ଜାନକୀଶ ବଡପଣ୍ଡା
ବିଗତ ବାର ବର୍ଷ ହେଲାଣି କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱରେ ଗଠିତ ଏନଡିଏ ସରକାରକୁ ଆଉ ଅଧିକ ଦିନ ବରଦାସ୍ତ କରିବାକୁ ଚାହୁଁ ନଥିବା କିଛି ଭାରତ-ଅସହିଷ୍ଣୁ ରାଷ୍ଟ୍ର ଏବଂ ବିଶ୍ୱ-ସଙ୍ଗଠନ ପଣ କରିଥିଲା ଭଳି ଲକ୍ଷ୍ୟ କରାଯାଉଛି। ଏହି ଭାରତ ବିରୋଧୀ ତତ୍ତ୍ୱଙ୍କ ପ୍ରରୋଚନାରେ ତଥା କ୍ଷମତା ଲୋଭରେ କିଛି ରାଜନେତା, ବୁଦ୍ଧିଜୀବୀ ଏପରିକି ତଥାକଥିତ ନିରପେକ୍ଷ ସାମ୍ବାଦିକମାନେ ଅନେକ ସମୟରେ ଭାରତ ବିରୋଧୀ ମତ ଓ ମନ୍ତବ୍ୟ ଦେଉଛନ୍ତି। ସେଥିମଧ୍ୟରୁ ଗୋଟିଏ ଉଦାହରଣ ନେବା ସମ୍ଭବତଃ ଉଚିତ ହେବ; ଯାହା ଏହିପରି: “ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେରିକା ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ଥିବା ସତ୍ତ୍ୱେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତ ଉପରେ ଆମେରିକା ୩.୩୧ ପ୍ରତିଶତ ଟାରିଫ୍ ରଖିଥିଲା। ମନମୋହନ ସିଂହ ଆମେରିକା ସହ ପରମାଣୁ ଚୁକ୍ତି ସ୍ୱାକ୍ଷର କଲାପରେ ଏହି ଟାରିଫ୍ ୨.୯୩ପ୍ରତିଶତକୁ କମି ଯାଇଥିଲା। ନରେନ୍ଦ୍ର ମୋଦୀଙ୍କ 'ଆଲିଙ୍ଗନ ବିଦେଶ ନୀତି' କାଳରେ ସେହି ଆମେରିକା ୫୦ପ୍ରତିଶତ ଟାରିଫ୍ ଲଦିଦେଲା; ଅଥଚ ଏବେ ଗୋଦୀ ମିଡିଆ ୧୮ପ୍ରତିଶତ ଟାରିଫକୁ ନେଇ 'ଟ୍ୟାରିଫୋତ୍ସବ' ପାଳନ କରୁଛି ! ଆମେ ଉତ୍ସବରେ ବ୍ୟସ୍ତ ଅଛୁ ଏବଂ ସେପଟେ ଏପରି ମନେ ହେଉଛି ଯେ ଆମ ସରକାରଙ୍କୁ ଆମେରିକା ପାଞ୍ଚଣ ବାଡ଼ିରେ ହାଙ୍କୁଛି। ଆମର ପ୍ରତ୍ୟେକ ନିଷ୍ପତ୍ତିର ସୂଚନା ଆମକୁ ଆମ ପ୍ରଧାନମନ୍ତ୍ରୀଙ୍କଠାରୁ ନୁହେଁ, ବରଂ ଆମେରିକା ରାଷ୍ଟ୍ରପତିଙ୍କଠାରୁ ମିଳୁଛି। କ’ଣ ଅନ୍ଧ ଟ୍ରମ୍ପ-ଭକ୍ତିରେ ଦେଶର ସାର୍ବଭୌମତ୍ୱକୁ ବନ୍ଧକ ରଖି ଦିଆଯାଇଛି?”
ଉପରୋକ୍ତ ବକ୍ତବ୍ୟରେ ବାସ୍ତବ କଥାଟିକୁ କିନ୍ତୁ କୁହାଯାଉନାହିଁ। ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ଆଧାରିତ ବାଣିଜ୍ୟ ଚୁକ୍ତିକୁ ନେଇ ଥିବା ଉତ୍ତେଜନା ଏବେ ପ୍ରାୟତଃ ହ୍ରାସ ପାଇଛି। ଦୁଇ ସପ୍ତାହ ପୂର୍ବରୁ ଏହି ଚୁକ୍ତିକୁ ନେଇ ବିବାଦ ଏକ ଉତ୍କଟ ସ୍ଥିତିରେ ପହଞ୍ଚିଥିଲା । ଯାହା ଫଳରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏଭଳି ଚରମ ସୀମାରେ ପହଞ୍ଚିଯାଇଥିଲା ଯେ ଆମେରିକା ଗସ୍ତରେ ଥିବା ସମୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମାର୍କିନ୍ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଭର୍ତ୍ସନା କରିଥିଲେ । ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଣିଜ୍ୟ ଚୁକ୍ତିର କିଛି ମାସ ପୂର୍ବରୁ,ସେପ୍ଟେମ୍ବର ପ୍ରାରମ୍ଭରେ ଅଜିତ ଡୋଭାଲ ୱାସିଂଟନ ଗସ୍ତ କରିଥିଲେ I ସେ ସମୟରେ ରୁବିଓଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକରେ ଭାରତ ଭୟଭୀତ ହେବାର ନାହିଁ । ସେ ଏହା ମଧ୍ୟ କହିଥିଲେ ଯେ, ଯଦି ମାର୍କିନ୍ ରାଷ୍ଟ୍ରପତି ଟ୍ରମ୍ପ ଶୁଳ୍କ ବିବାଦକୁ ନେଇ ନିଜ ଜିଦରେ ଅଡି ବସନ୍ତି, ତେବେ ଭାରତ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ।ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ପଛରେ ପକାଇ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାକୁ ଭାରତ ଚାହୁଁଛି। କିନ୍ତୁ ତାହାର ଅର୍ଥ ନୁହେଁ ଯେ,ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କର ଉଚ୍ଚସ୍ତରୀୟ ସହାୟକମାନଙ୍କ ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ। ଭାରତ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛି I ଏଣୁମାର୍କିନ୍ ଜନସାଧାରଣଙ୍କ ସମାଲୋଚନାକୁ କମ୍ କରିବା ଏବଂ ଭାରତ ସହ ସମ୍ପର୍କ ପୁଣି ଯୋଡ଼ିବା ପାଇଁ ଆମେରିକା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସେ ଚେତାଇ ଦେଇଥିଲେ। ତଥାପି, ଯଦି ମୋଦି ବିରୋଧୀ କହିବେ ଯେ, “ଆମ ସରକାରଙ୍କୁ ଆମେରିକା ପାଞ୍ଚଣ ବାଡ଼ିରେ ହାଙ୍କୁଛି”, ଏହା ସତ୍ୟର ଅପଳାପ ନୁହେଁ ତ ଆଉ କ’ଣ !
ନୂତନ ବାଣିଜ୍ୟ ଚୁକ୍ତିନାମା ଅନୁସାରେ ଆମେରିକା ଭାରତ ଉପରେ ୧୮ ପ୍ରତିଶତ ହାରରେ ଟାରିଫ୍ ଲାଗୁ କରିବା ବେଳେ, ଭାରତ ଆମେରିକା ଉପରେ ଶୂନ୍ୟ ହାରରେ ଟାରିଫ୍ ଲାଗୁ କରିବା– ଏକ ଅସମତୁଲ ତଥା ଭାରତୀୟ ସ୍ବାର୍ଥ ପରିପନ୍ଥୀ ଭଳି ମନେହୋଇପାରେ I ଏହା କିନ୍ତୁ ସତ୍ୟ ନୁହେଁ I ଟାରିଫ୍ ବା ଆମଦାନୀ ଶୁଳ୍କ ପ୍ରାୟତଃ ଆମଦାନୀ କରୁଥିବା ଦେଶର ଜନତା ତଥା ଗ୍ରାହକଙ୍କୁ ଦେବାକୁ ପଡ଼ିଥାଏ। ଆମେରିକାରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଶୂନ୍ୟ ହାରରେ ଟାରିଫ୍ ଲାଗୁ ହେଲେ, ଭାରତୀୟ ଗ୍ରାହକମାନଙ୍କୁ ସେସବୁ ଆମଦାନୀ ସାମଗ୍ରୀ ମହଙ୍ଗା ନହୋଇ ପୂର୍ବାପେକ୍ଷା ଶସ୍ତାହେବ। ଭାରତ ମୁଖ୍ୟତଃ ଆମେରିକାରୁ ସର୍ବାଧିକ ‘ଉତ୍ପାଦକ ଦ୍ରବ୍ୟ’ ଏବଂ ସର୍ବନିମ୍ନ ‘ଉତ୍ପାଦିତ ଦ୍ରବ୍ୟ’ ଆମଦାନୀ କରେ। ଏଣୁ ଭାରତୀୟ ଶିଳ୍ପ ସଂସ୍ଥାମାନେ ଆମେରିକାରୁ ଶୂନ୍ୟ ହାରରେ ଟାରିଫ୍ ଦେଇ ଉତ୍ପାଦକ ଦ୍ରବ୍ୟ ଶସ୍ତାରେ ଆମଦାନୀ କରିବେ ଏବଂ ଭାରତର କୁଶଳୀ ଶ୍ରମଶକ୍ତି ଉପଯୋଗ କରି ଯେଉଁ ଶିଳ୍ପ ସାମଗ୍ରୀ ମାନୁଫ୍ୟାକଚର (ବିନିର୍ମାଣ) କରିବେ, ତାହା ଆମେରିକା ସମେତ ବିଭିନ୍ନ ୟୁରୋପୀୟ ଦେଶକୁ ରପ୍ତାନୀ କରିପାରିବେ। ଗତ ମାସରେ ଭାରତ ପକ୍ଷରୁ ୟୁରୋପିଆନ୍ ୟୁନିଅନ ସହିତ ଶୂନ୍ୟ ହାରରେ ଟାରିଫ୍ ଚୁକ୍ତିନାମା ସ୍ବାକ୍ଷର କରାଯାଇ ଥିବାରୁ ଆମେରିକା ସହିତ ସମ-ବ୍ୟବହାର ମଧ୍ୟ ଆବଶ୍ୟକ ଥିଲା। ଏହା ସର୍ବ ସମ୍ମତ ଯେ, ଆମେରିକା, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ବୈଷୟିକ ଦୃଷ୍ଟିରୁ ଭାରତ ଅପେକ୍ଷା ଅଧିକ ଉନ୍ନତ ଏବଂ ଭାରତ ବୈଷୟିକ ସହଯୋଗ ନେଇ ବିକଶିତ ଭାରତ ନିର୍ମାଣକରିବାକୁ ଚାହୁଁଛି।
ଗତ ଫେବୃୟାରୀ ୭ ତାରିଖରେ ବାଣିଜ୍ୟ ଚୁକ୍ତିନାମାର ରୂପରେଖ ବିଷୟରେ ମିଳିତ ବିବୃତି ଜାରି ହୋଇଛି। ଆମେରିକାକୁ ଭାରତ ପୂର୍ବଭଳି, ମସଲା, ଚା, କଫି, ନଡିଆ ତେଲ, କାଜୁ, କଦଳୀ, ଛତୁ, ଆମ୍ବ ସମେତ ଅନେକ ଫଳ, ପରିବା ଏବଂ କିଛି ପାଉଁରୁଟି କାରଖାନାରେ ପ୍ରସ୍ତୁତ ସାମଗ୍ରୀ ବିନା ଶୁଳ୍କରେ ରପ୍ତାନୀ କରି ପାରିବ। ଅଥଚ, ଆମେରିକାରୁ ଆମଦାନୀ ହେଉଥିବା କୃଷି ଉତ୍ପାଦ ଉପରେ ଉଚ୍ଚଶୁଳ୍କ ଜାରି ରହିବ। ଆମେରିକା ଜିଏମ୍ ଖାଦ୍ୟ ରପ୍ତାନୀ କରିବନାହିଁ। ଭାରତ ଆମେରିକାରୁ ଆଗାମୀ ପାଞ୍ଚବର୍ଷରେ ୫୦୦ ବିଲିଅନ୍ ଡଲାର୍ ମୂଲ୍ୟର ଶକ୍ତି ଉତ୍ପାଦକ, ବିମାନ ଓ ଏହାର ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, କୁକିଂ କୋଇଲା ଏବଂ ପ୍ରଯୁକ୍ତି ସାମଗ୍ରୀ ଆମଦାନୀ କରିବ।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ଭାରତୀୟ ଶିଳ୍ପକୁ ସ୍ପଷ୍ଟ ଆଶ୍ୱସ୍ତି ଦେଇଥିଲେ ବି, ଏହା କେବେ କାର୍ଯ୍ୟକାରୀ ହେବ ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ସ୍ପଷ୍ଟତା ମିଳିନାହିଁ। ଟ୍ରମ୍ପ କହିଥିଲେ ଯେ ଶୁଳ୍କହ୍ରାସ "ତୁରନ୍ତ"କରାଯିବ। ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି ଯେ ଚୁକ୍ତିନାମା ବିବରଣୀ "ଶୀଘ୍ର" ଜଣାଇ ଦିଆଯିବ। ଏଣୁ,ଏହାକୁ ଆମେ ଏକ ବୃହତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ,ଏକ 'ମିନି-ଡିଲ୍', କେବଳ ଶୁଳ୍କକୁ ପ୍ରଭାବିତ କରୁଥିବା ଏକ ସୀମିତ ଚୁକ୍ତି କହିବା, କିମ୍ବା ଏହା ମଧ୍ୟରେ କିଛି ଅଛି କି ନାହିଁ ସେ ବିଷୟରେ ସ୍ପଷ୍ଟଭାବେ ଜାଣିବା ସମ୍ଭବ ହେଉନି। ଟ୍ରମ୍ପଙ୍କ ଦାବି ଯେ ପ୍ରଧାନମନ୍ତ୍ରୀ ମୋଦି "ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛନ୍ତି"। ଭାରତ ସରକାର ଏହାକୁ ଏଯାଏଁ ସ୍ବୀକାର କରି ନାହାନ୍ତି କିମ୍ବା ଅସ୍ବୀକାର ମଧ୍ୟ କରି ନାହାନ୍ତି। ଏହା ଶୀଘ୍ର ସ୍ପଷ୍ଟ ହେବା ଉଚିତ। ଗୋୟଲ ତାଙ୍କ ବିବୃତ୍ତିରେ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ରୁଷୀୟ ତେଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦ୍ୱାରା ଭାରତ କେବଳ ଏହାର ପ୍ରାୟ ଏକ ତୃତୀୟାଂଶ ତୈଳ ଆମଦାନୀ ପାଇଁ ବିକଳ୍ପ ଖୋଜିବାକୁ ବାଧ୍ୟ ହେବ ନାହିଁ ବରଂ ରୁଷିଆ ସହିତ ସମ୍ପର୍କ ମଧ୍ୟ ପ୍ରଭାବିତ ହେବ। ରୁଷିଆ ଆମର ଏକ ଦୀର୍ଘକାଳୀନ ବନ୍ଧୁ ଏବଂ ପ୍ରତିରକ୍ଷା ଉପକରଣର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ। ତୈଳ ଆମଦାନୀ ବନ୍ଦ ପଦକ୍ଷେପ ବହୁ ପରୀକ୍ଷିତ ରୁଷ-ଭାରତ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବା ଅସ୍ବାଭାବିକ ନୁହେଁ। ସେହି ଦୃଷ୍ଟିରୁ, ସରକାର ଏ ସମ୍ପର୍କରେ ସଂସଦରେ ସ୍ପଷ୍ଟ କରିବା ଉଚିତ ହେବ । ସେହିପରି, ଟ୍ରମ୍ପଙ୍କ ଚାପରେ ଭେନେଜୁଏଲୀୟ ଅଶୋଧିତ ତୈଳ କିଣିବା ଭାରତ ପାଇଁ କେତେଦୂର ଉପଯୋଗୀ ହେବ, ତାହାର ମଧ୍ୟ ସମୀକ୍ଷା ହେବା ଆବଶ୍ୟକ ।
ଶୁଳ୍କ ରିହାତି, ନିବେଶ ଏବଂ ଆମଦାନୀ କ୍ଷେତ୍ରରେ ଭାରତ ଆମେରିକା ପ୍ରତି କ'ଣ ସବୁ ପ୍ରତିବଦ୍ଧତା ରଖିଛି ସେ ବିଷୟରେ ସରକାରୀ ନୀରବତା ଉପରେ ମଧ୍ୟ ଭାରତରେ ପ୍ରଶ୍ନ ଉଠୁଛି। ସମ୍ବେଦନଶୀଳ କୃଷି ସାମଗ୍ରୀ ଏବଂ ଦୁଗ୍ଧକୁ ଶୁଳ୍କରିହାତିରୁ ବାଦ ଦିଆଯିବ ବୋଲି ପ୍ରତିଶୃତି ଦେବା ବ୍ୟତୀତ, ଟ୍ରମ୍ପ ଏବଂ ତାଙ୍କ ଆଧିକାରିକ ଦଳ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ତଥାପି ଭାରତ ସରକାର ନୀରବ ରହିଆସିଛନ୍ତି। ଗୋୟଲ କହିଥିଲେ ଯେ "ଚୁକ୍ତିନାମାର ଶେଷ ପର୍ଯ୍ୟାୟ" ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁI ତଥାପି, ସୁଡ଼ଙ୍ଗର ଶେଷରେ ଥିବା ଆଲୋକ ଭାରତୀୟ ଷ୍ଟକ୍ ବଜାରକୁ ଉତ୍ସାହିତ କରିଛି, ଟଙ୍କାକୁ ମଜବୁତ କରିଛି ଏବଂ ୫୦ ପ୍ରତିଶତ ଶୁଳ୍କ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ବୟନଶିଳ୍ପ, ପୋଷାକ, ଯୋତା, ଚମଡା ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଭଳି ଶ୍ରମ-କେନ୍ଦ୍ରିକ କ୍ଷେତ୍ରଗୁଡ଼ିକ ବିଶେଷଭାବେ ଉତ୍ସାହିତ ହୋଇଛନ୍ତି। ଏହି କ୍ଷେତ୍ରଗୁଡ଼ିକ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିରୁ ଲାଭ ପାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ପିୟୁଷ ଗୋୟଲ ଏହି ଚୁକ୍ତିନାମା ଚଳିତ ବର୍ଷ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୃତି ଦେଇଛନ୍ତି।
ଆମେରିକା ଭାରତ ଉପରେ ଲଦିଥିବା ୫୦ ପ୍ରତିଶତ ଟାରିଫ୍କୁ ୧୮ ପ୍ରତିଶତକୁ ହ୍ରାସ କରିଛି। ରାଷ୍ଟ୍ରପତି ଟ୍ରମ୍ପ ନୂତନ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ୟୁକ୍ରେନ-ରୁଷିଆ ଯୁଦ୍ଧ ସମାପ୍ତ କରିବା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର ଏକ ପ୍ରୟାସ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ମେଡ୍ ଇନ ଇଣ୍ଡିଆ ପ୍ରକଳ୍ପ ପାଇଁ ଲାଭଦାୟକ ବୋଲି ପ୍ରଶଂସା କରିଛନ୍ତି ଏବଂ ଏହାକୁ ଆମେରିକୀୟ ବଜାରରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଏକ ମହାନ ସୁଯୋଗ ବୋଲି କହିଛନ୍ତି।
ଅନ୍ୟପକ୍ଷରେ, ଭାରତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଲାଭାନ୍ବିତ ହୋଇଥିଲେ ବି ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ଏପର୍ଯ୍ୟନ୍ତ ବାଣିଜ୍ୟ ଚୁକ୍ତିକରିପାରି ନାହାନ୍ତି । ଏହି ୩ ଦେଶ ଉପରେ ଟାରିଫ୍ ବର୍ତ୍ତମାନ ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ଅପେକ୍ଷା ଅଧିକ। ଏହା ଉଲ୍ଲେଖନୀୟ ଯେ ଆମେରିକା ଚାଇନା ଉପରେ ୩୭ ପ୍ରତିଶତ, ବାଂଲାଦେଶ ଉପରେ ୨୦ ପ୍ରତିଶତ ଏବଂ ପାକିସ୍ତାନ ଉପରେ ୧୯ ପ୍ରତିଶତ ଟାରିଫ୍ ଲାଗୁ କରିଛି। ଏହି ତିନୋଟି ଦେଶ ଏପର୍ଯ୍ୟନ୍ତ ଆମେରିକା ସହିତ ବାଣିଜ୍ୟ ଚୁକ୍ତିନାମା କରିପାରି ନାହାଁନ୍ତି।
ଏହା ଉଲ୍ଲେଖନୀୟ ଯେ ଆମେରିକାର ୫୦ ପ୍ରତିଶତ ଟାରିଫ୍ ଯୋଗୁ ଭାରତ ଆମେରିକା ବଜାରରେ ଏହାର ଉତ୍ପାଦ ବିକ୍ରି କରିବାରେ ଅସୁବିଧା ଭୋଗିଥିଲା I ଏବେ, ହ୍ରାସ ହୋଇଥିବା ଟାରିଫ୍ ସହିତ, ଭାରତୀୟ ଉତ୍ପାଦଗୁଡ଼ିକ ଆମେରିକାକୁ ରପ୍ତାନି କରାଯାଇ ପାରିବI ଆଶା କରାଯାଉଛି ଯେ ରପ୍ତାନି ପରିମାଣ ପୂର୍ବ ଅପେକ୍ଷା ଅଧିକ ହେବ। ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଆମେରିକାରେ କାର୍ଯ୍ୟାଳୟ, କାରଖାନା ଏବଂ ପ୍ଲାଣ୍ଟ ଖୋଲିବାର ସୁଯୋଗ ପାଇବେ। ସାମଗ୍ରିକ ଭାବରେ, ଭାରତୀୟ ରପ୍ତାନିକାରୀଙ୍କକୌଣସି କ୍ଷତି ହେବ ନାହିଁI ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ରାଜିନାମା ଦ୍ବାରା ଭାରତର ରପ୍ତାନିକାରୀଙ୍କ ପାଇଁ ଆମେରିକାର ୩୦ ଟ୍ରିଲିଅନ ଡଲାରର ଅର୍ଥନୀତି ବଜାର ଉନ୍ମୁକ୍ତ ହେବ Iଏଣୁ ୧୮ ପ୍ରତିଶତ ଟାରିଫକୁ ନେଇ ଯଦି କେହି 'ଟ୍ୟାରିଫୋତ୍ସବ' ପାଳନ କରୁଥାଆନ୍ତି, ସମାଲୋଚନାଜୀବୀମାନେ ଦୁଃଖରେ ଭାଙ୍ଗିପଡୁଛନ୍ତି କାହିଁକି?
୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/08/modi-and-trump-2026-02-08-13-52-54.jpg)