Advertisment

ଷ୍ଟୁଆର୍ଟ ବିନ୍ନି, ବାଂଲାଦେଶ ଓ ବିଧ୍ୱଂସୀ ବୋଲିଂ

କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜର ଛୋଟ କ୍ୟାରିୟରରେ କ୍ରୀଡ଼ାପ୍ରେମୀଙ୍କୁ ବିଶେଷ ପ୍ରଭାବିତ କରିପାରି ନଥିଲେ ସୁଦ୍ଧା ଅନେକ ଚମତ୍କାର ରେକର୍ଡ କିନ୍ତୁ ନିଜ ନାମରେ କରିପାରିଛନ୍ତି। ସେପରି ଖେଳାଳିମାନେ ସେଇ ଗୋଟିଏ ରେକର୍ଡ ପାଇଁ ରେକର୍ଡ ବୁକ୍ ଆଉ କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ବେଶ୍ କିଛି ବର୍ଷ ରାଜୁତି କରିଛନ୍ତି। ଏହିପରି କ୍ରିକେଟର ଏବଂ ତାଙ୍କର ଅବିସ୍ମରଣୀୟ ରେକର୍ଡ କିନ୍ତୁ ଆଲୋଚନାର ଅବକାଶ ରଖେ।

author-image
Debendra Prusty
Stuart Binny

Stuart Binny

ରୁଦ୍ର ପ୍ରସନ୍ନ ରଥ

କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜର ଛୋଟ କ୍ୟାରିୟରରେ କ୍ରୀଡ଼ାପ୍ରେମୀଙ୍କୁ ବିଶେଷ ପ୍ରଭାବିତ କରିପାରି ନଥିଲେ ସୁଦ୍ଧା ଅନେକ ଚମତ୍କାର ରେକର୍ଡ କିନ୍ତୁ ନିଜ ନାମରେ କରିପାରିଛନ୍ତି। ସେପରି ଖେଳାଳିମାନେ ସେଇ ଗୋଟିଏ ରେକର୍ଡ ପାଇଁ ରେକର୍ଡ ବୁକ୍ ଆଉ କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ବେଶ୍ କିଛି ବର୍ଷ ରାଜୁତି କରିଛନ୍ତି। ଏହିପରି କ୍ରିକେଟର ଏବଂ ତାଙ୍କର ଅବିସ୍ମରଣୀୟ ରେକର୍ଡ କିନ୍ତୁ ଆଲୋଚନାର ଅବକାଶ ରଖେ।

Advertisment

୧୯୮୩ ମସିହାରେ ଭାରତର ବିଶ୍ୱ କପ ବିଜୟୀ ଦଳର ଅନ୍ୟତମ ସଦସ୍ୟ ରୋଜର ବିନ୍ନିଙ୍କ ସୁପୁତ୍ର ଷ୍ଟୁଆର୍ଟ ବିନ୍ନି ମଧ୍ୟ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ। ତେବେ ତାଙ୍କର କ୍ରିକେଟିଂ କ୍ୟାରିୟର ବେଶ୍ କ୍ଷୁଦ୍ର ଥିଲା। ସେ ଭାରତ ପାଇଁ ମୋଟ ୬ଟି ଟେଷ୍ଟ, ୧୪ଟି ଏକଦିବସୀୟ ଏବଂ ୩ଟି ଟି୨୦ ଖେଳିବାର ସୁଯୋଗ ପାଇଥିଲେ। ଏହି କ୍ଷୁଦ୍ର କ୍ୟାରିୟରରେ ଏପରି କିଛି ବିଶାଳ ଉପଲବ୍ଧି ନାହିଁ ଯାହାକୁ କି ଭାରତୀୟ କ୍ରିକେଟ୍ ପ୍ରେମୀ ମନେ ରଖିବେ। ତେବେ ଏହି କ୍ଷୁଦ୍ର କ୍ରିକେଟ୍ କ୍ୟାରିୟରେ ବିନ୍ନି ଏପରି ଗୋଟିଏ ବିଶାଳ ଆଉ ବିରଳ ରେକର୍ଡ କରିଛନ୍ତି ଯାହାକୁ ଭାରତୀୟ କ୍ରୀଡ଼ା ପ୍ରେମୀ ବେଶ୍ ପ୍ରଶଂସା କରିବେ। କେବଳ ସେତିକି ନୁହେଁ ବରଂ ସେ ଏହି ରେକର୍ଡ ଦୀର୍ଘଦିନ ଧରି ଅତୁଟ ରହିଛି ଏବଂ ଆଗକୁ ରହିବ ମଧ୍ୟ। ୫୦ ଓଭର ବିଶିଷ୍ଟ ଫର୍ମାଟରେ ମାତ୍ର ୪ ରନ୍ ଦେଇ ୬ ୱିକେଟ୍ ନେଇ ଭାରତ ପାଇଁ ସେ ଯେଉଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ତାହା ଆଜି ବି ଆଲୋଚନାର ବିଷୟ ପାଲଟେ। ଏହା ଆଜି ଯାଏ ଭାରତ ପାଇଁ ରେକର୍ଡ ହୋଇ ରହିଛି।

୨୦୧୪ ମସିହାରେ ଭାରତ ବାଂଲାଦେଶ ଯାଇଥାଏ ଏକ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ। ଭାରତ ପ୍ରଥମ ମ୍ୟାଚ୍ ମୀରପୁରରେ ଏକ ବଡ଼ ଲକ୍ଷ୍ୟକୁ ପିଛା କରି ଜିତି ସାରିଥାଏ। ମାତ୍ର ଦୁଇ ଦିନ ପରେ ସେହି ମୀରପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଥାଏ। ସମସ୍ତେ ଆଶା କରୁଥିଲେ ଯେ ପ୍ରଥମ ମ୍ୟାଚ୍ ପରି ଏହା ମଧ୍ୟ ଅଧିକ ରନ ବିଶିଷ୍ଟ ହେବ। ତେବେ ବର୍ଷା ଯୋଗୁଁ ମ୍ୟାଚର ଗତିପଥ ବଦଳିଗଲା। ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଭାରତ ପାଇଁ ଇତିହାସ ଲେଖାଯିବାର ଅପେକ୍ଷା ଥିଲା।

Advertisment

ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା। ପିଚରେ ଆର୍ଦ୍ରତା ଥିବାରୁ ପେସ୍ ବୋଲରଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଥିଲା। ପ୍ରଥମରୁ ହିଁ ସେଇଆ ହେଲା। ବ୍ୟାଟିଂ କରିବାକୁ ଯାଇ ଭାରତର ବ୍ୟାଟର ବାଂଲାଦେଶ ବୋଲରକୁ ମୁକାବିଲା କରିପାରିଲେ ନାହିଁ। ବର୍ଷା ଯୋଗୁଁ ପିଚରୁ ବୋଲରଙ୍କୁ ବେଶ୍ ସହାୟତା ମିଳୁଥିଲା। ବଲ ବେଶ୍ ବଢ଼ିଆ ସୁଇଂ କରୁଥିଲା ଏବଂ ପଡ଼ିଲା ପରେ ଅସମାନ ବାଉନ୍ସ ଯୋଗୁଁ ବ୍ୟାଟରଙ୍କୁ ଖେଳିବାକୁ କଷ୍ଟ ହେଉଥିଲା। ବର୍ଷା ଯୋଗୁଁ ଖେଳ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବାରୁ ମ୍ୟାଚକୁ ୪୧ ଓଭର ବିଶିଷ୍ଟ କରିଦିଆଯାଇଥିଲା।

ଭାରତ ପାଇଁ ରବୀନ ଉଥାପ୍ପା ଏବଂ ଅଜିଙ୍କ୍ୟ ରାହାଣେ ଓପନିଂ କରିବାକୁ ଆସିଲେ। ମ୍ୟାଚର ଦ୍ୱିତୀୟ ବଲରେ ହିଁ ରାହାଣେ ଆଉଟ୍ ହୋଇ ପାଭିଲିଅନ ଫେରିଗଲେ। ତା ପରେ ଚେତେଶ୍ୱର ପୂଜାରା ଏବଂ ଉଥାପ୍ପା କିଛି ସମୟ ବ୍ୟାଟିଂ କଲେ ବି ଦଳର ସ୍କୋର ୨୫ ରନ ବେଳକୁ ଉଥାପ୍ପା ଆଉଟ୍ ହୋଇ ପାଭଲିୟନ ଫେରିଗଲେ। ଏତେବେଳକୁ ଭାରତୀୟ ଦଳ ବୁଝି ଯାଇଥିଲେ ଯେ ଏହି ପିଚରେ ରନ୍ ସଂଗ୍ରହ କରିବା ବେଶ୍ କଷ୍ଟକର। ବାଂଲାଦେଶ ଦଳ ବୋଧହୁଏ ବିଜୟର ବାସ୍ନା ପାଇବା ଆରମ୍ଭ କରିଦେଇଥିଲା। ଦଳ ପକ୍ଷରୁ ସେଦିନ ଟାସ୍କିନ୍ ଅହମ୍‌ଦ ନିଜ କ୍ୟାରିୟର ଆରମ୍ଭ କରୁଥିଲେ ଏବଂ ପ୍ରଥମ ପଦାର୍ପଣରେ ନିଜର ଜଲୱା ଦେଖାଇବା ଆରମ୍ଭ କରିଦେଇଥିଲେ। ଭାରତୀୟ ମିଡିଲ ଅର୍ଡର ଟାସ୍କିନଙ୍କ ବୋଲିଂରେ ଧ୍ୱଂସ ପାଇଗଲା। ନିଜେ ଟାସ୍କିନ୍ ପାଂଚଟି ୱିକେଟ୍ ନେଇଗଲେ। ସୁରେଶ୍ ରାଇନା ୨୩ଟି ବଲରେ ତିନୋଟି ଚୌକା ସହ ୨୭ ରନ୍ କରି ଦଳକୁ ଏକୁଟିଆ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସିଏ ରନ୍ ଆଉଟ୍ ହେବା ପରେ ଭାରତର ବ୍ୟାଟିଂ ତାସଘର ପରି ଭୁଶୁଡି ପଡ଼ିଲା। ଭାରତ ମାତ୍ର ୨୫.୩ ଓଭର ବ୍ୟାଟିଂ କରି ଅଲ ଆଉଟ୍ ହୋଇଗଲା। ସ୍କୋର ବୋର୍ଡରେ ଥିଲା ୧୦୫ ରନ୍। ଏହା ସେତେବେଳେ ଭାରତର ବାଂଲାଦେଶ ବିପକ୍ଷରେ ସର୍ବନିମ୍ନ ସ୍କୋର ଥିଲା।

ଭାରତ ଯେ ଏହି ମ୍ୟାଚ୍ ଜିତିପାରିବ ଏ ନେଇ ସମସ୍ତେ ସନ୍ଦିହାନ ଥିଲେ। ପିଚ୍ ବୋଲରଙ୍କୁ ସହାୟତା ଦେଉଥିଲେ ବି ୧୦୫ ରନ୍ ଭିତରେ ବାଂଲାଦେଶକୁ ଅଟକାଇବା ବେଶ୍ କଷ୍ଟସାଧ୍ୟ ଥିଲା। ଆଗକୁ କଣ ହେବ ତାହା ଦେଖିବାକୁ ଅନେକଙ୍କର ଧୈର୍ଯ୍ୟ ନଥିଲା। କାରଣ ନିଜ ଦେଶରେ ବାଂଲାଦେଶ ବେଶ୍ ଶକ୍ତିଶାଳୀ ଥିଲା। ମ୍ୟାଚ୍ ଜିତିବା ନେଇ ବାଂଲାଦେଶ ଆଶାବାଦୀ ଥିଲା।

ବାଂଲାଦେଶ ବ୍ୟାଟିଂ କରିବାକୁ ଆସିଲାବେଳକୁ ପିଚ୍ ଅଳ୍ପ ବହୁତ ବ୍ୟାଟିଂ ଉପଯୋଗୀ ହୋଇସାରିଥିଲା। କମ୍ ରନ ଲକ୍ଷ୍ୟର ପିଛା କରୁଥିବାରୁ ବାଂଲାଦେଶ ବେଶ୍ ସହଜରେ ଏହାର ପିଛା କରିପାରିଥାଆନ୍ତା। କେବଳ ବ୍ୟାଟରମାନଙ୍କୁ ସେଦିନ ପିଚରେ ଠିଆ ହୋଇ ଧରସ୍ଥିର ଭାବରେ ଲକ୍ଷ୍ୟର ପିଛା କରିବାର ଥିଲା।

ତେବେ ସେଦିନ ଷ୍ଟୁଆର୍ଟ ବିନ୍ନି କମାଲ କରିଦେଲେ। ବାଂଲାଦେଶ ବ୍ୟାଟିଂ ଆରମ୍ଭ କଲାବେଳେ ପ୍ରଥମେ ଭେଟିଲା ମୋହିତ୍ ଶର୍ମାଙ୍କୁ। ମୋହିତ ଶର୍ମା ନିଜର ପ୍ରଥମ ସ୍ପେଲରେ ଦୁଇ ୱିକେଟ୍ ବାହାର କରିନେଲେ। ବାଂଲାଦେଶ ତିନି ଓଭର ଭିତରେ ନିଜର ଓପନର ଦ୍ୱୟଙ୍କୁ ହରାଇଲା। ଅନ୍ୟ ପଟରୁ ଉମେଶ ଯାଦବ ବୋଲିଂ କରୁଥିଲେ ବି ତାଙ୍କୁ କୌଣସି ସଫଳତା ମିଳିନଥିଲା। ବରଂ ମାତ୍ର ପାଂଚ ଓଭରରେ ସେ ୩୨ ରନ୍ ବ୍ୟୟ କରିସାରିଥିଲେ। ଏହା ୧୦୫ ରନର ଲକ୍ଷ୍ୟକୁ ଦେଖିଲେ ବେଶ୍ ଅଧିକ ଥିଲା। ଏହା ଭିତରେ ଅଧିନାୟକ ତଥା ୱିକେଟ୍ କିପର ମୁସଫିକର ରହିମ ଏବଂ ତିନି ନମ୍ବରରେ ବ୍ୟାଟିଂ କରୁଥିବା ମହମ୍ମଦ ମିଥୁନ୍ ତୃତୀୟ ୱିକେଟରେ ୩୧ ରନ୍ ଯୋଡ଼ି ସାରିଥିଲେ। ବାଂଲାଦେଶ ୪୪ ରନ୍ କରିସାରିଥିଲା ଏବଂ ଲକ୍ଷ୍ୟର ଅଧା ପାଖାପାଖି ହାସଲ କରିନେଇଥିଲା। ଉମେଶ ଯାଦବ ଫଳପ୍ରଦ ହେଉ ନଥିବା ଦେଖି ଭାରତ ପାଇଁ ଅଧିନାୟକ ଭାର ସଂଭାଳିଥିବା ସୁରେଶ ରାଇନା ବଲ୍‌ ଷ୍ଟୁଆର୍ଟ ବିନ୍ନିଙ୍କୁ ଦେଲେ।

ଷ୍ଟୁଆର୍ଟ ବିନ୍ନି ମଧ୍ୟମ ଗତିରେ ବୋଲିଂ କରନ୍ତି। ତାଙ୍କର ଗତି ବେଶ୍ ସୀମୀତ। ତେବେ ୱିକେଟର ସ୍ଥିତିକୁ ଦେଖି ସେଦିନ ସେ ସୁଇଂ ଆଉ ଲେନ୍ଥର ସହାୟତାରେ ବାଂଲାଦେଶର ମଧ୍ୟକ୍ରମକୁ ଖିନ୍‌ଭିନ୍‌ କରିପକାଇଲେ। ଇନିଂସର ୧୧.୪ ଓଭରରେ ମୁସଫିକର ରହିମଙ୍କ ୱିକେଟ ବାହାର କଲେ ବିନ୍ନି। ପୁଣି ୧୪ଶ ଓଭରରେ ବିନ୍ନିଙ୍କୁ ମିଳିଲା ଦୁଇ ୱିକେଟ୍। ମହମ୍ମଦ ମିଥୁନ ଏବଂ ମହମ୍ମଦ୍ଦୁଲାଙ୍କ ୱିକେଟ୍ ଲଗାତାର ଦୁଇଟି ବଲରେ ବାହାର କରି ବାଂଲାଦେଶକୁ ବ୍ୟାକ୍ ଫୁଟ୍‌କୁ ଠେଲିଦେଲେ। ଆର ପଟୁ ବୋଲିଂ କରୁଥିବା ମୋହିତ ଶର୍ମା ୧୫ଶ ଓଭରରେ ବି କାଢ଼ିନେଲେ ଦୁଇଟି ୱିକେଟ୍। ମୋହିତଙ୍କ ଶିକାର ଥିଲେ ଶକିବୁଲ ହସନ ଏବଂ ଜିଆଉର ରେହମାନ। ଦଳର ସ୍କୋର ୫୨/୭। ମାସରେଫ୍ ମୁର୍ତଜା ଆଉଟ୍ ହେଲେ ୧୬ ଓଭରରେ ଏବଂ ଶେଷ ଦୁଇଜଣ ବାଂଲାଦେଶୀ ବ୍ୟାଟର ନାସିର ହୋସେନ୍ ଏବଂ ଅଲଅମୀନ ହୁସେନ୍ ତା’ ପର ଓଭର ବି ପୂରା ଖେଳିଲେ ନାହିଁ। ବାଂଲାଦେଶ ୫୮ ରନରେ ମାଟି କାମୁଡ଼ି ପଡ଼ିଲା। ଅଳ୍ପ ରନ୍ ବିଶିଷ୍ଟ ଏହି ମ୍ୟାଚ୍‌ରେ ବାଂଲାଦେଶ ଲଜ୍ଜାଜନକ ବ୍ୟାଟିଂ କରି ପରାଜୟ ବରଣ କରିବ ଏହା ସମସ୍ତଙ୍କର ଧାରଣା ବାହାରେ ଥିଲା। ଭାରତ ବିଜୟ ଲାଭ କରିବା ଦ୍ୱାରା ଏହି ଦ୍ୱିପାକ୍ଷିକ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିନେଲା।

ଷ୍ଟୁଆର୍ଟ ବିନ୍ନି ଯେଉଁ ୱିକେଟ୍ ନେବାର ଝଡ଼ ଆରମ୍ଭ କରିଥିଲେ ତାହା ସରିଗଲା। ଏହି ମ୍ୟାଚରେ ମାତ୍ର ୪.୪ ଓଭରରେ ୨ ମେଡେନ୍ ସହ ୪ ରନ୍ ଦେଇ ୬ ୱିକେଟ୍ ନେଇଥିଲେ ଷ୍ଟୁଆର୍ଟ ବିନ୍ନି। ଯେଉଁ ଷ୍ଟାଡିୟମ କିଛି ଘଂଟା ପୂର୍ବେ ଟାସ୍କିନ୍ ଅହମଦଙ୍କ ବୋଲିଂ ନେଇ କୁରୁଳି ଉଠୁଥିଲା ତାହା ଏବେ ବାଂଲାଦେଶର ପରାଜୟରେ ନିସ୍ତବ୍ଧ ହୋଇପଡ଼ିଥିଲା। ମୀରପୁରରେ ବିନ୍ନି କମାଲ କରିସାରିଥିଲେ। ପୂର୍ବରୁ ଭାରତ ପକ୍ଷରୁ ୧୨ ରନରେ ୬ ୱିକେଟ୍ ନେଇ ଅନୀଲ କୁମ୍ବଲେ ଯେଉଁ ରେକର୍ଡ କରିଥିଲେ ତାହା ଏବେ ଧ୍ୱସ୍ତ ହୋଇଯାଇଥିଲା। ସେ ରେକର୍ଡକୁ ଷ୍ଟୁଆର୍ଟ ବିନ୍ନି ନିଜ ନାମରେ କରିନେଇଥିଲେ। ଭାରତ ମାତ୍ର ୧୭.୪ ଓଭରରେ ବାଂଲାଦେଶର ଇନିଂସକୁ ଶେଷ କରିଦେଇଥିଲା। ଉଭୟ ଦଳର ସମସ୍ତ ୨୦ ୱିକେଟ୍ ପଡ଼ିଥିବା କୌଣସି ଏକଦିବସୀୟ ମ୍ୟାଚରେ ଏହା ସବୁଠାରୁ କମ୍ ରନ୍ ସଂଗ୍ରହର ରେକର୍ଡ ଥିଲା। ଭାରତ ଏହି ମ୍ୟାଚରେ କମ୍ ରନ କରିଥିଲେ ବି ଏକ ବିଶାଳ ବ୍ୟବଧାନରେ ଜିତି ସାରିଥିଲା। ଏହି ରେକର୍ଡ ସ୍ଥାପନର ଦଶ ବର୍ଷ ପରେ ମଧ୍ୟ ଅତୁଟ ଅଛି, ଆଉ ଷ୍ଟୁଆର୍ଟ ବିନ୍ନି ଏହି ରେକର୍ଡ ପାଇଁ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ମାନସ ପଟଳରେ ରହିଛନ୍ତି।

ଫୋ- ୭୯୭୮୬୭୧୭୭୬

Indian Cricket Team Cricket Cricket Fan