ଅଲବିଦା

ତାକୁ ଶେଷ ବିଦାୟ ଦେବାପାଇଁ ମୋତେ ଯିବାକୁ ହେବ। ମାତ୍ର ଯାଇପାରୁନି। ପାଦ ଯେ ଭୂଇଁରୁ ଉଠୁନି। ଆଉ କିଛି ସମୟ ପରେ ସାରା ଜୀବନ ପାଇଁ ସେ ଏ ପୃଥିବୀରୁ ବିଦାୟ ନେଇ ଚାଲିଯିବ। କେମିତି ଯିବି ମୁଁ ତାକୁ ବିଦାୟ ଦେଇ! କାହାକୁ ମୃତ୍ୟୁକାଳୀନ ବିଦାୟ ଯାଚିବା କେତେ କଷ୍ଟଦାୟକ! ସେ ଚାଲିଯିବ, ସେ ଜାଣିଥିଲା। ସେ ଚାଲିଯିବ, ମୁଁ ଜାଣିଥିଲି। ତାପରେ ବି କେମିତି ପରସ୍ପର ମୁହାଁମୁହିଁ ହୋଇଥାନ୍ତୁ? କେମିତି ତା ଆଖିରେ ଆଖି ରଖି କହିଥାନ୍ତି, ଯା ଅମ୍ଳାନ ଶେଷବିଦାୟ ଦେଉଛି ତୋତେ। କିମ୍ୱା ସେ କେମିତି କହିଥାନ୍ତା ସବୁଦିନ ପାଇଁ ବିଦାୟ ନେଇଯାଉଛି ଲକ୍ଷ୍ମୀ, ମନେ ରଖିଥିବୁ।

ସେ ଅମ୍ଳାନ ପ୍ରଧାନ। ମୋ ସାଙ୍ଗ। ସବୁଠୁ ନିରୀହ, ସବୁଠୁ ଶାନ୍ତ। ବନମାଳୀପୁରରେ ମୁଁ ମୋ ବଡ଼ଭଉଣୀ ଘରେ ରହି ପଢୁଥିଲା ବେଳେ ସେ ମୋ କ୍ଲାସମେଟ ଥିଲା। ପାଠ ସେତେଟା ଭଲ ପଢୁ ନଥିଲା। ମାଡ଼ ଭୟରେ ମୋ ଖାତାରୁ ଉତାରୁଥିଲା। ମୁଁ ଶ୍ରେଣୀରେ ପ୍ରଥମ କିମ୍ୱା ଦ୍ୱିତୀୟ ହେଉଥିଲି। ତେଣୁ ମୋ ଖାତା ନେବାପାଇଁ ସେ ବିଭିନ୍ନ କୌଶଳ ଅବଲମ୍ୱନ କରୁଥିଲା। ମୋର ଛୋଟମୋଟ କାମ କରି ଦେଉଥିଲା। ଗୁଡ଼ାଏ ଲାଞ୍ଚ ଦେଉଥିଲା। ଷଷ୍ଠ ଓ ସପ୍ତମ ଦୁଇବର୍ଷ ମୁଁ ତାଙ୍କ ଗାଁରେ ରହି ପଢ଼ିଥିଲି। ମୋ ପାଇଁ ସେ କୋଳି, ପିଜୁଳି, ଆମ୍ୱ, ଚଣାଛୁଇଁ ସଂଗ୍ରହ କରି ରଖୁଥିଲା। ତା ବ୍ୟାଗ ଭିତରେ ଗୋଟେ ରୁମାଲରେ ଗୁଡ଼ାଇ ଏଥିରୁ  ପ୍ରତିଦିନ କିଛି ନା କିଛି ମୋ ପାଇଁ ଆଣୁଥିଲା। ଦଶ ମିନିଟିରେ ମୁଁ ତା’ଠୁ ସେତକ ନେଇ ଆସି ଖାଇ ଦେଉଥିଲି। ଖାଇବା ଛୁଟି ଯାଏଁ ତର ନଥିଲା। ଯୋଉଦିନ କିଛି ଆଣୁନଥିଲା ତାକୁ ଧମକାଉଥିଲି- ହେ କ’ଣ ପାଇଁ କିଛି ଆଣିନୁ ଆଜି, ଚିହ୍ନିଛୁ ମୋତେ? ଖାତା ଦେବିନି ଆଉ, ଦେଖିବି କେମିତି ଲେଖିବୁ। ପର ମୁହୂର୍ତ୍ତରେ ତା କାନ୍ଦ କାନ୍ଦ ମୁହଁ ଦେଖି ପୁଣି କହୁଥିଲି- ‘ହଉ ଆଜି ଖାତା ନେଇଯା। କାଲି ଯାହାହେଲେ ବି ଆଣିଥିବୁ।’ ମୋ ଭୟରେ ସେ କୋଳି, ପିଜୁଳି, ଆମ୍ୱ, ଚଣାଛୁଇଁ ସହ ଯୋଗ କରିଥିଲା କଷି କାକୁଡ଼ି। କଂଚାତେନ୍ତୁଳି, ହରଡଛୁଇଁ, କ୍ଷୀରକୋଳି, କାନ୍ଧିଆ, ଆତ, ଆଖୁ, ଆମ୍ୱସଢ଼ା ଏବଂ ତା ବୋଉ କରୁଥିବା ବିଭିନ୍ନ ପ୍ରକାର ପିଠା। ଶ୍ରେଣୀରେ ଅନେକ ପିଲା ମୋଠୁ ଖାତା ନେଉଥିଲେ ବି ତାକୁ କାହିଁକି କେବଳ ଲାଞ୍ଚ ମାଗୁଥିଲି ଜାଣି ନଥିଲି।

ମୋ ଭଉଣୀର ଶାଶୂଘର ଗୋଟିଏ ସମ୍ଭ୍ରାନ୍ତ ଏବଂ ସ୍ୱଚ୍ଛଳ ପରିବାର ହୋଇଥିବାରୁ ଓ ସ୍କୁଲର ଉନ୍ନତି ପାଇଁ ମୋ ଭିଣେଇ ଗୁଡ଼ାଏ ଖର୍ଚ୍ଚ କରୁଥିବାରୁ ସ୍କୁଲରେ ମୋ ଖାତିର ଟିକେ ଅଧିକ ଥିଲା। ମୋର ଛୋଟ ଛୋଟ ଭୁଲକୁ ସମସ୍ତେ ହସିହସି ଏଡ଼ାଇ ଯାଉଥିଲେ। ସେଇଠି ମୋର ଗୋଟିଏ ମାତ୍ର ଅସୁବିଧା ହେଲା ଯେ ମୋତେ କିଣିଖିଆ ପଇସା ମିଳୁ ନଥିଲା।

ମୋ ଭଉଣୀ ସହ ତାଙ୍କ ପରିବାରର ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ସଚେତନ ଥିଲେ। ତେଣୁ ମୋତେ ଘର ତିଆରି ଟିଫିନ ସବୁବେଳେ ନେବାକୁ ପଡୁଥିଲା। ଖାଇବା ଛୁଟିରେ ସମସ୍ତେ ଇଡଲୀ, ଘୁଘୁନି, ବରା, ପିଆଜି ଖାଇଲାବେଳେ ମୋତେ ସୁଜି, ଉପମା, ସିମେଇରେ ସନ୍ତୁଷ୍ଟ ରହିବାକୁ ପଡୁଥିଲା। ତେବେ ଅଧିକାଂଶ ଦିନ ସେଗୁଡ଼ାକ ମୁଁ ନାଳରେ ଢାଳି ଦେଇ ମୁହଁ ଶୁଖେଇ ଚାରିଟା ଯାଏଁ ରହୁଥିଲି।

ଥରେ ଗଣିତ ଶିକ୍ଷକ ଶ୍ରେଣୀରେ ପଚାରିଲେ, ପିଲାଏ ଟଙ୍କାଟିଏ ପାଇଲେ ତୁମେ କ’ଣ କରନ୍ତ? କିଏ କ’ଣ ଉତ୍ତର ଦେଲା ମନେ ନାହିଁ ମାତ୍ର ମୋ ପାଳି ଆସିବାରୁ ମୁଁ କହିଲି “ମୁଁ ଇଡଲି ଘୁଗୁନି ଖାଆନ୍ତି’। ସମସ୍ତେ ହୋ ହୋ ହୋଇ ହସିଉଠିଲେ।

ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ତହିଁ ପରଦିନ ମୋ ବ୍ୟାଗରୁ ମୋତେ ଟଙ୍କାଟିଏ ମିଳିଥିଲା। ମୁଁ ଇଡଲି ଘୁଗୁନି ଖାଇ ସେଦିନ ମୋର କେତେଦିନର ଆଶା ପୂରଣ କରିଥିଲି। ଖାଲି ସେଦିନ ନୁହେଁ ମଝିରେ ମଝିରେ ମୋତେ ଏମିତି ମୋ ବ୍ୟାଗରୁ ଟଙ୍କାଟିଏ ମିଳେ ଓ ଏ ଚମତ୍କାର କେମିତି ଘଟୁଛି ସେ ବିଷୟରେ ଚିନ୍ତା ନ କରି ମୁଁ ଖାଇବାକୁ ଦଉଡ଼େ।

ଅମ୍ଳାନ ଓ ଜଣେ ଦୁଇଜଣ ସାଙ୍ଗକୁ ଏକଥା ଅବଶ୍ୟ ମୁଁ ଲୁଚାଇକି ପଚାରିଥିଲି। ମୋର ଭୟ ଥିଲା ସମସ୍ତେ ଜାଣିଦେଲେ କାଳେ ଆଉ ଟଙ୍କାଟା ମିଳି ନପାରେ। ଅମ୍ଳାନ ଚୁପ‌କିନା କାନରେ କହିଲା ତୋର ଇଡଲି, ଘୁଗୁନି ଖାଇବାର ଇଛା ଥିଲା ନା, ଭଗବାନ ଦେଇଥିବେ। କାହିଁକି ସମସ୍ତଙ୍କୁ ଏତେ ପଚାରୁଛୁ?

– ହଁ ଭଗବାନ ଦେଇଥିବେ, ସେ ମୋତେ ଖୁବ୍‌ ଭଲପାଆନ୍ତି। ମୋର ତାଙ୍କ ସହ ତିନି ଚାରିଥର ଭେଟ ହେଲାଣି। ମୁଁ ତାକୁ ଆଶ୍ଚର୍ଯ୍ୟ ଚକିତ କରିବା ପାଇଁ କହିଲି।

– ତମ ଦେଶରେ ଭଗବାନ ଦେଖା ଦିଅନ୍ତି?

ମୁଁ ପଶ୍ଚିମ ଓଡିଶାରୁ ଯାଇଥିବାରୁ ଅମ୍ଳାନ ସହ ଅନ୍ୟମାନେ ବି ମୋତେ ଭିନ୍ନ ଦେଶର ଭାବନ୍ତି।

– ହଁ ଆମ ଦେଶରେ ଆହୁରି ବି ଅଦ୍ଭୁତ କଥା ସବୁ ଘଟେ  ଶୁଣିବୁ?

– ହଁ ହଁ କହ ଆଉ କ’ଣ ସବୁ ଘଟେ ? ସେ ଚକା ପକେଇ ଗାଲରେ ହାତ ଦେଇ ମୋ ପାଖରେ ବସିପଡ଼େ।

ତା’ର ନିରିହତା ଦେଖି ଗୁଡାଏ ଅବାସ୍ତବ ଓ ଅଦ୍ଭୁତ କଥା କହି ତାକୁ ବିସ୍ମିତ କରିଦେବା ପାଇଁ ମୋ ଭିତରେ ଗୋଟେ ଅଦ୍ଭୁତ ପ୍ରବଣତା ଜାଗି ଉଠେ।

“ଶୁଣିବୁ ? ଆମ ଦେଶରେ ନା ପରୀମାନେ ଆସି ଆମ ସହ ବହୁଚୋଡରି ଖେଳନ୍ତି, ମତ୍ସ୍ୟକନ୍ୟାମାନେ ପାଣିରୁ ବାହାରି ଆମକୁ ମଣିମୁକ୍ତା ଉପହାର ଦିଅନ୍ତି, ରାକ୍ଷସମାନଙ୍କୁ ଆମେ ଚାକର ପରି ଖଟାଉ… ଇତ୍ୟାଦି ଆହୁରି କେତେ କଥା।

ଅନ୍ୟମାନେ ମୋ କଥା ଶୁଣି ମୋତେ ଚିଡେଇଲାବେଳେ ସେ ଗଭୀର ବିଶ୍ୱାସର ସହ ଶୁଣେ ଏବଂ ତାକୁ କଳ୍ପନା କରି ପୁଲକିତ ହୁଏ।

ତେଣୁ ମୋର ରାଗିବା, ମିଛ କହିବା, ଡରେଇବା, ବାହାଦୂରି ମାରିବା ସବୁ ପାଇଁ ସେ ହିଁ ଉପଯୁକ୍ତ ଥିଲା। ଯାହା କଲେ ସହି ଯାଉଥିଲା, ଯାହା କହିଲେ ବିଶ୍ୱାସ କରୁଥିଲା। ସେତେବେଳେ ମୁଁ ଏଇଥିପାଇଁ ଗର୍ବ କରୁଥିଲି ଯେ ସେ ମୋର ଅନୁଗତ ଥିଲା।

ସପ୍ତମ ପରେ ମୁଁ ଆମ ଘରକୁ ଚାଲି ଆସିଲି। ବିଦାୟବେଳେ ସେ ଆଖି ଛଳଛଳ କରି କହିଲା , ଲକ୍ଷ୍ମୀ ତମ ଦେଶକୁ ଯାଇ ମୋତେ ଭୁଲିଯିବୁନିତ?

– ଆରେ ନା, ମୋଟେ ନୁହେଁ, ତୁ ମୋର ସବୁଠୁ ଭଲ ସାଙ୍ଗଟି, ତୋତେ କେମିତି ଭୁଲିବି?

– ତମ ଦେଶକୁ ବୁଲିଯିବାକୁ ମୋର ବହୁତ ଇଛା, ନବୁ? ପରୀ, ମତ୍ସ୍ୟକନ୍ୟା କି ରାକ୍ଷସମାନଙ୍କୁ ଥରେ ନ ଭେଟିଲେ ଜୀବନଟା ବ୍ୟର୍ଥ।

– ହଁ ନେବି ନେବି। ଆଉଥରେ ଆସିଲେ ସାଙ୍ଗ ହୋଇ ଯିବା।

ନିଜେ କହିଥିବା ମିଛରେ ନିଜେ ଅଣନିଃଶ୍ୱାସୀ ହୋଇ ମୁଁ ତାଠୁ ବିଦାୟ ନେଇ ଚାଲିଆସିଲି। ପୁଳାଏ କୋଳି ରୁମାଲରେ ବାନ୍ଧି ସେ ମୋ ପକେଟରେ ପୁରେଇ ଦେଇଥିଲା।

ତିନିବର୍ଷ ପରେ ଯେତେବେଳେ ତାଙ୍କ ଗାଁକୁ ଯାଇଥିଲି ସେତେବେଳେ ଆମେ ସମସ୍ତେ ବଡ ହୋଇଯାଇଥିଲୁ। ତେବେ ମୋର ଉଚ୍ଚତା କମ୍‌ ହେତୁ ମୁଁ ବିଶେଷ ବଡ ଦେଖାଯାଉ ନଥିଲି। ସେମାନେ ସମସ୍ତେ ଲମ୍ୱା ହେଇଯାଇଥିଲେ। ମୋ ସାଙ୍ଗରେ ପଢୁଥିବା ଝିଅମାନେ ମୋଠୁ ବହୁତ ବଡ଼ ଦେଖାଯାଉଥିଲେ।

ମୋତେ ଦେଖୁ ଦେଖୁ ଅମ୍ଳାନ କହିଲା, ଆରେ ଲକ୍ଷ୍ମୀ ତୁ କ’ଣ ଯେଡିକି ସେଡିକି,ତୁ ଆଉ ବଡ ହେବୁନିକି?

ମୁଁ ଯେଉଁ ଦୁଇଦିନ ତାଙ୍କ ଗାଁରେ ରହିଲି ଆମ ସମୟ ତକ କେବଳ ଗପି ଗପି ଗଲା। ତେବେ ସେ ଗପରେ ଆଉ ପରୀ, ମତ୍ସ୍ୟକନ୍ୟା କି ରାକ୍ଷସ ନଥିଲେ। ଆମେ ଯେ ବଡ ହୋଇଯାଇଥିଲୁ। ଆମ ଗଳ୍ପର ମୁଖ୍ୟ ପ୍ରସଙ୍ଗ ପାଠ ଥିଲା। ଫେରିଲାବେଳେ ଅମ୍ଳାନକୁ ପଚାରିଲି ଆରେ ସେତେବେଳେ ମୋ ବ୍ୟାଗରେ କିଏ ଟଙ୍କାଟିଏ ରଖୁଥିଲା ଜାଣିପାରିଲିନି ତ!

ସେ ଆଶ୍ଚର୍ଯ୍ୟ ହୋଇ କହିଲା, ସତରେ କିଏ ରଖୁଥିଲା ମ? ମୁଁ ବି ଏଯାଏଁ ଜାଣିପାରିଲିନି।

ଫେରିଲାବେଳେ ମୁଁ ଖୁସିଥିଲି ଯେ ସେ ଆଉ କାହା ଖାତାରୁ ନ ଉତାରି ନିଜେ ପରିଶ୍ରମ କରି ପଢୁଥିଲା। ମୁଁ ଆନ୍ତରିକ ଭାବେ ଚାହୁଁଥିଲି ସେ ଭଲ ପଢି କିଛି ଗୋଟେ କରୁ। ତା ବାପା ମାଆଙ୍କର ସେ ଗୋଟିଏ ବୋଲି ପୁଅ ଥିଲା। ସିଏ ବି ପରିଣତ ବୟସର ପିଲା। ତାକୁ ମୁହୂର୍ତ୍ତେ ନ ଦେଖିଲେ ସେମାନେ ପାଗଳ ହୋଇଯାଉଥିଲେ। ତାଙ୍କ ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲେ ବି ସେ ଯାହା ଚାହୁଁଥିଲା ସେମାନେ ଯୋଗାଇ ଦେଉଥିଲେ। ଅତ୍ୟଧିକ ଗେହ୍ଲା ହେତୁ ପାଠରେ ଟିକେ ଦୁର୍ବଳ ଥିଲା।

ତୃତୀୟ ଏବଂ ଶେଷଥର ମୁଁ ପ୍ଲସ୍‌ ଥ୍ରୀ ପଢିଲାବେଳେ ମୋ ଭଉଣୀ ଘରକୁ ଯାଇଥିଲି। ସେତେବେଳେ ଆମର ଯୌବନ ଅବସ୍ଥା। ଭାରି ମାପି ଚୁପି କଥାବାର୍ତ୍ତା। ସେ ସମୟରେ ଆମର ଗପ ଯୁଆଡେ ଲମ୍ୱିଲେ ବି ବୁଲୁ ବୁଲି “ପ୍ରେମ’କୁ ଚାଲିଆସୁଥାଏ। କିଏ କାହାକୁ ଭଲ ପାଇଲା, କିଏ କାହା ସହ ପଳାଇଲା, ଏସବୁ ଥିଲା ଆମର ମୁଖ୍ୟ ପ୍ରସଙ୍ଗ। ମୁଁ ମୋ ଭଉଣୀ ଘରେ ପହଞ୍ଚିଲା ପରେ ମୋର ସବୁ ସାଙ୍ଗ ମୋତେ ଭେଟିବା ପାଇଁ ଚାଲିଆସନ୍ତି। ସେଥର ସମସ୍ତେ ଆସିଥିଲେ ବି ଅମ୍ଳାନ ଆସିନଥିଲା। ତା ବିଷୟରେ ମୁଁ ଯାହାକୁ ପଚାରିଲି କେହି କିଛି ନ କହି ହସି ହସି ଚାଲିଗଲେ।

ଅଧୈର୍ଯ୍ୟ ହୋଇ ମୁଁ ମୋ ବଡ ଭଉଣୀକୁ ପଚାରିଲି , ଅମ୍ଳାନ କ’ଣ ଜାଣିନି ମୁଁ ଆସିଛି ବୋଲି, ମୋତେ ଟିକେ ଦେଖା କରିବାକୁ ଆସୁନି ତ।

ରହସ୍ୟର ଉନ୍ମୋଚନ ମୋ ବଡ ଭଉଣୀ ଏଭଳି ଭାବେ କଲା-ତା’ କଥା କହନି। ସେଟା ଛତରା ହେଇଗଲାଣି। ଗୋଟେ ଛୋଟ ଜାତି ଝିଅ ପଛରେ ପଡ଼ି ପ୍ଲସ୍‌ ଟୁ ଫେଲ ହେଲା। ଏବେ ଜିଦ୍‌ ଧରି ବସିଛି ତାକୁ ବାହା ନ ହେଲେ ସୁଇସାଇଡ୍‌ କରିଦେବ।

କଥାଟା ମୋତେ ଏତେ ବାଧିଲା ମୁଁ ସିଧା ତାଙ୍କ ଘରକୁ ଚାଲିଗଲି। ତା ବାପା ମାଆ ମୋତେ ଦେଖି ଦଉଡି ଆସିଲେ। ତା ମାଆ ମୋତେ ଆଉଁସି ଦେଇ କହିଲେ – ତମେ ଆସିଛ ଝିଅ, ବସ ମୁଁ ତମ ପାଇଁ କ’ଣ ଟିକେ କରେ ଖାଇବ।

ତା ବାପା ଖଟ ଦେଖେଇ କହିଲେ ବସ ଝିଅ ବସ। ଏ ଟୋକା ତ ଆମର କୁଆଡକୁ ହେଲାନି। ପାଠ ପଢିଲାନି, ବିଲବାଡି ବି କରୁନି। ଏବେ ଦେଖ, କେମିତି ଗୋଟେ ଅସମ୍ଭବ ଜିଦ୍‌ କରୁଛି।

ତା ବାପା ମାଆ ଦୁନିଆର ସବୁଠୁ ଭଲ ବାପା ମାଆ। ତାଙ୍କୁ କାହିଁକି ଏ ଟୋକା ଦୁଃଖ ଦେଉଛି? ମୋର ତା ଉପରେ ଭୀଷଣ ରାଗ ହେଲା। ସେ ଛାତ ଉପରେ ବୁଲୁଥିଲା, ମୁଁ ତା ପାଖକୁ ଗଲି।

ତୁ କ’ଣ ଭଲ ପାଇଲୁ ବୋଲି ସାଙ୍ଗ ସାଥୀଙ୍କୁ ଭୁଲିଗଲୁ? ହଇରେ ମୁଁ ଏତେ ବାଟରୁ ଆସିଛି, ପୁଣି କେବେ ଆସିବି କି ନାଇଁ ଜଣା ନାଇଁ, ଥରେ ହେଲେ ଭେଟିବାକୁ ଆସିଲୁନି? ମୋ ଭଉଣୀ ପୁଣି ତା ପିଲାଙ୍କ ପାଠ ପଢା ପାଇଁ କଟକ ଚାଲିଯିବ। ଆଉ କାହା ଘରକୁ ଆସିବି? ତେଣୁ ଏଇଟା ଆମର ଶେଷ ଦେଖା। ପ୍ରେମ ପାଇଁ ତୁ ଏତକ ବି ହରାଇବାକୁ ଯାଉଛୁ।

ସେ ମୋ ହାତଟା ଟାଣି କହିଲା, “ଆରେ ତୁ ଏତେ ରାଗୁଛୁ କାହିଁକି? ବସ ମୋ ପାଖରେ। ତୋତେ ଭେଟିବା ପାଇଁ ଆଜି ନିଶ୍ଚେ ଯାଇଥାନ୍ତି। ଟିକେ ବ୍ୟସ୍ତ ଥିଲି ତ ଯାଇପାରୁନଥିଲି। ଆଉ ତୁ ଏମିତି କାହିଁକି କହିଲୁ ଯେ ଆମର ଆଉ ଭେଟ ହେବନି, ପୃଥିବୀଟା ଗୋଲ ବୁଝିଲୁ, କୋଉଠି ନା କୋଉଠି ଆମେ ହାବୁଡିବା।’

ସେ ସେମିତି ଶାନ୍ତ ନିରୀହ ଥାଏ। ସୁନ୍ଦର ଓ ସ୍ୱାସ୍ଥ୍ୟବାନ୍‌ ଦେଖାଯାଉଥାଏ।

-ସେ ସବୁ ମୁଁ ଜାଣିନି, ତୁ କହ ତୁ କାହିଁକି ପ୍ଲସ୍‌ ଟୁ ପାସ୍‌ କରିପାରିଲୁନି? ତୁ ତ ଏତେ ଦୁର୍ବଳ ନଥିଲୁ ପାଠରେ

-ପ୍ରେମ କଲି ପରା

-ଚୁପ୍‌, ପ୍ରେମରେ ଲୋକ ଉନ୍ନତି କରନ୍ତି, ଅବନତି ନୁହେଁ

-ଦୁଇ ପ୍ରକାର ପ୍ରେମ ହୁଏ। ପ୍ରଥମ , ପ୍ରେମରେ ତଲ୍ଲୀନ ହୋଇ ଜଣେ ନିଜର ସତ୍ତା ହରାଇଥାଏ। ଦ୍ୱିତୀୟ,ପ୍ରେମରେ ଉଦ୍‌ବୁଦ୍ଧ ହୋଇ ସେ ଶିଖରରେ ପହଞ୍ଚି ଥାଏ। ମୋ ଦ୍ୱାରା ପ୍ରଥମ ପ୍ରେମ ହେଲା ମୁଁ କ’ଣ କରିବି?

-ଗଧ, ନିଜକୁ ବେଞ୍ଚଇବାକୁ ଯାଇ କୋଉଠୁ ଏ ମହତ ବାକ୍ୟ ଗୁଡା ଉଠାଇ ଆଣିଛୁ? ତୋ ବାପା ମାଆ କେତେ ଦୁଃଖୀ ମାଲୁମ ଅଛି ତୋତେ? ତମ ଗାଁରେ ତ ଛୁଆଁ ଅଛୁଆଁ ଭେଦଭାବ ଏଯାଏଁ ଅଛି, ତୁ ସେ ଅଛୁଆଁ ଝିଅଟିକୁ କେମିତି ବାହାହେବୁ?

-ସେ ଅଛୁଆଁ ହେଉ ଯାହା ହେଉ, ମୋ ପାଇଁ ସେ ମୋ ଦୁନିଆଁ। ମୁଁ ତାକୁ ଇ ବାହା ହେବି। ଗଲାବେଳେ ମୋ ବାପା ମାଆଙ୍କୁ ଟିକେ ବୁଝେଇଦେଇ ଯିବୁ।

କିଛି ଘଟଣାକୁ ସମୟ ସମାଧାନ କରିଦେବ ମୁଁ କିଏ କାହାକୁ ବୁଝେଇବାକୁ। ଶେଷଥର ପାଇଁ ସମସ୍ତଙ୍କଠୁ ବିଦାୟ ନେଇ ମୁଁ ଆମ ଘରକୁ ଚାଲିଆସିଲି।

ସ୍କୁଲ କଲେଜରେ ମୋର ବହୁତ ସାଙ୍ଗ ଥିଲେ ବି ମୋ ଭଉଣୀ ଘରେ ବିତାଇଥିବା ମୂହୁର୍ତ୍ତ  ଓ ସେଠାକାର ସାଙ୍ଗମାନଙ୍କୁ କେବେ ଭୁଲି ପାରୁନଥିଲି। ଚିଠି ଦ୍ୱାରା ଆମର ଯୋଗାଯୋଗ ରହିଥାଏ। ଗ୍ରାଜୁଏସନ୍‌ ପରେ ମୋର ବାହାଘର ହେଲା, ମୁଁ କଟକ ଚାଲିଆସିଲି। ମୋ ଭଉଣୀ ପୂର୍ବରୁ କଟକରେ ରହୁଥାଏ। ତାଠୁ ଆଡ୍ରେସ୍‌ ସଂଗ୍ରହ କରି ଅମ୍ଳାନ ଓ ଅନ୍ୟ ସାଂଗମାନେ ଚିଠି ଦେଉଥିଲେ। ସମସ୍ତଙ୍କ ଚିଠିର ସାରାଂଶ ଥିଲା କି ମୁଁ ବୁଲି ବୁଲି ପୁଣି ତାଙ୍କ ପାଖକୁ ଚାଲିଆସିଲି। କେବେ କେମିତି କେହି ଆସି ମୋ ସହ ଭେଟ ବି ହେଉଥିଲେ। ଅମ୍ଳାନ ଛଡା ସେମାନଙ୍କ ଭିତରୁ ପ୍ରାୟ ସମସ୍ତେ ଚାକିରି କରିଥିଲେ। ମୁଁ ବି.ଏଡ୍‌. କରିଥିଲେ ସୁଦ୍ଧା ମୋତେ ଗୃହିଣୀ ଉପାଧିରେ ସନ୍ତୁଷ୍ଟ ରହିବାକୁ ହେଲା। ଶେଷପର୍ଯ୍ୟନ୍ତ ମୋ ପାଖରେ ଖବର ଥିଲାକି ଅମ୍ଳାନ ସେଇ ଝିଅ ଟିକୁ ବାହାହେଲା ଓ ବିଲବାଡି କାମକରି ବେଶ୍‌ ଖୁସିରେ ଅଛି। ଧୀରେ ଧୀରେ ବ୍ୟସ୍ତତା ହେତୁ ଆମେ ପରସ୍ପରଠୁ ଦୂରେଇବାକୁ ଲାଗିଲୁ। ପରେ କାଁ ଭାଁ କିଏ କାହା ଖବର ରଖୁଥିଲୁ।

ଦିନେ ହଠାତ‌ ମୋ ବଡ ଭଉଣୀର ପୁଅ ଟିଟୁ ଯିଏ ଦିଲ୍ଲୀରେ ଡାକ୍ତରୀ ପଢୁଥିଲା ଆସି ଖବର ଦେଲା, ଅମ୍ଳାନର ଦେହ ଭୀଷଣ ଖରାପ। ସେ ବଡ ମେଡିକାଲରେ ଆଡମିଟ ହୋଇଛି ଓ ମୋତେ ଖୋଜୁଛି। ଯାଇ ଦେଖାକରିବି।

-କ’ଣ ହେଇଛି ତା’ର?

ଟିଟୁ ତରତର ହେଉଥିଲା ଯିବା ପାଇଁ। ସେଇ ତରତରରେ କହିଲା, ମାଉସୀ ସେଇଟା ହାର୍ଟ ଡିଜିଜ। ଆକ୍ୟୁଟ୍‌ ବ୍ୟାକ୍ଟରିଆଲ ଏଣ୍ଡୋକାଡାର୍ଇଟିଜ୍‌। ତମେ ଯାଇ ତାଙ୍କୁ ନିଶ୍ଚେ ଦେଖାକରିବ। ସେ ତମକୁ ବହୁତ ଖୋଜୁଛନ୍ତି।

ମୁଁ କିନ୍ତୁ ଯାଇପାରିଲିନି ତାକୁ ଦେଖା କରିବାକୁ। ରୋଗଟିକୁ ବାରମ୍ୱାର ଉଚ୍ଚାରଣ କରୁଥିଲେ ବି ତାର ଭୟାବହତା ବିଷୟରେ ଜାଣି ନଥିଲି। ମୋ ପୁଅ ଛୋଟଥିଲା, ତାକୁ କୋଉଠି ଛାଡି କିମ୍ୱା ସାଂଗରେ ନେଇ ହସପିଟାଲ ଯିବା ଠିକ୍ ଲାଗୁନଥାଏ। ମୋ ସ୍ୱାମୀଙ୍କୁ ଥରେ ଦୁଇଥର ଏ ବିଷୟରେ କହିଥିଲି। ମୋ ସାଂଗଜନିତ କୌଣସି ଘଟଣାକୁ ସେ ଆଗ୍ରହରେ ଗ୍ରହଣ କରୁନଥିଲେ। ତେଣୁ ବାଧ୍ୟ ହୋଇ ଚୁପ୍‌ ରହିଲି।

ଦୁଇଦିନ ପରେ ମୋ ଭଉଣୀ ଫୋନ କଲା, ଗଲୁନି ଟିକେ ଅମ୍ଲାନକୁ ଦେଖି ସେ ତୋତେ ଖୋଜୁଥିଲା। ମୁଁ ଗତକାଲି ଯାଇଥିଲି ତାକୁ ଦେଖି। ତା ବାପା ମାଆ , ସ୍ତ୍ରୀ ସମସ୍ତେ ସେଇଠି ଅଛନ୍ତି। ତା’ର କ’ଣ ହେବ କହିହେଉନି। ବଂଚିବାର ଆଶା ବହୁତ କମ୍‌।

ମୋତେ ଚାରିଆଡ ଅନ୍ଧାର ଦେଖାଗଲା, ତଣ୍ଟି ଶୁଖିଗଲା। କାନ୍ଦି କାନ୍ଦି ପଚାରିଲି ଏ ଅଳ୍ପ ବୟସରେ ତାକୁ ଏମିତି କି ରୋଗ ହେଲା ଯେ ତାର ଜୀବନ ମୃତ୍ୟୁ ଯାଏଁ କଥା ଗଲାଣି।

  • ମୁଁ ତ ଗାଁକୁ ବହୁତ ଦିନ ହେଲା ଯାଇନଥିଲି। ବିଶେଷ କିଛି ଜାଣିନି। ଗତକାଲି ତା ମାଆ ଯାହା କହୁଥିଲେ ତାକୁ ପ୍ରଥମେ ସାମାନ୍ୟ ଥଣ୍ଡା ହେଲା। ତାପରେ ଶୁଖିଲା କାଶ ଓ ଦେହମୁଣ୍ଡ ଦରଜ , ଜ୍ୱର ଲାଗିରହିଲା। ତାକୁ ଏତେ ହାଲିଆ ଲାଗୁଥିଲା ଯେ ଚାଲିବା ପାଇଁ ତାର ଶକ୍ତି ନଥିଲା। ଥଣ୍ଡା ପାଗରେ ବି ରାତିରେ ଦେହରୁ ଗମ୍‌ ଗମ୍‌ ଝାଳ ବାହାରୁଥିଲା। ଦିନକୁ ଦିନ ତା ଓଜନ କମିବାରେ ଲାଗିଲା। କୌଣସି ଔଷଧରେ ଜ୍ୱର କମିଲାନି ବରଂ ବଢି ଚାଲିଲା। ତା ସହ ରକ୍ତହୀନତା ଓ ଦୁର୍ବଳତା। ସେ ଜ୍ୱରରେ କମ୍ପୁଥାଏ। ଏମିତି ହେଇ ସେ ଏତେ ଦୁର୍ବଳ ହେଇଗଲା ଯେ ଦୁଇଚାରିପାଦ ଚାଲିବା ପାଇଁ ତାର ଶକ୍ତି ନଥିଲା। ପରେ ପରେ ଗୋଡ ଫୁଲିବା ଆରମ୍ଭ ହେଲା ଓ ନିଃଶ୍ୱାସ ନେବାକୁ କଷ୍ଟ ହେଲା।

ତାଙ୍କ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା। ପୁଣି ଏଇଠି ଏତେଦିନ ରହିଲେଣି। ଗୁଡାଏ ଖର୍ଚ୍ଚ ହେଲାଣି। ପୁଅ କହୁଥିଲା କେବଳ ରୋଗ ଡାଇଗ୍ନୋସିସ୍‌ ପାଇଁ ତାର ବ୍ଲଡ୍‌ କଲଚର ଓ ହାର୍ଟ ଇକୋ କାର୍ଡିଓଗ୍ରାଫି ଇତ୍ୟାଦିରେ ସବୁ ପଇସା ସରିଲାଣି। ବର୍ତ୍ତମାନ ତାର ହାର୍ଟ ସର୍ଜରୀ ନିହାତି ଆବଶ୍ୟକ ଯେଉଁଥିପାଇଁ ଅତି କମ୍‌ରେ ପାଞ୍ଚଲକ୍ଷ ଟଙ୍କା ଦରକାର।

  • ପାଞ୍ଚଲକ୍ଷ ଟଙ୍କା! ଏତେ ଟଙ୍କା ସେମାନେ କୋଉଠୁ ଆଣିବେ?

ତା ଚିନ୍ତାରେ ମୋତେ ଖାଦ୍ୟ ରୁଚିଲାନି। ଏ ଅସମୟରେ ମୁଁ ତାଙ୍କୁ ସାମାନ୍ୟ ସାହାଯ୍ୟ କରିପାରନ୍ତି ଭଲା। ପରଦିନ ଟିଟୁ ଆସୁ ଆସୁ ପଚାରିଲି ସେ କେମିତି ଅଛିରେ ? ଆଉ କିଛି ସମ୍ଭାବନା ଅଛି?

ସେ ମୁହଁ ଶୁଖେଇ କହିଲା ଦିନେ ଦୁଇଦିନ ଭିତରେ ଯଦି ଟଙ୍କା ଯାଗାଡ ହୋଇଯାଆନ୍ତା ହାର୍ଟ ସର୍ଜରୀ କରି ହୁଏତ ତାଙ୍କୁ ବଂଚେଇ ହୁଅନ୍ତା। ମାତ୍ର ଏତେ ଟଙ୍କା ସେମାନେ କୋଉଠୁ ଯୋଗାଡ କରିବେ? କିଏ ବା ଦେବ? ତାଙ୍କ ବିଲବାରିତ ପୂର୍ବରୁ ବିକ୍ରି କରିସାରିଛନ୍ତି, ବାକି ଘରଦ୍ୱାର ଯାହା ଅଛି ସେ କୋଉଥିକୁ ପାଏ? ତେଣୁ କୌଣସି ସମ୍ଭାବନା ନାହିଁ।

ସେମିତି କହନିରେ କିଛିତ ଉପାୟ ଥିବ, ଏଇଟା ଏମିତି କି ରୋଗ?

  • ମାଉସୀ ତାଙ୍କୁ ବଞ୍ଚେଇବାକୁ କୌଣସି ଉପାୟ ନାହିଁ । ଏଇଟା ସବୁଠୁ ଭୟଙ୍କର ରୋଗ। ହାର୍ଟରେ ତାଙ୍କର ବ୍ୟାକ୍ଟରିଆଲ ଇନଫେକସନ ହୋଇଛି ଯୋଉଥିପାଇଁ ହାର୍ଟ ଭାଲଭ ଡ୍ୟାମେଜ ହୋଇ ଯେ କୌଣସି ମୁହୂର୍ତ୍ତରେ ହାର୍ଟ ଫେଲ୍ୟୁର ହୋଇପାରେ। ଏ ରୋଗ ଏତେ ଜଟିଳ ଯେ ହାର୍ଟ ସର୍ଜରୀ କଲେବି ଶତକଡା ପଚିଶ ଭାଗ ରୋଗୀ ମାତ୍ର ବଞ୍ଚନ୍ତି। ଖାଲି ସେତକ ନୁହେଁ ଥରେ ଏ ରୋଗରେ ଆକ୍ରାନ୍ତ ହେଲେ ଧୀରେ ଧୀରେ ବ୍ରେନକୁ ବ୍ଲଡ ସପ୍ଲାଇ ବନ୍ଦ ହୋଇଯାଏ ଓ ଅନ୍ୟାନ୍ୟ ଅଗାର୍ନ କାମ କରିବା କ୍ଷମତା ହରାଏ। ବ୍ରେନରେ ବ୍ୟାକ୍ଟରିଆ ଜମି ଘା’ କରି ପୂଜ ଭର୍ତ୍ତି କରିଦିଅନ୍ତି। ରୋଗୀର ମୃତ୍ୟୁ ଅନିବାଯ୍ର୍ୟ ହୋଇଯାଏ। ଏ ରୋଗ ହେଲେ କେବଳ ପ୍ରାଥମିକ ଅବସ୍ଥାରେ ଦାମିକା ଇଣ୍ଢେକସନ୍‌ ପ୍ରତି ଚାରିଘଣ୍ଟାରେ ଗୋଟିଏ ଲେଖାଏଁ ଦୁଇ ସପ୍ତାହ ଯାଏଁ ନବାକୁ ହୁଏ। ସେତେବେଳେ ହୁଏତ ଇନ୍‌ଫେକସନକୁ ରୋକାଯାଇ ପାରେ ମାତ୍ର ଅମ୍ଳାନ ଦାଦାଙ୍କର ବର୍ତ୍ତମାନ ଲାଷ୍ଟ ଷ୍ଟେଜ। ଦୁଇଦିନ ଭିତରେ ସର୍ଜରୀ ନିହାତି ଆବଶ୍ୟକ।

ମଣିଷ କୋଉ କୃତକର୍ମ ପାଇଁ ଏଭଳି ଦଣ୍ଡ ପାଏ?

ଶୁଣିଥିଲି ଅମ୍ଳାନର ତିନୋଟି କୁନି କୁନି ଝିଅ। ସେମାନେ ତାଙ୍କ ଆଈଘରେ ଅଛନ୍ତି। ହସପିଟାଲରେ ତା ବାପା ମାଆ, ସ୍ତ୍ରୀ ତାକୁ ଜଗିଛନ୍ତି। ଅମ୍ଳାନ ଚାଲିଗଲା ପରେ କ’ଣ ହେବ ତାଙ୍କ ଅବସ୍ଥା।

ମୁଁ ଯେତେଥର ଯିବାପାଇଁ ଚେଷ୍ଟା କଲି ଯାଇପାରିଲିନି। ମୋ ପାଦ ଭୂଇଁରୁ ଉଠିଲାନି।

ପ୍ରକୃତ କଥା ହେଲା ମୁଁ ତାକୁ କିଛି ସାହାଯ୍ୟ କରିପାରିନଥାନ୍ତି। ମୋର ସେଇ ନପାରିବାପଣ ହିଁ ମୋତେ ଖାଇ ଯାଉଥିଲା।

ନିଜକୁ ବହୁତ ବୁଝେଇଲି। କିଛି ସାହାଯ୍ୟ ନକରିପାରିଲେ ନାଇଁ , ତା ମୁଣ୍ଡ ଆଉଁସି ଟିକେ ଆଶ୍ୱାସନା ତ ଦେଇପାରିବି। ସେ ମୋତେ କେତେ ଖୋଜୁଛି, ତାର ସେଇ ଖୋଜିଲା ଖୋଜିଲା ଆଖିକୁ ଟିକେ ଶାନ୍ତି ଦେଇପାରିବି।

ମୋତେ ଯିବାକୁ ହେବ, ତାକୁ ମୃତ୍ୟୁକାଳୀନ ବିଦାୟ ଦେବାକୁ ହେବ।

ପରଦିନ ଟିଟୁ ଆସୁ ଆସୁ କହିଲି ଚାଲ ତାକୁ ଟିକେ ଦେଖିଦେଇ ଆସିବି। ମଉସାଙ୍କ ଆସିବାକୁ ଲେଟ ଅଛି, ଆଉ ହୁଏତ ସମୟ ମିଳିନପାରେ।

ଟିଟୁ ତା ପକେଟରୁ ରୁମାଲଟିଏ ବାହାର କରି ମୋ ହାତକୁ ବଢାଇ ଦେଇ କହିଲା, ଆଉ ସେ ସମୟ ମିଳିବନି ମାଉସୀ କିଛି ସମୟ ପୂର୍ବରୁ ସେ ଚାଲିଗଲେ, ଏଇଟା ତମକୁ ଦେଇଦେବାକୁ କହିଥିଲେ।

ରୁମାଲଟା ଧରି ମୁଁ ସୋଫାରେ କଚାଡି ହୋଇ ପଡିଲି ।

ସେ ସତରେ ଚାଲିଗଲା! କିଛି ସମୟ ଭଲା ଅପେକ୍ଷା କରିଥାନ୍ତା। କେତେ ସମୟ କାନ୍ଦିଲା ପରେ ରୁମାଲଟା ଖୋଲିଲି। ତା ଭିତରେ ଥିଲା ଛୋଟ ଚିଠିଟିଏ।

ସେ ଲେଖିଥିଲା-ଲକ୍ଷ୍ମୀ ଏତେଥର ଡାକିଲି କାହିଁକି ଆସିଲୁନି? ତୁ ମୋତେ ସାହାଯ୍ୟ କରିବାକୁ ଚାହିଁ କରିପାରୁନଥିଲୁ ବୋଲି ଆସିଲୁନି ନା? ପାଗଳି ମୁଁ କାହିଁକି ତୋଠୁ କିମ୍ୱା ଅନ୍ୟ କାହାଠୁ ସାହାଯ୍ୟ ଚାହିଁବି ଯେ? ମୋ ଜୀବନ ମୋର। ଯେତିକି ଦିନ ବଞ୍ଚିଲି ଖୁସିରେ ବଞ୍ଚିଛି, ଆଉ ଆଗକୁ କିଛି ବିଶେଷ କାମନା ନଥିଲା। ମୁଁ ତୋତେ କ’ଣ ପାଇଁ ଡାକୁଥିଲି ଜାଣିଛୁ? ପିଲାଦିନେ ସବୁବେଳେ ମୋତେ ପରୀକାହାଣୀ କହୁଥିଲୁ ନା। ତୁ ତ ମିଛେଇ, ମୋ ପାଖରେ କିନ୍ତୁ ସତରେ ଗୋଟେ ପରୀ ଅଛି-ମୋ ସ୍ତ୍ରୀ। ତାକୁ ତୋତେ ଦେଖେଇଥାନ୍ତି। ମୁଁ ନଥିଲେ ବି କେବେ ସୁଯୋଗ ପାଇଲେ ଦେଖିବୁ ତୋ ପରୀଠୁ ମୋ ପରୀ କୋଉ ଗୁଣରେ କମ୍‌?

ମୁଁ ରୁମାଲଟା ଝାଡିଦେଲା ବେଳକୁ ସେଥିରୁ ଖସିପଡିଲା ଗୋଟେ ଟଙ୍କିକିଆ କଏନ୍‌।

ମୁଁ ତାକୁ ବିଦାୟ ଦେବାକୁ ଯାଇ ପାରିଲିନି ଅଥଚ ସେ ମୋତେ ଏଭଳି ଭାବେ କହିଥିଲା- ଅଲବିଦା।

ଅମୃତାୟନ, ୯ ଷ୍ଟେସନ ସ୍କୋୟାର, ଭୁବନେଶ୍ୱର, ମୋ-୮୮୯୫୨୯୪୧୪୧