ୟୁନାନର ଦେବତା ପ୍ରେମୀଥିୟସ୍ ଉବାଚ : କରୋନା ପରବର୍ତ୍ତୀ ସାମାଜିକ ଅବସ୍ଥା !

ସୂର୍ଯ୍ୟମଣି ମିଶ୍ର ୟୁନାନ୍‌ର ପୂରାତନ ଦେବତା ପ୍ରେମୀଥିୟସ୍ ସ୍ୱର୍ଗରୁ ପୃଥିବୀକୁ ଦେଖୁଛନ୍ତି । ତଳକୁ ଦେଖି ସେ ମଣିଷ କିପରି ବଡ଼ ଦୟନୀୟ ଜୀବନ ବିତାଉଛି ତାହାକୁ ନେଇ ସେ ଚିନ୍ତା କରୁଛନ୍ତି । ସେ ଦେଖୁଛନ୍ତି କେତେବେଳେ ମଣିଷଙ୍କ ଶିଶୁ ସନ୍ତାନକୁ ଜଙ୍ଗଲର ପଶୁ ଖାଇଯାଉଛନ୍ତି । ଆଉ କେତେ କେତେ ଲୋକ ଶୀତରେ ଥରିଥରି ମରିଯାଉଛନ୍ତି । ଦେବତାଙ୍କ ଭଳି ଏହି ଦୁଇଗୋଡ଼ିଆ ପ୍ରାଣୀ କାହିଁକି ଏତେ କଷ୍ଟ ପାଉଛନ୍ତି । ପ୍ରେମୀଥିୟସ୍ ଗୋଟିଏ […]

sm

sm

Subrat Kumar Nayak
  • Published: Friday, 29 May 2020
  • Updated: 29 May 2020, 07:35 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର
ୟୁନାନ୍‌ର ପୂରାତନ ଦେବତା ପ୍ରେମୀଥିୟସ୍ ସ୍ୱର୍ଗରୁ ପୃଥିବୀକୁ ଦେଖୁଛନ୍ତି । ତଳକୁ ଦେଖି ସେ ମଣିଷ କିପରି ବଡ଼ ଦୟନୀୟ ଜୀବନ ବିତାଉଛି ତାହାକୁ ନେଇ ସେ ଚିନ୍ତା କରୁଛନ୍ତି । ସେ ଦେଖୁଛନ୍ତି କେତେବେଳେ ମଣିଷଙ୍କ ଶିଶୁ ସନ୍ତାନକୁ ଜଙ୍ଗଲର ପଶୁ ଖାଇଯାଉଛନ୍ତି । ଆଉ କେତେ କେତେ ଲୋକ ଶୀତରେ ଥରିଥରି ମରିଯାଉଛନ୍ତି । ଦେବତାଙ୍କ ଭଳି ଏହି ଦୁଇଗୋଡ଼ିଆ ପ୍ରାଣୀ କାହିଁକି ଏତେ କଷ୍ଟ ପାଉଛନ୍ତି । ପ୍ରେମୀଥିୟସ୍ ଗୋଟିଏ କଥା ଚିନ୍ତା କଲେ । ସେ ଦେଖିଲେ ସ୍ୱର୍ଗରେ ନିଆଁ ଅଛି । ନିଆଁ ପ୍ରତି ଦେବତାଙ୍କର ଆନନ୍ଦ । ନିଆଁ ଦେଉଛି ଶକ୍ତି ଓ ସୁରକ୍ଷା । ଯଦି ଏହି ନିଆଁକୁ କୌଣସି ଭାବରେ ମଣିଷ ପାଖରେ ପହଞ୍ଚାଇ ଦିଆଯିବ ତେବେ ମଣିଷ ଅନେକ କଷ୍ଟରୁ ମୁକ୍ତି ପାଇପାରିବ । ପ୍ରେମୀଥିୟସ୍ ସ୍ୱର୍ଗର ଦେବତା ଭାବେ ପୃଥିବୀର ମଣିଷମାନଙ୍କର କଷ୍ଟ କିପରି ଲାଘବ ହେବ ସେ ନେଇ ଚିନ୍ତା କରିଛନ୍ତି । ତେବେ ସ୍ୱର୍ଗର ନିଆଁ ଉପରେ ସୂର୍ଯ୍ୟ ଏବଂ ଦେବତାଙ୍କର କପିରାଇଟ୍ ଥିଲା । ପ୍ରେମୀଥିୟସ୍ ଏହି ନିଆଁକୁ ସ୍ୱର୍ଗରୁ ଚୋରି କରି ପୃଥିବୀର ମଣିଷଙ୍କୁ ଦେଲେ । ନିଆଁ ପାଇବା ପରେ ମଣିଷଙ୍କୁ ରାତିରେ ଆଲୋକ ମିଳିଲା । ଖାଦ୍ୟ ତିଆରି କଲେ । ଜଙ୍ଗଲର ପଶୁମାନେ ଏହା ଦେଖି ଡରିଲେ । ପୃଥିବୀର ମଣିଷଙ୍କୁ ସୁଖ ମିଳିବା ପରେ ଦେବତାଙ୍କ ପ୍ରଭାବ କମିଲା । ମଣିଷମାନେ ଆଉ ପୂର୍ବଭଳି ଏବେ କମ୍ ଅର୍ଘ୍ୟଦେଲେ । ଦେବତାଙ୍କ ନିଆଁ କିପରି ପହଞ୍ଚିଲା ପୃଥିବୀରେ ସେନେଇ ସ୍ୱର୍ଗରେ ଦେବତାମାନେ ଅନୁଧ୍ୟାନ କଲେ । ମଣିଷ ଏବେ ଆତ୍ମନିର୍ଭରଶୀଳ ହୋଇଯିବ । ଅନୁଧ୍ୟାନରୁ ଦେବତାମାନେ ଜାଣିପାରିଲେ ଯେ, ତାଙ୍କ ଦେବତା ସମାଜ ମଧ୍ୟରୁ ପ୍ରେମୀଥିୟସ୍ ଏହି ମଣିଷମାନଙ୍କୁ ନିଆଁ ଦେଇଛନ୍ତି । ଦେବ ସମାଜର ନ୍ୟୟାଳୟରେ ଦଣ୍ଡ ଦେବା ପାଇଁ ସ୍ଥିର ହେଲା । ପ୍ରେମୀଥିୟସ୍‌ଙ୍କୁ ଦେବରାଜ ଇନ୍ଦ୍ରଙ୍କ ପାଖରେ ବାନ୍ଧିକରି ରଖାଗଲା । ସମସ୍ତ ଦେବତାମାନେ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି କଲେ । କିନ୍ତୁ ଦେବତା ତ ଅମର, ତେଣୁ ପ୍ରେମୀଥିୟସ୍‌ଙ୍କୁ ମୃତ୍ୟୁଦଣ୍ଡ ଦେଇହେବ ନାହିଁ । ସ୍ଥିର ହେଲା ପୃଥିବୀର ଗୋଟିଏ ଗଛରେ ତାଙ୍କୁ ବାନ୍ଧି ରଖାଯିବ । ତାହା ହିଁ ହେଲା । ପୃଥିବୀର ଗୋଟିଏ ଗଛରେ ପ୍ରେମୀଥିୟସ୍ ବନ୍ଧାହେଲେ । ଦିନ ବେଳା ଗୋଟିଏ ଶାଗୁଣା ପ୍ରେମୀଥିୟସ୍‌ଙ୍କ ମାଂସ ଖାଇଯାଉଥିବା ।

ସବୁ ମଣିଷ ଦେଖନ୍ତି, କିନ୍ତୁ ଘଉଡ଼ାନ୍ତି ନାହିଁ କି ପ୍ରେମୀଥିୟସ୍‌ଙ୍କୁ ବନ୍ଧନରୁ ମୁକ୍ତି କରନ୍ତି ନାହିଁ । ଯେଉଁ ପ୍ରେମୀଥିୟସ୍ ଦେବତା ମଣିଷକୁ ନିଆଁ ଦେଲେ ହିଂସ୍ର ପଶୁଙ୍କ ଆକ୍ରମଣରୁ ରକ୍ଷା କରିଲେ, ରାନ୍ଧି ଖାଇବାର ବାଟ ଦେଖାଇଲେ ସେହି ଦେବତା ପ୍ରେମୀଥିୟସ୍ ଦେବକୂଳର ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । କେହି ତାଙ୍କୁ ମୁକ୍ତି ଦେଉନାହାନ୍ତି । ପ୍ରେମୀଥିୟସ୍ ଯଦିଓ ଦିନବେଳା ମୃତ୍ୟୁବରଣ କରନ୍ତି, ରାତିରେ କିନ୍ତୁ ପୁଣି ଜିଇଁ ଉଠନ୍ତି । ଯେହେତୁ ସେ ଦେବତା । ପ୍ରେମୀଥିୟସ୍ ଭାବୁଛନ୍ତି ଯେଉଁମଣିଷମାନଙ୍କ ପାଇଁ ସେ ଆଜି ଦେବକୂଳ ଦ୍ୱାରା ଦଣ୍ଡ ପାଉଛନ୍ତି ସେହି ମଣିଷ ତାଙ୍କୁ ମୁକ୍ତି ଦେବା ପାଇଁ ଥରଟେ ଚିନ୍ତା କରୁନାହିଁ । ପ୍ରେମୀଥିୟସ୍‌ଙ୍କ ଏହି କଥାକୁ ଶୁଣୁଥାଏ ଗଛଟିଏ । ଗଛ କହିଲା ହେ ଦେବତା ପ୍ରେମୀଥିୟସ୍ ତୁମେ ୟୁନାନ୍‌ର ଦେବତା ଭାବେ ବା ସର୍ବ ପୂରାତନ ଦେବତା ଭାବରେ ସିନା ପୂଜା ପାଉଛ କିନ୍ତୁ ତୁମେ ମଣିଷକୁ ଚିହ୍ନିପାରିଲ ନାହିଁ । ମଣିଷ କେତେ କ୍ରୂର ଓ ନୃଶଂସ ତାହା ମୋ ଡାଳ, ଶାଖା, ପ୍ରଶାଖାକୁ ଦେଖ । କିପରି ଖଣ୍ଡ ଖଣ୍ଡ ହୋଇ ତଳେପଡିଛି । ମୁଁ ଅମ୍ଲଜାନ ଦିଏ, ମଣିଷ ଠାରୁ ଅଙ୍ଗାରକାମ୍ଲ ଗ୍ରହଣ କରେ, କିନ୍ତୁ ମଣିଷ ମୋ ଅବଦାନକୁ ମଧ୍ୟ ଥରଟିଏ ଭାବିନାହିଁ ।

ୟୁନାନର ଦେବତା ପ୍ରେମୀଥିୟସ୍ ଗଛ ଠାରୁ ଏହି କଥା ଶୁଣିବା ପରେ କହିଲେ, ସତରେ ହେ ବୃକ୍ଷ ତୁମେ ଯାହା କହୁଛ ତାହା ସତ୍ୟ । ଗଛ କହିଲା- ଖାଲି ମୁଁ ନୁହେଁ, ନଦୀମାନେ ମଧ୍ୟ ମଣିଷର ଅବିଚାରିତ ଦ୍ୱହନ ଏବଂ ପ୍ରଦୂଷଣ ଯୋଗୁଁ କାନ୍ଦୁଛନ୍ତି । ଯେଉଁ ନଦୀ ମାତୃକା ସଭ୍ୟତାକୁ ସୃଷ୍ଟି କରିଥିଲା ସେହି ନଦୀ ମାତୃକାକୁ ମଧ୍ୟ ମଣିଷ ନିଜର ଭୋଗ ବିଳାସ ପାଇଁ ପ୍ରଦୂଷିତ କରିଛି । ମାଟି ଠାରୁ ପାଣି, ପବନ ଠାରୁ ବୃକ୍ଷ, ଲତା,ବନସ୍ପତି କେହି ମଣିଷ ଶୋଷଣରୁ ରକ୍ଷା ପାଉନାହାନ୍ତି, ଏପରିକି ଜୀବଜନ୍ତୁମାନେ । ଏଇଥିପାଇଁ ତ କେବେ କରୋନା ଭାଇରସ୍ ଭଳି ମହାମାରୀ ଦେଖାଦେଇଛି । ମଣିଷ ଦେଖୁଛି ତା ଆଖି ଆଗରେ ତାର ପାଖ ପଡ଼ୋଶୀ କିପରି ଏହି ଭାଇରସ୍‌ର ସଂକ୍ରମଣ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ଗଛ ପଚାରିଲା ପ୍ରେମୀଥିୟସ୍‌ଙ୍କୁ ହେ ୟୁନାନ୍‌ର ଦେବତା ପ୍ରେମୀଥିୟସ୍ କହିବେ କି ଏହି କରୋନା ମାହାମାରୀର ଅନ୍ତ ଘଟିବା ପରେ ପୃଥିବୀବାସୀ କିପରି ରହିବେ? ପୃଥିବୀର ଚିତ୍ର କିପରି ହେବ? ଦେବତା ପ୍ରେମୀଥିୟସ୍ କହିଲେ ଆର୍ଥିକ ଶକ୍ତି ହ୍ରାସ ପାଇବ । ପ୍ରକୃତିର ସ୍ୱଭାବ ବଦଳିବ । ନଦୀ ଓ ବନସ୍ପତିର ସ୍ୱଭାବ ମଧ୍ୟ । ସମ୍ବେଦନା ଓ ସଂପର୍କର ପରିବର୍ତ୍ତନ ଘଟିବ ।

ଆଦର୍ଶର ରୂପ ବଦଳିଯିବ । ପୁଣି ଶେଷରେ କ’ଣ ହେବ । ଚୀନ୍ ଏବଂ ଆମେରିକା ପାଖରେ ତ ଟନ୍‌ଟନ୍‌ର ବୋମା ରହିଛି । ପ୍ରକୃତି ଉପରେ ବିଜୟ କରିବ ବୋଲି ଦାବି କରୁଛନ୍ତି ଆତ୍ମଘୋଷିତ ଶକ୍ତିଶାଳୀ ଦେଶ । ହସ୍‌ପିଟାଲ୍ ପ୍ରତିଷ୍ଠା ଉପରେ ଦୃଷ୍ଟି ଦିଆଯିବ ନାହିଁ । ବଢିବ ଅସହିଷ୍ଣୁତା । ଜଣେ ଜଣଙ୍କ ଠାରୁ ଅତିକ୍ରମ କରିବା ପାଇଁ ପ୍ରତିଯୋଗିତା କରିବେ । କିନ୍ତୁ ମଣିଷ ଜାଣିପାରୁନାହିଁ । ଆଜି ଯେପରି ବିଚାରଧାରାକୁ ଗାଳି ଦିଆଯାଉଛି ତାହା ଦ୍ୱାରା କେହି କାହାକୁ ଅତିକ୍ରମ କରିପାରିବେ ନାହିଁ । ଉତ୍ତେଜନା ବଢିବ । ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ । ରୋଜଗାର ଚାଲିଯିବ । ଖବରକାଗଜ ଉଦ୍ୟୋଗ ସଂକଟରେ ପଡ଼ିବ । ପାଠକ ସବୁ ଅନ୍‌ଲାଇନରେ ଖବରକାଗଜ ପଢିବେ । ପ୍ରସାର ସଂଖ୍ୟା କମିଯିବ । ଅନ୍‌ଲାଇନରେ ପିଲା ପାଠପଢିବେ। ଆପ୍ ଏବଂ ୟୁ ଟ୍ୟୁବ୍‌ରେ ପଢାଉପରେ ଗୁରୁତ୍ୱ ଦିଆଯିବ। ଘରେ କାମ କରୁଥିବା ଲୋକଙ୍କ ପ୍ରତି ଶ୍ରଦ୍ଧା ବଢିବ । ଅହଙ୍କାରର ସ୍ୱାହା ହେବ ।

ବମ୍‌, ବନ୍ଧୁକ, ଲଦାଖୁ ବିମାନ, ଗୋଳା ବାରୁଦ, ମିଶାଇଲ୍‌ର ପ୍ରତିଯୋଗିତା ହ୍ରାସ ପାଇବ । କରୋନା ପରେ ଚୀନ୍ ପ୍ରତି ଘୃଣା ଭାବ ବୃଦ୍ଧି ପାଇବ । ଏହା ସତ୍ତ୍ୱେ ଚୀନ୍ ହେବ ଏକ ନମ୍ବର ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ର । ପରିବର୍ତ୍ତନ କେବଳ ଭୌତିକ ଧରାତଳର ନୁହେଁ । ମଣିଷ ଚିନ୍ତାର ବିଚାରର ପରିବର୍ତ୍ତନ ହେବା କଥା । କିନ୍ତୁ ମଣିଷର ସାମର୍ଥ୍ୟ ଏବଂ ମାନସିକତାର ଯେପରି ପରିବର୍ତ୍ତନ ହେବା କଥା ତାହା ହୁଏତ କରୋନା ପରେ ଆହୁରି ବିଳମ୍ବ ହେବ । ଗଛ କହିଲା ହେ ଦେବତା ପ୍ରେମୀଥିଅସ୍ ପୃଥିବୀର ଏହି ପରିବର୍ତ୍ତନକୁ ମୁଁ ଓ ଆପଣ ଦେଖିପାରିବା ତ? ଦେବତା ପ୍ରେମୀଥିୟସ୍ କହିଲେ-ଯଦି ମଣିଷର ଭୋଗବାଦୀ ମାନସିକତାର ପରିବର୍ତ୍ତନ ହୁଏ ତେବେ ତୁମେ ବଞ୍ଚିବ ଏବଂ ତୁମେ ଦେଖିବ କିପରି ପରିବର୍ତ୍ତନ ହେଉଛି । ଗଛ କହିଲେ ମୋତେ କିନ୍ତୁ ଜଣାପଡୁନାହିଁ, ଏହି ବିଶ୍ୱର ପରିବର୍ତ୍ତନକୁ ମୁଁ ଦେଖିପାରିବି କି ନାହିଁ ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos