ଟିକସ, ଲାଭ ଓ ଅନୁଦାନର ଅର୍ଥନୀତି ଏବଂ ଆର୍ଥିକ ଅସମାନତା

ଇଉରୋପର ବିଭିନ୍ନ ଧନୀ ଯଥା ସ୍ଵିଡେନ ଓ ଡେନମାର୍କରେ ଦେଶର ସମୁଦାୟ ଉତ୍ପାଦନ ବା ଜିଡିପିର ୩୦ ପ୍ରତିଶତ ଆୟ ପ୍ରତ୍ୟକ୍ଷ କରରୁ ଆସୁଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତରେ ସମୁଦାୟ ଜିଡିପିର ମାତ୍ର ୧୩ ପ୍ରତିଶତ ପ୍ରତ୍ୟକ୍ଷ କର ମାଧ୍ୟମରେ ଆସୁଛି।

Economic Inequality In India

  • Published: Monday, 23 December 2024
  • , Updated: 23 December 2024, 04:45 PM IST

ଦେବ ରଞ୍ଜନ

ଭାରତରେ ଯେ ଆର୍ଥିକ ଅସମାନତା ଦ୍ରୁତ ଭାବରେ ବଢୁଛି ଏକଥା ବିଶ୍ଵରେ ଆଉ କାହାରିକୁ ଅଛପା ନାହିଁ। ବିଶିଷ୍ଟ ଅର୍ଥନୀତିଜ୍ଞ ଥୋମାସ ପିକେଟ୍ଟି ଏକ ଜାତୀୟ ଖବରକାଗଜକୁ ଭାରତ ସନ୍ଦର୍ଭରେ ଦେଇଥିବା ସାକ୍ଷାତକାରରୁ ଏହା ବେଶ ସ୍ପଷ୍ଟ। (ଇଣ୍ଡିଆନ ଏକ୍ସପ୍ରେସ ଡିସେମ୍ବର ୧୭, ୨୦୨୪) ଗଲା କିଛି ବର୍ଷ ହେଲା ଏହି କଥା ବିଭିନ୍ନ ଆନ୍ତର୍ଜାତିକ ରିପୋର୍ଟରେ ପ୍ରକାଶ ମଧ୍ୟ ପାଇଛି।

ଥୋମାସ ପିକେଟ୍ଟୀ ପାଦେ ଆଗକୁ ଯାଇ ପ୍ରସ୍ତାବ ଦେଇଛନ୍ତି ଯେ ଭାରତ ସରକାର ତୁରନ୍ତ ଦେଶର ୫୦୦ରୁ ୧୦୦୦ ଅତି ଧନୀ ଅରବପତି ବା ବିଲିୟୋନେୟରଙ୍କୁ ଅଧିକରୁ ଅଧିକ ଟିକସ ଦେବା ଲାଗି ନୀତି ପ୍ରଣୟନ କରିବା ଜରୁରୀ। ସେହି ଅର୍ଥକୁ ସାଧାରଣ ଲୋକଙ୍କୁ ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ଖର୍ଚ୍ଚ ହେବା ଆବଶ୍ୟକ। ତାହା ହୋଇପାରିଲେ ଦେଶର ଉତ୍ପାଦନରେ ବୃଦ୍ଧି ମଧ୍ୟ ଆସିବ।

ପିକେଟ୍ଟି ଫ୍ରାନ୍ସର ଅର୍ଥନୀତିଜ୍ଞ। ସେ ତାଙ୍କ ପୁସ୍ତକ ‘କ୍ୟାପିଟାଲ ଇନ ଟ୍ୱେଣ୍ଟି ଫାଷ୍ଟ ସେଞ୍ଚୁରୀ’ ଓ ‘କ୍ୟାପିଟାଲ ଆଣ୍ଡ ଆଇଡୋଲୋଜି’ ଲାଗି ବିଶ୍ଵରେ ପ୍ରସିଦ୍ଧ। ତାଙ୍କର ଯୁକ୍ତି ହେଲା ଯେ ଇଉରୋପର ବିଭିନ୍ନ ଧନୀ ଯଥା ସ୍ଵିଡେନ ଓ ଡେନମାର୍କରେ ଦେଶର ସମୁଦାୟ ଉତ୍ପାଦନ ବା ଜିଡିପିର ୩୦ ପ୍ରତିଶତ ଆୟ ପ୍ରତ୍ୟକ୍ଷ କରରୁ ଆସୁଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତରେ ସମୁଦାୟ ଜିଡିପିର ମାତ୍ର ୧୩ ପ୍ରତିଶତ ପ୍ରତ୍ୟକ୍ଷ କର ମାଧ୍ୟମରେ ଆସୁଛି। ଯଦି ପ୍ରତ୍ୟକ୍ଷ କର ଅଧିକ ହେଲେ ଦେଶମାନେ ଗରିବ ହୋଇଯାଉଥାନ୍ତେ ତେବେ ଭାରତ କମ ଟିକସ କାରଣରୁ ସ୍ଵିଡେନଠାରୁ ଅଧିକ ଧନୀ ଦେଶ ହେବା କଥା।

ଭାରତରେ କେନ୍ଦ୍ର ସରକାର କିନ୍ତୁ ଟିକସକୁ ନେଇ ଭିନ୍ନ ଯୁକ୍ତି କରିଆସୁଛନ୍ତି। ସରକାରଙ୍କ ଯୁକ୍ତି ହେଲା ଯେ ଯଦି ଶିଳ୍ପପତିଙ୍କୁ କମ ଟିକସ ଦେବାକୁ ପଡ଼େ ତେବେ ସେମାନଙ୍କ ଆୟ ଅଧିକ ହେବ ଓ ସେହି ଅଧିକ ଆୟକୁ ସେମାନେ ପୁଞ୍ଜି ଆକାରରେ ନିବେଶ କଲେ ଦେଶରେ ଅଧିକ ରୋଜଗାର ସୃଷ୍ଟି ହେବ। କିନ୍ତୁ ବାସ୍ତବରେ ଏହା ନା ଭାରତରେ ନା ବିଶ୍ଵର ଅନ୍ୟ କୌଣସି ଦେଶରେ କେବେ ନା ହୋଇଥିଲା ନା ହୋଇଛି।

ପିକେଟ୍ଟି ମଧ୍ୟ ଭାରତ ସରକାରଙ୍କ ଉକ୍ତ ଯୁକ୍ତିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଆଜିକୁ ୩୦ ବର୍ଷ ତଳେ ରୋନାଲ୍ଡ ରେଗାନ ଏହି ଯୁକ୍ତି ଆମେରିକାର ଶିଳ୍ପପତିଙ୍କ ସପକ୍ଷରେ କରିଥିଲେ। ରେଗାନ ସେ ସମୟରେ ଯୁକ୍ତି କରିଥିଲେ ଯେ ଶିଳ୍ପପତିଙ୍କୁ ଟିକସ ରିହାତି ଦେବା ଦ୍ଵାରା ହୁଏତ ଦେଶରେ ଅର୍ଥନୈତିକ ବୈଷମ୍ୟ ଅଧିକ ହୋଇଯିବ। ସେମାନଙ୍କ ଦ୍ଵାରା ସେହି ଅର୍ଥର ବିନିଯୋଗ ହୋଇ ସାଧାରଣ ଆମେରିକୀୟଙ୍କ ଆୟରେ ଉନ୍ନତି ଆସିବ।

ଆମେରିକାର ବାସ୍ତବ ସ୍ଥିତି ହେଲା ଯେ ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ ସେଭଳି ବୃଦ୍ଧି ଆସିଲା ନାହିଁ। ଫଳରେ, ଆଜି ଆମେରିକାରେ ସାଧାରଣ ଭାବରେ ନିଜର ମଜୁରୀ ବା ଦରମାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏହି ସମାନ କଥା ଏବେ ଭାରତରେ ମଧ୍ୟ ହେଉଛି। ଗଲା ୧୫ ବର୍ଷ ମଧ୍ୟରେ କମ୍ପାନୀମାନଙ୍କ ଲାଭ କ୍ରମାଗତ ଭାବରେ ବଢ଼ିଥିବା ବେଳେ ସେମାନେ କର୍ମଚାରୀଙ୍କୁ ସେହି ତୁଳନାରେ ଅଧିକ ମଜୁରୀ ଦେଇନଥିବା ଏକ ସର୍ଭେରେ ଜଣାପଡୁଛି। ଫିକି-କ୍ଵେସ ଗୃପର ନିଜସ୍ଵ ସର୍ଭେକୁ ଇଣ୍ଡିଆ ଟୁଡେ ସଂଗ୍ରହ କରି ପ୍ରକାଶ କରିଛି ଯେ ଗଲା ପାଞ୍ଚ ବର୍ଷ ମଧ୍ୟରେ ଦେଶର ଦରଦାମ ବୃଦ୍ଧି ଯେତିକି ହୋଇଛି ସେହି ତୁଳନାରେ ବୃହତ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହୋଇନାହିଁ, ଯଦିଓ ଉକ୍ତ କମ୍ପାନୀମାନେ ସରକାରଙ୍କ ଟିକସ ଛାଡ଼ ଯୋଜନା ହେତୁ ଉପକୃତ। (ଇଣ୍ଡିଆ ଟୁଡେ, ଡିସେମ୍ବର ୧୯, ୨୦୨୪)

ଫିକି-କ୍ଵେସ ଗୃପ ୨୦୧୯ରୁ ୨୦୨୩ ମଧ୍ୟରେ ବିଭିନ୍ନ ବୃହତ କମ୍ପାନୀଙ୍କ କର୍ମଚାରୀଙ୍କୁ ମିଳୁଥିବା ଦରମାକୁ ନେଇ ଏହି ରିପୋର୍ଟ ପ୍ରକାଶ କରିଛି। ଉକ୍ତ ପାଞ୍ଚ ବର୍ଷ ମଧ୍ୟରେ ଯଦିଓ ଦରମାରେ ବୃଦ୍ଧି ୦.୮ ପ୍ରତିଶତରୁ ୫.୪ ପ୍ରତିଶତକୁ ବୃଦ୍ଧି ଘଟିଛି ତେବେ ସେହି ସମୟରେ ଦେଶରେ ଦରଦାମ ବୃଦ୍ଧି ୫.୭ ପ୍ରତିଶତ ହୋଇଛି। ଅର୍ଥାତ ଦରଦାମ ବୃଦ୍ଧି ତୁଳନାରେ ଦରମାରେ ବୃଦ୍ଧି ଘଟିନାହିଁ।

ଏହି ରିପୋର୍ଟ ପୁଣି ପ୍ରକାଶ କରୁଛି ଯେ କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ଭାବରେ ବୃହତ କମ୍ପାନୀଙ୍କୁ ଏହି ପାଞ୍ଚ ବର୍ଷ ମଧ୍ୟରେ ୩ରୁ ୫ ଲକ୍ଷ କୋଟି ଟଙ୍କାର ଟିକସ ରିହାତି ଦିଆଯାଇଛି, ଏହି ଉଦ୍ଦେଶ୍ୟରେ ଯେ ସେମାନେ ଏହି ଅର୍ଥକୁ ପୁନଃ ବିନିଯୋଗ କରିବେ। ବାସ୍ତବରେ କିନ୍ତୁ ଦେଶରେ ବେରୋଜଗାରୀ ଦ୍ରୁତ ଭାବରେ ବଢୁଥିବା କଥା ଇଣ୍ଡିଆ ଟୁଡେରେ ସ୍ଵୀକାର କରାଯାଉଛି। ଅର୍ଥାତ ବୃହତ କମ୍ପାନୀମାନେ ସେହି ଅର୍ଥକୁ ଦେଶରେ ବିନିଯୋଗ କରୁନାହାନ୍ତି। ଯାହା ଆମେରିକାରେ ହୋଇଥିଲା ଏବେ ଭାରତରେ ତାହା ହେଉଛି।

ଆମେରିକାରେ ଟ୍ରମ୍ଫଙ୍କ ରାଜନୀତିରେ ବିଦେଶୀଙ୍କୁ ଘୃଣା କରିବା ଲାଗି ସାଧାରଣ ଆମେରିକୀୟଙ୍କୁ ପ୍ରବର୍ତ୍ତାଯାଉଛି। ଟ୍ରମ୍ଫ ଯୁକ୍ତି କରୁଛନ୍ତି ଯେ ବିଦେଶୀମାନେ ଆସିବା ହେତୁ ଆମେରିକୀୟମାନେ ଗରିବ ହୋଇଯାଉଛନ୍ତି। ଟ୍ରମ୍ଫ ନିଜର ପୂର୍ବ ଶାସନ ସମୟରେ ସାତଟି ମୁସଲମାନ ବହୁଳ ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶରେ ପ୍ରତିବନ୍ଧ ଲଗାଇବା ଲାଗି ଏକ ଆଇନ ପାସ କରିଥିଲେ। ଅବଶ୍ୟ ସେଠାର ଏକ ସ୍ଥାନୀୟ କୋର୍ଟ ପରେ ଏହା ଉଠାଇଦେଇଥିଲେ। ଏହା ସତ୍ତ୍ୱେ ଟ୍ରମ୍ଫଙ୍କ ମାନସିକତା ଏବେ ମଧ୍ୟ ପରିବର୍ତ୍ତନ ଆସିନାହିଁ।

ଟ୍ରମ୍ଫଙ୍କ ଯୁକ୍ତି ଅନୁସାରେ ଆମେରିକାରେ ଧନୀ-ଗରିବର ତାରତମ୍ୟ ବଢୁଥିବା କାରଣ କମ୍ପାନୀମାନେ ନୁହନ୍ତି ବରଂ ଅନ୍ୟ ଦେଶର ବିଶେଷକରି ମୁସଲମାନ ଓ ଏସୀୟ ଦେଶର ନାଗରିକମାନେ। ଆମେରିକାର ସମ୍ପତ୍ତି ଉପରେ କେବଳ ଆମେରିକୀୟ (ଗୋରା କ୍ୟାଥୋଲିକ ଖ୍ରୀଷ୍ଟିୟାନ)ଙ୍କର ଅଧିକାର ରହିଥିବା କଥାକୁ ସେ ଗଲା ନିର୍ବାଚନରେ ପୁଣି ଦୋହରାଇଛନ୍ତି।

ଏହି ସମାନ କଥା ଭାରତରେ ଘଟୁଛି। ଦେଶରେ ଧନୀ ଗରୀବ ତାରତମ୍ୟ ବଢ଼ିବାରେ ଲାଗିଛି। ଗଲା ବର୍ଷ ଅକ୍ସଫାମ ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ଅତି ଧନୀ ଏକ ପ୍ରତିଶତ ଲୋକଙ୍କ ହାତରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ରହିଛି ଓ ଦେଶର ଅତି ଗରିବ ୫୦ ପ୍ରତିଶତ ଜନସଂଖ୍ୟା ହାତରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି ରହିଛି। ଏହା ସତ୍ତ୍ୱେ ଦେଶର ସାଂପ୍ରତିକ ସ୍ଥିତି ଲାଗି ଧାର୍ମିକ ଅଳ୍ପସଂଖ୍ୟକ ଓ ଦଳିତ ବର୍ଗକୁ ଗରିବୀ ପାଇଁ ଦୋଷୀ ଭାବି ଆକ୍ରମଣ କରାଯାଉଛି।

ଏବେ ଭାରତରେ ଦେଶର ସମ୍ପତ୍ତି ଉପରେ କେବଳ ହିନ୍ଦୁ ଉଚ୍ଚଜାତିର ଲୋକଙ୍କ ଅଧିକାର ରହିଥିବା ସାବ୍ୟସ୍ତ କରାଯାଉଛି। ଦେଶର ନୀତି ନିୟମ କେବଳ ସେହି ବର୍ଗକୁ ସୁହାଇବା ଭଳି ପ୍ରସ୍ତୁତ କରିବା ଲାଗି ହିନ୍ଦୁ ଜାତୀୟବାଦୀ ସଂଗଠନମାନେ ଉଦ୍ୟମ ଜାରି ରଖିଛନ୍ତି। ଯୁକ୍ତି କରାଯାଉଛି ଯେ ସରକାରଙ୍କ ତରଫରୁ ମିଳୁଥିବା ମନି ଟ୍ରାନ୍ସଫର ଯୋଜନା, ସ୍ୱାସ୍ଥ୍ୟ ବୀମା ଯୋଜନା ଓ ସମସ୍ତ ଆର୍ଥିକ ଅନୁଦାନ ଯୋଜନାର ଲାଭ ସାଧାରଣ ନାଗରିକଙ୍କ ମଧ୍ୟରେ ଯେଉଁ ଅଳ୍ପସଂଖ୍ୟକ ଧାର୍ମିକ ବର୍ଗ ପାଉଛନ୍ତି ତାହା ଅଯଥା।

କିନ୍ତୁ ଦେଖିବାକୁ ଗଲେ ଦେଶର ସମୁଦାୟ ଜିଏସଟିର ୬୪ ପ୍ରତିଶତ ଦେଶର ସଂପୂର୍ଣ୍ଣ ଗରିବ ୫୦ ପ୍ରତିଶତ ଲୋକଙ୍କଠାରୁ ଆସୁଛି। ଏହି ୫୦ ପ୍ରତିଶତ ଜନସଂଖ୍ୟା ମଧ୍ୟରେ ଦଳିତ, ଖ୍ରୀଷ୍ଟିୟାନ ଓ ମୁସଲମାନ ପ୍ରାୟ ନବେ ପ୍ରତିଶତ ବା ଅଧିକ ଅଛନ୍ତି। ଦେଶର ସମୁଦାୟ ଜିଏସଟିର ମାତ୍ର ୩ରୁ ୪ ପ୍ରତିଶତ ଦେଶର ଅତି ଧନୀ ୧୦ ପ୍ରତିଶତ ଲୋକଙ୍କ ଠାରୁ ଆସୁଛି। ଦେଶରେ ଦଳିତ, ଖ୍ରୀଷ୍ଟିୟାନ ଓ ମୁସଲମାନ କେନ୍ଦ୍ର ସରକାରଙ୍କୁ ଦେଉଥିବା ଟିକସକୁ ଶଳନ ବୋଲି ଧରିବା ତେବେ ଦେଶର ସମୁଦାୟ ଜିଏସଟିର ପରିମାଣ ବହୁତ କମିଯିବ।

ସରକାର ଅଳ୍ପସଂଖ୍ୟକ ଧାର୍ମିକ ବର୍ଗକୁ ଯେତିକି ଆର୍ଥିକ ସହଯୋଗ କରୁଛନ୍ତି ତାହାଠାରୁ ଅଧିକ ଅର୍ଥ ଟିକସ ଆକାରରେ ତାଙ୍କଠାରୁ ନେଉଛନ୍ତି। ଅନ୍ୟ ପଟେ ସରକାର ଦେଶର ଅତି ଧନୀ ବର୍ଗଙ୍କଠାରୁ ଟିକସ ବାବଦରେ ଅର୍ଥ ଯେତିକି ନେଉଛନ୍ତି ତାହାଠାରୁ ଅଧିକ ଅର୍ଥ ସେମାନଙ୍କ ବ୍ୟବସାୟରେ ବିକାଶ ହେବା ଲାଗି ଦାନ ଦେଉଛନ୍ତି।

ଦେଶରେ ଅତି ଧନୀଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଟିକସ ଦେଉଛନ୍ତି। କିନ୍ତୁ ଅତି ଧନୀଙ୍କ ସଂଖ୍ୟା ଦେଶରେ ଯଥେଷ୍ଟ ଅଧିକ। ପୁଣି ସେମାନେ ସମୁଦାୟ ଜିଡିପିର ମାତ୍ର ୧୩ ପ୍ରତିଶତ ଟିକସ ଦେଉଛନ୍ତି। ସେହି ୧୩ ପ୍ରତିଶତ ଟିକସ ମଧ୍ୟରେ ଦେଶରେ କର୍ପୋରେଟ ଟିକସର ପରିଣାମ କମିବାରେ ଲାଗିଛି ଓ ଆୟକର ମାଧ୍ୟମରେ ଆସୁଥିବା ଟିକସ ପରିଣାମ ବଢ଼ିବାରେ ଲାଗିଛି। ଅର୍ଥାତ ଶିଳ୍ପପତିଙ୍କ ଲାଭରୁ କମ ଟିକସ ଓ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ଅଧିକ ଟିକସର ବୋଝ ପଡୁଛି।

ସମଗ୍ର ଓଡ଼ିଶାର ୪ କୋଟି ଲୋକଙ୍କ ସମୁଦାୟ ଉତ୍ପାଦନ ୨୦୨୩-୨୪ ମସିହାରେ ଯଦି ୧୧୦ ବିଲୟନ ଡଲାରର ହୁଏ ଆଜି ଚର୍ଚ୍ଚାରେ ରହିଥିବା ଗୌତମ ଆଦାନୀଙ୍କ ସମୁଦାୟ ସମ୍ପତ୍ତି ଏହି ସମୟ ମଧ୍ୟରେ ୫୪ ବିଲିଅନ ଡଲାର। ଏକୁଟିଆ ଗୌତମ ଆଦାନୀଙ୍କ ସମୁଦାୟ ସମ୍ପତ୍ତି ଓଡ଼ିଶାର ଚାରି କୋଟି ଲୋକଙ୍କ ସମ୍ପତ୍ତିର ଅଧା। ଭାରତରେ ଏଭଳି ଅନେକ ରାଜ୍ୟ ଅଛନ୍ତି ଯାହାଙ୍କ ସମୁଦାୟ ଜିଡିପି ହୁଏତ ଗୌତମ ଆଦାନୀଙ୍କ ସମ୍ପତ୍ତିଠାରୁ କମ ବା ସମାନ ହୋଇଥିବ।

ଏ କ୍ଷେତ୍ରରେ ଗୌତମ ଆଦାନୀ ଓଡ଼ିଶାରେ ଲାଇସେନ୍ସ ଯୁକ୍ତ ଲିଜ (ଖଣି, ଜଙ୍ଗଲ, ଶକ୍ତି, ଇତ୍ୟାଦି) ପାଇବାରେ ଅସୁବିଧା ବା କେମିତି ହେବ? ତାଙ୍କ ସମ୍ପତ୍ତିର ୦.୧ ପ୍ରତିଶତ ସମ୍ପତ୍ତି ଯଦି ସେ ଓଡିଶାର ପ୍ରଶାସକ ଓ ରାଜନେତାଙ୍କୁ ଲାଞ୍ଚ ଆକାରରେ ଦେଇଦିଅନ୍ତି ତେବେ ଗୌତମ ଆଦାନୀଙ୍କ ସମୁଦାୟ ସମ୍ପତ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଓଡ଼ିଶାର ଅନେକ ପ୍ରଶାସକ ଓ ରାଜନେତାଙ୍କ ଜୀବନ ତିଆରି ହୋଇଯିବ। ତିନି ପିଢ଼ି ଲାଗି ଅନ୍ତତଃ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ।

ଦେଶରେ ଓ ରାଜ୍ୟରେ ତଥ୍ୟ ଜାଣିବାର ଅଧିକାର ନିୟମ ଦୁର୍ବଳ ହେବା, ସରକାରୀ ପ୍ରଶାସନର ଉତ୍ତର ଦାୟିତ୍ଵବୋଧ ରହିବା ଲାଗି ଅନ୍ୟ କୌଣସି ବିଧେୟକ ନରହିବା କାରଣରୁ ପ୍ରକୃତରେ ଗଣତନ୍ତ୍ର ଏକ ବ୍ୟବସାୟରେ ପରିଣତ ହୋଇଯାଇଛି। ଏଠାରେ ସାଧାରଣ ନାଗରିକ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ସମୟରେ ଗଣତନ୍ତ୍ରକୁ ଉପଲବ୍ଧି କରୁଥିବାବେଳେ ବାକି ଚାରି ବର୍ଷ ଏଗାର ମାସ ଅଣତିରିଶ ଦିନ ଦେଶର ଧନୀ ବିତ୍ତଶାଳୀ ଶିଳ୍ପପତିମାନେ ଗଣତନ୍ତ୍ରକୁ ବ୍ୟବହାର କରୁଛନ୍ତି।

ଭାରତରେ ଜନସାଧାରଣ ବୁଝିବା ଆବଶ୍ୟକ ଯେ ରାଜନେତାମାନେ ଗଣମାଧ୍ୟମରେ ଦେଶର ଅର୍ଥନୀତି ସମ୍ପର୍କରେ ଯେଉଁ ବିଶ୍ଳେଷଣ ଦେଉଛନ୍ତି ତାହା ମିଥ୍ୟା। ସେମାନେ ସତକୁ ଲୁଚାଉଛନ୍ତି ଓ ନୂତନ ସତ୍ୟ ତିଆରି କରୁଛନ୍ତି। ଏ ସମ୍ପର୍କରେ କୌଣସି ବିତର୍କ ମଧ୍ୟ ହେବାକୁ ଦିଆଯାଉନାହିଁ।

ଦେଶରେ ଗଣତନ୍ତ୍ର ବଞ୍ଚିବା ଆବଶ୍ୟକ। ଏଥିଲାଗି ସରକାରଙ୍କୁ ଉତ୍ତରଦାୟୀ କରିବା ଲାଗି ନୂତନ ବିଧେୟକର ଆବଶ୍ୟକତା ରହିଛି। ତାହାହେଲେ ସରକାର ଦେଶର ଅତି ଧନୀ ୨ ପ୍ରତିଶତ ବଦଳରେ ୩୦ ପ୍ରତିଶତ ଧନୀ ଲୋକଙ୍କ ଉପରେ ଆୟକର ଟିକସ ଦେବା ଲାଗି ବାଧ୍ୟ କରିବେ, କର୍ପୋରେଟ ଟିକସର ପରିଣାମ ଆଜି ରହିଥିବା ୨୦ ପ୍ରତିଶତ ବଦଳରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବେ, ଜିଡିପିର ୧୩ ପ୍ରତିଶତ ପ୍ରତ୍ୟକ୍ଷ ଟିକସ ବଦଳରେ ଅନ୍ତତଃ ୪୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ସ୍ଥିର କରିବେ, ସେହି ସମସ୍ତ ଅର୍ଥକୁ ଦେଶବାସୀଙ୍କ ମାଗଣାରେ ଅତି ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ଗମନାଗମନର ସୁବିଧା ଲାଗି ଖର୍ଚ୍ଚ କରିବା ଲାଗି ବାଧ୍ୟ ହେବେ। ତେବେ ଦେଶବାସୀଙ୍କ ସ୍ଥିତିରେ କିଛିଟା ଉନ୍ନତି ହୁଏତ ଆସିବ।

ମୋବାଇଲ - ୯୪୩୭୭୬୨୨୭୨

Related story