ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର କେବେଠାରୁ ହେଉଛି ଅଧିକ କ୍ଷମତାଶାଳୀ?
ପଞ୍ଚାନନ କାନୁନଗୋ
ଭାରତର ଭିନ୍ନତା ଭିତରେ ଏକତା, ରାଜନୀତିକ ବିବିଧତା ଆଧାରରେ ସଂଘୀୟ ବ୍ୟବସ୍ଥା ପ୍ରଚଳନ ପାଇଁ ସଂବିଧାନ ପ୍ରଣୟନ ସଭାରେ ଜବାହାରଲାଲ ନେହେରୁ ଭାରତ ଆଇନ୍ ୧୯୩୫କୁ ଲକ୍ଷ୍ୟ କରି ଯେଉଁ ପ୍ରଥମ ପ୍ରସ୍ତାବ ଆଗତ କରିଥିଲେ ସେଥିରେ ରାଜ୍ୟମାନଙ୍କୁ ପ୍ରାଦେଶିକ କ୍ଷମତା ଓ ରେସିଡ୍ୟୁଆରୀ ପାୱାର ପ୍ରଦାନ ସଂପର୍କରେ ସୂଚନା ଦେଇଥିଲେ। ଏହାପରେ କେନ୍ଦ୍ର ପାଖରେ କେଉଁ କେଉଁ କ୍ଷମତା ରହିବ ସେ ସଂପର୍କରେ ନିର୍ଦ୍ଧାରଣ କରିବାକୁ ଜବାହାରଲାଲ ନେହେରୁ, ଗୋବିନ୍ଦ ବଲ୍ଲଭ ପନ୍ଥ, ଟି.ଟି. କ୍ରିଷ୍ଣାମାଚାରୀ, ବି.ଏଲ୍. ମିତର, ଜୟରାମ ଦାସ ଦତ୍ତରାମ, ଏନ୍ ଗୋପାଳସ୍ୱାମୀ ଆୟାଙ୍ଗାର, କେ.ଏମ୍. ମୁନ୍ସୀ, ବି. ପଟାଭି ସୀତାରାମାୟା, ବିଶ୍ୱନାଥ ଦାସ, ଏ କ୍ରିଷ୍ଣସ୍ୱାମୀ ଆୟାର ପ୍ରମୁଖ ସଦସ୍ୟ ଥାଇ ୧୯୪୭ ମସିହା ଜାନୁୟାରୀ ୨୫ ତାରିଖରେ ଗୋଟିଏ କମିଟି ଗଠିତ ହୋଇଥିଲା। ଉକ୍ତ କମିଟି ୧୯୪୭ ମସିହା ଏପ୍ରିଲ ୭ ତାରିଖରେ ଯେଉଁ ତଥ୍ୟ ରଖିଥିଲେ ସେଥିରେ କେନ୍ଦ୍ର ହାତରେ କେବଳ ସୁରକ୍ଷା, ପରମାଣୁ ଶକ୍ତି ଏବଂ ଏଥି ସହିତ ସଂପର୍କ ଥିବା ଖଣିଜ ସଂପଦ, ବୈଦେଶିକ ବିଭାଗ, ମତ୍ସ୍ୟ ସଂପଦ, ଯୋଗାଯୋଗ, ଡାକ ଓ ତାର ବିଭାଗ, ରେଳବାଇ, ଜାତୀୟ ରାଜପଥ, ବୃହତ ବନ୍ଦର, ବିମାନ ଚଳାଚଳ, ଜାହାଜ ଚଳାଚଳ ଆଦି ସମେତ ବିତ୍ତ ପରିଚାଳନା, ସଂଘୀୟ ବିଚାର ବିଭାଗ ରହିଥିଲା। ଆର୍ଥିକ କ୍ଷମତାରେ ମୁଖ୍ୟତଃ କେନ୍ଦ୍ର ହାତରେ ବହିଃ ଶୁଳ୍କ, ଅନ୍ତଃଶୁଳ୍କ, ଅବକାରୀ ଶୁଳ୍କ, ଆୟକର (କୃଷି ବ୍ୟତୀତ) କରପୋରେଟ କର ଆଦି ରହିବାର ପ୍ରସ୍ତାବ ରହିଲା।
ଏହି କମିଟି ଟିକସ ସଂପର୍କରେ ଆଲୋଚନା କଲାବେଳେ ରାଜ୍ୟମାନଙ୍କର ସମ୍ମତି ବା ସହମତି ଉପରେ ଜୋର ଦେଇଥିଲେ। କେନ୍ଦ୍ରୀୟ ବିଚାର ବ୍ୟବସ୍ଥା, କେନ୍ଦ୍ରୀୟ କାର୍ଯ୍ୟ ପାଇଁ ଭୂ-ଅଧିଗ୍ରହଣ, ଶିକ୍ଷା ଓ ବୈଷୟିକ ଶିକ୍ଷାର ଉନ୍ନତିକରଣ, ଜନଗଣନା, କେନ୍ଦ୍ର କ୍ଷମତାକୁ ବିରୋଧଭାବ ଉପରେ ଆଙ୍କୁଶ, କେନ୍ଦ୍ରୀୟ ସେବା, କେନ୍ଦ୍ର କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷାକାରୀ ଆଇନ୍, ଭାରତୀୟ ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କର ଋଣ, ମୁଦ୍ରା, ଆର୍ଥିକ ଆପତ୍ତକାଳୀନ ବ୍ୟବସ୍ଥା ଆଦି କେନ୍ଦ୍ରଠାରେ ନ୍ୟସ୍ତ ହେବାର ପ୍ରସ୍ତାବ ରଖାଗଲା। ବ୍ୟାଙ୍କ ବ୍ୟବସ୍ଥା, କମ୍ପାନୀ ଆଇନ୍, ବୀମା ବ୍ୟବସ୍ଥା, ବ୍ୟବସାୟ ସଂପର୍କିତ କେତେକ ବ୍ୟବସ୍ଥା, ଯୋଜନା, ପ୍ରତ୍ନତାତ୍ତ୍ୱିକ ସଂପତ୍ତି ରକ୍ଷଣାବେକ୍ଷଣ ଓଜନ ଓ ମାପ ବ୍ୟବସ୍ଥା ମଧ୍ୟ କେନ୍ଦ୍ରୀୟ କ୍ଷମତା ଅନ୍ତର୍ଭୁକ୍ତ କରାଗଲା।
ଏହି ପ୍ରସ୍ତାବ ରଖିବା ସମୟରେ ଜ୍ଞାନୀ ସଦସ୍ୟମାନେ ଅତ୍ୟନ୍ତ ଆଶାର ସହିତ କେନ୍ଦ୍ରୀୟ କ୍ଷମତାକୁ ସଂକୁଚିତ କରି ନଥିଲେ କି ରାଜ୍ୟମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରି ନଥିଲେ। ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ପାଖରେ କିଛି କ୍ଷମତା ରଖିବାର ପ୍ରସ୍ତାବ ରଖିଥିଲେ। ଏଥରୁ ସୁଚିତ ହେଉଥିଲା ଯେ ସଂବିଧାନ ପ୍ରଣୟନ ସଭାର ନେତୃବୃନ୍ଦ ପ୍ରଥମରେ ଏକ ସୁଚିନ୍ତିତ ସଂଘୀୟ ବ୍ୟବସ୍ଥା ସହିତ କେନ୍ଦ୍ରକୁ ଯଥାର୍ଥ କ୍ଷମତା ପ୍ରଦାନ କରିବାର ପ୍ରୟାସରେ ଥିଲେ। ରାଜ୍ୟମାନଙ୍କୁ ମୌଳିକ କ୍ଷମତା ଦେଇ ରାଜ୍ୟର ମୌଳିକ ଅଧିକାର ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟକୁ କ୍ଷମତା ନିର୍ଣ୍ଣୟ କରିବାକୁ ଗଠିତ କମିଟିର ରିପୋର୍ଟ ଦେଖିଲେ ଏହା ଆହୁରି ସ୍ପଷ୍ଟ ହୋଇଯାଇଥାଏ।
ମାତ୍ର ପରବର୍ତ୍ତୀ ଅବସ୍ଥାରେ ହଠାତ୍ ସଂବିଧାନ ପ୍ରଣୟନ ସଭାର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିବାର ଲକ୍ଷ୍ୟ କରାଗଲା। ଏହା ମିଃ ଏନ୍. ଗୋପାଳସ୍ୱାମୀ ଆୟାଙ୍ଗାର ୧୯୪୭ ଅଗଷ୍ଟ ୨୦ ତାରିଖରେ ରଖିଥିବା ଦ୍ୱିତୀୟ ପ୍ରସ୍ତାବ ଓ ଉପସ୍ଥାପନା ଓ ତତ୍ ସହିତ ଦେଇଥିବା ବକ୍ତବ୍ୟରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ। କମିଟିର ସଭାପତି ପଣ୍ଡିତ ଜବାହାରଲାଲ ନେହେରୁ ସଂବିଧାନ ପ୍ରଣୟନ ସଭାର ସଭାପତି ମାନନୀୟ ରାଜେନ୍ଦ୍ର ପ୍ରସାଦଙ୍କୁ ୧୯୪୭ ଜୁଲାଇ ୫ରେ ଳେଖିଥିବା ପତ୍ରରେ ଏ କଥା ଅଧିକ ସ୍ପଷ୍ଟ ଥିଲା। ଏଥିରେ ସେ ସୂଚାଇ ଦେଲେ ଯେ ପ୍ରଥମ ପ୍ରସ୍ତାବ ଆଗତ କରିବା ବେଳର ପରିସ୍ଥିତି ବଦଳି ଯାଇଛି। ସେ ସ୍ପଷ୍ଟ କରି ଦେଇଥିଲେ ଯେ ପ୍ରଥମ ପ୍ରସ୍ତାବ କ୍ୟାବିନେଟ ମିସନ୍ର ଢାଞ୍ଚା ଗ୍ରହଣ କରି ସୁସଲିମ୍ ଲିଗର ଦାବୀକୁ ଆଖି ଆଗରେ ରଖି ଏହି ପ୍ରସ୍ତାବ ଏକ ସମାଧାନର ସୂତ୍ରଭାବେ ରଖା ଯାଇଥିଲା। ସେହି ସମୟର ପରିବର୍ତ୍ତନ ଘଟିଛି। ଏଣୁ ପୂର୍ବ ପ୍ରସ୍ତାବରେ ଅନେକ ପରିବର୍ତ୍ତନ ଆବଶ୍ୟକତାର ଆଭାସ ନେହରୁଙ୍କୁ ପ୍ରଦତ୍ତ ଉକ୍ତ ପତ୍ରରୁ ମିଳିଥାଏ। ଶ୍ରୀ ଆୟାଂଗାର ଦ୍ୱିତୀୟ ପ୍ରସ୍ତାବ ଆଗତ କରିବା ସମୟରେ ମଧ୍ୟ ପ୍ରଥମ ପ୍ରସ୍ତାବର ସମୟ ଓ ପରିବର୍ତ୍ତୀ ସମୟରେ ଅନେକ ତଫାତ୍ ଥିବାର ସୂଚନା ଦେଲେ। ସେ ସ୍ପଷ୍ଟ କରି ଦେଇଥିଲେ ଯେ ୧୯୪୭ ଅଗଷ୍ଟ ୧୫ ତାରିଖ ପରେ ଦୁଇଗୋଟି ରାଷ୍ଟ୍ର ନିଜ ନିଜର ସ୍ଥିତି ନେଇ ଛିଡ଼ା ହୋଇଯିବା ଫଳରେ ସ୍ୱାଧୀନ ଭାରତର ଗୋଟିଏ ନିଜସ୍ୱ ସ୍ଥିତି ସୃଷ୍ଟି ହୋଇଛି। ଅଧିକନ୍ତୁ ଦେଶୀୟ ରାଜ୍ୟମାନେ ଭାରତ ଶାସନକୁ ଅଂଗୀକାର କରିବାର ସ୍ୱୀକାର କରି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ଆୟାଙ୍ଗାର ସୂଚାଇ ଦେଲେ ଯେ କେନ୍ଦ୍ରକୁ ଅଧିକ କ୍ଷମତା ଦେବାର ସଂଭାବନା ଦେଖାଦେଇଛି। ସଂବିଧାନ ପ୍ରଣୟନ ସଭାକୁ ଦେଶୀୟ ରାଜ୍ୟ ପ୍ରତିନିଧିମାନେ ଆସିବାର ବ୍ୟବସ୍ଥାର ସୂଚନା ମଧ୍ୟ ଦେଇଥିଲେ।
ଏହି ପ୍ରସ୍ତାବକୁ ବିରୋଧ ଯେ ହୋଇ ନ ଥିଲା ତା ନୁହେଁ। ସଦସ୍ୟ ମୌଲାନା ହସରତ ମହାନୀ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ ଯେ ମି. ଆୟାଂଗାରଙ୍କର ଏକ ଶକ୍ତିଶାଳୀ କେନ୍ଦ୍ର ପ୍ରସ୍ତାବ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏକ ସମାଜବାଦୀ ସାର୍ବଭୌମିକ ୟୁନିଟ୍ ଏକତ୍ରିକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ନିଜ ମତ ସପକ୍ଷରେ କହିବାକୁ ଯାଇ ସେ ରାଜ୍ୟମାନଙ୍କୁ ଅଧିକ ଅଧିକାର ଦେବାକୁ ପ୍ରସ୍ତାବ ରଖିଥିଲେ। ଅନ୍ୟତମ ପ୍ରମୁଖ ସଦସ୍ୟ କେ. ସନ୍ତନମ୍ଙ୍କ ଏ ସଂପର୍କିତ ବକ୍ତବ୍ୟ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ସେ ତାଙ୍କର ବକ୍ତବ୍ୟ ୧୯୪୭ ଅଗଷ୍ଟ ୨୦ ତାରିଖରେ ଉପସ୍ଥାପନ କରି ସମସ୍ତ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଉତ୍ତରଦାୟୀ ନ ହୋଇ ରାଜ୍ୟମାନଙ୍କ ଠାରେ ଏହିସବୁ ଦାୟିତ୍ୱ ପୂର୍ଣ୍ଣ ନ୍ୟସ୍ତ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମ ଓ ଦ୍ୱିତୀୟ ପ୍ରସ୍ତାବକୁ ଲକ୍ଷ୍ୟ କରି ନେତୃମଣ୍ଡଳୀର ମତ ପରିବର୍ତ୍ତନ କରିଛନ୍ତି ବୋଲି ମନ୍ତବ୍ୟ ରଖି ଶ୍ରୀ ସନ୍ତନମ୍ ଯୋଜନାର ବିକେନ୍ଦ୍ରୀକରଣ ହେବା ଦରକାର ବୋଲି କହିଥିଲେ। କୃଷି ସଂପର୍କିତ ଯୋଜନା କେବଳ ରାଜ୍ୟମାନଙ୍କର ବୋଲି ସେ ଦୃଢ଼ ଭାବେ କହିଥିଲେ। ରାଜ୍ୟମାନଙ୍କୁ ଅଧିକ ଅର୍ଥନୈତିକ ଓ ଜନମଙ୍ଗଳକାରୀ କ୍ଷମତା ଦେବା ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ।
କ୍ଷମତା ବଣ୍ଟନ ସଂପର୍କୀୟ ଯେଉଁ ତାରିଖ ପ୍ରସ୍ତୁତ ହୋଇଥିଲା ସେଥିରେ କେନ୍ଦ୍ର ପାଖରେ ୮୭ ଗୋଟି ବିଷୟ ରହିବାର ପ୍ରସ୍ତାବ ରଖାଗଲା ଏବଂ ରାଜ୍ୟ ହାତରେ ୫୮ଟି ବିଷୟ, ଉଭୟ ତାଲିକାଭୁକ୍ତ ୩୬ ବିଷୟ ରହିଥିଲା। ଏପରିକି ଶିକ୍ଷା ରାଜ୍ୟ ପାଖରେ ରହିଲା। ବନାରସ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟକୁ ଛାଡ଼ି (ଯାହାକି କେନ୍ଦ୍ର ତାଲିକାଭୁକ୍ତ ଥିଲା) ସମସ୍ତ ଶିକ୍ଷା ବ୍ୟବସ୍ଥା ରାଜ୍ୟ ପାଖରେ ରହିଥିଲା। ବିଦ୍ୟୁତ୍ ଶକ୍ତି ବ୍ୟବହାର ବା ବିକ୍ରୀ ଉପରେ କର ବସାଇବା ଦାୟୀତ୍ୱ ରାଜ୍ୟମାନଙ୍କ ଉପରେ ଥିଲା। ଖଣିଜ ପଦାର୍ଥ ଉପରେ ଟିକସ୍ ବସାଇବା ପୂର୍ଣ୍ଣ ବ୍ୟବସ୍ଥା ରାଜ୍ୟଠାରେ ନ୍ୟସ୍ତ ଥିଲା ଓ ସ୍ୱାସ୍ଥ୍ୟ ଆଦି ଦାୟୀତ୍ୱ ସଂପୂର୍ଣ୍ଣଭାବେ ରାଜ୍ୟମାନଙ୍କ ପାଖରେ ରଖାଗଲା। ଉଭୟ ତାଲିକାଭୁକ୍ତ ବିଷୟ ମଧ୍ୟରେ ଥିବା ୩୬ ଗୋଟି ଯାହା ଥିଲା ସେଥିରେ ମୁଖ୍ୟତଃ ଯୋଜନା, ବିଦ୍ୟୁତ୍ ଆଦି ରଖା ଯାଇଥିଲା।
ଏହି ସମସ୍ତ କ୍ଷମତା ତାଲିକା ସଂବିଧାନ ପ୍ରଣୟନ ସଭା ସମାପ୍ତ କାଳକୁ ପୁନଃ ପରିବର୍ତ୍ତନ କରାଗଲା। ଅନେକ ବିଷୟ କେନ୍ଦ୍ର ଓ ଉଭୟ ତାଲିକା ଭିତରକୁ ଚାଲିଗଲା, ରାଜ୍ୟ ତାଲିକାରୁ ବାଦ ପଡ଼ିଲା। ଏକ ଶକ୍ତିଶାଳୀ କେନ୍ଦ୍ର ଗଠିତ ହେଲା ଏବଂ କେନ୍ଦ୍ର ନିକଟରେ ରେସିଡୁଆରୀ କ୍ଷମତା ନ୍ୟସ୍ତ ରହିଲା। ସଂବିଧାନର ଧାରା ୨୪୬ରେ କେନ୍ଦ୍ର ପାଇଁ ୯୭ଟି ବିଷୟ, ରାଜ୍ୟମାନଙ୍କ ପାଇଁ ୬୬ ଗୋଟି ବିଷୟ ଓ ଉଭୟ ତାଲିକାରେ ୪୬ ଗୋଟି ବିଷୟ ରଖାଗଲା। ସଂବିଧାନ ପ୍ରଣୟନ ହେବା ପରଠାରୁ ଅଦ୍ୟାବଧି ଅନେକ ସଂଶୋଧନ କରାଯାଇ ରାଜ୍ୟ କ୍ଷମତାକୁ ଉଭୟ ତାଲିକାଭୁକ୍ତ କରାଯାଇଛି ଓ କେନ୍ଦ୍ର ସେସବୁ ଉପରେ ଆଇନ ଓ ଯୋଜନା ପ୍ରଣୟନ କରିଚାଲିଛନ୍ତି। ଏପରିକି ସମସ୍ତ ଜନମଙ୍ଗଳକାରୀ କାର୍ଯ୍ୟ ଉପରେ ବର୍ତ୍ତମାନ କେନ୍ଦ୍ର ତା’ର କ୍ଷମତା ଜାହିର କରିଛି। କୃଷି ଏବେ ଆଉ ପୂର୍ଣ୍ଣ ରାଜ୍ୟ କ୍ଷମତା ଅନ୍ତର୍ଭୁକ୍ତ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ଓ ଅନୁଦାନ ଉପରେ ନିର୍ଭରଶୀଳ। ଖଣି, କୋଇଲା ଆଦି ଖଣିଜ ସଂପଦ କେନ୍ଦ୍ରୀୟ କ୍ଷମତା ପାଚେରୀ ଭିତରେ ଆବଦ୍ଧ। ଟିକସ ଆଦାୟ ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ କେନ୍ଦ୍ରାଭିମୁଖୀ କରାଯିବାର କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। କେନ୍ଦ୍ରୀୟ ସାହାଯ୍ୟ ଅନୁଦାନ ଉପରେ ରାଜ୍ୟ ସଂପୂର୍ଣ୍ଣ ନିର୍ଭରଶୀଳ। ଏହି ପରିସ୍ଥିତିରେ କେନ୍ଦ୍ର ରାଜ୍ୟ ଭିତରେ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପରସ୍ପରକୁ ଆଂଗୁଳି ଦେଖା ବ୍ୟବସ୍ଥା ସାଧାରଣ ନାଗରିକକୁ ଅସ୍ଥିର ଓ ଅଥୟ କରି ଚାଲିଛି ଓ ଉଭୟ ସରକାରଙ୍କ ଉପରୁ ବିଶ୍ୱାସ ତୁଟିଗଲେ ସଂସଦୀୟ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ।
ଫୋ- ୯୪୩୮୩୬୦୮୪୯