟ। 

ସହର ହିଁ ଆଧୁନିକ ସଭ୍ୟତାର ମାପକାଠି। ସହରକୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକ କାର୍ଯ୍ୟ, ସେଥିଲାଗି କେତେ ଗାଁ ବୁଡ଼ିଯାଉ ନା କାହିଁକି। (ଅବଶ୍ୟ ନର୍ମଦା ନଦୀବନ୍ଧର ଜଳଭଣ୍ଡାର ଭିତରେ ୧୭୮ଟି ଗାଁ ସହିତ ମଧ୍ୟପ୍ରଦେଶର ହରସୁଦ ସହର କେବଳ ‘ବିକାଶ’ ପାଇଁ ବୁଡ଼ିଗଲା।) 

ଗଲା ଦଶ ବାର ବର୍ଷ ହେଲା ଅଲିଭ ରିଡଲି କଇଁଛ ଅଣ୍ଡା ଦେବା ଲାଗି ଏହି କୁଳକୁ ଆସୁଛନ୍ତି। ଜଙ୍ଗଲ ବିଭାଗ ଫେବୃଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ନିବୁଜ ରଖିବା ଲାଗି ବିଭାଗ ତାହାର ଅଧିକ କର୍ମଚାରୀ ନିଯୁକ୍ତ କରୁଛି। କିନ୍ତୁ କୁଳରେ ଜଙ୍ଗଲ ସୃଷ୍ଟି କରି ସମୁଦ୍ର ଲାଗି ଏକ ପ୍ରାକୃତିକ ପ୍ରାଚୀର ସୃଷ୍ଟି କରିବା ଲାଗି ଉଦ୍ୟମ କରିନାହିଁ। ଏବେ ସମୁଦ୍ର ଯେଉଁଭଳି ପୋଡ଼ମପେଟା ଗାଁ ପାଖରେ ପହଞ୍ଚିଛି ସେମାନଙ୍କ ଲାଗି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ଦେବା ପାଇଁ ତାହା ଆଉ ଉପଯୁକ୍ତ ସ୍ଥାନ ହୋଇରହିନାହିଁ।  

ପୋଡ଼ମପେଟାର ପଛକୁ ରହିଛି ଗୋଖରକୁଦା ଗାଁ। ୨୦୧୧ ମସିହାର ଜନଗଣନା ଅନୁସାରେ ୨୩୨ ପରିବାରର ଜନସଂଖ୍ୟା ୧୧୦୧। ୨୦୨୫ ମସିହା ବେଳକୁ ଏହା ୧୫୦୦ ହୋଇଯାଇଥିବ। ସେମାନେ କିନ୍ତୁ ଚାଷୀ। ହେଲେ ପୋଡ଼ମପେଟା ସଂପୂର୍ଣ୍ଣ ଲୀନ ହେବା ପରେ ପରେ ଗୋଖରକୁଦାର ପାଳି ପଡ଼ିବ।   

ବିଶ୍ଵ ପାଣିପାଗ ସଂସ୍ଥା ବା World Meteorological Organisation ର ତଥ୍ୟ ଅନୁସାରେ, ୧୯୯୩ରୁ ୨୦୨୩ ମସିହା ମଧ୍ୟରେ ବଙ୍ଗୋପସାଗରର ଜଳରାଶି ଅନ୍ୟ ସମୁଦ୍ର ତୁଳନାରେ ଅଧିକ ବଢ଼ିଛି। ବିଶ୍ଵର ଅନ୍ୟ ପ୍ରାନ୍ତର ସମୁଦ୍ରରେ ଜଳରାଶି ପ୍ରତିବର୍ଷ ୩.୪ ମିଲିମିଟର ବଢୁଥିବା ବେଳେ ବଙ୍ଗୋପସାଗରରେ ପ୍ରତିବର୍ଷ ୪.୪୪ ମିଲିମିଟର ଜଳରାଶି ବଢୁଛି ଯାହାକି ଅନ୍ୟ ପ୍ରାନ୍ତ ଠାରୁ ୩୦% ଅଧିକ। ବିଶ୍ୱ ତାପମାତ୍ରା ବୃଦ୍ଧି ଏହାର ପ୍ରମୁଖ କାରଣ।    

ଜାତିସଂଘ ଦ୍ଵାରା ଗଠିତ ଆଇପିସିସି (Intergovernmental Panel for Climate Change) ର ଏକ ହିସାବ ଅନୁସାରେ ସମୁଦ୍ରରେ ପ୍ରତି ଏକ ମିଲିମିଟର ଜଳରାଶି ବଢ଼ିବାର ଅର୍ଥ ଏହା ଏହା ମଧ୍ୟକୁ ଯେତିକି ଜଳରାଶି ପ୍ରବେଶ କରିଥାଏ ତାହା ୩୬୦ ବର୍ଗ କିଲୋମିଟର ଅଧିକ ଜାଗା ଅକ୍ତିଆର କରିଥାଏ। 

ଯଦି ସମୁଦ୍ର ଜଳରାଶି ୧ ଇଞ୍ଚ (୧ ଇଞ୍ଚ = ୨୫. ୪ ମିଲିମିଟର) ବୃଦ୍ଧି ହେଉଛି ତେବେ ସେହି ଆଇପିସିସିର ରିପୋର୍ଟ ଅନୁସାରେ ଏହା ୯୨୦୦ ବର୍ଗ କିଲୋମିଟର ଅଧିକ ଜାଗା ଅକ୍ତିଆର କରିବ। 

ପୋଡ଼ମପେଟାର ସିଏଚ ପୋଡୁରୁ ଠିକ କହୁଥିଲେ। ‘୧୯୯୯ ମସିହାର ମହାବାତ୍ୟା ସମୟରେ ସମୁଦ୍ରର ପାଣି ଗାଁ ଠାରୁ ଅନେକ ଦୂରରେ ଥିଲା। ପବନର ବେଗ ଅଧିକ ଥିବା ହେତୁ ସମୁଦ୍ରର ବାଲି ସେମାନଙ୍କ ଘରକୁ ପୋତିଦେଇଥିଲା। ସେତେବେଳେ ସମୁଦ୍ର ପ୍ରାୟ ଏକ କିଲୋମିଟର ଦୂରରେ ଥିଲା।’

‘ସମୁଦ୍ର ଓ ଆମ ଗାଁ ମଝିରେ ଥିଲା ବିରାଟ ଝାଉଁ ଓ କାଜୁ ଜଙ୍ଗଲ। ସମୁଦ୍ର କୂଳରେ କେତେ ଲୋକ ଛୋଟ କୁଡ଼ିଆ ବି କରିଥିଲେ। ସେହିଠାରେ ଡଙ୍ଗା ଓ ଜାଲ ରଖି ଗାଁକୁ ଆସୁଥିଲୁ। ଖରା ଦିନେ ସମସ୍ତେ ଥଣ୍ଡା ବାଲିରେ ରାତିରେ ଶୋଉଥିଲୁ। ଏବେ ସମୁଦ୍ର ଆମକୁ ତଡ଼ିଦେଲା।’

IMG_5414
Podumpeta Photograph: (Author)

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅବଗତ ଅଛି ଯେ ବଙ୍ଗୋପସାଗରକୁ ଲାଗି ରହିଥିବା ୪୮୦ କିଲୋମିଟର ସୀମା ମଧ୍ୟରୁ ୧୮୭ କିଲୋମିଟର ଅଞ୍ଚଳରେ ଏହି ଭଳି ସମୁଦ୍ର ନିଜର ନୂଆ ଭୂଗୋଳ ତିଆରି କରୁଛି। ଏହା ସମୁଦାୟ ଉପକୂଳ ଲାଇନର ୩୯ ପ୍ରତିଶତ। ଏ ମଧ୍ୟରୁ ୩୯.୩ କିଲୋମିଟର ଅଞ୍ଚଳରେ ସମୁଦ୍ର ଦ୍ରୁତ ଗତିରେ ଭୂଭାଗକୁ ମାଡ଼ିଆସୁଛି। ୫୧.୯୬ କିଲୋମିଟର ସୀମାରେ ଅପେକ୍ଷାକୃତ ଧୀର ଗତିରେ ସମୁଦ୍ର ଭୂଭାଗକୁ ଖାଉଛି। 

ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଭଳି ପୁରୀ ଜିଲ୍ଲାର କୋଣାର୍କ ନିକଟସ୍ଥ ଉଦୟକଣି ଓ ଛେନୁଗାଁର ଗ୍ରାମବାସୀ ଗାଁ ଛାଡ଼ି ନୂଆ ଅଞ୍ଚଳରେ ଗ୍ରାମ ବସାଇଛନ୍ତି। ଗୋପାଳପୁର ବନ୍ଦର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଗାଁ ଏକୁଟିଆ ଆଜି ସମୁଦ୍ର ସହିତ ଲଢ଼େଇ କରୁଛି। 

ଓଡ଼ିଶା ଉପକୂଳରେ ଏହି ଭଳି ଅନେକ ଗାଁ ଏବେ ବି ଅଛି ଯାହା ହୁଏତ ସମୁଦ୍ର ଭିତରେ ମିଶିଗଲାଣି, ଯେମିତି କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା, ନଚେତ କେବେ ବି ମିଶିଯାଇପାରେ। 

କିଛି ଦିନ ତଳେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ଲେଖା ପଢ଼ିବା ଭିତରେ Climate central ନାମକ ଏକ ସଂଗଠନର ପୂର୍ବ ଅନୁମାନ ସମ୍ପର୍କରେ ଜାଣିଲି। ସେମାନଙ୍କ ୱେବସାଇଟରୁ ମିଳୁଥିବା ତଥ୍ୟ ଅନୁସାରେ ଓଡ଼ିଶା ଉପକୂଳରେ ଏଭଳି ଅନେକ ଗାଁ ଅଛି ଯାହା ବହୁ ଶୀଘ୍ର ସମୁଦ୍ର ମଧ୍ୟକୁ ଆସିଯିବ ଯଦି ପ୍ରତିକାର ଭାବରେ କିଛି କରାନଯାଏ। 

ସେହି ସବୁ ଅଞ୍ଚଳ ହେଉଛି- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଚଉମୁଖ, ସାର୍ଥ, କସାଫଳ, ପଞ୍ଚୁପଲି, ସାର୍ଥ; କେନ୍ଦ୍ରପଡ଼ା ଜିଲ୍ଲାର ସାତଭାୟା ନିକଟସ୍ଥ ଅନେକ ଗାଁ ଯଥା ମୋଟ୍ଟୋ, ଅରଡି, ନନ୍ଦପୁର ଓ ପରମାନନ୍ଦପୁର; ଜଗତସିଙ୍ଘପୁର ଜିଲ୍ଲା ପାରାଦ୍ଵୀପ ନିକଟସ୍ଥ ପୋଲାଙ୍ଗ, ଆମ୍ବିକି ଓ ପଦମପୁର ଇତ୍ୟାଦି ଗାଁ; ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଉଦୟକଣି ଠାରୁ ବାଲିଦୋକାନ ମଧ୍ୟରେ ଆସୁଥିବା ଗାଁ; ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ ଓ ପଲ୍ଲୀବନ୍ଧ ଇତ୍ୟାଦି ଗାଁ। ୨୦୫୦ ମସିହା ବେଳକୁ ଏହାର ସଂଖ୍ୟା ଯଥେଷ୍ଟ ଅଧିକ ହୋଇଯାଇଥିବ।   

ଜଳବାୟୁ ପରିବର୍ତ୍ତନ, ବୃକ୍ଷ କାଟିବା, ପ୍ରଦୂଷଣ ଓ ତାପମାତ୍ରାରେ ବୃଦ୍ଧି ଇତ୍ୟାଦି ସମୁଦ୍ରର ଜଳରାଶି ଭୂଭାଗକୁ ଆସିବାର କାରଣ। ଏହାର ସମାଧାନର ରାସ୍ତା କୌଣସି ଏକ ରାଜ୍ୟ ଦ୍ଵାରା ସମ୍ଭବ ନୁହେଁ। ରାଜ୍ୟବାସୀଙ୍କ ପ୍ରତିନିଧି ଭାବରେ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ କେନ୍ଦ୍ର ସାମ୍ନାରେ ଦୃଢ଼ତାର ସହିତ ରଖିପାରନ୍ତେ ଯଦି ସରକାର ନିଜେ ଠିକ ରହିଥାନ୍ତେ। ସମୁଦ୍ରର ଲହଡ଼ିକୁ ପ୍ରତିହତ କରିବା ଲାଗି କୂଳରେ ପ୍ରଚୁର ଜଙ୍ଗଲ ସୃଷ୍ଟି କରିବା ଜରୁରୀ। ରାଜ୍ୟ ମଧ୍ୟରେ ରହିଥିବା ଜଙ୍ଗଲରେ ବୃଦ୍ଧି ଘଟାଇବା ଆବଶ୍ୟକ। କିନ୍ତୁ ସରକାରଙ୍କ କଥା ଓ କାର୍ଯ୍ୟରେ ପାର୍ଥକ୍ୟ ରହିଆସିଛି।  

ପରିବେଶର ସୁରକ୍ଷା ଆମର ବଞ୍ଚିବାର ଅଧିକାରର ପ୍ରସଙ୍ଗ। ଆଜି ଯିଏ ସରକାରରେ ଅଛି ଆସନ୍ତା କାଲି ସେ ଜଣେ ସାଧାରଣ ନାଗରିକ ହେବ। ସେ ମଧ୍ୟ ଏହାର ପ୍ରଭାବକୁ ଅନୁଭବ କରିବ। ଗଲା କାଲି ଯିଏ ଧ୍ଵଂସ କରିଥିଲା ସେ ଆଜି ଭୋଗୁଛି। 

ଓଡ଼ିଶା ସରକାର ଗଲା ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଲାଗି ୨୬ ଲକ୍ଷ ୭୫ ହଜାର ଗଛ କଟିଥିବା ଜଙ୍ଗଲ ବିଭାଗ ରିପୋର୍ଟରୁ ଜଣାପଡୁଛି। (ଉତ୍ସ: ଦି ପ୍ରିଣ୍ଟ ୱେବନ୍ୟୁଜ) 

ଗଲା ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ୧୧୦୩୩ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ରୂପାନ୍ତର ଲାଗି ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ସରକାର ଦ୍ଵିତୀୟ ସର୍ବାଧିକ ଜଙ୍ଗଲ ଜମି ଏଭଳି ରୂପାନ୍ତର ପାଇଁ ଅନୁମତି ଦେଇଛନ୍ତି। (ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୩୩୧/ ୩୧ ଜୁଲାଇ ୨୦୨୫)

ଜଙ୍ଗଲ ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରସଙ୍ଗ। ନୂତନ ଜଙ୍ଗଲ ଆଇନ ଅନୁସାରେ କେନ୍ଦ୍ର ସରକାର ଦେଶର ସମସ୍ତ ଜଙ୍ଗଲର ହର୍ତ୍ତାକର୍ତ୍ତା। 

୨୦୨୪ ମସିହାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସିଂଗ୍ରେନୀ କୋଇଲା ପ୍ରକଳ୍ପ ଲାଗି ୯୦,୦୦୦ ହଜାର ଗଛ କାଟିବା ଲାଗି ଏହି ବିଭାଗ ତରଫରୁ ମଞ୍ଜୁରୀ ମିଳିଛି। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ହେତୁ ତାହା ବନ୍ଦ ଅଛି। 

ସ୍କୁଲର ଛୋଟ ଛୋଟ ପିଲାଙ୍କୁ ନେଇ ଦିନକ ପାଇଁ ବୃକ୍ଷରୋପଣ କରାଯାଉଛି ଓ ବର୍ଷ ସାରା ଲକ୍ଷାଧିକ ଗଛକୁ ବିଭାଗ ଦ୍ଵାରା ନିଜେ କାଟି ଶୁଆଇ ଦିଆଯାଉଛି। ଏଭଳି ଆଭିମୁଖ୍ୟ କୌଣସି ସରକାର ମଧ୍ୟରେ ସତରେ କ’ଣ ନୈତିକ ସାହସ ଆଣିବ ଓ ସେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ପ୍ରମୁଖ ଭୂମିକା ନେବ? 

ମୋବାଇଲ- ୯୪୩୭୭୬୨୨୭୨

Bay Of Bengal Gopalpur Beach Puri Beach Beach Safety Odisha Kakinada Beach Gopalpur Beach News Puri Beach After Cyclone