ଓଡ଼ିଶାର ୨୬ତମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜଣେ ଲୋକପ୍ରିୟ ରାଜ୍ୟପାଳ ଭାବେ ସୁନାମ ଅର୍ଜନ କରିଛନ୍ତି। ୨୯ ମଇ ୨୦୧୮ରେ ନିଯୁକ୍ତ ୮୨ ବର୍ଷୀୟ ରାଜ୍ୟପାଳ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ଶୀଘ୍ର ସମାପ୍ତ କରିବାକୁ ଯାଉଛନ୍ତି। ଆଉ ଏହି ସମୟରେ ଏକ ବିବାଦୀୟ ତଥା ସ୍ପର୍ଶକାତର ପ୍ରସଙ୍ଗରେ ସେ ପୁରୀ ଗଜପତି ମହାରାଜ ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀକ୍ଷେତ୍ରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ 'ବିଦେଶୀଙ୍କୁ ପ୍ରବେଶ' କରିବାକୁ ଅନୁମତି ଦେବାକୁ ଅନୁରୋଧ କରି ଚର୍ଚ୍ଚାରେ। 'ଓଡ଼ିଶା ଭିଜନ ୨୦୩୬' କନକ୍ଲେଭ୍ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଭାଷଣ ଦେଇ ସେ ଏହି ବିବାଦୀୟ ଅନୁରୋଧ କରିଛନ୍ତି। ସେ ମତ ଦେଇଛନ୍ତି ଯେ ଯଦି ବିଦେଶୀ ଭକ୍ତମାନେ ଗଜପତି, ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କୁ ଭେଟି ପାରୁଛନ୍ତି ସେମାନଙ୍କୁ ମନ୍ଦିର ଭିତରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବାକୁ ବାରଣ ଅନୁଚିତ। ଅନୁମତି ଦେବା ପ୍ରସଙ୍ଗକୁ ସହୃଦୟତାର ସହିତ ବିଚାର କରିବାକୁ ସେ ଗଜପତି ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିଛନ୍ତି। ଏକଥା କହିଲା ବେଳେ ଅନେକ ଲୋକ ଏଥିରେ ଆପତ୍ତି ଉଠାଇବାର ଆଶଙ୍କା ମଧ୍ୟ ବ୍ୟକ୍ତ କରିଛନ୍ତି ମହାମହିମ।
ଏହିଭଳି ଏକ ପ୍ରସଙ୍ଗକୁ ବିରୋଧ କରୁଥିବା ଲୋକମାନଙ୍କ ମତ ହେଲା ଯେ, ଯେ ଶ୍ରୀମନ୍ଦିର ଏକ ଆସ୍ଥା, ବିଶ୍ୱାସର ପୂଜାସ୍ଥଳୀ; ପର୍ଯ୍ୟଟନସ୍ଥଳୀ ନୁହେଁ। ତେଣୁ, ହିନ୍ଦୁ ଧର୍ମରେ ବିଶ୍ଵାସ କରୁନଥିବା ପର୍ଯ୍ୟଟକମାନଙ୍କ ଶ୍ରୀମନ୍ଦିର ପ୍ରବେଶ ଏବଂ ଦେବଦର୍ଶନ ଅନୁମତି ଅଗ୍ରହଣୀୟ। ଯେଉଁମାନେ ମୂର୍ତ୍ତିପୂଜାରେ ବିଶ୍ୱାସ କରନ୍ତିନାହିଁ, ବିଧର୍ମୀ ଅବା ଅନ୍ୟଧର୍ମର ତଥା ବିଦେଶୀ, ସେମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସମ୍ପୂର୍ଣ୍ଣ ଅନାବଶ୍ୟକ। ମନ୍ଦିର ପରିଚାଳନା ସହ ସମ୍ପୃକ୍ତ ବ୍ୟକ୍ତି ଏବଂ ସେବକମାନଙ୍କ କହିବା ଅନୁଯାୟୀ, ଅଣ-ହିନ୍ଦୁମାନଙ୍କୁ ଅନୁମତି ନ ଦେବାର କାରଣ ହେଉଛି ଯେ ମୁସଲିମ ଆକ୍ରମଣକାରୀ ତଥା ବିଦେଶୀମାନେ ଜଗନ୍ନାଥ ମନ୍ଦିର ଉପରେ ଅତୀତରେ ୧୭ ଥର ଆକ୍ରମଣ କରି ପବିତ୍ର ଶ୍ରୀମନ୍ଦିର ଲୁଣ୍ଠନ କରିବାକୁ ଆକ୍ରମଣ କରିଥିଲେ। ଯାହାଫଳରେ ମନ୍ଦିର ଉପରେ ଆକ୍ରମଣ ହେବା ସମୟରେ ସେବକମାନେ ପ୍ରତିଥର ବିଗ୍ରହମାନଙ୍କୁ ବିଭିନ୍ନ ସ୍ଥାନରେ ଲୁଚେଇ ରଖିବାକୁ ପଡ଼ୁଥିଲା। ସୁରକ୍ଷା ଦୃଷ୍ଟିରୁ ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ଉଦାରତା ପ୍ରଦର୍ଶନ ଅନାବଶ୍ୟକ ଓ ଅନୁଚିତ।
ମନ୍ଦିର ପରିସରରେ ଅଣ-ହିନ୍ଦୁମାନଙ୍କ ପ୍ରବେଶ ନିଷିଦ୍ଧ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ପ୍ରାର୍ଥନା କରାଯାଇଥିଲା। ଅଦାଲତ ଆବେଦନକୁ ଖାରଜ କରି କହିଥିଲେ ଯେ ହିନ୍ଦୁମାନେ ଯଦି ଦରଘା ଏବଂ ଚର୍ଚ୍ଚ ପରିଦର୍ଶନ କରିବା ସମ୍ଭବ ହେଉଛି, ଅଣ-ହିନ୍ଦୁ ହୋଇଥିଲେ ବି ବିଶିଷ୍ଟ କଣ୍ଠଶିଳ୍ପୀ ୟେସୁ ଦାସଙ୍କ କଣ୍ଠ ସଙ୍ଗୀତରେ ମନ୍ଦିର ମୁଖରିତ ହୋଇପାରୁଛି, କାହାକୁ ଅନ୍ୟ ଧର୍ମର କହି ମନ୍ଦିର ପ୍ରବେଶକୁ ବାରଣ କରାଯିବା ଅନୁଚିତ। ତାହା ବ୍ୟତୀତ, ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ଲୋକଙ୍କ ବ୍ୟକ୍ତିଗତ ଧର୍ମ ପରିଚୟ ଯାଞ୍ଚ କରିବା କର୍ତ୍ତୃପକ୍ଷଙ୍କ ପକ୍ଷେ ସମ୍ଭବ ନୁହେଁ। ଏହା ଏକ ପ୍ରକାର ସଂକୀର୍ଣ୍ଣ ବିଚାରବୋଧ ଏବଂ ଗ୍ରହଣ କରାଯାଇପାରିବ ନାହିଁ। ଏହାକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଗତ ବର୍ଷ ମଧ୍ୟ ତାମିଲନାଡୁର ଅଣ-ହିନ୍ଦୁ ତଥା ବିଦେଶୀମାନଙ୍କ ମନ୍ଦିର-ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପାଇଁ ଏକ ଆବେଦନ ଉପରେ ମାଡ୍ରାସ ହାଇକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗତ ଜୁଲାଇ ୨୦୧୮ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଧାର୍ମିକ ବିଶ୍ୱାସ ନିର୍ବିଶେଷରେ ସମସ୍ତ ଦର୍ଶନାର୍ଥୀଙ୍କୁ ନୀତିନିୟମ ପ୍ରଣୟନ କରି ତଦନୁଯାୟୀ ଦେବଦର୍ଶନ ଓ ଦାନ କରିବାକୁ ଅନୁମତି ଦେବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଚାର କରିବାକୁ କହିଥିଲେ।
ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର ଭାବରେ ଓଡ଼ିଶାର ପରିଚୟ ସୁପ୍ରତିଷ୍ଠିତ। ତଥାପି, ଶ୍ରୀମନ୍ଦିର ଅନେକ ନକାରାତ୍ମକ ଘଟଣା କାରଣରୁ ମଧ୍ୟ ଚର୍ଚ୍ଚାରେ। ଏହି ପବିତ୍ର ସହରରେ ଜଣେ ଓଡ଼ିଆ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଜଗନ୍ନାଥ ଭକ୍ତ ଇଲିଆନା ସିଟାରିଷ୍ଟଙ୍କ ଉପରେ ଆକ୍ରମଣ ହୋଇଥିଲା। ନଭେମ୍ବର ୨୦୦୫ରେ ଥାଇଲ୍ୟାଣ୍ଡର ରାଜକୁମାରୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଅତୀତରେ ସନ୍ଥ କବୀର, ଇନ୍ଦିରା ଗାନ୍ଧୀ ଏବଂ ଥାଇଲାଣ୍ଡ ରାଣୀଙ୍କ ପରି ଅନେକ ମଧ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରି ନାହାନ୍ତି। ଶ୍ରୀମନ୍ଦିର ରୀତିନୀତି ଓ ସେବା ପୂଜାରେ ରକ୍ଷଣଶୀଳତାର ରାଜତ୍ୱ ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ଧର୍ମ ଆଧାରରେ ଭେଦଭାବ ମଧ୍ୟ ରହିଆସିଛି। ଏଭଳି ଭେଦଭାବର ସ୍ରଷ୍ଟା ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହାର ସୃଷ୍ଟି ୧୮୦୩ ମସିହା। ଅତ୍ୟାଚାରୀ ମରାଠା ଶାସକମାନଙ୍କୁ ତଡ଼ି ଇଷ୍ଟ ଇଣ୍ଡିଆ କମ୍ପାନୀ ୱେଲ୍ସଲିଙ୍କ ନେତୃତ୍ୱରେ ଓଡ଼ିଶା ଦଖଲ କରିଥିଲା। କମ୍ପାନୀ ପୁରୀରେ ପ୍ରବେଶ କରି ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଥିବା ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଗ୍ରହଣ କଲା। ଏକ ହିନ୍ଦୁ ମନ୍ଦିର ଏବଂ ବ୍ରିଟିଶ ବାଣିଜ୍ୟ କମ୍ପାନୀ ମଧ୍ୟରେ ମଧୁର ସମ୍ପର୍କ ଆରମ୍ଭ ହେଲା। ଏହା ପରେ କମ୍ପାନୀ ନିୟମାବଳୀ ପ୍ରଣୟନ କଲା ଯେ, କେବଳ ରକ୍ଷଣଶୀଳ ହିନ୍ଦୁଙ୍କ ବ୍ୟତୀତ ଅନ୍ୟ କାହାକୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ।
ଯଦିଓ ଶ୍ରୀଜଗନ୍ନାଥ ସମଗ୍ର ଜଗତର, କେବଳ ଭାରତରେ ଜନ୍ମିତ ହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳେ। ଅଣ-ମୁସଲମାନମାନଙ୍କ ପାଇଁ ମକ୍କା ଏବଂ କେନ୍ଦ୍ରୀୟ ମଦିନା ପରିଦର୍ଶନ କରିବାକୁ ଅନୁମତି ନମିଳିବା ପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳେନା ଅଣହିନ୍ଦୁଙ୍କୁ। କିନ୍ତୁ ଜଗତର ନାଥ ହୋଇଥିବାରୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଦୟାଳୁ। ସ୍ନାନ ପୂର୍ଣିମାରେ ସ୍ନାନବେଦୀ ଓ ରଥ ଯାତ୍ରା ସମୟରେ ବର୍ଷକୁ ଥରେ ଏପରି ବର୍ଷକୁ ଦୁଇଥର ଚତୁର୍ଦ୍ଧାମୂର୍ତ୍ତୀ ସଶରୀରେ ରତ୍ନ ସିଂହାସନରୁ ଓହ୍ଲାଇ ଆସି, ମନ୍ଦିର ବାହାରକୁ ଯାଇ ସମସ୍ତ ଧର୍ମ ଏବଂ ଜାତିର ଲୋକଙ୍କୁ ଦର୍ଶନ ଦିଅନ୍ତି। ଅନ୍ୟ କୌଣସି ହିନ୍ଦୁ ମନ୍ଦିରରେ ଏପରି ପ୍ରଥା ଓ ବ୍ୟବସ୍ଥା ନାହିଁ। ଏହା ଅନନ୍ୟ।
୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଣ-ହିନ୍ଦୁ ଅଭିଯୋଗ ଆଧାରରେ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ତାହା ପରଠୁ ଗାନ୍ଧୀ ପରିବାରର ଅନ୍ୟ କୌଣସି ସଦସ୍ୟ ମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରି ନାହାନ୍ତି। ରାଜୀବ-ସୋନିଆଙ୍କ ପୁତ୍ର ତଥା ଇନ୍ଦିରାଙ୍କ ନାତି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡର କେଦାରନାଥ ଏବଂ ତିବ୍ଦତର କୈଳାସ ପର୍ବତ ଏବଂ ମାନସରୋବର ହ୍ରଦ ପରିଦର୍ଶନ କରିପାରିଥିଲେ; ସେ କେବେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବାକୁ ଚେଷ୍ଟା କରିନାହାନ୍ତି। ୧୯୮୮ ମସିହାରେ ସୋନିଆ ଗାନ୍ଧୀଙ୍କୁ ନେପାଳର ପଶୁପତି ନାଥ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା।
ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ଛତିଶା ନିଯୋଗ ମଧ୍ୟରେ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ପାରମ୍ପରିକ କୁଡୁଆ ପ୍ରସ୍ତୁତକରି ଯୋଗାଇ ଆସୁଥିବା କୁମ୍ଭାର ସମ୍ପ୍ରଦାୟ ମଧ୍ୟ ଅନ୍ତର୍ଭୁକ୍ତ। ନିଜକୁ ଶ୍ରୀଜଗନ୍ନାଥଙ୍କ ବଂଶଧର ଓ ଜ୍ଞାତି ପରିଜନ ଭାବେ ପରିଚିତି ଦାବିକରୁଥିବା 'ଦଇତା' ସେବକ ଶବରରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କ ଗର୍ଭରୁ ଜାତ ଉତ୍ତରପିଢ଼ି ହୋଇଥିବାରୁ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଏ। ଶ୍ରୀମନ୍ଦିର ସେବକଙ୍କ ମଧ୍ୟରେ ବିଶୋଇ, ଭୋଇ, ବିମାନବଡୁ ଏବଂ ସୁଆର ସମ୍ପ୍ରଦାୟର ଲୋକ ମଧ୍ୟ ଅନ୍ତର୍ଭୁକ୍ତ; ଯେଉଁମାନେ ଉଚ୍ଚଜାତିର ନୁହନ୍ତି। ଏହି ତଥାକଥିତ ନିମ୍ନଜାତିର ସେବକମାନେ ଯେ କେବଳ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ତାହା ନୁହେଁ; ବରଂ ସେମାନେ ମନ୍ଦିର ଭିତରେ ଦୈନନ୍ଦିନ ରୀତିନୀତିର ଏକ ଅଂଶ। ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦଳିତ ବର୍ଗର ଏବଂ ଏବେ ରାଷ୍ଟ୍ରପତି ରହିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିଲେ ହେଁ ଦୁହେଁ ନିକଟ ଅତୀତରେ ବିନା ଅସୁବିଧାରେ ଶ୍ରୀ ଜଗନ୍ନାଥ ମନ୍ଦିରମଧ୍ୟରେ ପ୍ରବେଶ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଏହା ହିଁ ଜଗନ୍ନାଥ ସଂସ୍କୃତିର ମହନୀୟତା ଓ ଜାତିଭେଦ ବିରୁଦ୍ଧରେ ଚମତ୍କାର ପ୍ରଦର୍ଶନ।
ଯେହେତୁ ହିନ୍ଦୁ ଧର୍ମରୁ ହିଁ ବୌଦ୍ଧଧର୍ମର ଉତ୍ପତ୍ତି ହୋଇଥିଲା, ବୌଦ୍ଧ ଧର୍ମାବଲମ୍ଵୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ଆସୁଛି। କିନ୍ତୁ ୨୦୦୫ ମସିହାରେ ଥାଇଲ୍ୟାଣ୍ଡର ରାଣୀ ବୌଦ୍ଧ ଧର୍ମାବଲମ୍ଵୀ ହେଲେ ବି ଜଣେ ବିଦେଶିନୀ ହୋଇଥିବାରୁ ତାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। କେବଳ ଭାରତୀୟ ବୌଦ୍ଧ, ଜୈନ ଏବଂ ଶିଖମାନଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା ବେଳେ ବିଦେଶୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ନିଷେଧ କରାଯାଇଛି। ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ସମେତ ବହୁ ସମ୍ମାନିତ ଶିଖ ଗୁରୁ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିବାର ସୂଚନା ରହିଛି। ଗୁରୁ ନାନକ ଦୁଇଥର ଶ୍ରୀଜଗନ୍ନାଥ ଦର୍ଶନ କରିଥିଲେ - ପ୍ରଥମେ ୧୫୦୮ ମସିହାରେ ଏବଂ ପରେ ୧୫୧୦ ମସିହାରେ। ଅଥଚ କୌଣସି ବିଦେଶୀଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳେନାହିଁ। ୨୦୦୬ ମସିହାରେ, ଜଣେ ସ୍ୱିଜରଲ୍ୟାଣ୍ଡ ନାଗରିକ ଶ୍ରୀମନ୍ଦିରକୁ ୧.୭୮ କୋଟି ଟଙ୍କା ଦାନ କରିଥିବା ସତ୍ତ୍ୱେ ସେ ଖ୍ରୀଷ୍ଟିଆନ ଏବଂ ବିଦେଶୀ ହୋଇଥିବାରୁ ମନ୍ଦିର ଭିତରକୁ ଅନୁମତି ଦିଆଯାଇ ନଥିଲା। ବିଦେଶୀ ଇସକନ ଭକ୍ତମାନଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳେ ନାହିଁ।
ପ୍ରତ୍ୟେକ ଧର୍ମ ଓ ପୂଜା ପଦ୍ଧତିରେ ଉଭୟ ଲିଖିତ ଓ ଅଲିଖିତ ନିଜସ୍ୱ ପରମ୍ପରା ଏବଂ ନିୟମ ନିର୍ଦ୍ଧାରଣ କରାଯାଇ ଆସିଛି। ବିଭିନ୍ନ ମନ୍ଦିରମାନଙ୍କର ବ୍ୟବସ୍ଥା ଓ ରୀତିନୀତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ସେଥିପାଇଁ, ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପାଇଁ ପ୍ରବେଶ ନୀତି ମଧ୍ୟ ସ୍ୱତନ୍ତ୍ର। ଅନେକ ହିନ୍ଦୁ ଦେବାଦେବୀଙ୍କ କେବଳ ଚଳନ୍ତି ପ୍ରତିମା ମନ୍ଦିର ବାହାରକୁ ବିଜେ ହେଉଥିଲା ବେଳେ, ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଚଳନ୍ତି ବିଗ୍ରହ ବିମାନରେ ମନ୍ଦିର ବାହାରକୁ ବିଜେ ହୁଅନ୍ତି ଏବଂ ସ୍ଵଦେହରେ ମଧ୍ୟ ରଥାରୂଢ଼ ହୋଇ ଯାତ୍ରା କରନ୍ତି। ଏଣୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରୁ ନଥିବା ବିଦେଶୀ ତଥା ଅନ୍ୟ ଧର୍ମର ବ୍ୟକ୍ତି ରଥାରୂଢ଼ ଦିଅଁମାନଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି।
ବାକି ରହିଲା, ଶ୍ରୀମନ୍ଦିର ବେଢ଼ାମଧ୍ୟକୁ ପ୍ରବେଶ କରି ପଥର ଦେହରେ କରାଯାଇଥିବା କଳାକୃତି ଦେଖିବାର ସୁଯୋଗ। ଏହି ପ୍ରସଙ୍ଗରେ କୁହାଯାଇ ପାରିବ ଯେ, ଶ୍ରୀମନ୍ଦିର ଏକ ପର୍ଯ୍ୟଟନ କ୍ଷେତ୍ର ନୁହେଁ, ଏକ ଭାବପ୍ରବଣତା ସହ ଜଡ଼ିତ ଭକ୍ତି ଓ ସମର୍ପଣ କ୍ଷେତ୍ର। ଏଣୁ, ବିଦେଶୀ ଓ ବିଧର୍ମୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନାବଶ୍ୟକ ମନେହୁଏ। ଦ୍ଵିତୀୟତଃ, ଭାରତ ଏକ ଜନବହୁଳ ଦେଶ ଏବଂ ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଦର୍ଶନାର୍ଥୀ ଆସିଥାଆନ୍ତି। ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ଦେବ ଦର୍ଶନ ପାଇଁ ବହୁ ସମୟ ଲାଗୁଛି। ସାଧାରଣତଃ ଭିନ୍ନ ଜୀବନଶୈଳୀରେ ଅଭ୍ୟସ୍ତ ବିଦେଶୀ ଓ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଯଦି ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏ, ତେବେ ମନ୍ଦିର ମଧ୍ୟରେ ଗହଳି ଚହଳି ଅତିମାତ୍ରାରେ ବଢ଼ିଯିବ ଏବଂ ଏହା କାହାରିକୁ ବି ସାହାଯ୍ୟ କରିବ ନାହିଁ। ଏକେ ତ ହିନ୍ଦୁ ଭକ୍ତମାନେ ଅସୁବିଧା ଭୋଗିବେ, ତାହା ସହ ହିନ୍ଦୁଧର୍ମ, ଆମ ଦେଶର ଛବି, ସଭ୍ୟତା ଏବଂ ଆମ ମନ୍ଦିର ସଂସ୍କୃତି ମଧ୍ୟ ସମାଲୋଚିତ ହେବାର ଆଶଙ୍କା ବଢ଼ିଯିବ। ମନ୍ଦିରଗୁଡ଼ିକର ଶୁଦ୍ଧତା ଏବଂ ପବିତ୍ରତା ଏତେ ବିପଦରେ ପଡ଼ିଯାଇ ପାରେ ଯେ ଶ୍ରୀମନ୍ଦିର ପ୍ରତିଦିନ ଶୋଧନ କରିବାକୁ ପଡିବ ଓ ପ୍ରତ୍ୟହ ମହାସ୍ନାନ ଆବଶ୍ୟକ ପଡ଼ିବ। ଆମେ ବର୍ତ୍ତମାନ କୋଭିଡ ମହାମାରୀରୁ ଉଦ୍ଧାର ପାଇ ଶିଖିବାକୁ ପାଇଛେ - ପରିମଳ ବା ପରିଚ୍ଛନ୍ନତା, ମାସ୍କ ବା ମୁଖା ବ୍ୟବହାର ଏବଂ ସାମାଜିକ ଦୂରତା। ଆମେ ଏସବୁକୁ ଅବହେଳା କରି ମହାମାରୀ ସୃଷ୍ଟିକାରୀ ଅନ୍ୟ ଏକ ଭୂତାଣୁକୁ ନିମନ୍ତ୍ରଣ କରିବା ଉଚିତ୍ ହେବ କି? ଶ୍ରୀମନ୍ଦିର ମଧ୍ୟରେ ଅତ୍ୟଧିକ ଗହଳି କମାଇବା ନା ବଢ଼ାଇବା ଉଚିତ ହେବ? ବିଜ୍ଞାନ, ପରମ୍ପରା ଏବଂ ଧାର୍ମିକ ଶାସ୍ତ୍ରମତେ ସମସ୍ତ ପୂଜାପୀଠସ୍ଥଳୀରେ ଭକ୍ତଙ୍କ ପ୍ରବେଶକୁ ନିୟନ୍ତ୍ରଣ କରାଯିବା ପାଇଁ ଆଇନ ପ୍ରଣୟନ କରାଯିବା ଆବଶ୍ୟକ; କିନ୍ତୁ ଭାବପ୍ରବଣତା ଓ ଆଦର୍ଶ ପ୍ରଦର୍ଶନ ଉଦ୍ଦେଶ୍ୟରେ କେବେ ହେଁ ଉଚିତ ନୁହେଁ। ଆଜି ବି ଓଡ଼ିଶାର ଅନେକ ଗ୍ରାମ୍ୟ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରୁନାହାନ୍ତି ଅନୁସୂଚିତ ଜାତିର ଲୋକ। ସେଥିପାଇଁ ଗାଁମାନଙ୍କରେ ନିର୍ମିତ ହେଉଛି ନୂଆ ନୂଆ ମନ୍ଦିରI ମାନ୍ୟବର ରାଜ୍ୟପାଳ ଏହିପରି ସାମାଜିକ ବିଦ୍ୱେଷର ସମାଧାନ କରିବାକୁ ସେବକ ସମାଜ, ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ ନକରି ବିଦେଶୀ ଓ ଅନ୍ୟ ଧର୍ମର ପର୍ଯ୍ୟଟକଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ପ୍ରସଙ୍ଗକୁ ଉଠାଇବା ଅବାନ୍ତର ମନେହୁଏ। ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ସୁରକ୍ଷା ଉପରେ ନୀରବ ରହି, ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି ପାଇଁ ଆଗ୍ରହ ପ୍ରକାଶ କରୁଥିବା ରାଜ୍ୟପାଳ ମହୋଦୟଙ୍କ ଅନୁରୋଧ ନିଶ୍ଚୟ ଅଲୋଡ଼ା ଏବଂ ଅପ୍ରସଙ୍ଗ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।