ଦେବ ରଞ୍ଜନ
ଆମ ସମାଜରେ ଆଜି ଏଭଳି କ୍ଵଚିତ ଲୋକ ଅଛନ୍ତି ଯାହାର ପରିବାର ଅଥବା ଦୂର ସମ୍ପର୍କୀୟ କେହି କ୍ୟାନସର ଦ୍ଵାରା ପୀଡ଼ିତ ହୋଇନଥିବେ। ଉପକୂଳ ଅଞ୍ଚଳ ହେଉ ଅଥବା ପାହାଡ଼ି ଅଞ୍ଚଳ, ଗରିବ ହେଉ କି ଧନୀ, ପୁରୁଷ ହେଉ କି ମହିଳା, ଏହି ମହାମାରୀ-ରୂପୀ ବେମାରୀର ଅନୁପ୍ରବେଶ ଇଚ୍ଛା ନଥାଇ ବି ସର୍ବତ୍ର ଘଟିସାରିଛି। କିନ୍ତୁ ଏଥିରୁ ଆମ ସମାଜରେ କେତେକ ଲୋକ ମଧ୍ୟ ଭଲ ଅମଳ ଚାହିଁଥାନ୍ତି।
କ୍ୟାନସର ଯେ କେବଳ ମଣିଷ ପାଖରେ ଦେଖାଯାଏ ଓ ଏହା ଯେ କେବଳ ବର୍ତ୍ତମାନ ସମୟରେ ଦେଖାଯାଉଛି ତାହା ନୁହେଁ। ଜୀବକୋଷ ରହିଥିବା ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦ ଜଗତ, କୀଟ ବ୍ୟତୀତ, କ୍ୟାନସର ବେମାର ଦ୍ଵାରା ଆକ୍ରାନ୍ତ ହୋଇପାରନ୍ତି। କିନ୍ତୁ ଯେଉଁ ସମୟରେ ଏହା ବ୍ୟାପକ ହେବାରେ ଲାଗିଛି ସେଥିରୁ କୁହାଯିବ ଯେ ଏହା ଆଧୁନିକ ସଭ୍ୟତାର ସର୍ବଶ୍ରେଷ୍ଠ ଅବଦାନ। ଏହାକୁ ନେଇ ସର୍ବତ୍ର ଆଲୋଚନା, ଗବେଷଣା ଓ କର୍ମଶାଳା ଆୟୋଜନ ହେଉଛି, ମାତ୍ର ତାହାର କୌଣସି ନିର୍ଯାସ ବାହାରିପାରୁ ନାହିଁ। ହୋଇପାରେ ଯେ ସେଭଳି ନିର୍ଯାସ ଲାଗି ଏହାର ‘ଉପକାରୀ ଗୋଷ୍ଠୀ’ ଆଦୌ ଆଗ୍ରହୀ ନୁହନ୍ତି।
ମୋର କିଛି ବନ୍ଧୁ କ୍ୟାନସରରେ ପୀଡ଼ିତ ହେବା ହେତୁ ମୁଁ ସେମାନଙ୍କ ସେବକ ବା ଆଟେଣ୍ଡାଣ୍ଟ ଭାବରେ କ୍ୟାନସରର ଚିକିତ୍ସା ପ୍ରଣାଳୀ, ଏହାର କାରଣ ଇତ୍ୟାଦି ସମ୍ପର୍କରେ ଅଧିକ ଜାଣିବା ଲାଗି ଆଗ୍ରହୀ ହେଲି। କ୍ୟାନସର ସମ୍ବନ୍ଧରେ ବିଭିନ୍ନ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଲେଖା ପଢ଼ିଲି। କ୍ୟାନସର ରୋଗୀଙ୍କ ଅନୁଭୂତି ଶୁଣିଲି। ସେମାନଙ୍କ ଦେହରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କଲି। ଚିକିତ୍ସା ପଦ୍ଧତିକୁ ବୁଝିବାକୁ ଚେଷ୍ଟା କଲି। ଏକ ଅଣମେଡିକାଲ ବ୍ୟକ୍ତି ଭାବରେ ମୁଁ ମୋର ଅନୁସନ୍ଧାନକୁ ଜାରି ରଖିଲି।
ମେଡିକାଲ ବିଜ୍ଞାନ କହୁଛି ଯେ ଶରୀରର ସାଧାରଣ ଜୀବକୋଷ ବା ସେଲର ଗୁଣ ଓ ବ୍ୟବହାର ଯଦି ଭିନ୍ନ ଏକ ଜୀବକୋଷର ଗୁଣ (ଡିଏନଏ) ଓ ବ୍ୟବହାର ଦେଖାଇଥାଏ ବା ପରିବର୍ତ୍ତିତ ହୋଇଯାଏ ତେବେ ସେହି ପ୍ରକ୍ରିୟାକୁ ଜୀବକୋଷର ପରିବର୍ତ୍ତନ ବା ମ୍ୟୁଟେସନ କୁହାଯାଏ। ସାଧାରଣ ଜୀବକୋଷ ମ୍ୟୁଟେସନ ପ୍ରକ୍ରିୟାରେ କ୍ୟାନସର ଜୀବକୋଷରେ ପରିବର୍ତ୍ତନ ହୋଇଥାଏ। ମଣିଷ ଶରୀରର ସାଧାରଣ ଜୀବକୋଷ ପୁଣି କ୍ୟାନସର ଜୀବକୋଷରେ ରୂପାନ୍ତରଣ ହେବାର ପ୍ରକ୍ରିୟା କେତେକ ପରିପାର୍ଶ୍ଵିକ ପରିସ୍ଥିତି କାରଣରୁ ଆଜିର ସମୟରେ ଦ୍ରୁତ ହେବାରେ ଲାଗିଛି। ଏହିହେତୁ କ୍ୟାନସର ରୋଗୀ ଅଧିକ ଦେଖାଯାଉଛନ୍ତି।
ଶରୀରର ଜୀବକୋଷର ମ୍ୟୁଟେସନ କୌଣସି ସ୍ଥାନରେ ଧରାପଡ଼ିବା ପୂର୍ବରୁ ଏହା ଶରୀରର ଅନେକ ଅଂଶକୁ ପ୍ରସାରିତ ହୋଇସାରିଥାଏ। ଆଜି ମୁଁ ଯଦି କ୍ୟାନସର ପୀଡ଼ିତ ହୋଇନାହିଁ ଏହାର ଅର୍ଥ ନୁହେଁ ଯେ ମୁଁ କ୍ୟାନସର ମୁକ୍ତ ବା ସେହିଭଳି ମ୍ୟୁଟେସନ ମୋ ଶରୀର ହେଉନାହିଁ। ମୋ ଶରୀରରେ ସେହି ମ୍ୟୁଟେସନ ପ୍ରକ୍ରିୟା ଚାଲିଛି। କିନ୍ତୁ ଶରୀରର କୌଣସି ଅଂଶରେ କୌଣସି ଅସ୍ଵାଭାବିକତା ଦୃଶ୍ଯ ହୋଇନାହିଁ ଯାହାହେତୁ ଏହା ଧରାପଡ଼ିନାହିଁ। ଜଣେ କ୍ୟାନସର ରୋଗୀ ଓ ଜଣେ ସୁସ୍ଥ ମଣିଷ ମଧ୍ୟରେ ଏତିକି ପାର୍ଥକ୍ୟ।
ସାଧାରଣ ଜୀବକୋଷର ମ୍ୟୁଟେସନ ହୋଇ ଯେବେ ଶରୀରର କୌଣସି ଏକ ଅଂଶରେ କିଛି ଅସ୍ଵାଭାବିକ ଲକ୍ଷଣ ଦେଖାଯାଏ ସେତେବେଳେ ସେହି ଅଂଶର ଲାବରେଟରୀ ପରୀକ୍ଷା ଦ୍ଵାରା କ୍ୟାନସର ହୋଇଛି କି ନାହିଁ ରୋଗୀ ନିଶ୍ଚିତ ହୋଇଥାଏ। ଆଜି ଯେତେବେଳେ କୁହାଯାଉଛି ଯେ ଦେଶରେ ପ୍ରତି ୫ ଜଣ କ୍ୟାନସର ରୋଗୀଙ୍କ ମଧ୍ୟରୁ ୩ ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଯାଉଛି ତାହାର କାରଣ ହେଲା ଯେ ସେହି ଅସ୍ଵାଭାବିକ ଲକ୍ଷଣକୁ ତୁରନ୍ତ ଧରିପାରିବା ଓ ତୁରନ୍ତ ଚିକିତ୍ସା କରିବାରେ ଅସୁବିଧା କାରଣରୁ ସେମାନେ ମୃତ୍ୟୁବରଣ କରିଛନ୍ତି।
ବହୁ ସମୟରେ ମୁଁ ଦେଖିଛି ଯେ ରୋଗୀଙ୍କ ସମ୍ପର୍କୀୟ ରୋଗୀର ଶରୀରରେ କ୍ୟାନସର ଜନୀତ ଅସ୍ୱାଭାବିକ ଲକ୍ଷଣକୁ ‘ନା କ୍ୟାନସର ହୋଇନଥିବ’ କହି ଡାକ୍ତର ପରେ ଡାକ୍ତର ବଦଳାଇଥାନ୍ତି। ଆଜିର ବ୍ୟୟବହୁଳ ଚିକିତ୍ସା ବ୍ୟବସ୍ଥା କାରଣରୁ ସେମାନଙ୍କୁ ଚିକିତ୍ସା ମିଳିବାରେ ବିଳମ୍ବ ହୋଇଥାଏ।
କ୍ୟାନସର ଚିକିତ୍ସା ଲାଗି ସରକାର ଦେଉଥିବା ଆର୍ଥିକ ଅନୁଦାନ ଓ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ଦେଉଥିବା ଅର୍ଥର କିଛି ଭାଗ ଯଦି ସରକାରୀ ଡାକ୍ତରଖାନା ମାଧ୍ୟମରେ ରୋଗ ଚିହ୍ନଟ ଓ ଅନୁସନ୍ଧାନ ଦିଗରେ ଖର୍ଚ୍ଚ କରାଯିବ ଓ ନିର୍ଦ୍ଦିଷ୍ଟ ଖାଦ୍ୟପେୟର ପରାମର୍ଶ ଡାଏଟିସିଆନଙ୍କ ଦ୍ଵାରା ଦିଆଯିବ ତେବେ ଅନେକ କ୍ୟାନସର ରୋଗୀ ବହୁ ପୂର୍ବରୁ ସତର୍କ ହୋଇଯିବେ।
ତେଣୁ ଅଧିକ କ୍ୟାନସର ରୋଗୀ ଆସୁଥିବା ଅଞ୍ଚଳରେ ହେଉ ବା ସେହିଭଳି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ହେଉ ଅଥବା ସେହିଭଳି ଅଭ୍ୟାସ ରଖୁଥିବା ସମସ୍ତ ବ୍ୟକ୍ତିଙ୍କ ରକ୍ତ ଓ ମୂତ୍ରର ନିର୍ଦ୍ଦିଷ୍ଟ ପରୀକ୍ଷା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଯଦି କରାଯାଇପାରିବ ତେବେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅନେକ କମିଯିବ।
ବିଡ଼ମ୍ବନା ହେଲା ଯେ କ୍ୟାନସରକୁ ନେଇ ବ୍ୟବସାୟ ଅଧିକ ହେଉଛି କିନ୍ତୁ ଏହାର ପ୍ରତିକାର ଦିଗରେ ଉଦ୍ୟମ ଆଦୌ ହେଉନାହିଁ।
କ୍ୟାନସର ଚିକିତ୍ସା ଲାଗି ଅନେକ ପ୍ରାଇଭେଟ ହସ୍ପିଟାଲ ଆବଶ୍ୟକୀୟ ଡାକ୍ତର ଓ ଭିତ୍ତିଭୂମି ନଥାଇ ମଧ୍ୟ ଏହାର ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସେମାନେ ଅନ୍ୟ ହସ୍ପିଟାଲ ଅଥବା ସରକାରୀ ଡାକ୍ତରଖାନାର ଅଙ୍କୋଲୋଜିଷ୍ଟ, ସର୍ଜରୀ ସ୍ପେଷାଲିଷ୍ଟଙ୍କୁ ଡାକି କାର୍ଯ୍ୟ ଚଲାଇନେଉଛନ୍ତି। ସେମାନଙ୍କ ଲୋଭ ସରକାରଙ୍କ ପ୍ରଦତ୍ତ ବୀମାରାଶି ଉପରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯଦିଓ ଅର୍ଥ ଦେଉଛି କିନ୍ତୁ ନିୟମିତ ବ୍ୟବଧାନରେ ଏହି ସବୁ ହସ୍ପିଟାଲକୁ ଯିବା ଓ ରୋଗୀଙ୍କ ଠାରୁ ଚିକିତ୍ସା ସମ୍ପର୍କରେ ବୁଝିବା ଭଳି କାର୍ଯ୍ୟ କରେନାହିଁ।
ଏଠାରେ ଚିକିତ୍ସକ, ପ୍ରାଇଭେଟ ମେଡିକାଲର ମାଲିକ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ବି କିଛି ପାର୍ଥକ୍ୟ ନାହିଁ। ଯିଏ ମେଡିକାଲର ମାଲିକ ସେ ପୁଣି କ୍ୟାବିନେଟ ମନ୍ତ୍ରୀ କିମ୍ବା ସଂସଦ ଅଥବା ବିଧାନସଭା ସଦସ୍ୟ।
ମାଛ ପୋଖରୀକୁ ବିଲେଇ ଜଗିଲା ଭଳି ଆଜି ଆମ ଗଣତନ୍ତ୍ରର ଅବସ୍ଥା।
ମୁଁ ତ ଦେଖିଛି ଯେ ପ୍ରାଇଭେଟ ହସ୍ପିଟାଲମାନେ କେଉଁ କ୍ୟାନସର ରୋଗୀର ଡାଏଲେସିସ ବାରମ୍ବାର କରିଦେଲେଣି ତ ଆଉ କାହାର ୟୁଟେରସ କାଢ଼ି ଦେଲେଣି। ତାହା ଦ୍ଵାରା ଯେ ରୋଗୀ ଭଲ ହୋଇଯିବ ବା ତାହା ଯେ ଚିକିତ୍ସା ପଦ୍ଧତି, ତାହା ମଧ୍ୟ ନୁହେଁ। ଏହି ଅନାବଶ୍ୟକ ପ୍ରକ୍ରିୟା ମଧ୍ୟରେ ରୋଗୀ ନିଜର ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିଦିଏ। ନିଜର ସହାୟକ ବା ଆଟେଣ୍ଡାଣ୍ଟମାନେ ଥକିଯାନ୍ତି। ପୁଣି ଯେତେବେଳେ କ୍ୟାନସରର ରିକରେନ୍ସ ହୁଏ ସେତେବେଳେ ସ୍ଵାଭାବିକ ଭାବେ ଚିକିତ୍ସାରେ ଅବହେଳା ଦେଖାଯାଏ। ରୋଗୀର ସମ୍ପର୍କୀୟମାନେ ଅର୍ଥ ଯୋଗାଡ଼ କରିବାରେ ସମୟ ନେଇଥାନ୍ତି। ସରକାରଙ୍କ ବୀମାରାଶି ବା ନିଜସ୍ଵ ବୀମା ସରିଯାଇଥାଏ। ଏହି ଭିତରେ ରୋଗୀର ମୃତ୍ୟୁ ହୋଇଯାଏ।
ପ୍ରତି ହସ୍ପିଟାଲରେ କ୍ୟାନସର ଚିକିତ୍ସାର ପ୍ରଣାଳୀ ମଧ୍ୟ ସମାନ। କେବଳ ଯାହା କେମୋ ଔଷଦର ମାତ୍ରା ଓ ବ୍ରାଣ୍ଡ ଭିନ୍ନ ହୋଇଥାଏ। ଅଥବା ରାଡିଏସନର ସଂଖ୍ୟାରେ ଫରକ ହୋଇଥାଏ। ଏହା ଚିକିତ୍ସକଙ୍କ ଅନୁଭୂତିର ବିଷୟ। ଚିକିତ୍ସକ ବିଫଳ ମଧ୍ୟ ହୁଅନ୍ତି ଓ ରୋଗୀଟି ଅନେକ କଷ୍ଟ ପାଇ ଶେଷରେ ପ୍ରାଣତ୍ୟାଗ କରେ। କେମୋ ନେଉଥିବା ରୋଗୀର ମୃତ୍ୟୁ କଦାପି ସୁଖଦ ହୁଏ ନାହିଁ, ବରଂ ନିଆଁରେ ପୋଡ଼ି ମରିବା ସହିତ ସମାନ ହୋଇଥାଏ।
କୌଣସି କେମୋ ନେବା ସମୟରେ ଚିକିତ୍ସକ କେବଳ କିଛି ଭିଟାମିନ ଓ ଆଇରନ ବଟିକା ଦେଇଥାନ୍ତି। କିନ୍ତୁ ଏହି କେମୋ ପଦ୍ଧତି ଅଧିକ ବିପଦଜନକ ମଧ୍ୟ ହୋଇଥାଏ। କେମୋ ଦ୍ଵାରା ଯେଉଁ ଗତିରେ ଜୀବକୋଷର ମୃତ୍ୟୁ ହୁଏ ଯଦି ତାହାଠାରୁ ଅଧିକ ବେଗରେ ନୂଆ ଜୀବକୋଷ ତିଆରି ନହୁଏ ତେବେ ରୋଗୀ ସୁସ୍ଥ ହେବା କଠିନ। ବିଶେଷକରି ସଫେଦ ରକ୍ତକୋଷ ବା ହ୍ଵାଇଟ ବ୍ଲଡ଼ ସେଲର ସୃଷ୍ଟି ଜରୁରୀ। ଏହା ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ମଧ୍ୟରୁ ଆସିଥାଏ। କିନ୍ତୁ ଚିକିତ୍ସକ ବା ମେଡିକାଲ ଏ ଦିଗରେ ବିଶେଷ ଧ୍ୟାନ ଦେଇନଥାନ୍ତି। ଏହାର ଆବଶ୍ୟକତା ମୁଁ ବେଶ କିଛି ମେଡିକାଲ ଜର୍ନାଲ ମଧ୍ୟରୁ ପାଇଥିଲି। ଏହାର ପରୀକ୍ଷା କରି ସକାରାତ୍ମକ ଫଳ ପାଇଲି। ମୋର ବନ୍ଧୁମାନେ କ୍ୟାନସରର ଲକ୍ଷଣକୁ ଶୀଘ୍ର ଧରିପାରିଥିଲେ, ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଇଥିଲେ ଓ କେମୋ ପରବର୍ତ୍ତୀ ଖାଦ୍ୟପେୟକୁ ଗୁରୁତ୍ଵ ଦେଇଥିଲେ। ସେହିହେତୁ ଆଜି ସମସ୍ତେ ସୁସ୍ଥ ସବଳ ଅଛନ୍ତି।
ଚିକିତ୍ସକମାନେ ଜାଣିଥାନ୍ତି ଯେ ଜୀବକୋଷର ମ୍ୟୁଟେସନରୁ କ୍ୟାନସର ଜଣାପଡୁଛି। ତେଣୁ ଉକ୍ତ ମ୍ୟୁଟେସନ ପ୍ରକ୍ରିୟାକୁ ଯେତେ ବିଳମ୍ବ କରାଯାଇ ପାରିବ ସେତେ ବେଶୀ କେମୋ ବା ରାଡିଏସନର ଆବଶ୍ୟକତା ପଡ଼ିବ ନାହିଁ। ଅଥଚ ମ୍ୟୁଟେସନରେ ବିଳମ୍ବ କରିବାର ପ୍ରକ୍ରିୟାକୁ ଚିକିତ୍ସା ପଦ୍ଧତି ମଧ୍ୟରେ ସାମିଲ କରାଯାଉନାହିଁ। ସମୟ ସମୟରେ ଚିକିତ୍ସକ ପଜିଟିଭ ଆସୁଥିବା ବ୍ୟକ୍ତିଙ୍କୁ ନିଜର ‘ଜୀବନଶୈଳୀ’ ଓ ‘ଖାଦ୍ୟପେୟ’ ପରିବର୍ତ୍ତନ ଲାଗି ପରାମର୍ଶ ଦେଇଥାନ୍ତି। କିନ୍ତୁ ତାହା ମଧ୍ୟ ବିସ୍ତୃତ ନୁହେଁ। ବିସ୍ତୃତ ପରାମର୍ଶର ଅଭାବ ଓ ଗବେଷଣାତ୍ମକ ପ୍ରବନ୍ଧର ଉପଲବ୍ଧିରେ ଅଭାବ କାରଣରୁ ଆଜି ଯିଏ ଆଟେଣ୍ଡାଣ୍ଟ ଆସନ୍ତା କାଲି ସେ ମଧ୍ୟ ରୋଗୀ ପାଲଟିଯାଉଛି।
ଚିକିତ୍ସା ଶାସ୍ତ୍ରୀମାନେ କହୁଛନ୍ତି ଯେ ତମାଖୁ ଖାଇବା ହେତୁ ମୁଖ ଗହ୍ଵର କ୍ୟାନସର ହେଉଛି। ତେଣୁ ସରକାର ଧର୍ମକୁ ଆଖିଠାର ମାରିଲା ଭଳି ଏହାର ଲେବଲ ଉପରେ କ୍ୟାନସରର ଚିହ୍ନ ଦେଇ ଭାବୁଛନ୍ତି ଯେ ଲୋକେ ସତର୍କ ହୋଇଯିବେ। ବଲିଉଡର କଳାକାର ତମାଖୁ ସେବନ କରୁଥିବାର ବିରାଟ ହୋର୍ଡିଂ ସହର ମଝିରେ ଲାଗିଥିବ। ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଖି ବି ନଦେଖିଲା ଭଳି ରହିଥିବ।
ତମାଖୁର ବିକ୍ରି ଓ ଉତ୍ପାଦନ ଉପରେ ବ୍ୟାନ ରହିଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ। ଏହା ହିଁ ସରକାରଙ୍କ ତତ୍ପରତା। ସରକାରଙ୍କ ଏଭଳି ‘ତତ୍ପରତା’ ଯାହା ପ୍ରକୃତରେ ଅମନଯୋଗିତାର ଅନେକ ଉଦାହରଣ ରହିଛି। ସେଭଳି ଅମନଯୋଗିତା ହେତୁ ଭାରତରେ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ଵରେ ସର୍ବାଧିକ।
ଲୋକଙ୍କ ଦୁଃସ୍ଥିତିର ଅନ୍ୟ ଏକ କାରଣ ହେଲା, ପ୍ରାଇଭେଟ ମେଡିକାଲ ଗୁଡ଼ିକ ନିଜ ଚିକିତ୍ସା ପଦ୍ଧତି ଲାଗି କାହାରି ନିକଟରେ ଉତ୍ତରଦାୟୀ ରହୁନାହାନ୍ତି। ଯଦିଓ ସରକାର ଲୋକଙ୍କ ଜମିକୁ ପ୍ରାଇଭେଟ ମେଡିକାଲକୁ ଦେଇଛନ୍ତି ଓ ଯଦିଓ ସରକାରଙ୍କ ସ୍ୱାସ୍ଥ୍ୟବୀମାର ସିଂହଭାଗ ଏହି ହସ୍ପିଟାଲଙ୍କୁ ଯାଉଛି କିନ୍ତୁ ଅବହେଳା ସଂକ୍ରାନ୍ତୀୟ ଅଭିଯୋଗର କୌଣସି ଅନୁସନ୍ଧାନ ସରକାରଙ୍କ ଦ୍ଵାରା ହେଉନାହିଁ।
ଅଭିଯୋଗ ଆସିଲେ ଅନୁସନ୍ଧାନ ହେବାର ବ୍ୟବସ୍ଥା ଅଛି। ମାତ୍ର ଅଭିଯୋଗ କାହା ସାମ୍ନାରେ କରାଯିବ ତାହାକୁ ଲୁକ୍କାୟିତ ରଖାଯାଉଛି। ଅଭିଯୋଗ ହେଲେ ଓ ଅନୁସନ୍ଧାନ ହେଲେ ଅଭିଯୋଗକାରୀକୁ ତଦନ୍ତ ରିପୋର୍ଟ ଦେବା ଲାଗି ସରକାର ବାଧ୍ୟ ନୁହନ୍ତି। ଏଭଳି ରାଜନୈତିକ ଓ ପ୍ରଶାସନିକ ଅପମିଶ୍ରଣ କଣ ରୋଗୀଙ୍କୁ ଅଧିକ ବିପଦଗ୍ରସ୍ତ କରୁନାହିଁ?
ଦୀର୍ଘ ସତୁରୀ ବର୍ଷର ସ୍ଵାଧୀନତା ମଧ୍ୟରେ ନିର୍ବାଚିତ ସରକାରମାନେ ଦେଶର ‘ବିକାଶ’ ଓ ସମାଜରେ ‘ଶୃଙ୍ଖଳା’ ଆଣିବା ନାମରେ ଅନେକ ଆଇନ ପ୍ରଣୟନ କରିଛନ୍ତି। ସରକାରୀ ନିୟମ ନାଗରିକର ଅନେକ ବିଷୟକୁ ଆଜି ନିୟନ୍ତ୍ରଣ କରୁଛି ଯଥା ପରିବେଶ, କାର୍ଯ୍ୟ ସଂସ୍କୃତି, ରୁଚୀ, ଖାଦ୍ୟ ଅଭ୍ୟାସ, ଜୀବିକା ଓ ବାସସ୍ଥାନ ଇତ୍ୟାଦି। ତେଣୁ ବ୍ୟକ୍ତି ହାତରେ ଆଉ ନିଜର ‘ଜୀବନଶୈଳୀ’ ଓ ‘ଖାଦ୍ୟପେୟ’ ନାହିଁ। ଏହା ବଜାର ନିୟନ୍ତ୍ରିତ। କ୍ୟାନସରରେ ପ୍ରତିବର୍ଷ ମୃତ୍ୟୁବରଣ କରୁଥିବା ୯ ଲକ୍ଷ ଲୋକଙ୍କ ଲାଗି ଯଦି ସରକାର ନିଜକୁ ଦାୟୀ ନକରିବେ ତେବେ ଦେଶବାସୀଙ୍କ ଲାଗି ଏହା ଏକ ଭୟ ବା ଫୋବିଆ ହୋଇ ସର୍ବଦା ରହିଥିବ। ପରିସ୍ଥିତିରେ କୌଣସି ଉନ୍ନତି କଦାପି ଆସିବ ନାହିଁ।
ସମ୍ବିଧାନରେ ନାଗରିକର ମୌଳିକ ଅଧିକାରଗୁଡିକର ସୁରକ୍ଷା କରିବା ସରକାରଙ୍କ ଦାୟିତ୍ଵ ବୋଲି ଉଲ୍ଲେଖ ରହିଛି। ଅଥଚ ପ୍ରାଇଭେଟ ମେଡିକାଲ ଓ ବୃହତ କମ୍ପାନୀମାନଙ୍କ ସହିତ ସରକାରୀ ଅନୁଷ୍ଠାନମାନେ ମିଶି ସମ୍ବିଧାନର ଉକ୍ତ ମୌଳିକ ଅଧିକାର ସମ୍ବନ୍ଧିତ ଧାରାଗୁଡ଼ିକର କ୍ରମାଗତ ଅବମାନନା କରିଚାଲିଛନ୍ତି। କହିବାକୁ ଗଲେ ସେମାନେ ଏହାକୁ ନିଜ କାର୍ଯ୍ୟଧାରାରେ ଲିଭେଇ ଦେଇଛନ୍ତି। ସେହିମାନେ ଆଜି କ୍ୟାନସରକୁ ବହୁତ ଭଲପାଉଛନ୍ତି।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।