7890
ଦେବେନ୍ଦ୍ର ପୃଷ୍ଟି
ଶୀର୍ଷକ ପଢ଼ି ଚମକିବା ଦରକାର ନାହିଁ। ଏ ଲେଖା ମାଧ୍ୟମରେ କରୋନା ଭୂତାଣୁକୁ ସମର୍ଥନ କରାଯାଉନାହିଁ। ଯଥାଶୀଘ୍ର ଏହି ଭୂତାଣୁର ସଂପୂର୍ଣ୍ଣ ବିନାଶ ମାନବ ଜାତି ପାଇଁ ମଙ୍ଗଳକର। ତେବେ, ଏହି ଭୂତାଣୁର ମୁକାବିଲା କରିବା ବାଟରେ ମଣିଷ ସମାଜକୁ କେତେକ ଶିକ୍ଷା ମଧ୍ୟ ମିଳିଛି। ସେ ସଂପର୍କରେ କେତେକ ବିନ୍ଦୁ।
୧. ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ହେଉଛି ଉତ୍ତମ ସ୍ୱାସ୍ଥ୍ୟର ପ୍ରଥମ ସର୍ତ୍ତ। ବାହାରେ ୟାଡ଼ୁସ୍ୟାଡ଼ୁ ଜିନିଷପତ୍ର ଧରିଲେ ହାତ ଧୋଇବା ଦରକାର। ଏହା ଏକ ସାଧାରଣ କଥା। ସମ୍ଭବତଃ ଏକଥା ଆଧୁନିକ ଯୁଗର ତଥାକଥିତ ସଭ୍ୟ ଓ ଶିକ୍ଷିତ ଲୋକମାନେ ଭୁଲି ଯାଇଥିଲେ। କରୋନା ଭାଇରସ୍ ସଂକ୍ରମଣ ଏକଥା ସେମାନଙ୍କୁ ମନେ ପକେଇଦେଲା। ଏହା ଏକ ସତ୍ଶିକ୍ଷା। କରୋନା ସଂକ୍ରମଣ ଆତଙ୍କରେ ପରିଣତ ହୋଇନଥିଲେ ହୁଏତ ଏ ସମୟର ଅନେକ ଲୋକ ଏଇ ପୁରାତନ ଅଭ୍ୟାସ ବା ସ୍ୱାସ୍ଥ୍ୟ ସଂସ୍କାରକୁ ଫେରି ନଥାନ୍ତେ।
୨. ଆଉ କେଉଁ ରାଜ୍ୟରେ ଏ ଚଳଣି ଥିଲା କି ନାହିଁ ଜଣାନାହିଁ। ମାତ୍ର, ଓଡ଼ିଶାର ଗାଁ ଗହଳରେ କେଉଁ ପୁରୁଣା ସମୟରୁ ଗୋଟେ ଅଭ୍ୟାସ ପ୍ରଚଳିତ ଅଛି। ତାହା ହେଉଛି କାହାକୁ ଥଣ୍ଡା ଓ କାଶ ଇତ୍ୟାଦି ହୋଇଥିଲେ ତା’ଠାରୁ ଅପେକ୍ଷାକୃତ ଦୂରତା ରକ୍ଷା କରିବା। ପୂର୍ବ ଲୋକମାନେ ବୁଝିଥିଲେ ଥଣ୍ଡା/ସର୍ଦ୍ଦି ଏକ ଡିଆଁ ରୋଗ। କରୋନା ଏଇ କଥାକୁ ଆଉ ଥରେ ମନେ ପକାଇଦେଲା। ଏବେ କୁହାଯାଉଛି କାହାକୁ ସର୍ଦ୍ଦି ଓ କାଶ ହୋଇଥିଲେ ତା’ଠାରୁ ଅତି କମ୍ରେ ୧ ମିଟର ଦୂରତା ବଜାୟ ରଖନ୍ତୁ। ଏତିକି ଦୂରରେ ରହିଲେ ଆର ଲୋକ ଛିଙ୍କିଲେ ବା କାଶିଲେ ବି କରୋନା ଭାଇରସ ବା କୋଭିଡ଼-୧୯ ଆପଣଙ୍କ ନାକ ଓ ପାଟି ଦେଇ ଫୁସ୍ଫୁସ୍କୁ ଯାଇପାରିବ ନାହିଁ।
୩. ଅନେକ ସମୟରେ ଅନେକ ପ୍ରକାର ଅସାମାଜିକ ବ୍ୟକ୍ତି ବା ଗୋଷ୍ଠୀ ସ୍ୱାର୍ଥ ହାସଲ ପାଇଁ ଗୁଜବକୁ ଅସ୍ତ୍ର କରିଥାନ୍ତି। କରୋନା ସଂକ୍ରମଣ ନେଇ ଅନେକ ପ୍ରକାର ଗୁଜବ ରଟନା କରାଯିବା ପରେ ରାଷ୍ଟ୍ରୀୟ ଓ ରାଜ୍ୟ ସରକାର ଗୁଜବ ପ୍ରସାର ବିରୋଧରେ କଠୋର ଚେତାବନୀ ଜାରି କରିଛନ୍ତି। ଏହା ଏକ ଶୁଭ ସଂକେତ। କୌଣସି ପ୍ରକାର ଗୁଜବ କୌଣସି ପ୍ରକାର ଜନଗୋଷ୍ଠୀ ପାଇଁ ମଙ୍ଗଳକର ନୁହେଁ। ଏଇ ନିକଟରେ ଘଟିଥିବା ଦିଲ୍ଲୀ ଦଙ୍ଗା ଓ ଅନ୍ୟ ବହୁ ଦଙ୍ଗାର ମୂଳ କାରଣ ହେଉଛି ଏଇ ଗୁଜବ।
୪. ମିଥ୍ୟା ପ୍ରସାରଣ ମଧ୍ୟ ମଣିଷ ସମାଜ ପାଇଁ ହିତକର ନୁହେଁ। ବହୁ ରାଜନୀତିକ ଓ ଅନ୍ୟ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଅନେକ ସମୟରେ ମିଥ୍ୟା ପ୍ରସାରଣ କରିଥାନ୍ତି। ହ୍ୱାଟ୍ସଆପ୍ ଫେସ୍ବୁକ୍ ପରି ଆଧୁନିକ ଯୋଗାଯୋଗ ପ୍ରଯୁକ୍ତି ପ୍ରଚଳନ ପରେ ଏଇ ପ୍ରଯୁକ୍ତିକୁ ମିଥ୍ୟା ପ୍ରସାରଣକୁ ଏଇପରି କିଛି ଗୋଷ୍ଠୀ ନିଜ ସ୍ୱାର୍ଥସାଧନ ପାଇଁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହିପରି ମିଥ୍ୟା ପ୍ରସାରଣ ଜରିଆରେ ଦିଲ୍ଲୀ ଦଙ୍ଗା ଭିଆଯାଇଛି ବୋଲି ଏବେ ପୁଲିସ କହୁଛି। କରୋନା ଭାଇରସ ସଂକ୍ରମଣ ପରେ ଖୋଦ୍ ଭାରତ ସରକାର ଏପରି ମିଥ୍ୟା ପ୍ରସାରଣ ବିରୋଧରେ ଚେତାବନୀ ଜାରି କରିଛନ୍ତି। ଓଡ଼ିଶା ପରି ଅନେକ ରାଜ୍ୟ ସରକାର ମଧ୍ୟ କରୋନା ନେଇ ମିଥ୍ୟା ପ୍ରସାରଣ ବିରୋଧରେ ଚେତାବନୀ ଜାରି କରିଛନ୍ତି। ଏହା ଏକ ମଙ୍ଗଳକର ପଦକ୍ଷେପ। ତେବେ, କରୋନା ଆତଙ୍କ ପ୍ରଶମିତ ହେଲା ପରେ ମଧ୍ୟ ଏହିପରି ଗୋଷ୍ଠୀଗୁଡ଼ିକ ରାଜନୀତିକ, ସାମାଜିକ, ଧାର୍ମିକ ତଥା ଅନ୍ୟାନ୍ୟ ମିଥ୍ୟା ପ୍ରସାରଣରୁ ସଂପୂର୍ଣ୍ଣ ନିବୃତ୍ତ ରହିବା ବିଧେୟ।
୫. ଭାରତ ପରି ବିଶାଳ ଓ ବିବିଧ ସଂସ୍କୃତିର ଦେଶର ଅନେକ ପ୍ରାନ୍ତରେ ଏବେ ବି ଅନେକ ପ୍ରକାର ଅନ୍ଧବିଶ୍ୱାସ ବଳବତ୍ତର ରହିଛି। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏବେ ବି ଜାରି ରହିଛି ଗୁଣିଗାରେଡ଼ି ପ୍ରଥା। ଲୋକେ ଜର ହେଲେ ଡାକ୍ତରଖାନା ନଯାଇ ଗୁଣିଆ ପାଖକୁ ଯାଉଛନ୍ତି, ଅନ୍ଧବିଶ୍ୱାସରେ ଛୁଆମାନଙ୍କୁ ଚେଙ୍କ ଦିଆଯାଉଛି। କରୋନା ଭାଇରସ୍ ସଂକ୍ରମଣ ପରେ ସରକାର ଗ୍ରହଣ କରିଥିବା ଅନେକ ସଂସ୍କାରମୂଳକ ପଦକ୍ଷେପ ଏପରି କେତେକ ଅନ୍ଧବିଶ୍ୱାସ ଦୂର କରିବ ବୋଲି ଆଶା କରାଯାଏ।
୫. ଭାରତର କେତେକ ସଂପ୍ରଦାୟର ଲୋକମାନେ ହଇଜା ହେଲେ ଡାକ୍ତରୀ ଚିକିତ୍ସା ନକରି ଠାକୁରାଣୀ ପୂଜା କରିଥାନ୍ତି। ପୁରୁଣା ସମୟରେ ଏପରି କରାଯାଉଥିଲା। ଏବେ ବି ଏପରି ଅନେକ ନଜୀର ଦେଖିବାକୁ ମିଳୁଛି। କରୋନା ସେପରି ଅନ୍ଧବିଶ୍ୱାସର ମୂଳୋତ୍ପାଟନ କରିପାରିଲେ ତାହା ହେବ ଏଇପରି ସଂପ୍ରଦାୟର ଭାରତୀୟଙ୍କ ପାଇଁ ଏକ ମଙ୍ଗଳକର ପରିବର୍ତ୍ତନ।
୬. ଅନେକ ସମୟରେ ମାନସିକ ସ୍ତରରେ ଦୁର୍ବଳ ଲୋକମାନେ କାଠପଥରର ଠାକୁର ମୂର୍ତ୍ତିମାନଙ୍କୁ ଅବା ଅନ୍ୟ କୌଣସି ପ୍ରତୀକଙ୍କୁ ଈଶ୍ୱର ଭାବେ ଗ୍ରହଣ କରି ସେ ହିଁ ସବୁ ପ୍ରକାରର ବିପଦରୁ ଉଦ୍ଧାର କରିବେ ବୋଲି ଦୃଢ଼ ଆସ୍ଥା ସ୍ଥାପନ କରିଥାନ୍ତି। ଏଭଳି ଈଶ୍ୱରଙ୍କ ଇଚ୍ଛା ବିନା କିଛି ହୁଏ ନାହିଁ ବୋଲି ଲୋକେ ବିଶ୍ୱାସ କରିଥାନ୍ତି। କରୋନା ଭାଇରସ୍ ସଂକ୍ରମଣ ପରେ ମକ୍କାର ପବିତ୍ର ମସଜିଦ୍ରୁ ଆରମ୍ଭ କରି ପୁରୀର ଜଗନ୍ନାଥ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯିବା ଏହିପରି ବିଶ୍ୱାସର ଦେବତାମାନଙ୍କୁ ଭୂଷିତ କରାଯାଇଥିବା ଅନେକ ଗୁଣ ଗୌଣ ହୋଇଯାଇଛି। ପ୍ରତୀକାତ୍ମକ ଠାକୁର ନୁହନ୍ତି ମଣିଷ ତିଆରି କରିଥିବା ଔଷଧାଦି ଓ ସଂସ୍କାର ଜରିଆରେ ହିଁ କରୋନାର ମୁକାବିଲା କରିହେବ ବୋଲି ପ୍ରଚାର ପ୍ରସାର କରାଯାଉଥିବା ବାର୍ତ୍ତା ଅନ୍ୟ ଏକ ସତ୍ଶିକ୍ଷା।
୭. ଭାରତ ଭଳି ଦେଶରେ ଅନେକ ସମୟରେ ବିଭିନ୍ନ ସଂପ୍ରଦାୟର ଧାର୍ମିକ ଅନୁଷ୍ଠାନକୁ ନେଇ ବିବାଦ ଉପୁଜିଥାଏ। ପ୍ରଥା, ପରମ୍ପରା ଓ ଧର୍ମ ବିଶ୍ୱାସ ନାମରେ ଲୋକମାନେ ଦଙ୍ଗାଗୋଳ କରିବାକୁ ବି ପଛାଇ ନଥାନ୍ତି। ସାମାଜିକ ସଂହତି କାରଣରୁ ଅନେକ ସମୟରେ ଏପରି ଧର୍ମାନୁଷ୍ଠାନ ବନ୍ଦ ରହିବାର ଆବଶ୍ୟକତା ଥିଲେ ମଧ୍ୟ ଲୋକେ ମାନନ୍ତି ନାହିଁ। ଏବେ କିନ୍ତୁ କରୋନା ସଂକ୍ରମଣ ଏପରି ଲୋକମାନଙ୍କୁ ଧର୍ମନିରପେକ୍ଷ କରିଦେଇଛି। ଜଗନ୍ନାଥାଦି ମନ୍ଦିରରେ ଲାଗିଥିବା କଟକଣା ଓ ପବିତ୍ର ବୈତରଣୀର ବାରୁଣୀ ସ୍ନାନ ଓ ମେଳା ପରି ପବିତ୍ର ଅନୁଷ୍ଠାନ ଉପରେ ସରକାର ନିଷେଧାଦେଶ ଜାରି କରିବା ପରେ ମଧ୍ୟ ଧାର୍ମିକ ସଂପ୍ରଦାୟ ପ୍ରତିବାଦ କରିନାହାନ୍ତି। ଏହା ଏକ ଶୁଭ ଲକ୍ଷଣ। ଏ କ୍ଷେତ୍ରରେ ନିଜ ଧର୍ମବିଶ୍ୱାସ ଅପେକ୍ଷା ଜୀବନ ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ଲୋକମାନେ ବୁଝିଯାଇଛନ୍ତି ବୋଧହୁଏ। ଏହି ବୋଧଗମ୍ୟତା ଅଧିକ ଦୃଢ଼ ହେଲେ ତାହା ହେବ ଭାରତୀୟ ସମାଜ ପାଇଁ ଅଧିକ ହିତକର।
୮. କେବଳ ଭାରତ କାହିଁକି, କେବଳ ଭୁଟାନକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ ପ୍ରାୟ ସବୁ ଦେଶ ଗତ କେଇ ଶତାବ୍ଦୀ ଧରି ଅର୍ଥଶକ୍ତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଆର୍ଥନୀତିକ ଅଭିବୃଦ୍ଧି, ଜିଡିପି ବୃଦ୍ଧି, ଅର୍ଥ ବଜାର, ପୁଞ୍ଜି ବଜାର, ଶିଳ୍ପାୟନ, ସହରାୟନ, ଉତ୍ପାଦନ, ବଜାରୀକରଣ, ବ୍ୟବସାୟ ଆଦି ଉପରେ ରାଷ୍ଟ୍ରନେତା ଓ ଆର୍ଥନୀତିଜ୍ଞମାନେ ଜୋର୍ ଦେଇ ଆସିଛନ୍ତି। ଏବେ କିନ୍ତୁ ଓଲଟା ଘଟୁଛି। କରୋନା ସଂକ୍ରମଣ ଏମିତି ଆତଙ୍କ ସୃଷ୍ଟି କରିଛି ଯେ ରାଷ୍ଟ୍ରୀୟ ସରକାରଗୁଡ଼ିକ ବ୍ୟାବସାୟିକ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି, ତାହା ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ଥିବା ସତ୍ତ୍ୱେ। ଅନ୍ୟ ସମୟ ହୋଇଥିଲେ ଅର୍ଥ ଜଗତର ବହୁ ସଂସ୍ଥା ସରକାରଙ୍କର ଏପରି ଆଦେଶ ବିରୋଧରେ ଆନ୍ଦୋଳନ କରିଥାନ୍ତେ, ସ୍ମାରକପତ୍ର ଦେଇଥାନ୍ତେ। ଏବେ କିନ୍ତୁ ଅର୍ଥଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଧ ହେଲା। ଏହା ବି ଏକ ସୁଶିକ୍ଷା।
୯. କରୋନା ଆତଙ୍କ କାରଣରୁ ପୁଞ୍ଜି ବଜାର କେବଳ ପ୍ରଭାବିତ ହୋଇନାହିଁ। ଏଥିଯୋଗୁଁ ସାଧାରଣ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। କଳ କାରଖାନା ଉତ୍ପାଦନ କମିଛି। ଦେଶବିଦେଶ ମଧ୍ୟରେ ଭ୍ରମଣ ଓ ପର୍ଯ୍ୟଟନ ଉପରେ ଅଙ୍କୁଶ ଲାଗିଛି। ରାସ୍ତାରେ ଗାଡ଼ିମୋଟର ଚଳାଚଳ ହ୍ରାସ ପାଇଛି। ବିମାନ ଓ ରେଳ ସେବା ଉପରେ କଟକଣା ଜାରି ହୋଇଛି। ଆନ୍ତଃ ସହର ଓ ଆନ୍ତଃ ଦେଶ ପରିବହନ ଓ ଗମନାଗମନ କମିଛି। ଫଳରେ ଏଇ ସମୟରେ ବିଭିନ୍ନ ପ୍ରକାର ପ୍ରଦୂଷଣ ଅପେକ୍ଷାକୃତ ହ୍ରାସ ପାଇଛି। ପାଗ ପରିବର୍ତ୍ତନ ଜନିତ ସଂକଟରେ ଘାରି ହେଉଥିବା ମାନବ ସମାଜ ପାଇଁ ଉପଭୋଗବାଦର ସୃଷ୍ଟି ପ୍ରଦୂଷଣ କମିବା ଅତ୍ୟନ୍ତ ଜରୁରୀ। ସାମୟିକ ହେଲେ ବି ଏପରି ପ୍ରଦୂଷଣ ହ୍ରାସ ନିଶ୍ଚୟ ଆଶାଜନକ। କରୋନା ଭୂତାଣୁର ନହେଲେ ବି କରୋନା ଆତଙ୍କର ଏହା ଅନ୍ୟ ଏକ ସୁପ୍ରଭାବ।
୧୦. ତେବେ, ଏହି ଆତଙ୍କ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଶିକ୍ଷା ପ୍ରସାର ବାଧାପ୍ରାପ୍ତ ହେବା ଆଦୌ ଏକ ଭଲ କଥା ନୁହେଁ। ଏହି ଆତଙ୍କଯୋଗୁଁ ଗଣତନ୍ତ୍ରର ମନ୍ଦିରରେ ତାଲା ପକାଯିବା ମଧ୍ୟ ଏକ ଭଲ ପଦକ୍ଷେପ ନୁହେଁ। ଆଲୋଚନା, ବିତର୍କ ଓ ଶିକ୍ଷା ଆଦି ମାଧ୍ୟମରେ ସମାଜରେ ଜ୍ଞାନ ଓ ସଚେତନତା ସଂପ୍ରସାରିତ ହୋଇଥାଏ। ପ୍ରାଣହାନୀ ଆଶଙ୍କା ଯୋଗୁଁ ଏ ସଂପର୍କୀତ ଅନୁଷ୍ଠାନ ବନ୍ଦ ରହିବା ଦ୍ୱାରା ଜ୍ଞାନ ଓ ବୁଦ୍ଧିର ସଂପ୍ରସାରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। କରୋନା ସଂପର୍କରେ ଯେଉଁ ବାର୍ତ୍ତା ପ୍ରସାରଣ ପାଇଁ ସରକାର ଏବେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବ୍ୟବସ୍ଥାପକ ସଭା ଓ ଶିକ୍ଷାନୁଷ୍ଠାନ ଜରିଆରେ ତାହା ମାଗଣାରେ ପ୍ରସାରିତ ହୋଇପାରିଥାନ୍ତା।
୧୧. ଏହି ଭୂତାଣୁ ସଂକ୍ରମଣରେ ଏଯାଏଁ ୧.୮୦ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ହଜାର ଲୋକଙ୍କର ପ୍ରାଣହାନୀ ଘଟିଲାଣି। ଏହା କଦାପି ଏକ ଶୁଭ ସମ୍ବାଦ ନୁହେଁ।
୧୨. ଏହି ଆତଙ୍କ ଯୋଗୁଁ ବହୁ ଲୋକ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଏ କିଛି ଜାଣିବା ପୂର୍ବରୁ କରୋନାକ୍ରାନ୍ତ ହୋଇସାରିଛି। ରୋଗ-ପୀଡ଼ା ସହିଛି, ଚିକିତ୍ସା କଷ୍ଟ ସହନ କରିଛି। କାହାର ପରୀକ୍ଷା ବାତିଲ ହୋଇଯାଇଛି ତ କାହାର ବାହାଘର। କାହାର ନିଯୁକ୍ତି ସାକ୍ଷାତକାର ଘୁଞ୍ଚି ଯାଇଛି ତ କାହାର କ୍ରୀଡ଼ାକୌଶଳ ପ୍ରଦର୍ଶନର ସୁଯୋଗ। କିଏ ପୁଣି ପୁଞ୍ଜି ବଜାରରେ ହରେଇଛି ଲକ୍ଷଲକ୍ଷ ଟଙ୍କା। ବିଶ୍ୱର ଧନୀମାନେ କରୋନା ଆତଙ୍କ ଯୋଗୁଁ ଲକ୍ଷଲକ୍ଷ କୋଟି ଟଙ୍କା ହରେଇଥିବାର ଖବର ହୋଇଛି। ଏସବୁ ମଧ୍ୟ ଏସବୁ ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହୋଇଥିବା ଲୋକଙ୍କ ପାଇଁ ହିତକର ନୁହେଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/7890-1.jpg)