ଦେବ ରଞ୍ଜନ
ଲେଖକ ବା ଲେଖିକା ଲାଗି ଲେଖାର ସୀମା କିଏ ନିର୍ଣ୍ଣୟ କରିବ, ତା’ ନିଜର ବିବେକ ନା ସରକାରଙ୍କ ଆକ୍ରୋଶ?
ଅରୁନ୍ଧତୀ ରାୟଙ୍କ ସମ୍ପର୍କରେ ଏହି ପ୍ରଶ୍ନଟି ବାରମ୍ବାର ଆସୁଛି। ଲେଖିକାଙ୍କୁ ମିଳୁଥିବା ପେନ ପିଣ୍ଟର ପୁରସ୍କାର ଠାରୁ ବଡ଼ ଖବର ହେଉଛି ଯେ ଜାତିସଂଘର ମାନବିକ ଅଧିକାର କାଉନସିଲ ଲେଖିକାଙ୍କ ଉପରୁ ‘ଦେଶଦ୍ରୋହ’ ଅଭିଯୋଗ ପ୍ରତ୍ୟାହାର କରିବା ଲାଗି ଭାରତ ସରକାରଙ୍କୁ ଜୋର ଦେଇ ଅନୁରୋଧ କରିଛି।
ପୁରସ୍କାର ଲେଖିକାଙ୍କୁ ଉତ୍ସାହିତ କରିବ। ମାତ୍ର ଜାତିସଂଘ କାଉନସିଲର ବାର୍ତ୍ତା ୧୪୦ କୋଟି ଦେଶବାସୀଙ୍କ ଏହି ଦେଶର ମାନବିକ ଅଧିକାରର ସୁରକ୍ଷା ଓ ବାକ ସ୍ଵାଧୀନତାର ସ୍ଥିତିକୁ ଦର୍ଶାଇଦେଉଛି।
ବିଶ୍ଵରେ ୧୮୦ ଦେଶ ମଧ୍ୟରୁ ପ୍ରେସ ସ୍ଵାଧୀନତା ବା ବାକ ସ୍ଵାଧୀନତା ତାଲିକାରେ ବିଜେପି ଶାସନକୁ ଆସିବା ବର୍ଷ ୨୦୧୪ ମସିହାରେ ଭାରତ ଯେଉଁଠି ୧୪୦ ସ୍ଥାନରେ ରହିଥିଲା ୨୦୨୪ ମସିହା ବେଳକୁ ତାହା ଖସି ଆସି ୧୬୧ ସ୍ଥାନରେ ପହଞ୍ଚିଛି। ଅରୁନ୍ଧତୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଏହାର ଉଦାହରଣ।
ଲେଖକ ସମାଜକୁ ଭଲପାଉଥିବା କାରଣରୁ ଲେଖେ। ସମାଜ ଯେଉଁଠି ତିଳ ତିଳ ହୋଇ ମରୁଥାଏ ସେଠାରେ ଲେଖକ ନିଜେ କଦାପି ଏକ ଜୀବନ୍ତ ଶବ ହୋଇ ପଡ଼ିରହେ ନାହିଁ କି ସେଠାରୁ ମୁହଁ ବୁଲାଇ ଏକ ସ୍ଵାର୍ଥୀ ମଣିଷ ହୋଇଯାଇପାରେ ନାହିଁ। ସେ ନିଶ୍ଚୟ ନିଶାଣ କରେ ସମାଜକୁ ମାରିଦେଉଥିବା ଶକ୍ତିମାନଙ୍କୁ।
୨୦୦୯ ମସିହାରେ ଅରୁନ୍ଧତୀ ନିଜର ଲେଖା ‘ଡେମୋକ୍ରାସିଜ ଫେଲିଙ୍ଗ ଲାଇଟ’ (ଗଣତନ୍ତ୍ରର ଲିଭିଆସୁଥିବା ଔଜଲ୍ୟ)ରେ କାଶ୍ମୀରର ସ୍ଥିତି ସମ୍ପର୍କରେ ଲେଖୁଛନ୍ତି, ‘ଆଜକୁ ପ୍ରାୟ ୨୦ ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ୭୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି। ହଜାର ହଜାର ନିର୍ଯାତିତ, ଆଉ କେତେ ହଜାର ‘ନିଖୋଜ’। ହଜାର ହଜାର ସ୍ତ୍ରୀ ବିଧବା ହୋଇଛନ୍ତି, ଆଉ କେତେକ ଧର୍ଷିତା। ପାଞ୍ଚ ଲକ୍ଷ ଭାରତୀୟ ସୈନ୍ୟ କାଶ୍ମୀର ଉପତ୍ୟକାର ଗଳିକନ୍ଦି, ପାହାଡ଼ ଝରଣା, ଜନବସତି ଶୂନ୍ୟସ୍ଥାନ ସବୁଠି ମୁତୟନ।’ (ଇରାକ ଦଖଲ ସମୟରେ ୧,୬୫,୦୦୦ ଜଣ ଆମେରିକୀୟ ସୈନିକ ମୁତୟନ ହୋଇଥିଲେ।)
ଏହାର ପରବର୍ଷ ୨୦୧୦ ମସିହାରେ ଦିଲ୍ଲୀରେ କାଶ୍ମୀର ସଂକ୍ରାନ୍ତ ଆୟୋଜିତ ଏକ ମିଟିଂରେ ‘କାଶ୍ମୀରର ଆଜାଦି ସପକ୍ଷରେ’ ଲେଖିକା ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର ଲେଖିକାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇନଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ଏ ସମ୍ପର୍କରେ ମତ ଥିଲା ‘ଲେଖିକା ବିରୁଦ୍ଧରେ କୌଣସି ପଦକ୍ଷେପ ନନେବା ବି ଏକ ପଦକ୍ଷେପ।’
ବିଜେପି ସରକାର ଭିନ୍ନମତ ପ୍ରତି ତୁଳନାତ୍ମକ ଭାବରେ ଅଧିକ ଅସହିଷ୍ଣୁ। ତାଙ୍କର ହିନ୍ଦୁରାଷ୍ଟ୍ର ଗଠନର ଜଲଦିବାଜି ରହିଛି। ଏହା ସହିତ ସଂବେଦନଶୀଳ ସମାଜ ଗଠନ ଅପେକ୍ଷା ଏକ ଦୃଢ଼ ରାଷ୍ଟ୍ର ଗଠନ ଦକ୍ଷିଣପନ୍ଥୀ ବିଚାରର ଲକ୍ଷ୍ୟ। ଜାମ୍ମୁର ସୁଶୀଲ ପଣ୍ଡିତଙ୍କ ଅଭିଯୋଗ (ଏଫଆଇଆର) ଉପରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସେହି ୨୦୧୦ ମସିହାର ମିଟିଂ ଲାଗି ୨୦୨୩ ମସିହାରେ ଲେଖିକା ଓ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ‘ରାଜଦ୍ରୋହ’ ବା ସେଡିସନ ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମ କୋର୍ଟ ଏହାର ବର୍ଷକ ପୂର୍ବରୁ, ୨୦୨୨ ମସିହାରେ, ‘ରାଜଦ୍ରୋହ’ ମାମଲା ଉପରେ ରୋକ ଲଗାଇଥିବା କାରଣରୁ ଏ ସଂକ୍ରାନ୍ତରେ ପୁଲିସ ତତ୍ପର ନଥିଲା।
ଅନ୍ୟ ତିନି ଜଣ ‘ରାଜଦ୍ରୋହ’ ବା ସେଡିସନ ଅଭିଯୁକ୍ତ ହେଲେ ହୁରିୟାତ ନେତା ଏସଏଆର ଗିଲାନୀ, ଜାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସଏଦ ଗିଲାନୀ ଓ ପ୍ରଫେସର ସୌକତ ହୁସେନ। ଇତି ମଧ୍ୟରେ ଏସଏଆର ଗିଲାନୀ ଓ ପ୍ରଫେସର ସଏଦ ଗିଲାନୀ ମୃତ୍ୟୁବରଣ କରିସାରିଛନ୍ତି।
‘ରାଜଦ୍ରୋହ’ ମାମଲାରେ ବିଫଳ ହେବା ପରେ ଦିଲ୍ଲୀ ରାଜ୍ୟପାଳ ଅଧିକ ଆକ୍ରୋଶମୂଳକ ହୋଇ ଜୁନ ୧୪, ୨୦୨୪ରେ ଅରୁନ୍ଧତୀ ରାୟ ଓ ପ୍ରଫେସର ସୌକତ ହୁସେନଙ୍କ ବିରୁଦ୍ଧରେ ‘ଦେଶଦ୍ରୋହ’ ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଛନ୍ତି, ତାହା ପୁଣି ମିଟିଂର ୧୪ ବର୍ଷ ପରେ। ଉଭୟ ଏବେ ଗିରଫ ହେବେ କି ନାହିଁ ତାହା କୋର୍ଟର ବିଚାର ପରିସରଭୁକ୍ତ ହୋଇଛି। ଭାରତର ନିର୍ବାଚନ ପୂର୍ବରୁ ଲେଖିକାଙ୍କ ଭାଷାରେ ‘ଭାରତର ଗଣତନ୍ତ୍ରକୁ ଆଜି ଅତି ଯୋଜନାବଦ୍ଧ ଭାବରେ ଖଣ୍ଡ ଖଣ୍ଡ କରିଦିଆଯାଇଛି। ପରମ୍ପରା ନାମରେ ଗଣତନ୍ତ୍ର ବଞ୍ଚିରହିଛି। ଅର୍ଥ, ତଥ୍ୟ, ସୁରକ୍ଷା, ମିଡିଆ, ଇଲେକ୍ସନ ପରିଚାଳନା, ସୁରକ୍ଷା ସଂସ୍ଥା ସବୁକୁ ସରକାର ନିଜ କର୍ତ୍ତୃତ୍ଵକୁ ନେବା ପରେ ଏବେ ଭାରତ ଏକ ‘ନିର୍ବାଚନ ସ୍ଵେଚ୍ଛାଚାରୀ’ ଦେଶ ଭାବରେ ବଞ୍ଚିରହିଛି। (ଆପ୍ରୋଚିଙ୍ଗ ଗ୍ରୀଡଲକ/ ୨୦୨୩) ନିର୍ବାଚନ ପରେ ମୋଦୀଙ୍କ ତୃତୀୟ ପାଳିରେ ସେ ନିଜେ ଏହି ବିଘଟିତ ଗଣତନ୍ତ୍ର ଓ ସ୍ଵେଚ୍ଛାଚାରୀ ଶାସନର ଶିକାର ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୋଟିଏ ପଟରେ ଏହି କଥା ଦୋହରାଉଛନ୍ତି, ‘କାଶ୍ମୀରରେ ଏବେ ସାଧାରଣ ସ୍ଥିତି ରହିଛି ଓ ସାଧାରଣ ଅବସ୍ଥା ଫେରିଆସିଛି।’ ଅନ୍ୟପଟରେ, କାଶ୍ମୀର ସଂକ୍ରାନ୍ତରେ ଲେଖକୀୟ ଅଭିବ୍ୟକ୍ତିରେ ରୋକ ଲଗାଇବା ଲାଗି ଦିଲ୍ଲୀ ରାଜ୍ୟପାଳ ‘ଦେଶଦ୍ରୋହ’ର ଧମକ ଦେଇଛନ୍ତି। ଅନ୍-ଲଅଫୁଲ ଆକ୍ଟିଭିଟିଜ ପ୍ରିଭେନସନ ଆକ୍ଟ ବା ୟୁଏପିଏର ଧାରା ୧୩ ରେ ‘ଦେଶଦ୍ରୋହ’ ମାମଲା ରୁଜୁ କରିବା ଲାଗି ରାଜ୍ୟପାଳଙ୍କ ନିର୍ଦ୍ଦେଶ ଲେଖିକାଙ୍କ କାଶ୍ମୀର ସମେତ ଅନ୍ୟ ସମସ୍ତ ପ୍ରସଙ୍ଗରେ ମୁହଁ ବନ୍ଦ ରଖିବାର ଧମକ।
ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିରେ ଅର୍ଥାତ ଅଗଷ୍ଟ ୦୮, ୨୦୧୯ରେ ଉକ୍ତ ୟୁଏପିଏ (୧୯୬୭) ର ବିରାଟ ସଂଶୋଧନ ହୋଇଥିଲା। ଉକ୍ତ ସଂଶୋଧନ ଅନୁସାରେ, ଏଣିକି କେନ୍ଦ୍ର ସରକାର ‘ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଥବା ନିଜର ବକ୍ତବ୍ୟ ବା କାର୍ଯ୍ୟ ଦ୍ଵାରା ଏହାକୁ ବଢାଉଥିବା ଅଭିଯୋଗରେ କୌଣସି ବ୍ୟକ୍ତିକୁ ମଧ୍ୟ କେନ୍ଦ୍ର ସରକାର ‘ଆତଙ୍କବାଦୀ’ ଘୋଷଣା କରିପାରିବେ।’ ଏଥିଲାଗି ସେ କୌଣସି ‘ଆତଙ୍କବାଦୀ ସଂଗଠନ’ର ସଦସ୍ୟ ହୋଇଥିବା ଜରୁରୀ ନୁହେଁ।
ୟୁଏପିଏର ଏଭଳି ସଂଶୋଧନ ଦର୍ଶାଉଛି ଯେ କୌଣସି ବି ବ୍ୟକ୍ତି ସେ ଯେ କେହି ହୋଇଥାଉ ନା କାହିଁକି ଯଦି ସେ ସରକାରଙ୍କ ଉପରେ ନିଜର ଦାବି ହାସଲ ଲାଗି ଚାପ ସୃଷ୍ଟି କରିବା ପାଇଁ ଧାରଣା, ଅନଶନ ଓ ରାଲିର ଆଶ୍ରୟ ନେବ ଅଥବା ସଂଗଠିତ କରିବ ତେବେ ତାହାଙ୍କ ବିରୁଦ୍ଧରେ ‘ଦେଶଦ୍ରୋହ’ ଅଭିଯୋଗରେ ସରକାର ମକଦ୍ଦମା ରୁଜୁ କରିପାରିବେ, ଆବଶ୍ୟକ ମନେକଲେ ଗିରଫ ମଧ୍ୟ କରିପାରିବେ। (‘ଭାରତରେ ଦମନ ଆଇନ : ଅତୀତ ଓ ବର୍ତ୍ତମାନ’ ପୁସ୍ତକରୁ ଉଦ୍ଧୃତ)
ଦମନ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ରାଜନୈତିକ ବିଚାର ମଧ୍ୟ। ଗଣତନ୍ତ୍ରରେ ନିର୍ବାଚିତ ସରକାର ନିଜକୁ ସ୍ଥାୟୀ କରିବାର ଲୋଭରେ ନିଜ ବିଚାର ସହିତ ସମନ୍ଵୟ ରଖୁନଥିବା ଗୋଷ୍ଠୀଙ୍କୁ ସେମାନଙ୍କ ପ୍ରତିବାଦ ଓ ଧାରଣା ଲାଗି ‘ଦେଶଦ୍ରୋହୀ’ ଆଖ୍ୟା ଦେଇଥାନ୍ତି। ପୂର୍ବର କଂଗ୍ରେସ ସରକାର ଆଦିବାସୀ ଅଞ୍ଚଳରେ ବିଭିନ୍ନ କମ୍ପାନୀର ପ୍ରକଳ୍ପର ପଥ ସୁଗମ ଲାଗି ଅଧିକ ସଂଖ୍ୟକ ଆଦିବାସୀ ଓ ସେହି ଆଂଦୋଳନର ଦୃଢ଼ ସମର୍ଥକଙ୍କୁ ‘ଦେଶଦ୍ରୋହ’ ଆଖ୍ୟା ଦେଇ ଗିରଫ କରୁଥିଲେ। ସେମାନଙ୍କ ଜମି ଜଙ୍ଗଲ ଓ ସଂସ୍କୃତିର ସୁରକ୍ଷା ଲାଗି ଉଦ୍ୟମକୁ ଦେଶର ‘ସାର୍ବଭୌମତ୍ଵ’, ‘ଅଖଣ୍ଡତା’ ଓ ‘ସର୍ବସାଧାରଣ ଶୃଙ୍ଖଳା’ରେ ବାଧା ଆଣୁଥିବା କୁହାଯାଉଥିଲା।
ଗାଁ ଆଜି ଯେମିତି ଶ୍ରମିକ ଚାଲାଣର ସ୍ଥଳ ପାଲଟିଯାଇଛି। ଅରୁନ୍ଧତୀଙ୍କ ଭାଷାରେ, ‘ଭାଷଣ ପରେ ଭାଷଣ ଆମେ ଶୁଣୁ ଯେ ଭାରତ ତା’ର ଗାଁମାନଙ୍କରେ ହିଁ ବଞ୍ଚିରହିଛି। ଏହା ପୂରା ଭଣ୍ଡାମି କଥା, ସରକାରଙ୍କ ଫୁଲନ୍ତା ପୋଷାକ ଭଣ୍ଡାରରୁ ଏହା କେବଳ ଗୋଟିଏ ଲଜ୍ଜାନିବାରକ କଉପୁନି। ଭାରତ ତା’ର ଗାଁରେ ବଞ୍ଚିରହେନା। ଭାରତ ତାର ଗାଁମାନଙ୍କରେ ତିଳ ତିଳ ହୋଇ ମରିଥାଏ। ଭାରତକୁ ତାର ଗାଁମାନଙ୍କରେ ମାରିଦିଆଯାଏ। ଭାରତରେ ଗାଁ ଗୁଡ଼ିକ ବଞ୍ଚିଛନ୍ତି କେବଳ ତାର ସହରମାନଙ୍କର ସେବା କରିବା ପାଇଁ, ପରାଧୀନ ସେବକ ମାତ୍ର।’ (‘ବିକାଶ ପାଇଁ ବିନାଶ’ ପ୍ରବନ୍ଧ, ଅରୁନ୍ଧତୀ ରାୟଙ୍କ ପାଞ୍ଚଟି ପ୍ରବନ୍ଧରୁ ଉଦ୍ଧୃତ)
୨୦୧୪ ମସିହାରେ ବିଜେପି ସରକାର ଆସିଲା। ନିଜର ‘ହିନ୍ଦୁରାଷ୍ଟ୍ର ଗଠନ’ର ଆଭିମୁଖ୍ୟ ଲାଗି ଧାର୍ମିକ ଅଳ୍ପସଂଖ୍ୟକ ବିଶେଷକରି ମୁସଲମାନ ସଂଗଠନ, ବ୍ୟକ୍ତିବିଶେଷ ଓ ସେମାନଙ୍କ ଦାବିକୁ ସମର୍ଥନ ଜଣାଉଥିବା ବ୍ୟକ୍ତି ‘ଦେଶଦ୍ରୋହ’ରେ ଅଧିକ ସଂଖ୍ୟାରେ ଆରୋପିତ ହେଲେ। ‘କାଶ୍ମୀର’, ‘ଗୋମାଂସ’ ଓ ‘ଲଭ ଜିହାଦ’ ଇତ୍ୟାଦି ଏହି ଅଭିଯୋଗର ଅଂଶ। କହିବାକୁ ଗଲେ ଆଦିବାସୀଙ୍କ ସହିତ ଏହି ଗୋଷ୍ଠୀ ଯୋଡ଼ିହୋଇଗଲେ। ଅରୁନ୍ଧତୀ ଯୁକ୍ତି କରିଆସିଛନ୍ତି ଯେ କର୍ପୋରେଟ ଓ ଦକ୍ଷିଣପନ୍ଥୀ ଶକ୍ତି ଗଣତନ୍ତ୍ରର ହତ୍ୟା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି।
୨୦୧୪ରୁ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଦେଶଦ୍ରୋହ’ ଆରୋପୀଙ୍କ ସଂଖ୍ୟା ହେଲା ୧୦,୫୫୨। ସେହି ସମୟ ମଧ୍ୟରେ ଦୋଷୀ ପ୍ରମାଣିତ ହୋଇଥିବା ବ୍ୟକ୍ତି ହେଲେ ମାତ୍ର ୨୫୩ ଜଣ ଅର୍ଥାତ ୨.୪ ପ୍ରତିଶତ। କିନ୍ତୁ ‘ଦେଶଦ୍ରୋହ’ ଅଭିଯୋଗରେ ଛନ୍ଦି ହୋଇ ଦଶନ୍ଧି ଦଶନ୍ଧି ଜେଲ ଭିତରେ ସଢୁଥିବା ଗୋଷ୍ଠୀ ହେଲେ ଦେଶର ସଂଖ୍ୟାଲଘୁ ମୁସଲମାନ, ଦଳିତ, ଆଦିବାସୀ, ସାମାଜିକ କର୍ମୀ, ରାଜନୈତିକ କର୍ମୀ, ସାମ୍ବାଦିକ, ଅଧ୍ୟାପକ, ମାନବିକ ଅଧିକାର କର୍ମୀ ଓ ଛାତ୍ରଛାତ୍ରୀ। (ପିୟୁସିଏଲ ରିପୋର୍ଟ, ୨୦୨୨)
ଦିଲ୍ଲୀ ରାଜ୍ୟପାଳଙ୍କ ଆକ୍ରୋଶମୂଳକ ପଦକ୍ଷେପର ଦୁଇ ମାସ ପୂର୍ବରୁ ଅରୁନ୍ଧତୀ ବିଜେପି ସରକାର ଇସ୍ରାଏଲ ସରକାରଙ୍କ ସହିତ ୪୨,୦୦୦ ଭାରତୀୟ ଶ୍ରମିକଙ୍କୁ ଗାଜାରେ ନିଯୁକ୍ତି ଲାଗି କରିଥିବା ଚୁକ୍ତିକୁ ବିରୋଧ କରିଥିଲେ। ବିରୋଧର କାରଣ ଲେଖିକାଙ୍କ ଭାଷାରେ ଥିଲା, ‘ଏବେ ଯେଉଁଠି ଆମେରିକା ନିଜର ଅଧିକ ଗଚ୍ଛିତ ସମ୍ପଦ – ଯୁଦ୍ଧାସ୍ତ୍ର ଓ ଅର୍ଥ – ଇସ୍ରାଏଲ ଦ୍ଵାରା ସଂଗଠିତ ଗଣହତ୍ୟା ଲାଗି ପଠାଉଛି ସେଠାକୁ ମୋଦୀଙ୍କ ଭାରତ ନିଜର ଅଧିକ ଗଚ୍ଛିତ ବେକାରୀ ଗରିବ ପରିବାରର ଶ୍ରମିକଙ୍କୁ ପଠାଇବା ଲାଗି ଚୁକ୍ତି କରିଛି।’
ହମାସର ଆକ୍ରମଣର ଆଳରେ ଇସ୍ରାଏଲ ସୈନ୍ୟ ୩୦,୦୦୦ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ଇତିମଧ୍ୟରେ ହତ୍ୟା କରିସାରିଲେଣି। ଭାରତୀୟ ଶ୍ରମିକ ଏହି ଯୁଦ୍ଧରେ ମୃତ୍ୟୁବରଣ କରୁଥିବାର ସଂବାଦ ଆସିବାରେ ଲାଗିଛି। ଏବେ ଭାରତରେ ଟ୍ରେଡ ଯୁନିଅନମାନେ କେନ୍ଦ୍ର ସରକାରଙ୍କର ଇସ୍ରାଏଲକୁ ଶ୍ରମିକ ଚାଲାଣ ନୀତିକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ଏବେ ଭାରତୀୟ ଗାଁ ଗୁଡ଼ିକ ଇସ୍ରାଇଲ ଭଳି ଗଣହତ୍ୟାକାରୀ ଦେଶର ସେବାରେ ନିଯୁକ୍ତ! ଏଭଳି ସମୟରେ ଲେଖିକାଙ୍କ ସରକାରଙ୍କ ଭୂମିକାକୁ ବିରୋଧ ବିଜେପିକୁ ଅଧିକ ଆକ୍ରୋଶମୂଳକ କରିଛି। ଯାହା ବିଭିନ୍ନ ସରକାରୀ ଉତ୍ସବରେ କୁହାଯାଇଥାଏ ଯେ ସାହିତ୍ୟ ହିଁ ସମାଜର ସମ୍ପଦ, ସାହିତ୍ୟ ହିଁ ସମାଜର ପ୍ରତିବିମ୍ବ ଓ ସାହିତ୍ୟିକ ହିଁ ସମାଜର ପଥପ୍ରଦର୍ଶକ ତାହା ସେତିକି ବାଟ ପର୍ଯ୍ୟନ୍ତ ଯେତେବାଟ ପର୍ଯ୍ୟନ୍ତ ସାହିତ୍ୟ ପ୍ରତିବାଦର ରାସ୍ତା ନନେଇଛି। ଯେଉଁ ମୁହୂର୍ତ୍ତରେ ସାହିତ୍ୟ ପ୍ରତିବାଦଧର୍ମୀ ହୁଏ ସେତେବେଳେ ସେ ସାହିତ୍ୟିକ ଦେଶଦ୍ରୋହୀର ଆଖ୍ୟା ପାଇଥାଏ।
ଓଡ଼ିଆ କବି ଆଶୁତୋଷ ପରିଡ଼ାଙ୍କ କବିତା ‘ଅପ୍ରସ୍ତୁତ ମୃତ୍ୟୁ’ର କିଛି ଧାଡ଼ି ଏଠାରେ ଉଦ୍ଧୃତ କରୁଛି। ‘କିଛି ଅସୁବିଧା ନାହିଁ / ତୁମେ ଲେଖିପାର / ମଣିଷର ଜୀବନ ଯନ୍ତ୍ରଣାର କଥା / ବର୍ଣ୍ଣନା କରିପାର / ତା’ର ଦୁଃଖ, ଦୈନ୍ୟ, ଦାରିଦ୍ର୍ୟ / ଅସହାୟତା ଆଗରେ ଢାଳି ଦେଇପାର ଦି’ଟୋପା ଲୁହ / କିଛି ଅସୁବିଧା ନାହିଁ / ଏସବୁ ତ କବିର ସମ୍ବେଦନା ଗୀତ।‘କିନ୍ତୁ ଯେଉଁ ମୁହୂର୍ତ୍ତରେ / ତୁମେ ଆରମ୍ଭ କରିବ ପ୍ରତିବାଦ / କିମ୍ବା ଡାକରା ଦେବ ଏକ ବିଦ୍ରୋହର / ସବୁକିଛି ଯେପରି ଭୁଲ ହୋଇଯିବ... ’ଶେଷରେ ତୁମର କବିତା / ଘୋଷିତ ହେବ ଏକ ବିପଜ୍ଜନକ ଉଚ୍ଚାରଣ / ଓ ତୁମେ ନିଜେ ହୋଇଯିବ / ତଥାକଥିତ ବେଶଦ୍ରୋହର କାରଣ।’
ସମାଜ ନିକଟରେ ଶାସକକୁ ଉତ୍ତରଦାୟିତ୍ଵହୀନ କରିବା ଲାଗି ‘ଦେଶଦ୍ରୋହ’ର ଅଭିଯୋଗ ସରକାରଙ୍କ ଏକ ବଡ଼ ଆୟୁଧ। ଅରୁନ୍ଧତୀ ଏହାର ସଦ୍ୟତମ ଶିକାର। ସରକାର ନିଜକୁ ନିରଙ୍କୁଶ କରିବା ଲାଗି ନିଜର ଚେଷ୍ଟା ଜାରିରଖିଛନ୍ତି।
ମୋବାଇଲ- ୯୪୩୭୭୬୨୨୭୨