ଡ଼ଃ ରୀନା ରାଉତରାୟ
ଏକଦା ପାଞ୍ଚ ଦୃଷ୍ଟିହୀନ ବ୍ୟକ୍ତି ବିଶାଳକାୟ ହାତୀର ବ୍ୟାପ୍ତି ବ୍ୟକ୍ତି କରିବାକୁ ଯାଇ କିଏ ତା ଗୋଡକୁ ଖୁମ୍ବ ତ କିଏ ତା ଲାଂଜକୁ ଦଉଡ଼ି ବୋଲି କହୁଥିବା ପରି ସଂପ୍ରତି କିଛି ଉଦ୍ଦେଶ୍ୟ ପ୍ରଣୋଦିତ ବୁଦ୍ଧିଜୀବୀ ଆମର ନୂତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ଵ ଉପରେ ବିଭିନ୍ନ ପ୍ରକାର ନକାରାତ୍ମକ ଟିପ୍ପଣୀ ଦେବା ଆରମ୍ଭ କରିଦେଇଛନ୍ତି।
ବ୍ୟକ୍ତିଗତ ଆକ୍ରୋଶରେ ସୀମିତ ରହି ହିତାହିତତା ଓ ସାଧାରଣ ସୈାଜନ୍ୟ ଭୁଲିବା ନୂଆ କଥା ନୁହେଁ କିନ୍ତୁ ଏହି ସଚେତନ ବୁଦ୍ଧିଜୀବୀମାନଙ୍କ ଏପରି ଦାୟିତ୍ଵହୀନ ମନ୍ତବ୍ୟ ଦେଖି ଯେତିକି ଆଶ୍ଚର୍ଯ୍ୟ ସେତିକି ଦୁଃଖ ମଧ୍ୟ ଲାଗୁଛି। ସମ୍ଭବତଃ ଶାସନତନ୍ତ୍ର ସଂକ୍ରାନ୍ତିୟ ଧୈର୍ଯ୍ୟର ଘୋର ଅଭାବ ସାଙ୍ଗକୁ ରାଜନୀତି ଓ କୂଟନୀତି ସମ୍ବନ୍ଧୀୟ ଅପରିପକ୍ୱତା ହିଁ ଏହାର ପ୍ରମୁଖ କାରଣ।
କହିବା ବାହୁଲ୍ୟ, ଆମେରିକାନ ବା ବ୍ରିଟିଶ ଢଙ୍ଗରେ ସାଧାରଣ ଇଂରାଜୀ କହୁଥିବା ବ୍ୟକ୍ତିମାନେ ହିଁ ବିଜ୍ଞ ଓ ବୁଦ୍ଧିଜୀବି ମାନ୍ୟକରି ସେମାନଙ୍କ ତୋଷାମଦ କରିବାର ଅଭ୍ୟାସ ଯେଉଁମାନଙ୍କର ରହିଯାଇଛି ବୋଧହୁଏ ସେହି ମାନଙ୍କୁ ଭଲ ଇଂରାଜୀ/ହିନ୍ଦୀ କହି ନ ପାରୁଥିବା ବ୍ୟକ୍ତିଙ୍କୁ ଉପହାସ କରିବାର ଏକ ଅଭ୍ୟାସରେ କ୍ରମଶଃ ପରିଣତ ହେଇଛି।
ମନରେ ପ୍ରଶ୍ନ ଉଠେ ଭଲ ଇଂରାଜୀ/ହିନ୍ଦୀ କହିବା, କି ଆଭିଜାତ୍ୟ ପୂର୍ଣ୍ଣ ପରିବାରର ଦାୟାଦ ହୋଇଥିବା ଅବା ସୌମ୍ୟ ସୁଦର୍ଶନ ସୁନ୍ଦର ଚେହେରା କଣ ଜଣେ ଭଲ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟତାର ମାପକାଠି?
ବ୍ୟକ୍ତିଗତ ତୃଣମୂଳ ସ୍ତରର ଅଭିଜ୍ଞତା ଓ ସାଧାରଣ ଜନତାଙ୍କ ଭାଷା କହି ପାରୁଥିବା କଣ ଯୋଗ୍ୟତା ହୋଇ ପାରିବନି ? ଗାଁ ସରପଞ୍ଚରୁ ଶାସନକଳର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା କଣ ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଜୟଯାତ୍ରା ନୁହେଁ କି?
କିଛି ଲୋକଙ୍କ ମତାମତ ଇଏ କଣ ମୁଖ୍ୟମନ୍ତ୍ରୀ ମାନର ବ୍ୟକ୍ତିତ୍ଵ?
ଯଦି ବାହ୍ୟ ଚେହେରାରୁ ବ୍ୟକ୍ତିତ୍ଵକୁ ମାପି ହୁଏ ତେବେ ସ୍ୱର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ଭଳି ସରଳ, ନିରାଡମ୍ବର ଆଉ ସଫଳ ମୁଖ୍ୟମନ୍ତ୍ରୀଙ୍କ ସହିତ ପରବର୍ତ୍ତୀ କାଳର କୌଣସି ମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରା ଯାଇପାରିବ କି?
ଯଦିବା ପରସ୍ପର ବିରୋଧୀ ରାଜନୈତିକ ଦଳର ବ୍ୟକ୍ତି/କର୍ମୀମାନଙ୍କ ମଧ୍ୟରେ କାଦୁଆ ଫୋପଡାଫୋପାଡ଼ି ଏକ ସୁସ୍ଥ ପରମ୍ପରା ନୁହେଁ କିନ୍ତୁ ଦେଶ ଓ ରାଜ୍ୟର ସଙ୍କଟ ସମୟରେ ସମସ୍ୟାଠୁ ନିଜକୁ ଯଥେଷ୍ଟ ନିରାପଦ ଦୂରତାରେ ରଖି ନୀରବରେ ଘରେ ବସି ରହୁଥିବା କିଛି ବ୍ୟକ୍ତିମାନଙ୍କ ପକ୍ଷରେ ଏପରି ଅଚାନକ ନକାରାତ୍ମକ ତତ୍ପରତା ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଶୁଭଙ୍କର କି ନୁହେଁ ତାହା ଆଲୋଚନା ଯୋଗ୍ୟ
ବରଂ ଉପରୋକ୍ତ ଉପର ଠାଉରିଆ ମନ୍ତବ୍ୟ ସବୁ ପ୍ରମାଣିତ କରୁଛି ଯେ ପରିବର୍ତ୍ତନକୁ ଗ୍ରହଣ କରି ପାରିବାର ମାନସିକତା ଆମ ପାଖରେ ନାହିଁ । ଆମେ ବୋଧେ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ପାରିନୁ। ଯେଉଁଥିପାଇଁ ବିନା ଅପେକ୍ଷାରେ ଶସ୍ତା ଓ ଲଘୁ ମନ୍ତବ୍ୟମାନ ଦେଇ ନିଜକୁ ଉଚ୍ଚକୋଟୀର ବୁଦ୍ଧିଜୀବୀ ବା ଦାୟିତ୍ଵସମ୍ପନ୍ନ ନାଗରିକ ବୋଲି ପ୍ରମାଣିତ କରିବାକୁ ଚାହୁଁଛୁ।
କେବଳ ସୁନ୍ଦର ଇଂରାଜୀ କହି ଶୀତତାପ ନିୟନ୍ତ୍ରିତ କୋଠରୀ ମଧ୍ୟରୁ ରାଜକୀୟ ଠାଣିରେ ବରାଦିଆ ଶାସନକୁ ସତେ ଯେପରି ଆମେ ଉଚ୍ଚକୋଟୀର ଗଣତନ୍ତ୍ର ବୋଲି କାୟମନୋବାକ୍ୟରେ ସ୍ବୀକାର କରି ନେଇଛୁ।
ସବୁଠାରୁ ଦୀର୍ଘକାଳ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି ପ୍ରଵେଶ ବିଷୟରେ ସମସ୍ତେ ଜ୍ଞାତ। କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ କେବଳ ନିଜ ପିତାଙ୍କ ତ୍ୟାଗ, କର୍ମ ପାଇଁ ଚବିଶ ବର୍ଷ ଶାସନ କରି ପାରିଲେ। ସମୟ ଓ ଅଭିଜ୍ଞତା ତାଙ୍କୁ ଧୀରେ ଧୀରେ ପରିପକ୍ଵ ଓ ଲୋକପ୍ରିୟ ରାଜନୀତିଜ୍ଞ କରି ପାରିଥିଲା।
ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶ୍ରଦ୍ଧେୟ ଶ୍ରୀ ମୋହନ ମାଝୀଙ୍କ ଚୟନ ଓଡିଶା ରାଜନୀତିର ଏକ ଅନନ୍ୟ ଓ ସ୍ୱତନ୍ତ୍ର ଅଧ୍ୟାୟ । ସୁସ୍ଥ ଗଣତନ୍ତ୍ରରେ ସାଧାରଣ ମଣିଷର ସ୍ଵର ହିଁ ଗଣତନ୍ତ୍ରର ସ୍ୱର।
ଏହି ପରିପ୍ରେକ୍ଷୀରେ ସମାଜର ଅନୁନ୍ନତ ଜିଲ୍ଲା କେନ୍ଦୁଝରର ଏକ ଅଖ୍ୟାତ ପଲ୍ଲୀର ଅବହେଳିତ ବର୍ଗକୁ ପ୍ରତିନିଧିତ୍ଵ କରୁଥିବା ସରଳ ଅଥଚ ସୁଯୋଗ୍ୟ ବ୍ୟକ୍ତିତ୍ଵ ଶ୍ରୀ ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସାଧାରଣ ଜନତାଙ୍କ ମଧ୍ୟରେ ଏକ ନବୀନ ଆଶାର ସଞ୍ଚାର କରିଛି।
ମୋହନ ବାବୁ ଜଣେ ସାଧାରଣ ଶିକ୍ଷକ, ତୃଣମୂଳ ସ୍ତରରେ ସରପଞ୍ଚ ହେବା ସହିତ, ପୂର୍ବରୁ ତିନିଥର ବିଧାୟକ ଓ ମୁଖ୍ୟ ସଚେତକ ଭାବରେ ତାଙ୍କ ଦାୟିତ୍ଵ ସୂଚାରୁ ରୂପେ ସମ୍ପାଦନା କରି ସାରିଛନ୍ତି। ନିଜର ମାତୃଭାଷା ସହିତ ଅନ୍ୟ ଚାରୋଟି ସର୍ବ ଭାରତୀୟ ଭାଷାରେ ତାଙ୍କର କହିବା, ପଢ଼ିବା ଓ ଲେଖିବା ଦକ୍ଷତା ରହିଛି।
ସେ ବୋଧହୁଏ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଗୋଟିଏ ବସ୍ତିକୁ ଯାଇ ଆଦିବାସୀ ମହିଳା ମାନଙ୍କ ସହିତ ସେମାନଙ୍କ ଭାଷାରେ କଥା ହୋଇ ପାରିଛନ୍ତି। ଖୁବ୍ କମ୍ ଦିନ ମଧ୍ୟରେ ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହିତ ସ୍ପଷ୍ଟ ଓଡ଼ିଆରେ କଥାବାର୍ତ୍ତା କରି ଏକ ଲୋକାଭିମୁଖୀ ଶାସନତନ୍ତ୍ର ସୃଷ୍ଟି କରିବାର ଚେଷ୍ଟା କରୁଛନ୍ତି।
ଶେଷରେ ଏହି ନିର୍ବାଚନର ସବୁଠାରୁ ନିର୍ଣାୟକ ପ୍ରସଙ୍ଗ ପାଲଟିଥିବା "ଓଡିଆ ଅସ୍ମିତା" କଣ....ନୂଆ ମୁଖ୍ୟମନ୍ତ୍ରୀ ନିଜ ମାତୃଭାଷା ଓଡିଆରେ ଭାବ ଆଦାନପ୍ରଦାନର ଉତ୍ତମ ଦକ୍ଷତା ରଖନ୍ତି ।
ଆସନ୍ତୁ....ଜଣେ ସାଧାରଣ ନାଗରିକ ଭାବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସମ୍ମାନ କରିବା । ନୂତନ ସରକାରକୁ କାର୍ଯ୍ୟ କରିବା ପାଇଁ ସ୍ଵାଧୀନତା ଓ ଭରପୂର ସମୟ ଦେବା ସହିତ ସହଯୋଗର ହାତ ବଢ଼ାଇବା। ଆଶା ! ରାଷ୍ଟ୍ର ବିକାଶ ସମୀକରଣରେ ଓଡ଼ିଶା ଯଥେଷ୍ଟ ଆଗେଇ ଯିବ। ତାପରେ ଯାଇ ଆମେ ମୂଲ୍ୟାୟନ କରିବା।