/odisha-reporter/media/post_attachments/uploadimage/library/16_9/16_9_0/IMAGE_1757414731.jpeg)
Voter List Revision
ରବି ଦାସ
ବିହାରରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର୍ ତାଲିକାକୁ ନେଇ ଯେଉଁ ମୁଖ୍ୟ ସମସ୍ୟା ଥିଲା ତାହାକୁ ସୁପ୍ରିମ୍କୋର୍ଟ ଦୂର କରିଦେଇଥିବାରୁ ଏହି ପର୍ଯ୍ୟାୟରେ ଅନେକ ଯୋଗ୍ୟ ଲୋକ ଭୋଟର୍ ତାଲିକା ବାହାରକୁ ଚାଲିଯିବେ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ଏପରିକି ପ୍ରଥମ ଭୋଟର୍ ଚିଠା ପ୍ରସ୍ତାବରେ ଯେଉଁ ୬୫ ଲକ୍ଷ ଭୋଟର୍ଙ୍କୁ ମୃତ୍ୟୁ କାରଣରୁ, ସ୍ଥାନ ଛାଡ଼ି ସ୍ଥାୟୀ ଭାବରେ ଚାଲିଯାଇଥିବା କାରଣରୁ ବା ଏକାଧିକ ଭୋଟର୍ ହେବା କାରଣରୁ ବାଦ୍ ଦିଆଯାଇଛି, ସେମାନଙ୍କୁ ଠିକ୍ ଭାବରେ ବାଦ୍ ଦିଆଯାଇଛି ନା ନାହିଁ ତାହା ତଦାରଖ କରିବା ନିମନ୍ତେ ଯେଉଁ ଅଭିଯୋଗ ହେବ ତାହାର ସମାଧାନ ପାଇଁ ଆଧାର କାର୍ଡକୁ ମଧ୍ୟ ବ୍ୟବହାର କରାଯାଇପାରିବ। ଯେଉଁମାନଙ୍କୁ ମୃତ ବୋଲି ଦର୍ଶାଯାଇ ବାଦ୍ ଦିଆଯାଇଛି ସେମାନଙ୍କ ଭିତରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ସେ ବିଷୟରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିପାରିବେ। ଯେଉଁମାନେ ସ୍ଥାୟୀ ଭାବରେ ନିଜ ସ୍ଥାନ ଛାଡ଼ି ଯାଇନାହାନ୍ତି ଓ ପୂର୍ବ ନିର୍ବାଚନଗୁଡ଼ିକରେ ଭୋଟ୍ ଦେଇଛନ୍ତି ସେମାନେ ମଧ୍ୟ ନାମ ରେଜିଷ୍ଟ୍ରି କରିବା ପାଇଁ ଦରଖାସ୍ତ କରିପାରିବେ।
ଅସଲ ସମସ୍ୟା ଦେଖାଯାଇଥିଲା ଯେତେବେଳେ କୁହାଗଲା ଯେ, ଯେଉଁମାନେ ଭୋଟର୍ ତାଲିକାରେ ଅଛନ୍ତି, ସେମାନଙ୍କୁ ନିଜର ପ୍ରକୃତ ପରିଚୟ ପ୍ରଦାନ ପାଇଁ ନିର୍ବାଚନ କମିଶନର୍ ଧାର୍ଯ୍ୟ କରିଥିବା ୧୧ଟି ଦସ୍ତାବିଜ୍ ଭିତରୁ ଗୋଟିଏ ଦେବାକୁ ପଡ଼ିବ। କିନ୍ତୁ ବିହାରରେ ବହୁ ସଂଖ୍ୟାରେ ଲୋକ ଅଛନ୍ତି ଯେଉଁମାନେ କି ପାଠଶାଠ ପଢ଼ିନାହାନ୍ତି, ଅର୍ଥାତ୍ ସେମାନଙ୍କର କୌଣସି ସାର୍ଟିଫିକେଟ୍ ନାହିଁ, ଜନ୍ମ ତାରିଖ ଓ ସ୍ଥାନର କୌଣସି ସାର୍ଟିଫିକେଟ୍ ନାହିଁ, ଜାତିଗତ ପ୍ରମାଣପତ୍ର ନାହିଁ, ଜମିଜମା ରେକର୍ଡ ନାହିଁ, ପାସ୍ପୋର୍ଟ ନାହିଁ ଓ ଯେଉଁମାନଙ୍କ ପାଖରେ କେବଳ ପରିଚୟ ସ୍ୱରୂପ ଆଧାର, ରାସନ୍ କାର୍ଡ ଓ ଭୋଟର୍ କାର୍ଡ ଅଛି ସେମାନଙ୍କର ଏହି ଦଲିଲ୍ଗୁଡ଼ିକ ଗ୍ରହଣୀୟ ନୁହଁ ବୋଲି ନିର୍ବାଚନ କମିଶନର୍ କହିଆସୁଥିଲେ। ସୁପ୍ରିମ୍କୋର୍ଟ ପ୍ରଥମ ଶୁଣାଣୀରୁ ଆଧାରକୁ ବିଚାର କରିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ନିର୍ବାଚନ କମିଶନର୍ ତାହା କେବଳ ପରାମର୍ଶ କହି ଏଡ଼ାଇ ଚାଲିଥିଲେ। ହେଲେ ବୁଧବାର ଦିନ ହୋଇଥିବା ସୁପ୍ରିମ୍କୋର୍ଟର ଶୁଣାଣୀରେ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆଧାରକୁ ଅନ୍ୟ ୧୧ଟି ଦସ୍ତାବିଜ୍ ପରି ଏକ ପରିଚୟ ଭାବରେ ନିର୍ବାଚନ କମିଶନର୍ ଗ୍ରହଣ କରିବା ଉଚିତ୍।
ଯେପରି ଏହି ୧୧ଟି ଦସ୍ତାବିଜ୍ ଭିତରୁ ୯ଟି ପ୍ରମାଣପତ୍ର ନାଗରିକତ୍ୱର କୌଣସି ପ୍ରମାଣ ନୁହେଁ ବୋଲି ଜଣାଅଛି, ଠିକ୍ ସେହିପରି ଆଧାର ଏକ ନାଗରିକତ୍ୱର ପ୍ରମାଣ ଭାବରେ ବିଚାର କରାଯିବ ନାହିଁ। କିନ୍ତୁ ଆଧାରକୁ ଦେଖି ନିର୍ବାଚନ କମିଶନର୍ ନିଜସ୍ୱ ତଦାରଖ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ କରିବେ। ଅନ୍ୟ ଦସ୍ତାବିଜ୍ ପରି ଆଧାରକୁ ନିର୍ବାଚନ କମିଶନର୍ ଅଧିକାରୀମାନେ ଯାଂଚ କରିବାରେ କୌଣସି ଅସୁବିଧା ନାହିଁ। ଆଧାର ନମ୍ବରରୁ ଜଣେ ବ୍ୟକ୍ତିର ନାମ, ପିତାଙ୍କର ନାମ, ଗ୍ରାମ, ଠିକଣା ସହିତ ବ୍ୟକ୍ତିର ସମ୍ପୂର୍ଣ୍ଣ ପରିଚୟ ମିଳୁଥିବାରୁ ତାହା ସଂପର୍କରେ ଯାଂଚ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଆଧାରକୁ ସେହି ମାନ୍ୟତା ନମିଳିଥିଲେ ନିର୍ବାଚନ କମିଶନର୍ ମନଇଚ୍ଛା ଅନେକ ଲୋକଙ୍କୁ ଭୋଟର୍ ତାଲିକାରୁ ବାଦ୍ଦେଇ ପାରିଥାନ୍ତେ। ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୁଥ୍ ସ୍ତରୀୟ ଅଫିସର୍ମାନଙ୍କୁ ନିର୍ବାଚନ ରେଜିଷ୍ଟ୍ରେସନ୍ ଅଫିସର୍ ଆଦେଶ ଦେଇ କହିଲେ ଯେ, ଆଧାର ନମ୍ବର ଦେଉଥିବା ବ୍ୟକ୍ତି ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଦାବି କରିପାରିବେ।
ସେହିପରି ଏମାନଙ୍କ ଭିତରୁ ଯଦି କେହି ୬୫ ଲକ୍ଷ ଯେଉଁ ଭୋଟର୍ଙ୍କୁ ପ୍ରଥମ ଚିଠା ପ୍ରସ୍ତାବରେ ବାଦ୍ ଦିଆଯାଇଛି ସେମାନେ ନିଜର ପ୍ରତିବାଦ ବା ଅଭିଯୋଗ ଦାଖଲ କରିପାରିବେ। ଯଦିଓ ଏପରି ଅଭିଯୋଗ ଦାଖଲ କରିବା ପାଇଁ ପ୍ରଥମେ ସେପ୍ଟେମ୍ବର ୧କୁ ଶେଷ ତାରିଖ ଭାବରେ ନିର୍ବାଚନ କମିଶନର୍ ଦର୍ଶାଇଥିଲେ, କିନ୍ତୁ ସୁପ୍ରିମ୍କୋର୍ଟର ନିର୍ବାଚନ କମିଶନର୍ କହିଥିଲେ ଯେ, ଏହି ଶେଷ ତାରିଖ ପରେ ପ୍ରାର୍ଥୀପତ୍ର ଦାଖଲ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରାଯାଇପାରିବ। ଅର୍ଥାତ୍ ଏସ୍ଆଇଆର୍କୁ ନେଇ ଯେଉଁ ବିବାଦ ଜୋର୍ଦାର୍ ଚାଲିଥିଲା ତାହା ଅନେକ ପରିମାଣରେ ଦୂର ହୋଇଯାଇଛି।
ଏସ୍ଆଇଆର୍ ଏବେ ସାରାଦେଶରେ ସବୁ ରାଜ୍ୟରେ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ଓ ସେହି ଅନୁସାରେ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କର ବୈଠକ ଡକାଯାଇ ଏସ୍ଆଇଆର୍ ପ୍ରକ୍ରିୟା ବିଷୟରେ ଶିକ୍ଷା ଦିଆଯାଉଛି। ବିହାରରେ ବିଧାନସଭା ନିର୍ବାଚନ ଆଉ ମାତ୍ର ମାସ ଦୁଇଟା ଥିବାରୁ ସେହି ସମୟରେ ଏସ୍ଆଇଆର୍ ପ୍ରକ୍ରିୟା ଜୁନ୍ ୨୪ ତାରିଖରୁ ଆରମ୍ଭ କରାଯିବା ଯୋଗୁ ଅଧିକ ବିବାଦ ହୋଇଥିଲା। କାରଣ ସେତେବେଳକୁ ବାର୍ଷିକ ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା ସରି ଭୋଟର୍ ତାଲିକା ପ୍ରକାଶ ପାଇ ସାରିଥିଲା। ତେଣୁ ଏତେ କମ୍ ଦିନ ଭିତରେ ଏହି ପ୍ରକ୍ରିୟା କରିବାର ପ୍ରକୃତ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିଥିଲା। ଯଦିଓ ଏସ୍ଆଇଆର୍ କରାଯିବାର ଧାରାକୁ ନୀତିଗତ ଭାବରେ କେହି ବିରୋଧ କରୁନାହାନ୍ତି। ନିର୍ବାଚନ କମିଶନଙ୍କ ହାତରେ ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏହି କ୍ଷମତା ରହିଛି। ତେଣୁ ନିର୍ବାଚନ ପୂର୍ବରୁ କିଛି ଲୋକଙ୍କୁ ଭୋଟର୍ ତାଲିକାରୁ ବାଦ୍ଦେବା ଓ କିଛି ଲୋକଙ୍କୁ ଏଥିରେ ଭର୍ତ୍ତି କରିବା ଲକ୍ଷ୍ୟରେ ଏହା କରାଯାଇଛି ବୋଲି ସନ୍ଦେହ ହେବା ସ୍ୱାଭାବିକ।
ବିଶେଷ ଭାବରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଧାନସଭା ମଣ୍ଡଳୀର ଭୋଟର୍ ତାଲିକାକୁ ବିଶେଷଜ୍ଞଙ୍କ ଦ୍ୱାରା ପୂରା ୬ ମାସ କାଳ ଯାଂଚ କଲା ପରେ ସେହି ଗୋଟିଏ ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୨୫୦ ଭୋଟର୍ ଫର୍ଜି ହୋଇଥିବାର ତଥ୍ୟ ପ୍ରକାଶ କରି ଭୋଟ୍ଚୋରୀ ଅଭିଯୋଗ ଆଣିଛନ୍ତି। ନିର୍ବାଚନ କମିଶନର୍ ଏହାର ଯଥାର୍ଥ ଉତ୍ତର ଦେଇନଥିବାରୁ ବିହାର୍ରେ ଏସ୍ଆଇଆର୍ ଜରିଆରେ ଭୋଟ୍ଚୋରୀ ହେବାପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ କରିବାକୁ ବିରୋଧୀ ଦଳମାନେ ଏକ ସୁଯୋଗ ପାଇବେ। କିନ୍ତୁ ସୁପ୍ରିମ୍କୋର୍ଟ ଏଥିରେ ହସ୍ତକ୍ଷେପ କରି ଆଧାରକୁ ଏହି ଦସ୍ତାବିଜ୍ ଭିତରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେବା ଫଳରେ ଭୋଟ୍ଚୋରୀର ଅଭିଯୋଗ କମିଯିବ ବୋଲି ବିଶ୍ୱାସ ରହିଛି। ଆଧାର ବ୍ୟବସ୍ଥା ଦେଶରେ ହେଲା ପରେ ନିର୍ବାଚନ ଆଇନ୍ର ସଂଶୋଧନ କରି ଭୋଟର୍ କାର୍ଡ ସହିତ ଆଧାର ନମ୍ବର ସଂଲଗ୍ନ କରିବା ପାଇଁ ନିର୍ବାଚନ କମିଶନର୍ ଅତୀତରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଆଧାର କରି ଆଧାରକୁ ଏକ ପରିଚୟ ପତ୍ର ଭାବରେ ଗ୍ରହଣ କରିବା ପାଇଁ ସୁପ୍ରିମ୍କୋର୍ଟ ନିୟମ ଅନୁସାରେ ଯଥାର୍ଥରେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନର୍ ଏହାକୁ କାହିଁକି ଏଡାଇ ଚାଲିଥିଲେ ବୁଝିବା କଷ୍ଟକର।
ବିହାର୍ରେ ଯେଉଁ ୬୫ ଲକ୍ଷ ଭୋଟର୍ ବାଦ୍ ପଡ଼ିଛନ୍ତି ସେଥିରେ ମୁସ୍ଲିମ୍ମାନଙ୍କ ସଂଖ୍ୟା ଅଧିକ ବୋଲି ଯେଉଁ ଅଭିଯୋଗ ହେଉଥିଲା, ତା’ ପଛରେ କୌଣସି ସତ୍ୟତା ନଥିବା ଏବେ ପ୍ରକାଶ ପାଇଥିବା ବିଭିନ୍ନ ତଥ୍ୟରୁ ଜଣାପଡ଼ିଛି। ଏହି ତଥ୍ୟକୁ ବିଶ୍ଳେଷଣ କରିଥିବା ଗୋଷ୍ଠୀ ମତ ଦେଇଛନ୍ତି ଯେ, ଯେଉଁମାନଙ୍କର ନାମ ଭୋଟର୍ ତାଲିକାରୁ ଚିଠା ଭୋଟର୍ ତାଲିକାରେ ବାଦ୍ ଦିଆଯାଇଛି ସେମାନଙ୍କ ଭିତରୁ ଶତକଡ଼ା ୧୮.୪ ଭାଗ ହେଉଛନ୍ତି ମୁସ୍ଲିମ୍। ବିହାର୍ର ଲୋକସଂଖ୍ୟାରେ ସେମାନଙ୍କ ସଂଖ୍ୟା ଶତକଡ଼ା ୧୭.୪। ଅର୍ଥାତ୍ ବହୁଗୁଡ଼ିଏ ମୁସ୍ଲମାନ୍ ନାମ ବାଦ୍ ଦିଆଯାଇଛି ବୋଲି କହିବା ଭୁଲ୍ ହେବ। ଏହି ତଥ୍ୟ ବିଶ୍ଳେଷଣକାରୀ ଦଳ ମତ ଦେଇଛନ୍ତି ଯେ, ସେମାନେ ଅନୁସନ୍ଧାନ କରିଥିବା ୬୫ ଲକ୍ଷ ଭୋଟର୍ଙ୍କ ମଧ୍ୟରୁ ୫୨.୮ ଲକ୍ଷ ଭୋଟର୍ଙ୍କୁ ସେମାନେ ଅନୁସନ୍ଧାନ କରି ଭୋଟର୍ ତାଲିକାରୁ ବାଦ୍ ପଡ଼ିଥିବା ମୁସ୍ଲିମ୍ଙ୍କ ସଂଖ୍ୟା ୯.୭ ଲକ୍ଷ ବୋଲି ଜାଣିପାରିଛନ୍ତି।
କେବଳ ସେତିକି ନୁହେଁ ସେମାନଙ୍କ ଭିତରୁ ବାଦ୍ ପଡ଼ିଥିବା ୪୪ ଭାଗ ମୁସଲ୍ମାନ୍ ସ୍ଥାୟୀ ଭାବରେ ରାଜ୍ୟ ଛାଡ଼ି ଅନ୍ୟତ୍ର ବାସ କରୁଛନ୍ତି। ଅଣ ମୁସଲ୍ମାନ୍ଙ୍କ ଭିତରେ ମଧ୍ୟ ଏହି ହାର ପ୍ରାୟ ସମାନ। ଏପରିକି ଅତି ମୁସ୍ଲିମ୍ ବହୁଳ କିଷନ୍ଗଞ୍ଜରେ ଯେଉଁଠାରେ ମୁସ୍ଲିମ୍ ଲୋକସଂଖ୍ୟା ଜନସଂଖ୍ୟାର ଶତକଡ଼ା ୫୮ ଭାଗ ସେଠାରେ ବାଦ୍ ପଡ଼ିଥିବା ମୁସ୍ଲିମ୍ ଭୋଟର୍ଙ୍କ ସଂଖ୍ୟା ଲୋକସଂଖ୍ୟା ଅନୁପାତରେ ଖୁବ କମ୍। ଏପରିକି ପୁର୍ଣ୍ଣେୟା, ଆରାବିଆ ଓ କଟିହାର ଭଳି ମୁସ୍ଲିମ୍ ବହୁଳ ଅଂଚଳରେ ବାଦ୍ ପଡ଼ିଥବା ମୁସ୍ଲିମ୍ ଲୋକମାନଙ୍କର ସଂଖ୍ୟା ମଧ୍ୟ ଜନସଂଖ୍ୟା ଆଧାରରେ ହୋଇଥିବାରୁ ଅଧିକ ପରିମାଣରେ ମୁସ୍ଲିମ୍ ଭୋଟର୍ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଅବଶ୍ୟ ଉଲ୍ଲେଖନୀୟ ଘଟଣା ଯେ, ଯେଉଁ ୬୫ ଲକ୍ଷ ଭୋଟର୍ଙ୍କୁ ଭୋଟର୍ ତାଲିକାରୁ ଚିଠା ଭୋଟର୍ ତାଲିକାରେ ବାଦ୍ ଦିଆଯାଇଛି, ସେମାନଙ୍କ ଭିତରେ କେହି ଜଣେ ବିଦେଶୀ ବା ବଙ୍ଗଳାଦେଶୀ ଭାବରେ ଚିହ୍ନଟ ହୋଇନାହାନ୍ତି। ଏଣୁ ଏ ସଂକ୍ରାନ୍ତରେ ବିଜେପି ପକ୍ଷରୁ ଯାହା ପ୍ରଚାରିତ ହେଉଥିଲା ତାହାର କୌଣସି ସତ୍ୟତା ନାହିଁ।
ଏସ୍ଆଇଆର୍ ଭିତରେ ପୂର୍ବ ଭୋଟର୍ ତାଲିକା ପରି ଗୁଡ଼ିଏ ଅସ୍ପଷ୍ଟ ଓ ବିବାଦୀୟ ବ୍ୟବସ୍ଥା ନରହି କିପରି ସ୍ୱଚ୍ଛତା ସହକାରେ ଭୋଟର୍ ତାଲିକା ହୋଇପାରିବ ସେ ଦିଗରେ ନିର୍ବାଚନ କମିଶନର୍ ପଦକ୍ଷେପ ନେବା ଦରକାର। ନିକଟରେ କର୍ଣ୍ଣାଟକର ଏକ ନିର୍ବାଚନ ମଣ୍ଡଳୀରେ ଦେଖାଯାଇଛି ଯେ, ଭୋଟର୍ ତାଲିକାରୁ କିଛି ଲୋକଙ୍କୁ ବାଦ୍ ଦେବା ପାଇଁ ଫର୍ମ-୭ ଜରିଆରେ ହଜାର ହଜାର ଦରଖାସ୍ତ ଦିଆଯାଇଛି। ଏ ସଂକ୍ରାନ୍ତରେ ହୋଇଥିବା ତ୍ରୁଟିକୁ ନିର୍ବାଚନ କମିଶନର୍ ଧରି ନପାରିବା ଓ ଜଣେ ସ୍ଥାନୀୟ ରାଜନେତା ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଅଭିଯୋଗ କଲାପରେ ସମୁଦାୟ ଘଟଣା ପଦାକୁ ଆସିଛି। ସେହି ଦୃଷ୍ଟିରୁ ଭୋଟର୍ ତାଲିକା ପ୍ରସ୍ତୁତ ସମୟରେ ଏହା ଏପରି ଭାବେ ହେବା ଉଚିତ୍ ଯେଉଥିରେ ଯେକୌଣସି ବ୍ୟକ୍ତି ଭୋଟର୍ ତାଲିକାରେ ଥିବା ତ୍ରୁଟିକୁ ଜାଣିପାରିବ।
ଆଧୁନିକ କାରିଗରୀ କୌଶଳରେ ଏହି ସ୍ୱଚ୍ଛତା ଯଦି ପ୍ରତିଷ୍ଠିତ ହେବ ତେବେ ଭୋଟର୍ ତାଲିକା ନେଇ ଉଠୁଥିବା ଅଭିଯୋଗ ଓ ଭୋଟ୍ଚୋରୀ ଜରିଆରେ ନିର୍ବାଚନକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ଆସିପାରିବ ନାହିଁ। ଯେହେତୁ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ, କର୍ଣ୍ଣାଟକରେ ସେ ଭୋଟ୍ଚୋରୀର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଏକ ଆଟମ୍ ବମ୍ ହୋଇଥିବା ସମୟରେ ପରବର୍ତ୍ତୀ ଅବସ୍ଥାରେ ସେ ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ଏକ ହାଇଡ୍ରୋଜେନ୍ ବୋମା ଆଣିବେ। ରାହୁଲ୍ଙ୍କ ଏହି ବକ୍ତବ୍ୟର ଅର୍ଥ ଯାହାହେଉ ନା କାହିଁକି ଭୋଟର୍ ତାଲିକାରେ ସଂଶୋଧନ ପ୍ରକ୍ରିୟା ଏପରି ହେବା ଉଚିତ୍ ଯେ, ଭବିଷ୍ୟତରେ ଭୋଟ୍ଚୋରୀ ଅଭିଯୋଗ ଆସିବନାହିଁ। କାରଣ ଏହିପରି ଘଟଣାସବୁ ପ୍ରକାଶ ପାଇଲେ ନିର୍ବାଚନରେ ଯେଉଁ ଦଳ ଯେଉଁଠି ଜିତିଥାନ୍ତୁ ନା କାହିଁକି ନିର୍ବାଚନ ଫଳାଫଳ ନେଇ ସନ୍ଦେହ ସବୁବେଳେ ରହିବ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
