ରୁଦ୍ର ପ୍ରସନ୍ନ ରଥ
ବାଂଲାଦେଶର ବୋଲର ସୌମ୍ୟ ସରକାରଙ୍କ ସେଇ ଶେଷ ଓଭରର ଶେଷ ବଲର କଥା ଇଏ। ଆଉ ମାତ୍ର ଗୋଟିଏ ବଲ ପରେ ଗୋଟିଏ ଚାମ୍ପିୟନଶିପର ବିଜେତା କିଏ ହେବ ତାହା ଜଣା ପଡ଼ିବ।
ଦିନେଶ କାର୍ତ୍ତିକ ଶେଷ ବଲ ଖେଳିବା ପାଇଁ ପ୍ରସ୍ତୁତ ହେଲାବେଳକୁ ସେପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପାଭିଲିୟନରେ ଥାଇ ମଧ୍ୟ ପ୍ୟାଡ୍ ପିନ୍ଧିବା ଆରମ୍ଭ କରିଦେଇଥିଲେ। ରୋହିତ ଆଶା କରୁଥିଲେ ଯେ ଏହି ବଲରେ କାର୍ତ୍ତିକ ଗୋଟିଏ ଚୌକା ମାରିବେ ଏବଂ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଏହି ମ୍ୟାଚଟି ବିନା ହାରଜିତରେ ସମାପ୍ତ ହେବ ଏବଂ ସୁପର ଓଭର ମାଧ୍ୟମରେ ଏହି ମ୍ୟାଚର ପରିଣାମ ଜଣା ପଡ଼ିବ। ଆଉ ଯେହେତୁ ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଥିଲା ସେଥିପାଇଁ ପୂର୍ବରୁ ଆଉଟ୍ ହୋଇଥିବା ରୋହିତ ଶର୍ମା ପୁଣି ଥରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଥିଲେ।
ସେତେବେଳକୁ କଲମ୍ବୋର ରଣସିଂହେ ପ୍ରେମଦାସା ଷ୍ଟାଡିୟମରେ ପ୍ରବଳ ଭିଡ଼। ୨୦୧୮ ମସିହା ୬ ମାର୍ଚ୍ଚରୁ ୧୮ ମାର୍ଚ୍ଚ ଯାଏ ଚାଲିଥିବା ନିଦହାସ ଟ୍ରଫି ଟୁର୍ଣ୍ଣାମେଂଟରେ ଚାଲିଥିବା ଫାଇନାଲ ମ୍ୟାଚ୍ ଦେଖିବାକୁ ପାଖାପାଖି ୩୦ ହଜାରରୁ ଅଧିକ ଦର୍ଶକଙ୍କ ଭିଡ଼। ଏହି ତ୍ରି-ରାଷ୍ଟ୍ରୀୟ ଚମ୍ପିୟାନଶିପର ଫାଇନାଲରେ ଭାରତ ଭେଟୁଥିଲା ବାଂଲାଦେଶକୁ। ଶ୍ରୀଲଙ୍କାର ସ୍ୱାଧୀନତାର ୭୦ ବର୍ଷ ପାଳନ ଅବସରରେ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲକୁ ଶ୍ରୀଲଙ୍କା କିନ୍ତୁ ଉତ୍ତୀର୍ଣ୍ଣ ହୋଇ ନଥିଲା।
ଗୋଟିଏ ଛୋଟିଆ ସ୍କୋର ବିଶିଷ୍ଟ ମ୍ୟାଚ୍ କିନ୍ତୁ ଗଡ଼ି ଆସିଥିଲା ଶେଷ ବଲଯାଏ। ରାଉଣ୍ଡ ରବିନ୍ ଭିତ୍ତିରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରତ୍ୟେକ ଦଳ ଅନ୍ୟ ସହ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିଥିଲେ। ଭାରତ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାଠାରୁ ହାରିଥିଲେ ବି ଅନ୍ୟ ତିନୋଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଶ୍ରୀଲଙ୍କା ବିଜୟରୁ ଏହି ପ୍ରତିଯୋଗିତା ଆରମ୍ଭ କରିଥିଲେ ବି ପରବର୍ତ୍ତୀ ତିନୋଟି ମ୍ୟାଚ୍ ହାରିଯାଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲା। ବାଂଲାଦେଶ ଦୁଇଟି ଜିତି ଦୁଇଟି ହାରି ପ୍ରତିଯୋଗିତାର ଫାଇନାଲରେ ପହଁଚିଥିଲା।
ଫାଇନାଲରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଶବିର ରେହମାନଙ୍କର ୫୦ ବଲରେ ଦ୍ରୁତ ୭୭ ରନକୁ ପାଥେୟ କରି ୮ ୱିକେଟ୍ ବିନିମୟରେ ୧୬୬ ରନ୍ କରିଥିଲା। ଭାରତର ବ୍ୟାଟିଂ ଲାଇନ୍ ଅପକୁ ଦେଖି ଲାଗୁଥିଲା ଯେ ଭାରତକୁ ବିଜୟୀ ହେବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ। ତେବେ ସେଦିନ କଲମ୍ବୋର ସ୍ଲୋ ପିଚରେ ଅଲଗା କିଛି କାହାଣୀ ଲେଖା ହେବାର ଥିଲା।
ଶିଖର ଧୱନଙ୍କର ୭ ବଲରେ ୧୦ ରନ୍ ଏବଂ ସୁରେଶ ରାଇନା କୌଣସି ରନ୍ ନ କରି ଆଉଟ୍ ହେବା ଫଳରେ ଭାରତ ଶୀଘ୍ର ଶୀଘ୍ର ଦୁଇ ୱିକେଟ୍ ହରାଇଲା। ତେବେ ଅଧିନାୟକ ରୋହିତ ଶର୍ମା ଏବଂ କେଏଲ ରାହୁଲ ଦଳର ସ୍କୋରକୁ ୯.୩ ଓଭର ଭିତରେ ୮୩ ଯାଏ ନେଇଗଲେ। ଆଉ ୬୩ ବଲରେ ପାଖାପାଖି ୮୩ ରନ୍ ଦରକାର ହେଉଥିଲା ଏବଂ ଯେହେତୁ ଭାରତ ପାଖରେ ୭ ୱିକେଟ୍ ବାକିଥିଲା ଏହି ବିଜୟ ସହଜସାଧ୍ୟ ଲାଗୁଥିଲା। ତେବେ ଭାରତ ଧିମା ଖେଳି ନିଜ ପାଇଁ ବିପଦ ଡାକି ଆଣିଲା।
ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୫୬ ରନ କରି ଆଉଟ୍ ହେଲାବେଳକୁ ଦଳର ସ୍କୋର ୯୮ ରନ୍ ଥିଲା। କେଏଲ ରାହୁଲ ଆଉଟ୍ ହୋଇଥିଲେ ୮୩ ରନରେ। ଏହା ପରେ ମନୀଷ ପାଣ୍ଡେଙ୍କ ଯୋଗୁଁ ଦଳ ବିପଦରେ ପଡିଲା। ମନୀଷ ୨୮ ରନ୍ କରିବା ପାଇଁ ୨୭ ବଲ ଖେଳିଥିଲେ। ମନୀଷ ଆଉଟ୍ ହେଲାବେଳକୁ ଦଳ ତଥାପି ୩୪ ରନ୍ ଆବଶ୍ୟକ କରୁଥିଲା ଏବଂ ଦଳ ପାଖରେ ମାତ୍ର ୧୨ଟି ବଲ ବାକିଥିଲା। ସେତେବେଳକୁ ମନୀଷଙ୍କ ସହ ବିଜୟ ଶଙ୍କର ଯୋଗ ଦେଇ ଖେଳକୁ ଆହୁରି ଧିମା କରିଦେଇଥିଲେ। ସେ ୧୭ ରନ କରିବା ପାଇଁ ୧୯ଟି ବଲର ଅପଚୟ କରିଥିଲେ।
ଅଧିକ ବଲ ଖେଳି କମ୍ ରନ କରିଥିବାରୁ ଭାରତୀୟ ବ୍ୟାଟରମାନେ ଚିନ୍ତାରେ ଥାଆନ୍ତି। ଦଳ ଉପରେ ଆସନ୍ନ ପରାଜୟର କଳାବାଦଲ ଘୂରି ବୁଲୁଥାଏ। କଲମ୍ବୋର ସ୍ଲୋ ପିଚ୍ ତା’ର କାରନାମା ଦେଖାଇ ସାରିଥାଏ।
ସେହି ସ୍ଥିତିରେ ମନୀଷ ପାଣ୍ଡେ ଆଉଟ୍ ହେବାରୁ ପଡ଼ିଆକୁ ଓହ୍ଲାଇଲେ ଦିନେଶ କାର୍ତ୍ତିକ। କାର୍ତ୍ତକ ଅଲଗା ମୁଡ୍ରେ ଥିଲେ ଆଉ ଲାଗୁଥିଲା ଯେମିତି ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ଅଛନ୍ତି। କାର୍ତ୍ତିକ ୧୯ ଓଭରର ସାମନା କରିବା ପୂର୍ବରୁ ୧୮ଶ ଓଭରରେ ଭାରତ ମାତ୍ର କରିଥାଏ ଗୋଟିଏ ରନ୍। ସେହି ଓଭରରେ ଶେଷ ବଲରେ ମନୀଷ ପାଣ୍ଡେ ଆଉଟ୍ ହୋଇଯାଇଥିଲେ ଏବଂ ବାଂଲାଦେଶ ଭାରତ ଉପରେ ଚାପ ସୃଷ୍ଟି କରିସାରିଥିଲା।
ଦିନେଶ କାର୍ତ୍ତିକ ୧୯ଶ ଓଭରର ପ୍ରଥମ ବଲରେ ଛକା ମାରିଲେ। ଦ୍ୱିତୀୟ ବଲରେ ଚୌକା ଏବଂ ତୃତୀୟ ବଲରେ ପୁଣି ଗୋଟିଏ ଛକା। ତିନି ବଲରେ ୧୬ ରନ ସଂଗ୍ରହ କରି ଭାରତକୁ ବିଜୟପଥକୁ ଫେରାଇ ଆଣିଲେ। ଚତୁର୍ଥ ବଲରେ କୌଣସି ରନ୍ ହେଲାନାହିଁ। ପଂଚମ ବଲରେ ଦୁଇ ରନ୍ ଏବଂ ଶେଷ ବଲରେ ଚୌକା ଯୋଗୁଁ ସମୀକରଣ ଭାରତ ଆଡ଼କୁ ଢଳିଲା। ଭାରତକୁ ଶେଷ ଓଭରରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ହେଉଥିଲା।
ସୌମ୍ୟ ସରକାର ବାଂଲାଦେଶ ପାଇଁ ଶେଷ ଓଭର ବୋଲିଂ କରିବାକୁ ଆସିଲେ। ତେବେ ସମସ୍ୟା ହେଉଛି ଯେ ଫର୍ମରେ ନଥିବା ବିଜୟ ଶଙ୍କର ବ୍ୟାଟିଂ କରୁଥିଲେ। ପ୍ରଥମ ବଲ ୱାଇଡ ଥିଲା। ବିଜୟ ଶଙ୍କର ପରବର୍ତ୍ତୀ ତିନୋଟି ବଲରୁ ମାତ୍ର ଦୁଇ ରନ ସଂଗ୍ରହ କରିଥିଲେ। ଚତୁର୍ଥ ବଲରେ ଚୌକା ମାରିଲେ ସତ, ପଂଚମ ବଲରେ ଆଉଟ୍ ହୋଇଗଲେ। ଦୀନେଶ କାର୍ତ୍ତିକ ଷ୍ଟ୍ରାଇକ୍ ପାଇଁ ଆସିଲେ ଏବଂ ଭାରତକୁ ବିଜୟ ପାଇଁ ତଥାପି ପାଂଚ ରନ ଦରକାର ଥିଲା। ଶେଷ ବଲରେ ଚୌକା ମାରିଥିଲେ ବି ମ୍ୟାଚ୍ ଟାଇରେ ଶେଷ ହୋଇ ସୁପର ଓଭର ପାଇଁ ଯାଇଥାନ୍ତା।
କାର୍ତ୍ତିକ ସେଦିନ ତାଙ୍କର ପ୍ରଥମ ବଲ୍କୁ ଯେମିତି ଖେଳିଥିଲେ ଶେଷ ବଲଟିକୁ ସେମିତି ଖେଳିଲେ। ବଲ ପଡ଼ିଆ ବାହାରକୁ ଯିବା କଥା ଏବଂ ଭାରତୀୟ ବିଜୟ ପାଇଁ ତାହା ବ୍ୟାଟରୁ ବାହାରି ସିଧା ପଡ଼ିଆ ବାହାରକୁ ଶୂନ୍ୟେ ଶୂନ୍ୟେ ହିଁ ଯିବା କଥା। ବୋଧହୁଏ ଏହା ବ୍ୟତୀତ ଆଉ କିଛି ହୋଇଥିଲେ ତାହା ଦିନେଶ କାର୍ତ୍ତିକଙ୍କ ପ୍ରତି ଅନ୍ୟାୟ ହୋଇଥାଆନ୍ତା।
ସୌମ୍ୟ ସରକାରଙ୍କର ଅଫଷ୍ଟମ୍ପ ବାହାରେ ଥିବା ସେହି ବଲଟିକୁ ଦିନେଶ କାର୍ତ୍ତିକ ବେଶ୍ ଦୃଢ଼ ଭାବେ ଫ୍ଲାଟ୍ ସଟ୍ ଖେଳିଲେ। ଯାହା ଫଳରେ ଏହା କଭର ବାଉଣ୍ଡାରୀ ଉପର ଦେଇ ଛକା ହୋଇଗଲା। ଯାହା ଭାରତୀୟ ଦର୍ଶକ ଭାବି ପାରୁ ନଥିଲେ କିନ୍ତୁ ଆଶା କରୁଥିଲେ ତାହା ହିଁ ଦେଖିବାକୁ ମିଳିଲା। ଏହି ଛକା ମାରି ମାରିଲା ପରେ ଦର୍ଶକ ଏବଂ ଡ୍ରେସିଂ ରୁମରେ ଖେଳାଳିଙ୍କ ଭିତରେ ଏକ ଅଦ୍ଭୂତ ଉନ୍ମାଦନା ଦେଖାଗଲା। ଭାରତ ନିଦହାସ ଟ୍ରଫି ଫାଇନାଲ ଜିତି ସାରିଥିଲା।
ଶେଷ ବଲରେ ଛକା କଥା କହିଲେ ଭାରତୀୟମାନଙ୍କ ମନରେ କ୍ରିକେଟକୁ ନେଇ ଏକ କରୁଣ ଭାବ ସୃଷ୍ଟି ହୁଏ। ମନ ବିତୃଷ୍ଣାରେ ଭରିଯାଏ। ଚେତନ ଶର୍ମାଙ୍କର ଶେଷ ବଲରେ ମିଆଁଦାଦ ଛକା ମାରି ପାକିସ୍ଥାନକୁ ସାରଜାହରେ ବିଜୟ କରାଇବା କଥା ଆଖି ଆଗକୁ ଚାଲିଆସେ। ଏହି ଶେଷ ବଲରେ ଛକା ସମୀକରଣଟି ବେଶ୍ କ୍ଲୀଷ୍ଟ ମନେହୁଏ। ତେବେ ଏଥର ଶେଷ ବଲ ଛକାକୁ ନେଇ ଭାରତୀୟଙ୍କ ପାଖରେ ଗୋଟିଏ ସୁଖଦ ସମୀକରଣ ଥିଲା। ଆଉ ଏହି ସମୀକରଣର ମହାନାୟକ ଥିଲେ ଦିନେଶ କାର୍ତ୍ତିକ ଯିଏ ସେଦିନ ୮ ବଲ ଖେଳି ୨୯ ରନ କରି ବାଂଲାଦେଶ ହାତରୁ ବିଜୟକୁ ମାତ୍ର ଦୁଇ ଓଭର ଭିତରେ ଛଡ଼ାଇ ଆଣିଥିଲେ।
ଦିନେଶ କାର୍ତ୍ତିକ ନିଜର ଲମ୍ବା ଆର୍ନ୍ତଜାତିକ କ୍ୟାରିୟରରେ ଆଉ ଯାହା ହାସଲ କରନ୍ତୁ ନା କାହିଁକି ନିଦହାସ ଟ୍ରଫିର ଫାଇନାଲ ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ସ୍ଥାନ ପାଇବେ।
ଫୋ- ୭୯୭୮୬୭୧୭୭୬