Advertisment

ସୂର୍ଯ୍ୟ, ସୂର୍ଯ୍ୟ ପରାଗ ଓ ବିଜ୍ଞାନସମ୍ମତ ହେତୁବାଦ

ମେ ୨୯, ୧୯୧୯ ଓ ଫେବୃଆରୀ ୧୬, ୧୯୮୦ ମସିହାରେ ହୋଇଥିବା ସଂପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପୃଥିବୀର କେତେକ ଅଂଶକୁ ସୂର୍ଯ୍ୟ ଦୀର୍ଘ ସମୟ ଦେଖାଯାଇନଥିଲେ। ଏହି ସମୟରେ ଅନେକ ଜ୍ୟୋତିର୍ବିଜ୍ଞାନୀ ଅନେକ ନୂତନ ତଥ୍ୟକୁ ଆବିଷ୍କାର କରିଥିଲେ ଓ ପୁରୁଣା ଅବଧାରଣାରେ ପରିବର୍ତ୍ତନ ଆଣିଥିଲେ।

Solar Eclipse

Solar Eclipse

Advertisment

ଦେବ ରଞ୍ଜନ

ସୂର୍ଯ୍ୟ ପରାଗ ଏକ ମହାଜାଗତିକ ଘଟଣା। ଆମର ସମାଜ ଏହାକୁ ହାଣ୍ଡିଛାଡ଼ ଭାବରେ ଜାଣିଛି। କିନ୍ତୁ ପୃଥିବୀର ଅନେକ ବୈଜ୍ଞାନିକ ଯଦି ଏହି ଅନ୍ଧବିଶ୍ଵାସ ମଧ୍ୟରେ ଫସି ରହିଥାନ୍ତେ ତେବେ ଅନେକ ବିଶେଷ ଘଟଣାକୁ ସେମାନେ ଆମ ସାମ୍ନାରେ ଉନ୍ମୋଚନ କରିପାରିନଥାନ୍ତେ। ଯେଉଁଭଳି ପ୍ରତି ପୂର୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇନଥାଏ, ସେହିଭଳି ପ୍ରତି ଅମାବାସ୍ୟାରେ ସୂର୍ଯ୍ୟପରାଗ ହୋଇନଥାଏ। ଚନ୍ଦ୍ର ୫ ଡିଗ୍ରୀ କୋଣରେ ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ହେତୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏହା ସର୍ବଦା ଆସିନଥାଏ। କେତେବେଳେ ପୃଥିବୀର ତଳକୁ ରହିଯାଏ ତ ପୁଣି କେତେବେଳେ ଉପରକୁ। ଚନ୍ଦ୍ର ପୃଥିବୀର ସେତିକି ପାଖକୁ ମଧ୍ୟ ଆସିବା ଆବଶ୍ୟକ ଯାହା ଦ୍ଵାରା ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମିକୁ ଢାଙ୍କିବା ସମୟରେ ପୃଥିବୀରେ ଅନ୍ଧାର ହେବ।

Advertisment

ସୂର୍ଯ୍ୟଙ୍କୁ ସିଧାସଳଖ ଚାହିଁ କୌଣସି ଗବେଷଣା କରିବା କଷ୍ଟ। ତେଣୁ ପଦାର୍ଥ ବିଜ୍ଞାନୀ ଓ ଜ୍ୟୋତିବିର୍ଜ୍ଞାନୀମାନେ ଏହି ସୂର୍ଯ୍ୟ ପରାଗ ସମୟକୁ ଅପେକ୍ଷା କରିଥାନ୍ତି। ପୃଥିବୀର ସବୁ ଅଞ୍ଚଳରେ ସୂର୍ଯ୍ୟ ପରାଗ ଏକା ସମୟରେ ଦୃଶ୍ୟ ହୋଇନଥାଏ। ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ବିଜ୍ଞାନୀମାନେ ଦୃଶ୍ୟ ହେଉଥିବା ଅଞ୍ଚଳକୁ ଯାଇ ଏହି ବିରଳ ଘଟଣାକୁ ଅନୁଧ୍ୟାନ କରିଥାନ୍ତି ଓ ଲୋକଙ୍କୁ ଏହାର ଫଳାଫଳ ଜଣାଇଥାନ୍ତି।

ମୋର ସ୍କୁଲ ସମୟରେ ଓ ପରେ ଅର୍ଥାତ ୧୯୯୦ ପର୍ଯ୍ୟନ୍ତ ଆମର ସ୍କୁଲ ପାଠ୍ୟପୁସ୍ତକରେ ସୌର ପରିବାର ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ୧୯୧୯ ମସିହାର ସୂର୍ଯ୍ୟ ପରାଗ ସମୟରେ ପାଇଥିବା ତଥ୍ୟ ୧୯୯୦ ପର୍ଯ୍ୟନ୍ତ ଆମର ପାଠ୍ୟ ପୁସ୍ତକକୁ ଆସିନଥିଲା। ଆମକୁ ପଢ଼ାଯାଉଥିଲା ଯେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ହେତୁ ଏକ ଅଣ୍ଡାକୃତି ପଥରେ ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟ ଚାରିପାଖରେ ଘୂରୁଛନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ।

Advertisment

ମେ ୨୯, ୧୯୧୯ ଓ ଫେବୃଆରୀ ୧୬, ୧୯୮୦ ମସିହାରେ ହୋଇଥିବା ସଂପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପୃଥିବୀର କେତେକ ଅଂଶକୁ ସୂର୍ଯ୍ୟ ଦୀର୍ଘ ସମୟ ଦେଖାଯାଇନଥିଲେ। ଏହି ସମୟରେ ଅନେକ ଜ୍ୟୋତିର୍ବିଜ୍ଞାନୀ ଅନେକ ନୂତନ ତଥ୍ୟକୁ ଆବିଷ୍କାର କରିଥିଲେ ଓ ପୁରୁଣା ଅବଧାରଣାରେ ପରିବର୍ତ୍ତନ ଆଣିଥିଲେ। ସେଗୁଡିକ ସମ୍ପର୍କରେ ନିମ୍ନରେ ଲେଖୁଛି।

ପ୍ରଥମରେ, ସ୍କୁଲରେ ଆମେ ଜାଣିଥିଲୁ ଯେ ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ହେତୁ ଗ୍ରହମାନେ ସୂର୍ଯ୍ୟ ଚାରିପାଖରେ ଘୁରୁଛନ୍ତି। ୧୯୧୯ର ସୂର୍ଯ୍ୟ ପରାଗ ସମୟରେ ଜ୍ୟୋତିର୍ବିଜ୍ଞାନୀମାନେ ପ୍ରଥମ ଥର ଲାଗି ଉପଲବ୍ଧି କଲେ ଯେ ସମଗ୍ର ମହାକାଶର ରୂପ ଚେପେଟା, ଠିକ ବିରାଟ କଡ଼େଇ ଭଳି। ସମସ୍ତ ମହାଜଗତିକ ବସ୍ତୁ ଆପେ ଆପେ ଏକ ନିର୍ଦ୍ଦିଷ୍ଟ ବେଗରେ ସରଳରେଖାରେ ଗତିକରୁଥିଲେ ମଧ୍ୟ ଯେହେତୁ ବିରାଟ ମହାକାଶ ଚେପେଟା ତେଣୁ ଆମକୁ ଏମାନଙ୍କର ପଥ ବକ୍ରାକାର ଦେଖାଯାଉଛି। ଆଶ୍ଚର୍ଯ୍ୟର ବିଷୟ ଯେ ସୂର୍ଯ୍ୟ ମଧ୍ୟ ଏହି ସମସ୍ତ ଗ୍ରହମାନଙ୍କ ସହିତ ସରଳରେଖାରେ ଗତି କରୁଛି। ଏହାର ବେଗ ଘଣ୍ଟା ପ୍ରତି ୮,୨୮,୦୦୦ କିମି ବା ପ୍ରତି ସେକେଣ୍ଡରେ ୨୩୦ କିମି।

ଦ୍ଵିତୀୟରେ, ସୂର୍ଯ୍ୟ ଠାରୁ ଦୂରରେ ରହିଥିବା ଅନେକ ନକ୍ଷତ୍ରକୁ ଆମେ ଦେଖିପାରୁ, କାରଣ ସୂର୍ଯ୍ୟ ଭଳି ସେମାନଙ୍କର ନିଜସ୍ଵ ଆଲୋକ ରହିଛି। ହେଲେ ପୃଥିବୀରୁ ଥାଇ ଆମେ ଯେଉଁଠାରେ ଦେଖିଥାଉ ପ୍ରକୃତରେ ସେହି ନକ୍ଷତ୍ର ସେହି ସ୍ଥାନରେ ନଥାନ୍ତି। ସେମାନଙ୍କ ଠାରୁ ଆସୁଥିବା ଆଲୋକ ସୂର୍ଯ୍ୟ ନିକଟରେ ୧.୭୫ ଆର୍କସେକେଣ୍ଡର (ଏକ ଡିଗ୍ରୀର ୩୬୦୦ ଭାଗରୁ ଭାଗେ) ବକ୍ର ତିଆରି କରିଥାଏ ବା ବଙ୍କା ହୋଇଯାଇଥାଏ। ଯଦିଓ ନ୍ୟୁଟନ ଏହାକୁ ୦.୮୭ ଆର୍କସେକେଣ୍ଡ ବୋଲି କହିଥିଲେ ଓ ଏହା ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ହେତୁ ହୋଇଛି ବୋଲି କହିଥିଲେ କିନ୍ତୁ ଆଇନଷ୍ଟାଇନ ଏହାକୁ ଭୁଲ ପ୍ରମାଣିତ କରିଥିଲେ। ୨୯ ମାର୍ଚ୍ଚ ୧୯୧୯ରେ ହୋଇଥିବା ସୂର୍ଯ୍ୟ ପରାଗ ସମୟରେ ଜ୍ୟୋତିର୍ବିଜ୍ଞାନୀମାନେ ଆଇନଷ୍ଟାଇନଙ୍କ ତଥ୍ୟକୁ ସଠିକ ଉପଲବ୍ଧି କରିଥିଲେ।

ତୃତୀୟରେ, ଆମର ମହାକାଶ କୌଣସି ଥାଳି ଭଳି ସମତଳ ନୁହେଁ। ଏହା କଡ଼େଇ ଭଳି ଚେପଟା। ବିରାଟ ମହାକାଶ କଡ଼େଇ ଭଳି ଚେପଟା ହୋଇଥିବା ହେତୁ ସୂର୍ଯ୍ୟଙ୍କ ଭଳି କୌଣସି ବିଶାଳ ମହାଜାଗତିକ ବସ୍ତୁ ପାଖ ଦେଇ ଯିବା ସମୟରେ ଆଲୋକର ଗତି ସାମାନ୍ୟ ବଙ୍କା ହୋଇଥାଏ। ଏହି ହେତୁ ବିଜ୍ଞାନୀମାନେ ଜାଣିଲେ ଯେ ଆଲୋକରେ କୌଣସି ପଦାର୍ଥ ବା ପାର୍ଟିକିଲ୍ସ ନାହିଁ ଯାହାକୁ ସୂର୍ଯ୍ୟ ନିଜ ଆଡ଼କୁ ଟାଣିବ। ଏହା ସଂପୂର୍ଣ୍ଣ ଏନର୍ଜି ବା ଶକ୍ତି। ହେଲେ ମହାକାଶ ଚେପେଟା ହେତୁ ସେହି ଆଲୋକ ବିରାଟ ସୂର୍ଯ୍ୟ ପାଖ ଦେଇଆସିଲା ବେଳେ ବଙ୍କା ହୋଇଯାଉଛି। ଏହାର ଅର୍ଥ ଗାଲେକ୍ସି ଓ ବ୍ଲାକହୋଲ ଦେଇ ଆସୁଥିବା ଆଲୋକ ମଧ୍ୟ ସାମାନ୍ୟ ବଙ୍କା ହୋଇଯିବ।

ଚତୁର୍ଥରେ, ସୂର୍ଯ୍ୟର ତାପମାତ୍ରା ମାପିବା ସମ୍ଭବ ହୋଇପାରୁନଥିଲା। ୧୯୮୦ର ସୂର୍ଯ୍ୟ ପରାଗରେ ସୂର୍ଯ୍ୟଙ୍କ ଚାରିପାଖର ବଳୟ ‘କରୋନା’ର ତାପମାତ୍ରା ମାପିବା ଲାଗି ପ୍ରଥମେ ଚେଷ୍ଟା କରାଗଲା। କରୋନାର ତାପମାତ୍ରା ୨ରୁ ୪ ନିୟୁତ କେଲଭିନ। (ଏକ କେଲଭିନ = ୨୭୨ ଡିଗ୍ରୀ ସେଣ୍ଟିଗ୍ରେଡ) ଏଥିରୁ ଅନୁମାନ କରିହେବ ସୂର୍ଯ୍ୟର କେନ୍ଦ୍ର କେତେ ଉତ୍ତପ୍ତ ହୋଇନଥିବ!

ପଞ୍ଚମରେ, ଯେହେତୁ ସଂପୂର୍ଣ୍ଣ ମହାକାଶ ଚେପେଟା, ତେଣୁ ସୂର୍ଯ୍ୟ ଓ ଏହାର ପରିବାର ପୁଣି ନିଜର କକ୍ଷ ପଥକୁ ଫେରିଆସିବା କଥା। ଯେହେତୁ ସେମାନଙ୍କ ଗତିପଥ ସଳଖ ତେଣୁ ସେମାନେ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ପଥକୁ ଫେରିଆସୁନାହାନ୍ତି। ଅନୁମାନ କରାଯାଉଛି ଯେ ପ୍ରତି ୧୮ ବର୍ଷ ୧୧ ଦିନ ୮ ଘଣ୍ଟାରେ ସେମାନଙ୍କ ପଥ ଆପାତତଃ ସମାନ ରହୁଛି। ସେମାନେ ସେହି ୧୮ ବର୍ଷ ୧୧ ଦିନ ୮ ଘଣ୍ଟା ତଳେ ଛାଡ଼ି ଆସିଥିବା ପଥର ପାଖାପାଖି ହେଉଛନ୍ତି। ତେଣୁ ଆଜିର ସୂର୍ଯ୍ୟ ପରାଗ ଯେଉଁ ସମୟ ଓ ଯେଉଁ ସ୍ଥାନରେ ଦୃଶ୍ୟ ହେଉଛି ୧୮ ବର୍ଷ ୧୧ ଦିନ ୮ ଘଣ୍ଟା ପରେ ସେହି ସମୟ ଓ ସେହି ସ୍ଥାନରେ ପରାଗ ହେବ ବୋଲି ଅନୁମାନ କରାଗଲା। ତଥାପି ଏହାକୁ ନେଇ ଗବେଷଣା ଚାଲିଛି।

ଏବେ ଆସିବା ଏ ସମ୍ପର୍କରେ ରହିଥିବା ଭ୍ରାନ୍ତ ଧାରଣା। ୧୯୮୦ ମସିହାର ସୂର୍ଯ୍ୟ ପରାଗ ସମୟରେ ପ୍ରଚାର କରାଗଲା ଯେ ଏହି ସମୟରେ ପୃଥିବୀର ବାୟୁମଣ୍ଡଳରେ ଅନେକ ଏକ୍ସ ଓ ଗାମା ରଶ୍ମି ବିକିରଣ ହେଉଥିବା ହେତୁ ଗର୍ଭବତୀ ମହିଳାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଏହା ସଂପୂର୍ଣ୍ଣ ଭୁଲ ଧାରଣା। ହଁ, ଏହା ହେବ ଯଦି ରକ୍ତହୀନ ମହିଳା ଖାଦ୍ୟ ଛାଡ଼ିଦେବେ ଅଥବା ଏଭଳି ଭୁଲ ପ୍ରଚାରର ବଶବର୍ତ୍ତୀ ହୋଇ କିଛି ଭୁଲ ପଦକ୍ଷେପ ନେବେ। ମଣିଷ ଉପରେ ଅନ୍ଧବିଶ୍ଵାସ ପ୍ରଭାବ କିଛି କମ ରହି ନାହିଁ। ଅନେକ ସମୟରେ ତାହା ମୃତ୍ୟୁର କାରଣ ହୋଇଛି।

ଭାରତରେ, ବିଶେଷକରି ଓଡ଼ିଶାରେ ହେତୁବାଦୀଙ୍କ ଉପରେ ହିନ୍ଦୁ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ପାକତ୍ୟାଗ ଭଳି ଅନ୍ଧବିଶ୍ଵାସକୁ ବିରୋଧ କରିବା କାରଣରୁ ସେମାନଙ୍କ ବିରୁଦ୍ଧରେ କଦର୍ଯ୍ୟ ଶବ୍ଦ ବ୍ୟବହାର କରାଯାଉଛି ଓ କେତେକ ସ୍ଥାନରେ ଆକ୍ରମଣ କରାଯାଉଛି। ଆମ ସମାଜରେ ରହିଥିବା ନିର୍ଦ୍ଦିଷ୍ଟ ହିନ୍ଦୁ ବିଚାରପନ୍ଥୀର ବ୍ୟକ୍ତି କୌଣସି ବି ଧାର୍ମିକ ଅସହମତିକୁ ଗ୍ରହଣ କରିବାକୁ ନାରାଜ। ସେମାନଙ୍କ କ୍ରୋଧ ଓ ଘୃଣାକୁ ଦେଖିଲେ ଲାଗୁଛି ଯେମିତି ସେମାନେ ହୁଏତ କାହାକୁ ହତ୍ୟା ମଧ୍ୟ କରିଦେଇପାରନ୍ତି।

ଧର୍ମ ମଧ୍ୟରେ ରହିଥିବା ସାମ୍ପ୍ରଦାୟିକ ମନୋଭାବ, ନାରୀ ବିରୋଧୀ ଆଚରଣ ଓ ଅବୈଜ୍ଞାନିକ ଚିନ୍ତାଧାରାକୁ ପ୍ରଶ୍ନ କରିବା ହେତୁ ବଙ୍ଗଳାଦେଶର ମୁସଲମାନ ମୌଳବାଦୀଙ୍କ ଦ୍ଵାରା ୨୦୧୫ ମସିହାରେ ସେଠାର ଚାରିଜଣ ମାନବିକ ଅଧିକାର କର୍ମୀଙ୍କୁ (ନିଳୟ ନୀଲ, ୱାଶିକୁର ରହମାନ ପ୍ରମୁଖ) ‘ଇସ୍ଲାମିକ ମିଲିଟାଣ୍ଟ’ଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ବିବିସିର ରିପୋର୍ଟ ଅନୁସାରେ ସେହି ଚାରିଜଣ ନିଜ ଲେଖା ମାଧ୍ୟମରେ ମହିଳାଙ୍କ ଅଧିକାର, ଧର୍ମନିରପେକ୍ଷତା, ବୈଜ୍ଞାନିକ ମନୋଭାବର ବିକାଶ ସପକ୍ଷରେ ବଙ୍ଗଳାଦେଶ ସମାଜରେ ଯୁକ୍ତି ରଖୁଥିଲେ। ସେମାନଙ୍କ ହତ୍ୟା ଦ୍ଵାରା ସମାଜର ବଡ଼ କ୍ଷତି ହେଲା ନାହିଁ କି? ପଡ଼ୋଶୀ ପାକିସ୍ତାନ ସମାଜରେ ଧର୍ମନିରପେକ୍ଷତା, ମହିଳାଙ୍କ ସ୍ଵାଧୀନତା, ମାନବିକ ଅଧିକାର ସପକ୍ଷରେ ଯୁକ୍ତି କରୁଥିବା କାରଣରୁ ସାମାଜିକ କର୍ମୀ ଶବୀନା ମେହମୁଦଙ୍କୁ ଏହି ‘ଇସ୍ଲାମିକ ମିଲିଟାଣ୍ଟମାନେ’ ହତ୍ୟା କରିଥିଲେ। ଉଭୟ ଦେଶର ସରକାର ଏ ସବୁକୁ ପ୍ରଶ୍ରୟ ଦେଉନଥିଲେ ଏଭଳି ଘଟଣା କଦାପି ଘଟିନଥାନ୍ତା। ଭାରତରେ ୨୦୧୫ ମସିହାରେ ହେତୁବାଦୀ ପାନେସର, କଲବୁର୍ଗୀ, ଗୌରୀ ଲଙ୍କେଶ ଓ ଦାଭୋଲକରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଦାଭୋଲକରଙ୍କୁ ବାଦ ଦେଲେ ଅନ୍ୟ ଘଟଣାର ବିଚାର ଏବେ ବି ଚାଲିଛି। କଲବୁର୍ଗୀଙ୍କ ହତ୍ୟାକାରୀ ଏବେ ବି ‘ଫେରାର’ ଅଛି।

ଭାରତରେ ଏକ ହିନ୍ଦୁ ମୌଳବାଦୀ ସଂଗଠନ ସରକାରୀ ଅନୁଷ୍ଠାନମାନଙ୍କୁ ବ୍ୟବହାର କରି ଅସମ୍ଭବ ଭାବରେ ଶକ୍ତିଶାଳୀ ହୋଇଉଠିଛି। ଦେଶର ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି, ପରିବେଶର ଅବକ୍ଷୟ, ଯୌତୁକ ଜନୀତ ହତ୍ୟା, ଆତ୍ମହତ୍ୟା, ନାରୀ ଉପରେ ହେଉଥିବା ଅତ୍ୟାଚାର ଇତ୍ୟାଦି କେଉଁଭଳି ବନ୍ଦ ହେବ ବା ଦୂର ହେବ ସେଦିଗରେ କୌଣସି ପଦକ୍ଷେପ ନେବା ବା ସାମାଜିକ ଆନ୍ଦୋଳନରେ ଭାଗ ନେବା କେବେ ଦେଖାଯାଇନାହିଁ। କିନ୍ତୁ ସମାଜରେ ପଡ଼ୋଶୀ ଦେଶ ଓ ମୁସଲମାନ ବିରୋଧୀ ଘୃଣା ତିଆରି କରିବା କାର୍ଯ୍ୟରେ ସେମାନେ ସମ୍ପୃକ୍ତ ଅଛନ୍ତି। ହିନ୍ଦୁ ମୌଳବାଦୀ ସଂଗଠନ ମଧ୍ୟରୁ ଉତ୍ତୀର୍ଣ୍ଣ ବ୍ୟକ୍ତିଙ୍କୁ ଦେଶର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ପରେ ଆମ ସମାଜରେ କେବଳ ଘୃଣା ଓ ଘୃଣା ହିଁ ଶାସନ କରୁଛି।

ମୁଁ ହେତୁବାଦୀ ନୁହେଁ। ମୁଁ ନାସ୍ତିକ ନୁହେଁ କି କମ୍ୟୁନିଷ୍ଟ ମଧ୍ୟ ନୁହେଁ। ମୁଁ କୌଣସି ଆନୁଷ୍ଠାନିକ ଧର୍ମରେ ବିଶ୍ୱାସ କରେନାହିଁ। ମୋର ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ପ୍ରବେଶ ମାତ୍ର ୧୦ ବର୍ଷର, ସାମନ୍ତ ଚନ୍ଦ୍ରଶେଖରଙ୍କ ଉପରେ କରିଥିବା ବୃତ୍ତଚିତ୍ର ଠାରୁ। ସେହି ଦିନ ଠାରୁ ମୁଁ ଏ ସମ୍ପର୍କରେ ଖବର ରଖିଆସିଛି। ମଣିଷ ମଣିଷକୁ ଭଲପାଇବା, ଅପୋଷ ବୁଝାମଣା ମଧ୍ୟରେ ସମାଜ ଚାଲିବା ଉପରେ ମୁଁ ବିଶ୍ୱାସ କରେ। ମୋ ସ୍ଵପ୍ନର ସମାଜରେ ପ୍ରତ୍ୟେକ ବ୍ୟକ୍ତିର ଅନ୍ୟ ପ୍ରତି ସମ୍ମାନ, ତାହାର କଥା କହିବା, ସ୍ଵାଧୀନ ଭାବରେ ଚିନ୍ତାକରିବା ଓ କାର୍ଯ୍ୟ କରିବାର ଅଧିକାର ରହିବ। ଆଜି ହେତୁବାଦୀଙ୍କ ଉପରେ ହେଉଥିବା ଆକ୍ରମଣ ସମଗ୍ର ମାନବିକତା ଉପରେ ଆକ୍ରମଣ। ମଣିଷ ସମାଜକୁ ସେମାନେ ଭଲ ପାଉଥିବା କାରଣରୁ ପାକତ୍ୟାଗ ସମୟରେ ନିଜେ ଖାଦ୍ୟ ଖାଇ ସେମାନେ ଦର୍ଶାଉଛନ୍ତି ଯେ ଯଦି କିଛି ଅସୁବିଧା ହେବାର ଥାଏ ତେବେ ସେମାନେ ତାହାକୁ ଭୋଗିବାକୁ ପ୍ରସ୍ତୁତ। ତାଙ୍କର ଏଭଳି ଭାବନା ଦ୍ଵାରା ସମାଜରେ କିଛି କ୍ଷତି ହେଉନାହିଁ। ତେବେ ହେତୁବାଦୀଙ୍କ ବିରୁଦ୍ଧରେ କ୍ରୁର ପ୍ରତିକ୍ରିୟା କାହିଁକି? ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ ସରକାରୀ ଶକ୍ତିର ସମ୍ପୃକ୍ତି ଓ ସମର୍ଥନ ରହୁଛି। ଆମକୁ ଧର୍ମ ନାମରେ ସମାଜରେ ପ୍ରସାର ପ୍ରଚାର ହେଉଥିବା ଅହଙ୍କାର ଓ ଘୃଣା ଠାରୁ ମୁକ୍ତି ଆବଶ୍ୟକ।

ମୋବାଇଲ- ୯୪୩୭୭୬୨୨୭୨

Solar Eclipse Solar Eclipse Tradition Solar System Total Solar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe