ଏତେଦିନ ଶୋଇଥିଲେ, ଏବେ ଚାଷୀଙ୍କ ଭୟରେ ଗଢ଼ାହେଲା ମନ୍ତ୍ରୀ କମିଟି

ଭୁବନେଶ୍ୱର(ପ୍ରକାଶ ସେଠୀ): ଦେଶର ବିଭିନ୍ନ ଭାଗରେ ଚାଷୀଙ୍କ ହକ୍ ପାଇଁ ଚାଲିଥିବା ଲଢ଼େଇରେ ଓଡ଼ିଶା ଏବେ ନୂଆ କେନ୍ଦ୍ରବିନ୍ଦୁ ଭାବେ ଉଭା ହୋଇଛି। ପ୍ରାଇସ୍, ପେନସନ ଓ ପ୍ରେଷ୍ଟିଜ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ସରକାର ସହ ନିର୍ଣ୍ଣାୟକ ଲଢ଼େଇ ପାଇଁ ଆହ୍ୱାନ ଦେଇଛି। ତେବେ କୃଷି କ୍ଷେତ୍ର ପ୍ରତି ଅଣଦେଖା ହେଉ ଅବା ଚାଷୀ ଆନ୍ଦୋଳନର ଆୟୋଜକଙ୍କ ପ୍ରଚାର କ୍ଷମତାର ଅଭାବ ଅବା ପୁଣି ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଆଗଧାଡ଼ିର ମିଡିଆ ହାଉସ୍ (ମେନଷ୍ଟ୍ରିମ ମିଡିଆ)କୁ ସରକାରୀ ନିୟନ୍ତଣର ଫଳସ୍ୱରୂପ ଏହି ଆନ୍ଦୋଳନକୁ ନେଇ ଦେଶରେ ସେଭଳି ମାହୋଲ୍ ସୃଷ୍ଟି ହୋଇପାରିନି, ଯାହା ନିକଟ ଅତୀତରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିଲା। ତଥାପି ନିର୍ବାଚନୀ ବର୍ଷରେ ଏହି ଆନ୍ଦୋଳନ ଓ ଏହାର ଗୁରୁତ୍ୱ ଢ଼େର ଅଧିକ ରହିଛି।

ନବନିର୍ମାଣ କୃଷକ ସଂଗଠନର ନେତୃତ୍ୱରେ ଯାଜପୁରରୁ କୁଆଖିଆ ଓ ଖୋର୍ଦ୍ଧାର ବାଲୁଗାଁଠାରୁ ଅକ୍ଟୋବର ୨୯ତାରିଖରୁ ବାହାରି ଥିବା ବିଶାଳ ଚାଷୀ ପଦଯାତ୍ରା ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ସହର ଭିତରକୁ ପ୍ରବେଶର ସୁଯୋଗ ମିଳିନି। ୧୪୪ ଧାରା ରୁଜୁ କରି, ପୁଲିସ ଲଗାଇ ସରକାର ସେମାନଙ୍କୁ ଗିରଫ କରିବାକୁ ପଛାଇ ନାହାନ୍ତି। ଭୁବନେଶ୍ୱର ସହରର ଉଭୟ ପାର୍ଶ୍ଵରୁ ପ୍ରାୟ ୪୦ହଜାରରୁ ଅଧିକ ଚାଷୀ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ କରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସରକାର ତାହା କରାଇ ଦେଇନାହାନ୍ତି।

ଗତ ୨୯ତାରିଖରୁ ପଦଯାତ୍ରାରେ ବାହାରିଥିବା ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ଗତ ୭ଦିନ ମଧ୍ୟରେ ସାମାନ୍ୟତମ ପ୍ରୟାସ ନକରି ଆଜି ତରବରିଆ ଭାବେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଯାହାକୁ ଅବଶ୍ୟ ଚାଷୀମାନେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ଚାଷୀଙ୍କୁ ଭୁବନେଶ୍ୱର ମନା କରିଥିବା ସରକାରଙ୍କୁ ଚେତାବନୀ ଦେଇ ଗାଁଗହଳିରେ ନେତାଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।

ସବୁଠୁ ପରିତାପର ବିଷୟ, କୃଷି କ୍ୟାବିନେଟ୍ ଓ ସ୍ୱତନ୍ତ୍ର କୃଷି ବଜେଟ କଥା କହି ଚାଷୀଙ୍କ ପ୍ରତି ନିଜର ସମବେଦନା ପ୍ରକଟ କରୁଥିବା ବିଜେଡି ସରକାର ଏପର୍ଯ୍ୟନ୍ତ ଚାଷୀ ନେତାମାନଙ୍କ ସହ ବ୍ୟାକଡୋରରେ କୌଣସି ଆଲୋଚନା ପାଇଁ ଉଦ୍ୟମ ମଧ୍ୟ କରିନାହିଁ। ଏପରିକି ସେମାନଙ୍କର ଦାବି ପ୍ରତି ମଧ୍ୟ ଗତ ୪ବର୍ଷ ହେଲା ସମ୍ପୂର୍ଣ୍ଣ ନିରବ ରହିଛି।

ଭୟରେ ୩ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ

ଚାଷୀଙ୍କ ‘ନିର୍ଣ୍ଣାୟକ ଲଢ଼େଇ’ରେ ଭୟଭୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏକ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯାଇ ଚାଷୀ ସଂଗଠନ ସହ ଏହି ମନ୍ତ୍ରିସ୍ତରୀୟ କମିଟି ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଥିବାବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଚାଷୀମାନଙ୍କ ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସଫେଇ ଦେଇଛନ୍ତି। ତେବେ ନିଜକୁ ଚଷା ପୁଅ ବୋଲି ଦମ୍ଭୋକ୍ତି ଦେଖାଉଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥି ଏପର୍ଯ୍ୟନ୍ତ ଚାଷୀଙ୍କ ଦୁଃଖ ବୁଝିବାକୁ ଆଗେଇ ଆସିନାହାନ୍ତି। ଗତ ୭ଦିନ ଧରି ଚାଷୀ ଆନ୍ଦୋଳନ କରୁଥିବାବେଳେ ସରକାରଙ୍କ ପାଖରେ ଖବର ନଥିଲା, ନା ଜାଣିଶୁଣି ଚାଷୀଙ୍କୁ ସମସ୍ୟା ଭିତରେ ବଞ୍ଚିବା ପାଇଁ ବାଧ୍ୟ କରାଯାଉଛି ବୋଲି ପ୍ରଶ୍ନ ଉଠିଛି।

ସେପଟେ ଶାସକ ଦଳର ମୁଖପାତ୍ର ସମୀର ଦାଶ ଚାଷୀଙ୍କ ଏଭଳି ସମସ୍ୟା ପାଇଁ କେନ୍ଦ୍ର ଦାୟୀ ବୋଲି ସଫେଇ ଦେଉଛନ୍ତି। ପ୍ରାଇସ୍ ନିର୍ଦ୍ଧାରଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ବୋଲି କହୁଛନ୍ତି। ତେବେ ବିଜେଡି ଭୁଲିଯାଉଛି ଯେ ଓଡ଼ିଶାର ଲୋକମାନେ କ୍ରମାଗତ ୪ଟି ନିର୍ବାଚନରେ ବିଜେଡି ସପକ୍ଷରେ ଜନାଦେଶ ଦେଇଛନ୍ତି। ନବୀନ ପଟ୍ଟନାୟକ ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ନବୀନ ସରକାର ରାଜ୍ୟର କୃଷି କ୍ଷେତ୍ର ପ୍ରତି ପ୍ରକୃତରେ ଗତ ଦୁଇ ଦଶନ୍ଧି ମଧ୍ୟରେ କ’ଣ କରିଛି ତାହା ଚାଷୀମାନେ ପ୍ରଶ୍ନ କରିବା ସ୍ୱାଭାବିକ। ଚାଷୀଙ୍କ ସ୍ୱାର୍ଥରକ୍ଷାର ଉପାୟ କରିବା ବା ଖୋଜିବା କ’ଣ ରାଜ୍ୟ ସରକାରଙ୍କ କର୍ତବ୍ୟ ନୁହେଁ? ଆନ୍ଦୋଳନକାରୀ ଚାଷୀ ଯେଉଁ ଦାବି କରୁଛନ୍ତି ସେମାନଙ୍କର ସହ ଆଲୋଚନା କରିବାରେ ସମସ୍ୟା କେଉଁଠି? ସେମାନଙ୍କର ଦାବି ଉପରେ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ୍ କି ନୁହେଁ?

ଚାଷୀଙ୍କ ପ୍ରମୁଖ ଦାବି

ଚାଷୀମାନଙ୍କର ପ୍ରମୁଖ ଦାବି ହେଉଛି ସରକାର ରାଜ୍ୟରେ ଚାଷୀ ଆତ୍ମହତ୍ୟାଗୁଡ଼ିକୁ ସ୍ୱୀକାର କରନ୍ତୁ ଓ ପୀଡ଼ିତ ପରିବାରକୁ ସହାୟତା ଦିଅନ୍ତୁ। ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ କ୍ୱିଣ୍ଟାଲ ପିଛା ଡର ୩ହଜାର ଟଙ୍କା କରିବା, ୬୦ବର୍ଷ ବୟସରେ ଉପନୀତ ୩୬ଲକ୍ଷ ଗରିବ ଚାଷୀଙ୍କୁ ମାସିକ ୫ହଜାର ଟଙ୍କାର ପେନସନ ବ୍ୟବସ୍ଥା ଏବଂ କୃଷି ବଜେଟ୍ ପାଇଁ ୨୧,୬୦୦କୋଟି ଟଙ୍କା ବ୍ୟବସ୍ଥା କରିବା। ଅବଶ୍ୟ ରାଜ୍ୟ ସରକାରଙ୍କ ପାଇଁ ଏସବୁ ଦାବି ଏକକାଳୀନ ଗ୍ରହଣ କରିନେବା ଓ ଏସବୁ ପାଇଁ ଆର୍ଥିକ ବ୍ୟୟବରାଦ କରିବା କଷ୍ଟକର ବ୍ୟାପାର ନିଶ୍ଚୟ। କିନ୍ତୁ ସରକାର ସକାରାତ୍ମକ ଆଭିମୁଖ୍ୟ ପୋଷଣ କରି ନିଜର ଇଚ୍ଛାଶକ୍ତି ସହ ସେମାନଙ୍କ ଦାବି ଉପରେ ଆଲୋଚନା କରିବାରେ ଅସୁବିଧା କେଉଁଠି?

ନିକଟରେ କର୍ଣ୍ଣାଟକ ଓ ତେଲେଙ୍ଗାନା ସରକାର ସେମାନଙ୍କର ଚାଷୀଙ୍କ ପାଇଁ ନିଶ୍ଚିତ ଉପାର୍ଜନର ଯୋଜନା ଆରମ୍ଭ ପାଇଁ ଘୋଷଣା କରିସାରିଛନ୍ତି। ଏଥିପାଇଁ ନିଜର ବଜେଟରେ ମଧ୍ୟ ଅର୍ଥ ବରାଦ କରିଛନ୍ତି। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ- ୨୦୧୬-୧୭ ମସିହାରେ ମଧ୍ୟ ଗରିବ ପରିବାର ପାଇଁ ଏକ ନିଶ୍ଚିତ ଉପାର୍ଜନ ସୁନିଶ୍ଚିତ କରିବା ପାଇଁ ଯୋଜନାର ଉଲ୍ଲେଖ ରହିଛି। ତେଣୁ ନବୀନ ପଟ୍ଟନାୟକ ସରକାର ଚାହିଁଲେ ଏସବୁର କିଛି ଶିକ୍ଷା ନେଇ ଚାଷୀଙ୍କ ନ୍ୟାଯ୍ୟ ଦାବିକୁ ପୂରଣ ଦିଗରେ ପଦକ୍ଷେପ ନେଇପାରନ୍ତା।

ସରକାରଙ୍କ ପାଖରେ ହିସାବ ଅଛି ତ ?

ସୂଚନାଯୋଗ୍ୟ, ରାଜ୍ୟରେ ବାସ୍ତବରେ କେତେ ଚାଷୀ ଅଛନ୍ତି ତା’ର ସଠିକ ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ। କିନ୍ତୁ ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୧ଲକ୍ଷ ଚାଷୀ ଥିବାବେଳେ ୬୭.୪୦ଲକ୍ଷ କୃଷି ଶ୍ରମିକ ଅଛନ୍ତି। ରାଜ୍ୟର ୬୫%ରୁ ଅଧିକ ଲୋକ ଚାଷକୁ ନିଜର ଜୀବିକା କରିଛନ୍ତି। ଏହି କାରଣରୁ ଓଡ଼ିଶାକୁ ୨୦୧୦-୧୧ରୁ ୨୦୧୪-୧୫ ମସିହା ମଧ୍ୟରେ ୪ଥର ଜାତୀୟସ୍ତରରେ କୃଷି କର୍ମଣ ପୁରସ୍କାର ଜିତିବାର ଗୌରବ ମିଳିଛି। ଅନ୍ୟପକ୍ଷେ ରାଜ୍ୟର ୯୦% ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ଜଣାଶୁଣା ଏବଂ ତ୍ରୁଟିପୂର୍ଣ୍ଣ ଆଇନ ଯୋଗୁ ସବୁ ପ୍ରକାରର ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଅବଶ୍ୟ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୮ ଜାନୁୟାରୀ ସୁଦ୍ଧା ରାଜ୍ୟର ୫୭ଲକ୍ଷ ୬୪ହଜାର ୩୫୯ଟି ଚାଷୀ ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନା(ବୀମା)ରେ ସାମିଲ କରାଯାଇଛି। ରାଜ୍ୟରେ କୃଷି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗର ବଜେଟ୍ ୨୦୧୨-୧୩ରେ ୫୬୨୭.୮୭କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ୧୩,୧୮୨କୋଟି ଟଙ୍କା ଏବଂ ୨୦୧୮-୧୯ରେ ୧୬,୭୬୫କୋଟି ଟଙ୍କାରେ ପହଞ୍ଚିଛି। ମାତ୍ର ରାଜ୍ୟର ମୋଟ ବଜେଟରେ କୃଷି ବଜେଟର ଭାଗିଦାରୀ ଅତ୍ୟନ୍ତ ନଗଣ୍ୟ। ୨୦୧୬-୧୭ରେ ମୋଟ ବଜେଟରେ କୃଷିର ଭାଗିଦାରୀ ୭.୭% ଥିବାବେଳେ ୨୦୧୭-୧୮ରେ ଏହା ୬.୩%କୁ ଖସିଥିଲା। ୨୦୧୮-୧୯ରେ ଏହା ୬.୯% ରହିଛି।

ସେହିପରି ରାଜ୍ୟରେ ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ୩୫୭୭ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସରକାର କୌଣସି ଗୋଟିଏ ଚାଷୀ ଆତ୍ମହତ୍ୟାକୁ ଚାଷଜନିତ ବୋଲି ସ୍ୱୀକାର କରିନାହାନ୍ତି।

ପଦକ୍ଷେପ ନ ନେଲେ ଫଳ ଭୋଗିବ ଶାସକ ଦଳ

ନବୀନ ପଟ୍ଟନାୟକ ସରକାର ମଧ୍ୟ ସ୍ୱୀକାର କରିବା ଉଚିତ୍ ଯେ, କୃଷି ଉପରେ ନିର୍ଭରଶୀଳ ଲୋକମାନେ ଏବେ ସମସ୍ୟାରେ ରହିଛନ୍ତି ଓ ଏଥିପାଇଁ ଗତ ୧୮ବର୍ଷ ଧରି ଶାସନରେ ଥିବା ତାଙ୍କ ସରକାର ହିଁ ଦାୟୀ। ଗତବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରୁ ବି ନବୀନ ଶିକ୍ଷା ନେବା କଥା। ସବୁବେଳେ ବିଧାୟକଙ୍କ ସଂଖ୍ୟାବଳ ଓ ଜନାଦେଶକୁ ଆଳ କରି ବାହାସ୍ଫୋଟ ମାରୁଥିବା ବିଜେଡି ସରକାର ଅନୁଭବ କରିବା ଉଚିତ୍ ଯେ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଷୀଙ୍କ ପ୍ରତି ରହିଥିବା ଉତ୍ତରଦାୟିତ୍ୱକୁ ପାଳନ କରିବାରେ ତାଙ୍କ ସରକାର ବିଫଳ ହୋଇଛି। ଯେଉଁଥିପାଇଁ ଚାଷୀ ଫସଲ ଅମଳ ସମୟରେ ରାଜରାସ୍ତାକୁ ଓହ୍ଲାଇଛି। ଆଉ ତା’ପାଖରେ ଏହା ଛଡ଼ା ଅନ୍ୟ କିଛି ବିକଳ୍ପ ମଧ୍ୟ ନାହିଁ। ଚାଷୀମାନେ ନିଜର ଅସ୍ତିତ୍ୱ ପାଇଁ ଲଢ଼େଇ କରୁଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ପଦକ୍ଷେପ ନନେଲେ ତା’ର ପ୍ରତିକୂଳ ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିବ ତାହା ସମସ୍ତ ରାଜନୀତିକ ଦଳ ଜାଣି ରଖିବା ଉଚିତ୍।

ଓଡ଼ିଶା: କୃଷି ଓ କୃଷକ

@ ରାଜ୍ୟର ୬୫% ରୁ ଅଧିକ ଲୋକଙ୍କ ଜୀବିକା ହେଉଛି କୃଷି
@ କୃଷି ପାଇଁ ବଜେଟ୍ ବରାଦ : ମୋଟ ବଜେଟର ମାତ୍ର ୬.୯%(୨୦୧୮-୧୯ରେ ୧୬୭୬୫କୋଟି )
@ ଚାଷୀଙ୍କ ସଂଖ୍ୟା: ପ୍ରାୟ ୭୨ଲକ୍ଷ ପରିବାର ( ଜାନୁୟାରୀ ସୁଦ୍ଧା ୫୭.୬୫ଲକ୍ଷ ଚାଷୀ ପରିବାର କୃଷି ବୀମାଭୁକ୍ତ)
@ ଚାଷୀ ପରିବାରର ହାରାହାରି ଆୟ : ମାସିକ ୧୪୦୭ ଟଙ୍କା (୭୦ତମ ଜାତୀୟ ନମୂନା ସର୍ଭେ)
@ ଚାଷୀ ଆତ୍ମହତ୍ୟା – ୩୫୭୭ଜଣ ( ୨୦୦୦-୨୦୧୫ ମସିହା)
@ ଚାଷୀଙ୍କ ଦାବି – ପ୍ରାଇସ୍, ପେନସନ୍ ଓ ପ୍ରେଷ୍ଟିଜ୍
@ ୯୦% ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ
@ ଚାଷୀ- ୪୧,୦୩,୯୮୯(୨୦୧୧ ଜନଗଣନା)
@ କୃଷି ଶ୍ରମିକ – ୬୭,୩୯,୯୯୩ (୨୦୧୧ ଜନଗଣନା)
@ କୃଷି ଜମି – ୬୧.୮୦ ଲକ୍ଷ ହେକ୍ଟର( ରାଜ୍ୟ ଭୂଭାଗର ୩୯.୬୯%)