ରବି ଦାସ:
ରାଜ୍ୟ ବିଧାନସଭା ସଦସ୍ୟ ଓ ପୂର୍ବତନ ସଦସ୍ୟମାନଙ୍କର ଦରମା ଓ ପେନସନ ବୃଦ୍ଧି ପାଇଁ ସେମାନଙ୍କ ପକ୍ଷରୁ ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହେବା ପରେ ବିଧାନସଭାରେ ଏହା ଆଲୋଚିତ ହୋଇ ବିଜେଡିର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ସୁପାରିଶ କମିଟି ଗଠନ କରାଯାଇଥିଲା। ଏହି କମିଟି ଅଳ୍ପଦିନ ଭିତରେ ସେମାନଙ୍କ ସୁପାରିଶ ସରକାରଙ୍କୁ ପ୍ରଦାନ କରିଛନ୍ତି। ଯଦି ସରକାର ଏହି ସୁପାରିଶରେ ରାଜି ହେଲେ ତେବେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଏଥିପାଇଁ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ନିମନ୍ତେ ବିଧିବଦ୍ଧ ଭାବରେ ପ୍ରସ୍ତାବ ଆସିବ ଓ ସାଧାରଣତଃ ଏହିପରି ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେବାରେ କିଛି ଅସୁବିଧା ନାହିଁ।
ସମ୍ବିଧାନର ୧୦୬ ଧାରା ଅନୁସାରେ ପାର୍ଲାମେଂଟ ସଦସ୍ୟମାନଙ୍କର ଦରମା ଓ ଭତ୍ତା ପାର୍ଲାମେଂଟ ବିଭିନ୍ନ ସମୟରେ ସ୍ଥିର କରିବାର ବ୍ୟବସ୍ଥା ଥିବା ସମୟରେ ୧୯୫ ଧାରାରେ ବିଧାନସଭା ସଦସ୍ୟମାନଙ୍କର ଦରମା ଓ ଭତ୍ତା ରାଜ୍ୟ ବିଧାନସଭା ସ୍ଥିର କରିବା ପାଇଁ ବ୍ୟବସ୍ଥା ରହିଛି। ଏମାନଙ୍କୁ ପେନସନ ଦେବାର କୌଣସି ବ୍ୟବସ୍ଥା ପ୍ରଥମରୁ ନଥିଲେ ମଧ୍ୟ ଜରୁରୀ ପରିସ୍ଥିତି ସମୟରେ ପୂର୍ବତନ ସାଂସଦମାନଙ୍କ ପାଇଁ ଓ ପୂର୍ବତନ ବିଧାନସଭା ସଦସ୍ୟମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଯଦିଓ ୧୯୭୭ ନିର୍ବାଚନରେ ସବୁ କଂଗ୍ରେସ ବିରୋଧୀ ଦଳମାନେ ମିଶି ଜନତା ପାର୍ଟି ଗଠନ କରି ନିର୍ବାଚନକୁ ଯିବା ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ସେମାନେ କ୍ଷମତାକୁ ଆସିଲେ ପେନସନ ବ୍ୟବସ୍ଥାକୁ ହଟାଇଦେବେ। କିନ୍ତୁ ସେମାନେ କ୍ଷମତାକୁ ଆସିଥିଲେ ମଧ୍ୟ ଏହି ପେନସନ ବ୍ୟବସ୍ଥା ହଟାଇ ଦିଆଯାଇନଥିଲା।
ସେତେବେଳେ ଯୁକ୍ତି କରାଯାଇଥିଲା ଯେ, ଅନେକ ପୂର୍ବତନ ସାଂସଦ ଓ ବିଧାୟକ ଅଛନ୍ତି ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ସେମାନେ ଜୀବିକା ପାଇଁ ମୂଲ ଲାଗୁଛନ୍ତି। ଏଣୁ ପେନସନ ବ୍ୟବସ୍ଥା ହଟାଇଦେବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନର ଏକ ପ୍ରତିଶ୍ରୁତିକୁ ପୂରାପୂରି ଏଡ଼ାଇ ଦିଆଯିବା କଦାପି ଯଥାର୍ଥ ନଥିଲା। ହେଲେ ଦେଶରେ ଉଦାରବାଦୀ ଓ ଜଗତୀକରଣ ଅର୍ଥନୀତି ୧୯୯୧ରେ କାର୍ଯ୍ୟକାରୀ ହେବା ପରଠାରୁ ରାଜନୈତିକ ବ୍ୟବସ୍ଥାରେ ଏକ ଭିନ୍ନ ଚିତ୍ର ଆସିଛି। ଅର୍ଥନୈତିକ ବ୍ୟବସ୍ଥରେ ଦେଶର ପ୍ରଗତି ସହିତ ଆର୍ଥିକ ଅସମାନତା ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ରାଜନୈତିକ ବ୍ୟବସ୍ଥାରେ ମଧ୍ୟ ଖର୍ଚ୍ଚ ବଢ଼ିବା ସହିତ ନିର୍ବାଚନରେ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ଖର୍ଚ୍ଚସୀମାର ବହୁଗୁଣ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି ଅବସ୍ଥାକୁ ଦେଖି ସେବା ଆଧାରରେ ଯେତେ ନୁହେଁ, ଆର୍ଥିକ ଆଧାର ଭିତ୍ତିରେ ଦଳମାନେ ପ୍ରାର୍ଥୀ ମନୋନୟନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆର୍ଥିକ କ୍ଷମତା ଥିବା ଲୋକମାନେ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହେଉଛନ୍ତି। ୨୦୦୪ ମସିହାରେ ଯେତେବେଳେ ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ପ୍ରତ୍ୟେକ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବା ସମୟରେ ସେମାନଙ୍କର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ସେମାନଙ୍କ ବିରୋଧରେ ଥିବା ବିଭିନ୍ନ ଫୌଜଦାରୀ ମାମଲାର ହିସାବ ଦେବା ବାଧ୍ୟତାମୂଳକ ହୋଇଗଲା ସେତେବେଳେ ଦେଖାଗଲା ଯେ, ସାଂସଦ ଓ ବିଧାୟକ ହେଉଥିବା ଅଧିକାଂଶ ପ୍ରାର୍ଥୀ କୋଟିପତି। ସଂସଦ ଓ ବିଧାନସଭାମାନଙ୍କରେ କୋଟିପତିମାନଙ୍କ ସଂଖ୍ୟା ବଢ଼ୁଥିବା ସମୟରେ ମୁଦ୍ରାସ୍ଫୀତି ଓ ବର୍ତ୍ତମାନର ଚଳଣିକୁ ନେଇ ପୂର୍ବରୁ ସାଂସଦ ଓ ବିଧାୟକମାନଙ୍କର ଦରମା ଓ ଭତ୍ତା ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ବଢ଼ିବା ଦରକାର ବୋଲି ବିଭିନ୍ନ ସମୟରେ ସଂସଦରେ, ବିଧାନସଭାମାନଙ୍କରେ ଦାବି ହେଉଛି। ଏମାନଙ୍କ ଦାବି ଅନୁସାରେ ବିଭିନ୍ନ ସମୟରେ ସେମାନଙ୍କ ଦରମା ଓ ଭତ୍ତା ସଂଶୋଧନ କରାଯାଉଛି।
ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଯେ, ଯେତେବେଳେ ଦେଶରେ ଉଦାରୀକରଣ ଓ ଜଗତୀକରଣ ଅର୍ଥନୀତି ଆରମ୍ଭ କରାଗଲା ସେତେବେଳେ ସଂସଦରେ ଏହାକୁ ନେଇ ବହୁ ପ୍ରତିବାଦ ହୋଇଥିଲା। ଏଥିରେ ସରକାରଙ୍କ ସ୍ଥିରତା ପ୍ରତି ଆହ୍ୱାନ ସୃଷ୍ଟିହେବା ସମୟରେ ପାର୍ଲାମେଂଟ ସଦସ୍ୟମାନଙ୍କ ପାଇଁ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ପାଇଁ ଆଂଚଳିକ ପାଣ୍ଠି ନାମରେ ସାଂସଦମାନଙ୍କୁ ପ୍ରଥମେ ୨ କୋଟି ଟଙ୍କା ଓ ଯାହା ପରେ ୫ କୋଟି ଟଙ୍କା ହୋଇଛି ତାହା ଆରମ୍ଭ କରାଯାଇଥିଲା। ଏହା ରାଜ୍ୟମାନଙ୍କୁ ମଧ୍ୟ ସଂପ୍ରସାରିତ ହୋଇଛି। ପ୍ରତ୍ୟେକ ରାଜ୍ୟ ବିଧାୟକମାନଙ୍କୁ ଆଂଚଳିକ ପାଣ୍ଠି ନାମରେ ୧ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି। ଏହି ପାଣ୍ଠିକୁ ସାଂସଦମାନଙ୍କ କ୍ଷେତ୍ରରେ ସମ୍ପୃକ୍ତ ସାଂସଦ ଓ ରାଜ୍ୟମାନଙ୍କ କ୍ଷେତ୍ରରେ ସମ୍ପୃକ୍ତ ବିଧାୟକ ବରାଦ କରି ଖର୍ଚ୍ଚ କରୁଛନ୍ତି। ଏଥିରେ ବାସ୍ତବରେ କେତେ ଅର୍ଥ ଖର୍ଚ୍ଚ ହେଉଛି ବା କେତେ କମିଶନ ଆଦାୟ ହେଉଛି ତାହାର ହିସାବ ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ସାଂସଦ ଓ ବିଧାୟକମାନେ ସିଧାସଳଖ ଭାବରେ ଖର୍ଚ୍ଚ କରିବାର ଏକ ସ୍ୱାଧୀନତା ଆଂଚଳିକ ପାଣ୍ଠି ନାମରେ ପାଉଛନ୍ତି।
ଏହି କ୍ରମରେ ଦେଖାଯାଉଛି ଯେ, ଯେଉଁମାନେ ସାଂସଦ ଓ ବିଧାୟକ ହୋଇଛନ୍ତି ସେମାନଙ୍କ ସମ୍ପତ୍ତି ପ୍ରତି ପାଂଚ ବର୍ଷରେ ବଢ଼ି ବଢ଼ି ଚାଲିଛି। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଯେଉଁମାନେ ସାଂସଦ ଓ ବିଧାୟକ ହୋଇଥିଲେ ସେମାନେ ଯେଉଁ ଦରମା ଓ ଭତ୍ତା ପାଉଥିଲେ ତାହା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ମଧ୍ୟ କମ୍ ଥିଲା। ସେମାନେ ସେଥିରେ ବୃଦ୍ଧି ଦାବି କରୁନଥିଲେ, କାରଣ ସେମାନେ ସେବା ପାଇଁ ରାଜନୀତିକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁମାନେ ଆସୁଛନ୍ତି ସେମାନଙ୍କର କ୍ଷମତା ସହିତ ସମ୍ପତ୍ତି ବୃଦ୍ଧି ଏକ ଲକ୍ଷ୍ୟ ଥିବା ଦେଖାଯାଉଛି। ସେଥିପାଇଁ ଦରିଦ୍ର ଅବସ୍ଥାରେ ଥିବା କୌଣସି ପୂର୍ବତନ ସାଂସଦ ବା ବିଧାୟକ ଗତ ୨୫ ବର୍ଷ ଭିତରେ ଦେଖିବା ମୁସ୍କିଲ। ବରଂ ଅଧିକାଂଶ ପୂର୍ବତନ ସାଂସଦ ଓ ବିଧାୟକ କୋଟିପତି। ଏଣୁ ବିଧାନସଭାର ଯେଉଁ କମିଟି ଦରମା ବୃଦ୍ଧି ଓ ପେନସନ ବୃଦ୍ଧି ପାଇଁ ସୁପାରିଶ କଲେ ସେମାନେ କେଉଁ କେଉଁ ବିଚାରରେ ଓ ତଥ୍ୟକୁ ଆଧାର କରି ନିଷ୍ପତି ନେଇଛନ୍ତି ତାହା ଦେଖିବା କଥା।
ଓଡ଼ିଶା ପରି ଯେଉଁ ରାଜ୍ୟରେ ମୁଣ୍ଡପିଛା ଆୟ ଭାରତବର୍ଷର ଅନ୍ୟ ସବୁ ରାଜ୍ୟ ତୁଳନାରେ କମ୍ ଓ ଯେଉଁଠାରେ ବାର୍ଦ୍ଧକ୍ୟ ଭତ୍ତା ମାସିକ ୫୦୦ ଟଙ୍କାରୁ ୭୦୦ ଟଙ୍କା ଏବଂ ଦିବ୍ୟାଙ୍ଗମାନଙ୍କ ଭତ୍ତା ମାତ୍ର ମାସିକ ୭୦୦ ଟଙ୍କା, ଏପରିକି ବିଧବାମାନଙ୍କ ଭତ୍ତା ମଧ୍ୟ ୫୦୦ ଟଙ୍କାରେ ରହିଛି, ସେଠାରେ ବିଧାୟକମାନଙ୍କ ଦରମା ବୃଦ୍ଧି ଚିନ୍ତା କଲାବେଳକୁ ଯେଉଁମାନଙ୍କୁ ସେମାନେ ପ୍ରତିନିଧିତ୍ୱ କରୁଛନ୍ତି ସେମାନଙ୍କ ଅବସ୍ଥାର କି ଉନ୍ନତି ହୋଇଛି ତାହା ଦେଖିବା କଥା। ସେହିପରି ଯେଉଁ ପୂର୍ବତନ ବିଧାୟକମାନେ କୋଟିପତି ସେମାନଙ୍କ ପାଇଁ ପେନସନ ବଢ଼ାଇବାର ଆବଶ୍ୟକତା ଅଛି କି? ଅନ୍ୟ କେଉଁ ରାଜ୍ୟରେ ବିଧାୟକମାନେ କେତେ ଭତ୍ତା ପାଉଛନ୍ତି ତାହାର ହିସାବ ଦିଆଗଲା ବେଳେ ଯେଉଁ ରାଜ୍ୟରେ ବିଧାୟକମାନେ ଓଡ଼ିଶାଠାରୁ କମ୍ ପାଉଛନ୍ତି ତାହାର ନଜିର ଠିକ୍ ଭାବେ ଦିଆଯାଉ ନାହିଁ। କେରଳ ପରି ରାଜ୍ୟ ଯେଉଁଠାରେ ମୁଣ୍ଡପିଛା ଆୟ ଓଡ଼ିଶାଠାରୁ ଯଥେଷ୍ଟ ଅଧିକ ଓ ଯେଉଁ ରାଜ୍ୟରେ ମାନବସମ୍ବଳ ବିକାଶ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ସେ ରାଜ୍ୟରେ ବିଧାୟକମାନେ ଓଡ଼ିଶା ବିଧାୟକଙ୍କଠାରୁ କମ୍ ଦରମା ଓ ଭତ୍ତା ପାଉଛନ୍ତି। ଏପରିକି ପଶ୍ଚିମବଙ୍ଗର ବିଧାୟକ ଓଡ଼ିଶା ବିଧାୟକଙ୍କଠାରୁ କମ୍ ପାଉଛନ୍ତି। କିନ୍ତୁ ସେହିସବୁ ରାଜ୍ୟ ଅପେକ୍ଷା ତେଲେଙ୍ଗାନା ଭଳି ରାଜ୍ୟ ଯେଉଁ ରାଜ୍ୟର ମୁଣ୍ଡପିଛା ଆୟ ଓଡ଼ିଶାଠାରୁ ପ୍ରାୟ ତିନିଗୁଣ ସେହି ରାଜ୍ୟର ତଥ୍ୟ ଦିଆଯାଉଛି।
ଓଡ଼ିଶା ବିଧାନସଭାର ସଦସ୍ୟମାନେ ଏବେ ଦରମା, ଭତ୍ତା ଓ ସହାୟକଙ୍କ ଭତ୍ତାକୁ ମିଶି ମୋଟ୍ ମାସିକ ପ୍ରାୟ ୧ ଲକ୍ଷ ଟଙ୍କା ପାଉଛନ୍ତି। ତଥାପି ସବୁ ବିଧାୟକଙ୍କର ଏକାଧିକ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାର୍ ଓ ମୋଟରସାଇକେଲ ରହିଛି। ସେମାନଙ୍କ ଚଳଣି ଓ ସଉକ ସମ୍ଭ୍ରାନ୍ତ ପରିବାରଠାରୁ କୌଣସି ଗୁଣରେ କମ୍ ନୁହେଁ। ଏହା ମଧ୍ୟ ଜଣାଅଛି ଯେ, ସେମାନଙ୍କର ଆୟ ଓ ବ୍ୟୟର ମୁଖ୍ୟ ଉତ୍ସ ସରକାରୀ ଦରମା ବା ଭତ୍ତା ନୁହେଁ। ତାହା ଭିତରେ ସେମାନେ ଏକାଧିକ ଘର ଓ ଜମିବାଡ଼ି ମଧ୍ୟ କରୁଛନ୍ତି। ଏଣୁ ଏହି ବିଧାୟକମାନଙ୍କ ବିଷୟରେ ତଥ୍ୟଗତ ଅନୁସନ୍ଧାନ ନକରି ସେମାନଙ୍କର ଦରମା ବୃଦ୍ଧି କରିବା ଓ ପୂର୍ବତନ ବିଧାୟକମାନଙ୍କର ଅବସ୍ଥାକୁ ଅନୁଧ୍ୟାନ ନକରି ସେମାନେ ଅଧିକ ଭତ୍ତା ପାଇବା ପାଇଁ ହକଦାର ବୋଲି ଦର୍ଶାଇ ସୁପାରିଶ କରିବା ସଂପୂର୍ଣ୍ଣ ଅନ୍ୟାୟ। ସେମାନେ ଲୋକ ପ୍ରତିନିଧି ହୋଇଥିବାରୁ ଲୋକମାନଙ୍କ ସ୍ୱାର୍ଥ ଓ ତଥ୍ୟ ଉପରେ ନଜର ରଖି ଯଦି ସିଦ୍ଧାନ୍ତ ନକରି ସେମାନଙ୍କ ସଉକକୁ ଚିରସ୍ଥାୟୀ କରିବାର ବ୍ୟବସ୍ଥା କରନ୍ତି ତାହା ଅଗଣତାନ୍ତ୍ରିକ ହେବ। ପୂର୍ବତନ ବିଧାୟକମାନେ ଗୋଟିଏ ଥର ବିଧାୟକ ରହିଥିବେ ଯଦି ତେବେ ଏବେ ମାସିକ ୩୦ ହଜାର ଟଙ୍କାର ପେନସନ ବ୍ୟବସ୍ଥା ଥିଲା ବେଳେ ତାହାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି। ସେହିପରି ଏକାଧିକଥର ବିଧାୟକ ହୋଇଥିବା ପୂର୍ବତନ ବିଧାୟକମାନେ ଯେପରି ମାସିକ ୧ ଲକ୍ଷ ଟଙ୍କା ପେନସନ ପାଇବେ ସେଥିପାଇଁ ସୁପାରିଶ କରାଯାଇଛି। ଧରି ନିଆଯାଉଛି ବିଧାୟକମାନେ ମଧ୍ୟ ଉଚ୍ଚ ସରକାରୀ କର୍ମଚାରୀ ଓ ସେହି ଅନୁସାରେ ସେମାନେ ପେନସନ ପାଇବା ଦରକାର। ତେବେ ସେମାନେ ଲୋକପ୍ରତିନିଧି ବୋଲି ଦାବି କରିବାର କୌଣସି କାରଣ ନାହିଁ।
ବରିଷ୍ଠ ସାମ୍ବାଦିକ
ମୋ: ୮୦୧୮୦୯୪୪୫୫