ରବି ଦାସ
କଂଗ୍ରେସ ନେତା ଶଶୀ ଥରୁର୍ ଗତ କିଛି ଦିନ ଭିତରେ ଏପରି କିଛି ଗୁଡ଼ିଏ ସୂଚନା ଓ ସଂକେତ ପ୍ରଦାନ କରିଛନ୍ତି ଯେଉଁଥିରେ କଂଗ୍ରେସର ଉଚ୍ଚ ମହଲରେ ପ୍ରଭାବ ଅନୁଭୂତ ହୋଇଛି। ଶଶୀ ଥରୁର୍ କଂଗ୍ରେସର ପାରମ୍ପରିକ ନେତା ନୁହଁନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ଭାବରେ ବିଭିନ୍ନ ସ୍ଥରରେ କାର୍ଯ୍ୟ କରିବା ଭିତରେ ମିଳିତ ଜାତିସଂଘର ପ୍ରଶାସନିକ ଦପ୍ତରରେ ଏକ ଉଚ୍ଚ ପଦବୀ ହାସଲ କରିଥିଲେ। ବାସ୍ତବିକ ଜାତିସଂଘ ବ୍ୟବସ୍ଥାରେ ତାଙ୍କର ଭୂମିକାକୁ ଦେଖି ଜାତିସଂଘର ସମ୍ପାଦକ ପଦବୀରେ ତାଙ୍କୁ ଅଧିଷ୍ଠିତ କରିବା ପାଇଁ ମନମୋହନ ସିଂହଙ୍କ ସରକାର ସମୟରେ ଭାରତ ପକ୍ଷରୁ ଏକ ଉଦ୍ୟମ ହୋଇଥିଲା। ସେ ଏଥିପାଇଁ ଅନେକ ରାଷ୍ଟ୍ରର ସମର୍ଥନ ହାସଲ କରିଥିଲେ ମଧ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ନେବା ପାଇଁ ଜାତିସଂଘର ସବୁ ଦେଶମାନଙ୍କର ସର୍ବାଧିକ ସମର୍ଥନ ହାସଲ କରିପାରିନଥିଲେ।
ଏହି ଘଟଣା ପରେ ୨୦୦୯ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ତାଙ୍କୁ କେରଳର ଥିରୁଅନନ୍ତପୁରମ୍ ଆସନରୁ ଲୋକସଭାକୁ ପ୍ରାର୍ଥୀ କରାଯାଇଥିଲା। ସେ ବିପୁଳ ଭୋଟରେ ନିର୍ବାଚିତ ହେବା ପରେ ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ବି ହୋଇଥିଲେ। କିଛିବର୍ଷ ମାନବସମ୍ବଳ ବିଭାଗ ଦାୟିତ୍ୱ ପରେ ବୈଦେଶିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ ଆଇପିଏଲରେ ତାଙ୍କର ଭୂମିକା ଯୋଗୁ ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜେପିର ପ୍ରାର୍ଥୀ ଭାବରେ ବିବେଚିତ ହୋଇଥିବା ନରେନ୍ଦ୍ର ମୋଦୀ ତାଙ୍କର ବାନ୍ଧବୀ ବା ପତ୍ନୀଙ୍କୁ ବହୁ ମୂଲ୍ୟବାନ୍ ଗାର୍ଲଫ୍ରେଣ୍ଡ ଭାବରେ ଦର୍ଶାଇ ଥରୁରଙ୍କୁ କଟାକ୍ଷ କରିଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ସମୟରେ ସେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ତୃତୀୟ ଥର ଓ ୨୦୨୪ରେ ଚତୁର୍ଥ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ସରକାରୀ ଭାବେ ତାଙ୍କ ହାତରେ କୌଣସି ପଦବୀ ନଥିଲେ ମଧ୍ୟ ସେ ସମ୍ଭବତଃ କଂଗ୍ରେସ ଦଳର ଏକମାତ୍ର ସାଂସଦ ଯିଏକି ବରାବର ପୁସ୍ତକ ରଚନା କରୁଛନ୍ତି। ଏପରିକି ତାଙ୍କ ପୁସ୍ତକ ‘ମୁଁ କାହିଁକି ଜଣେ ହିନ୍ଦୁ?’ ଯୋଗୁ ଦେଶରେ ହିନ୍ଦୁତ୍ୱ ବାତାବରଣ ଭିତରେ ବେଶ୍ ଆକର୍ଷଣୀୟ ପୁସ୍ତକ ଭାବେ ବିବେଚିତ ହୋଇଥିଲା। ହିନ୍ଦୁତ୍ୱର ଯେଉଁ ଧାରା ବିଜେପି ବା ଏହାର ସମର୍ଥକମାନେ ପ୍ରଚାର କରୁଛନ୍ତି ତାଙ୍କର ଚିନ୍ତାଧାରା ତା’ ଠାରୁ ଯଥେଷ୍ଟ ଭିନ୍ନ। କେବଳ ସେତିକି ନୁହେଁ ବୁଦ୍ଧିଜୀବୀ ମହଲରେ ଶଶୀ ଥରୁରଙ୍କର ଆକର୍ଷଣ ସହିତ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଲେଖାଗୁଡ଼ିକ ମଧ୍ୟ ବରାବର ପ୍ରକାଶିତ ହେଉଥିବାରୁ ଜଣେ କଂଗ୍ରେସ ନେତା ଭାବେ ନୁହେଁ ଜଣେ ବୁଦ୍ଧିଜୀବୀ ଭାବରେ ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ରହିଛି। ସେଥିପାଇଁ ସମ୍ଭବତଃ ସେ ହେଉଛନ୍ତି ଏକମାତ୍ର କଂଗ୍ରେସ ସାଂସଦ ଯାହାଙ୍କୁ ଭାରତର ଓ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟ ଓ କଲେଜ ଭାଷଣ ପାଇଁ ନିମନ୍ତ୍ରଣ କରନ୍ତି।
ଏହିପରି ଜଣେ ବ୍ୟକ୍ତିତ୍ୱ ସହିତ ନିଜର ସ୍ୱାଧୀନ ଚିନ୍ତା ଯୋଗୁ ଗତ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ ସମୟରେ ତଥାକଥିତ ଅଫିସିଆଲ୍ ପ୍ରାର୍ଥିୀ ମଲ୍ଲିକାର୍ଜୁନ ଖାଡଗେଙ୍କ ବିରୋଧରେ ଜାତୀୟ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ। ଏଥିରେ ସେ ଯେ ପରାଜିତ ହେବେ ତାହା ଜଣାଥିଲା। କିନ୍ତୁ ସେ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦିତା କରିବା ଫଳରେ କଂଗ୍ରେସରେ ଏକ ଆଭ୍ୟନ୍ତରୀଣ ଗଣତନ୍ତ୍ର ଓ ସାଂଗଠନିକ ଗଣତନ୍ତ୍ର ବ୍ୟବସ୍ଥା ଅଛି ବୋଲି ପ୍ରମାଣିତ କଲେ। ଏହି ଘଟଣା ପରଠାରୁ କଂଗ୍ରେସ ଦଳର କାର୍ଯ୍ୟକାରୀ କମିଟିରେ ତାଙ୍କୁ ସଦସ୍ୟ କରାଯାଇଥିଲେ ମଧ୍ୟ ପାର୍ଲାମେଂଟ ଭିତରେ ବା ସଂଗଠନରେ କୌଣସି ଗୁରୁଦାୟିତ୍ୱ ତାଙ୍କୁ ଦିଆଯାଉନାହିଁ। ଭାଷଣରେ ତାଙ୍କର ଦକ୍ଷତା ସତ୍ୱେ ଲୋକସଭାରେ କହିବା ପାଇଁ ତାଙ୍କୁ ଦଳ ପକ୍ଷରୁ ସେତିକି ସୁଯୋଗ ଦିଆଯାଉ ନଥିବା ଯୋଗୁ ସେ ଅସନ୍ତୁଷ୍ଟ ଥିବା ପ୍ରଚାରିତ ହେଉଥିଲା। ଏହି ସମୟରେ ନରେନ୍ଦ୍ର ମୋଦୀଙ୍କର ନିକଟରେ ଆମେରିକା ଗସ୍ତ କରି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆଲୋଚନାକୁ ଥରୁର୍ ପ୍ରଶଂସା କରିଥିଲେ। ନିଶ୍ଚିନ୍ତ ଭାବରେ କଂଗ୍ରେସ ନେତୃତ୍ୱ ଏଥିରେ ଖୁସି ନଥିଲା।
ସେହି ଘଟଣା ପରେ ପରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍ ଖବରକାଗଜରେ ଏକ ଅଗ୍ରଲେଖାରେ ଶଶୀ ଥରୁର୍ ସେଠାରେ ଥିବା ବାମପନ୍ଥୀ ସାମ୍ମୁଖ୍ୟ ସରକାରର ଶିଳ୍ପ ବିକାଶ ଦିଗରେ କାର୍ଯ୍ୟକ୍ରମ ଓ ଷ୍ଟାର୍ଟ ଅପରେ କେରଳ କିପରି ସାରା ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଛି ତାହାକୁ ଯେପରି ପ୍ରକାଶ କଲେ ସେଥିରେ ସେଠାରେ କ୍ଷମତାକୁ ଫେରିବା ପାଇଁ ପ୍ରସ୍ତୁତ ଥିବା କଂଗ୍ରେସ ମେଂଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା। ଏପରିକି ଏକ ପୋଡକାଷ୍ଟ ଜରିଆରେ ଜଣାଇଦେଲେ ଯେ, କେରଳ କଂଗ୍ରେସରେ ଏବେ ବସ୍ତୁତଃ କୌଣସି ନେତା ନାହାନ୍ତି। ଓମାନ ଚଣ୍ଡିଙ୍କ ମୃତ୍ୟୁ ପରେ ରାଜ୍ୟବ୍ୟାପୀ ଗ୍ରହଣଯୋଗ୍ୟ କଂଗ୍ରେସରେ ନେତା ନଥିବା କଥା କହି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ଭାବରେ ଗ୍ରହଣ କରିବା ପାଇଁ ପରୋକ୍ଷରେ ପ୍ରସ୍ତାବ ଦେଇଥିଲେ। ତାଙ୍କ ଯୁକ୍ତି ହେଲା ଯେ, କଂଗ୍ରେସ ନିଜର ଗ୍ରହଣଯୋଗ୍ୟତା ପରିସୀମାକୁ ବୃଦ୍ଧି ନକଲେ କେବଳ ଦଳ ପ୍ରତି ଅନୁରୋକ୍ତ ଭୋଟ ବ୍ୟାଙ୍କ ଉପରେ ଦଳ କ୍ଷମତାକୁ ଆସିପାରିବ ନାହିଁ। କେବଳ କେରଳ ନୁହେଁ ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ଦଳର ଏହି ଅସୁବିଧା ରହିଥିବା ଥରୁର୍ ପ୍ରକାଶ କରିଥିଲେ। କଂଗ୍ରେସ ହାତରେ ପ୍ରାୟ ୨୦ ଭାଗ ଭୋଟ୍ ଥିବା ଗତ ତିନୋଟି ନିର୍ବାଚନରେ ପ୍ରତିଫଳିତ ହୋଇଛି। କିନ୍ତୁ ଦଳ ଜାତୀୟ ସ୍ତରରେ କ୍ଷମତାକୁ ଆସିବାକୁ ହେଲେ ଦଳକୁ ଆଉ ୨୬ ଭାଗ ଭୋଟର ଆବଶ୍ୟକତା ଅଛି।
ଥରୁରଙ୍କର ଉପରୋକ୍ତ ଆଭିମୁଖ୍ୟଗୁଡ଼ିକ ଓ ମତାମତ ନେଇ ଦଳ ଭିତରେ ଯିଏ ଯାହା କହୁ ନା କାହିଁକି ଦଳର ସବୁ ମହଲରେ ଏହାକୁ ନେଇ ଏକ ଚର୍ଚ୍ଚାର ସୂତ୍ରପାତ ହୋଇଛି। କଂଗ୍ରେସ ଦଳ ବହୁବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପରସ୍ପର ବିରୋଧି ମତାମତ ରଖିଥିବା ଗୋଷ୍ଠୀମାନଙ୍କୁ ଗୋଟିଏ ଦଳରେ ରଖିପାରୁଥିଲେ। ଫଳରେ ଦଳର ବ୍ୟାପକତା ଓ ସମର୍ଥନ ଅଧିକ ରହିଥିଲା। କଂଗ୍ରେସର ସାଂଗଠନିକ ଢାଂଚା ବ୍ଲକ୍ ଓ ଜିଲ୍ଲାଠାରୁ ଏପରି ବ୍ୟାପକ ଥିଲା ଓ ପ୍ରତି ସ୍ତରରେ କଂଗ୍ରେସ ନେତାମାନେ ସେମାନଙ୍କ ମତକୁ ଦଳ ବିଚାର କରୁଥିବା ଅନୁଭବ କରୁଥିଲେ। ଜିଲ୍ଲା କଂଗ୍ରେସ କମିଟି ନ ଚାହିଁଲେ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ ଭାବରେ ଲଦିଦେବା ସହଜ ନଥିଲା। ଶଶୀ ଥରୁରଙ୍କ ପରି ବ୍ୟକ୍ତି ଯିଏକି ଜଣେ ପାରମ୍ପରିକ ରାଜନେତା ନୁହଁନ୍ତି ଅଥଚ ଲଗାତାର ଭାବରେ ନିଜ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରୁଛନ୍ତି ନିଜର ବୌଦ୍ଧିକ କ୍ଷମତା ବଳରେ କଂଗ୍ରେସର ଚିନ୍ତାଧାରାକୁ ନେଇ ବିରୋଧୀ ପକ୍ଷ ଉପରେ ଆକ୍ରମଣ ବା ସମାଲୋଚନା କରିପାରୁଛନ୍ତି ତାଙ୍କୁ ଯଦି ଦଳରେ ସ୍ଥାନ ନ ମିଳେ ଓ ସେ ଅସମ୍ମାନିତ ହେଉଥିବା ଅନୁଭବ କରନ୍ତି ତେବେ ଏହା ଦଳ ପାଇଁ ଏକ ଭଲ ବାର୍ତ୍ତା ଦେବ ନାହିଁ। ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ଗୁଲାମନବୀ ଆଜାଦଙ୍କ ଠାରୁ ଆରମ୍ଭ କରି ସିନ୍ଧିଆଙ୍କ ପର୍ଯ୍ୟନ୍ତ ବହୁ ନେତା ଦଳ ଛାଡ଼ିବା ଦ୍ୱାରା ଦଳ ନିଶ୍ଚିତ ଭାବେ ଦୁର୍ବଳ ହୋଇଛି।
ତେବେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ପରେ ଯେପରି ଭାବରେ ମୋଦୀ ସରକାରଙ୍କୁ ବା ଏନଡିଏକୁ ଅଟକାଇବା ପାଇଁ ଅନ୍ୟ ଅଣବିଜେପି ଦଳମାନଙ୍କ ସହିତ ବୁଝାମଣା କରି ଇଣ୍ଡିଆ ମେଂଟ ଗଠିତ ହୋଇଥିଲା ସେଥିରେ ୧୦ ବର୍ଷ ପରେ କଂଗ୍ରେସ ସପକ୍ଷରେ ଜାତୀୟ ସ୍ତରରେ ଏକ ଭଲ ବାତାବରଣ ସୃଷ୍ଟି ହୋଇଥିଲା। ଯାହା ଫଳରେ ଦୁଇଟା ନିର୍ବାଚନରେ ଦଳ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ସଂଖ୍ୟା ହାସଲ କରିନପାରିବା ପରେ ୨୦୨୪ରେ ଏହା ୯୯ଟି ଆସନ ସହିତ ଲୋକସଭାରେ ଶକ୍ତିଶାଳୀ ବିରୋଧୀ ମେଂଟ ଗଠିତ ହୋଇଛି। ରାହୁଲ ଗାନ୍ଧୀଙ୍କର ବହୁବର୍ଷ ପରେ ବ୍ୟକ୍ତିଗତ ଭାବମୂର୍ତି ସହିତ ସାମର୍ଥ୍ୟ ବୃଦ୍ଧି ପାଇଥିବା ଅନୁମାନ କରାଯାଉଥିଲା। କିନ୍ତୁ ହରିଆଣା ନିର୍ବାଚନ ସହିତ ମହାରାଷ୍ଟ୍ର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଇଣ୍ଡିଆ ମେଂଟର ଦଳମାନେ କଂଗ୍ରେସଠାରୁ ଅଲଗା ହୋଇଯାଉଥିବା ଜଣାପଡ଼ିବା ସମୟରେ ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଭୂମିକାକୁ ନେଇ ପ୍ରଶଂସା କରାଯାଉନାହିଁ।
ଏପରି ଅବସ୍ଥାରେ ଶଶୀ ଥରୁରଙ୍କର ବକ୍ତବ୍ୟଗୁଡ଼ିକ ପୁନର୍ବାର ଦଳ ଭିତରେ ଅସନ୍ତୋଷର ଏକ ବାର୍ତ୍ତା ଯଦି ପ୍ରଦାନ କରେ ତେବେ ଇଣ୍ଡିଆ ମେଂଟର ଅନ୍ୟମାନଙ୍କୁ ସାଙ୍ଗରେ ଆଣିବା ଉଦ୍ୟମ ସହିତ ଦଳକୁ ଠିକଣା ମାର୍ଗ ଦର୍ଶନ ଦେବା କଷ୍ଟକର ହେବ। ଅବଶ୍ୟ ଶଶୀ ଥରୁର୍ ହଠାତ୍ କଂଗ୍ରେସ ଛାଡ଼ି ଯିବାର ସମ୍ଭାବନା ନାହିଁ। ତଥାପି ସେ ସୂଚନା ଦେଇଛନ୍ତି ଯେ, ତାଙ୍କ ପାଇଁ ଅନ୍ୟ ବିକଳ୍ପ ରହିଛି। ଅର୍ଥାତ୍ ସେ ଅଧିକ ବହି ଲେଖିବେ ଓ ବୌଦ୍ଧିକ କାର୍ଯ୍ୟରେ ନିଜକୁ ଲିପ୍ତ କରିବେ। କପିଲ୍ ସିବଲଙ୍କ ପରି ଜଣେ ପ୍ରତିଷ୍ଠିତ ଓକିଲ ଯିଏକି ବାଜପେୟୀଙ୍କ ସରକାର ସମୟରେ କଂଗ୍ରେସର ମୁଖପାତ୍ର ଭାବରେ କାମ କରିଥିଲେ, ସେ ଠିକ୍ ଏହିପରି ବ୍ୟକ୍ତିଗତ ଅସନ୍ତୋଷରୁ କଂଗ୍ରେସ ଠାରୁ ଅଲଗା ହୋଇଯାଇଛନ୍ତି। ଯଦିଓ ବିଜେପି ବିରୋଧରେ ଜଣେ ଓକିଲ ଭାବରେ ସେ ଯାହା କରିବା କଥା ତାହା ବରାବର କରୁଛନ୍ତି ଓ ବୌଦ୍ଧିକ ଦୁନିଆରେ ଏକ ବିକଳ୍ପ ଚିନ୍ତାଧାରାକୁ ପ୍ରସ୍ତୁତ କରିବାରେ ସମସ୍ତ ଉଦ୍ୟମ କରୁଛନ୍ତି। କଂଗ୍ରେସର ଆଉ ଜଣେ ପ୍ରବକ୍ତା ଶ୍ରୀ ଝା ଏହିପରି କାରଣରୁ କଂଗ୍ରେସ ଠାରୁ ଅଲଗା ହେବାପରେ ମଧ୍ୟ ବୌଦ୍ଧିକ ଦୁନିଆରେ ବିଜେପି ବିରୋଧୀ କାର୍ଯ୍ୟକଳାପ ଚାଲୁ ରଖିଛନ୍ତି।
ଏଭଳି ସ୍ଥିତିରେ କଂଗ୍ରେସ ଦଳ ସବୁ ମତକୁ ଓ ବୁଦ୍ଧିଜୀବୀମାନଙ୍କୁ ଦଳ ଭିତରେ ରଖିପାରୁନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ସେହି ଦୃଷ୍ଟିରୁ ଶଶୀ ଥରୁରଙ୍କ ଘଟଣାରେ ରାହୁଲ ଗାନ୍ଧୀ କେରଳର ସବୁ ନେତାମାନଙ୍କର ଏକ ବୈଠକ ଡାକିବାକୁ ବାଧ୍ୟ ହୋଇଛନ୍ତି। କେବଳ ଥରୁର୍ ନୁହଁନ୍ତି ସଚିନ୍ ପାଇଲଟଙ୍କ ପରି ନେତାମାନଙ୍କର ପ୍ରକୃତ ଉପଯୋଗ ଦଳ କାହିଁକି କରିପାରୁନାହିଁ ତାହା ବୁଝା ପଡୁନାହିଁ। ଇଣ୍ଡିଆ ମେଂଟର ଅସନ୍ତୁଷ୍ଟ ନେତାମାନଙ୍କ ମତାମତକୁ ଜାଣିବା ପାଇଁ ଖୋଦ୍ ରାହୁଲ ଗାନ୍ଧୀ ନିଜ ଆଡୁ ଉଦ୍ୟମ କରିବା ଏବେ ଅତି ଜରୁରୀ। ଥରୁରଙ୍କ ଘଟଣା କଂଗ୍ରେସକୁ ଆତ୍ମଚିନ୍ତନ ପାଇଁ ଏକ ସୁଯୋଗ ପ୍ରଦାନ କରିଛି।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।