୧୯୯୦ ଦଶକର ମଧ୍ୟଭାଗରେ ଭାରତର କ୍ରିକେଟରେ ସଫଳତାର ହାର କମ୍ ଥିଲା। ଭାରତ ବିଦେଶରେ ଟେଷ୍ଟ ଖେଳିବାକୁ ଗଲା ମାନେ ହାରୁଥିଲା। ଦେଶ ଭିତରେ ଏକ ଦିବସୀୟ ମ୍ୟାଚ୍ରେ ଯାହା ଯେମିତି ଖେଳୁଥିଲେ ବି ବଡ଼ ବଡ଼ ଟୁର୍ଣ୍ଣାମେଂଟର ଫାଇନାଲରେ ହାରିବା ଜାରୀ ରହିଥିଲା। ଦଳରେ ଟପ ଅର୍ଡରରେ ସଚିନ୍, ସୌରଭ, ଦ୍ରାବିଡ୍, ଗାଙ୍ଗୁଲୀ, ଆଝାରୁଦ୍ଦିନ୍, ଲକ୍ଷ୍ମଣ, ଅଜୟ ଜାଡେଜା, ସିଦ୍ଧୁ ଆଦି ଖେଳୁଥିଲେ ବି ଏକ ସମୟରେ ସମସ୍ତେ ଫର୍ମରେ ରହୁନଥିଲେ। ପୁଣି ସୁଇଂ କିମ୍ବା ସିମିଂ ଟ୍ରାକ୍ ଗୁଡ଼ିକରେ ଦ୍ରାବିଡ୍ ଏବଂ ସଚିନଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଟେକନିକ୍ ଉପରେ ପ୍ରଶ୍ନବାଚୀ ଲାଗି ଯାଉଥିଲା। ଏ ସମସ୍ତ ଭିତରେ ସଚିନ୍ କିନ୍ତୁ ଭାରତୀୟଙ୍କ ପାଇଁ ଏକମାତ୍ର ଆଶାର ଆଲୋକ ହୋଇ ଠିଆ ହେଉଥିଲେ। ନିଜ କାନ୍ଧରେ ଦଳର ଦାୟିତ୍ୱ ନେଇ ଭାରତକୁ ମ୍ୟାଚ୍ ଜିତାଉଥିଲେ। ତେବେ ସେ ଆଉଟ୍ ହେଲା ମାନେ ଦର୍ଶକ ଏବଂ ସମର୍ଥକଙ୍କ ମଧ୍ୟରେ ଭାଳେଣୀ ପଡୁଥିଲା। ସଚିନ୍ ତ ଗଲା ଆଉ ଭାରତ ଜିତିପାରିବ ନାହିଁ ବୋଲି ମାନି ନେଇ ଅନେକ ଟିଭି ବନ୍ଦ କରିଦେଉଥିଲେ। ତେବେ ଏହା ଭିତରେ ଏମିତି ଗୋଟିଏ ମ୍ୟାଚ୍ ବି ଥିଲା ଯେଉଁଠି ବିଜୟ ଲକ୍ଷ୍ୟ ପଛରେ ଭାରତ ଦୌଡ଼ିବା ସମୟରେ ସଚିନ୍ ଆଉଟ୍ ହୋଇ ଯାଇଥିଲେ। ଭାରତ ବିଜୟ ପାଇଁ ଆହୁରି ୫୨ ରନ୍ ଆବଶ୍ୟକ କରୁଥିଲାବେଳେ ହାତରେ ଥିଲା ମାତ୍ର ଦୁଇଟି ୱିକେଟ୍। ସେହି ମ୍ୟାଚ୍ରେ ଦୁଇ ବୋଲର କୁମ୍ବଲେ ଏବଂ ଶ୍ରୀନାଥ ବ୍ୟାଟିଂ କରି ଭାରତକୁ ଏକ ଅବିସ୍ମରଣୀୟ ବିଜୟ ଭେଟି ଦେଇଥିଲେ।
୧୯୯୬ ମସିହା ଅକ୍ଟୋବର ୨୧ ତାରିଖର ଘଟଣା। ଟାଇଟନ କପ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ଭେଟୁଥାଏ ବାଙ୍ଗାଲୋରରେ। ଭାରତ ଏବଂ ଅଷ୍ଟ୍ରେଲିଆ ବ୍ୟତୀତ ଦକ୍ଷିଣ ଆଫ୍ରିକା ଦଳକୁ ନେଇ ଏହି ତ୍ରି-ରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟ ଭାରତରେ ଅନୁଷ୍ଠିତ ହେଉଥାଏ। ପ୍ରତି ଦଳ ଅନ୍ୟ ଦଳ ବିପକ୍ଷରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକା ଅଦମନୀୟ ଥିଲା। ସେ ସହଜରେ ଭାରତ ଏବଂ ଅଷ୍ଟ୍ରେଲିଆକୁ ତିନି ଥର ଲେଖାଏଁ ହରାଇଥିଲା। ତେଣୁ ଦକ୍ଷିଣ ଆଫ୍ରିକା ଫାଇନାଲରେ ସ୍ଥାନ ହାସଲ କରି ସାରିଥିଲା। ଅନ୍ୟପକ୍ଷରେ ଭାରତ ଗୋଟିଏ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଅନ୍ୟ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ସାରିଥାଏ। ସବୁ ନଜର ଥାଏ ଶେଷ ମ୍ୟାଚ୍ ଉପରେ। ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଉଛି ତାହା ହେଲେ ଭାରତ ଫାଇନାଲ ଖେଳିବ। ଯଦି ଅଷ୍ଟ୍ରେଲିଆ ଭାରତକୁ ହରାଉଛି ତାହା ହେଲେ ରନ୍ ରେଟ୍ ଦେଖାଯିବ। ଅଷ୍ଟ୍ରେଲିଆ ରନ ରେଟ୍ ହାରରେ ଭାରତକୁ ପଛରେ ପକାଇ ଫାଇନାଲ ଖେଳିବାକୁ ଚାହିଁବ।
ବାଙ୍ଗାଲୋରର ଧିମା ୱିକେଟ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାତ ୱିକେଟ୍ ହରାଇ୨୧୫ ରନ୍ କଲା। ଏଥିରେ ଅଧିନାୟକ ମାର୍କ ଟେଲରଙ୍କର ୧୦୫ ରନର ଇନିଂସ୍ ସାମିଲ ଥିଲା। ଏହି ସ୍କୋର ଯଦିଓ ବଡ଼ ନଥିଲା, ତେବେ ଅଷ୍ଟ୍ରେଲିଆ ଦଳରେ ଥିବା ଡାମିଏନ୍ ଫ୍ଲେମିଂ, ଜାସନ ଗିଲ୍ସେପି ଏବଂ ଗ୍ଲେନ୍ ମ୍ୟାକଗ୍ରାଙ୍କ ପରି ବୋଲର ଭାରତୀୟ ଦଳକୁ ଏହି ରନ୍ ପୂର୍ବରୁ ରୋକିବା ପାଇଁ ବେଶ୍ ସକ୍ଷମ ଥିଲେ। ପୁଣି ଷ୍ଟିଭ୍ ୱ ଏବଂ ସ୍ପିନର ବ୍ରାଡ୍ ହଗ୍ ମଧ୍ୟ ବେଶ୍ ପ୍ରଭାବଶାଳୀ ବୋଲିଂ କରିପାରୁଥିଲେ।
ଭାରତର ଆରମ୍ଭ ଭଲ ନଥିଲେ ବି ଖରାପ ଥିଲା ବୋଲି କୁହାଯାଇ ପାରିବ ନାହିଁ। ସୁଜିତ ସୋମସୁନ୍ଦର ଏବଂ ସଚିନଙ୍କର ବ୍ୟାଟିଂ ବଳରେ ଭାରତ ପ୍ରଥମ ୱିକେଟରେ ୩୦ ରନ୍ ସଂଗ୍ରହ କରିପାରିଥିଲା। ସୋମସୁନ୍ଦର ପ୍ରଥମ ଖେଳାଳୀ ଭାବେ ମ୍ୟାକ୍ ଗ୍ରାଙ୍କ ବଲରେ ଆଉଟ୍ ହେଲେ ୭ ରନ୍ କରି। ପରବର୍ତ୍ତୀ ୧୭ ରନ୍ ଭିତରେ ଭାରତ ହରାଇଲା ଆଉ ତିନୋଟି ୱିକେଟ୍। ଦ୍ରାବିଡ୍ ୬ ରନ୍, ଆଝାରୁଦ୍ଦିନ୍ ୧ ରନ୍ ଏବଂ ଗାଙ୍ଗୁଲୀ ୪ ରନ୍ କରି ଆଉଟ୍ ହେଲେ। ଅଷ୍ଟ୍ରେଲିଆ ହାତ ମୁଠାକୁ ମ୍ୟାଚ୍ ଚାଲିଗଲା ପରି ମନେ ହେଲା।
ଗୋଟିଏ ପଟେ ସଚିନ୍ ନିଜର ଚିରାଚରିତ ଷ୍ଟାଇଲରେ ବ୍ୟାଟିଂ ଜାରୀ ରଖିଥିଲା ବେଳେ ତାଙ୍କ ସହ ପିଚରେ ଯୋଗ ଦେଲେ ଅଜୟ ଜାଡେଜା। ସେତେବେଳକୁ ସେ ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ଚମତ୍କାର ଫିଲ୍ଡର ଭାବେ ନାମ କରି ସାରିଥାଆନ୍ତି। ଆବଶ୍ୟକ ହେଲେ ଉପଯୋଗୀ ବୋଲିଂ ବି କରୁଥାଆନ୍ତି। ସେ ସଚିନଙ୍କ ସହ ମିଶି ୭୯ ରନର ପାର୍ଟନରସିପ୍ ତିଆରି କଲେ। ଟିଭି ଆଗରୁ ଉଠି ଆସୁଥିବା ଭାରତୀୟ ପୁଣି ନିଜର ସ୍ଥାନକୁ ପକ୍କା କରି ଭାରତର ବିଜୟର ବାସ୍ନା ବାରି ପାରିଲେ। ଜାଡେଜା ୨୭ ରନ୍ କରିଥିବା ବେଳେ ରନ ନେବାକୁ ଯାଇ ଫଲୋ ଥ୍ରୁରେ ମ୍ୟାକ୍ଗ୍ରାଙ୍କ ସହ ଧକ୍କା ଖାଇ ରନ୍ ଆଉଟ୍ ହୋଇଗଲେ। ଦଳର ସ୍କୋର ୧୨୬/୫।
ଏହା ପରେ ସଚିନଙ୍କ ସହ ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୟନ ମୋଙ୍ଗିଆ ଯୋଗ ଦେଲେ। ପ୍ରଶଂସକମାନେ ଆଶାରେ ରହିଲେ ଯେ ବୋଧହୁଏ ଭାରତ ଏହି ମ୍ୟାଚକୁ ଆଉ କିଛି ଓଭର ବିନା ୱିକେଟ ହାନୀରେ ଚଲାଇନେବ। ମୋଙ୍ଗିଆଙ୍କ ଛୋଟିଆ ୧୪ ରନର ଇନିଂସ୍ ବଳରେ ଭାରତର ସ୍କୋର ପହଁଚିଗଲା ୧୫୭ ରନ ଯାଏ। ସେ ଆଉଟ୍ ହେବା ପରେ ବାମହାତୀ ସ୍ପିନର ସୁନୀଲ ଯୋଶୀ ଆସିଲେ। ଏହା ପରେ ସଚିନଙ୍କ କାନ୍ଧରେ ପଡ଼ିଲା ମ୍ୟାଚକୁ ଜୟ କରିବାର ଚାପ। ସେତେବେଳକୁ ଭାରତକୁ ଜିତିବା ପାଇଁ ଆହୁରି ୫୯ ରନ୍ ଆବଶ୍ୟକ ହେଉଥାଏ। ଦଳର ସ୍କୋର ୧୬୪ ହୋଇଥିଲାବେଳେ ସୁନୀଲ ଜୋଶୀ ଆଉ୍ଟ୍ ହେଲେ ୧ ରନ୍ କରି। ତା ପରେ ପରେ ସେହି ସ୍କୋରରେ ସଚିନ୍ ବି ଆଉଟ୍ ହେଲେ। ସଚିନ୍ ଷ୍ଟିଭ୍ ୱଙ୍କ ବଲରେ ଏଲବିଡବ୍ଲୁ ଆଉଟ୍ ହେବା ବେଳକୁ ଦଳ ତଥାପି ଜିତିବା ପାଇଁ ଆହୁରି ୫୨ ରନ ଆବଶ୍ୟକ କରୁଥିଲା। ସଚିନ୍ ୧୧୧ ବଲରେ ୮୮ ରନ କରି ଆଉଟ୍ ହେବା ପରେ ପରେ ଷ୍ଟାଡିୟମ୍ ଖାଲି ହେବାକୁ ଲାଗିଲା। ଭାରତ ଆଉ ଜିତିପାରିବ ନାହିଁ ଭାବି ଦର୍ଶକ ଘରକୁ ଫେରିବା ଆରମ୍ଭ କଲେ।
ତେବେ ସେଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଇତିହାସ ଲେଖା ହେବାର ଥିଲା। ଆଉ ଏହି ଇତିହାସ ସ୍ଥାନୀୟ କ୍ରିକେଟରମାନଙ୍କ ଦ୍ୱାରା ହିଁ ଲେଖାହେବାର ଥିଲା। ସେଦିନ ସଚିନ୍ ବୋଧହୁଏ ନିଜ କାମ କରି ସାରିଥିଲେ। ତେଣୁ ଇତିହାସ ପୃଷ୍ଠାରେ ତାଙ୍କର ଭୂମିକା ସେଦିନ ପାଇଁ ଶେଷ ହୋଇଯାଇଥିଲା।
ସଚିନଙ୍କ ଆଉଟ୍ ହେବାର ଦୁଇଟି ବଲ ପୂର୍ବରୁ ତାଙ୍କ ସହ ବ୍ୟାଟିଂ ପାଇଁ ଯୋଗ ଦେଇଥିଲେ ଜାଭାଗଲ ଶ୍ରୀନାଥ। ପରେ ପରେ ଶ୍ରୀନାଥଙ୍କ ସହ ଯୋଗଦେଲେ ଅନୀଲ କୁମ୍ବଲେ। ସେତେବେଳେ ଭାରତୀୟ ଦଳ କହିଲେ କର୍ଣ୍ଣାଟକର ଖେଳାଳୀଙ୍କୁ ହିଁ ବୁଝାଉଥିଲା। ଭାରତ ପାଇଁ ଏକ ସମୟରେ ସାତରୁ ଅଧିକ ଖେଳାଳୀ କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରୁଥିଲେ।
ଉଭୟ ଆସିବା ପରେ ଖେଳର ଗତି ବଦଳିବା ଆରମ୍ଭ କଲା। ଭାରତକୁ ଜିତିବା ପାଇଁ ଆଉ ୪୭ ବଲରେ ୫୨ ରନ୍ କରିବାର ଥିଲା। ଶ୍ରୀନାଥ ସେତେବେଳେ ପିଂଚ୍ ହିଟର ଭୂମିକାରେ ଭାରତ ପାଇଁ ବେଳେ ବେଳେ ଖେଳୁଥିଲେ। ଯାହାର କାମ ଥିଲା ବ୍ୟାଟିଂ ଅର୍ଡର ଉପରେ ବ୍ୟାଟିଂ କରି ଅଳ୍ପ ବଲ ଖେଳି ଅଧିକ ରନ ସଂଗ୍ରହ କରି ବିପକ୍ଷ ଉପରେ ଚାପ ସୃଷ୍ଟି କରିବା। ଏଭଳି ସ୍ଥିତିରେ ଶ୍ରୀନାଥଙ୍କ ୱିକେଟ୍ ହରାଇଲେ ବି ଭାରତ ପାଇଁ ବିଶେଷ ଚିନ୍ତା କରିବାର ନଥିଲା। କାରଣ ନିମ୍ନ ଭାଗରେ ସେ ଅଧିକ ସମୟ ଖେଳି ବି ଅଧିକ ରନ୍ ସଂଗ୍ରହ କରି ଭାରତକୁ ଜିତାଇ ପାରିବେ କିମ୍ବା ଅଧିକ ସମୟ ୱିକେଟ୍ରେ ତିଷ୍ଠି ରହିପାରିବେ ସେ ସମ୍ଭବନା ବି ନଥିଲା। ତେଣୁ ଉପର କ୍ରମରେ ବ୍ୟାଟିଂ କରି ଯଦି କିଛି ରନ୍ ସଂଗ୍ରହ ହୋଇ ଯାଉଛି ତାହା ହେଲେ ଦଳ ପାଇଁ ତାହା ଲାଭଜନକ ବୋଲି ସମସ୍ତେ ବିଚାର କରୁଥିଲେ।
ଶ୍ରୀନାଥ ପ୍ରଥମେ ମିଡ୍ ଅଫ ଉପରକୁ ଗୋଟିଏ ଛକ୍କା ମାରି ନିଜର ମନୋଭାବ ସ୍ପଷ୍ଟ କଲେ। ଭାରତ ଏ ଯାଏ ହାତ ଟେକି ଦେଇ ନାହିଁ ବୋଲି ନିଜର ବ୍ୟାଟିଂ ମଧ୍ୟରେ ଦର୍ଶାଇଦେଲେ। ଏହି ସଟ୍ ଲଂଗ ଅଫର ବାଉଣ୍ଡାରୀର ବହୁତ ବାହାରେ ପଡ଼ିଲା ଏବଂ ଯେଉଁ କିଛି ଦର୍ଶକ ସଚିନ୍ ଆଉଟ୍ ହେଲା ପରେ ଚୁପ୍ ହୋଇ ଯାଇଥିଲେ ସେମାନେ ସବୁ ପୁଣିଥରେ ଷ୍ଟାଡିୟମରେ ହର୍ଷଧ୍ୱନୀ ଦେଲେ। ଭାରତ ଯେ ମ୍ୟାଚ୍କୁ ଜିତିପାରିବ ଏହା ସେମାନେ ହୃଦୟଙ୍ଗମ କଲେ। ଏହି ସମୟରେ ଷ୍ଟାଡିୟମରେ କୁମ୍ବଲେଙ୍କର ମା’ ଏବଂ ବୁଢୀମା’ ଖେଳ ଦେଖୁଥିଲେ। କ୍ୟାମେରା ସେମାନଙ୍କ ଉପରେ ପଡ଼ିଲା ମାତ୍ରେ ସେମାନଙ୍କର ମୁହଁ ଖୁସିରେ ଉଜ୍ଜ୍ୱଳ ଦେଖାଯାଉଥିବାର ଲକ୍ଷ୍ୟ କରାଗଲା।
ପରବର୍ତ୍ତୀ ଓଭରରେ କୁମ୍ବଲେ ଗୋଟିଏ ଚୌକା ଲେଗ୍ ସାଇଡ୍ ଅଂଚଳକୁ ମାରି ଦେଖାଇଦେଲେ ଯେ ସେ ବି ଅଷ୍ଟ୍ରେଲିଆର ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଧୀରେ ଧୀରେ କୁମ୍ବଲେ ଏବଂ ଶ୍ରୀନାଥ ଗୋଟିଏ ପରେ ଗୋଟିଏ ରନ୍ ସଂଗ୍ରହ କରି ଚାଲିଲେ। ମାର୍କ ଟେଲର ଉପାୟହୀନ ହୋଇ ନିଜର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ମ୍ୟାକ୍ ଗ୍ରାଙ୍କୁ ବୋଲିଂ ପାଇଁ ଡାକିଲେ।
ମ୍ୟାକ୍ ଗ୍ରା ନିଜ ସମୟରେ ଜଣେ ଚତୁର ବୋଲର ଥିଲେ। ସ୍ପିଡ୍, ଟେକ୍ନିକ୍ ଏବଂ ସୁଇଂ ବଳରେ ଅନେକ ବିଶ୍ୱ ସ୍ତରୀୟ ବ୍ୟାଟରଙ୍କ ନିଦ ହଜାଇ ଦେଇଥିଲେ। ତାଙ୍କର ବୋଲିଂରେ ଲାଇନ୍ ଏବଂ ଲେନ୍ଥକୁ ଖେଳି ନିୟମିତ ରନ୍ ବାହାର କରିବା କାଠିକର ପାଠ ଥିଲା।
ମ୍ୟାକ୍ ଗ୍ରାଙ୍କ ବୋଲିଂରେ କୁମ୍ବଲେ ହଡ଼ବଡ଼େଇ ଗଲେ। ଗୋଟିଏ ବଲ ତ ସିଧା ଆସି କୁମ୍ବଲେଙ୍କ ଆଗ ଗୋଡ଼ ପ୍ୟାଡ଼ରେ ବାଜିଲା ଏବଂ ମ୍ୟାକ୍ ଗ୍ରା ଏଲବିଡବ୍ଲୁ ପାଇଁ ଅପିଲ କଲେ। ସେତେବେଳ ତଥାପି ଭାରତ ଜିତିବା ପାଇଁ ଅନେକ ଦୂରରେ ଥାଏ। ପଡ଼ିଆ ସାରା ନୀରବତା ଛାଇଗଲା। ଯଦି କୁମ୍ବଲେ ଆଉଟ୍ ହେଉଛନ୍ତି ତେବେ ଭାରତର ବିଜୟର ରାସ୍ତା ବନ୍ଦ ହୋଇଯିବ, କାରଣ ଶେଷ ବ୍ୟାଟର ଭେଙ୍କଟେଶ୍ ପ୍ରସାଦଙ୍କର ବ୍ୟାଟିଂ ଦକ୍ଷତା ସେତେ ନଥିଲା। ତେବେ ଭାରତର ଭାଗ୍ୟ ଭଲ କୁମ୍ବଲେ ନଟ ଆଉଟ୍ ରହିଲେ। ପଡ଼ିଆ ସାରା ଛାଇଥିବା ନୀରବତା କେଇ ସେକେଣ୍ଡରେ ପୁଣି ହର୍ଷ ଉଲ୍ଲାସରେ ପରିଗଣିତ ହେଲା। କାଳେ କୁମ୍ବଲେ ଆଉଟ୍ ହୋଇଯିବେ ଭାବି କୁମ୍ବଲେଙ୍କ ମା’ ଦୁଇ ପାପୁଲିରେ ନିଜ ଆଖି ଘୋଡ଼ାଇ ନର୍ଭସ ହୋଇଯାଉଥିବାର ଦୃଶ୍ୟକୁ ଟେଲିଭିଜନ କ୍ୟାମେରା ତୋଳି ଧରିଥିଲା। ଏହା ସମସ୍ତଙ୍କ ପାଇଁ ବେଶ୍ କୌତୁହଳ ଉଦ୍ଦୀପକ ଥିଲା ଯାହା ଅନେକ ଦିନ ପାଇଁ ଭାରତୀୟ ଟେଲିଭିଜନ ଦର୍ଶକଙ୍କର ପ୍ରିୟ ସିନ୍ ହୋଇ ରହିଥିଲା।
ଶେଷରେ ଭାରତ ପାଇଁ ବିଜୟ ସୂଚକ ରନ୍ ଶ୍ରୀନାଥଙ୍କ ବ୍ୟାଟରୁ ଆସିଥିଲା। ସେତେବେଳେ କେବଳ ଚିନ୍ନାସ୍ୱାମୀ ଷ୍ଟାଡିୟମ ନୁହେଁ ବରଂ ପୂରା ଭାରତ ଖୁସିରେ ପାଗଳପ୍ରାୟ ହୋଇଯାଇଥିଲା। ନବମ ୱିକେଟ୍ ଯୋଡ଼ିରେ ଭାରତର ଦୁଇ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ପରି ଦଳର ବୋଲରଙ୍କ ସାମ୍ନାରେ ପାଖାପାଖି ୮ ଓଭର ଠିଆ ହୋଇ ୫୨ ରନ୍ ସଂଗ୍ରହ କରିବା ସେ ସମୟରେ ବେଶ୍ କାଠିକର ପାଠ ଥିଲା। ତେବେ ଭାରତ ଏହାକୁ ସଫଳତାର ସହ କରିପାରି ମ୍ୟାଚ୍ ବିଜୟୀ ହେବା ସହ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। ପରେ ସଚିନଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ଣ୍ଣାମେଂଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିୟାନ ହୋଇଥିଲା।
ମ୍ୟାଚ୍ ପରେ ସଚିନ୍ ଏହି ମ୍ୟାଚ୍ ସମୟରେ ଡ୍ରେସିଂ ରୁମର ମାହୋଲକୁ ବେଶ୍ ସରଗରମ ଏବଂ ଉତ୍ତେଜନାପୂର୍ଣ୍ଣ ଥିଲା ବୋଲି କହିଥିଲେ। ଯଦିଓ ସଚିନ୍ ଏହି ମ୍ୟାଚ୍ର ମ୍ୟାନ୍ ଅଫ ଦ ମ୍ୟାଚ୍ ବୋଲି ଘୋଷିତ ହୋଇଥିଲେ ତେବେ ଖୋଦ୍ ସଚିନ୍ ଏହି ପୁରସ୍କାର ଉଭୟ କୁମ୍ବଲେ ଏବଂ ଶ୍ରୀନାଥ ପାଇବା ଉଚିତ୍ ବୋଲି ମତ ଦେଇଥିଲେ।
ସତରେ ଏହା ଏପରି ଏକ ମ୍ୟାଚ୍ ଥିଲା ଯାହାର କଥା ଭାବି ଆଜି ବି କ୍ରିକେଟପ୍ରେମୀ ଆମୋଦିତ ହୁଅନ୍ତି। ସଚିନ ଆଉଟ୍ ହେଲା ପରେ ଏମିତି ମ୍ୟାଚ୍ କଦବା କ୍ୱଚିତ୍ ଘଟିଥିବ ଯେଉଁଠି ଭାରତ ବିଜୟ ଲାଭ କରିଥିବ। ସେଥିପାଇଁ ଏହି ମ୍ୟାଚ୍ ଏବଂ ଶ୍ରୀନାଥ ଓ କୁମ୍ବଲେଙ୍କ ମଧ୍ୟରେ ହୋଇଥିବା ପାର୍ଟନରଶିପ୍କୁ ବହୁତ ଦିନ ଧରି ମନେ ରଖାଯାଇଥିଲା।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬