ରବି ଦାସ
ଓଡ଼ିଶାରେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଛି। ଏହି ସମୟରେ ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ ସହିତ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟବ୍ୟୟର ବିବରଣୀ ଗୃହରେ ଉପସ୍ଥାପିତ ହୋଇଛି। କିନ୍ତୁ ଏହି ପ୍ରସଙ୍ଗରେ ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ଜାତୀୟ ଅର୍ଥନୈତିକ ସର୍ଭେ ନେଇ ଯେଉଁ ରିପୋର୍ଟ ଆସିଛି ଏବଂ ସେଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସହିତ ଭାରତର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ସଂକ୍ରାନ୍ତରେ ଯେଉଁ ଚିତ୍ର ଆସିଛି ତାହାକୁ ସମସ୍ତ ବିଧାୟକ ଭଲ ଭାବରେ ଅନୁଧ୍ୟାନ କରି ଓଡ଼ିଶାର ବିକାଶ ନେଇ ଆଲୋଚନା ଓ ସମାଲୋଚନା କରିବା ନିହାତି ଆବଶ୍ୟକ।
କେନ୍ଦ୍ରୀୟ ଅର୍ଥନୈତିକ ସର୍ଭେ ରିପୋର୍ଟର ଏକ ଉଲ୍ଲେଖନୀୟ ଦିଗ ହେଲା ଯେ, ଅର୍ଥନୈତିକ ଓ ମାନବ ବିକାଶ କ୍ଷେତ୍ରରେ ଭାରତର ଅନ୍ୟ ଅଂଚଳର ରାଜ୍ୟମାନଙ୍କଠାରୁ ଓ ବିଶେଷ ଭାବରେ ଉତ୍ତର ଭାରତର ରାଜ୍ୟମାନଙ୍କଠାରୁ ଦକ୍ଷିଣ ଭାରତର ସଫଳତା ହାର ଓ ପ୍ରଦର୍ଶନ ଯଥେଷ୍ଟ ଭଲ ରହିଛି। ଯଦିଓ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଡବଲ୍ ଇଞ୍ଜିନ୍ ସରକାର ନାହିଁ। ବାସ୍ତବିକ ସେହିସବୁ ରାଜ୍ୟଗୁଡ଼ିକରେ ବହୁ ସମୟରେ ଯେଉଁ ଦଳଗୁଡ଼ିକ ସରକାରରେ ରହୁଛନ୍ତି ସେମାନେ କେନ୍ଦ୍ରରେ ଥିବା ସରକାର ଠାରୁ ଭିନ୍ନ। ତାମିଲନାଡୁରେ ୧୯୬୭ ମସିହାଠାରୁ କ୍ରମାଗତ ଭାବରେ ଡିଏମକେ ଓ ଏଆଇଏଡିଏମକେ ପରି ଦ୍ରାବିଡ଼ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତାରେ ଅଛନ୍ତି। କେରଳରେ କ୍ରମାଗତ ଭାବରେ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ୟୁନାଇଟେଡ୍ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବରାବର କ୍ଷମତାରେ ରହି ଆସିଛନ୍ତି। କେରଳରେ ଗତ ୮ ବର୍ଷ ହେଲା ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସାମ୍ମୁଖ୍ୟ ସରକାର କ୍ଷମତାରେ ରହିଛି। କର୍ଣ୍ଣାଟକରେ ଏବେ କଂଗ୍ରେସର ସରକାର ଥିଲାବେଳେ ପୂର୍ବ ୪ ବର୍ଷ ବିଜେପି ସରକାର ଥିଲା। ତାହା ପୂର୍ବରୁ କଂଗ୍ରେସ ଓ ଜନତା ଦଳ ସହିତ ସଂପୃକ୍ତ ଦଳମାନେ କ୍ଷମତାରେ ଥିଲେ। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଯେଉଁ ଦଳମାନେ ଶାସନ କରୁଛନ୍ତି ସେମାନେ କେନ୍ଦ୍ରୀୟ କ୍ଷମତା ସହିତ ନଥିବା ଦଳ। ଏବେ ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶ ନେତୃତ୍ୱାଧୀନ ଏକ ଏନଡିଏ ସରକାର ଅଛି ବୋଲି କୁହାଗଲେ ମଧ୍ୟ ବାସ୍ତବରେ ତାହା ଏକ ଆଞ୍ଚଳିକ ଦଳର ସରକାର। ତେଲେଙ୍ଗାନାରେ ଏବେ କଂଗ୍ରେସ ଦଳ କ୍ଷମତାରେ ଥିଲେ ମଧ୍ୟ ପୂର୍ବ ୧୦ ବର୍ଷ ଏକ ଆଞ୍ଚଳିକ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି କ୍ଷମତାରେ ଥିଲା।
ଏହି ସମସ୍ତ ରାଜନୈତିକ ଦୂରତା ଓ ବ୍ୟବଧାନ ସତ୍ତ୍ୱେ ଭାରତୀୟ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ, ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ମୁଣ୍ଡପିଛା ଆୟ ଗତ ବର୍ଷ ୫ ହାରରେ ବୃଦ୍ଧି ପାଇଥିବା ସମୟରେ ଦେଶର ଅନ୍ୟ ପ୍ରାନ୍ତମାନଙ୍କରେ ଏହି ମୁଣ୍ଡପିଛା ଅଭିବୃଦ୍ଧି ହାର ଶତକଡ଼ା ୪.୨ ରେକର୍ଡ କରାଯାଇଛି। ସିଆଇଆଇ ପକ୍ଷରୁ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକୁ ୧୦ ଟ୍ରିଲିୟନ ବା ୧୦ ଲକ୍ଷ କୋଟି ଅର୍ଥନୀତି ହାସଲ କରିବା ଜରୁରୀ ଥିବା କୁହାଯାଉଛି। କାରଣ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବାକୁ ହେଲେ ତାହାର ଏକ ତୃତୀୟାଂଶ ଦକ୍ଷିଣ ଭାରତ ରାଜ୍ୟମାନଙ୍କରୁ ଆସିବ ବୋଲି ଅନୁମାନ କରାଯାଉଛି।
ଯଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଦେଖାଯାଏ ତେବେ କୃଷି କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ଅବଦାନ ବେଶ୍ ଆକର୍ଷଣୀୟ। ସମୁଦାୟ ଦକ୍ଷିଣ ଭାରତର କୃଷି ଉତ୍ପାଦନର ଶତକଡ଼ା ୩୬.୨ ଭାଗ ଆନ୍ଧ୍ର ପ୍ରଦେଶରୁ ଆସୁଛି। ତାମିଲନାଡୁ ଅଟୋମୋବାଇଲ୍ସ୍, ବୟନ ଶିଳ୍ପ ଓ ଇଲେକ୍ଟ୍ରୋନିକ୍ ଶିଳ୍ପ ଉପରେ ଗୁରୁତ୍ୱ ଦେଇଛି। କର୍ଣ୍ଣାଟକ ସେବା କ୍ଷେତ୍ରରେ, ରିଅଲ୍ ଇଷ୍ଟେଟ୍, ବୃତ୍ତିଗତ ସେବା ଓ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ଭଲ ସଫଳତା ପାଇଛି। ସେହିପରି ସାମାଜିକ ଉଦ୍ୟୋଗରେ କେରଳ ସାରା ଭାରତରେ ପ୍ରଥମ। ଏହାର ସାକ୍ଷରତା ହାର ଶତକଡ଼ା ୯୬.୨ ଭାଗ ଓ ଆୟୁଷସୀମା ୭୫.୨ ବର୍ଷ। ଜାତୀୟ ସ୍ତରରେ ଏହା ଶତକଡ଼ା ୬୯.୪ ବର୍ଷ ରହିଛି। ଭାରତରେ ଯଦି କୌଣସି ରାଜ୍ୟମାନଙ୍କରେ ଇନୋଭେସନ୍ ସମ୍ଭବ ହୋଇଛି ତାହା ମୁଖ୍ୟତଃ ଦକ୍ଷିଣ ଭାରତ ରାଜ୍ୟମାନଙ୍କରେ ଦେଖାଯାଉଛି। କାରଣ ସେହିସବୁ ରାଜ୍ୟରେ ମାନବ ସମ୍ବଳର ବିକାଶ ଦିଗରେ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଅଗ୍ରଗତି ଅଧିକ ହୋଇଛି।
ନିକଟରେ କେରଳରେ ଶାସନ କ୍ଷମତାରେ ଥିବା ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟର ବିରୋଧୀ ପକ୍ଷ ଭାବେ ବିବେଚିତ କଂଗ୍ରେସ ସାଂସଦ ଶଶି ଥରୁର ଏକ ଅଗ୍ରଲେଖାରେ କେରଳର ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ ସାରା ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଥିବା ଦାବି କରିଛନ୍ତି। ବିଶ୍ୱର ୪୫ ଲକ୍ଷ କମ୍ପାନୀର ତଥ୍ୟକୁ ବିଶ୍ଳେଷଣ କରି କୁହାଯାଇଛି ଯେ, ଗତ ୧୮ ମାସ ଭିତରେ କେରଳର ଷ୍ଟାର୍ଟ ଅପ୍ ଯେଉଁ କ୍ଷମତା ହାସଲ କରିଛନ୍ତି ତାହାର ମୂଲ୍ୟ ୧୭୦ କୋଟି ଡଲାର୍। ଯାହାକି ବିଶ୍ୱର ସେହି ସମୟର ହାରାହାରିର ପ୍ରାୟ ୫ ଗୁଣ। କେରଳରେ ଯେଉଁଠାରେ ନୂଆ ବ୍ୟବସାୟ କରିବା ପାଇଁ ପୂର୍ବରୁ ୨୩୬ ଦିନ ଲାଗୁଥିଲା ଓ ଭାରତର ଅନ୍ୟ ଅଞ୍ଚଳରେ ଅତି କମରେ ୧୧୪ ଦିନ ଲାଗୁଛି ସେଠାରେ ଏବେ କେରଳରେ ୨ ମିନିଟ୍ ଭିତରେ ବ୍ୟବସାୟ ଆରମ୍ଭ କରିବା ପାଇଁ ସମସ୍ତ କାର୍ଯ୍ୟ ହେବା ସମ୍ଭବ ହେଉଥିବା ସେହି ରାଜ୍ୟର ଶିଳ୍ପମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ତଥ୍ୟ ନେଇ କଂଗ୍ରେସ ଦଳରେ ବିବାଦ ହେଉଥିଲେ ମଧ୍ୟ କେରଳରେ ବ୍ୟବସାୟିକ ବାତାବରଣ ଅନୁକୁଳ ଥିବା ଜଣାପଡୁଛି।
ବାସ୍ତବରେ ଦେଖିବାକୁ ଗଲେ ସମୁଦାୟ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବିକାଶ ହାର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ହୋଇ ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ମୁଖ୍ୟ କାରଣ ଭାବେ ସେହିସବୁ ରାଜ୍ୟମାନଙ୍କରେ ଶିକ୍ଷା ଓ ମାନବିକ ସମ୍ବଳ ବିକାଶରେ ମାତୃଭାଷା ଉପରେ ସର୍ବାଧିକ ଗୁରୁତ୍ୱ ସହ ଇଂରାଜୀ ଭାଷାକୁ ଯେପରି ଗ୍ରହଣ କରିଛନ୍ତି ତାହା ସେମାନଙ୍କ ବିକାଶ ପାଇଁ ସାହାଯ୍ୟ କରିଛି। ବାସ୍ତବରେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବିଶେଷ ଭାବରେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ତାମିଲ, ମାଲାୟଲାମ୍ ଓ କନ୍ନଡ଼ ଭାଷାକୁ କେବଳ ଗୁରୁତ୍ୱ ଦିଆଯାଇ ନାହିଁ କ୍ରମାଗତ ଭାବରେ ସେହିସବୁ ରାଜ୍ୟରେ ଭାଷା ଆନ୍ଦୋଳନକୁ ବରାବର ଏପରି ସ୍ତରକୁ ନିଆଯାଇଛି ଯେ, ସେଠାରେ ଲୋକମାନଙ୍କ ଭିତରେ ଏକ ନୂଆ ପ୍ରକାର ଭାବନା ସବୁବେଳେ ଜାଗ୍ରତ ହୋଇରହିଛି। ନିକଟରେ ଓଡ଼ିଆ ଭାଷା ଆନ୍ଦୋଳନ ସଂକ୍ରାନ୍ତରେ ଗତ ଦଶନ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବୈଷ୍ଣବ ଚରଣ ପରିଡ଼ାଙ୍କର ଏକ ଜୟନ୍ତୀ ଉତ୍ସବରେ ଅଧ୍ୟାପକ ଡ଼. ମାନସ ବେହେରା ଭାରତୀୟ ସମ୍ବିଧାନରେ ଆଞ୍ଚଳିକ ଭାଷାର ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ଆଲୋଚନା କଲାବେଳେ ଏହି ପ୍ରସଙ୍ଗକୁ ଭଲ ଭାବରେ ଉତ୍ଥାପନ କରିଥିଲେ।
ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଭାଷାଗତ ବିବିଧତା ଭିତରେ ଜାତୀୟ ଏକତା ସୁରକ୍ଷିତ ହୋଇ ରହିଛି। କିନ୍ତୁ ଯେଉଁ ଆଞ୍ଚଳିକ ଭାଷା ଯେତେ ପୁରୁଣା ଓ ଯେଉଁଠାରେ ସେହି ଭାଷାକୁ ନେଇ ଯେତେ ଆନ୍ଦୋଳନ ଓ ଗଣଚେତନା ସୃଷ୍ଟି ହୋଇଛି ସେହି ଅଞ୍ଚଳରେ ସ୍ୱାଧୀନତା ପରେ ବିକାଶ ଧାରା ବି ତ୍ୱରାନ୍ୱିତ ହୋଇଛି। ତାମିଲ, ମାଲାଲୟମ୍ ଓ କନ୍ନଡ଼ ସହିତ ତେଲୁଗୁ ପ୍ରଭୃତି ଭାଷାଗୁଡ଼ିକ ଉପରେ ଯେଉଁ ଧରଣର ଚିନ୍ତା ଓ ଆନ୍ଦୋଳନ କ୍ରମାଗତ ଭାବରେ ଚାଲିଛି ତାହା ସେହି ରାଜ୍ୟର ଲୋକମାନଙ୍କୁ ବିକଶିତ ହେବା ପାଇଁ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶା ଦେଶରେ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରଥମ ରାଜ୍ୟ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷା ସବୁ କ୍ଷେତ୍ରରେ ରାଜ୍ୟର ସରକାରୀ ଭାଷା ଭାବରେ ଓ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରିପାରି ନାହିଁ। ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପରେ ଭାଷା ଆନ୍ଦୋଳନ ରାଜ୍ୟରେ ଶୀଥିଳ ହୋଇଯିବା ଫଳରେ ଓଡ଼ିଶାର ବିକାଶ ମଧ୍ୟ ଶିଥିଳ ହୋଇଯାଇଥିଲା। ଡ଼. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ଭାଷା ପ୍ରତି ଅନୁଗତ ଥିବା ନେତୃମଣ୍ଡଳୀ ରାଜ୍ୟର ଦାୟିତ୍ୱ ନେଇଥିଲେ ମଧ୍ୟ ଲୋକମାନଙ୍କ ସ୍ତରରେ ଭାଷା ଆନ୍ଦୋଳନ ଯେପରି କ୍ରିୟାଶୀଳ ହେବା କଥା ତାହା ହୋଇପାରି ନାହିଁ। ସେଥିପାଇଁ ଆଦୌ ଓଡ଼ିଆ ଭାଷା ଜାଣିନଥିବା ବା ଓଡ଼ିଆର ଜୀବନଜୀବିକାକୁ ଭାଷା ଦୃଷ୍ଟିରୁ ଆଦୌ ଅନୁଭବ କରିନଥିବା ନବୀନ ପଟ୍ଟନାୟକ ୨୪ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିଲେ। ଜନସାଧାରଣ ଭାଷା ଅପେକ୍ଷା ସେମାନଙ୍କୁ କିଏ ସରକାରୀ ଯୋଜନାରେ ସନ୍ତୁଷ୍ଟ କରିପାରୁଛି ସେଥିପ୍ରତି ଅଧିକ ଦୃଷ୍ଟି ଦେଲେ।
ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଯାଇ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ଯେଉଁ ଭାଷା ଆନ୍ଦୋଳନ ଓ ଚିନ୍ତନର ବିକାଶ ଯୋଗୁ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ଅର୍ଥନୀତି କ୍ଷେତ୍ରରେ ପ୍ରଗତି ହାସଲ କରିଛନ୍ତି ତାହାକୁ ରାଜ୍ୟରେ ଏବେ ବି ଗୁରୁତ୍ୱ ଦିଆଯାଉନାହିଁ। କେନ୍ଦ୍ର ସରକାର ଯେଉଁ ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି ଓ ଯାହାକୁ ଓଡ଼ିଶା ଗ୍ରହଣ କରିନେଇଛି ସେଥିରେ ଓଡ଼ିଆ ଭାଷାର ପ୍ରକୃତ ଅବସ୍ଥା କ’ଣ ହୋଇପାରେ ଓ ଓଡ଼ିଆ ଭାଷାକୁ ନେଇ ଓଡ଼ିଆ ଜାତୀୟତାର ଯେଉଁ ଭାବନା ଜାଗ୍ରତ ହେବା କଥା ତାହା କେତେଦୂର ସୁରକ୍ଷିତ ରହିବ ତାହା ନେଇ ପ୍ରଶ୍ନମାନ ରହିଛି। ନୂଆ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ତିନି ଭାଷା ଯେଉଁଠାରେ ଆଞ୍ଚଳିକ ଭାଷା ସହିତ ଇଂରାଜୀ ଓ ହିନ୍ଦୀ ପଢ଼ିବା ବାଧ୍ୟତାମୂଳକ ହୋଇଛି ତାହା ଛାତ୍ରଛାତୀମାନଙ୍କ ଭିତରେ କେଉଁ ଭାବନା ସୃଷ୍ଟି କରୁଛି ତାହାର ଅନୁସନ୍ଧାନ ହେଉନାହିଁ। କିନ୍ତୁ ତାମିଲନାଡୁ ସରକାର ସିଧାସଳଖ ଏହି ଶିକ୍ଷାନୀତିକୁ ଗ୍ରହଣ କରୁନାହାନ୍ତି। ହିନ୍ଦୀ ଭାଷା ସେମାନଙ୍କ ଉପରେ ଲଦି ଦିଆଯାଉଥିବା ଅଭିଯୋଗ କରି ସେମାନେ ତାହାର ପ୍ରତିବାଦ କରୁଛନ୍ତି। ଏହା କି ରୂପ ନେବ ଜଣାନାହିଁ। କାରଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏ ସଂକ୍ରାନ୍ତୀୟ ବକ୍ତବ୍ୟ ଓ ଚିଠିକୁ ତାମିଲନାଡୁ ଏପରିକି କେରଳ ସିଧାସଳଖ ଅଗ୍ରାହ୍ୟ କରିଦେଇଛି। ଭାରତୀୟ ରାଜନୀତି ଉପରେ ଦକ୍ଷିଣ ଭାରତର ପ୍ରଭାବ ସୀମିତ ହେଲେ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସେମାନେ ଯେଉଁଠାରେ ପହଞ୍ଚିଛନ୍ତି ତାହା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ୍ ହୋଇ ରହିବ। ଯିଏ ଯାହା କହୁ ନା କାହିଁକି ସେହିସବୁ ରାଜ୍ୟମାନଙ୍କରେ ଭାଷା ସହିତ ସାମାଜିକ ଆନ୍ଦୋଳନର ପୃଷ୍ଠଭୂମି ଯୋଗୁ ସେହି ରାଜ୍ୟଗୁଡ଼ିକ ଭାରତ ବର୍ଷର ଅଗ୍ରଣୀ ରାଜ୍ୟ ଭାବରେ ବିବେଚିତ ହେଉଛନ୍ତି।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।