Advertisment

ସବୁଠୁ ବଳି, ଆରାବଳୀ

ଆରାବଳୀ ପର୍ବତମାଳା ଅତି ପ୍ରାଚୀନ ଏବଂ ଭାରତର ସର୍ବପୁରାତନ ପର୍ବତ ଶୃଙ୍ଖଳା ମଧ୍ୟରୁ ଅନ୍ୟତମ। ଏହା ଗାଙ୍ଗେୟ ସମତଳ ଭୂମିକୁ ସୁରକ୍ଷା ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ କବଚ ଭାବେ କାମ କରେ। ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ପର୍ବତମାଳା ନ ଥିଲେ ଭାରତର ଉତ୍ତର ଭାଗ ମରୁଭୂମି ପାଲଟିଯାଇ ସାରନ୍ତାଣି।

aravalli

Aravalli Hills Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା

ଦେଶର ସର୍ବୋଚ୍ଚ ଅଦାଲତ ଗତ ନଭେମ୍ବର ୨୦ ତାରିଖରେ ଆରାବଳୀ ପର୍ବତମାଳା ପ୍ରସଙ୍ଗରେ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପ୍ରଦାନ କରିଥିବା ଜବାବକୁ ସ୍ୱୀକାର କରି ନିଜର ରାୟ ପ୍ରଦାନ କରିଥିଲେ। ଫଳରେ ଆରାବଳୀ ପର୍ବତମାଳାର ପ୍ରାୟ ୯୦ ପ୍ରତିଶତ ଅଂଶରେ ଖଣି ଖୋଳିବାର ବାଟ ଫିଟି ଯାଇଥିଲା। ଆରାବଳୀ ପର୍ବତମାଳାର ଅସ୍ତିତ୍ୱ ବିପଦ ମଧ୍ୟକୁ ଠେଲିହୋଇ ଯାଇଥିଲା। ଏହା ପରଠାରୁ ସାମାଜିକ ଗଣମାଧ୍ୟମରେ ଆରାବଳୀ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଥିଲା। ଏହାକୁ  ‘ସେଭ୍‌ ଆରାବଳୀ’ ବା ‘ଆରାବଳୀ ବଞ୍ଚାଅ’ ଅଭିଯାନ କୁହାଗଲା। ଏହାକୁ ନେଇ ସମଗ୍ର ଦେଶରେ ସର୍ବୋଚ୍ଚ ଅଦାଲତଙ୍କୁ ମଧ୍ୟ ଖୋଲାଖୋଲି ଭାବେ ବିରୋଧ କରାଗଲା। ଖୁସିର କଥା ଯେ, ସର୍ବୋଚ୍ଚ ଅଦାଲତ ନିଜଆଡୁ ନିଜର ନଭେମ୍ବର ୨୦ ରାୟ ଉପରେ ସ୍ଥାଗିତାଦେଶ ଲଗାଇବା ସହ ଆରାବଳୀ ପର୍ବତର ପ୍ରକୃତ ସଂଜ୍ଞାର ପୁନଃନିରୂପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Advertisment

ଆରାବଳୀ ପର୍ବତମାଳା ପାଇଁ ପୂର୍ବରୁ ଗଠିତ ବିଶେଷଜ୍ଞ ମଣ୍ଡଳୀ ପାରିବେଶିକ ପ୍ରଭାବ ସମ୍ପର୍କରେ ଯେଉଁ ସବୁ ପ୍ରସ୍ତାବ ଦେଇଥିଲେ ତାହାକୁ ନୂତନ ବିଶେଷଜ୍ଞ କମିଟି ତର୍ଜମା କରିବେ ବୋଲି ଅଦାଲତ କହିଛନ୍ତି। ପୂର୍ବରୁ ଗଠିତ ମଣ୍ଡଳୀ ପ୍ରଶାସନିକ ଅଧିକାରୀ ବହୁଳ ରହିଥିଲା। ଆରାବଳୀ ପର୍ବତମାଳାର ସଂଜ୍ଞାକୁ ସେମାନେ ଭିନ୍ନ ଭାବେ ଉପସ୍ଥାପନ କରିଥିଲେ। ଆରାବଳୀ ପର୍ବତମାଳାରୁ ଛୋଟ ଛୋଟ ପାହାଡ଼କୁ ବାଦ ଦେବାକୁ ସେମାନେ ପରାମର୍ଶ ଦେବା ସହ ଖଣି ଖନନ କରିବା ସପକ୍ଷରେ ସୁପାରିସ କରିଥିଲେ। ଅଭିଯୋଗ ହେଲା ଯେ, କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ହାତକୁ ଆରାବଳୀ ପର୍ବତମାଳାକୁ ଟେକିଦେବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରିଥିଲେ ଏବଂ ସେଥିପାଇଁ ଏପରି ସୁପାରିସ ପ୍ରଦାନ କରାଯାଇଥିଲା। ପରିବେଶ ଯେତେ ଅଧିକ ବିପନ୍ନ ହେଉ ପଛେ ଏହି ନ୍ୟସ୍ତସ୍ୱାର୍ଥଙ୍କୁ ଆର୍ଥିକ ଲାଭ ଦେବା ପାଇଁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଗଳାବାଟ ଭାବେ ବ୍ୟବହାର କରିବାକୁ ସରକାର ଚାହାନ୍ତି ବୋଲି ଧାରଣା ସୃଷ୍ଟି ହେଲା।

ନଭେମ୍ବର ୨୦ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ପ୍ରଦାନ କରିଥିବା ଯେଉଁ ସୁପାରିସକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନିଜର ରାୟ ଦେଇଥିଲେ, ସେଥିରେ ଆରାବଳୀର କେବଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତା ଥିବା ପାହାଡ଼ଗୁଡ଼ିକୁ ଆରାବଳୀ ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ ବୋଲି କୁହାଯାଇଥିଲା। ଏଭଳି ରାୟ ପରେ ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ପରିବେଶବିତ ଓ ବୁଦ୍ଧିଜୀବୀଙ୍କ ମତ ଯେ ଯେଉଁସବୁ ଛୋଟବଡ଼ ପାହାଡ଼ ଆରାବଳୀ ପର୍ବତମାଳାର ଅଂଶ ବିଶେଷ ଭାବେ ରହି ଆସିଛି, ସେଥିରୁ ଛୋଟ ପାହାଡ଼ଗୁଡ଼ିକୁ ବାଦ ଦିଆଯାଇଛି। ଏହି ଛୋଟ ପାହାଡ଼ଗୁଡିକରେ ସରକାର ଖଣି ଖନନକୁ ପ୍ରୋତ୍ସାହିତ କରୁଛନ୍ତି ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଜନ ଆକ୍ରୋଶ ଓ ବିବାଦ ବଢ଼ିବାରୁ କେନ୍ଦ୍ର ସରକାର ଡିସେମ୍ବର ୨୪ ତାରିଖରେ ଆରାବଳୀ ପାର୍ବତ୍ୟାଞ୍ଚଳରେ ନୂତନ ଖଣି ଲିଜ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ଆରାବଳୀ ପର୍ବତମାଳାରେ କୌଣସି ନୂତନ ଖଣି ଖନନ ଲିଜକୁ ଅନୁମୋଦନ ଦିଆଯିବ ନାହିଁ ବୋଲି ମଧ୍ୟ କହିଥିଲେ। 

Advertisment

ଆରାବଳୀ ପର୍ବତମାଳାର ସୀମା ଚାରିପଟେ ଘେରିରହିଛି ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟ ରାଜ୍ୟ। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ଆରାବଳୀ ପର୍ବତମାଳା ବିସ୍ତୃତ ହୋଇ ରହିଛି। ଆରାବଳୀର ଖଣିଜ ସମ୍ପଦକୁ ବ୍ୟବହାର କରିବା ପାଇଁ ବହୁବର୍ଷରୁ ସରକାର ଓ ଅନୁଷ୍ଠାନମାନେ ଚେଷ୍ଟା କରି ଆସିଛନ୍ତି। ଏଣୁ, ଏହି ସମ୍ପର୍କରେ ଆଇନଗତ ପ୍ରକ୍ରିୟା ମଧ୍ୟ ନୂଆ ନୁହେଁ। ୧୯୮୫ ମସିହାରୁ ଅଦାଲତରେ ଅନେକ ଗୁଡ଼ିଏ ମାମଲା ବିଚାରାଧୀନ ରହିଆସିଛି। ଏଗୁଡ଼ିକର ପ୍ରାଥମିକ ଉଦ୍ଦେଶ୍ୟ ରହିଛି ଯେ, ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ ପ୍ରଣୟନ କରାଯାଇ ତାହାକୁ କାର୍ଯ୍ୟକାରୀ କରିଯିବାକୁ ଆଇନ ଓ ନିର୍ଦ୍ଦେଶନାମା ଦିଆଯାଉ। ଏହି ଉଦ୍ଦେଶ୍ୟକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୃଥିବୀର ପ୍ରାଚୀନତମ ପର୍ବତମାଳା ଶୃଙ୍ଖଳା ମଧ୍ୟରୁ ଅନ୍ୟତମ ହେଉଛି ଆରାବଳୀ ପର୍ବତମାଳା। ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଦେଇ ଏହା ଗୁଜରାଟ ପର୍ଯ୍ୟନ୍ତ ବ୍ୟାପ୍ତିଲାଭ କରିଛି। ଏହି ପର୍ବତମାଳାର କିଛି ସ୍ୱଳ୍ପ-ଉଚ୍ଚତା ବିଶିଷ୍ଟ ପାହାଡ଼ ନିକଟରେ ଖଣି ଖନନ ଲାଗି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଜବାବ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଆବେଦନର ଶୁଣାଣୀ କଲା ପରେ ରାୟ ଦେଇଥିଲେ ଯେ, ୧୦୦ ମିଟରରୁ ଅଧିକ ଉଚ୍ଚତାର ପାହାଡ଼ ହିଁ ଆରାବଳୀର ଅଂଶ ବିଶେଷ। ୧୦୦ ମିଟରରୁ କମ୍‌ ଉଚ୍ଚତାର ପାହାଡ଼କୁ ଆରାବଳୀର ଅଂଶ ବିବେଚନା କରାଯିବା ଅନୁଚିତ। ଅର୍ଥାତ, ସେଠାରେ ଖଣି ଖନନ କାମ କରାଯାଇପାରିବ। ଏହା ପରଠାରୁ ସାରା ଦେଶରେ ‘ସେଭ୍‌ ଆରାବଳୀ’ ବା ‘ଆରାବଳୀ ବଞ୍ଚାଅ’ ଅଭିଯାନ ଆରମ୍ଭ ହୋଇଯାଇଥିଲା।

କେନ୍ଦ୍ର ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ଆରାବଳୀ ପର୍ବତମାଳାର ସୁରକ୍ଷା ଲାଗି ଗୋଟିଏ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟାଖ୍ୟା ଉପରେ ଆଧାରିତ ନିୟମାବଳୀ ରହିଛି। ଅଦାଲତ ଚାରୋଟିଯାକ ରାଜ୍ୟକୁ ଆରାବଳୀ ପର୍ବତମାଳା ଓ ପରିବେଶ ସୁରକ୍ଷା ପାଇଁ ସମାନ ପରିଭାଷା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିଗରେ ସରକାର ମଧ୍ୟ ଏକ ସ୍ପଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ଉପସ୍ଥାପନ  କରିଛନ୍ତି। ଏହି ପରିଭାଷା ଅନୁସାରେ ପାହାଡ଼ର ମୂଳ ଅର୍ଥାତ ଭୂତଳର ଉତ୍ପତ୍ତିରୁ ୧୦୦ ମିଟର ଯାଏ ଖନନ ବାରଣ କରାଯାଇଛି। ଯେହେତୁ, ୧୦୦ ମିଟର ସୁରକ୍ଷା କ୍ଷେତ୍ର ପାହାଡ଼ ତଳ ଭାଗରୁ ଆରମ୍ଭ ହୁଏ, ପାହାଡ଼ ତଳ ଭାଗରୁ ୧୦୦ ମିଟର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯାଏ। ଏଣୁ, ସେଠାରେ କୌଣସି ଖନନ କିମ୍ବା କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଆରାବଳୀ ପର୍ବତମାଳାର ଦୁଇଟି ପାହାଡ଼ ମଧ୍ୟରେ ଯଦି ଦୂରତା ୫୦୦ ମିଟର ଥାଏ ତେବେ ଅଞ୍ଚଳକୁ ଆରାବଳୀ ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ। ପର୍ବତମାଳାର ସମୁଦାୟ ୧ ଲକ୍ଷ ୪୭ ହଜାର ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୧୭ ବର୍ଗ କିଲୋମିଟର ଅର୍ଥାତ ୨ ପ୍ରତିଶତ ଅଞ୍ଚଳରେ ଖଣିଜ ଉତ୍ତୋଳନ ହୋଇପାରିବ। ଏଥିପାଇଁ ମଧ୍ୟ କଠୋର ନିୟମାବଳୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରାବଳୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଏଥିମଧ୍ୟରେ ସବୁଜ ଆରାବଳୀ ଆନ୍ଦୋଳନ ଅନ୍ୟତମ। ଚାରି ରାଜ୍ୟର ୩୯ ଜଣ ଉଚ୍ଚପଦସ୍ଥ ଜଙ୍ଗଲ ଅଧିକାରୀଙ୍କ ସହ ବୈଠକ କରାଯାଇ ସାରିଛି। 

ଆରାବଳୀ ପର୍ବତମାଳା ଅତି ପ୍ରାଚୀନ ଏବଂ ଭାରତର ସର୍ବପୁରାତନ ପର୍ବତ ଶୃଙ୍ଖଳା ମଧ୍ୟରୁ ଅନ୍ୟତମ। ଏହା ଗାଙ୍ଗେୟ ସମତଳ ଭୂମିକୁ ସୁରକ୍ଷା ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ କବଚ ଭାବେ କାମ କରେ। ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ପର୍ବତମାଳା ନ ଥିଲେ ଭାରତର ଉତ୍ତର ଭାଗ ମରୁଭୂମି ପାଲଟିଯାଇ ସାରନ୍ତାଣି। ଆରାବଳୀ ପର୍ବତମାଳା ରାଜସ୍ଥାନର ଥର ମରୁଭୂମି ଏବଂ ଆଖପାଖ ଅଞ୍ଚଳର ଜଳବାୟୁକୁ ସନ୍ତୁଳିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହି କ୍ଷେତ୍ରରେ ଆରାବଳୀ ଜୈବ ବିବିଧତା ଏବଂ ଭୂତଳ ଜଳ ସଂରକ୍ଷଣ ମଧ୍ୟ କରିଥାଏ। ଦିଲ୍ଲୀରୁ ଗୁଜରାଟ ପ୍ରାୟ ୬୫୦ କିମି କ୍ଷେତ୍ରରେ ପ୍ରାକୃତିକ ଜୈବବିବିଧତା ବଜାୟ ରଖିବାରେ ଆରାବଳୀର ବଡ଼ ଅବଦାନ ରହିଛି। ଏହାର ପରିସୀମାରୁ ସୃଷ୍ଟି ହୋଇଛି ଚମ୍ବଲ, ସାବରମତୀ, ଲନି ଭଳି ନଦୀର ଜଳସ୍ରୋତ। ଆରାବଳୀରେ ବାଲିପଥର, ଚୂନପଥର, ମାର୍ବଲ, ଗ୍ରାନାଇଟ୍‌ ଆଦି ବିପୁଳ ମାତ୍ରାରେ ଗଚ୍ଛିତ ଅଛି। ଏହି ପର୍ବତମାଳାରେ ସୀସା, ଦସ୍ତା, ତମ୍ବା, ସୁନା ଏବଂ ଟଙ୍ଗଷ୍ଟୋନ ଭଳି ଧାତବ ପଦାର୍ଥ ମଧ୍ୟ ରହିଛି। ଏବେ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ, ବାୟୁ ପ୍ରଦୂଷଣ ଭଳି ମାରାତ୍ମକ ସମସ୍ୟା ସହ ଯୁଝୁ ଥିଲାବେଳେ ଏପରି ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ବଦଳରେ ନଷ୍ଟ କରାଗଲେ ଭାରତର ବାୟୁ ଗୁଣବତ୍ତା ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିଯୋଗୁ ଆଖପାଖ ରାଜ୍ୟଗୁଡ଼ିକରେ ବାୟୁ ଗୁଣ ମାନ (ଏକ୍ୟୁଆଇ) ଖରାପ ହୋଇପାରେ। ଏହା ଭୂତଳ ଜଳକୁ ମଧ୍ୟ ପ୍ରଭାବିତ କରିପାରେ। ଏହାକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ଆରାବଳୀ ଏବଂ ଆଖପାଖ ଅଞ୍ଚଳରେ ଖଣି ଖନନ ବେଆଇନ ଘୋଷଣା କରାଯାଇଥିଲା। 

ଆରାବଳୀର ମୋଟ ୮୦୦ କିଲୋମିଟରରୁ ଅଧିକ ପରିଧି ଭିତରେ ୫୫୦ରୁ ଅଧିକ କିଲୋମିଟର କ୍ଷେତ୍ର ରାଜସ୍ଥାନରେ ରହିଛି। ବିଶେଷଜ୍ଞଙ୍କ ମତରେ ଆରାବଳୀ କେବଳ ଉଚ୍ଚତାର କଥା ନୁହେଁ ବରଂ ସମ୍ପୂର୍ଣ୍ଣ ପରିବେଶଗତ ବ୍ୟବସ୍ଥା। ସରକାରୀ ଆକଳନ ଅନୁସାରେ ରାଜସ୍ଥାନରେ ଥିବା ଆରାବଳୀର ପ୍ରାୟ ୯୦ ପ୍ରତିଶତ ପର୍ବତ ୧୦୦ ମିଟରୁ ଅଧିକ ଉଚ୍ଚତା ସର୍ତ୍ତ ପାଳନ କରୁନାହାନ୍ତି। ଏହାର ଅର୍ଥ ଏହି ରାଜ୍ୟରେ କେବଳ ୮ରୁ ୧୦ ପ୍ରତିଶତ ପାହାଡ଼ ହିଁ ଆଇନଗତ ଭାବେ ଆରାବଳୀର ଅଂଶ ବୋଲି ବିବେଚନା କରାଯିବ ଏବଂ ବଳକା ୯୦ ପ୍ରତିଶତ ପାହାଡ଼ ସଂରକ୍ଷଣ ଆଇନରୁ ସୁରକ୍ଷା ପାଇବ ନାହିଁ। ଏହାପରେ ଏଠାରେ କୌଣସି ନୀତି ନିୟମ ରହିବ ନାହିଁ, ଯେଉଁଥିରେ ଖନନ, ନିର୍ମାଣ, ବୃକ୍ଷ ଛେଦନ ଓ ପରିବେଶକୁ କ୍ଷତିକଲା ଭଳି ଅନେକ କିଛି ଅନିୟନ୍ତ୍ରିତ କାମ ଆରମ୍ଭ ହୋଇଯିବ। ଆରାବଳୀ ଏକ ପର୍ବତମାଳା ନୁହେଁ, ଏହା ଉତ୍ତର ଭାରତର ନିଃଶ୍ୱାସ ବୋଲି ସାଧାରଣ ଲୋକ ମଧ୍ୟ ଅନୁଭବ କରନ୍ତି। ସେଥିପାଇଁ ସମଗ୍ର ରାଜସ୍ଥାନରେ ଆରାବଳୀ ସଂରକ୍ଷଣ ଆନ୍ଦୋଳନ ତୀବ୍ର ହୋଇଛି। 

ଆରାବଳୀ ପର୍ବତମାଳା ମରୁଭୂମିକୁ ପ୍ରସାରିତ ହେବାରେ ରୋକିଥାଏ, ମୌସୁମୀ ଓ ବର୍ଷାର ନିୟମିତତାକୁ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ କରିବାରେ ଭୂମିକା ତୁଲାଇ ଥାଏ, ଭୂତଳ ଜଳକୁ ପୂରଣ କରିଥାଏ, ସମଗ୍ର ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ଓ ଧୂଳିକୁ ବଢିବାକୁ ଦେଇନଥାଏ। ଏହା ଜୈବ ବିବିଧତାର ଭଣ୍ଡାର ଅର୍ଥାତ୍‌ ହଜାର ହଜାର ପ୍ରକାର ଗଛ ଲତା ଓ ଜୀବଜନ୍ତୁ ଏଠାରେ ଦେଖିବାକୁ ମିଳିଥାନ୍ତି।

ଆରାବଳୀ ପର୍ବତମାଳା ‘ଥର ମରୁଭୂମି’କୁ ଉତ୍ତର ଓ ପୂର୍ବ ଆଡ଼କୁ ବଢ଼ିବାରୁ ରୋକିଥାଏ। ଏହାର କିଛି ବି କ୍ଷତି ହେଲେ  ଉତ୍ତର ଭାରତ ମଧ୍ୟ ମରୁଭୂମିରେ ପରିଣତ ହୋଇଯିବ। କାରଣ ଏହି ପାହାଡ଼ ଗୁଡ଼ିକ ପାଚେରୀ ଭଳି ମରୁଭୂମି ବିସ୍ତାରକୁ ରୋକି ଥାଏ। ଏହାର କ୍ଷତି ହେଲେ ଗାଙ୍ଗେୟ ସମତଳ ଭୂମି ଅନୁର୍ବର ହୋଇଯିବ, ଚାଷ ଉଜୁଡି ଯିବ ଏବଂ ଦେଶରେ ଖାଦ୍ୟାଭାବ ସୃଷ୍ଟି ହେବ।

ଆରାବଳୀ ବାୟୁପ୍ରବାହର ଦିଗକୁ ପ୍ରଭାବିତ କରିଥାଏ। ଫଳରେ ରାଜସ୍ଥାନ, ହରିଆଣା ଓ ପଶ୍ଚିମ ଉତ୍ତର ପ୍ରଦେଶରେ ବର୍ଷା ହୋଇଥାଏ। ଏହା ନଷ୍ଟ ଓ ଦୁର୍ବଳ ହେଲେ, ଅଦିନିଆ ବର୍ଷା ଓ ମରୁଡ଼ି ପଡ଼ିବ; ଯାହା ଗରିବ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର ସବୁଠୁ ଅଧିକ କ୍ଷତି କରିବ।

ବିଜ୍ଞାନ ଦୃଷ୍ଟିରୁ ଦେଖିଲେ ଆରାବଳୀର ପୃଷ୍ଠଭୂମି ପ୍ରାକୃତିକ ସ୍ପଞ୍ଜ ପରି କାମ କରିଥାଏ। ଏହା ବର୍ଷା ଜଳକୁ ଧୀରେ ଧୀରେ ମାଟି ଅଭ୍ୟନ୍ତରକୁ  ପ୍ରବେଶ କରିବାକୁ ଦେଇଥାଏ। ଫଳରେ ଦିଲ୍ଲୀ, ହରିଆଣା ଓ ରାଜସ୍ଥାନର ଅନେକ ଅଞ୍ଚଳରେ ଭୂତଳ ଜଳଭଣ୍ଡାରକୁ ପରିପୂର୍ଣ୍ଣ ରହିବାରେ ସାହାଯ୍ୟ ମିଳିଥାଏ। ଏବେ ଯଦି ଏହି ଜଳଭଣ୍ଡାର ସୃଷ୍ଟିକର୍ତ୍ତା ପର୍ବତ ମାଳା ନଷ୍ଟ ହେବାରେ ଲାଗିବ, ଉତ୍ତର ଭାରତରେ ଜଳ ସଙ୍କଟ ଆରମ୍ଭ ହୋଇଯିବ ଏବଂ ବଞ୍ଚିବା ଅସମ୍ଭବ ହୋଇଯିବ। 

ଦିଲ୍ଲୀର ବାୟୁରେ ଯେଉଁ ଧୂଳି ଓ ପ୍ରଦୂଷଣ ଆଜି ବହୁଚର୍ଚ୍ଚିତ ଏବଂ ଆତଙ୍କର କାରଣ ହୋଇଛି, ଏହାର ବଡ଼ ଭାଗ ପଶ୍ଚିମା ଧୂଳି ଝଡ଼ରୁ ସୃଷ୍ଟି ହୋଇଥାଏ। ଆରାବଳୀ ପର୍ବତମାଳା ଏହି ଧୂଳି ଝଡ଼କୁ ଅବରୋଧ କରନ୍ତି ଏବଂ ପ୍ରଦୂଷକ ଧୂଳି କଣିକାଗୁଡ଼ିକୁ ସୀମିତ କରନ୍ତି। ଯଦି ଆରାବଳୀ ପର୍ବତମାଳା ନଷ୍ଟ ହୋଇଯାଏ, ତେବେ ବାୟୁଗୁଣମାନ ଅଧିକ ନିମ୍ନଗାମୀ ହୋଇଯିବ। ଶ୍ୱାସକ୍ରିୟା ଜିନିତ ରୋଗ ବୃଦ୍ଧି ପାଇବ। ପିଲା ଓ ବୃଦ୍ଧଙ୍କ ପାଇଁ ଜୀବନ କଷ୍ଟକର ହୋଇଯିବ।

ଆରାବଳୀ ପର୍ବତମାଳା ହଜାର ହଜାର ଓ ଲକ୍ଷ ଲକ୍ଷ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀଙ୍କ ପ୍ରକୃତିକ ବାସସ୍ଥାନ। ଏଠାରେ ଶହ ଶହ ପ୍ରଜାତିର ଉଭିଦ, ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଓ କୀଟପତଙ୍ଗ ବାସ କରନ୍ତି। ଯଦି ଏହି ପାହାଡ଼ଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ସମଗ୍ର ଜୈବମଣ୍ଡଳ କ୍ଷତିଗ୍ରସ୍ତ ହେବ। ସବୁଠାରୁ ବଡ଼ ସମସ୍ୟା ହେବ ଖାଦ୍ୟ ଶୃଙ୍ଖଳରେ। ଜଙ୍ଗଲ କଟା ହେଲେ ସେମାନଙ୍କ ବାସସ୍ଥାନ ନଷ୍ଟ ହେବା ସହିତ ଅନେକ ପ୍ରଜାତି ବିଲୁପ୍ତ ହୋଇଯିବେ। ଏହା ଖାଦ୍ୟ ଶୃଙ୍ଖଳର କ୍ରମକୁ ବାଧା ଦେବ। କାରଣ ମଣିଷ ମଧ୍ୟ ଏହି ଖାଦ୍ୟ ଶୃଙ୍ଖଳର ଏକ ଅଂଶ।

ନଭେମ୍ବର ୨୦ ତାରିଖ ରାୟରେ ଅଦାଲତ ସ୍ୱୀକାର କରିଥିଲେ ଯେ, ଆରାବଳୀ ପର୍ବତର ପାଇଁ ରାଜ୍ୟମାନେ ଭିନ୍ନ ଭିନ୍ନ ମାନକ ରଖିଛନ୍ତି। ଏପରିକି ବିଶେଷଜ୍ଞମାନେ ମଧ୍ୟ ଅଲଗା ମାନକରେ ଆରାବଳୀ ପର୍ବତକୁ ପରିଭାଷିତ କରୁଛନ୍ତି। ଏଥିରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ମଧ୍ୟ ରହିଛି। ୨୦୧୦ ମସିହାରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ କହିଥିଲେ ଯେ, ଆରାବଳୀ ପର୍ବତମାଳା ଭିତରେ ୧୦୦ ମିଟରରୁ ଅଧିକ ଉଚ୍ଚତା ଏବଂ ଦୁଇ ପାହାଡ଼ ଭିତରେ ୫୦୦ ମିଟର ଦୂରତା ଥିଲେ ଯାଇ ପର୍ବତ ଭାବେ ବିବେଚନା କରାଯିବ। ଦେଖିବାକୁ ଗଲେ ଅନେକ ଉଚ୍ଚ ପାହାଡ଼ କ୍ଷେତ୍ରରେ ଏହି ମାନକକୁ ପାଳନ କରାଯାଉନାହିଁ। ଏହା ପରେ ଅଦାଲତ ପରିବେଶ ମନ୍ତ୍ରଣାଳୟ, ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ, ରାଜ୍ୟଗୁଡ଼ିକର ବନ ବିଭାଗ, ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏବଂ ନିଜ କମିଟିର ପ୍ରତିନିଧିଙ୍କୁ ନେଇ ଆଉଏକ କମିଟି ଗଠନ କରିଥିଲେ। ଏହି କମିଟି ଅଦାଲତଙ୍କୁ ନିଜର ରିପୋର୍ଟ ଦେଇଥିଲେ। ଗତ ନଭେମ୍ବର ୨୦ରେ ରାୟ ପ୍ରଦାନ କଲାବେଳେ ଅଦାଲତ ଏହାକୁ ଗ୍ରହଣ କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ, କେବଳ ୧୦୦ ମିଟର ଉଚ୍ଚତାର ପର୍ବତକୁ ହିଁ ଆରାବଳୀ ପର୍ବତ ଶୃଙ୍ଖଳାର ଅଂଶ ବିବେଚନା କରାଯିବ।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏଜି ମଶିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆରାବଳୀର ସୁରକ୍ଷାକୁ ନେଇ ଏବେ ନିଜ ଆଡ଼ୁ ଶୁଣାଣି କରିଛନ୍ତି। ଶୁଶାଣି ସହ ଖଣ୍ଡପୀଠ କେନ୍ଦ୍ର ଓ ଆରାବଳୀ ପର୍ବତମାଳା ସଂଲଗ୍ନ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ହରିୟାଣା ସରକାରଙ୍କୁ ନୋଟିସ କରିଛନ୍ତି। ଅଦାଲତ କହିଛନ୍ତି ଯେ ଆରାବଳୀ ପର୍ବତମାଳାକୁ ନେଇ ପୂର୍ବ-କମିଟି ଦେଇଥିବା ରିପୋର୍ଟ କିମ୍ବା ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଅଦାଲତ ଗୋଟିଏ ନିରପେକ୍ଷ ଓ ସ୍ୱାଧୀନ ବିଶେଷଜ୍ଞ ମୂଲ୍ୟାଙ୍କନ ଆବଶ୍ୟକ। ଆରାବଳୀ ପର୍ବତମାଳାକୁ ୫୦୦ ମିଟର ଦୂରଯାଏଁ ସୀମିତ ରଖିବା ପାଇଁ କରାଯାଇଥିବା ସୁପାରିସ ଉପରେ ଶେଷନିଷ୍ପତ୍ତି ନେବାପୂର୍ବରୁ ବିଶେଷଜ୍ଞ ଦଳର ପରାମର୍ଶ ନେବାକୁ ଅଦାଲତ ଆବଶ୍ୟକ ମନେକରନ୍ତି। ବୈଜ୍ଞାନିକ ଓ ପରିବେଶ ବିଶେଷଜ୍ଞମାନେ ଭବିଷ୍ୟତ ନିଷ୍ପତ୍ତିକୁ ନିର୍ଦ୍ଧାରଣ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଆଶା କରିଛନ୍ତି। 

ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୦୨୬ ଜାନୁଆରୀ ୨୧ରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଆମେ ଅଶା କରିବା ଯେ, ସତ୍ୟର ବିଜୟ ହେବ ଏବଂ ବିକଶିତ ଭାରତ ଗଠନ ଦିଗରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନିଜର ନ୍ୟାୟିକ ଅବଦାନ ପ୍ରଦର୍ଶନ କରିବେ।

ଫୋ- ୯୪୩୮୨୯୯୦୩୭

Supreme Court Environment Supreme Court Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe