Advertisment

ନିପୁଣ ମସ୍ତିଷ୍କ, କାଲୁଆ ହୃଦୟ

ଦୁଇ ହଜାର ମସିହା ପରଠାରୁ ସହରର ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେଦିନର ଶିଶୁ ଆଜି ନିଜ ଲାଗି ପୁଅ ବା ଝିଅ ବାଛୁଛି, ବିବାହ କରୁଛି। ଅଥଚ ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ, ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ମାନବିକତା ଅଭାବରୁ ସେମାନଙ୍କ ପରିବାର ବହୁ ଶୀଘ୍ର ଭାଙ୍ଗି ଯାଉଛି। ସେହି ବାପା ଓ ମା’ମାନେ ନିଜ ଜୀବନର ଅନୁଭୂତିରୁ ଶିଖୁନାହାନ୍ତି। ଯଦି ପରିବାର ରହିଯାଉଛି ତେବେ ସେମାନେ ନିଜର ଏକ ମାତ୍ର ସନ୍ତାନକୁ ନୂଆ ରୋବୋର୍ଟ ଭାବରେ ତିଆରି କରୁଛନ୍ତି।

children

School Going Children Photograph: (Internet)

Advertisment

ଦେବ ରଞ୍ଜନ 

ଶିଶୁଟିଏ ପରିବାରକୁ ଆସିଲା ମାତ୍ରେ ସମସ୍ତେ ଖୁସି ବ୍ୟକ୍ତ କରନ୍ତି। ତାହାର ହସ, କାନ୍ଦ ଓ ପ୍ରତିଟି ହାବଭାବକୁ ନେଇ ଦୀର୍ଘ ସମୟ ବାର୍ତ୍ତାଳାପ ହୁଏ। ଶିଶୁ କ୍ରମଶଃ ବଡ଼ ହୁଏ। ବଡ଼ ହେବା ସହିତ ତାହାର କ୍ୟାରିୟର ଗଠନରେ ଆଧୁନିକ ପିତାମାତା ଲାଗି ପଡ଼ନ୍ତି। ଆମ ଚାରିପାଖର ଅନେକ ବସ୍ତୁର ଇଂରାଜୀ ଶବ୍ଦ ସହିତ ଶିଶୁକୁ ପରିଚିତ କରାଇଥାନ୍ତି। ସେ ବୁଝି ପାରୁ ଅଥବା ନପାରୁ ସେ ତାହାକୁ ଗ୍ରହଣ କରୁ ଅଥବା ନକରୁ ଯୁବ ପିତାମାତା ନିଜ କାର୍ଯ୍ୟରେ କେବେ ଅବହେଳା କରନ୍ତି ନାହିଁ। ଶବ୍ଦ ଓ ଏହା ପରେ ସ୍ପେଲିଙ୍ଗକୁ ମୁଖସ୍ଥ କରିବା ଭିତରେ ଶିଶୁ ଏକ ଉତ୍ତମ ଅଭିଧାନରେ ପରିଣତ ହୁଏ। ସେ ଜ୍ଞାନ ବା ନଲେଜ କହିଲେ ଇଂରାଜୀ ଅଭିଧାନକୁ ପ୍ରାଥମିକ ଭାବର ବୁଝେ, ଶବ୍ଦମାନଙ୍କର ଏକାଧିକ ବ୍ୟବହାର ମଧ୍ୟ ସେ ଭଲରେ ଜାଣିନଥାଏ। 

Advertisment

ସହରର ଅତି ଦାମୀ ଭଲ ଇଂରାଜୀ ମିଡିୟମ ସ୍କୁଲରେ ଶିଶୁର ଯେମତି ନାମଲେଖା ହୋଇଯାଇପାରିବ ସେଥିଲାଗି ଶିଶୁର ଇଂରାଜୀ ଶିକ୍ଷା ଜରୁରୀ ବୋଲି ବାପାମା ଭାବନ୍ତି। ଇଂରାଜୀ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଆଡମିସନ ଲାଗି ଏକ ଲକ୍ଷ ଟଙ୍କା ନେବାର ଚୁକ୍ତି ସହିତ ଶିଶୁକୁ ପୁନଃ ପରୀକ୍ଷା କରିବେ ବୋଲି ଭୟ ମଧ୍ୟ ସୃଷ୍ଟି କରାଇଥାନ୍ତି। ଶେଷରେ ଆଡମିଶନ ଦିନ ‘ପରୀକ୍ଷାରେ ପାସ କରିଥିବା’ ଓ ‘ଏଥର ଆଡମିଶନ କରାନ୍ତୁ’ ବୋଲି କର୍ତ୍ତୃପକ୍ଷଙ୍କ ଉକ୍ତିକୁ ବାପାମା’ ଅପେକ୍ଷା କରିରହିଥାନ୍ତି। 

ଇଂରାଜୀ ସଭ୍ୟତାର ଚାପ ବେଶ ଓଜନିଆ। ଅର୍ଥନୈତିକ ବିକାଶର ଦକ୍ଷ କାରିଗର ହେବାର ସ୍ଵପ୍ନ ଶିଶୁ ସେହି ସ୍କୁଲ ଦିନରୁ ଯେପରି ଦେଖିବ ସେଥିପାଇଁ ବାପାମାଙ୍କ ସହିତ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଲାଗି ପଡ଼ନ୍ତି।   

Advertisment

ମୁଁ ଏଠାରେ ସହରୀ ଶିକ୍ଷିତ ମଧ୍ୟବିତ୍ତ ଉଚ୍ଚ ଜାତିର ପିତାମାତାଙ୍କ କଥା କହୁଛି। ଏହା ଅବଶ୍ୟ ଅନ୍ୟମାନଙ୍କୁ ସଂକ୍ରମିତ ହେଲାଣି। ପିତାମାତା ପ୍ରାୟତଃ ପ୍ରାଇଭେଟ ଚାକିରିରେ ଥା’ନ୍ତି। ନିଜର ଜୀବିକାକୁ ବଞ୍ଚାଇବା ଲାଗି ଜୀବନରେ ସଂଘର୍ଷ ଯେ କେଉଁଭଳି କରିବାକୁ ହୁଏ ତାହା ସେମାନେ ହୃଦୟଙ୍ଗମ କରିଥାନ୍ତି। ତେଣୁ ସେମାନେ ଚାହାଁନ୍ତି ଯେ ଅନ୍ତତଃ ତାଙ୍କ ଛୁଆ ଜୀବନର କୌଣସି ବି ପ୍ରତିଯୋଗୀତାରେ ଯେମିତି ବିଫଳ ହୋଇ ନଯାଉ। ଯେନତେନ ପ୍ରକାରରେ ଶିଶୁ କେମିତି ବିଦେଶ ଚାଲିଯିବ ସେହି ସ୍ଵପ୍ନ ପିତାମାତା ମୂଳରୁ ଦେଖନ୍ତି। ପ୍ରକାଶ କରନ୍ତି ନାହିଁ। ସେଥିଲାଗି ଆଞ୍ଚଳିକ ବା ମାତୃଭାଷା ଶିଖିବା ଜରୁରୀ ନୁହେଁ ବୋଲି ବାପାମା’ ଭାବିଥାନ୍ତି। ଏପରିକି ଶିଶୁ ପ୍ରାୟ ପାଞ୍ଚ ବର୍ଷ ହୋଇଗଲେ ସେ ମାତୃଭାଷା ବା ଆଞ୍ଚଳିକ ଭାଷାକୁ ନ୍ୟୁନ କରିଦେଖିବା ଆରମ୍ଭ କରେ। କେହି ତାକୁ ମାତୃଭାଷା ଶିଖିବା କହିଲେ ସେ ନିଜ ଭିତରେ ପ୍ରତିବାଦ କରେ ଓ ଇଂରାଜୀକୁ ନିଜର ମାତୃଭାଷା ବୋଲି ଧରେ ବା ଧରିବା ଲାଗି ପ୍ରେରିତ ହୁଏ। ସେ ନିଜେ ଇଂରାଜୀ କହୁଥିବା ଲୋକଙ୍କ ପ୍ରତି ଆକର୍ଷିତ ହୁଏ ଓ କହିପାରୁ ନଥିବା ବ୍ୟକ୍ତିଙ୍କୁ ନାପସନ୍ଦ କରେ। ଏହି କାରଣରୁ ଶିଶୁ ନିଜର ଜେଜେ ବାପାମା, ଅଜା-ଆଈ ଓ ପିତାମାତାଙ୍କ ଗ୍ରାମ୍ୟ ଜୀବନ ଠାରୁ ଦୂରେଇ ଯାଏ। 

ଶିଶୁ ବଡ଼ ହେବା ସହିତ ଏକ ଜିଦିଆ ହୁଏ। ସେ ତାହା ଦୃଷ୍ଟିରେ ଛୋଟ ବଡ଼ର ସଂଜ୍ଞା ତିଆରି କରିନିଏ। କ୍ରମଶଃ ଅହଙ୍କାରୀ ହୁଏ। ଅସହଯୋଗୀ ହୋଇଯାଏ। ତାହାର ଶତ୍ରୁ ହୋଇଯାଏ ଯୁଗ୍ମ ପରିବାରର ତାହା ଠାରୁ ସାନ ଛୁଆମାନେ। ମାଉସୀ, ପିଉସୀ, ମାମୁଁ ବା କାକାଙ୍କ ପୁଅ ଝିଅଙ୍କୁ ତାହା ଠାରୁ ଅଧିକ ଧ୍ୟାନ ଦିଆଯିବା ତାହା ଲାଗି ଅସହ୍ୟ ହୋଇଯାଏ। ଏଥିରେ ଯଦି ତାହାର ଖେଳଣାକୁ ଦେବାକୁ ହୁଏ ତେବେ ଶିଶୁର ପ୍ରତିକ୍ରିୟା ଚରମ ସ୍ଥିତିରେ ପହଞ୍ଚିଯାଏ।

ତାହାର ଲାଳନପାଳନ ଏଭଳି ହୋଇଥାଏ ଯେ ସେ ଏହି ପୃଥିବୀର ଏକମାତ୍ର ଶିଶୁ ଯେ ସମସ୍ତ ସୁବିଧା ପାଇବା ଲାଗି ହକଦାର ବୋଲି ଭାବେ। ଘରର ଅଶାନ୍ତ ସ୍ଥିତି ଦେଖି ବାପାମା’ ନିଜର ଏକମାତ୍ର ଶିଶୁର ମନକୁ ସମ୍ମାନ ଜଣାଇ ନିଜର ସମ୍ବନ୍ଧ ଠାରୁ ଦୂରେଇଯାନ୍ତି। ପିଲା ଆହୁରି ଏକୁଟିଆ ହୋଇଯାଏ। ଅଧିକ ଜିଦ୍ଦିଆ ଅଧିକ କ୍ରୋଧୀ ହୋଇଯାଏ। ସେ ନିଜର ସେହି ଦୂର ଭାଇଭଉଣୀମାନଙ୍କୁ ବାହାଘର ଭଳି ସ୍ଥାନରେ ଭେଟେ। କ୍ରମଶ ବଡ଼ ହେଲେ ସେ ସେହି ସ୍ଥାନକୁ ମଧ୍ୟ ଯିବା ବନ୍ଦ କରିଦିଏ। ଶିଶୁର ସାମାଜିକୀକରଣର କୈଶୋର ସ୍ଥିତିରେ ପହଞ୍ଚିବା ବେଳକୁ ସମାପ୍ତ ହୋଇଯାଇଥାଏ। 

ଏହି କ୍ରମରେ ଶିଶୁ ଲାଗି ତାହାର ବାପାମା’ ହିଁ କେବଳ ତାହାର ବନ୍ଧୁ, ମାମୁଁ, ମାଉସୀ, ପିଉସୀ ଏପରିକି ଜେଜେ ବାପା ଓ ଜେଜେ ମା’ ବା ଅଜା ଓ ଆଈର ଭୂମିକା ନେଇଥାନ୍ତି। ଅର୍ଥାତ ସେ ଚାହୁଁଥିବା ସମସ୍ତ ପରିବେଶ, ଭଲପାଇବା, ଗପ ଶୁଣିବାର ସଂସ୍କୃତି, ବୁଲିଯିବାର ଅନୁଭବ ସବୁ କିଛି ବାପାମା’ ହିଁ ପୂରଣ କରିବାକୁ ଚେଷ୍ଟା କରନ୍ତି। ସେ ବି ସେମାନଙ୍କୁ ତାହାର ବନ୍ଧୁ ବୋଲି ଧରେ, ବାକି ସମସ୍ତଙ୍କୁ ପ୍ରତିଯୋଗୀ ବୋଲି ଭାବେ। ଦେଶର ଆର୍ଥିକ ବ୍ୟବସ୍ଥା ବାପାମାଙ୍କୁ ଏଭଳି ଫସାଇ ଦେଇଛି ଯେ ସେଥିରୁ ଚାହିଁଲେ ବି ମୁକ୍ତି ସେମାନଙ୍କୁ ମିଳିବା କଷ୍ଟ। ପ୍ରଥମେ ପ୍ରଥମେ ସେମାନେ ଅତି ଆଗ୍ରହରେ ଏହି ବ୍ୟବସ୍ଥାରେ ସାମିଲ ହୁଅନ୍ତି ଓ ପରେ ସେହି ବ୍ୟବସ୍ଥା ତାଙ୍କ ଲାଗି ବାଧ୍ୟବାଧକତା ସୃଷ୍ଟି କରେ। 

ଗୋଟିଏ ଶିଶୁ ଲାଗି ପୂର୍ବେ କିନ୍ତୁ ଆବଶ୍ୟକ ହେଉଥିଲା ଏକ ଗାଁ। ଗାଁର ପରିବେଶ ଭିତରେ ସେ ଗଛ, ଲତା, ପାହାଡ଼, ଚାଷ ଜମି, ଝରଣାକୁ ଦେଖୁଥିଲା, ଶୀତ ଓ ଗରମକୁ ସେହି ପରିବେଶରେ ଅନୁଭବ କରୁଥିଲା। ସେ ନିଜର ଶବ୍ଦକୋଷ ତିଆରି କରୁଥିଲା। ଢଗ ଢମାଳିକୁ ଶୁଣି ତାଳି ମାରୁଥିଲା। କ’ଣ କରିବା ଉଚିତ ଓ କ’ଣ ନକରିବା ଉଚିତ ତାହାକୁ ସେ ଅନୁଧ୍ୟାନ କରୁଥିଲା। ସେ ଜିଦିଆ ହେଉନଥିଲା। ସେ ନିଜ ପାଖରେ ରହିଥିବା ଜିନିଷକୁ ବନ୍ଧୁଙ୍କୁ ଦେଇ ବନ୍ଧୁତା ସୃଷ୍ଟି କରୁଥିଲା। ସେହି ବନ୍ଧୁ ପୁଣି ତାହା ସହିତ ଜୀବନର ପ୍ରତି ସମୟରେ ହାଜର ହେଉଥିଲା। ଏଥିରେ ମାନବିକତାର ପ୍ରକାଶ ହେଉଥିଲା। ସେ କାହାର ପ୍ରତିଯୋଗୀ ହେଉନଥିଲା। ସେ ତରୁଣ ବୟସରେ ଏକୁଟିଆ ଅନୁଭବ କରୁନଥିଲା। ପ୍ରେମରେ ବିଫଳ ହେଲେ ନିଜର ସାମର୍ଥ୍ୟ ରଖୁଥିଲା। ନିଜ ଜିଦ୍ଦି ଲାଗି କେବେ ଆତ୍ମହତ୍ୟା କରୁନଥିଲା। 

ସହରର ଶିଶୁକୁ ସେହି ସୁଯୋଗ ମିଳେ ନାହିଁ। ସହରର ଧାଡ଼ି ଧାଡ଼ି ଘର ବା ଅପାର୍ଟମେଣ୍ଟ ରେ ଖେଳିବାର ସ୍ଥାନର ଅଭାବ କାରଣରୁ ସେ ମୋବାଇଲ ଓ ହୋମ ଟାସ୍କ ଭିତରେ ଦିନର ସମାପ୍ତି କରେ। କେହି ଯଦି କ୍ୟାରିୟର ଗଢ଼ାରୁ ସାମାନ୍ୟ ବିଚ୍ୟୁତ ହୋଇ ନିଜର ଖେଳ, ସଙ୍ଗୀତ, ପେଣ୍ଟିଙ୍ଗ, ଫୋଟୋଗ୍ରାଫି ଇତ୍ୟାଦି ଆଡ଼କୁ ଢଳେ ତେବେ ବାପାମା’ ଦକ୍ଷ ବ୍ୟାଙ୍କ ମ୍ୟାନେଜର ଭଳି ପିଲାଟି ପଛରେ ହୋଇଥିବା ଖର୍ଚ୍ଚର ହିସାବ ଦେଇଥାନ୍ତି। ସେମାନେ ଚାହାନ୍ତି ନାହିଁ ଯେ ତାଙ୍କ ଛୁଆ ଏଭଳି ରାସ୍ତାରେ ଯାଉ ଯେଉଥିରେ ପୁଞ୍ଜି ଲଗାଣରୁ ଉପଯୁକ୍ତ ପରିଶୋଧ ବା ରିଟର୍ଣ୍ଣ ଆସିବ ନାହିଁ। 

କୈଶୋର ବୟସରେ ସେମାନେ ନିଜର ଭବିଷ୍ୟତ ନିଜେ ତିଆରି କରିବାର ସଂକଳ୍ପ ରଖି ଖେଳ, ସଙ୍ଗୀତ, ପେଣ୍ଟିଙ୍ଗ, ଫୋଟୋଗ୍ରାଫି ଇତ୍ୟାଦି ଆଡ଼କୁ ଢଳିଥାନ୍ତି। କିନ୍ତୁ ଅଧିକାଂଶ ଜଣେ ଦକ୍ଷ କର୍ମଚାରୀ ହେବା ପାଇଁ ଲାଗି ପଡ଼ନ୍ତି। ନିଜ ପଢ଼ା ବାହାରେ ବି ଅନେକ ପରୀକ୍ଷା ଓ ପ୍ରତିଯୋଗୀତା ଲାଗି ପ୍ରସ୍ତୁତ ହୁଅନ୍ତି। ଅନେକ ବିଷୟ ସହିତ ସେମାନେ ପରିଚିତ ହୁଅନ୍ତି ଯାହା ହୁଏତ ଆମେ ଭାବିନଥିବା। ଅନେକ ବିଷୟ ସମ୍ପର୍କରେ ସେମାନେ ବାପାମା’ଙ୍କୁ ଲୁଚାନ୍ତି। ଅନେକ ବିଷୟରେ ନିଜେ ନିଜେ ନିଷ୍ପତ୍ତି ନେଇଯାନ୍ତି ଓ ଭାବନ୍ତି ସେଥିରେ କିଛି ଅସୁବିଧା ନାହିଁ। ନିଆଁରେ ହାତ ମାରିଲା ଭଳି କାମ ବି କୈଶୋର ସ୍ଥିତିରେ ପିଲା କରନ୍ତି। ନିଜର ଅନଲାଇନ ବ୍ୟାଙ୍କ ଆକାଉଣ୍ଟ ସେମାନଙ୍କୁ ସେହି କ୍ଷମତା ଦିଏ। ବାପାମା ସେଥିରେ ଟଙ୍କା ଭର୍ତ୍ତି କରିଚାଲନ୍ତି ଓ ପିତାମାତାଙ୍କ ଆର୍ଥିକ ସ୍ଥିତି ଠାରୁ ଯଥେଷ୍ଟ ଅଧିକ ସେମାନେ ଖର୍ଚ୍ଚ କରିବାରେ ଲାଗିପଡ଼ନ୍ତି। ଏହା ପଛରେ ମା’ର ଅନେକ ସମର୍ଥନ ରୁହେ। ଅନେକ ପ୍ରସଙ୍ଗ ବାପା ଜାଣିନଥାଏ କିନ୍ତୁ ପିଲା କରିଦିଏ ଓ ମା’ ଜାଣି ମଧ୍ୟ ତାହାକୁ ଲୁଚାଇଥାଏ। ଯେତେବେଳେ ନେଡ଼ି ଗୁଡ଼ କହୁଣି ଛୁଏଁ ସେତେବେଳେ ବାପା ଦରକାର ହୁଏ। ଏହାର ଅନେକ ଉଦାହାରଣ ରହିଛି।  

କିଶୋର କିଶୋରୀମାନେ କ୍ରମଶଃ ଯୁବା ବୟସକୁ ଆସନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ସେମାନେ ଅନେକ ଅମାନବୀୟ ଗୁଣକୁ ଆପଣାଇଥାନ୍ତି। ସମ୍ବେଦନଶୀଳତାକୁ ଦକ୍ଷ ପ୍ରତିଯୋଗୀ ହେବାର ଅନ୍ତରାୟ ବୋଲି ମନେ କରନ୍ତି। ବୃହତ କମ୍ପାନୀମାନଙ୍କ ସ୍ଲୋଗାନକୁ ସେମାନେ ପ୍ରଗତିର ରାସ୍ତା ଭାବନ୍ତି। ସେମାନେ କମ୍ପାନୀକୁ ନିଜର ଲକ୍ଷ୍ୟ ଓ କମ୍ପାନୀର ମୁଖ୍ୟଙ୍କୁ ନିଜର ଆଦର୍ଶ ମନେକରନ୍ତି। ସେମାନେ ସାଧାରଣ ଲୋକଙ୍କୁ ଅତି ହୀନ ମନେକରନ୍ତି। ବୁଲାଡୋଜର ନେଇ ସେମାନଙ୍କ ଘର ଭାଙ୍ଗିବା ଲାଗି ଆଦୌ ପଛାନ୍ତି ନାହିଁ। ସାଧାରଣ ଲୋକଙ୍କୁ ପ୍ରଗତିର ଅନ୍ତରାୟ ବୋଲି ଦୃଢ଼ ଧାରଣା ରହିଯାଏ। ତାଙ୍କ ବାପାମା’ ହୁଏତ ଏକ ଗ୍ରାମୀଣ ପରିବେଶ ମଧ୍ୟରୁ ଆସିଥିବେ। କିନ୍ତୁ ତାଙ୍କ ଜନ୍ମିତ ଛୁଆ ସେହି ପରିବେଶକୁ ଧ୍ଵଂସ କରିବା ଲାଗି ଆଗଭର ହୁଏ। ସେମାନେ ଏତେ ଉଚ୍ଚକୁ ଯାଇଥାନ୍ତି ଯେ ବାପାମା ସେହି ଉଚ୍ଚତାରେ ପହଞ୍ଚି ଛୁଆର କାନ ଧରି ଭଲ କ’ଣ ଓ ଖରାପ କ’ଣ କହିବାର ସୁଯୋଗ ଆଉ ରହିନଥାଏ। 

ପିତାମାତାଙ୍କ ଲାଗି ତାଙ୍କ ରୋଜଗାର ପିଲା କେବଳ ଏକ ଫୋନପେ ଆକାଉଣ୍ଟ। ବାପାମାଙ୍କ ଆବଶ୍ୟକତାକୁ ସେମାନେ ଅନଲାଇନ ମାଧ୍ୟମରେ ପୂରଣ କରିଥାନ୍ତି। ପିଲାମାନେ ରହୁଥିବା ସହର ଓ ବାପାମା ରହୁଥିବା ସହରର ସୁବିଧା ମଧ୍ୟରେ ଅନେକ ଫରକ ଥାଏ। ପିଲାଙ୍କୁ ତାହା ଅସୁବିଧା ସୃଷ୍ଟି କରେ। ଏହାପରେ ସେମାନେ ନିଜେ ନିଷ୍ପତ୍ତି ନେଇଯାନ୍ତି ଯେ ତାଙ୍କ ପିତା ବା ମା’ କେତେ ବର୍ଷ ବଞ୍ଚିବା ଆବଶ୍ୟକ। ସେମାନେ କୁହନ୍ତି, ‘ଅନେକ ବର୍ଷ ବଞ୍ଚିଗଲେଣି। ଏମିତି ବିନା ଉତ୍ପାଦନ କାର୍ଯ୍ୟରେ ବଞ୍ଚିରହିବା କ’ଣ ଆବଶ୍ୟକ?’ ମାନସିକ ଅପରାଧବୋଧ ବି ସେମାନଙ୍କୁ ଲାଗେ ନାହିଁ। ସେ ଭିତରୁ ଜଣକର ମୃତ୍ୟୁ ଖବର ପାଇବା ପରେ ଘରକୁ ମୃତ୍ୟୁକାଳୀନ ରୀତିନୀତି ପାଇଁ ଆସିଥାନ୍ତି। ଭାରତୀୟ ସଂସ୍କୃତିକୁ ବଞ୍ଚାଇବାର ଆଗ୍ରହ ସେମାନଙ୍କୁ ବିଦେଶରୁ ବା ବଡ଼ ସହରରୁ ଟାଣି ଆଣେ। ବାପା ମା ମଧ୍ୟରୁ ଦ୍ଵିତୀୟ ଜଣକ ଚାଲିଗଲା ପରେ ଛୋଟ ସହରର ସମ୍ପତ୍ତି ବିକ୍ରି କରି ନିଜେ ରହୁଥିବା ସହରରେ ଘର କିଣିନେଉଛନ୍ତି। 

ଦୁଇ ହଜାର ମସିହା ପରଠାରୁ ସହରର ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେଦିନର ଶିଶୁ ଆଜି ନିଜ ଲାଗି ପୁଅ ବା ଝିଅ ବାଛୁଛି, ବିବାହ କରୁଛି। ଅଥଚ ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ, ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ମାନବିକତା ଅଭାବରୁ ସେମାନଙ୍କ ପରିବାର ବହୁ ଶୀଘ୍ର ଭାଙ୍ଗି ଯାଉଛି। ସେହି ବାପା ଓ ମା’ମାନେ ନିଜ ଜୀବନର ଅନୁଭୂତିରୁ ଶିଖୁନାହାନ୍ତି। ଯଦି ପରିବାର ରହିଯାଉଛି ତେବେ ସେମାନେ ନିଜର ଏକ ମାତ୍ର ସନ୍ତାନକୁ ନୂଆ ରୋବୋର୍ଟ ଭାବରେ ତିଆରି କରୁଛନ୍ତି। 

ଏହି ସମସ୍ତ ସ୍ଥିତି ଲାଗି ଦେଶର ଆର୍ଥିକ ବ୍ୟବସ୍ଥା ଦାୟୀ। ଏହା ବିରୁଦ୍ଧରେ ଯଦି ସାମାଜିକ ଆନ୍ଦୋଳନ ତିଆରି ହେବ ତେବେ ଆମକୁ ନିଶ୍ଵାସ ନେବା ଲାଗି କିଛି ବଞ୍ଚିବ ନହେଲେ ପ୍ରକୃତିର ଅନେକ କିଛି ଏହି ନୂତନ ପିଢ଼ି ହାତରେ ଧ୍ଵଂସ ହୋଇଯିବ।   

ମୋବାଇଲ- ୯୪୩୭୭୬୨୨୭୨ 

Old Parents Education English Learning elderly parents abandoned parents left by sons abandoned parents india
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe