ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଫେବୃଆରୀ ୧୩ ତାରିଖରେ ବସୁଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନକୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରଥମେ ରାଜ୍ୟପାଳ ସମ୍ବୋଧିତ କରିବେ। ସେହି ଭାଷଣରେ ରାଜ୍ୟ ସରକାର ଚଳିତ ବର୍ଷର ଉପଲବ୍ଧି ସହିତ ପୂରା ୫ ବର୍ଷର କାର୍ଯ୍ୟ ସଫଳତା ବିଷୟରେ ଉଲ୍ଲେଖ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଗାମୀ ବଜେଟ୍ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା କରିବେ।
ରାଜ୍ୟର ବିଭିନ୍ନ ବର୍ଗରେ ରହିଥିବା ସଂଖ୍ୟା ଗରିଷ୍ଠ ଅଳ୍ପକେ ସନ୍ତୁଷ୍ଟ ଶ୍ରେଣୀଙ୍କୁ ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ୨୩ ବର୍ଷ ଶାସନର ମୁଖ୍ୟ ଅର୍ଥନୈତିକ ରଣ କୌଶଳ ହୋଇ ରହିଆସିଛି। ସେହି ପରମ୍ପରାକୁ ନିର୍ବାଚନ ପୂର୍ବ ବର୍ଷରେ କଦାପି ସରକାର ପରିହାର କରିବେ ନାହିଁ। ରାଜ୍ୟ ସରକାରଙ୍କ ଆର୍ଥିକ ସମ୍ବଳ ଖଣି ଶିଳ୍ପରୁ ମିଳୁଥିବା ବିପୁଳ ରାଜସ୍ୱ ଯୋଗୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ସ୍ଥିତିରେ ଅଛି। ତଥାପି ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରି ମର୍ଯ୍ୟାଦାର ସହିତ ଜୀବନଯାପନ ପାଇଁ ଯେଉଁସବୁ ମୌଳିକ ବିକାଶର ଆବଶ୍ୟକତା ରହିଛି ତାହା ହୋଇପାରିନଥିବାରୁ ସଂଖ୍ୟାଗରିଷ୍ଠ ଶ୍ରେଣୀ ସରକାରଙ୍କ ଦାନ ବା ଦେୟ ଉପରେ ନିର୍ଭର କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ସହିତ କୃଷି ଓ କୃଷକର ବିକାଶ ମୁଖ୍ୟତଃ ରାଜ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ଏହିସବୁ କ୍ଷେତ୍ରରେ କୌଣସି ଗୋଟିକରେ ଓଡ଼ିଶା ଭାରତର ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ ରହିନାହିଁ ବା ଶ୍ରେଷ୍ଠ ସଫଳତା ପାଇ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ନାଁରେ ଓଡ଼ିଶା ପ୍ରଶାସନିକ ଦକ୍ଷତାକୁ ସବୁ କ୍ଷେତ୍ରରେ ସଂପ୍ରସାରିତ କରାଯାଇପାରି ନାହିଁ। ରାଜ୍ୟ ସରକାର ଆଧୁନିକ ବ୍ୟବସ୍ଥା ଉପଯୋଗ କରି ବିଭିନ୍ନ ବିଭାଗକୁ ୫-ଟି ଅନ୍ତର୍ଭୁକ୍ତ କରିବା ଓ ମୋ-ସରକାର ଜରିଆରେ ବିଭାଗଗୁଡିକୁ କ୍ରିୟାଶୀଳ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହାର ସୁବିଧା ଜନସାଧାରଣ ପାଇପାରି ନାହାନ୍ତି।
ନାଗରିକମାନଙ୍କୁ ଭୋଟର ଭାବରେ ବିବେଚନା କରି ସେମାନଙ୍କର ସମର୍ଥନ ଆଦାୟ ପାଇଁ ନିର୍ବାଚନ ପୂର୍ବରୁ ସ୍କିମମାନ ଘୋଷଣା କରାଯାଉଛି। ଲୋକମାନଙ୍କୁ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଆଇନର ସୁଯୋଗ ନେଇ ରାଜ୍ୟରେ ଏକ ଟଙ୍କାରେ ଯେଉଁ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଥିଲା, ତାହାକୁ କେନ୍ଦ୍ର ସରକାରଙ୍କ ନୂଆ ଘୋଷଣାରେ ଏପରି କରିଦିଆଯାଇଛି ଯେ ରାଜ୍ୟର ଏଥିରେ କିଛି ଭାଗିଦାର ଅଛି ବୋଲି ଆଉ ଦାବି କରାଯାଇପାରିବ ନାହିଁ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୫ କିଲୋ ଚାଉଳ ବା ଗହମ ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେବା ପାଇଁ ଗତମାସରୁ ଘୋଷଣା କରିବା ପରେ ଚାଉଳ କାରବାରରେ ରାଜ୍ୟର ହାତ ଫାଙ୍କା ହୋଇଯାଇଛି। ଏହାକୁ ଉପଲବ୍ଧି କରି କରୋନା ସମୟରେ ଦୁଇବର୍ଷ କାଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଖାଦ୍ୟ କାହିଁକି ବନ୍ଦ କରାଗଲା ବୋଲି ପ୍ରଶ୍ନ ଉଠାଇ ରାଜ୍ୟ ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଯଦିଓ ସେମାନେ ଜାଣନ୍ତି ଯେ କେବଳ କରୋନା ସମୟ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲିଥିଲା ଓ କରୋନା ଶେଷ ହୋଇଯାଇଥିବାରୁ ଏହି ଯୋଜନାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଉପଲବ୍ଧି କରି ତାହାକୁ ଉଠାଇ ଦେଇଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ କିଲୋ ପିଛା ୨ ଟଙ୍କାରେ ଦେବାର ଯେଉଁ ବ୍ୟବସ୍ଥା ଥିଲା ତାହାକୁ ବଦଳାଇ ଦିଆଯାଇ ଏହି ସ୍କିମରେ ସମସ୍ତ ଖାଦ୍ୟ ଯୋଗାଣ ବିନା ମୂଲ୍ୟରେ ଦିଆଯିବ ବୋଲି ଘୋଷଣା କରାଯାଇଛି। ଅବଶ୍ୟ ଚାଉଳ ସ୍କିମରେ ଲୋକମାନଙ୍କୁ ୧ ଟଙ୍କାରେ ଚାଉଳ ଦେଇ ରାଜ୍ୟ ସରକାର ବର୍ଷକୁ ଯେଉଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ତାହା ରାଜ୍ୟର ସଂଚିତ ହୋଇ ରହିବ। କିନ୍ତୁ ଚାଉଳ ସ୍କିମ୍ ଜରିଆରେ ଭୋଟରମାନଙ୍କୁ ଆକୃଷ୍ଟ କରିବାର ଅସ୍ତ୍ରଟି ରାଜ୍ୟ ସରକାରଙ୍କ ହାତରୁ ଚାଲିଯିବା ପରେ ଗଚ୍ଛିତ ୧୨୦୦ କୋଟି ଟଙ୍କା ସହିତ ଅନ୍ୟ କ’ଣ କରାଗଲେ ରାସନ୍ କାର୍ଡଧାରୀମାନେ ରାଜ୍ୟ ସରକାରଙ୍କ ପ୍ରତି ଅନୁରକ୍ତ ହେବେ, ସେଥିପାଇଁ ବିଚାର ଆଲୋଚନା ଚାଲିଛି। ବଜେଟ୍ ଆଗତ ପରେ ସରକାରଙ୍କ ପ୍ରକୃତ ଚିନ୍ତା ଜାଣିହେବ।
ରାଜ୍ୟ ବଜେଟରେ କୃଷି ବିଭାଗ ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଉଥିଲେ ମଧ୍ୟ କୃଷକମାନଙ୍କର ଆୟ ରାଜ୍ୟରେ ସେପରି ବଢ଼ିପାରି ନାହିଁ। ସର୍ବଶେଷ ରିପୋର୍ଟ ଅନୁସାରେ ମୁଣ୍ଡପିଛା ଚାଷୀମାନଙ୍କର ଆୟ ଓଡ଼ିଶାରେ ନିମ୍ନ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି। ୨୦୧୯ ନିର୍ବାଚନ ପୂର୍ବରୁ ଚାଷୀ ଓ କୃଷି ଶ୍ରମିକମାନଙ୍କ ପାଇଁ କାଳିଆ ସ୍କିମ୍ ଘୋଷଣା କରାଯାଇ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯିବାର ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାର ମଧ୍ୟ ସେହି ସମୟରେ ପିଏମ୍ କିଷାନ ମାଧ୍ୟମରେ ଚାଷୀମାନଙ୍କୁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ। ନିର୍ବାଚନରେ ରାଜ୍ୟ ସ୍କିମଟି ଅଧିକ ମାତ୍ରାରେ ଚାଷୀମାନଙ୍କ ନିକଟରେ ଯେପରି ପହଂଚିଲା ତାହା ପିଏମ୍ କିଷାନ ଯୋଜନାରେ ହୋଇପାରି ନଥିଲା। ୨୦୧୯ ନିର୍ବାଚନ ଜିତିବା ପରେ ରାଜ୍ୟ ସରକାର କାଳିଆ ସ୍କିମରେ ସଂଶୋଧନ କରି କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି। ଅବଶ୍ୟ ପିଏମ୍ କିଷାନ ଯୋଜନା ଏକ ନିର୍ଦ୍ଦିଷ୍ଟ ନୀତି ଭିତ୍ତିକ ଥିଲାବେଳେ କାଳିଆ ଯୋଜନାରେ ପରିସର ଅଧିକ ହୋଇଥିବାରୁ ପିଏମ୍ କିଷାନଠାରୁ କାଳିଆରେ ଅଧିକ କୃଷକ ପରିବାର ଉପକୃତ ହେଉଛନ୍ତି ବୋଲି କୁହାଯାଉଛି। କିନ୍ତୁ ରାଜ୍ୟ ସରକାର କାଳିଆ ସ୍କିମକୁ ଯେ ନିର୍ବାଚନ ପରେ ବଦଳାଇଦେବେ ତାହା ସହଜରେ ସ୍ୱୀକାର କରୁନାହାନ୍ତି।
ଏବେ ନିର୍ବାଚନ ଆସିବା ଦୃଷ୍ଟିରୁ କୃଷକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫସଲ ବୀମା ଯୋଜନାରେ ଚାଷୀମାନେ ହଇରାଣର ସମ୍ମୁଖୀନ ହେଉଥିବାରୁ ରାଜ୍ୟରେ ଏହି ବୀମା ଯୋଜନାକୁ କାର୍ଯ୍ୟକାରୀ ନକରି ଏକ ସ୍ୱତନ୍ତ୍ର ଫସଲ କ୍ଷତି ଭରଣା ରାଶି ନିମନ୍ତେ ସ୍କିମ୍ କରିବେ ବୋଲି ଶୁଣାଯାଉଛି। ଏହି ସ୍କିମରେ ଚାଷୀମାନଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼ିବ ନାହିଁ ଓ ଯେଉଁ କୃଷକ ପରିବାରର ଶତକଡ଼ା ୧୦ ଭାଗରୁ ଅଧିକ କ୍ଷତି ହେବ ସେମାନଙ୍କ ପାଇଁ କ୍ଷତି ଭରଣା ବାବଦରେ ଅର୍ଥ ଦିଆଯିବ। ଯେପରି ଭାବରେ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନକରି ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ରୋଗୀମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେଉଛନ୍ତି, ସେହି ବ୍ୟବସ୍ଥା ଫସଲ କ୍ଷତି ଭରଣା ସ୍କିମରେ କାର୍ଯ୍ୟକାରୀ କରିବେ। ଅର୍ଥାତ୍ ଫସଲ କ୍ଷତି ପାଇଁ କୌଣସି ବୀମା କମ୍ପାନୀ ପାଖକୁ ଚାଷୀଙ୍କୁ ଯିବାକୁ ପଡ଼ିବ ନାହିଁ ଓ ସରକାର ନିଜ ସମ୍ବଳରେ କ୍ଷତିଭରଣା କରିବେ। ଏଥିପାଇଁ ବିସ୍ତୃତ ସ୍କିମ୍ ପ୍ରସ୍ତୁତ ହୋଇନାହିଁ। କୃଷକମାନେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଉପରେ ନିର୍ଭର କରି ବୀମା ଯୋଜନାକୁ ପରିତ୍ୟାଗ କରିବା ଦ୍ୱାରା ସେମାନଙ୍କର କେତେ ଲାଭ ବା କ୍ଷତି ହେବ ତାହା ପ୍ରକୃତ କ୍ଷତି ପରେ ଜନସାଧାରଣ ଜାଣିପାରିବେ।
ରାଜ୍ୟ ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଭାଷଣ ଓ ବଜେଟ୍ ଉପରେ ଆଲୋଚାନରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରମୁଖ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳିମାରି ହତ୍ୟା କରିବା ଘଟଣାର ରହସ୍ୟ ଉଦ୍ଘାଟନ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଆଇନଶୃଙ୍ଖଳା ଜନିତ ଗରମାଗରମ ଆଲୋଚନା ପାଇଁ ପୃଷ୍ଠଭୂମି ସୃଷ୍ଟି କରିଛି। ଏହି ଆଲୋଚନା ଭିତରେ ମମିତା ମେହେରଙ୍କ ହତ୍ୟାକାଣ୍ଡ ଓ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଜେଲ୍ ଭିତରେ ଆତ୍ମହତ୍ୟା କରିବା ଘଟଣା ଯୋଗୁ ସେହି ହତ୍ୟାକାଣ୍ଡର ବହୁ ରହସ୍ୟ ଲୁଚିଗଲା ବୋଲି କୁହାଯାଉଛି। ଜେଲ୍ ଭିତରେ ଆତ୍ମହତ୍ୟା ଘଟଣାକୁ ସହଜରେ ଜନସାଧାରଣ ଗ୍ରହଣ କରିପାରି ନାହାନ୍ତି। ଏହାଛଡ଼ା ପରୀଠାରୁ ମାହାଙ୍ଗା ଡବଲ୍ ମର୍ଡର ପର୍ଯ୍ୟନ୍ତ ଅନେକ ହତ୍ୟା ଘଟଣା ଉପରେ ରାଜ୍ୟ ପୋଲିସ ଦକ୍ଷତାର ସହିତ କାମ କରିପାରୁ ନଥିବାରୁ ସରକାରୀ ରାଜନୈତିକ ନେତାମାନଙ୍କର ଏହିସବୁ ଘଟଣାରେ ସଂପୃକ୍ତି ଥିବାନେଇ ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି।
ବାସ୍ତବରେ ରାଜ୍ୟରେ ଗୋଟିଏ ଦଳ ଓ ଜଣେ ବ୍ୟକ୍ତିଙ୍କର କ୍ରମାଗତ ୨୩ ବର୍ଷ ଧରି ଶାସନ ଯୋଗୁ ସରକାରୀ କଳ ଓ ପୋଲିସ ବାହିନୀରେ ଆନୁଗତ୍ୟ ଭିତ୍ତିକ ବ୍ୟବସ୍ଥା ସର୍ବଗ୍ରାସୀ ବ୍ୟାପିଯାଇଛି। ନିକଟରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରମାଗତ ଦୁଇଟି ନିର୍ବାଚନ ଜିତି ୬ ବର୍ଷ ଶାସନ କଲା ପରେ ଘୋଷଣା କଲେ ଯେ ତାଙ୍କ ପାଖରେ ଦେଶ ପାଇଁ ଅଧିକ କିଛି ଦେବା ପାଇଁ ଚିନ୍ତା ବା ଭାବନା ନଥିବାରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି। ତାଙ୍କ ପଛରେ ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ ସେ ଇସ୍ତଫା ଦେବାରୁ ତାଙ୍କ ଦଳ ଆଉ ଜଣେ ନେତାଙ୍କୁ ନିର୍ବାଚିତ କରିଛନ୍ତି। କିନ୍ତୁ ଓଡ଼ିଶାରେ ତଥାକଥିତ ରାଜନୈତିକ ସ୍ଥିରତା ନାଁରେ ଜଣେ ବ୍ୟକ୍ତିର ୨୩ ବର୍ଷ ଶାସନ ରାଜ୍ୟର ଶାସନ ବ୍ୟବସ୍ଥାରେ ଅଧୋଗତି ପାଇଁ ଅନେକ ପରିମାଣରେ ଦାୟୀ ବୋଲି ଯେ କୌଣସି ରାଜନୈତିକ ପର୍ଯ୍ୟବେକ୍ଷକ ସହଜରେ ଅନୁମାନ କରିପାରିବ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।