ଆଦିବାସୀ ଚିକିତ୍ସା ଅଭାବରୁ ମଲେ ଦୋଷ କାହାର? ସରକାରଙ୍କର ନା ଗୁଣିଆର?

ଯେତେବେଳେ ସେହି ପରିବାରର ଦ୍ଵିତୀୟ ବ୍ୟକ୍ତିର ମୃତ୍ୟୁ ହେଲା ଓ ସେହି ବ୍ୟକ୍ତିକୁ ଶ୍ମଶାନରେ ପୋଡ଼ାଯାଉଥିଲା ସେତେବେଳେ ପୂର୍ବରୁ ସନ୍ଦେହ କରାଯାଇଥିବା ପରିବାରର ସଦସ୍ୟମାନେ ମଧ୍ୟ ଥିଲେ। ମୃତ ବ୍ୟକ୍ତିର ପୁଅ ଓ ତାହାର ସାଙ୍ଗମାନେ ସେହି ସନ୍ଦେହ କରୁଥିବା ବ୍ୟକ୍ତିର ପରିବାରର ଚାରି ଜଣଙ୍କୁ ଘେରିଯାଇ ସେହି ଜଳନ୍ତା ଜୁଇକୁ ଠେଲି ସେହିଠାରେ ଦଗ୍ଧ କରିଦେଲେ। କି ବୀଭତ୍ସ ହୋଇନଥିବ ସେ ଦୃଶ୍ୟ!

Witch Hunting Memorial

  • Published: Wednesday, 18 September 2024
  • , Updated: 18 September 2024, 11:49 AM IST

ଦେବ ରଞ୍ଜନ

ଗୁଣିଗାରେଡ଼ି ଏକ ଅନ୍ଧ ବିଶ୍ଵାସ। ଏଥିରେ କାହାର ଦ୍ଵନ୍ଦ୍ୱ ରହିବା କଥା ନୁହେଁ। ଏହା ସଂପୂର୍ଣ୍ଣ ଅବୈଜ୍ଞାନିକ ଚିନ୍ତାଧାରା। ହେଲେ ଏହି ବିଶ୍ଵାସ ଯେ କେବଳ ଆଦିବାସୀଙ୍କର ତାହା ନୁହେଁ। ଉପକୂଳ ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ପାହାଡ଼ି ଗାଁ ଗୁଡିକ ସବୁଠାରେ ଏହା ଏବେ ବି ଦୃଶ୍ୟ ହୁଏ। କେହି ଗୁଣିଆ କିଛି ଲାଭ ଲାଗି ବା କିଛି ସୁବିଧା କରିଦେବା ଲାଗି ଅଥବା ବେମାର ଲୋକଙ୍କୁ ସୁସ୍ଥ କରିବା ନାମରେ ଗୁଣି କରିଥାଏ। ଗୁଣିଆର ଯୁକ୍ତି ରହେ ଅତୃପ୍ତ ଆତ୍ମା ଆସି ବ୍ୟକ୍ତି ଭିତରେ ବସା ବାନ୍ଧିଥିଲା। ପୁଣି ଦୀର୍ଘ ଦିନ ବେମାରରେ ପଡ଼ି କାହାର ମୃତ୍ୟୁ ହେଲେ ପରିବାର ଲୋକଙ୍କ ମଧ୍ୟରେ ଧାରଣା ବସିଯାଏ ଯେ ପାଖାପାଖି ଲୋକ କେହି ଗୁଣି କରି ତାକୁ ମାରିଦେଇଛି। ତେଣୁ ଗୁଣିଗାରେଡ଼ିର ଦୁଇ ପ୍ରକାର ପ୍ରତିଫଳନ ଆମେ ସମାଜରେ ଦେଖାଯାଏ। ଏହି ଉଭୟ ପ୍ରକାର ଅନ୍ଧବିଶ୍ଵାସ ଆମ ସମାଜରେ ସାଂଘାତିକ ରୂପ ନେଇଥାଏ। ସେତେବେଳେ ଗ୍ରାମୀଣ ନ୍ୟାୟବ୍ୟବସ୍ଥାରେ ବଳି ଅଥବା ହତ୍ୟା ହିଁ ଏକମାତ୍ର ରାସ୍ତା ହୋଇଥାଏ।

ଭଲ ହୋଇଛି ଉପକୂଳ ଅଞ୍ଚଳରେ ଆଉ କାଳିସୀ ଲାଗିବା ଓ ଚୋରୀ ହେଲେ ଖଟିଆ ବୁଲିବା ଭଳି ଅଭ୍ୟାସକୁ ପ୍ରାୟତଃ ଦୂରେଇ ଦିଆଯାଇଛି। ଯଦି ଏହା କେଉଁଠାରେ ଏବେ ବି ରହିଛି ତେବେ ସେଠାରେ ହିଂସା ହେବା ସ୍ଵାଭାବିକ। ଏଥିରେ ନା କୌଣସି ଅନୁସନ୍ଧାନ ହୁଏ ନା କୌଣସି ତର୍କ ଏଠାରେ କାମ କରିଥାଏ। କେବଳ କାଳିସୀ ଅଥବା ଖଟିଆ ଉପରେ ଭରସା ରଖି ବିଶ୍ଵାସ କରିନିଆଯାଏ ଯେ ବ୍ୟକ୍ତି ଜଣକ ଦୋଷୀ। ଏହାପରେ ଦଣ୍ଡ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଏ। କେଉଁଠାରେ ଜବରଦସ୍ତି ଅର୍ଥ ଆଦାୟ, ନଦେଇପାରିଲେ ଘରର ଆସବାବପତ୍ର ଛଡ଼ାଇ ନିଆଯାଏ, କେଉଁଠି ନଚେତ ଗାଁରୁ ତଡ଼ିଦିଆଯାଏ। ଏଠାରେ ପୁଲିସକୁ ସୂଚନା ସେହି କ୍ଷତି ହୋଇଥିବା ବ୍ୟକ୍ତି ଦ୍ଵାରା କମ ଆସିଥାଏ। ବରଂ ସମାଜର କେହି ସହୃଦୟ ବ୍ୟକ୍ତି ଏହାକୁ ଅତ୍ୟାଚାର ମନେକରି ପୁଲିସ ଓ ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀଙ୍କ ଦ୍ଵାରା ସନ୍ଦେହରେ ରହିଥିବା ବ୍ୟକ୍ତି ଛାଡ଼ପାଏ। ଆବଶ୍ୟକ ହେଉଛି ଯେ ଠିକ ସେହି ସମୟରେ ପୁଲିସକୁ ସୂଚନା ମିଳିବା ଓ ପୁଲିସ ଏହାକୁ ଗୁରୁତ୍ୱର ସହିତ ନେବା ଆବଶ୍ୟକ।

ଆମର ସମାଜ ଚିନ୍ତିତ ହୋଇପଡ଼େ ଯେବେ ଗୁଣିଗାରେଡ଼ିରେ ପ୍ରତିଶୋଧ ନେବା ଲାଗି କାହାରିକୁ ହତ୍ୟା କରାଯାଇଥାଏ। ଏଭଳି ହତ୍ୟା ଅତି ନିର୍ମମ ଭାବରେ ହୁଏ। ବେଳେ ବେଳେ ହତ୍ୟା ହେଉଥିବା ବ୍ୟକ୍ତି ଓ ଏହାର ପରିବାର ମଧ୍ୟ ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଅବଗତ ମଧ୍ୟ ହୋଇନଥାନ୍ତି। ସେମାନେ ସେମାନଙ୍କ ଗାଁରେ କେହି ମରିଥିବା ବ୍ୟକ୍ତିର କାରଣ ହୋଇଛନ୍ତି ଏ କଥା ସେମାନଙ୍କ ଉପରେ ଆକ୍ରମଣ ହେବାପୂର୍ବରୁ ତାଙ୍କୁ ଜଣାନଥାଏ। କାରଣ ଆକ୍ରମଣକାରୀ ମନେକରେ ଯେ ଏହାଦ୍ୱାରା ବ୍ୟକ୍ତି ସତର୍କ ହୋଇଯିବ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଏକ ଘଟଣା ଏହିପରି ହୋଇଥିଲା। ଗାଁରେ ଝାଡ଼ାବାନ୍ତିରେ ଏକ ପରିବାରର ଦୁଇ ଜଣ ସଦସ୍ୟ ଜଣକ ପରେ ଜଣେ ମରିଗଲେ। ପ୍ରଥମର ମୃତ୍ୟୁ ସମୟରେ ତାହାର ପରିବାର ଲୋକେ ଗାଁର ଅନ୍ୟ ଏକ ପରିବାର ଉପରେ ସନ୍ଦେହ କରିଥିଲେ। ଆଦିବାସୀ ଅଞ୍ଚଳରେ ଏକ ପ୍ରଥା ଅଛି ଯେ ଗାଁରେ କେହି ମୃତ୍ୟୁବରଣ କଲେ ସମସ୍ତ ପରିବାରର କେହି ନା କେହି ନିଜ ଘରୁ ଖଣ୍ଡିଏ କାଠ ଧରି ଶ୍ମଶାନକୁ ଶବ ସହିତ ଯିବ। ସେହି ସଂଗୃହୀତ କାଠରେ ବ୍ୟକ୍ତିର ସତ୍କାର କରାଯିବ।

ଯେତେବେଳେ ସେହି ପରିବାରର ଦ୍ଵିତୀୟ ବ୍ୟକ୍ତିର ମୃତ୍ୟୁ ହେଲା ଓ ସେହି ବ୍ୟକ୍ତିକୁ ଶ୍ମଶାନରେ ପୋଡ଼ାଯାଉଥିଲା ସେତେବେଳେ ପୂର୍ବରୁ ସନ୍ଦେହ କରାଯାଇଥିବା ପରିବାରର ସଦସ୍ୟମାନେ ମଧ୍ୟ ଥିଲେ। ମୃତ ବ୍ୟକ୍ତିର ପୁଅ ଓ ତାହାର ସାଙ୍ଗମାନେ ସେହି ସନ୍ଦେହ କରୁଥିବା ବ୍ୟକ୍ତିର ପରିବାରର ଚାରି ଜଣଙ୍କୁ ଘେରିଯାଇ ସେହି ଜଳନ୍ତା ଜୁଇକୁ ଠେଲି ସେହିଠାରେ ଦଗ୍ଧ କରିଦେଲେ। କି ବୀଭତ୍ସ ହୋଇନଥିବ ସେ ଦୃଶ୍ୟ! ଚାରିଆଡ଼େ କ୍ରନ୍ଦନ, କୋଳାହଳ ଓ ଦୌଡ଼ାଦୌଡ଼ି, ପରେ ଆଠ ଜଣ ଯୁବକ ଏହି ହେତୁ ଗିରଫ ହୋଇଥିଲେ।

ସେହି ଗିରଫ ଯୁବକମାନଙ୍କୁ ମୁଁ ରାୟଗଡ଼ା ଜେଲରେ ଭେଟିଥିଲି। ତାହା ଗୁଣି ନୁହେଁ ଅନ୍ଧବିଶ୍ଵାସ କହିବା ମାତ୍ରେ ସେମାନେ ମୋ ଉପରକୁ ଉଠି ଆସିଥିଲେ। ତଥାପି ମୁଁ ଯୁକ୍ତି କରିଥିଲି, ‘ଯଦି ଗାଁ ପାଖରେ ଡାକ୍ତର ଉପଲବ୍ଧ ହୋଇଥାନ୍ତେ, ରୋଗ ହେବା ମାତ୍ରେ ସେ ବିନା ଖର୍ଚ୍ଚରେ ତୁରନ୍ତ ଚିକିତ୍ସା ଦେଉଥାନ୍ତେ ଓ ତାହାପରେ ଯଦି ତୁମ ପରିବାରର ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥାନ୍ତେ ତେବେ ତୁମେ କଣ ଭାବିଥାନ୍ତ ଯେ ସେ କାହାର ଗୁଣି ଦ୍ଵାରା ମରିଗଲେ?’ ଯୁବକମାନେ ସ୍ତବ୍ଧ ହୋଇଚାହିଁଲେ। ଜଣେ ଉତ୍ତର ଦେଲା, ‘ଏହି କଥା ଯଦି ଆମକୁ କେହି ଆଗରୁ କହିଥାନ୍ତା ତେବେ ମୁଁ କାହାର ହତ୍ୟା କଦାପି କରିନଥାନ୍ତି।’ ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିଲା। ଉକ୍ତ ମାମଲାରେ ତଳ କୋର୍ଟ ସମସ୍ତଙ୍କୁ ଫାଶୀଦଣ୍ଡ ଶୁଣାଇ ଦେଇଥିଲେ ଓ ହାଇକୋର୍ଟର ଅନୁମତି ଲାଗି ପଠାଇଥିଲେ। ହାଇକୋର୍ଟ ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ଆମର ଗବେଷକଙ୍କ ଠାରୁ ରାଜନୈତିକ ନେତା ପର୍ଯ୍ୟନ୍ତ ସମସ୍ତେ ଆଦିବାସୀଙ୍କ ପରମ୍ପରା, ନାଚ ଗୀତର ଉଚ୍ଛ୍ୱସିତ ପ୍ରଶଂସା କରିବା ବେଳେ ଏହି ଅନ୍ଧ ବିଶ୍ଵାସ ପ୍ରତି କିନ୍ତୁ ନୀରବ ରହିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ସେମାନେ ନିଜର କାର୍ଯ୍ୟ ଓ ଲୋକସମ୍ପର୍କରେ ବାଧା ଆଣିବା ଚାହିଁନାହାନ୍ତି ଓ ଅନ୍ୟ କାରଣ ହେଲା ଯେ ସେମାନଙ୍କ ଦୈନନ୍ଦିନ ଜୀବନରେ ବି ଅନ୍ଧ ବିଶ୍ଵାସ ରହିଛି। ହସ୍ପିଟାଲ ଯାଉଥିବା ପୁଅ ବା ସ୍ଵାମୀ ପାଇଁ ମା’ କି ସ୍ତ୍ରୀ ମାନସିକ କରିବା ଓ ସୁସ୍ଥ ହୋଇଆସିଲେ କୁକୁଡ଼ା କି ଛେଳି ବଳି ଦେବାର ପରମ୍ପରା ହେଉ କି ମନ୍ତ୍ରୀଙ୍କ ଅଫିସର ଦ୍ଵାରା ନିର୍ଦ୍ଦିଷ୍ଟ ଦିଗରେ ହେବାଲାଗି ସରକାରୀ ଅର୍ଥରେ ନୂଆ ଦ୍ଵାର ଖୋଲାଯିବା ଇତ୍ୟାଦି ଏହି ଅନ୍ଧବିଶ୍ଵାସର ଉଦାହରଣ। ଆମର ପ୍ରିୟ ଫିଲ୍ମ, ବଲିଉଡ଼ ଓ ଓଲିଉଡ଼ର ହିରୋ ନାମକରଣ ଠାରୁ ରିଲିଜ ତାରିଖ ପର୍ଯ୍ୟନ୍ତ ଏଥିରେ ଯେଉଁ ଯୁକ୍ତି ଦେଖାଯାଏ ତାହା ଅନ୍ଧବିଶ୍ଵାସରେ ଭରା। ବେଶ କେତେକ କାହାଣୀ ଭିତରେ ଏତେ ଅନ୍ଧବିଶ୍ଵାସ ଭରା ପ୍ଳଟ ଯୋଡ଼ି ଦିଆଯାଇଥାଏ ଯେ ଏହା କେଉଁଭଳି ସେନ୍ସର ବୋର୍ଡର ଅନୁମତି ପାଇଲା ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସମ୍ବିଧାନରେ ରହିଥିବା ବୈଜ୍ଞାନିକ ଚିନ୍ତାଧାରାର ଖିଲାପରେ ତିଆରି ହେଉଥିବା ଫିଲ୍ମକୁ (ଫିଲ୍ମ ଏକ ଲୋକପ୍ରିୟ ମାଧ୍ୟମ ହୋଇଥିବା ସତ୍ତ୍ୱେ) ବାକସ୍ଵାଧୀନତା ନାମରେ ଅନୁମତି ଦିଆଯିବା ସାମାଜିକ ଅପରାଧ।

ଆମର ଆଇନ ବ୍ୟବସ୍ଥା ମଧ୍ୟ ବିଚିତ୍ର। ସବୁ ବିଷୟରେ ଯଦି ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ବର୍ଣ୍ଣିତ ଅପରାଧର ତାଲିକା ଅନୁସାରେ ଯଦି କିଛି ଅପରାଧ ହୁଏ ତେବେ ତାହାକୁ ଗୁରୁତ୍ଵ ଦିଆଯାଏ। ସେନ୍ସର ବୋର୍ଡ ସାର୍ଟିଫିକେଟ ପାଉଥିବା ଫିଲ୍ମର କାହାଣୀ ହେଉ କି ସମ୍ବିଧାନ ଛୁଇଁ ଶପଥ ନେଇଥିବା ରାଜନୈତିକ ନେତା ହେଉ ଏମାନଙ୍କର କୌଣସି ବି ଅବୈଜ୍ଞାନିକ ଚିନ୍ତାଧାରା ଏକ ଏକ ସାମାଜିକ ଅପରାଧ। ଏମାନଙ୍କ ସାଧାରଣ ଜୀବନରେ ସେହି ଅନ୍ଧବିଶ୍ଵାସ ରହିଥିବା କାରଣରୁ ଅନ୍ୟମାନେ ବଳିଷ୍ଠ ହୁଅନ୍ତି। ସେମାନେ ଯୁକ୍ତି କରନ୍ତି ଯେ ଫିଲ୍ମରେ ଦେଖିଥିଲୁ ବା ନେତାଙ୍କ ଭାଷଣରେ ଶୁଣିଥିଲୁ। ଏପରି କି ଆଦିବାସୀମାନେ ମଧ୍ୟ ନିଜର ବଳି ପ୍ରଥାକୁ ମନ୍ତ୍ରୀଙ୍କ କାରଣରୁ ନିଜର ଅନ୍ଧବିଶ୍ଵାସକୁ ସତ ମାନିଥାନ୍ତି।

ଓଡ଼ିଶା ସରକାର ୨୦୧୩ ମସିହାରେ ‘ଗୁଣିଗାରେଡ଼ି ପ୍ରତିରୋଧ ଆଇନ’ (The Odisha Prevention of Witch-hunting act) ପାସ କରିଥିଲେ। ଏହାର ଧାରା ୩ ଅନୁସାରେ କୌଣସି ବି ବ୍ୟକ୍ତି କାହାର କ୍ଷତି କରିବା ଲାଗି ବା ଆଘାତ ଦେବା ଲାଗି କୌଣସି ଗୁଣିଗାରେଡ଼ି କରିବ ନାହିଁ। (ଯଦି କରନ୍ତି ତେବେ ଦଣ୍ଡ ବିଧାନ କଣ ରହିବ ତାହା ଉହ୍ୟ ରହିଲା।) ଧାରା ୪ ଅନୁସାରେ, କୌଣସି ମହିଳାଙ୍କୁ ଆଘାତ ଦେବା ଲାଗି କି ଖ୍ୟାତି କରିବା ଲାଗି ଯଦି କେହି ଗୁଣି କରୁଥାଏ ତେବେ ତାହାଙ୍କୁ ଏକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ରହିବ। ଏଥିରେ କୌଣସି ଠାରେ ଅନ୍ଧବିଶ୍ଵାସ ଓ ଭୂତପ୍ରେତର କଥା ରହିଲା ନାହିଁ। କିନ୍ତୁ ଧାରା ୧୧ରେ ରହିଲା ଯେ ରାଜ୍ୟ ସରକାର ସମାଜରୁ ଅନ୍ଧବିଶ୍ଵାସ ଓ ଭୂତପ୍ରେତ ଧାରଣା ଦୂରେଇବା ଲାଗି ‘ସଚେତନତା କାର୍ଯ୍ୟକ୍ରମ’ ନେବେ। ଅର୍ଥାତ ସରକାର ଅବଗତ ଅଛନ୍ତି ଯେ ଅନ୍ଧବିଶ୍ଵାସ ଓ ଭୂତପ୍ରେତ ଧାରଣା ସମାଜ ଲାଗି କ୍ଷତିକାରକ। କିନ୍ତୁ ତାହାକୁ ଅପରାଧର ସଂଜ୍ଞା ଦେବା ଲାଗି ପଛାଉଛନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ କୌଣସି ବି ସମାଜବିରୋଧୀ ଚିନ୍ତା ସରକାରଙ୍କ ଦଣ୍ଡ ବ୍ୟବସ୍ଥା ଦ୍ଵାରା ଦୂରେଇନାହିଁ। ତାହା ଯଦି ହେଉଥାନ୍ତା ତେବେ ଧର୍ଷଣ ଅପରାଧୀକୁ ଆଜୀବନ କାରାଦଣ୍ଡ ନଚେତ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ଥିବା ସତ୍ତ୍ୱେ ସମାଜରେ ଧର୍ଷଣ ଅପରାଧ ବଢୁନଥାନ୍ତା। ଏହା କେବଳ ଏକ ଉଦାହରଣ।

ଆଦିବାସୀଙ୍କ ମଧ୍ୟରେ ଥିବା ଗୁଣିଗାରେଡ଼ି ସମସ୍ୟାକୁ ବୁଝିବା କଷ୍ଟକର। ଏଠାରେ ଆକ୍ରମଣକାରୀ ଓ କ୍ଷତିଗ୍ରସ୍ତ ପରିବାର ଉଭୟ ଆଦିବାସୀ ସଂପ୍ରଦାୟର ଓ ନିଜ ଜାଣିଥିବା ବ୍ୟକ୍ତି। ଅଳ୍ପ କେଉଁଠି ଏହାର ବ୍ୟତିକ୍ରମ ହୁଏତ ଥାଇପାରେ। ଗୋଟେ ପରିବାରର କୌଣସି ସଦସ୍ୟ କ୍ରମାଗତ ଭାବରେ କୌଣସି ଏକ ବେମାରୀରେ ପଡ଼ିଲା ପରେ ଓ ଏହାର ଚିକିତ୍ସା ସତ୍ତ୍ୱେ (ସରକାରୀ ହେଉ ଅଥବା ବେସରକାରୀ) ଭଲ ନହେଲେ ସନ୍ଦେହ ହୁଏ ଯେ ନିଜ ଲୋକଟିକୁ କେହି ଗୁଣି କରିଦେଇଛି। ବେମାରରେ ପଡ଼ିଥିବା ବ୍ୟକ୍ତିର ପରିବାର ନିକଟସ୍ଥ କୌଣସି ଗୁଣିଆ ବା ଦିଶାରୀକୁ ସମ୍ପର୍କ କରିଥାନ୍ତି ଓ ସେ ଯେଉଁ ବ୍ୟକ୍ତିର ବର୍ଣନା କରିଥାଏ ସେହି ଭଳି ବ୍ୟକ୍ତି ଆକ୍ରମଣର ଶିକାର ହୋଇଥାଏ। ଏହା ବ୍ୟତିତ ଗାଁରେ ଯଦି କେହି ବ୍ୟକ୍ତି ପୁର୍ବରେ ଅନ୍ୟ କାହାକୁ ଡରାଇବା ଲାଗି ‘ଗୁଣି କରିଦେବି’, ‘ଗୁଣି କରିଦେବି’ ବୋଲି ଧମକାଇ ଥାଏ ତେବେ ଉପରୋକ୍ତ ପରିବାର ସଦସ୍ୟ ତା’କୁ ସନ୍ଦେହ କରିଥାନ୍ତି। ଯଦି ବେମାର ପଡ଼ିଥିବା ବ୍ୟକ୍ତି ମରିଯାଏ ତେବେ ଗୁଣି ସନ୍ଦେହରେ ଉକ୍ତ ଲୋକକୁ ହତ୍ୟା କରିବା ନିଶ୍ଚିତ। ଏହାକୁ ଆଦିବାସୀ ବୁଝେ ନାହିଁ ଯେ ଏହା ଅପରାଧ। ତାକୁ ଲାଗେ ଯେ ଯଦି ସେ ଗୁଣି କରି କାହାରିକୁ ହତ୍ୟା କଲା ତେବେ ତା’କୁ ହତ୍ୟା କରିବା ଅପରାଧ କେମିତି?

ଏ କଥାକୁ ସ୍ଵୀକାର କରିବା ଜରୁରୀ ଯେ ଆଦିବାସୀ ଅଞ୍ଚଳରେ ସରକାରୀ ସ୍ୱାସ୍ଥ୍ୟ ସେବା ଆଦୌ ନିୟମିତ ଓ ଭାରସାଯୋଗ୍ୟ ନୁହେଁ। ଏଥିପାଇଁ ଅର୍ଥ ଆକାରରେ ବେଶ କିଛି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଥାଏ। ଯେତେଶୀଘ୍ର ଜଣେ ଅଣଆଦିବାସୀ ନିଜ ଘରୁ ବା ପକେଟରୁ ଟଙ୍କା ଖର୍ଚ୍ଚ କରି କୌଣସି କାର୍ଯ୍ୟ କରିଥାଏ ସେତେ ଶୀଘ୍ର ଜଣେ ଆଦିବାସୀ ପାଇଁ ତାହା ସମ୍ଭବ ହୁଏ ନାହିଁ। ଥରେ ଥରେ ଗାଁରେ ଡୁପ୍ଳିକେଟ ଡାକ୍ତର ପାଖରେ ଗୋଟେ ସାଲାଇନ ଦେବା ଲାଗି ଗୋଟେ ବସ୍ତା ମାଣ୍ଡିଆ ବା ଗୋଟେ ବସ୍ତା ମକା ଆଦିବାସୀକୁ ବିକିବାକୁ ପଡ଼ିଥାଏ। ସିଏ ସେହି ମାଣ୍ଡିଆ ଓ ମକାରେ ଅନ୍ୟ ସମସ୍ତଙ୍କୁ ଖାଦ୍ୟ ଦେବ ନା ତା’ର ଗୋଟେ ପିଲାକୁ ସାଲାଇନ ଦେବ? ଦିନକୁ ଦିନ ଆଦିବାସୀ ଅର୍ଥ ସଙ୍କଟରେ ଅଧିକରୁ ଅଧିକ ରହୁଛି ଓ ତାହାର ପ୍ରାକୃତିକ ପରିବେଶ ମଧ୍ୟ ଆଉ ତା’ର ହୋଇ ରହିନାହିଁ। ଏପଟେ ଚିକିତ୍ସାର ଘରୋଇକରଣ ଏହାକୁ ଅର୍ଥବହୁଳ କରିଦେଇଛି।

ରାୟଗଡ଼ା ଜେଲକୁ ମୁଁ ଯାଇଥିବା ସମୟରେ ୨୦୦ ପାଖାପାଖି କଏଦି ଥିଲେ (ପ୍ରକୃତ ସାମର୍ଥ୍ୟ ୯୦)। ଜେଲ ଅଫିସରଙ୍କ ସହଯୋଗରେ (ଅଫିସିଆଲ ନୁହେଁ) ଗଣି ଦେଖିଥିଲୁ ଯେ ସେ ମଧ୍ୟରୁ ଅନ୍ୟୁନ୍ୟ ୪୪ ଜଣ ଗୁଣି ସନ୍ଦେହରେ ନିଜ ଗାଁରେ କାହାରିକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ କଏଦୀ ଜୀବନ ବିତାଉଛନ୍ତି। କହିବାକୁ ଗଲେ ଏକ ପଞ୍ଚମାଂଶ କଏଦୀ ଗୁଣିଗାରେଡ଼ି ହେତୁ ଜେଲରେ ରହିଛନ୍ତି। ରାୟଗଡ଼ା ଏକ ଆଦିବାସୀ ବହୁଳ ଜିଲ୍ଲା। ଏହି ସମାନ କଥା ରାଜ୍ୟର ଅନ୍ୟତ୍ର ହେଉଥିବ, ଅନ୍ୟ ଜେଲରେ ଏହାର ସଂଖ୍ୟା ମଧ୍ୟ ଅଧିକ ହେଉଥିବ। ହୁଏତ ସେହି ସମସ୍ତ ୪୪ ଜଣ କଏଦୀ ସହମତ ହୋଇଥାନ୍ତେ ଯେ ଯଦି ନିୟମିତ ଡାକ୍ତରୀ ଚିକିତ୍ସାର ସୁବିଧା ତାଙ୍କ ଗାଁ ପାଖରେ ପହଞ୍ଚି ପାରୁଥାନ୍ତା ତେବେ ସେମାନେ ଏଭଳି ପଦକ୍ଷେପ କଦାପି ନେଇନଥାନ୍ତେ। ଆମର ଫିଲ୍ମ, ଗଣମାଧ୍ୟମର ପୃଷ୍ଠା, ନିର୍ବାଚିତ ନେତାଙ୍କ ଭାଷଣ ଇତ୍ୟାଦିଙ୍କ ଅନ୍ଧ ବିଶ୍ଵାସ ଭରି ରହିଛି। ତେଣୁ ଆପଣ କାହାକୁ ଦୋଷ ଦେବେ, ସେହି ବାଳକମାନଙ୍କୁ ନା ସରକାର ଚଲାଉଥିବା ବ୍ୟକ୍ତିଙ୍କୁ? ଏହି ସରକାରୀ ବ୍ୟକ୍ତିମାନେ ବି ଆମରି ଅନ୍ଧବିଶ୍ଵାସ ଭରା ସମାଜ ମଧ୍ୟରୁ ଆସିଥାନ୍ତି ଓ ସେହିମାନେ ପୁଣି ସରକାରୀ ବ୍ୟବସ୍ଥାରେ ଏହାକୁ ବଜାୟ ରଖନ୍ତି।

ସମାଜରେ ବୈଜ୍ଞାନିକ ମନୋଭାବ ଆଣିବା ଲାଗି ଆମମାନଙ୍କୁ ହିଁ ସମାଜ ଲାଗି ସମୟ ଦେବାକୁ ହେବ ଓ ସାମାଜିକ ଆନ୍ଦୋଳନ ଠିଆ କରିବାକୁ ହେବ। ତେବେ ଯାଇ ଅନ୍ଧବିଶ୍ଵାସ ଠାରୁ ଭୂତପ୍ରେତ ଓ ଗୁଣିଗାରେଡ଼ି ଇତ୍ୟାଦିରୁ ସମାଜ ଉଦ୍ଧାର ପାଇବ।

ମୋବାଇଲ- ୯୪୩୭୭୬୨୨୭୨

Related story