ଗୋଟିଏ ଇନିଙ୍ଗସ୍‌ରେ ସ୍ୱାମୀ ବିବେକାନନ୍ଦ ନେଇଥିଲେ ସାତ ୱିକେଟ୍‌!

ଭାରତର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏବଂ ମହାନ ଦାର୍ଶନିକ ସ୍ୱାମୀ ବିବେକାନନ୍ଦ ସତରେ କ’ଣ କ୍ରିକେଟ୍ ଖେଳୁଥିଲେ? ଏ ପ୍ରଶ୍ନ ଶୁଣିବାକୁ ଅବାନ୍ତର ଲାଗିବ। ଗେରୁଆ ପରିହିତ ଯେଉଁ ସନ୍ନ୍ୟାସୀ ଜଣଙ୍କ ସମଗ୍ର ଭାରତରେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାରରେ ଲାଗିଥିଲେ ତାଙ୍କର ପୁଣି କ୍ରିକେଟ୍ ସହ ସଂପର୍କ କ’ଣ? ଛୋଟବେଳୁ ଧର୍ମ ପ୍ରତି ଆକୃଷ୍ଟ ଥିବା ଜଣେ ଆଜନ୍ମ ସନ୍ଥର କ୍ରିକେଟ୍ ସହିତ ପୁଣି କି ସମ୍ପର୍କ? ତେବେ ସତକଥା ହେଉଛି ବିବେକାନନ୍ଦ ଥରେ କ୍ରିକେଟ୍ ଖେଳିଥିଲେ। ଅନ୍ତତଃ ରେକର୍ଡ ବୁକ୍‌ରୁ ଏହି ତଥ୍ୟ ମିଳିଛି।

Swami Vivekananda

Swami Vivekananda

Debendra Prusty
  • Published: Friday, 12 May 2023
  • Updated: 12 May 2023, 03:59 PM IST

News Highlights

  • ସ୍ୱାମୀ ବିବେକାନନ୍ଦ ବି ଖେଳୁଥିଲେ କ୍ରିକେଟ!
  • ଗୋଟିଏ ଇନିଙ୍ଗ୍‌ସରେ ବୋଲିଂ କରି ସେ ବିପକ୍ଷ ଦଳ ୭ ୱିକେଟ୍‌ ଝାଡ଼ି ଦେଇଥିଲେ।
  • ପରେ କ୍ରିକେଟ ଛାଡ଼ି ସେ ହୋଇଥିଲେ ସନ୍ନ୍ୟାସୀ।

Sports

Latest News

ଭାରତର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏବଂ ମହାନ ଦାର୍ଶନିକ ସ୍ୱାମୀ ବିବେକାନନ୍ଦ ସତରେ କ’ଣ କ୍ରିକେଟ୍ ଖେଳୁଥିଲେ? ଏ ପ୍ରଶ୍ନ ଶୁଣିବାକୁ ଅବାନ୍ତର ଲାଗିବ। ଗେରୁଆ ପରିହିତ ଯେଉଁ ସନ୍ନ୍ୟାସୀ ଜଣଙ୍କ ସମଗ୍ର ଭାରତରେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାରରେ ଲାଗିଥିଲେ ତାଙ୍କର ପୁଣି କ୍ରିକେଟ୍ ସହ ସଂପର୍କ କ’ଣ? ଛୋଟବେଳୁ ଧର୍ମ ପ୍ରତି ଆକୃଷ୍ଟ ଥିବା ଜଣେ ଆଜନ୍ମ ସନ୍ଥର କ୍ରିକେଟ୍ ସହିତ ପୁଣି କି ସମ୍ପର୍କ? ତେବେ ସତକଥା ହେଉଛି ବିବେକାନନ୍ଦ ଥରେ କ୍ରିକେଟ୍ ଖେଳିଥିଲେ। ଅନ୍ତତଃ ରେକର୍ଡ ବୁକ୍‌ରୁ ଏହି ତଥ୍ୟ ମିଳିଛି।

ବିବେକାନନ୍ଦଙ୍କର ଜନ୍ମ ନାମ ନରେନ୍ଦ୍ରନାଥ ଦତ୍ତ ଥିଲା। ସେ ବର୍ତ୍ତମାନର କୋଲକାତାର ଗୌର ମୁଖାର୍ଜୀ ଷ୍ଟ୍ରିଟ୍‌ରେ ଜନ୍ମ ହୋଇଥିଲେ ୧୨ ଜାନୁୟାରୀ ୧୮୬୩ରେ। ସେତେବେଳକୁ ସିପାହୀ ବିଦ୍ରୋହ ସରିଥାଏ, ଇଂରେଜମାନେ ଭାରତ ଉପରେ ନିଜର ପ୍ରଭୂତ୍ୱ ଜାହିର କରି ସାରିଥାଆନ୍ତି। ପଶ୍ଚିମ ବଂଗର କଲିକତା ପ୍ରେସିଡେନ୍ସିରେ କ୍ରିକେଟ୍ ଖେଳ ନିଜର ଆସ୍ଥାନ ଜମାଇ ସାରିଥାଏ। ଇଂରେଜମାନେ ଆଗାମୀ ଅନେକ ବର୍ଷ ଭାରତରେ ନିଜର ପ୍ରଭୂତ୍ୱ ବିସ୍ତାର କରିବାର ଯୋଜନାରେ ପ୍ରାୟ ସଫଳ ହୋଇ ସାରିଥାଅନ୍ତି। ସମୟ ଏମିତି ଗଡ଼ି ଚାଲିଥାଏ। ଆଉ ବିବେକାନନ୍ଦ ଯାହାଙ୍କର ଡାକ ନାମ ନରେନ୍ଦ୍ରନାଥ ବା ନରେନ୍ ଥିଲା ସେ ନିଜର ପାଠପଢ଼ା ଜାରୀ ରଖିଥାଅନ୍ତି।

୧୮୮୦ ବେଳକୁ କଲିକତାରେ କ୍ରିକେଟ୍ ଧୀରେ ଧୀରେ ଲୋକପ୍ରିୟ ହେଉଥିଲା। ଇଂରେଜ ସରକାର ଏହି ଖେଳକୁ ଜାତୀୟ ଟାଇମ୍‌ ପାଶ୍‌ ଖେଳର ଆଖ୍ୟା ଦେଇ ସାରିଥାଆନ୍ତି। କଲିକତାର ବିଭିନ୍ନ ସ୍ଥାନରେ ଉଭୟ ବ୍ରିଟିଶ୍ ଏବଂ ଭାରତୀୟ ଜମିଦାରଙ୍କ ପୃଷ୍ଠପୋଷକତାରେ କ୍ରିକେଟ୍ କ୍ଲବ୍‌ମାନ ଗଢ଼ା ହେଉଥାଏ। ଏହି କ୍ଲବ୍‌ରେ ଯୁବକମାନେ ଯୋଗ ଦେଇ କ୍ରମେ କ୍ରମେ କ୍ରିକେଟ ନିଶାରେ ଝୁମିବାରେ ଲାଗିଥାଅନ୍ତି।

ସେପଟେ ବନ୍ଧୁମହଲରେ ‘ବିଲେ’ ନାମରେ ପରିଚିତ ନରେନ୍ଦ୍ରନାଥ କ୍ରୀଡ଼ା ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ। ୧୭ ବର୍ଷ ବୟସର ବିଲେ ସାଙ୍ଗମାନଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ପ୍ରଦାନ କଲାବେଳେ ନିଜେ ଫୁଟବଲ, ତୀରଚାଳନା ଏବଂ ବକ୍ସିଂରେ ଆଗ୍ରହ ଦେଖାଉଥିଲେ। ଭବିଷ୍ୟତରେ ଜଣେ ପ୍ରସିଦ୍ଧ ବକ୍ତା ହେବା ଯାହା ଭାଗ୍ୟରେ ଲେଖାଥିଲା ସେ ପୁଣି ଖେଳ ପଡ଼ିଆରେ ଝାଳ ବୁହାଉଥିଲେ, ଏ କଥା ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ।

ତେବେ ଏ ସବୁ ଘଟଣା ଘଟିବାର ୧୦୮ ବର୍ଷ ଆଗରୁ ୧୭୯୨ ମସିହାରେ କଲିକତାରେର ଗୋଟିଏ କ୍ରିକେଟ୍ କ୍ଲବ୍ ସ୍ଥାପନ ହୋଇ ସାରିଥିଲା। ନା ଥିଲା କୋଲକାତା କ୍ରିକେଟ୍ କ୍ଲବ। ଏବେ ଏହାର ନାମ ବଦଳି କଲିକତା କ୍ରିକେଟ୍ ଏବଂ ଫୁଟବଲ କ୍ଲବ୍ ହୋଇଯାଇଛି। ଏହି କ୍ଲବ୍‌ର ପିଲାମାନେ ହୁଗୁଳୀ ନଦୀ କୂଳରେ ନିୟମିତ ଅଭ୍ୟାସ କରୁଥିଲେ। ସୌରଭ ଗାଙ୍ଗୁଲୀ କୁହନ୍ତୁ କିମ୍ବା ଲିଆଣ୍ଡର ପେସ୍ ଏବଂ ଚୁନ୍ନୀ ଗୋସ୍ୱାମୀ ଏହି କ୍ଲବ୍ ସହିତ ଅନେକ ଖେଳାଳୀ ଯୋଡ଼ି ହୋଇ ଏହାକୁ ଋଦ୍ଧିମନ୍ତ କରିଛନ୍ତି।

ଏହି କ୍ଲବ୍ ତିଆରିର ୧୦୦ ବର୍ଷ ପରେ ଆଉ ଗୋଟିଏ କ୍ଲବ୍‌ର ମୂଳଦୁଆ ପଡ଼ିଲା। ଏହି କ୍ଲବ୍‌ର ନାମ ଥିଲା ‘ଦ ଟାଉନ୍ କ୍ଲବ୍’। ଏହାକୁ ପ୍ରତିଷ୍ଠା କରିଥିଲେ ସାରଦା ରଂଜନ ରାୟ। ସାରଦା ରଂଜନ ଥିଲେ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସମ୍ପର୍କୀୟ।

ଏହି ଦ ଟାଉନ୍ କ୍ଲବ୍ ସହ ବିବେକାନନ୍ଦ କେମିତି ଯୋଡ଼ି ହେଲେ ତାହା କେହି କହି ପାରୁନାହାନ୍ତି। କିନ୍ତୁ ରେକର୍ଡ ବୁକ୍ ଅନୁସାରେ ଏହି କ୍ଲବ୍ ସହ ଯୋଡ଼ିହୋଇ ବିବେକାନନ୍ଦ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ନେଟ୍ସରେ ଥରେ ବୋଲିଂ କଲାବେଳେ ବିବେକାନନ୍ଦଙ୍କୁ ସେ ସମୟର ବିଖ୍ୟାତ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ହେମଚନ୍ଦ୍ର ଘୋଷ ଦେଖିଥିଲେ ଏବଂ ତାଙ୍କୁ ରାଉଣ୍ଡ ଆର୍ମ ବୋଲିଂ କରିବାର ପରାମର୍ଶ ଦେଇଥିଲେ। ଖୁବ୍ କମ୍ ଦିନରେ ବିବେକାନନ୍ଦ ରାଊଣ୍ଡ ଆର୍ମ ବୋଲିଂ କରିବାର କଳା କରାୟତ୍ତ କରିଥିଲେ।

ଗୋଟିଏ ମ୍ୟାଚ୍‌ରେ ନରେନ୍ଦ୍ରନାଥ ବା ବିବେକାନନ୍ଦ ଦ ଟାଉନ୍‌ କ୍ଲବ୍‌ ତରଫରୁ ମ୍ୟାଚ୍‌ ଖେଳିଥିଲେ। ତାହା ପୁଣି ପୁରୁଣା କଲିକତା କ୍ରିକେଟ୍‌ କ୍ଲବ୍‌ ବିପକ୍ଷରେ ଇଡେନ ଗାର୍ଡେନଠାରେ। ତେବେ ଏହି ମ୍ୟାଚ୍‌ କେବେ ହୋଇଥିଲା ତାହା ନେଇ ବିଶେଷ ସୂଚନା ନାହିଁ। ସେତେବେଳେ ଦ ଟାଉନ୍‌ କ୍ଲବ୍‌ ଏବଂ କଲିକତା କ୍ରିକେଟ୍‌ କ୍ଲବ୍‌ ବିପକ୍ଷରେ ମ୍ୟାଚ୍‌ ସବୁ ବେଶ୍ ଚିତ୍ତାକର୍ଷକ ହେଉଥାଏ। କ୍ଲବ୍‌ କ୍ରିକେଟ୍‌ରେ ନିଜସ୍ୱ ଦବଦବା ବଜାୟ ରଖିବା ପାଇଁ କେହି କାହାରିକୁ ଇଂଚେ ଜାଗା ଛାଡ଼ିବାକୁ ପ୍ରସ୍ତୁତ ନଥାନ୍ତି। କୁହାଯାଏ ଯେ ଏହି ମ୍ୟାଚ୍‌ ୧୮୮୪ ମସିହାରେ ହୋଇଥିଲା ସେତେବେଳର ଇଡେନ ଗାର୍ଡେନ୍ସରେ। ଏହି ଇଡେନ୍ ଗାର୍ଡେନ ସେତେବେଳକୁ ୨୦ ବର୍ଷର ଖେଳ ପଡ଼ିଆ ଏବଂ ତାହା କଲିକତା କ୍ରିକେଟ୍ କ୍ଲବ୍‌ ଅଧୀନରେ ଥାଏ।

ସେ ମ୍ୟାଚ୍‌ରେ ଯୁବକ ନରେନ୍ଦ୍ରନାଥ ଗୋଟିଏ ମୁଣ୍ଡରୁ ବୋଲିଂ କରିବା ଆରମ୍ଭ କଲେ। ଲଗାତାର ବୋଲିଂ କରି ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେବା ଜାରୀ ରଖିଲେ। ଦଳର ସ୍କୋର ୨୦ ରନ ଭିତରେ କଲିକତା କ୍ରିକେଟ୍‌ କ୍ଲବ୍‌ର ସାତଟି ୱିକେଟ୍‌ ପଡ଼ି ସାରିଥାଏ। ସବୁଯାକ ୱିକେଟ ଆସିଥାଏ ନରେନ୍ଦ୍ରଙ୍କ ଖାତାକୁ। ଏତିକି ଘଟିଥାଏ ମାତ୍ର ଗୋଟିଏ ଘଂଟାର ଖେଳ ଭିତରେ। ନରେନ୍ଦ୍ରଙ୍କ ପେସ୍‌ ଆଉ ସୁଇଂ ଆଗରେ କୋଲକାତା କ୍ରିକେଟ୍‌ କ୍ଲବ୍‌ର ବ୍ୟାଟ୍ସମ୍ୟାନ୍‌ ପଡ଼ିଆରୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ।

ଇଂରେଜ ଶିବିରରେ ନରେନ୍ଦ୍ରନାଥଙ୍କର ଏ ବୋଲିଂ ଦେଖି ଭାଳେଣି ପଡ଼ିଗଲା। ସେ ଆଗକୁ ମ୍ୟାଚ୍ ଖେଳିଲେ କିପରି ତାଙ୍କର ମୁକାବିଲା କରାଯିବ ତାହା ନେଇ ଆଲୋଚନା ଆରମ୍ଭ ହୋଇଗଲା। କିନ୍ତୁ ହାୟ। ତା’ ପରେ ଆଉ ବିବେକାନନ୍ଦ ଆଉ କୌଣସି କ୍ରିକେଟ୍‌ ଖେଳିନଥିଲେ। ସମଗ୍ର ବିଶ୍ୱର ଚେତନାକୁ ଆନ୍ଦୋଳିତ କରି ମୁକ୍ତିର ମାର୍ଗରେ ନେଇଯିବା ପାଇଁ ଯାହାର ଜନ୍ମ ତାଙ୍କୁ କ’ଣ ଗୋଟିଏ ୨୨ ୟାର୍ଡର ପିଚ୍‌ ଆଉ ତା ଉପରେ ବଲ୍‌ର ଅସମାନ ଗତି ରୋକି ପାରିଥାଆନ୍ତା?

ତେବେ କ୍ରିକେଟ ଲେଖକମାନଙ୍କ ମଧ୍ୟରେ ବୋଧହୁଏ କଲିକତା କ୍ଲବ୍‌ ଇତିହାସରେ ପ୍ରଥମ ଥର ପାଇଁ କେହି ଜଣେ ପାଂଚ ୱିକେଟ୍‌ ନେଇଥିଲେ। ଯଦିଓ ଏ ନେଇ ଲିଖିତ ତଥ୍ୟ କିଛି ମିଳିନାହିଁ ତେବେ ଏହା ନିଶ୍ଚିତ ଯେ ନରେନ୍ଦ୍ରନାଥ ଜଣେ ବୋଲର ଭାବେ କ୍ରିକେଟ୍‌ ଖେଳିଥିଲେ ଏବଂ ତାଙ୍କ କ୍ରିକେଟ୍‌ କ୍ୟାରିୟର ବେଶ୍‌ ଛୋଟ ଥିଲା। ତେବେ ମଜାର କଥା ହେଉଛି ଯେ ବତ୍ତମାନ ଭାରତୀୟ ବୋଲିଂ ଲାଇନ୍‌ ଅପ୍‌ର ମେରୁଦଣ୍ଡ ଥିବା ମହମ୍ମଦ ସାମୀ ମଧ୍ୟ ବେଶ୍‌ କିଛି ସିଜିନ୍‌ ଏହି ଟାଉନ୍‌ କ୍ଲବ୍‌ରୁ ଖେଳିଥିଲେ। ପରେ ସେ ଉତ୍ତର ପ୍ରଦେଶରୁ ଖେଳି ନିଜର କ୍ୟାରିୟରକୁ ଅଲଗା ଉଚ୍ଚତାକୁ ନେଇ ଯାଇଥିଲେ।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos