ଶ୍ରୀଲଙ୍କା ବିପ୍ଳବ ଏକ ଚେତାବନୀ!

ଗୃହଯୁଦ୍ଧର ସମାପ୍ତି ପରେ ଲାଗୁଥିଲା ଯେ ହୁଏତ ଶ୍ରୀଲଙ୍କା ପୁଣି ନିଜର ଅର୍ଥନୀତିକୁ ସଜାଡ଼ିବାରେ ମନ ଦେବ।

  • ଦେବ ରଞ୍ଜନ

କୌଣସି ଏକ ବୃତ୍ତଚିତ୍ରର ଆରମ୍ଭରେ ଯଦି ଏହାର ଉପସ୍ଥାପକ ଜଣକ କହୁଥିବା ଦେଖାଯାଏ, “ଏହି ଫିଲ୍ମରେ ରହିଛି ବିଚଳିତ କରିଦେବା ଭଳି ଚିତ୍ର ଯାହା ବର୍ଣ୍ଣନା କରୁଛି ମୃତ୍ୟୁ, ଆହତ, ମୃତ୍ୟୁଦଣ୍ଡ, ଗୁପ୍ତମୃତ୍ୟୁ, ଯୌନ ଶୋଷଣ ଓ ହତ୍ୟା” ତେବେ ଏହା ନିଶ୍ଚିତ ରୂପେ କୌଣସି ଏକ ଯୁଦ୍ଧ ସମ୍ବନ୍ଧିତ ବୃତ୍ତଚିତ୍ର ହୋଇଥାଏ।

୨୦୧୧ ମସିହାରେ “ଶ୍ରୀଲଙ୍କାର ପ୍ରାଣଘାତୀ ଅଞ୍ଚଳ” ବା ଶ୍ରୀଲଙ୍କା’ସ କିଲିଂ ଫିଲ୍‌ଡ ବ୍ରିଟିଶ ଟିଭି ଷ୍ଟେଶନର ଚ୍ୟାନେଲ ଫୋର୍‌ ଦ୍ଵାରା ପ୍ରସାରିତ ହୁଏ। ଏହାର ପର ବର୍ଷ ବାଙ୍ଗାଲୋରଠାରେ ଅନୁଷ୍ଠିତ ଏକ ବୃତ୍ତଚିତ୍ର ଉତ୍ସବରେ ଏହି ଫିଲ୍ମକୁ ଦେଖିବାର ସୁଯୋଗ ମିଳେ। ସେତେବେଳେ ଏହି ଫିଲ୍ମଟି ୟୁଟ୍ୟୁବରେ ଆସିନଥିଲା। ଏହା ମୁଖ୍ୟତଃ ଶ୍ରୀଲଙ୍କା ସେନାବାହିନୀର ତାମିଲ ଗଣହତ୍ୟା ସମ୍ବନ୍ଧିତ ଥିଲା।

ସେଦିନ ଫିଲ୍ମ ସ୍କ୍ରିନିଙ୍ଗରେ ଉପସ୍ଥିତ ସମସ୍ତ ଦେଖଣାହାରୀଙ୍କ ଆଖିରେ ଲୁହ ଥିଲା। ବୃତ୍ତଚିତ୍ରର ବିଶେଷତ୍ଵ ହେଲା ଯେ ଏହା ଆପଣମାନଙ୍କୁ ସିଧା ସଳଖ ଘଟଣାମାନଙ୍କ ପାଖକୁ ନେଇଯାଏ। ଏହାର ନିର୍ମାତା ନିର୍ଦ୍ଦେଶକ କ୍ଷତିଗ୍ରସ୍ତ ଓ ପ୍ରତାରିତ ଲୋକଙ୍କ ସାକ୍ଷାତକାରକୁ ଦେଖାଇଥାଏ। ଚ୍ୟାନେଲ ଫୋର୍‌କୁ ଏହି ଫିଲ୍ମ କରିବା ଲାଗି ଦୀର୍ଘ ଦୁଇ ବର୍ଷ ଲାଗିଥିଲା। ସେମାନେ ତାମିଲ ବିରୋଧୀ ଗଣହତ୍ୟାର ଅନେକ ଭିଡିଓ ଛବି ସଂଗ୍ରହ ସେତେବେଳେ କରିଥାନ୍ତି।

ଶ୍ରୀଲଙ୍କାର ଏହି ଗଣହତ୍ୟା ସମୟରେ ମହିନ୍ଦ୍ର ରାଜପକ୍ଷ ନିଜେ ରାଷ୍ଟ୍ରପତି ରହିଥାନ୍ତି ଯାହାଙ୍କ ବିପକ୍ଷରେ ଆଜି ସାଧାରଣ ଶ୍ରୀଲଙ୍କାବାସୀ ନିଜର ବିଦ୍ରୋହ ଘୋଷଣା କରିଛନ୍ତି। ସଦ୍ୟ ତଥ୍ୟ ଅନୁସାରେ ତାଙ୍କୁ ଦେଶ ଛାଡ଼ି ନଯିବା ଲାଗି ନିର୍ଦ୍ଦେଶ ହୋଇଛି। ଗୋଟିଏ ସମୟରେ ସେ କିନ୍ତୁ ଜଣେ ଅତି ଶକ୍ତିଶାଳୀ ଶାସକ ଭାବରେ ସମଗ୍ର ଏସିଆ ଉପମେହାଦେଶରେ ଗଣିତ ହେଉଥିଲେ। ଏଲଟିଟିଇକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଦେଶ ମଧ୍ୟରେ ଜନସମର୍ଥନ ଯୋଗାଡ଼ କରିବା ଲାଗି ଜାଣି ଜାଣି ଏହାକୁ ସିଂହଳୀ ବନାମ ତାମିଲମାନଙ୍କର ଲଢ଼େଇ ବୋଲି ସେ ଚିତ୍ରିତ କରିଥିବା କଥା ବୃତ୍ତଚିତ୍ର ଦାବି କରେ।

ଶ୍ରୀଲଙ୍କା ତାମିଲଙ୍କ ମଧ୍ୟରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଧର୍ମୀ ରହିଥାନ୍ତି ଓ ସିଂହଳୀଙ୍କ ଭିତରେ ମୁସଲମାନ, ଖ୍ରୀଷ୍ଟିୟାନ, ହିନ୍ଦୁ ଓ ବୌଦ୍ଧ ଧର୍ମୀ ରହିଥାନ୍ତି। ଶ୍ରୀଲଙ୍କାରେ ବୌଦ୍ଧ ଧର୍ମ ସମ୍ବିଧାନ ସ୍ୱୀକୃତ ସ୍ଵତନ୍ତ୍ର ଧର୍ମ। ଭାରତରେ ବୌଦ୍ଧ ଧର୍ମ ହିନ୍ଦୁ ଧର୍ମର ଅଂଶ। କିନ୍ତୁ ଏହା ଶ୍ରୀଲଙ୍କାରେ ନୁହେଁ।

ବୃତ୍ତଚିତ୍ର କିଲିଙ୍ଗ ଫିଲ୍ଡ ଦାବି କରେ ଶ୍ରୀଲଙ୍କା ସେନାର ଏହି ଗଣହତ୍ୟାରେ ଅନ୍ୟୁନ ୪୦,୦୦୦ ନିରୀହ ତାମିଲବାସୀଙ୍କୁ ହତ୍ୟା କରାଯାଇଛି। ଏହି ଗୃହଯୁଦ୍ଧରେ ଉଭୟ ପଟରୁ ଅନ୍ୟୁନ ଏକ ଲକ୍ଷ ଲୋକଙ୍କୁ ପ୍ରାଣ ଦେବାକୁ ପଡ଼ିଛି। ଗୃହଯୁଦ୍ଧ ଓ ସନ୍ତ୍ରାସବାଦ ଦମନ ନାମରେ ଶ୍ରୀଲଙ୍କାରେ ଥିବା ସାଧାରଣ ତାମିଲଙ୍କ ଉପରେ ଶ୍ରୀଲଙ୍କାର ସୈନ୍ୟବାହିନୀଙ୍କର ଏହି ଦମନଲୀଳା  ଏଲ.ଟି.ଟି.ଇ.ର (ଲିବରେସନ ଟାଇଗର ଅଫ ତାମିଲ ଇଲମ) ତାମିଲମାନଙ୍କୁ ଏକତ୍ର କରିବା ଲାଗି ସିଂହଳୀମାନଙ୍କ ବିପକ୍ଷରେ ହୋଇଥିବା ଦମନଲୀଳାର ଅନୁରୂପ ଥିଲା।

ଏଲଟିଟିଇ ତାମିଲ ରାଷ୍ଟ୍ର ଗଠନ ଲାଗି ସିଂହଳୀମାନଙ୍କ ଦ୍ଵାରା ହେଉଥିବା ଭେଦଭାବକୁ ଅଧିକ ମାତ୍ରାରେ ଦର୍ଶାଇ ସାଧାରଣ ତାମିଲଙ୍କୁ ନିଜ ପକ୍ଷକୁ ନେଉଥିଲା। ନିଜର ଏକ ସ୍ଵତନ୍ତ୍ର ସୈନ୍ୟବାହିନୀ ଓ ପୁଲିସ ଥିବା କାରଣରୁ ଅନେକ ତାମିଲ ଏଲଟିଟିଇକୁ ଭୟ କରି ଏହାକୁ ସମର୍ଥନ ଦେଉଥିଲେ। କିନ୍ତୁ ଏ କଥାକୁ ଶ୍ରୀଲଙ୍କାର ସରକାରୀ ବାହିନୀ ଗୁରୁତ୍ଵ ନଦେଇ ସମସ୍ତ ତାମିଲଙ୍କୁ ଏଲଟିଟିଇର ପଦାତିକ ବାହିନୀ ବୋଲି ଅନୁଭବ କରିଥିଲେ।

୧୯ ମଇ ୨୦୦୯ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦ୍ର ରାଜପକ୍ଷ ଘୋଷଣା କରିଥିଲେ ଯେ ଏବେ ଶ୍ରୀଲଙ୍କା ସନ୍ତ୍ରାସବାଦରୁ ମୁକ୍ତ ହୋଇଯାଇଛି। ଏହାର ମାତ୍ର ବାର ବର୍ଷ ମଧ୍ୟରେ ଏପ୍ରିଲ – ମଇ, ୨୦୨୨ ମସିହାରେ ମହିନ୍ଦ୍ର ରାଜପେକ୍ଷ ସରକାର ଲୋକଙ୍କ ପ୍ରଚଣ୍ଡ ବିରୋଧକୁ ସାମ୍ନା କରି ନପାରି ଦେଶବ୍ୟାପୀ କର୍ଫୁ ଲାଗୁ କରିଛନ୍ତି। ସୈନ୍ୟ ବାହିନୀ ଓ ପୁଲିସକୁ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳିକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ରୋହୀ ଲୋକଙ୍କ ଭିତରେ ଅଛନ୍ତି ଅନେକ ସିଂହଳୀ ଯେଉଁମାନେ ହୁଏତ ଦିନେ ମହିନ୍ଦ୍ର ରାଜପକ୍ଷଙ୍କ ସମର୍ଥକ ଥିଲେ।

ଗୃହଯୁଦ୍ଧର ସମାପ୍ତି ପରେ ଲାଗୁଥିଲା ଯେ ହୁଏତ ଶ୍ରୀଲଙ୍କା ପୁଣି ନିଜର ଅର୍ଥନୀତିକୁ ସଜାଡ଼ିବାରେ ମନ ଦେବ। କିନ୍ତୁ ହଠାତ ୨୦୧୪ ମସିହାରେ ମୁସଲମାନ ବିରୋଧୀ ଦଙ୍ଗା ଆମମାନଙ୍କୁ ପୁଣିଥରେ ଶ୍ରୀଲଙ୍କାକୁ ଅନୁଧ୍ୟାନ କରିବା ଲାଗି ବାଧ୍ୟ କରିଥିଲା। ଏହାର ଠିକ ପରେ ପରେ ବର୍ମାରେ ରୋହିଙ୍ଗିଆ ମୁସଲମାନଙ୍କ ଉପରେ ଆକ୍ରମଣ ହୋଇଥାଏ। ଏହି ଉଭୟ ଘଟଣା ପଛରେ ବୌଦ୍ଧ ଭିକ୍ଷୁମାନଙ୍କର ଭୂମିକା ରହିଥିବା କଥା କ୍ରମଶଃ ବିଭିନ୍ନ ବୃତ୍ତଚିତ୍ର ମଧ୍ୟରେ ସ୍ପଷ୍ଟ ହେବାରେ ଲାଗିଲା। ‘କିଲିଙ୍ଗ ଫିଲ୍ଡ ଅଫ ରୋହିଙ୍ଗିଆ’, ‘ଇନ ବ୍ୟାଡ ଫେଥ’ (ଶ୍ରୀଲଙ୍କା) ଆମକୁ ଚକିତ କରିଦେଇଥିଲା।

ବୁଦ୍ଧ ନିଜେ ଶାନ୍ତିର ପ୍ରତୀକ ଥିଲେ। “କାମନାର ବିନାଶରେ ଦୁଃଖର ବିନାଶ” ଏହି ମନ୍ତ୍ର ତାଙ୍କୁ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଧର୍ମଗୁରୁ ରୂପେ ପରିଣତ କରିଦେଇଥିଲା।

ଧର୍ମ ଯେବେ ଅନୁଷ୍ଠାନ ମଧ୍ୟରେ ବାନ୍ଧି ହୋଇଯାଏ ସେତେବେଳେ ତାହା ଏହାର ମୂଳ ଉଦ୍ଦେଶ୍ୟଠାରୁ ଦୂରେଇଯାଇ ଶାସକର ଅସ୍ତ୍ର ପାଲଟି ଯାଏ। ମହିନ୍ଦ୍ର ରାଜପକ୍ଷ ନିର୍ବାଚନ ଜିତିବା ଲାଗି ମୁସଲମାନ ବନାମ ବୌଦ୍ଧଧର୍ମୀଙ୍କ ବିବାଦରେ ସିଂହଳୀ ବୌଦ୍ଧ ଭିକ୍ଷୁଙ୍କୁ ସମର୍ଥନ କରିଥିଲେ।

ଶ୍ରୀଲଙ୍କା ଗଣହତ୍ୟା (୨୦୦୯) ସମୟରେ ଟିଭି ଉପସ୍ଥାପିକା ଅଭିନେତ୍ରୀ ଶୋବାନା ଧର୍ମରାଜାଙ୍କ ଗଣଧର୍ଷଣ ଓ ହତ୍ୟା ସାଙ୍ଗକୁ ଲାସନ୍ଥା ବିକ୍ରମତୁଙ୍ଗେଙ୍କ (ସାମ୍ବାଦିକ ଓ ମାନବିକ ଅଧିକାର କର୍ମୀ) ଗୁପ୍ତ ହତ୍ୟା ଶ୍ରୀଲଙ୍କାର ଶାସକଙ୍କ ବିପକ୍ଷରେ ଯୁଦ୍ଧ ଅପରାଧୀ (war crime) ଅଭିଯୋଗ ଲାଗି ଯଥେଷ୍ଟ ପ୍ରମାଣ ଥିଲା। ‘ଶ୍ରୀଲଙ୍କା’ସ କିଲିଙ୍ଗ ଫିଲ୍ଡ’ ବୃତ୍ତଚିତ୍ରକୁ ମଧ୍ୟ ଏକ ପ୍ରମାଣ ଭାବରେ ବ୍ୟବହାର କରାଯାଇଛି।

ଜାତିସଙ୍ଘ ମାନବିକ ଅଧିକାର କନଭେସନ ସମୟରେ ଏହି ପ୍ରସଙ୍ଗରେ ଅନେକ ଥର ଶ୍ରୀଲଙ୍କାର ମହିନ୍ଦ୍ର ରାଜପକ୍ଷଙ୍କୁ କାଠଗଡ଼ାରେ ଠିଆ କରାଇବା ଲାଗି ଅନ୍ତର୍ଜାତୀୟ ମାନବିକ ଅଧିକାର ସଂଗଠନମାନେ ଉଦ୍ୟମ କରିଛନ୍ତି। ଶ୍ରୀଲଙ୍କାର ରାଜପକ୍ଷ ସରକାର ବିଶ୍ଵ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଋଣକୁ ନିସର୍ତ୍ତରେ ଗ୍ରହଣ କରିବାର ପ୍ରତିଶୃତି ଦେଇ ଏହି ବିପଦରୁ ଟଳି ଯିବା ଲାଗି ଚେଷ୍ଟା କରିଥିଲା। ୨୦୦୯-୧୦ ବର୍ଷରେ ଅନ୍ତର୍ଜାତିକ ମୁଦ୍ରା ପାଣ୍ଠି ୨୬୦ କୋଟି ଡଲାର ଋଣ ଦେଇଥିଲା ଯାହା କି ଶ୍ରୀଲଙ୍କା କୋଟାର ୪୦୦% ଥିଲା।

ଏହାପରଠାରୁ ଦେଶ ଅଧିକ ଋଣ ନେଇଛି ଓ ଏହାର ଅର୍ଥନୀତି କ୍ରମଶଃ ସ୍ଵଉତ୍ପାଦନଭିତ୍ତିକ ନହୋଇ ବିଦେଶୀ ପୁଞ୍ଜିନିବେଶ ଭିତ୍ତିକ ହୋଇଛି। ବିଦେଶୀ କମ୍ପାନୀମାନେ ଶ୍ରୀଲଙ୍କାର ବ୍ୟାଙ୍କିଙ୍ଗ, ଫାଇନାନ୍ସ, ବୀମା, ଶକ୍ତି, ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରହିଛନ୍ତି। ସେମାନେ ପ୍ରାୟ ୮୫% ଅର୍ଥନୀତିକୁ କବଜା କରିଛନ୍ତି।

କୋଭିଡ ପରେ ଶ୍ରୀଲଙ୍କାର ଅର୍ଥନୀତି କ୍ରମାଗତ ଭାବରେ ଦୂର୍ବଳ ହୋଇଚାଲିଛି। କିନ୍ତୁ ଇଉରୋପର ଗଣମାଧ୍ୟମ ଏହାକୁ ଚୀନର ଋଣ ଷଡ଼ଯନ୍ତ୍ର ବୋଲି ଅବିହିତ କଲେ। କ୍ରମଶଃ ସାମ୍ବାଦିକମାନେ ଘଟଣାଟିକୁ ଛାନଭିନ କରିବା ପରେ ସତ୍ୟ ଜଣାପଡିଥିଲା। ୨୦୦୯ ମସିହାରେ ବୈଦେଶିକ ଋଣ ଶ୍ରୀଲଙ୍କାର ଯେଉଁଠି ସମଗ୍ର ଉତ୍ପାଦନର ବା ଜିଡିପିର ୪୩% ଥିଲା ୨୦୨୧ -୨୨ ମସିହା ବେଳକୁ ଏହା ସମଗ୍ର ଜିଡିପିର ୧୧୯%ରେ ପହଞ୍ଚିଯାଇଛି।

ଏଥିରୁ ଚୀନରୁ ଯଦି ମାତ୍ର ୧୦% ଆସିଥାଏ ତେବେ ଜାପାନରୁ ମଧ୍ୟ ୧୦%, ଏସିଆ ଡେଭଲପେମେଣ୍ଟ ବ୍ୟାଙ୍କରୁ ୨୨% (ଯେଉଁଠି ଜାପାନ ଓ ଆମେରିକାର ସର୍ବାଧିକ ଅଂଶଧନ ଓ ନିଷ୍ପତ୍ତି ଅଂଶ ରହିଛି) ଓ ବିଶ୍ଵ ପୁଞ୍ଜିବଜାରରୁ ୪୬% ଋଣ ଆସିଛି।

ଶାସକର ସହଜାତ ଗୁଣ ହେଲା ଯେ ସେ ସୁଯୋଗ ପାଇଲେ ପ୍ରଭୁତ୍ଵ ପରାୟଣ ହୋଇଯିବ। କିନ୍ତୁ ଏକ ଗଣତାନ୍ତ୍ରିକ ସମାଜରେ ସମାନ୍ତରାଳ ଭାବରେ ଲୋକଙ୍କ ପ୍ରତିବାଦ ରହିଥିବା ହେତୁ କୌଣସି ଶାସକ ସେଭଳି ନିରଙ୍କୁଶ ଶାସନରେ ପହଞ୍ଚିପାରନ୍ତି ନାହିଁ। ହୁଏତ ଶ୍ରୀଲଙ୍କାର ଶାସକ ଅର୍ଥନୀତିର ବିଷମ ସ୍ଥିତିରୁ ଉଦ୍ଧାର ପାଇଥାନ୍ତେ। କିନ୍ତୁ ଲୋକେ ତାହାକୁ ଭରସା କରିପାରୁନାହାନ୍ତି।

ଶ୍ରୀଲଙ୍କାର ଶାସକ ସର୍ବଦା ନିଜର ସମାଲୋଚକ ଓ ବିରୋଧୀ ଗୋଷ୍ଠୀଙ୍କୁ କଳା ଆଇନରେ ଗିରଫ କରିଛନ୍ତି, ନିଖୋଜ କରିଦେଇଛନ୍ତି ଓ ହତ୍ୟା କରିଛନ୍ତି। ମହିନ୍ଦ୍ର ରାଜପକ୍ଷ ୨୦୦୫ରୁ ୨୦୨୨ ମସିହା ମଧ୍ୟରେ କେତେବେଳେ ରାଷ୍ଟ୍ରପତି ତ ପୁଣି କେତେବେଳେ ପ୍ରଧାନମନ୍ତ୍ରୀ ରହିଆସିଛନ୍ତି। କେବଳ ୨୦୧୫ରୁ ୨୦୧୭ ଦୁଇ ବର୍ଷ ଲାଗି ସେ ବିରୋଧୀ ଦଳରେ ରହିଥିଲେ। ତାଙ୍କ ସମୟରେ ଶ୍ରୀଲଙ୍କାର ଉଗ୍ରପନ୍ଥୀ ପ୍ରତିରୋଧ ଆଇନର (Prevention of terrorism Act ) ବହୁଳ ଅପବ୍ୟବହାର ହୋଇଛି।

ଏହି ଆଇନ ବଳରେ ଯେ କୌଣସି ବ୍ୟକ୍ତିକୁ ବିନା ୱାରେଣ୍ଟରେ ସରକାର ୧୮ ମାସ ପର୍ଯ୍ୟନ୍ତ କୌଣସି କୋର୍ଟରେ ହାଜିର ନକରି ରଖିପାରିଛନ୍ତି। ଏହି ଆଇନରେ “ଉଗ୍ରପନ୍ଥୀ କିଏ” ତାହା ସ୍ପଷ୍ଟ ନଥିବା କାରଣରୁ ସରକାରଙ୍କ ସମାଲୋଚକମାନେ କ୍ରମଶଃ ସରକାରଙ୍କ ଶିକାର ହୋଇଛନ୍ତି। ଦେଶର ଲେଖକ, କବି, ସଂଗଠକ, ସାମ୍ବାଦିକ ତଥା ଅଳ୍ପ ସଂଖ୍ୟକ ତାମିଲ ଓ ମୁସଲମାନଙ୍କୁ ଗିରଫ, ଶାରୀରିକ କଷ୍ଟ, ଅପହରଣ, ଜବରଦସ୍ତି ସ୍ଵୀକାରୋକ୍ତି ଓ ହତ୍ୟା କରାଯାଇଛି। ଦେଶର ମାନବିକ ଅଧିକାର କମିଶନ ଓ ଅନେକ ବିଦେଶୀ ସଂସ୍ଥା ଏହି ଆଇନକୁ ବାତିଲ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ (ଏହାର ଅପବ୍ୟବହାରକୁ ଦେଖି) ତାହାକୁ କିନ୍ତୁ କାର୍ଯ୍ୟକାରୀ କରିନାହାନ୍ତି। ଏହି ଦମନ ଆଜି ଦେଶବ୍ୟାପୀ ପ୍ରତିକ୍ରିୟାରେ ପରିଣତ ହୋଇଛି।

ବିଶ୍ଵର ସମସ୍ତ ଶାସକ ଶ୍ରୀଲଙ୍କାର ଏହି ସ୍ଥିତିରୁ ଶିକ୍ଷା ଲାଭ କରିବା ଉଚିତ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।