ଗୋଟିଏ ଜାତିର ଇତିହାସ ଅଧ୍ୟୟନ ନ କରି ତା’ର ଅସ୍ମିତା ବଖାଣିଲେ ଜଗତ ଜନେ କେବଳ ହସିବେ। ଉପହାସ କରିବେ। ବୋଲିବେ ଏତେ ବଡ଼ ବୀର ଜାତିଟାର ବାହାର ରାଜ୍ୟରୁ ଦଳେ ସନ୍ତ୍ରାସବାଦୀ କଳାହାତୀ ଲୋଭରେ ଅବା ସମୁଦ୍ର କୁଳ ବନ୍ଦର, ନୌବାଣିଜ୍ୟ ଠାବ ପାଇ ଆସି ଭୂଖଣ୍ଡର ଲକ୍ଷେ ଲୋକଙ୍କୁ ହତ୍ୟାକଲେ। ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦି କରି ରାଜ୍ୟକୁ ନେଇଗଲେ। ଅନେକ ଲୋକ ଆହତ ହେଲେ। ଏହା ହେଉଛି ଖ୍ରୀ.ପୂ. ତୃତୀୟ ଶତାବ୍ଦୀର କଥା। ମୌର୍ଯ୍ୟବଂଶୀ ରାଜା ଅଶୋକଙ୍କ ସମୟର କଥା। ଅନେକ ଶୀଳାଲିପିରୁ ଜାଣିବାକୁ ମିଳେ। ପୁନଶ୍ଚ ପରବର୍ତ୍ତୀକାଳରେ ଦକ୍ଷିଣରୁ ଅଳ୍ପ କିଛି ଆସି ଶାସନଗାଦୀ ଦୀର୍ଘ ବର୍ଷ ଧରି ଦଖଲ କଲେ ଓ ଶାସନ କଲେ। ଯାହାକୁ ଇତିହାସ ଗଙ୍ଗବଂଶୀ ନାମରେ ନାମିତ କଲା। ଏହାଙ୍କ ପୂର୍ବରୁ ଥୋକେ ପଶ୍ଚିମ ପଟୁ ପଶି ଆସି ଦୀର୍ଘ ଦିନ ଶାସନ କଲେ। ତାଙ୍କୁ କେଶରୀ ବଂଶ ଭାବେ ଇତିହାସ ସ୍ଥାନିତ କଲା। ଏହାଙ୍କ ପୂର୍ବରୁ ଆଉ ଗୋଟିଏ ବଂଶର ମହାମେଘ ବାହନ ଆସି ଶାସନ କରୁଥିଲେ। ସେ ଓ ତାଙ୍କ ପୁତ୍ର ପୌତ୍ର ମିଶି ଇତିହାସରେ ଚେଦୀବଂଶ ଭାବେ ଅଧ୍ୟାୟ ସୃଷ୍ଟି କରିଥିଲେ। ମଧ୍ୟ ଭାରତ ଉଜ୍ଜୟିନୀରୁ ଗୁପ୍ତ ଶାସକ ଏ ରାଜ୍ୟ ଦଖଲ ନ କରି କିଛି କାଳ ଶାସନ କଲେ।
ଖୁବ୍ ଅଳ୍ପ କାଳ ପାଇଁ ଏ ମାଟିର ସନ୍ତାନମାନେ ଏ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ। ସେମାନେ ସୂର୍ଯ୍ୟବଂଶୀ ଭାବେ ଖ୍ୟାତ ଥିଲେ। ମାତ୍ର ୪ ପୁରୁଷର ଶାସନ। କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ ଏବଂ ତାଙ୍କ ପୁତ୍ର କଖାରୁଆ ପ୍ରତାପ ଶାସନ କଲେ। ତାଙ୍କ ଶାସନ କାଳ ମୋଟ ଶହେ ବର୍ଷ ପୂରି ନଥିଲା। ଏହାଙ୍କ ପରେ ପୁନଶ୍ଚ ଦକ୍ଷିଣୀମାନଙ୍କ ଶାସନ ଆରମ୍ଭ ହେଲା। ଅବଶ୍ୟ ଏହି ତେଲେଙ୍ଗା ମୁକୁନ୍ଦଙ୍କ ପରେ ଏ ମାଟିର ସନ୍ତାନ ଭୋଇ ବଂଶ ଶାସନ ଜାହିର ହେଲା। ତେବେ ଏମାନେ ଖୁବ ଦୁର୍ବଳ ଥିଲେ। ଯେଉଁଥିପାଇଁ ମୋଗଲ, ମରହଟ୍ଟାମାନଙ୍କର ଅଧ୍ୟସ୍ତନ ହୋଇ କାର୍ଯ୍ୟ କରୁଥିଲେ ଓ ଏହି ଶାସନ ସମୟରେ ଏହି ରାଜ୍ୟର ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥଙ୍କୁ ୧୬ ଥର ପାତାଳୀ ଅର୍ଥାତ ଆକ୍ରମଣକାରୀଙ୍କ ଭୟରେ ଲୁଚାଇ ରଖିବାକୁ ହେଲା। ଔପନିବେଶୀୟ ଶାସନ ବହୁ ପଛରେ ଓଡ଼ିଶା ଦଖଲ କଲେ। ହେଲେ ପୂର୍ବରୁ ମାଟିର ସୌଭାଗ୍ୟ ଦେଖି ବେପାର ବାଣିଜ୍ୟ ଉଦ୍ଦେଶ୍ୟରେ ମାଟିରେ ପାଦଥାପି ଥିଲେ।
ଏହା ସତ୍ୟ ଯେ ଏମାଟିର ସନ୍ତାନ ଅତ୍ୟନ୍ତ ବୀର ନଥିଲେ ବି ସାହାସୀ ଥିଲେ। କଳିଙ୍ଗା ସାହସିକା ବୋଲି ବର୍ଣ୍ଣନା କରାଯାଇ ଅଛି। ବୀର ବୋଲି କହି ବୀରତ୍ୱର ବାହାଦୂରୀ ବଖାଣୁ ଥିବା ସମସ୍ତ ବ୍ୟକ୍ତି ଏ ଜାତିର ଇତିହାସ ପୂର୍ଣ୍ଣ ଅଧ୍ୟୟନ ବା ତର୍ଜମା କରିବାରେ ବିଫଳ ହୋଇଛନ୍ତି। କେବଳ ଊନ୍ନବିଂଶ ଶତାଦ୍ଦୀର ଉନ୍ମେଷ କାଳରେ ଜାତିର ବୀର ଗାଥା ଶୁଣାଗଲା। ସୂର୍ଯ୍ୟବଂଶୀ ଶାସନରେ ଥରେ କେବେ ଜିତିଥିବା ଗଙ୍ଗାରୁ ଗୋଦାବରୀ ଯାଏଁ କଥା ଉଠାଇ ବାହାଦୂରି ଗାଥା ସ୍ମରଣ କରାଗଲା। ଇଂରେଜ ଶାସନ କାଳରେ ପୁନଶ୍ଚ ଦୀର୍ଘ ଦିନ ଧରି ଗୋଟିଏ ଭାଷାଭାଷୀ ଜାତିଟା ଖଣ୍ଡବିଖଣ୍ଡିତ ହୋଇ ତିନି ଭାଗରେ ଶାସିତ ହେଲା। ସାମାଜିକ, ଆର୍ଥିକ ଓ ଶାସନଗତ ଦୁର୍ବଳତା ହେତୁ ରୁଗ୍ଣ ହେଲା। ବ୍ୟଥିତ ହୃଦୟରେ ଜାତିର ନେତାମାନେ ଅନେକ ସମୟରେ ଭାଙ୍ଗି ପଡୁଥିଲେ। “ସ୍ୱାର୍ଥନ୍ୱେଷୀ ଅଇଣ୍ଠା ପତରେ ମନ” ଜାତିର ହୀନତା ବଖାଣୁ ଥିଲେ।
ସେହିପରି ଏକ ଜାତିର ରାଜ୍ୟର ଅବା ଓଡ଼ିଆ ୫-ଟିର କଥା ବିସ୍ତାର ହୋଇଛି। ସେ ସର୍ବଶକ୍ତିମାନ ହୋଇ ପ୍ରଜାଙ୍କ ଗୁହାରି ଶୁଣୁଛନ୍ତି ଓ ତଥାସ୍ତୁ କହି ବରଦାନ କରୁଛନ୍ତି। ମନ୍ଦିର ମସଜିଦ୍ ଓ ଗୀର୍ଜା ନିର୍ମାଣର ପ୍ରତିଶୃତି ଦେଇ ସବୁ ଧର୍ମର ମନଜୟ ଉଦ୍ୟମ କରୁଛନ୍ତି। ଏହାଙ୍କ ପୂର୍ବ ପୁରୁଷ ଦକ୍ଷିଣିଆ ଶାସକମାନେ ଅନେକ ମନ୍ଦିର ନିର୍ମାଣ କରି ଏ ରାଜ୍ୟବାସୀଙ୍କ ହୃଦୟ ଜୟ କରିଥିଲେ। ଏହି ସର୍ବଶକ୍ତିମାନ ଶାସକ ବୋଧହୁଏ ସେହି କଥା ସ୍ମରଣ କରି ମନ୍ଦିର ନିର୍ମାଣରେ ଲାଗିଛନ୍ତି। ତେବେ ଏ ରାଜ୍ୟ ତା’ର ପ୍ରକୃତ ଗୌରବ ଉତ୍ପାଦନ, ବାଣିଜ୍ୟ, ବ୍ୟବସାୟ ସବୁ କ୍ଷେତ୍ରରେ ପୂର୍ବ ଗୌରବ ହରାଇ ଅନ୍ୟ ପଡ଼ୋଶୀ ରାଜ୍ୟ ପାଖରେ ହାତପାତି ଆମଦାନୀ ଅପେକ୍ଷାରେ ଅଛି। କେବଳ ଧାନ ଗଣ୍ଡାକ ଛାଡ଼ିଦେଲେ ଲୁଗାଠାରୁ ଆରମ୍ଭ କରି ସବୁ ଖାଦ୍ୟ ପଦାର୍ଥ, ବସ୍ତ୍ର, ବ୍ୟବହାର୍ଯ୍ୟ ବସ୍ତୁ ବାହାର ରାଜ୍ୟରୁ ଆଣି ନିଜର ଆବଶ୍ୟକତା ପୂରଣ କରିଥାନ୍ତି। ଏହି ସର୍ବଶକ୍ତିମାନ ୫-ଟିଙ୍କ କ୍ଷମତା ହସ୍ତାନ୍ତର କରିଥିବା ଦୁର୍ବଳ ଶାସକ ଦୀର୍ଘ ୨୪ ବର୍ଷ ଧରି ଏ ରାଜ୍ୟରେ ଶାସକ ପରିଚୟ ନେଇ ରହିଆସିଛନ୍ତି।
ଏପରି ଏକ ଦୁର୍ବଳ ଶାସକ ବର୍ଗର ଉପସ୍ଥିତି କେବଳ ନାମକୁ ମାତ୍ର। ଏହାଙ୍କର ଅଧ୍ୟସ୍ତନ କର୍ମଚାରୀ ୫-ଟି ଭାବରେ ଶାସନ କାର୍ଯ୍ୟ ପରିଚାଳନା କରୁଥିବା ସମସ୍ତେ ଜାଣନ୍ତି। ଏକଥାକୁ ନେଇ ଏବେ ଝଡ଼ ଉଠିଛି। ଜଣେ ସାଂସଦ ଏ ପ୍ରକାର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ପରେ ଅନେକ ପ୍ରତିବାଦ ଶୁଣାଯାଇଛି। ତଥାପି ଏପରି ସତ୍ୟକୁ କ’ଣ କେହି ଅସ୍ୱୀକାର କରିପାରିବେ? ନେତୃତ୍ୱ ଦୁର୍ବଳ, ଅସହାୟ ଅବସ୍ଥାରେ ଏପରି ଏକ ନିର୍ଭରଶୀଳତା ବୃଦ୍ଧି ପାଇଛି। ଅଧ୍ୟସ୍ତନ ଏହାର ସୁଯୋଗ ନେଇ ଶାସନ ପରିଚାଳନା କରୁଛନ୍ତି। ସେଇଥିପାଇଁ ୫-ଟିଙ୍କ ନିକଟରେ ପ୍ରଶ୍ନ ଉଠୁଛି। ତେବେ ଏ ରାଜ୍ୟରେ ସବୁ ଆବଶ୍ୟକତା ପାଇଁ ଅନ୍ୟ ଉପରେ ନିର୍ଭରଶୀଳତା ବଢ଼ି ଚାଲିଛି, କାହିଁକି? ଏହାର ଉତ୍ତର କିଏ ଦେବ? ତାଙ୍କୁ ହିଁ ଦେବାକୁ ହେବ। କାରଣ ସେ ହିଁ ପ୍ରକୃତରେ ଏ ମାଟିର ଶାସକ ସାଜିଛନ୍ତି।
ଏଣୁ ମହାଶକ୍ତିଶାଳୀ କ୍ଷମତାପ୍ରାପ୍ତ ୫-ଟିଙ୍କୁ ଏ ଜାତିର ଗୁହାରିଆମାନେ ସ୍ୱାବଲମ୍ବନଶୀଳ ନିମନ୍ତେ ହୃତ ଗୌରବ- ବୀରତ୍ୱ ନୁହେଁ ଆତ୍ମ ନିର୍ଭରଶୀଳତା ତଥା ସମୃଦ୍ଧ ସୌଭାଗ୍ୟ ପାଇଁ ହାତ ପାତି ଗୁହାରି ନକରି ମନ୍ଦିର ନିର୍ମାଣରେ ଆତ୍ମ ବିଭୋର ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା। ଶକ୍ତିଶାଳୀ ୫-ଟି ପୂର୍ବ ପୁରୁଷରୁ ବୁନିଆଦି ଧାରଣ କରି ଯେଉଁ ସବୁ କାର୍ଯ୍ୟ କରିଚାଲିଛନ୍ତି ଅବା ବରଦାନ ପୂର୍ବକ ତଥାସ୍ତୁ କହୁଛନ୍ତି। ସେ ସବୁ ଏଜାତିକୁ ସମୃଦ୍ଧ କରିବ ନାହିଁ। ନିରନ୍ତର ସଶକ୍ତ କରିବ ନାହିଁ। ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦନ ବୃଦ୍ଧି ଓ ତା’ର ବଜାର ଏ ରାଜ୍ୟର ବ୍ୟକ୍ତି ପରବାର ସମାଜକୁ ସଶକ୍ତ କରିବ ଓ ରାଜ୍ୟ ଏକ ସୁଦୃଢ଼ ଶକ୍ତିଶାଳୀ ଅର୍ଥନୀତି ଆପଣେଇବ। ଅନ୍ୟଥା ଦୁର୍ବଳ ରୁଗ୍ଣ ବ୍ୟକ୍ତିମାନେ ସଦାସର୍ବଦା ପଡ଼ୋଶୀ-ବିଦେଶୀମାନଙ୍କ ହାତ ଟେକାକୁ ଚାହିଁ ବସିଥିବେ। ଏ ଚେତନା ଜାଗ୍ରତ ହେଲେ ହିଁ ଜାତିର ମାନ, ମର୍ଯ୍ୟାଦା ଉଦ୍ଭାସିତ ହେବ। ଶାସନ ଡୋରୀ ହାତରେ ରଖିଥିବା ୫-ଟି ସତରେ କ’ଣ ଏ ରାଜ୍ୟର ଉନ୍ନତି ଚାହାଁନ୍ତି? ତେବେ ଗୋଟିଏ ସ୍ୱାବଲମ୍ବନଶୀଳ ସ୍ଥିତି ପାଇଁ ତଥାସ୍ତୁ କହିବା ଜରୁରୀ।
ପଞ୍ଚାନନ କାନୁନଗୋ
ଫୋ- ୯୪୩୮୩୬୦୮୪୯