ଶାନ୍ତ ସକାଳ । ଦେଖିଲେ ଲାଗୁଛି କିଛି ବି ଘଟିନି, କିନ୍ତୁ ଏକ ଅଦୃଶ୍ୟ ବେଦନାର ଛାୟା ଘରକୁ ଆଛନ୍ନ କରିଛି। ଇଲେକ୍ଟ୍ରିକ୍ କେଟଲିରେ ଫୁଟୁଥିବା ଗ୍ରିନ ଆସାମ ଚା'କୁ କପ୍ ରେ ଢାଳି ଟିଭି ସ୍ୱିଚ ଅନ୍ କଲା।
ନିୟୁଜ ଚ୍ୟାନେଲକୁ ଖୋଲି ଦେଖିଲା ନୈନା।
"ଅପେରେସନ ସିନ୍ଦୂର: ପାକିସ୍ତାନର ଆତଙ୍କୀ ଘାଟି ଧ୍ଵସ୍ତ", ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣରେ ଧ୍ବସ୍ତ ବିଧ୍ବସ୍ତ ପାକିସ୍ଥାନର କିଛି ସହର ଓ ଆତଙ୍କୀ ଆଡା। ଭାରତୀୟ ସେନାମାନେ ଏକ ତୀବ୍ର ପ୍ରତି ଆକ୍ରମଣ କରିଛନ୍ତି, ଯେଉଁଠି ମୃତ୍ୟୁ ହେଇଛି ମୁଖ୍ୟ ଆତଙ୍କବାଦୀ ଏବଂ ତାଙ୍କ ସହଯୋଗୀମାନଙ୍କର।
ନିର୍ଲିପ୍ତ ନିର୍ବିକାର ଭାବରେ ଲଥ କରି ସୋଫାରେ ବସି ପଡିଲା।
ଠିକ୍ ସେମିତି ଯେମିତି ବସିଥିଲା ରାଜଙ୍କ ମର ଶରୀର ପାଖରେ ସେଦିନ ପହଲ୍ ଗାମ୍ ରେ।
ରାଜ୍, ଏକ ଦୃଢ ବ୍ୟକ୍ତିତ୍ଵର ଭାରତୀୟ ବାୟୁସେନା କର୍ଣ୍ଣେଲ, ଏବଂ ନୈନା, ଏକ ଶାନ୍ତ ଓ ମଧୁର ବ୍ୟକ୍ତିତ୍ୱର ମହିଳା। ବାହାଘରର ମାତ୍ର ସାତଦିନ ପରେ ମଧୁ ଚନ୍ଦ୍ରିକା ପାଇଁ ନବ ଦମ୍ପତ୍ତି ଭୂସ୍ବର୍ଗ କାଶ୍ମୀର ଯାଇଥିଲେ। ପହଲ୍ଗାମର ନୀଳ ଆକାଶ, ନୀଳ ଝରଣା, ସଫେଦ୍ ବରଫ ପାହାଡ ଆଉ ଘଞ୍ଜ ସବୁଜ ବନାନୀର ସୌନ୍ଦର୍ଯ୍ୟରେ ବିଭୋର ହୋଇ ରାଜ କହିଥିଲେ, “ନୈନା, ଏଇଠି ଗୋଟିଏ ଛୋଟିଆ ଘର କରିବା କି ? ସେ ହେବ ଆମ ସ୍ୱପ୍ନର ଘର। ହାତ ଛନ୍ଦାଛନ୍ଦି ହୋଇ ଭବିଷ୍ୟତର ଏକ ସୁନେଲି ସ୍ୱପ୍ନରେ ମଜ୍ଜି ଯାଇଥିଲେ ଦୁହେଁ।
ଅଚାନକ ହୋଇଥଲା ଗୁଳି ବର୍ଷା। ଆତଙ୍କବାଦୀମାନେ ଏକ ପରେ ଏକ ପୁରୁଷଙ୍କୁ ମାରି ଚାଲିଥିଲେ।
ସେମାନଙ୍କୁ ପଚାରାଯାଇଥିଲା—"କେଉଁ ଧର୍ମ?" ତାର ଉତ୍ତର ଆଧାରରେ ଆତଙ୍କବାଦୀମାନେ ସିନ୍ଦୂର ଦେଖି ହିନ୍ଦୁ ପୁରୁଷଙ୍କୁ ମାରୁଥିଲେ। ଆତଙ୍କବାଦୀଙ୍କ ସେହି ଅମାନବୀୟ ଆକ୍ରମଣରେ ଟଳି ପଡ଼ିଥିଲେ ତାର ସ୍ଵାମୀ ତଥା ଭାରତୀୟ ବାୟୁ ସେନାର ଅଧିକାରୀ କର୍ଣ୍ଣେଲ ରାଜ।
ଧର୍ମ ପଚାରି ପଚାରି ହିନ୍ଦୁ ମହିଳାଙ୍କ ସିନ୍ଦୂର ପୋଛିଦେବା ଭଳି କୁତ୍ସିତ ମାନସିକତାରେ ବର୍ବରୋଚିତ ଆକ୍ରମଣରେ ଟଳି ପଡ଼ିଥିଲେ ରାଜ୍ ଙ୍କ ପରି ଆହୁରି ଅନେକ। ପତ୍ନୀଙ୍କ ଆଖି ଆଗରେ ଗୁଳି କରି ମାରିଥିଲେ ସେଇ ରାକ୍ଷସ ମାନେ। ଅନେକ ମହିଳାଙ୍କ ପରି କିଛି ବୁଝିବା ଆଗରୁ ସ୍ଵାମୀ ତାର ଚିରଦିନ ପାଇଁ ଆଖି ବୁଜିଦେଲେ ସେଇଠି।
ସୁନ୍ଦର ପ୍ରକୃତି ମାଆର କୋଳରେ ଚାଲିଥିଲା ନର ସଂହାର।
କିଛି ବୁଝି ପାରୁ ନ ଥିଲା ସିଏ। କିଏ ଏମାନେ ? କଣ ଦୋଷ ଆମେ କରିଛୁ? କାହିଁକି ବାଛି ବାଛି ହିନ୍ଦୁ ପୁରୁଷ ମାନଙ୍କୁ ମାରୁଛନ୍ତି?
ନୈନାର ଆଖି ଆଗରେ ଏ ସବୁ ଘଟିଗଲା।
ମାତ୍ର କେଇଟା ମୁହୂର୍ତ୍ତରେ
ଜୀବନଟା ଓଲଟ ପାଲଟ ହୋଇଗଲା। ସ୍ଥାଣୁ ନିର୍ବାକ ନୈନା କିଛି ବି କରିପାରିଲା ନାହିଁ। ତାଙ୍କ ଯୁଗ୍ମ ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ଆଗରୁ ଶେଷ ହୋଇଗଲା।କିଏ ଜାଣିଥିଲା ମଧୁଚନ୍ଦ୍ରିକାର ସେଇ ଦ୍ୱିତୀୟ ଦିନଟି ହେବ ସେମାନଙ୍କ ଜୀବନର ଶେଷ ଦିନ?
ମୃତ୍ୟୁ ପରେ ରାଜଙ୍କ ମର ଶରୀରକୁ ଆଣାଗଲା। ତ୍ରିରଙ୍ଗା ପତାକାରେ ଘୋଡାଇ ହୋଇ ଚିରନିଦ୍ରାରେ ଶୋଇଥିବା ରାଜଙ୍କର ସେହି ଦୃଶ୍ୟଟି ସେ ଭୁଲିପାରିଲା ନାହିଁ। ମନରେ ଆଶଙ୍କା ସହିତ ଅନେକ ପ୍ରଶ୍ନ। ଚାରି ପାର୍ଶ୍ଵରେ ଅସୀମ ଶୂନ୍ୟତା।
ଆଜିକୁ ୧୫ ଦିନ ହେଲା ରାଜଙ୍କ ମୃତ୍ୟୁ।
ରାଜଙ୍କ ସମେତ ଅନ୍ୟ ୨୫ ଜଣଙ୍କ ଏହି ମୃତ୍ୟୁ ବ୍ୟର୍ଥ ଗଲା ନାହିଁ। ଏହା ଏକ ଆନ୍ଦୋଳନ ହୋଇପାରିଲା ଦେଶପାଇଁ।
ରାଜ୍ ଚିତ୍କାର କରିନଥିଲେ, କିନ୍ତୁ ଏକ ଅଭିଶାପ ତାଙ୍କ ନୀରବ ମୁଖରେ ଥିଲା—"ଏହି ନରରାକ୍ଷସ ମାନଙ୍କର ଧ୍ଵଂସ ଯିବା ଅବଶ୍ୟମ୍ଭାବୀ।"
ଏହା କେବଳ ଏକ ଆତଙ୍କୀ ଆକ୍ରମଣ ନୁହେଁ, ଏହା ଭାରତର ମାନବତା, ସଂସ୍କୃତି,ଓ ଆସ୍ଥା ଉପରେ ଏକ ଶକ୍ତ ପ୍ରହାର। ଭାରତୀୟ ନାରୀ ଅସ୍ମିତା ପ୍ରତି ଭୟଙ୍କର ଉପହାସ।
ଭାରତର ସୂଚନା ଓ ସେନା ବିଭାଗ ପ୍ରତିବାଦ କଲେନି; ସେମାନେ ପ୍ରତ୍ୟୁତ୍ତର ଦେଲେ। ପ୍ରତିଟି ଗୁଳିର ଉତ୍ତର ଗଣିଗଣି ଦିଆଗଲା। ଅପରେସନ ସିନ୍ଦୂର ଅଭିଯାନ ଆରମ୍ଭ ହେଲା। ମାତ୍ର କିଛି ଦିନ ମଧ୍ୟରେ ସେଇ ଦାୟୀ ଘାଟି ଧ୍ଵସ୍ତ ହେଲା। ପାକିସ୍ତାନର ଆତଙ୍କବାଦୀ ନେତାଙ୍କ ମୃତ୍ୟୁ ହେଲା ଅନେକ ଆଡା ଧ୍ଵସ୍ତ ହେଲା।
ଆଉ ଆପରେସନର ନାମ ଥିଲା ‘ସିନ୍ଦୂର’ ଜଣେ ସ୍ତ୍ରୀଙ୍କ ଶୂନ୍ୟ ସୀମନ୍ତ ପାଇଁ।
ଆଜି ସମଗ୍ର ଦେଶ ଅଶାନ୍ତ। କିନ୍ତୁ ଅଜବ ଏକ ଶୀତଳତା ଅନୁଭବ କରୁଛି ନୈନା। ଆଖିରୁ ଲୁହ ପୋଛିଲା ଧୀରେ ଧୀରେ ଉଠି ଠିଆ ହୋଇ ଡ୍ରେସିଂ ଟେବଲ ପାଖକୁ ଗଲା। ମିରର ପାଖରେ ଥିବା ରାଜଙ୍କ ଫଟୋକୁ ତା’ ଓଢଣୀରେ ଆସ୍ତେ କି ପୋଛି ଦେଲା। ଅନେକ ଦିନ ଧରି ଝାପସା ଦିଶୁଥିବା ରାଜ ଖୁବ ପାଖରୁ ଆଉ ସତେଜ ଦେଖା ଯାଉଥିଲେ।
ଡ୍ରୟାର ଖୋଲି ସିନ୍ଦୂର ଟୋପାଟିଏ ମୁଣ୍ଡରେ ଲଗାଇ ରାଜ୍ଙ୍କୁ ଚାହିଁଲା।
ସେ ଚାହାଣୀରେ ଥିଲା ଅସୀମ ଗର୍ବ, ଏକ ପ୍ରତିଶ୍ରୁତି ଓ ଏକ ଅବିଚଳିତ ଦେଶପ୍ରେମ।
- ଡ ରୀନା ରାଉତରାୟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।