ରବି ଦାସ
ଓଡ଼ିଶାରେ ୨୪ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରେ ରାଜ୍ୟରେ ଆଞ୍ଚଳିକତାବାଦ ପ୍ରସଙ୍ଗଟି ଦୁର୍ବଳ ହୋଇଯାଇଛି ବୋଲି ଅନେକ ବିଚାର କରିପାରନ୍ତି। କିନ୍ତୁ ଅସଲ କଥା ହେଉଛି ଯେ, ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ଏକ ଜାତୀୟ ଦଳ ହେଲେ ମଧ୍ୟ ଓଡ଼ିଶା ନିର୍ବାଚନରେ ମୁଖ୍ୟତଃ ଓଡ଼ିଆ ଅସ୍ମିତା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଓ ମନ୍ଦିରର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ପ୍ରମୁଖ ବିଷୟ ଭାବରେ ଉପସ୍ଥାପିତ କରିଥିଲା।
ବିଜୁ ଜନତା ଦଳ ଦୀର୍ଘ ଦିନ ଧରି ଆଞ୍ଚଳିକତାବାଦ ପ୍ରଭାବରେ କ୍ଷମତାରେ ରହିଲେ ମଧ୍ୟ ରାଜ୍ୟର ଲୋକମାନଙ୍କର ଭାଷା, ସାହିତ୍ୟ, ପରମ୍ପରା, ରାଜ୍ୟର ବିସ୍ତୃତ ପ୍ରାକୃତିକ ସମ୍ପଦର ଉପଯୁକ୍ତ ସଂରକ୍ଷଣ ଓ ବିନିଯୋଗ କ୍ଷେତ୍ରରେ କୌଣସି ନୀତି ବା କାର୍ଯ୍ୟକ୍ରମ କରିପାରି ନଥିଲା। ବିଶେଷ ଭାବେ ଓଡ଼ିଶାର ଯେଉଁ ବର୍ଗଗୁଡ଼ିକ ରାଜ୍ୟର ସମ୍ପଦ, ପରମ୍ପରା ଓ ଚଳଣିକୁ ସୁରକ୍ଷିତ ରଖିଥିଲେ, ସେମାନଙ୍କ ଉପରେ ଏକ ଆଞ୍ଚଳିକ ଦଳ ଯାହା କରିବା କଥା ତାହା ନକରି ଏହି ସବୁ ସମ୍ପଦରୁ କିପରି ବାହାର ଲୋକମାନେ ଅଧିକ ଉପକୃତ ଓ ଲୁଟ୍ କରିପାରିବେ ସେଥିପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବା ଫଳରେ ଏକ ଅସନ୍ତୋଷର ବାତାବରଣ ରାଜ୍ୟକୁ ଗ୍ରାସ କରିଥିଲା।
ସି.ଏସ୍ ଲୋକନୀତିର ନିର୍ବାଚନ ପରବର୍ତ୍ତୀ ସର୍ଭେରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ବିଜୁ ଜନତା ଦଳ ଓ ସେ ସରକାରର ନୀତିଗୁଡ଼ିକ ଫଳରେ ସହରାଞ୍ଚଳରେ ସେମାନଙ୍କର ସମର୍ଥନ କାୟମ ରହିଥିଲେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ପରିବର୍ତ୍ତନ ପାଇଁ ବିକଳ୍ପ ଖୋଜୁଥିଲେ। ସେଥିପାଇଁ ବିଜେପି ଗ୍ରାମାଞ୍ଚଳରେ ଅଧିକ ସମର୍ଥନ ହାସଲ କରିପାରିଲା। ଏଥିପାଇଁ ଚାଷୀମାନଙ୍କର ଏକ ପ୍ରମୁଖ ଭୂମିକା ସହିତ ଶାସନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଯୋଗୁ ଗ୍ରାମାଞ୍ଚଳ ଲୋକ ପରିବର୍ତ୍ତନ ପାଇଁ ବିଜେଡ଼ି ବିରୁଦ୍ଧରେ ଭୋଟ ଦେଇ ବିଜେପିକୁ ସମର୍ଥନ କଲେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଓଡ଼ିଶାରେ ଆଞ୍ଚଳିକତାବାଦ ପ୍ରସଙ୍ଗହୀନ ହୋଇଯାଇଛି। ବାସ୍ତବରେ ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବରେ କାମ ନକରି ବାହାର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଓ ରାଜ୍ୟରେ ଖଣିଜ ପଦାର୍ଥର ଲୁଟ୍ ପାଇଁ ଆର୍ଥିକ ବିଷମତାର ଏକ ବିରାଟ ପାଚେରୀ ସୃଷ୍ଟି କରିବାରୁ ଜନସାଧାରଣ ଏହାକୁ ଦଣ୍ଡିତ କରିବାକୁ ଚାହିଁଲେ। ବିଶେଷ ଭାବରେ ବିଜୁ ଜନତା ଦଳ ରାଜ୍ୟର ନେତାମାନଙ୍କ ହାତରୁ କ୍ଷମତା ଛଡ଼େଇ ନେଇ ମୁଷ୍ଟିମେୟ ଅମଲାତନ୍ତ୍ରୀଙ୍କୁ ସବୁ କ୍ଷେତ୍ରରେ କ୍ଷମତାଶାଳୀ କରିବା ଫଳରେ ଜନସାଧାରଣ ଏପରି ଆଞ୍ଚଳିକ ଦଳକୁ ଦଣ୍ଡିତ କରିବାକୁ ଚାହିଁଥିଲେ।
କେହି ଭୁଲିଯିବା ଉଚିତ୍ ନୁହେଁ ଯେ, ଓଡ଼ିଶାରେ ଜାତୀୟତା ସହିତ ଆଞ୍ଚଳିକବାଦ ସ୍ୱାଧୀନତା ସଂଗ୍ରାମ ସମୟରୁ ବରାବର ରହି ଆସିଥିଲା। ସେଥିପାଇଁ ସ୍ୱାଧନତା ପରେ କଂଗ୍ରେସ ଦଳ ୧୯୬୧ ପର୍ଯ୍ୟନ୍ତ କେବେ ବି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଶାସନ କ୍ଷମତା ପାଇ ନଥିଲା। ୧୯୬୭ ମସିହାରେ କଂଗ୍ରେସ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିଲା। ସେତେବେଳେ ଏକ ଆଞ୍ଚଳିକ ଦଳ ସହାୟତାରେ ସ୍ୱତନ୍ତ୍ର ପାର୍ଟିର ସରକାର ସମ୍ଭବ ହେଲା। ଓଡ଼ିଶାରେ ଏହି ଆଞ୍ଚଳିକବାଦର ଏକ ପୃଷ୍ଠଭୂମି ଥିବାରୁ ବିଜୁ ପଟ୍ଟନାୟକ ଯେତେବେଳେ ୧୯୭୦ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଉପେକ୍ଷିତ ହେଲେ ଓ ଅପମାନିତ ହେଲେ, ସେତେବେଳେ ସେ ରାଜ୍ୟ କଂଗ୍ରେସରେ ଏକ ବିଭାଜନ ଘଟାଇ ଉତ୍କଳ କଂଗ୍ରେସ ନାମକ ଏକ ଆଞ୍ଚଳିକ ଦଳ ଗଠନ କରି ୧୯୭୧ ନିର୍ବାଚନରେ ଭଲ ସଫଳତା ପାଇଥିଲେ। ସେତେବେଳେ ମଧ୍ୟ ଆଞ୍ଚଳିକ ଦଳମାନଙ୍କର ମେଣ୍ଟ ଜରିଆରେ ଏକ ନୂଆ ସରକାର ଗଠିତ ହୋଇଥିଲା। ଯଦିଓ ସେହି ସରକାର ବେଶି ଦିନ ରହିଲା ନାହିଁ, ତଥାପି ୧୯୭୪ରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବିଜୁ ପଟ୍ଟନାୟକ ନେତୃତ୍ୱରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ଓ ସମାଜବାଦୀମାନେ ମିଶି ଯେଉଁ ପ୍ରଗତି ଦଳ ଗଠନ କରିଥିଲେ ତାହା ସିଧା ସରକାରକୁ ନ ଆସିଲେ ମଧ୍ୟ କଂଗ୍ରେସ ଦଳକୁ ସି.ପି.ଆଇ ସହାୟତାରେ ଏକ ସଂଖ୍ୟାଲଘୁ ସରକାର କରିବାକୁ ବାଧ୍ୟ କରିଥିଲା।
୧୯୭୭ରେ ଜାତୀୟ ରାଜନୀତିର ପରିର୍ତ୍ତନ ସହିତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ଜନତା ପାର୍ଟିରେ ରୂପାନ୍ତରିତ ହୋଇ କ୍ଷମତାକୁ ଆସିଲା। ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ଜନତା ପାର୍ଟି ଭାଙ୍ଗିଯିବା ଯୋଗୁ ଦିଲ୍ଲୀରେ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୯୮୦ରେ କଂଗ୍ରେସ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତାକୁ ଆସିଲା। ବିଜୁ ପଟ୍ଟନାୟକ ଦୀର୍ଘ ୧୦ ବର୍ଷ କାଳ କେନ୍ଦ୍ରର ଯେଉଁ ଦଳ ସହିତ ରହିଲେ ମଧ୍ୟ ଓଡ଼ିଶାରେ ତାଙ୍କ ନେତୃତ୍ୱାଦୀନ ଦଳ ଆଞ୍ଚଳିକ ଦଳ ଭାବରେ ବରାବର କାମ କରୁଥିଲା। ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶାର ଜନତା ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତାକୁ ଆସିବା ସମୟରେ ଓଡ଼ିଶାର ସ୍ୱାତନ୍ତ୍ରତା ଓ ନିଜସ୍ୱ ବିକାଶ ଉପରେ ବିଜୁ ପଟ୍ଟନାୟକ ଗୁରୁତ୍ୱ ଦେଇ ଆସିଥିଲେ। ୧୯୯୫ ନିର୍ବାଚନରେ ସେ ପରାସ୍ତ ହେଲେ ମଧ୍ୟ ସେ ଦୀର୍ଘ ବର୍ଷ ଧରି ଏପରିକି ଜନତା ଦଳ ଭିତରେ ମଧ୍ୟ ଓଡ଼ିଶା ପାଇଁ ଯେଉଁ ଆଞ୍ଚଳିକତାବାଦର ସ୍ଳୋଗାନ ଦେଇ ଆସୁଥିଲେ, ତା’ରି ଫଳରେ ତାଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ବିଜୁ ଜନତା ଦଳ ତାହାର ପୂରା ଫାଇଦା ପାଇଲା।
ଆଞ୍ଚଳିକତାବାଦର ପରମ୍ପରା ଓ ରାଜନୈତିକ ପରିବେଶ ଓଡ଼ିଶାରେ ଥିବା ଯୋଗୁ ଓଡ଼ିଆ ଭାଷା ବା ଓଡ଼ିଶା ସମ୍ପର୍କରେ ଯଥେଷ୍ଟ ଜ୍ଞାନ ନଥିବା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ୫ଟି ନିର୍ବାଚନରେ ବିଜୟୀକରି କ୍ଷମତାଶୀନ କଲେ। ଏବେ ଆଞ୍ଚଳିକତାବାଦ ପ୍ରତି ତାଙ୍କର ବିଶ୍ୱାସ ଘାତକତା ଯୋଗୁ ସେ ଏବେ କ୍ଷମତାଚ୍ୟୁତ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ଜରିଆରେ ବା ତାଙ୍କରି ନେତୃତ୍ୱରେ ଓଡ଼ିଶାର ଆଞ୍ଚଳିକ ଭାବନା ପାଇଁ ଯେଉଁ ବ୍ୟବସ୍ଥା ଓ ନୀତି ଆବଶ୍ୟକ ସେ ତାହା କରିପାରିଲେ ନାହିଁ। ତାଙ୍କର ବୟସ ସହିତ ସମୁଦାୟ ବିଜୁ ଜନତା ଦଳକୁ ସେ ଏକ ଆଞ୍ଚଳିକତାବାଦ ଦୃଷ୍ଟିରୁ ଏକ ନପୁଂସକ ସଂଗଠନରେ ପରିଣତ କରିଦେଇଛନ୍ତି। କିନ୍ତୁ ଓଡ଼ିଶାର ଆଞ୍ଚଳିକତାବାଦ ପାଇଁ ଏବେ ବି ଅସଲ ପୃଷ୍ଠଭୂମି ରହିଛି। କିଏ ବା କେଉଁମାନେ ଓଡ଼ିଶାର ଲୋକମାନେ ଚାହୁଁଥିବା ଆଞ୍ଚଳିକତାବାଦର ଅଭିଳାଷକୁ ପୂରଣ କରିବେ ତାହା ହଠାତ୍ କହିବା କଷ୍ଟକର। ଓଡ଼ିଶାରେ ପୂର୍ବରୁ ବହୁ ଆଞ୍ଚଳିକ ଦଳ କିଛି ଦିନ କ୍ଷମତା ପାଇଲାପରେ ଆଞ୍ଚଳିକତାବାଦ ପାଇଁ ଯାହା ଆବଶ୍ୟକ ତାହା ନକରି ପାରିବାରୁ ଲୋକମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲେ। କିନ୍ତୁ ଓଡ଼ିଶାରେ ଆଞ୍ଚଳିକତାବାଦର ଏକ ବହୁ କାଳର ମଞ୍ଜି ରହିଥିବାରୁ ଓ ବିଜୁ ପଟ୍ଟନାୟକ ସେହି ଧାରାକୁ ବହୁବର୍ଷ ଆଗେଇ ନେଇଥିବାରୁ ନବୀନ ପଟ୍ଟନାୟକଙ୍କ ଭଳି ରାଜ୍ୟରେ ଜଣେ ଅପରିଚିତ ନେତା କେବଳ ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିବାରୁ ୨୪ ବର୍ଷ କ୍ଷମତା ଉପଭୋଗ କରିଛନ୍ତି। ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଯାହା ବି କରନ୍ତୁ ନା କାହିଁକି ଓ ତାଙ୍କର ଜୀବନକାଳ ଯାହା ହେଉ ନା କାହିଁକି ଓଡ଼ିଶା ଆଞ୍ଚଳିକତାବାଦ ପାଇଁ ନୂଆ ନେତୃତ୍ୱ ଓ ଟିମର ଆବଶ୍ୟକତା ଅନୁଭବ କରିବ।
ଫୋ- ୯୪୩୭୪୦୪୪୫୫