Advertisment

ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ?

ନିଜ ଐତିହ୍ୟକୁ ନେଇ ଗର୍ବ କରୁ ନ ଥିବା, ନିଜର ସ୍ୱାଭିମାନ ନ ଥିବା କୌଣସି ଜାତି କେବେ ସଫଳତା ବା ଉନ୍ନତିର ମାର୍ଗରେ ଆଗକୁ ବଢ଼ି ପାରି ନାହିଁ। ଅର୍ଥନୀତି ହେଉ ବା ରାଜନୀତି, କୌଣସି କ୍ଷେତ୍ରରେ ବି ନେତୃତ୍ୱ ପାଇଁ ପର ଉପରେ ନିର୍ଭରଶୀଳ ଜାତି ଓ ରାଜ୍ୟର ଭବିଷ୍ୟତ ଅନ୍ଧକାରମୟ। ମଧୁବାବୁ ସ୍ୱତନ୍ତ୍ର ଉତ୍କଳର ସ୍ୱପ୍ନ ଦେଖିଥିଲେ ଏକ ଓଡ଼ିଆ ନେତୃତ୍ୱର ଅଭ୍ୟୁଦୟ ପାଇଁ। ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା ଓ ଓଡ଼ିଶା ସାମଗ୍ରୀର ବିଶ୍ୱସ୍ତରୀୟ ପରିଚିତି ପାଇଁ।

author-image
Debendra Prusty
Utkal Gourab Madhusudan Das

Utkal Gourab Madhusudan Das

ଡଃ ରୀନା ରାଉତରାୟ

ଇତିହାସ ସାକ୍ଷୀ ଅଛି ଗଙ୍ଗାଠାରୁ ଗୋଦାବରୀ ଯାଏ ଉତ୍କଳୀୟ ସନ୍ତାନର ବୀରତ୍ଵର ଗାଥା। ଉତ୍କଳର ଐତିହ୍ୟ ବହୁ ପ୍ରାଚୀନ। ଶିଳ୍ପ ବାଣିଜ୍ୟ ଓ ସଂସ୍କୃତି କ୍ଷେତ୍ରରେ ସାରା ବିଶ୍ୱରେ ଅନେକ ସୁନାମ ଥିଲା।

Advertisment

ଇଂରେଜ ଶାସନ ସମୟରେ ଧୀରେ ଧୀରେ ଓଡ଼ିଶା ବିଖଣ୍ଡିତ ହେବାକୁ ଲାଗିଲା। ସେତେବେଳକୁ ଉତ୍କଳୀୟ ବୀରତ୍ଵ ସାଙ୍ଗକୁ ଗୌରବମୟ ବାଣିଜ୍ୟ ପରମ୍ପରା ଲୁପ୍ତ ପ୍ରାୟ ହେବାକୁ ଲାଗିଲା।

ସେହି ଦୁର୍ଦ୍ଦିନ ସମୟରେ ଏକଦା ଓଡ଼ିଶା ଗସ୍ତରେ ଆସି ଆମ ରାଜ୍ୟର ଉତ୍କଟ ଦାରିଦ୍ର୍ୟ ଦେଖି ମହାତ୍ମା ଗାନ୍ଧୀ କହିଥିଲେ, ଆଳସ୍ୟ ଓ ନିଶା ଏହି ଦୁଇଟି ହିଁ ଓଡ଼ିଶାର ଦାରିଦ୍ର୍ୟର ମୂଳ କାରଣ ଅଟେ। ସେତେବେଳେ ଓଡ଼ିଶାରେ ଥିବା ପ୍ରଚୁର ପ୍ରାକୃତିକ ସମ୍ପଦକୁ ବିକ୍ରି କରି ଧନୀ ହେବାର ଧାରା ପ୍ରଚଳିତ ହୋଇ ନ ଥିଲା। କାରଣ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପରି ସତ୍ୟବାନ୍, ନିଷ୍ଠାପର ଓ ନିରାଡ଼ମ୍ବର ରାଜନେତା ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ହିଁ ଶାସନ କରୁଥିଲେ। ମୂଳତଃ ବିଭିନ୍ନ ପ୍ରକାରର ରଚନାତ୍ମକ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କୁ ସ୍ୱାବଲମ୍ବୀ କରି ଏକ ସରଳ ଶାନ୍ତିପୂର୍ଣ୍ଣ ଜୀବିକା ନିର୍ବାହ ଉପରେ ଗୁରୁତ୍ୱ ଦିଆ ଯାଉଥିଲା। ଓଡ଼ିଶାର ନିଜସ୍ୱ କୁଟୀର ଶିଳ୍ପ, ଆପଣାର ସଂସ୍କୃତି, ଚଳଣୀ ଓ ସାମାଜିକ ବ୍ୟବସ୍ଥାକୁ ଆଧାର କରି ରାଜ୍ୟକୁ କିପରି ଅଧିକ ସମୃଦ୍ଧ କରିହେବ ଓ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିହେବ, ତାହା ଥିଲା ତତ୍କାଳୀନ ସାମାଜିକ ତଥା ରାଜନୈତିକ ନେତୃତ୍ୱର ମୁଖ୍ୟ ଆହ୍ୱାନ।

Advertisment

ପରବର୍ତ୍ତୀ ସମୟରେ ଆବଶ୍ୟକତାଠାରୁ ଅଧିକ ଅର୍ଜନ କରିବାର ଲୋଭ ଏଵଂ ଅଳ୍ପ ପରିଶ୍ରମରେ ଅଧିକ ପାଇବାର ଲାଳସାର ବଶବର୍ତ୍ତୀ ହୋଇ ଧୀରେ ଧୀରେ ଆମେ ସ୍ୱଦେଶୀ ଚିନ୍ତାଧାରା ତ୍ୟାଗ କରି ପରଦେଶୀୟ ଚିନ୍ତାଧାରାକୁ ଆପଣେଇ ବାକୁ ଲାଗିଲୁ। ଫଳତଃ ଗ୍ରାମୀଣ ଶିଳ୍ପ, ଆମ ରାଜ୍ୟର ହସ୍ତତନ୍ତ, ହସ୍ତ ଶିଳ୍ପ ପ୍ରତି ଆମ ଭିତରେ ଏକ ସାମୂହିକ ବିମୁଖତା ସୃଷ୍ଟି ହୋଇ ଆମ ରାଜ୍ୟର କୌଳିକ ବୃତ୍ତି ସବୁ ରୁଗ୍ମ ହେବାକୁ ଲାଗିଲା। ଏହାର ସୁଯୋଗ ନେଇ ବିଦେଶୀ ମନୋଭାବ ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ପ୍ରଭାବ ଓ ପ୍ରାଦୁର୍ଭାବ ବଢ଼ି ସାମାଜିକ, ରାଜନୈତିକ, ଅର୍ଥନୈତିକ ପରିବେଶ ଓ ପରିସ୍ଥିତି ଦୂଷିତ ହେବାକୁ ଲାଗିଲା।

ଗାଆଁ କନିଆ ସିଂଘାଣି ନାକି ପରି ଆମକୁ ନା ଆମର ସ୍ୱଦେଶୀ ହାତବୁଣା ଭଲ ଲାଗିଲା ନା ଆମକୁ ଆମ ରାଜ୍ୟ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଭଲ ଲାଗିଲା। ବାହାର ଦେଶ ଓ ରାଜ୍ୟର ଖାଦ୍ୟ ପାନୀୟ, ବେଶ ପୋଷାକ ଆମକୁ ବେଶ ଆକର୍ଷଣୀୟ ଲାଗିଲା ଏଵଂ ଶେଷରେ ଏ ସବୁ ଆମ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଲା।

ଶାସ୍ତ୍ରରେ ଲେଖା ଅଛି ଯେମିତି ଅନ୍ନ ଭକ୍ଷଣ କରିବ ତୁମ ଧମନୀରେ ସେହି ଗୁଣମାନର ରକ୍ତ ପ୍ରବାହିତ ହେବ।

ବିଦେଶୀ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଯୌଥ ପରିବାର ଭାଙ୍ଗି ଏକାନ୍ନବର୍ତ୍ତୀ ପରିବାର ଗଢ଼ି ଉଠିଲା।

ନିଜ ଜାତି ଧର୍ମ ବଂଶ ପରମ୍ପରାକୁ ଭୁଲି ପଡ଼ୋଶୀ ରାଜ୍ୟର ପୂଜାପର୍ବକୁ ଆମେ ବଡ ଆଡ଼ମ୍ବର ସହକାରେ ପାଳନ କଲୁ। ନିଜ ମାତୃଭାଷାରେ କଥା ବାର୍ତ୍ତା କରିବାକୁ ଲଜ୍ଜା ବୋଧ କଲୁ। ଘର ପରିବାର ବନ୍ଧୁ ବାନ୍ଧବ ସାହି ପଡିଶାଙ୍କ ସହିତ ସମ୍ପର୍କ ରଖିଲୁ ନାହିଁ। ନବ୍ୟ ପାଠୁଆ ବର୍ଗଙ୍କୁ ଓଡ଼ିଆ ଚାଲିଚଳଣି, ଓଡ଼ିଆ ପରମ୍ପରା, ଓଡ଼ିଆ ଭାଷା ସଂସ୍କୃତି ସବୁ ବଡ଼ ନାପସନ୍ଦିଆ, ବା ଲୌକିକ ଭାଷାରେ କହିଲେ ଗନ୍ଧେଇବାକୁ ଲାଗିଲା I

ସାଂପ୍ରତିକ ସାମାଜିକ ରାଜନୈତିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ତ ଲାଗୁଛି ସତେ ଯେମିତି ଆମ ରାଜ୍ୟ ଓଡ଼ିଶାରେ ୧୮୬୬/୬୭ ମସିହାର ନ ଅଙ୍କ ଦୁର୍ଭିକ୍ଷର ପରିସ୍ଥିତି।

ସେତେବେଳେ ଭୋକର ଦାଉ ସହ୍ୟ କରି ନ ପାରି ଯେମିତି ଅନେକ ଉଚ୍ଚ ଶ୍ରେଣୀର ଲୋକ ଅନ୍ନ ମୁଠିଏ ପାଇଁ ଛତରରେ ପଶି ନିଜର ସ୍ୱାଭିମାନ ଏବଂ ଜାତି ଧର୍ମକୁ ତ୍ୟାଗ କରି ଦେଉଥିଲେ ଠିକ୍ ସେହିପରି କ୍ଷମତା ଏବଂ ଅର୍ଥର ଭୋକରେ ପୁଣି ଥରେ ଆମେ ଆମର ସ୍ୱାଭିମାନକୁ ବଳି ପକେଇ ଦେଇଛୁ। ମାନବୀୟ ମୂଲ୍ୟବୋଧ ଓ ନୈତିକତାର ଅଧୋପତନ ଘଟିଛି।

ଲକ୍ଷ୍ୟ କରିବାର କଥା ଦକ୍ଷିଣ ଭାରତର ରାଜ୍ୟ ସମୂହ ଶିଳ୍ପୋଦ୍ୟୋଗରେ ଶୀର୍ଷ ସ୍ଥାନରେ ରହିଥିଲେ ମଧ୍ୟ ସେମାନେ ତାଙ୍କର କୌଳିକ ବୃତ୍ତି, ବେଶ ପୋଷାକ, ଖାଦ୍ୟ ପାନୀୟ ଇତ୍ୟାଦିରେ ମୌଳିକତା ବଜାୟ ରଖିଛନ୍ତି। ପଡ଼ୋଶୀ ବଙ୍ଗୀୟମାନେ ବିଦେଶ ଗଲେ ବି ନିଜ ଭାଷା ଛାଡ଼ନ୍ତି ନାହିଁ। କିନ୍ତୁ ଆମେ ଅନ୍ୟ ରାଜ୍ୟ, ଅନ୍ୟ ସଂସ୍କୃତିକୁ ଅନୁକରଣ କରିବାକୁ ଯାଇ ହନୁକରଣ କରି ନିଜ ଜାତିର ପରମ୍ପରାକୁ ରସାତଳକୁ ପଠାଇବାରେ ଲାଗିଛୁ।

ଆମେ ନିଜ ରାଜ୍ୟରେ ମଧ୍ୟ ଓଡ଼ିଆରେ କଥାବାର୍ତ୍ତା କରିବାକୁ ଲଜ୍ଜାବୋଧ କରୁଛେ। ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଛେ। ଗଙ୍ଗାଧର ମେହେର କହିଥଲେ, ‘ମାତୃଭୂମି, ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?’

ନିଜ ଐତିହ୍ୟକୁ ନେଇ ଗର୍ବ କରୁ ନ ଥିବା, ନିଜର ସ୍ୱାଭିମାନ ନ ଥିବା କୌଣସି ଜାତି କେବେ ସଫଳତା ବା ଉନ୍ନତିର ମାର୍ଗରେ ଆଗକୁ ବଢ଼ି ପାରି ନାହିଁ। ଅର୍ଥନୀତି ହେଉ ବା ରାଜନୀତି, କୌଣସି କ୍ଷେତ୍ରରେ ବି ନେତୃତ୍ୱ ପାଇଁ ପର ଉପରେ ନିର୍ଭରଶୀଳ ଜାତି ଓ ରାଜ୍ୟର ଭବିଷ୍ୟତ ଅନ୍ଧକାରମୟ। ମଧୁବାବୁ ସ୍ୱତନ୍ତ୍ର ଉତ୍କଳର ସ୍ୱପ୍ନ ଦେଖିଥିଲେ ଏକ ଓଡ଼ିଆ ନେତୃତ୍ୱର ଅଭ୍ୟୁଦୟ ପାଇଁ। ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା ଓ ଓଡ଼ିଶା ସାମଗ୍ରୀର ବିଶ୍ୱସ୍ତରୀୟ ପରିଚିତି ପାଇଁ।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗଜପତି କୃଷ୍ଣଚନ୍ଦ୍ର ଦେବ, ବ୍ରଜ ସୁନ୍ଦର ଦାସଙ୍କ ପ୍ରଚେଷ୍ଟା ଓ ସ୍ଵପ୍ନକୁ ସାକାର କରିବାକୁ ଆମକୁ ଜାଗ୍ରତ ହେଵାକୁ ପଡ଼ିବ। ଆଞ୍ଚଳିକ ବିବାଦରୁ ଊର୍ଦ୍ଧ୍ୱରେ ରହି ସ୍ୱାର୍ଥ ତ୍ୟାଗ କରି ଓଡ଼ିଶାର ସାମୂହିକ ବିକାଶ ପାଇଁ ଏକବଦ୍ଧ ହେବାକୁ ପଡ଼ିବ।

କାନେ କାନେ ଗୁଞ୍ଜରିତ ହେଉ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି କୋହ ଭରା ନିବେଦନ- ‘ଉଠରେ ଉଠରେ ଉତ୍କଳ ସନ୍ତାନଉଠିବୁ ତୁ କେତେ ଦିନେ? ପୂରୁବ ଗୌରବ ପୂରୁବ ମହିମା ପଡ଼ୁ ନାହିଁ କିରେ ତୋର ମନେ? ତୋହରି ଜନନୀ ବୀର ପ୍ରସବିନୀ ଧୂଳିରେ ପଡ଼ିଛି ଦେଖ, ଏହି ସମାଜରେ ଏ ମହୀ ମଧ୍ୟରେ କିପରି ଦେଖାଉ ମୁଖ? ତୋ ପୂର୍ବ ପୁରୁଷ ସ୍ୱର୍ଗଧାମେ ଥାଇ ଭୋଗୁଛନ୍ତି ମନସ୍ତାପ, ତାଙ୍କରି ଜୀବନ କରି ବିସ୍ମରଣ କରୁଛୁ ତୁ ମନସ୍ତାପ!’

ଫୋ-୯୪୩୮୨୭୨୧୫୨

Odisha Odisha Politics Odia Pride