ନିଜେ ବନାଇଥିବା ଋଣଯନ୍ତାରେ ଶ୍ରୀଲଙ୍କା

ଲୋଭବିକାରଗ୍ରସ୍ତ ଓ ସତ୍ତାପାଗଳ ନେତାମାନେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଉତ୍କଟ ମୁଦ୍ରାସ୍ଫୀତି, ଫସଲ ବିବିଧତାର ବିଲୋପନ, ବେରୋଜଗାର, ଦରଦାମ ବୃଦ୍ଧି, ଭ୍ରଷ୍ଟାଚାର ଓ ଅରାଜକତା ଶ୍ରୀଲଙ୍କାକୁ ୧୦୦ ବର୍ଷ ପଛକୁ ଠେଲି ଦେଇଛି।

  • ସୁଧାଂଶୁ ରଞ୍ଜନ ଦାସ

ଶ୍ରୀଲଙ୍କାର ନେତାମାନେ ଅତ୍ୟଧିକ ଋଣକରି ଘିଅ ପିଉଥିବା ବେଳେ ହଠାତ ତାଙ୍କର ପାଦତଳୁ ମାଟି ଖସି ଯାଇଥିଲା।  ତିନି ଦଶନ୍ଧି ଧରି ଚାଲିଥିବା ଏଲଟିଟିଇ ସନ୍ତ୍ରାସବାଦ ଯୋଗୁଁ ଧ୍ୱଂସ ହୋଇଯାଇଥିବା ଶ୍ରୀଲଙ୍କାର ଆର୍ଥିକ ଗତିବିଧିକୁ ଏକ ସୁପରିକଳ୍ପିତ ଦେଶ ଉପଯୋଗୀ ଅର୍ଥନୀତିରେ ପରିଣତ କରିବା ପରିବର୍ତ୍ତେ ଶ୍ରୀଲଙ୍କାର ନେତାମାନେ ଚୀନ ଓ ଅନ୍ୟ କେତୋଟି ବିଦେଶୀ ଶକ୍ତିଙ୍କ ହାତରେ ଦେଶର ଭାଗ୍ୟକୁ ଟେକି ଦେଇଥିଲେ। ଚୀନ ଏଲଟିଟିଇକୁ ସମୂଳେ ନିପାତ କରିବା ପାଇଁ ଶ୍ରୀଲଙ୍କାକୁ ସାମରିକ ସହାୟତା ଦେଇଥିଲା। ଫଳରେ ଶ୍ରୀଲଙ୍କାର ନେତାମାନେ ଆଗ ପଛ ବିଚାର ନକରି ଚୀନର ଭିତ୍ତିଭୂମି ବିକାଶ ଉପରେ ଆଧାରିତ ଏକ ବିକାଶ ମଡେଲକୁ ଆଖିବୁଜି ଆବୋରି ନେଇଥିଲା। ମାନବ ବିକାଶ ନକରି କେବଳ ରୋଡ଼, ଫ୍ଲାଇ ଓଭର, ପୋର୍ଟ, ମେଟ୍ରୋ ରେଳ, ବନ୍ଦର, ସୁଡ଼ଙ୍ଗ ଓ ମଲ ଇତ୍ୟାଦି ବନାଇଲେ ରାଜ୍ୟ କିମ୍ବା ଦେଶର ବିକାଶ ହୁଏନାହିଁ। ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ପ୍ରଥମେ ଦେଶ ଉପଯୋଗୀ ହେବା ଦରକାର ଓ ଏହା ସାମୂହିକ ବିକାଶରେ ସହାୟକ ହେବା ଉଚିତ। ଶ୍ରୀଲଙ୍କା ସରକାର ଦେଶ ପାଇଁ ଉପଯୋଗୀ ନଥିବା ଭିତ୍ତିଭୂମି ବିକାଶ କରିବାରେ ବାହାର ଦେଶ ବିଶେଷକରି ଚୀନଠାରୁ ଅତ୍ୟଧିକ ଋଣକରି ଦେଶକୁ ଋଣ ଯନ୍ତାକୁ ଠେଲି ଦେଇଥିଲେ। ଶ୍ରୀଲଙ୍କାର ନେତାମାନେ ବିଦେଶୀ କଂଟ୍ରାକଟରମାନଙ୍କ ହାତରେ ଦେଶକୁ ଟେକି ଦେଇ ନିଜେ ବିଳାସ ବ୍ୟସନରେ ଜୀବନ ଅତିବାହିତ କରିବାକୁ ଲାଗିଲେ। ପ୍ରଧାନମନ୍ତ୍ରୀ ମହିନ୍ଦ ରାଜପକ୍ଷଙ୍କ ଭାଇ ବାସିଲ ରାଜପକ୍ଷଙ୍କୁ ଶ୍ରୀ ଦଶ ପରସେଣ୍ଟ  କୁହାଯାଉଥିଲା। କାରଣ ସେ ପରଦା ପଛରେ ରହି ସରକାରୀ କଂଟ୍ରାକଟରୁ ୧୦ ପରସେଣ୍ଟ ମୁନାଫା ନେଉଥିଲେ। ଏହି ଅର୍ଥ ରାଜପକ୍ଷ ପରିବାରକୁ ସତ୍ତାରେ ରହିବାରେ ମଧ୍ୟ ସାହାଯ୍ୟ କରୁଥିଲା। ଆଜି ଏହି ଲୋଭବିକାରଗ୍ରସ୍ତ ଓ ସତ୍ତାପାଗଳ ନେତାମାନେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଉତ୍କଟ ମୁଦ୍ରାସ୍ଫୀତି, ଫସଲ ବିବିଧତାର ବିଲୋପନ, ବେରୋଜଗାର, ଦରଦାମ ବୃଦ୍ଧି, ଭ୍ରଷ୍ଟାଚାର ଓ ଅରାଜକତା ଶ୍ରୀଲଙ୍କାକୁ ୧୦୦ ବର୍ଷ ପଛକୁ ଠେଲି ଦେଇଛି।

ବିଦେଶୀ ପୁଞ୍ଜି କିମ୍ବା ଋଣର ଉପଯୁକ୍ତ ବିନିଯୋଗ ନହେଲେ ଏହା ଦେଶ, ଜାତି, ଧର୍ମ ଓ ସଂସ୍କୃତିର ବିଲୋପ ସାଧନ କରିଥାଏ। ଶକ୍ତିଶାଳୀ ରାଷ୍ଟ୍ରମାନେ ଛୋଟ ଛୋଟ ରାଷ୍ଟ୍ରମାନଙ୍କୁ ନିଜ ଅକ୍ତିଆରରେ ଆଣିବା ପାଇଁ ଋଣକୁ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି। ଉଦ୍ଦେଶ୍ୟ ହେଲା ଛୋଟ ରାଷ୍ଟ୍ରମାନଙ୍କର ପ୍ରାକୃତିକ ଓ ମାନବ ସମ୍ପଦ ଉପରେ କବ୍ଜା କରିବା ଓ ଏହାର ଭୌଗୋଳିକ ଅବସ୍ଥିତିକୁ ନିଜର ସାମରିକ ସୁବିଧା ପାଇଁ ବ୍ୟବହାର କରିବା। ବଡ଼ ବଡ଼ ରାଷ୍ଟ୍ରମାନେ ଛୋଟ ଛୋଟ ରାଷ୍ଟ୍ରଗୁଡିକର ଅର୍ଥନୀତିକୁ ନିୟନ୍ତ୍ରଣରେ ରଖି ନିଜର ବେପାର ବଢ଼ାଇରେ ନିୟୋଜିତ କରିଥାନ୍ତି। ବିକାଶଶୀଳ ରାଷ୍ଟ୍ରର ନେତାମାନେ ଶକ୍ତିଶାଳୀ ଦେଶଗୁଡିକର ଚାପରେ, ସ୍ୱଦେଶୀ ଚିନ୍ତାଧାରା ଓ ଦେଶପ୍ରେମର ଅଭାବରୁ ଦେଶପାଇଁ ଅନୁପଯୋଗୀ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକୁ ବିଦେଶୀ କମ୍ପାନୀମାନଙ୍କୁ ଦେଇଥାନ୍ତି। ପ୍ରକଳ୍ପଗୁଡିକ ଦେଶବାସୀଙ୍କ ସାମୂହିକ ବିକାଶରେ ଉପଯୋଗୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥାଏ। ପ୍ରକୃତରେ ଅନେକ ପ୍ରକଳ୍ପ ଧବଳ ହସ୍ତିରେ ପରିଣତ ହୋଇଥାଏ। ଦେଶବାସୀ ନାକବାଟେ ଟିକସ ଦେଇ ନୟାନ୍ତ ହୋଇଯାନ୍ତି। ଶ୍ରୀଲଙ୍କାର ନେତାମାନେ କ୍ଷମତାରେ ରହିବା ପାଇଁ ଯଦିଓ ନିଜର ଅର୍ଥବଳ ବହୁତ ବଢ଼ାଇ ଥିଲେ, ସେମାନେ ସମାଜରେ ବଢୁଥିବା ଜନ ଅସନ୍ତୋଷକୁ ଅଣଦେଖା କରିଥିଲେ। ଫଳରେ ଜନ ଅସନ୍ତୋଷ ଏକ ଭୟାନକ ତୋଫାନର ରୂପ ନେଇ ଶ୍ରୀଲଙ୍କାର ନେତାମାନଙ୍କୁ ଦେଶଛାଡ଼ି ପଳାୟନ କରିବାକୁ ବାଧ୍ୟକଲା। ମୁନିଋଷିମାନେ କହିଛନ୍ତି ଭାଗବାନଙ୍କ ବାଣୀ ଓ ଇଚ୍ଛା ଲୋକମାନଙ୍କ ମାଧ୍ୟମରେ ପ୍ରକାଶିତ ହୋଇଥାଏ। ନେତା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଜନ ଅସନ୍ତୋଷର ଏହି ପ୍ରଚଣ୍ଡ ଶକ୍ତିରେ ଭସ୍ମୀଭୂତ ହୋଇଯାଇଥାଏ।

କୃଷି, ପର୍ଯ୍ୟଟନ, ତୀର୍ଥ ପର୍ଯ୍ୟଟନ, ମତ୍ସ୍ୟ ପାଳନ, ଜଙ୍ଗଲଜାତ ଦ୍ରବ୍ୟ, ସାମୁଦ୍ରିକ ସମ୍ପଦ ଓ  ହସ୍ତଶିଳ୍ପଜନିତ ଆର୍ଥିକ ଗତିବିଧିରେ ଶ୍ରୀଲଙ୍କା ଏକଦା ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଗଣା ଯାଉଥିଲା। ଅନେକ ଖଣିଜ ସମ୍ପଦ ଯଥା ଫସଫେଟ୍, ଗ୍ରାଫାଇଟ୍, ଚୂନପଥର ଓ ରତ୍ନ ପଥର ଇତ୍ୟାଦି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସୁଦୃଢ କରିଥିଲା। ଟେକ୍ସଟାଇଲ୍, ରାସାୟନିକ ଦ୍ରବ୍ୟ, କାଠକାମ, କାଗଜ ଓ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ଶିଳ୍ପରେ ଶ୍ରୀଲଙ୍କା ଅନେକ ପ୍ରଗତି କରିଥିଲା। ଶ୍ରୀଲଙ୍କା ଚା, ରବର, ନଡ଼ିଆ ଓ ବିଭିନ୍ନ ପ୍ରକାରର ମସଲା ଦ୍ରବ୍ୟ ବିକି ଅନେକ ବିଦେଶୀ ମୁଦ୍ରା ଉପାର୍ଜନ କରୁଥିଲା। ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଭାରତଠାରୁ ମଧ୍ୟ ଭଲ ଥିଲା ବୋଲି କେତେକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏତେ ସମ୍ପଦର ଅଧିକାରୀ ଥିବା ସତ୍ତ୍ୱେ ଶ୍ରୀଲଙ୍କା ଏକ କୁହେଳିକାପୂର୍ଣ୍ଣ ବିକାଶ ମଡେଲକୁ ଆବୋରି ନେଇ ନିଜକୁ ଋଣଯନ୍ତା ଭିତରକୁ ଠେଲି ଦେଇଥିଲା।

୨୦୨୨ରେ ଶ୍ରୀଲଙ୍କା ସରକାରଙ୍କ ଉପରେ ଋଣ ଭାର ୫୧୦୦ କୋଟି ଡଲାରରେ ପହଂଚିଛି। ଏହି ଋଣ ଉପରେ ସୁଧକୁ ମଧ୍ୟ ଶ୍ରୀଲଙ୍କା ଶୁଝିବା ଅତ୍ୟନ୍ତ କଷ୍ଟକର। ଶ୍ରୀଲଙ୍କା ବିଗତ ୨୫ ବର୍ଷ ଭିତରେ ଚୀନର ଋଣ ସହାୟତାରେ ଅନେକ ବଡ଼ ବଡ଼ ପ୍ରକଳ୍ପ କରିଛି ଯାହା ଦେଶ ଉପଯୋଗୀ ନଥିଲା। ଚୀନର ସହାୟତାରେ ବନିଥିବା୧୪୦ କୋଟି ଡଲାରର କଲମ୍ବୋ ପୋର୍ଟ ସିଟି ୨୦୪୩ରେ ସମ୍ପୂର୍ଣ୍ଣ ହେବ ଓ ୨୦୪୩ ଯାଏ ଶ୍ରୀଲଙ୍କା ଚୀନକୁ ସୁଧ ଦେଇ ଚାଲିବ। ୨୦୪୩ ଯାଏ ଏହି ପ୍ରକଳ୍ପରୁ ଶ୍ରୀଲଙ୍କା କୌଣସି ରାଜସ୍ୱ ପାଇବ ନାହିଁ।  ଯଦି ପ୍ରକଳ୍ପ ଅଧାରୁ ବନ୍ଦ ହୁଏ ତେବେ ଚୀନ ଏହି ପ୍ରକଳ୍ପ ଉପରେ ୯୯ ବର୍ଷ ପାଇଁ କବ୍ଜା କରିନେବ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୬ରୁ ୨୦୧୯ ଭିତରେ ଚୀନ ଶ୍ରୀଲଙ୍କାରେ ଇନ୍ଫ୍ରାଷ୍ଟ୍ରକଚର ବିକାଶ ପାଇଁ  ୧୨୦୦ କୋଟି ଡଲାର ପୁଞ୍ଜି ନିବେଶ କରିଛି। ପୁଞ୍ଜି ନିବେଶ କରିଥିବା କମ୍ପାନୀ ବା ଦେଶ କୌଣସି ଧାର୍ମିକ ଅନୁଷ୍ଠାନ ନୁହନ୍ତି। ବିଦେଶୀ କମ୍ପନୀମାନେ ବିଭିନ୍ନ ଦେଶକୁ ଲାଭ ଉଦ୍ଦେଶ୍ୟରେ ଆସିଥାନ୍ତି ଓ ସେମାନେ କେବେ ଦେଶସେବା ପାଇଁ ଆସିନଥାନ୍ତି। ପ୍ରକୃତ ସଚ୍ଚୋଟ, ଦକ୍ଷ ଓ ଦେଶପ୍ରେମୀ ନେତାମାନେ ଏହି ପ୍ରକଳ୍ପଗୁଡିକର ଉପକାରିତାକୁ ମୂଲ୍ୟାୟନ କରିପାରନ୍ତି। ଯଦି ନେତା ପ୍ରକଳ୍ପଗୁଡିକୁ ଠିକ ଭାବରେ ମୂଲ୍ୟାୟନ କରି ନପାରନ୍ତି ତେବେ ସେ ଦେଶ ଓ ରାଜ୍ୟର ଭବିଷ୍ୟତକୁ ଅନ୍ଧକାର କରିଦେଇଥାନ୍ତି।

ଶ୍ରୀଲଙ୍କା ପାଖରେ ଏକ ବିକଶିତ ଦେଶ ହେବା ପାଇଁ ଅନେକ ଶକ୍ତି ଓ ସାମର୍ଥ୍ୟ ଥିଲା ଯାହା ହାତଛଡ଼ା ହୋଇଗଲା। ପୁଞ୍ଜି ନିବେଶକାରୀଙ୍କୁ ନିଜର ନିୟନ୍ତ୍ରଣରେ ରଖିବାର କ୍ଷମତା ଶ୍ରୀଲଙ୍କାର ନେତାଙ୍କ ପାଖରେ ନଥିଲା। ଦେଶରେ କେଉଁ ଆର୍ଥିକ ସେକ୍ଟରରେ ପୁଞ୍ଜି ନିବେଶ ହେଲେ ସାମୂହିକ ବିକାଶ ହେବ ଏଥିପାଇଁ ଶ୍ରୀଲଙ୍କା ସରକାର କୌଣସି ଚିନ୍ତା କରିନଥିଲେ। ଫଳରେ ପୁଞ୍ଜି ନିବେଶକାରୀମାନେ ଲଗାମଛଡ଼ା ହୋଇ ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ନଷ୍ଟ କରିବା ସଂଗେ ସଂଗେ ଶ୍ରୀଲଙ୍କାବାସୀଙ୍କର ଆତ୍ମବିଶ୍ୱାସକୁ ନଷ୍ଟ କରିଦେଲେ। ପୁଞ୍ଜି ନିବେଶକାରୀମାନେ କେବଳ ନିଜର ପୁଞ୍ଜିର ସୁରକ୍ଷା କରିଥାନ୍ତି ଓ ସେମାନେ ଦେଶର ବିକାଶ ଦେଖନ୍ତି ନାହିଁ। ଗୋଟେ ଦେଶ ବୁଡ଼ିଗଲେ ସେମାନେ ପୁଞ୍ଜି ନେଇ ଅଲଗା ଦେଶକୁ ପଳାଇଯାନ୍ତି। ବିକାଶଶୀଳ ଦେଶର ନେତାମାନେ ଯଦି ବିଦ୍ୱାନ ଓ ଜାଗ୍ରତ ନଥାନ୍ତି ତେବେ ପୁଞ୍ଜି ନିବେଶ ଦେଶ ପାଇଁ ଘାତକସିଦ୍ଧ ହୋଇଥାଏ। ଶ୍ରୀଲଙ୍କାର ନେତାମାନେ ନିଜ ଦେଶରେ ଥିବା ବୁଦ୍ଧିଜୀବୀ, ଅଭିଜ୍ଞ ରାଜନେତା ଓ ଅର୍ଥନୀତିଜ୍ଞଙ୍କ କଥା ଯଦି ଶୁଣିଥାନ୍ତେ ତେବେ ଏଭଳି ଲଜ୍ୟାକର ପରିସ୍ଥିତି କେବେ ହୋଇନଥାନ୍ତା। ଶ୍ରୀଲଙ୍କାର ଏହି ଭୟାନକ ଆର୍ଥିକ ସଙ୍କଟ ଅନେକ ଦେଶ ଓ ରାଜ୍ୟ ପାଇଁ ଶିକ୍ଷଣୀୟ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।