ଦେବ ରଞ୍ଜନ
କୋଭିଡର ସମୟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ଚାରି ଘଣ୍ଟାର ସମୟ ଦେଇ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଥାନ୍ତି। ତାହା ଥିଲା ୨୪ ମାର୍ଚ୍ଚ ୨୦୨୦। ଦେଶର ସମସ୍ତ କର୍ମସ୍ଥଳୀ, ଅଫିସ, ହୋଟେଲ, ଦୋକାନ ବଜାର ବନ୍ଦ ହୋଇଗଲା। ରାସ୍ତା ଖାଲି ହୋଇଗଲା, ବସ ଟ୍ରକ ଗାଡ଼ି ବନ୍ଦ ହୋଇଗଲା। ଟ୍ରେନ ଗଡ଼ିବା ବନ୍ଦ ହୋଇଗଲା। ରାସ୍ତାରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଚାଲିବା ଆରମ୍ଭ କରିଥିଲେ।
ଦିଲ୍ଲୀରୁ ଭୁବନେଶ୍ୱର, ଚେନ୍ନାଇରୁ କଲିକତା, ପଞ୍ଜାବର ଅମୃତସରରୁ ତେଲେଙ୍ଗାନାର ଖମାମ, ସୁରାଟରୁ ବ୍ରହ୍ମପୁର, ଜାତୀୟ ରାଜପଥରେ ଶ୍ରମିକ ଓ ସେମାନଙ୍କ ପରିବାରର ଭିଡ଼ ଲାଗି ରହିଲା। ଆଖିଆ, ଅପିଆ ଓ ଶୋଷରେ ବୁଢ଼ା, ଟୋକା, ମହିଳା, ପିଲା, ରୋଗୀ, ଅନ୍ଧ, ବିକଳାଙ୍ଗ ଶ୍ରମିକ ଓ ତାଙ୍କର ପରିବାର ସମସ୍ତେ କେତେବେଳେ ପୁଲିସର ମାଡ଼ ଖାଇ ତ ପୁଣି ସାନିଟାଇଜର ସ୍ପ୍ରେ ଭିତରେ କେବଳ ଚାଲୁଥିଲେ ଓ ଚାଲୁଥିଲେ। ସେହି ସମୟରେ ଜାତୀୟ ଟିଭି ଚ୍ୟାନେଲ ଗୁଡ଼ିକ ହିନ୍ଦୀ ଫିଲ୍ମ ଅଭିନେତା ସୁଶାନ୍ତ ସିଂ ଓ ଓଡିଆ ଚ୍ୟାନେଲମାନେ ସମାଜସେବୀ ଆଦିତ୍ୟ ଦାଶଙ୍କ ଅପମୃତ୍ୟୁର ରହସ୍ୟ ଉନ୍ମୋଚନରେ ବ୍ୟସ୍ତ ଥିଲେ। କହିବାକୁ ଗଲେ ସେମାନଙ୍କୁ ସେଥିରେ ବ୍ୟସ୍ତ ରଖାଗଲା। ବେଶ ଅର୍ଥ ଏଥିଲାଗି ଢାଳିଦିଆଗଲା। ଏଜା ସତ୍ତ୍ୱେ ଶ୍ରମିକମାନେ ଗଣମାଧ୍ୟମର ଶୀର୍ଷକ ପାଲଟିଲେ, ସେମାନଙ୍କ ଚାଲୁଥିବାର ଭିଡିଓ ସୋସିଆଲ ମିଡିଆ ଓ ଟିଭିରେ ଘୂରିବୁଲିଲା। ତାହା ଥିଲା ଦେଶର ଇତିହାସରେ ପ୍ରଥମ ଯେଉଁଠି ପ୍ରବାସୀ ଶ୍ରମିକମାନେ ଗଣମାଧ୍ୟମର ଶୀର୍ଷକ ହୋଇପାରିଥିଲେ। ଯଦିଓ ସରକାରଙ୍କ ତରଫରୁ ସୁଶାନ୍ତ ସିଂ ଓ ଆଦିତ୍ୟ ଦାଶଙ୍କ ଅପମୃତ୍ୟୁର ରହସ୍ୟ ଉନ୍ମୋଚନର ଛଳନା କରି ଟିଭିକୁ ବାନ୍ଧି ରଖାଯାଇଥିଲା ଓ ସରକାର କିଛି ସଫଳ ହୋଇଥିଲେ ତଥାପି କିଛି ଗଣମାଧ୍ୟମ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ପ୍ରମୁଖ ପ୍ରସଙ୍ଗ କରିଥିଲେ। ଏହି ସ୍ଥିତି କିନ୍ତୁ ଅଳ୍ପ କିଛି ଦିନ ରହିଥିଲା।
ଓଡ଼ିଶାର ପୂର୍ବ ସରକାର କିଛିଟା ବିଳମ୍ବରେ ହେଲେ ବି ରାଜ୍ୟ ମଧ୍ୟକୁ ଆସୁଥିବା ଶ୍ରମିକଙ୍କ ପଞ୍ଜୀକରଣ ଆରମ୍ଭ କରିଥିଲେ। କିନ୍ତୁ ପଞ୍ଜୀକୃତ ହୋଇଥିବା କପି ଶ୍ରମିକଙ୍କୁ ଦେଇନଥିଲେ। ମୋବାଇଲ ମାଧ୍ୟମରେ ସମସ୍ତ ତଥ୍ୟ ତାଙ୍କଠାରୁ ନିଆଯାଇଥିଲା। ବଦଳରେ ହାତରେ ଷ୍ଟାମ୍ପ ଦେଇ ସେମାନଙ୍କୁ ରାଜ୍ୟ ମଧ୍ୟରେ ପ୍ରବେଶ ଅନୁମତି ଦିଆଯାଇଥିଲା। ପ୍ରଥମେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ୨୧ ଦିନ ସଙ୍ଗରୋଧ, ପୁଣି ନିଜ ପଞ୍ଚାୟତରେ ୨୧ ଦିନ ସଙ୍ଗରୋଧରେ ରହିବା ପରେ ପୁଣି ପରିବାର ନିକଟକୁ ଯାଇଥିଲେ। କିନ୍ତୁ ସେହି ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା କେତେ? କେତେ ଶ୍ରମିକ ଓଡ଼ିଶା ବାହାରେ କାର୍ଯ୍ୟ କରୁଛନ୍ତି? ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସଂଖ୍ୟା ସମ୍ପର୍କରେ ପୂର୍ବ ସରକାର କୌଣସି ତଥ୍ୟ ଦୀର୍ଘ ଚାରିବର୍ଷ ହେଲା ଦେଲେନାହିଁ। ତଥ୍ୟକୁ ଘୋଡ଼ାଇବା ସରକାରଙ୍କ ଗୁଣ ଥିଲା।
କୋଭିଡର ଲକଡଉନ ସମୟରେ ରାଜ୍ୟର ଅନେକ ସ୍ଵେଚ୍ଛାସେବୀ ଓ ସଂବେଦନଶୀଳ ବ୍ୟକ୍ତି ବାହାର ରାଜ୍ୟରୁ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଆଣିବାରେ ଅନେକ ପରିଶ୍ରମ କରିଥିଲେ। ସେ ମଧ୍ୟରେ ଏହି ଲେଖକ ଯତକିଞ୍ଚିତ ଉଦ୍ୟମ କରିଥିଲା। ସେହି ଶ୍ରମିକଙ୍କ ମଧ୍ୟରେ ଅନ୍ୟତମ କଳାହାଣ୍ଡିର ବିଶମ୍ବର (ଛଦ୍ମନାମ) ମୁମ୍ବାଇରୁ ବସ ମାଧ୍ୟମରେ ଆସିଥିଲେ। ଗାଁରେ ପ୍ରଥମେ ସେ ନିଜର ଚାଷଜମିରେ ଚାଷ କରିବା ଲାଗି ଉଦ୍ୟମ କଲେ। ଦୀର୍ଘ ଦିନର ଅନୁପସ୍ଥିତି କାରଣରୁ ଅଞ୍ଚଳର ପ୍ରଭାବଶାଳୀ ବର୍ଗଙ୍କ କର୍ତ୍ତୁତ୍ଵକୁ ଚାଲିଯାଇଥିବା ଜମିକୁ ମୁକୁଳାଇବାରେ କିନ୍ତୁ ସେ ଅସମର୍ଥ ହେଲେ। ପୁଲିସର ନୀରବତା ଓ ମନରେଗାରେ ଦୁର୍ନୀତି କାରଣରୁ ଏବେ ରାଜ୍ୟ ଛାଡ଼ି କେବେ କେରଳର ଥ୍ରୀସୁର, ପୁଣି ହାଇଦ୍ରାବାଦ ତ କେବେ ବିଜୟୱାଡ଼ାରୁ ଥାଇ ଫୋନ କରନ୍ତି ଓ ରାଜ୍ୟ ସମ୍ବନ୍ଧରେ ଜାଣିବାକୁ ଚାହାନ୍ତି।
ସେହିପରି ତାମିଲନାଡୁର ତିରୁପୁରର ଗାର୍ମେଣ୍ଟ ଫ୍ୟାକ୍ଟରୀରେ କାମ କରୁଥିବା ୪୮ ଜଣ ମାଟ୍ରିକ ପାସ ଆଦିବାସୀ ଯୁବତୀ ନିଜ ଜିଲ୍ଲା ରାୟଗଡ଼ା ଓ ଗଞ୍ଜାମକୁ ଲକଡାଉନ ସମୟରେ ଚାଲି ତ ଆସିଲେ କିନ୍ତୁ ପରିବାରର ଭୋକ ସମ୍ଭାଳି ନପାରି ପୁଣି ବର୍ଷକ ମଧ୍ୟରେ ଫେରିଗଲେ ତିରୁପୁର। କେବଳ ରହିଯାଇଛି ସୁନିତା। ସେ ଏବେ ଗ୍ରାଜୁଏସନ କରୁଛି। କଲେଜର ଫିସ ଭରିବା ଲାଗି ଦିନ ମଜୁରୀ କରେ। ସେହିପରି ଚଣ୍ଡୀଗଡ଼ରୁ ଚାଲିଚାଲି ଫେରିଥିବା ସଂବିତ ଏବେ ଫେରିଯାଇ ଗୁରୁଗାଓଁ ମାରୁତି ଉଦ୍ୟୋଗରେ ଠିକା ଶ୍ରମିକ ଭାବରେ ନିଯୁକ୍ତ ହୋଇଛି। ତାହାର ୟୁନିଟରେ ଏବେ ରୋବୋଟ ଆଣି କମ୍ପାନୀ ଲଗାଇଛି। ହୁଏତ ମାରୁତି କମ୍ପାନୀ କେବେ ବି ତାର ଅନୁମତି ପତ୍ର ନବୀକରଣ କରିନପାରେ।
ଏହିଭଳି ଲକ୍ଷ ଲକ୍ଷ ଯୁବକ ଯୁବତୀ ଯେଉଁମାନେ କୋଭିଡ ସମୟରେ ନିଜ ରାଜ୍ୟକୁ ଫେରି ଆସିଥିଲେ ସେମାନେ ପୁଣି ବାଧ୍ୟ ହୋଇ ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟ ଛାଡ଼ିଲେ। ଏବେ ସେମାନେ ପୁଣି ଦୟନୀୟ ସ୍ଥିତିରେ। ହେଲେ ସେମାନେ ଯେ କାହିଁକି ଫେରିବା ଲାଗି ବାଧ୍ୟ ହେଲେ ସେ ସମ୍ପର୍କରେ ଆଉ ଗଣମାଧ୍ୟମରେ ଚର୍ଚ୍ଚା ହେଲାନାହିଁ।
ବହୁତ ବଡ଼ ବିଷୟ ହେଲା ଯେ ସେହି ସମସ୍ତ ଶ୍ରମିକ ନିଜର ବାକି ଦରମା ବା ମଜୁରୀକୁ ଛାଡ଼ି ଗାଁକୁ ଚାଲିଆସିଥିଲେ। ଏବେ ସେମାନେ ସେମାନେ ପୁରୁଣା ଜାଗାକୁ ଫେରିବା ବେଳକୁ ନିଜର ବାକି ରହିଥିବା ତିନିରୁ ଚାରିମାସର ବା ତାହାଠାରୁ ଅଧିକ ମାସର ଦରମା ପାଇଲେ ନାହିଁ। ନିଜର ପୁରୁଣା ମଜୁରୀ ଦାବି କରିବାରୁ ମାଲିକ ଦ୍ଵାରା ନିଯୁକ୍ତ ଗୁଣ୍ଡା ଓ ପୁଲିସର ଶିକାର ହେବା ଭଳି ଦୁଃଖଦ ଘଟଣା ଘଟିଥିଲା। ଏହାକୁ କିନ୍ତୁ ପ୍ରଧାନମନ୍ତ୍ରୀ ନିଜର ଲକଡାଉନ ଘୋଷଣା ସମୟରେ ଚିନ୍ତା କରି ନଥିଲେ। ସେହି ଦରମା ସେମାନେ କେଉଁଭଳି ଅନ୍ତତଃ ଫେରିପାଇବେ ସେଭଳି ସରକାରୀ ସହଯୋଗ ମଧ୍ୟ ମିଳିଲା ନାହିଁ। ମାଲିକମାନେ କୋଭିଡ ଲକଡାଉନ ଆଳରେ ଅନେକ ସବସିଡ଼ି, ଋଣ, ଟିକସ ମୁକ୍ତି ସୁବିଧା ଓ ଇଲେକ୍ଟ୍ରିକ ଓ ପାଣି ବିଲରେ କମ ପେମେଣ୍ଟର ସୁବିଧା ପାଇଲେ। କିନ୍ତୁ ଶ୍ରମିକ ନିଜର ମଜୁରୀ ପାଇଲା ନାହିଁ। ବିଭିନ୍ନ ରାଜ୍ୟର ଶ୍ରମ ବିଭାଗ ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ ନୀରବ ରହିବା ମାଲିକଙ୍କୁ ଖୁସି ଓ ପ୍ରବାସୀ ଶ୍ରମିକଙ୍କୁ ଦୁଃଖ ଆଣିଦେଲା।
ଦିଲ୍ଲୀର ଦଳିତ ମହିଳା କର୍ମୀ ନୋଦୀପ କୌର ଓଡ଼ିଆ, ବଙ୍ଗାଳୀ ଓ ବିହାରୀ ଶ୍ରମିକଙ୍କ ବାକି ଦରମା ପାଇବା ଲାଗି ଫ୍ୟାକ୍ଟରୀ ସାମ୍ନାରେ ଧାରଣା ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହିତ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଦିଲ୍ଲୀ ଓ ହରିୟାନା ଅଞ୍ଚଳରେ ଶ୍ରମିକମାନେ ଥିଲେ। ଏହା କିନ୍ତୁ ମାଲିକଙ୍କୁ ଅସହ୍ୟ ହେବା କାରଣରୁ ସେମାନେ ମିଳିତ ହୋଇ ମିଥ୍ୟା କେସ ଦାୟର କରିବା କାରଣରୁ ସେ ହରିୟାନା ପୁଲିସ ଦ୍ଵାରା ସେହି କେସରେ ଗିରଫ ହୋଇ ଦୀର୍ଘ ଦିନ ଜେଲ ରହିଥିଲେ। ଏହି କାରଣରୁ ସେହି ଦାବି ଆନ୍ଦୋଳନ ମଧ୍ୟ ଥମି ଯାଇଥିଲା।
୧୯୬୫ ମସିହାର ମରୁଡ଼ି ପରିସ୍ଥିତିରେ ଉନ୍ନତି ନଆସିବା କାରଣରୁ କଳାହାଣ୍ଡି ଓ ବଲାଙ୍ଗୀର ଅଞ୍ଚଳରୁ ଭୂମିହୀନ ଆଦିବାସୀ, ଦଳିତ ଓ ଚାଷୀବର୍ଗ ପରିବାର ସହିତ ବାହାର ରାଜ୍ୟର ଇଟାଭାଟିକୁ ଦାଦନ ଯିବା ଆରମ୍ଭ କରିଥିଲେ। ସେହିପରି ୨୦୧୦ ମସିହା ପରଠାରୁ ଉପକୂଳ ଜିଲ୍ଲାମାନଙ୍କରେ - ପୁରୀ, ଭଦ୍ରକ, ବାଲେଶ୍ଵର, ଭଦ୍ରକ କଟକ ଇତ୍ୟାଦି ଜିଲ୍ଲାର ଗ୍ରାମରେ ଯୁବକ ଓ ଯୁବତୀ ପ୍ରାୟ ଦେଖାଯାଉନାହାନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ ବାରମ୍ବାର ବାତ୍ୟା, ବନ୍ୟା ହେବା ଅଥଚ ନିଜ ଫସଲର କୌଣସି କ୍ଷତିପୂରଣ ନମିଳିବା କାରଣରୁ, ଅନ୍ୟ ସାଧାରଣ ସମୟରେ ଗ୍ରାମ ନିକଟରେ ଶୀତଳଭଣ୍ଡାରର ଅଭାବ ସାଙ୍ଗକୁ କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି, ରାଜ୍ୟରେ ଦୈନିକ ମଜୁରୀରେ ସ୍ୱଳ୍ପତା ଓ ଦରଦାମ ବୃଦ୍ଧି ଇତ୍ୟାଦି କାରଣରୁ ବାଧ୍ୟବାଧକତାରେ ଗଲା ଏହି ବିରାଟ ଯୁବାବର୍ଗ ବାହାର ରାଜ୍ୟକୁ କାମ ଲାଗି ଯିବା ଆରମ୍ଭ କରିଛନ୍ତି।
ଶ୍ରମିକ ଜନଗଣନା, ୨୦୧୧ ତଥ୍ୟ ଅନୁସାରେ ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୩.୪୭ ପ୍ରତିଶତ ପ୍ରବାସୀ ଶ୍ରମିକ ଥିଲେ। କୌଣସି ସାମାଜିକ ସୁରକ୍ଷା ନଥାଇ ସେମାନେ ମାସିକ ହାରାହାରି ୫୦୦୦ରୁ ୭୦୦୦ ଟଙ୍କା ସେହି ସମୟରେ ବିଭିନ୍ନ ସହରମାନଙ୍କରେ ଆୟ କରୁଥିଲେ। ୨୦୨୧ ମସିହାର ଜନଗଣନା ନହୋଇପାରିବା କାରଣରୁ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଓ ଆୟ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ। ଏବେ ଓଡ଼ିଶା ଜନସଂଖ୍ୟାର ଆନୁମାନିକ ଦଶ ପ୍ରତିଶତ ଲୋକ, ମୁଖ୍ୟତଃ ଶିକ୍ଷିତ ଯୁବାବର୍ଗ ବାହାର ରାଜ୍ୟରେ କାର୍ଯ୍ୟରତ। ଏହାର ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ରମିକଙ୍କ ସହିତ ଆଲୋଚନାରୁ ଏହା ଜଣାପଡ଼େ ଯେ ଦେଶର ପ୍ରମୁଖ ସହରମାନଙ୍କରେ ଥିବା ଟେକ୍ସଟାଇଲ, ଟ୍ରାନ୍ସପୋର୍ଟ, କୃଷିଫାର୍ମ, ନିର୍ମାଣ, ବ୍ୟବସାୟ ଅନୁଷ୍ଠାନ, ହୋଟେଲ ଓ କ୍ଷୁଦ୍ର ଶିଳ୍ପ କାରଖାନା ଇତ୍ୟାଦିରେ ସେମାନେ କାର୍ଯ୍ୟ କରିଥାନ୍ତି।
ଅତି ଖରାପ ପରିବେଶ, କମ ମଜୁରୀ, କାର୍ଯ୍ୟକ୍ଷେତ୍ରରେ ରହିବା ଲାଗି ବାଧ୍ୟ କରିବା, ପ୍ରାୟତଃ ବନ୍ଦୀ ଜୀବନ ବିତାଇବା, ସର୍ବଦା ଛଟେଇ ହେବାର ଭୟ, ଦୈନିକ ବାର ଘଣ୍ଟାରୁ ଅଧିକ ସମୟର ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ଭାବନା, ନେତା ଓ ପୁଲିସର ଦୌରାତ୍ମ୍ୟ ଭଳି ସ୍ଥିତିରେ ନିଜର ସମଗ୍ର ଯୁବ ସମୟକୁ ପ୍ରବାସୀ ଭାବରେ ଏହି ଶ୍ରମିକମାନେ ବାହାର ରାଜ୍ୟରେ ବିତାଇଥାନ୍ତି। ବଦଳରେ, ପ୍ରତି ମାସରେ କିଛି ଅର୍ଥ ବାପାମା’, ନିଜ ପତ୍ନୀ ଓ ଛୁଆଙ୍କ ଲାଗି ପଠାଇଥାନ୍ତି। ସେମାନଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ଓଡ଼ିଶାର ହେଉ ଅଥବା କାର୍ଯ୍ୟ କରୁଥିବା ରାଜ୍ୟର ମିଡିଆ; ଭାଷା ଓ ସଂସ୍କୃତି ସୁରକ୍ଷା ଓ ଅନ୍ୟ ଅସ୍ମିତାବାଦୀ ସଂଗଠନ, ବିଭିନ୍ନ ଟ୍ରେଡ ଯୁନିଅନ, ରାଜନୈତିକ ଦଳ, ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନ ବିଭିନ୍ନ କାରଣ ଲାଗି ନିରବ ରହିଆସିଛନ୍ତି।
ବ୍ୟକ୍ତିଗତ ଆଲୋଚନାରୁ ବୁଝିଛି ଯେ ପ୍ରବାସୀ ଶ୍ରମିକଙ୍କ ଭାଷାକୁ ବୁଝିବାରେ ସମସ୍ୟା, ଶ୍ରମିକମାନେ ମାଲିକର ନଜର ମଧ୍ୟରେ ସେମାନେ ସର୍ବଦା ରହିବା, ମାଲିକର ଶାସକ ଦଳସହିତ ବୁଝାମଣା ସମ୍ପର୍କ, ପୁଲିସ ଓ ଶ୍ରମବିଭାଗର ଦୁର୍ନୀତି, ମିଡିଆର ଉଦାସୀନତା ସାଙ୍ଗକୁ ମାନବିକତାର ଅଭାବ କାରଣରୁ ଶ୍ରମିକମାନେ କାର୍ଯ୍ୟ କରୁଥିବା ରାଜ୍ୟରେ ଅବହେଳିତ। ଓଡ଼ିଶାରେ ବାହାର ରାଜ୍ୟର କାମକରୁଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ମଧ୍ୟରେ ରହିଥିବା ଦୃଷ୍ଟିଭଙ୍ଗିକୁ ବିଶ୍ଳେଷଣ କଲେ ଏହାକୁ ଆମେ ଅଧିକ ବୁଝିପାରିବା।
ଶ୍ରମିକମାନେ କାର୍ଯ୍ୟ କରୁଥିବା ରାଜ୍ୟର ମାଲିକମାନେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ ତ କରିନଥାନ୍ତି, ଏହାସହିତ ସେମାନେ ଠିକରେ ମଜୁରୀ ମଧ୍ୟ ଦେଇନଥାନ୍ତି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେବା କାରଣରୁ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଗୁଜୁରାଟ ରାଜ୍ୟରେ କେବଳ ଜଣେ ଜଣେ ଶ୍ରମ ଅଫିସର ନିଯୁକ୍ତ କରିଛନ୍ତି। ସେହି ଅଫିସରଙ୍କର କିନ୍ତୁ କୌଣସି ଉତ୍ତରଦାୟିତ୍ଵ ବୋଧ ନାହିଁ। ଏଥିଲାଗି ଫେରିଯାଇଥିବା ଶ୍ରମିକ ବେଶ କିଛି ମାସ ନୂଆ ସ୍ଥାନରେ ନିଜ କାମ ଖୋଜୁଛନ୍ତି। ଯଦି ମିଳିଗଲା ତ ଠିକ ନହେଲେ ଧାର କରଜ କରି ନିଜ ରାଜ୍ୟକୁ ପୁଣି ଫେରିଆସୁଛନ୍ତି। ଦେଶର ଅର୍ଥନୈତିକ ବ୍ୟବସ୍ଥା ପ୍ରବାସୀ ଶ୍ରମିକ ତିଆରି କରୁଛି ଓ ପୁଣି ସେମାନଙ୍କୁ ମଝି ନଈରେ ଛାଡ଼ିଦେଉଛି।
ଆଗାମୀ ଦିନରେ ଏହି ଶ୍ରମିକମାନଙ୍କର ପଞ୍ଚାୟତ ସ୍ତରୀୟ ଦଳ ଗଠନ ଓ ନିକଟସ୍ଥ ଟ୍ରେଡ ଯୁନିଅନ, ମାନବିକ ଅଧିକାର ସଂଗଠନ, ଚାଷୀ ସଂଗଠନ ବିଭିନ୍ନ ଶ୍ରମିକ ସଂଗଠନ, ଦଳିତ ଓ ଆଦିବାସୀ ସଂଗଠନ ଇତ୍ୟାଦି ସହିତ ସଂଯୋଗ ସ୍ଥାପନ ହୋଇପାରିଲେ ଶ୍ରମିକର ଜୀବନ ଅଧିକ ସୁରକ୍ଷିତ ହୋଇପାରବ।
ମୋବାଇଲ- ୯୪୩୭୭୬୨୨୭୨