‘ରାଜଦ୍ରୋହ’ କଦାପି ‘ଦେଶଦ୍ରୋହ’ ନୁହେଁ!

ଦେଶବାସୀ ହିଁ ଗଣତନ୍ତ୍ରର ପ୍ରକୃତ ସ୍ଵର। କିନ୍ତୁ ନିଜକୁ ଉତ୍ତର ଦେବାର ଡରରେ ଯଦି ଶାସକମାନେ ଦେଶବାସୀଙ୍କ ବାକ ସ୍ଵାଧୀନତାକୁ ‘ଦେଶଦ୍ରୋହ’ ଅପରାଧରେ ପରିଣତ କରିବେ ତେବେ ଗଣତନ୍ତ୍ର ଏକ ରାଜତନ୍ତ୍ରରେ ହିଁ ପରିଣତ ହୋଇଯିବ।

  • ଦେବରଞ୍ଜନ

‘ଦେଶଦ୍ରୋହ’ ଆଇନ (ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ) ମୁଖ୍ୟତଃ ଜନସାଧାରଣଙ୍କ କଥା କହିବାର ଅଧିକାର ବିପକ୍ଷରେ ଏକ ଦଣ୍ଡବିଧି ଆଇନ। ସମ୍ବିଧାନର ଧାରା ୧୯(୧)(ଏ)ରେ ବାକ ସ୍ଵାଧୀନତାର କଥା ଉଲ୍ଲେଖ ରହିଛି। ପୁଣି ଧାରା ୧୯(୨)ରେ ‘ଯୁକ୍ତିଯୁକ୍ତ କଟକଣା’ ବା reasonable restrictionର କଥା ମଧ୍ୟ ରହିଛି। ଅର୍ଥାତ ନାଗରିକର କହିବାର ଅଧିକାର ତ ରହିଛି କିନ୍ତୁ ଏହି କହିବାର ଅଧିକାର ଦ୍ଵାରା ଦେଶରେ ଅଖଣ୍ଡତା ପ୍ରତି ଯେପରି ଆଞ୍ଚ ନଆସେ ଓ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ହିଂସା ଉଦ୍ରେକ ନହୁଏ ସେଥିଲାଗି ନାଗରିକ ସାମ୍ନାରେ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି।

କ୍ରମଶଃ ସରକାର ହିଁ ନିଜକୁ ଦେଶ ବୋଲି ମନେ କଲେ ଓ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବାକୁ  ‘ଦେଶଦ୍ରୋହ’ କାର୍ଯ୍ୟ ବୋଲି ନୂତନ ସଂଜ୍ଞା ନିରୂପଣ କରି ଅନେକ ଦେଶବାସୀଙ୍କୁ ଗିରଫ କଲେ। ଏହି କାରଣରୁ ‘ଦେଶଦ୍ରୋହ’ ଆଇନ (ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ) କ୍ରମଶଃ ବିବଦମାନ ହୋଇଗଲା। ଏଥିଲାଗି ସୁପ୍ରିମ କୋର୍ଟରେ କେତେ ଜଣ ସାମ୍ବାଦିକ, ମାନବିକ ଅଧିକାର କର୍ମୀ ଓ ଜଣେ ଲୋକସଭା ସଦସ୍ୟ ଏହି ଆଇନକୁ ବାତିଲ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରି ଯାଚିକା ଦାଏର କରିଥିଲେ।

‘ଦେଶଦ୍ରୋହ’ ଆଇନ ସଂକ୍ରାନ୍ତରେ ସୁପ୍ରିମ କୋର୍ଟ ନିକଟରେ ଦେଇଥିବା ନିଜ ରାୟରେ ଉଲ୍ଲେଖ କରିଛନ୍ତି, ‘ଆମେ ଆଶା କରିବା ଯେ ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନୂତନ ‘ଦେଶଦ୍ରୋହ’ (ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ) ମାମଲା ଦାୟର କରିବେ ନାହିଁ।‘ ପୁଣି, ‘ଯଦି ନୂତନ ଅଭିଯୋଗ (ଏଫଆଇଆର) ଦାୟର ହୁଏ ତେବେ ବର୍ତ୍ତମାନର ରାୟକୁ ତଳ କୋର୍ଟମାନେ ବିଚାରକୁ ନେବେ।‘

ସୁପ୍ରିମ କୋର୍ଟ ପୁଣି ଅନୁରୋଧ କରିଛନ୍ତି, ‘ବର୍ତ୍ତମାନ ଜେଲରେ ଥିବା ଦେଶଦ୍ରୋହ ମାମଲାର ‘ଅଭିଯୁକ୍ତମାନେ’ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରନ୍ତୁ।‘ ଏଥିରେ ସୁପ୍ରିମ କୋର୍ଟ ନା ସଂପୂର୍ଣ୍ଣ ଭାବରେ ଏହି ‘ଦେଶଦ୍ରୋହ’ ଆଇନକୁ ରବ୍ଦ କଲେ ନା ଗିରଫ ହୋଇ ରହିଥିବା ଦେଶବାସୀଙ୍କୁ ଜେଲରୁ ତୁରନ୍ତ ମୁକ୍ତି ଦେଲେ।

ଏହି ‘ଅନୁରୋଧ’, ‘ଯଦି’ ଓ ‘ଆଶା କରିବା’ ଭିତରେ ସୁପ୍ରିମ କୋର୍ଟ ‘ଦେଶଦ୍ରୋହ’ ଆଇନ ସଂକ୍ରାନ୍ତରେ ନିଜର ଦାୟିତ୍ଵ ସାରିଦେବା ଉଚିତ ନୁହେଁ। ଆମେ ଆଶା କରିବା ଯେ ସୁପ୍ରିମ କୋର୍ଟ ଏହି ଉପନିବେଶ ସମୟର ଆଇନକୁ ସଂପୂର୍ଣ୍ଣ ରବ୍ଦ କରିଦେବେ।

ଆଇନର ଅପବ୍ୟବହାର

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଅଭିଯୋଗ ଥିଲା ଯେ କେନ୍ଦ୍ର ସରକାର କୋଭିଡ ପରିଚାଳନାରେ ତ୍ରୁଟି କରୁଛନ୍ତି ଯାହା ହେତୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଏହି କଥା ସେ ନିଜର ଟିଭି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଜଣାଇଥିଲେ। ଆଜି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଦିଏ ଯେ ଭାରତରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସର୍ବାଧିକ। ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ କାରଣ ହେତୁ, ଅନ୍ୟୁନ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଯଦି ବିନୋଦ ଦୁଆଙ୍କ ଭଳି ସାମ୍ବାଦିକଙ୍କ କଥାକୁ ସରକାର ଧ୍ୟାନ ଦେଇଥାନ୍ତେ ତେବେ ପରିସ୍ଥିତି ଏତେ ଖରାପ ହୋଇନଥାନ୍ତା।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ କେନ୍ଦ୍ର ସରକାର ଅବଶ୍ୟ “ଭୁଲ ତଥ୍ୟ” କହି ଏଡ଼ାଇ ଯାଇଛନ୍ତି। ଏ ଭିତରେ ବିନୋଦ ଦୁଆଙ୍କ ମୃତ୍ୟୁ ହୋଇଗଲାଣି। ବଞ୍ଚିଥିଲେ ତ ସେ କହିଥାନ୍ତେ ଯେ ସରକାର ତୁମେ ସେହି କଥା ମୋ’ଠାରୁ ନଶୁଣି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭଳି ବିଶ୍ଵ ସଂସ୍ଥାଠାରୁ ଶୁଣିବା କଣ ଅଧିକ ଉପଯୁକ୍ତ ହେଲା? କିନ୍ତୁ କେନ୍ଦ୍ର ସରକାର ବିନୋଦ ଦୁଆଙ୍କ ବିପକ୍ଷରେ ‘ଦେଶଦ୍ରୋହ’ ମାମଲା ରୁଜ୍ଜୁ କରିଥିଲେ। ପରେ ସୁପ୍ରିମ କୋର୍ଟ ବିନୋଦ ଦୁଆଙ୍କ ବିପକ୍ଷରେ ରହିଥିବା ଏହି ଧାରାକୁ ରବ୍ଦ କରିଦେଇ ତାଙ୍କୁ ଗିରଫ ହେବାରୁ ବଞ୍ଚାଇଥିଲେ।

କେନ୍ଦ୍ର ସରକାର ଶେଷରେ କୃଷକ ସଂଗଠନମାନଙ୍କ ଦାବିକୁ ମାନିନେଇ ତିନି କୃଷି ଆଇନକୁ ଫେରସ୍ତ ନେଲେ। କିନ୍ତୁ  ବାଙ୍ଗାଲୋରର ବାଇଶ ବର୍ଷୀୟା ପରିବେଶ କର୍ମୀ ଦିଶା ରବିଙ୍କୁ ନିଜର ଟୁଇଟର ପୋଷ୍ଟ ଲାଗି ‘ଦେଶଦ୍ରୋହ’ ମାମଲାରେ ତାଙ୍କୁ ରାତାରାତି ଗିରଫ କରି ଦିଲ୍ଲୀ ଆଣିବା କଣ ଭୁଲ ନଥିଲା କି? ସେ କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌ କିଟକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କେବଳ କରିଥିଲେ। ଦିଲ୍ଲୀ କୋର୍ଟ ତାଙ୍କ ବିପକ୍ଷରେ ଥିବା “ଦେଶଦ୍ରୋହ” ଓ “ଷଡ଼ଯନ୍ତ୍ର” ଅଭିଯୋଗକୁ ରବ୍ଦ କରିଦେଲେ। ଆଜି କେନ୍ଦ୍ର ସରକାରଙ୍କ ସ୍ଵୀକାରୋକ୍ତି ଓ ତିନି କୃଷି ଆଇନ ଫେରସ୍ତ ସମ୍ପର୍କରେ ଶୁଣିଲା ପରେ ସେ କ’ଣ ତାଙ୍କ ଗିରଫ “ଆକ୍ରୋଶମୂଳକ ପଦକ୍ଷେପ” ଥିଲା ବୋଲି ସ୍ପଷ୍ଟ ହେଉନଥିବେ?

କେବଳ କେନ୍ଦ୍ର ସରକାର ନୁହନ୍ତି, ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏଆଇଏଡ଼ିଏମକେ ସରକାର (୨୦୧୧) ଦ୍ଵାରା କୁଡଲକୁଲମଠାରେ ଆଣବିକ ପ୍ଳାଣ୍ଟ ସମ୍ପ୍ରସାରଣକୁ ବିରୋଧ କରିବା କାରଣରୁ ମିଡିଆ ତଥ୍ୟ ଅନୁସାରେ ୩୮୦ଟି ମାମଲାରେ ୮୮୫୬ ଜଣଙ୍କ ନାମରେ ‘ଦେଶଦ୍ରୋହ’ ଅଭିଯୋଗରେ ଗିରଫ ପରବାନା ଜାରି କରାଯାଇଥିଲା। କୁଡଲକୁଲମ ଅଞ୍ଚଳର ତିନି ଚାରୋଟି ଗାଁର ସମସ୍ତ ଗ୍ରାମବାସୀଙ୍କୁ ‘ଦେଶଦ୍ରୋହ’ ଅଭିଯୋଗରେ ଗିରଫ ପରବାନା ଜାରି କରାଯାଇଥିଲା। ପରେ ୨୦୧୪ ମସିହାରେ ସୁପ୍ରିମ କୋର୍ଟ ଏହା ଉପରେ ରୋକ ଲଗାଇବା ସହିତ ମାମଲା ପ୍ରତ୍ୟାହାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଅନୁସାରେ ଏହି କାରଣରୁ ବେଶ କେତେକ କେସକୁ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ପୁଣି କେତେକ କେସ କୋର୍ଟରେ ଜୀବିତ ରହିଛି।

ଝାଡ଼ଖଣ୍ଡରେ ୨୦୧୬ ମସିହାରେ ଆଦିବାସୀ ଜମିକୁ କମ୍ପାନୀମାନଙ୍କୁ ହସ୍ତାନ୍ତର କରିବା ଅର୍ଡିନାନ୍ସ ବିପକ୍ଷରେ ସମଗ୍ର ଆଦିବାସୀ ଅଞ୍ଚଳରେ ଯେଉଁ ‘ପଥରଗାଡି’ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏହାକୁ ଦମନ କରିବାକୁ ଯାଇ ରାଜ୍ୟ ସରକାର ୧୪,୦୦୦ ଲୋକଙ୍କ ବିପକ୍ଷରେ କେସ ଦାୟର କରିଥିଲେ। ସେଥିରୁ ୧୫୦୦ ଲୋକଙ୍କ ବିପକ୍ଷରେ ‘ଦେଶଦ୍ରୋହ’ (୧୨୪-ଏ ଆଇପିସି) ମାମଲା ଦାୟର ହୋଇଥିଲା। ଅନ୍ୟ ଏକ କଳା ଆଇନ ୟୁଏପିଏ (Unlawful Activities (Prevention) Act) ବଳରେ ରାଜ୍ୟ ସରକାର ଅଧିକ ଲୋକଙ୍କୁ ଗିରଫ କରିଥିଲେ। ପରେ, ଝାଡ଼ଖଣ୍ଡବାସୀ ଏହି ଦମନମୂଳକ ସରକାର ବିପକ୍ଷରେ ଭୋଟ ଦେଇ କ୍ଷମତାରେ ପରିବର୍ତ୍ତନ ଆଣିଥିଲେ। ନୂତନ ସରକାର ପୁଣି ସେହି ସମସ୍ତ ‘ଦେଶଦ୍ରୋହ’ ମାମଲାକୁ ଫେରାଇ ନେବାର ନିଷ୍ପତ୍ତି ଗଲା ବର୍ଷ ନେଇଛନ୍ତି।

“ଆର୍ଟିକଲ ୧୪” ନାମକ ମିଡିଆ ଗ୍ରୁପ ଦ୍ଵାରା ପ୍ରସ୍ତୁତ ରିପୋର୍ଟ ଏ ଡିକେଡ଼ ଅଫ ଡାର୍କନେସ (A Decade of Darkness) ଅନୁସାରେ ୨୦୧୧ରୁ ୨୦୨୧ ମସିହା ମଧ୍ୟରେ ୧୩,୦୦୦ ଭାରତୀୟଙ୍କ ବିପକ୍ଷରେ ‘ଦେଶଦ୍ରୋହ’ ମାମଲା ରୁଜ୍ଜୁ ହୋଇଛି। ସେଥିରୁ ୯୬% କେସ କେବଳ ସରକାରଙ୍କ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ତଥା ଫେସବୁକ ଓ ଟ୍ଵିଟରରେ ଆଦିରେ ତାହାକୁ ପୋଷ୍ଟ କରିବା କାରଣରୁ ହୋଇଛି।

ସେହି ସବୁ ‘ସମାଲୋଚନା ବା ଅଭିଯୋଗ’ ଭିତରେ ଅଛି ଭିଡ଼ହିଂସା ବିପକ୍ଷରେ ଖୋଲା ଚିଠି ଲେଖିବା, ଲୁଧିଆନା ଡାକ୍ତରଖାନାରେ କୋଭିଡ ସମୟରେ ଭେଣ୍ଟିଲେଟର ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବା, ହାଥ୍ରାସ ଗଣଧର୍ଷଣ ମାମଲାରେ ସରକାରଙ୍କୁ ସମାଲୋଚନା କରିବା ଓ ନାଗରିକ ସଂଶୋଧନ ଆଇନ ବିପକ୍ଷରେ ପ୍ରଚାର କରିବା। ଏହି ‘ଦେଶଦ୍ରୋହ’ ଆଇନରେ ଗିରଫ ହୋଇଥିବା କାରଣରୁ ଲୋକଙ୍କୁ ସେଥିଲାଗି ୫୦ରୁ ୨୦୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଛି ଓ ୧୦,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ଜାମିନ ଲାଗି ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି ଏହି ରିପୋର୍ଟ ତଥ୍ୟ ଦିଏ।

ଦେଶବାସୀ ହିଁ ଗଣତନ୍ତ୍ରର ପ୍ରକୃତ ସ୍ଵର। କିନ୍ତୁ ନିଜକୁ ଉତ୍ତର ଦେବାର ଡରରେ ଯଦି ଶାସକମାନେ ଦେଶବାସୀଙ୍କ ବାକ ସ୍ଵାଧୀନତାକୁ ‘ଦେଶଦ୍ରୋହ’ ଅପରାଧରେ ପରିଣତ କରିବେ ତେବେ ଗଣତନ୍ତ୍ର ଏକ ରାଜତନ୍ତ୍ରରେ ହିଁ ପରିଣତ ହୋଇଯିବ।

ଏହି ‘ଦେଶଦ୍ରୋହ’ ଆଇନକୁ ବିରୋଧ କରି କ୍ରମାଗତ ଭାବରେ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନ ଓ ବ୍ୟକ୍ତିବିଶେଷ ସରକାରଙ୍କ ଦ୍ଵାରା ଗିରଫକୁ ନଡରି ସ୍ଵର ଉତ୍ତୋଳନ କରିଛନ୍ତି, ଗିରଫ ବିପକ୍ଷରେ ଧାରଣା ଦେଇଛନ୍ତି ଓ ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରରକଙ୍କ ଆଇନ ମନ୍ତ୍ରଣାଳୟକୁ ଏହି ଆଇନ ରବ୍ଦ ଲାଗି ଅନେକ ଦାବିପତ୍ର ମଧ୍ୟ ଦେଇଆସିଛନ୍ତି।

ଏବେ ସୁପ୍ରିମ କୋର୍ଟଙ୍କ ସାମ୍ନାରେ ଏକ ବିରାଟ ଦାୟିତ୍ଵ ଆସି ପହଞ୍ଚିଛି। ସମ୍ବିଧାନରେ ଦିଆଯାଇଥିବା ‘ଯୁକ୍ତିଯୁକ୍ତ ବିରୋଧ’ବା reasonable restrictionକୁ କାଏମ ରଖି ଦେଶବାସୀଙ୍କୁ ସମ୍ବିଧାନର ଉଲ୍ଲେଖ ଥିବା ବାକ ସ୍ଵାଧୀନତାର ଅଧିକାରକୁ (ସମ୍ବିଧାନର ଧାରା ୧୯(୨) ଉଚ୍ଚତମ ନ୍ୟାୟଳୟ କେଉଁଭଳି କାଏମ ରଖିବେ ତାହା ଦେଖିବାର କଥା।

ପ୍ରକୃତରେ, କୌଣସି ଆଇନ ବାତିଲ ଲାଗି ପାର୍ଲାମେଣ୍ଟ ହିଁ ପ୍ରକୃଷ୍ଟ ସ୍ଥାନ। କିନ୍ତୁ କେନ୍ଦ୍ର ସରକାର ନିଜର ଯୁକ୍ତିରେ ‘ଦେଶଦ୍ରୋହ’ ଆଇନକୁ କାଏମ ରଖିବା ଓ କୋର୍ଟ ଦ୍ଵାରା ଏହାର ସମୀକ୍ଷାକୁ ବନ୍ଦ କରିବା ଲାଗି ୧୯୬୨ ମସିହାର କେଦାର ନାଥ ବନାମ ବିହାର ସରକାର କେସର ଉଦାହରଣ ଦେଇଥିବା ହେତୁ ପାର୍ଲାମେଣ୍ଟ ଦ୍ଵାରା ଯେ ସେହି ଆଇନ ବାତିଲ ହୋଇପାରିବ ସେଭଳି ସମ୍ଭାବନା ରହୁନାହିଁ।

ଆଲ୍ଲାହାବାଦ କୋର୍ଟ ଏକ କେସରେ (୧୯୫୪) ‘ଦେଶଦ୍ରୋହ’ ଆଇନ ସମ୍ବିଧାନର ଧାରା ୧୯(୨)ରେ ଉଲ୍ଲେଖ ରହିଥିବା ‘ଯୁକ୍ତିଯୁକ୍ତ ବିରୋଧ’ ମଧ୍ୟରେ ଆସୁନାହିଁ। ତେଣୁ ସମଗ୍ର ଦେଶଦ୍ରୋହ ଆଇନ ଅସାମ୍ବିଧାନିକ କହି ଏହି ଆଇନକୁ ଖାରଜ କରିଦେଇଥିଲେ। ତାହା ସତେରେ ଯୁଗାନ୍ତକାରୀ ଥିଲା। କିନ୍ତୁ ପରେ ୧୯୬୨ ମସିହାରେ ସୁପ୍ରିମ କୋର୍ଟ ଆଲ୍ଲାହାବାଦ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ବାତିଲ କରିଦେଇ ‘ଦେଶଦ୍ରୋହ’ ଆଇନକୁ କାଏମ ରଖିବା ସହିତ କେଦାର ନାଥ ବନାମ ବିହାର ସରକାର ମାମଲାରେ କେଦାରନାଥଙ୍କୁ ଦଣ୍ଡିତ କରିଥିଲେ।

କେଦାରନାଥ ତତ୍କାଳୀନ କଂଗ୍ରେସ ସରକାରକୁ ସମାଲୋଚନା କରିବାକୁ ଯାଇ ବହୁତ ଖରାପ ଶବ୍ଦ ବ୍ୟବହାର କରିବା ସହିତ ଲୋକଙ୍କୁ ‘ବିପ୍ଲବ’ କରିବା ଲାଗି ନିଜ ଭାଷଣରେ ଆହ୍ଵାନ ଦେଇଥିଲେ। ଏହାକୁ କୋର୍ଟ ହିଂସା ଉଦ୍ରେକକାରୀ କହି କେଦାରନାଥଙ୍କୁ ଦଣ୍ଡିତ କରିଥିଲେ। ଏଥର କିନ୍ତୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ସୁପ୍ରିମ କୋର୍ଟ ଏହାର ଅପବ୍ୟବହାର ହେଉଥିବା ହୃଦବୋଧ କରିଛନ୍ତି ଓ ଏହାର ପ୍ରତ୍ୟାହାର ଯେ ଆବଶ୍ୟକ ସେ କଥା ଅନୁଭବ କରୁଛନ୍ତି।

ବିଡ଼ମ୍ବନା ଯେ ଏହି ଆଇନର ପ୍ରତ୍ୟାହାର ପାଇଁ ଯୁକ୍ତି କରୁଥିବା ଲୋକେ ଆଜି ସୁପ୍ରିମ କୋର୍ଟଙ୍କ ଉପରେ ଭରସା କରୁଛନ୍ତି।

ଫୋ-୯୪୩୭୭୬୨୨୭୨

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।