Puri
- ପଞ୍ଚାନନ କାନୁନଗୋ
ପ୍ରକୃତି ଏହି ସୁଯୋଗ ସୃଷ୍ଟି ନିମନ୍ତେ ଅନେକ ସମ୍ପଦ ଯଥା- ଜମି, ପାଣି, ଖଣି, ଜଙ୍ଗଲ ଓ ମାନବ ସମ୍ବଳ ଓଡ଼ିଶାରେ ଖୁନ୍ଦି ରଖିଛି। ଏକ ସମୟରେ ୭୨% ଲୋକଙ୍କ ଜୀବିକା ନିର୍ବାହ ମୁଖ୍ୟତଃ ଉତ୍ପାଦନ କ୍ଷେତ୍ର କୃଷି ଓ ତତ୍ସଂଲଗ୍ନ କ୍ଷେତ୍ର ଉପରେ ନିର୍ଭର କରୁଥିଲା, ଯେଉଁଥିରୁ ସ୍ୱାଧୀନତା ପରବର୍ତ୍ତୀ କାଳରେ ରାଜ୍ୟର ସାମଗ୍ରିକ ଉତ୍ପାଦନର ୬୦% (୧୯୬୦-୬୧)ରୁ ଅଧିକ କୃଷି କ୍ଷେତ୍ରରୁ ଆସୁଥିଲା। ପରେ ୩୫%କୁ କମିଲା। ଏବେ କୃଷି କ୍ଷେତ୍ରରୁ ମିଳୁଥିବା ଜି.ଡ଼ି.ପି. ଅଂଶ କମିବାରେ ଲାଗିଛି ଓ ୨୦୧୫-୧୬ ଠାରୁ ୧୫%କୁ ଖସିଥିବାର ହିସାବ କରାଯାଇଛି। ଏହା ହିଁ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। କୃଷି ଓ ସହଯୋଗୀ କ୍ଷେତ୍ରରେ ନିୟୋଜିତ ପ୍ରତ୍ୟେକ ଓ ପରୋକ୍ଷ ସାମଗ୍ରିକ ଉତ୍ପାଦନର ଅଂଶ ୨୦୩୬ ବେଳକୁ ୩୦% ରେ ରଖିବାର ସମସ୍ତ ଉଦ୍ୟମ ହେବା ଦରକାର ଯାହାକି ସରକାରଙ୍କ ପ୍ରଚଳିତ କାର୍ଯ୍ୟକ୍ରମରେ ସୂଚିତ ହେଉନାହିଁ। ଏଥିରେ ନିୟୋଜିତ ଚାଷୀ ଓ କୃଷକ ମୂଲିଆଙ୍କ ସଂଖ୍ୟା ରାଜ୍ୟର ମୋଟ କାର୍ଯ୍ୟରତ ଲୋକ ସଂଖ୍ୟାର ୩୦%ରୁ ଅଧିକ ହେବା ଠିକ୍ ନୁହେଁ। ବର୍ତ୍ତମାନ ସ୍ଥିତିରେ ଆତଙ୍କିତ ହେବା ସ୍ଥିତି ଉପୁଜିଛି। ସୁଚିନ୍ତିତ ଓ ନିଷ୍ଠାର ସହ ଉଦ୍ୟମ କଲେ କୃଷି ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ଘଟି ରାଜ୍ୟର ସମଗ୍ର ଉତ୍ପାଦନରେ ଏହାର ଅଂଶ ୩୦%ରେ ସ୍ଥିର କରାଯାଇ ପାରିବ। ଏବେ କୃଷି ଉତ୍ପାଦନ କ୍ଷେତ୍ରରେ ପ୍ରାୟ ସବୁ ମୁଖ୍ୟ ଫସଲ ସର୍ବଭାରତୀୟ ସ୍ତରରେ ହେଉଥିବା ହାରାହାରି ଉତ୍ପାଦିକା ଶକ୍ତିଠାରୁ ପଛରେ ରହିଛି। ଅନେକ ପଡ଼ୋଶୀ ରାଜ୍ୟଠାରୁ ବହୁ ପଛରେ ରହିଛି। ଫସଲ ଉତ୍ପାଦନ ହେଉ ବା ମାଛ, ମାଂସ, ଅଣ୍ଡା ବା କ୍ଷୀର ଉତ୍ପାଦନ ଓ ଉତ୍ପାଦିକା କ୍ଷେତ୍ରରେ ପଛରେ ଅଛ। ପ୍ରକୃତିଦତ୍ତ ଭୂସଂପତ୍ତିର ଫସଲ ଉତ୍ପାଦନକାରୀ କ୍ଷମତା ଓ ପ୍ରଚୁର ବର୍ଷାଜଳ ଥାଇ ମଧ୍ୟ ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଓ ଅବହେଳା ହେତୁ ଏପରି ଅଭାବନୀୟ ପରିସ୍ଥିତି ଉପିଜିଛି।
ଚାଷ ଉପଯୋଗୀ ଜମିର ପରିମାଣ ୬୧ ଲକ୍ଷ ହେକ୍ଟରରୁ କମି ଏବେ ୫୪ ଲକ୍ଷ ହେକ୍ଟର ଜମିରେ ପହଂଚିଛି। ଏକପକ୍ଷରେ ଲୋକସଂଖ୍ୟା ବୃଦ୍ଧି ଓ ଅନ୍ୟପକ୍ଷରେ ଚାଷଜମି କ୍ଷୟ ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଥିବା ୫୪ ଲକ୍ଷ ହେକ୍ଟର ଚାଷଜମିକୁ ଅନ୍ତତଃ ଦୁଇ ଫସଲି ଓ ଏହାର ଅର୍ଦ୍ଧାଧିକ ଜମି ଅର୍ଥାତ୍ ୨୭ ଲକ୍ଷ ହେକ୍ଟର ଜମିରୁ ତୃତୀୟ ଫସଲ (ତିନି ଫସଲି) ଉତ୍ପାଦନ କରିବାର ପ୍ରସ୍ତୁତି ୨୦୩୬ ସୁଦ୍ଧା ହେବା ଦରକାର। ଦୁଃଖର ସହିତ କହିବାକୁ ହେଉଛି ଯେ କ୍ରମାଗତ ଭାବେ ପାଞ୍ଚଥର ସରକାରରେ ଥାଇ ମଧ୍ୟ ଏ ଦିଗରେ ଯଥୋଚିତ ଧ୍ୟାନ ଦିଆଯାଇନାହିଁ। ବରଂ ଜଳସେଚନ ଅନେକ ଭାବେ ସଂକୁଚିତ ହୋଇଛି। ଏଥିପାଇଁ ଆବଶ୍ୟକ ଜଳରାଶି ସଜାଡ଼ିବାକୁ ହେବ। ବର୍ତ୍ତମାନ ଖରିଫ୍ ଋତୁରେ ୩୦%ରୁ ଅଧିକ ଜଳସେଚନ ଓ ରବି ଋତୁରେ ୧୫% ଜଳସେଚନର ବ୍ୟବସ୍ଥା ନାହିଁ। ଉଭୟ ପ୍ରକୃତିଦତ୍ତ ବର୍ଷାଜଳ ଓ ଭୁତଳ ଜଳ ସମଗ୍ର ଭାରତ ତୁଳନାରେ ଯଥେଷ୍ଟ ଅଧିକ ଅଛି। ପାଖାପାଖି ଭାରତରେ ହେଉଥିବା ବୃଷ୍ଟିପାତଜନିତ ଜଳପ୍ରବାହ ୧୧% ଓ ଥିବା ଭୂତଳ ଜଳ ୧୪% ଥିବା ଆକଳନରୁ ଜଣାଯାଏ। ବାର୍ଷିକ ବର୍ଷାଜଳ ୧୪୦୦ରୁ ୧୫୦୦ ମି.ମି. ହୋଇଥାଏ। ତେଲେଙ୍ଗାନା ରାଜ୍ୟ ସରକାରଙ୍କର କାକତିୟ ମିଶନ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କର ଆଖି ଖୋଲିଦେଇଛି। ଏହା ପ୍ରମାଣ କରିଛି ଯେ ପ୍ରତି ଗାଁରେ ଜଳରାଶିକୁ ଅଟକାଇ ତିନି ଫସଲ ଅଥବା ପୂର୍ଣ୍ଣ ଦୁଇ ଫସଲ ପାଇଁ ଜଳସେଚନର ସୁଯୋଗ ସୃଷ୍ଟି କରାଯାଇପାରିବ।
ଓଡ଼ିଶାରେ ସମୁଦାୟ ଚାଷୀଙ୍କ ଭିତରେ ୭୨ ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପରିବାରର ଆୟବୃଦ୍ଧି ପାଇଁ ପ୍ରତି ଜମିରେ ଅନ୍ତତଃ ଦୁଇଗୋଟି ଫସଲ ଉତ୍ପାଦନ ସହ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଛେଳି, ମେଣ୍ଢାଚାଷ, ଫୁଲଚାଷ, କୁକୁଡ଼ା ଚାଷ ବା ଅଣ୍ଡା ଉତ୍ପାଦନ ସାଙ୍ଗକୁ ଗୋବରଗ୍ୟାସ୍ ପ୍ଲାଣ୍ଟ ଆଦି ଆନୁସଂଗିକ ବ୍ୟବସ୍ଥା ଯୋଡ଼ା ହୋଇରହିଲେ ସବୁ ବର୍ଗର ଚାଷୀଙ୍କର ଆୟ ବୃଦ୍ଧି ଘଟିବ। ଏହା ଅଧିକ ଆୟକାରୀ ହେବ ଯେତେବେଳେ ସମସ୍ତ ଉତ୍ପାଦନ ମୁଲ୍ୟଯୁକ୍ତ କରାଯିବାର ବ୍ୟବସ୍ଥା ହେବ ଓ ଏ ସଂପର୍କିତ କାରଖାନା ଚିନିକଳ, ତେଲକଳ, ଝୋଟକଳ, ଚାଉଳକଳ, ଅଟାକଳ ଆଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନ ଚାଷୀର ହାତ ପାଆନ୍ତାରେ ହେବାର ଆବଶ୍ୟକତା ଥିଲେ ମଧ୍ୟ ସରକାର କାହିଁକି କେଜାଣି ଏ ଦିଗଟିକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି। ଖାଇବା, ପିନ୍ଧିବା ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇଁ ଆମ ରାଜ୍ୟରୁ ପ୍ରତିମାସରେ ୩୦ ହଜାର କୋଟି ଟଙ୍କା ରାଜ୍ୟ ବାହାରକୁ ଚାଲିଯାଉଛି। ଅଥଚ ସରକାର ଗତ ୨୦ ବର୍ଷରୁ ଅଧିକ ଶାସନରେ ଥାଇ ଏ ଦିଗ ପ୍ରତି ସଂପୂର୍ଣ୍ଣ ଅଣଦେଖା କରିଛନ୍ତି। ପୂର୍ବେ ଥିବା ତେଲକଳ, ଚିନିକଳ, ସୂତାକଳ, ଲୁଗାକଳ, ସାଇକେଲ କାରଖାନା ଏ ସମୟ ମଧ୍ୟରେ ପୂରାପୂରି ବନ୍ଦ ହୋଇଗଲା। ଛତା,ଚପଲ ସାଇକେଲ ପିଲାଙ୍କ ଖାଦ୍ୟ, ପଶୁଖାଦ୍ୟ, ଲୁଣଠାରୁ ତେଲ, ଘିଅ ଡାଲି, ପରିବା ଆଦି ଆମକୁ ବାହାରୁ କିଣିବାକୁ ହୋଇଥାଏ। ଚାଷୀର ଉତ୍ପାଦନକୁ ମୁଲ୍ୟଯୁକ୍ତ କରିବା ସହିତ କ୍ରୟ ବିକ୍ରୟ ରକ୍ଷଣାବେକ୍ଷଣ, ତଥା ପରିବହନ ଜନିତ କ୍ଷତିରୁ ଚାଷୀକୁ ସଂପୂର୍ଣ୍ଣ ରକ୍ଷାର ବ୍ୟବସ୍ଥା ହେବା ଦରକାର। ସେହିପରି ବିହନ ଉତ୍ପାଦନ ଓ ରକ୍ଷଣାବେକ୍ଷଣ ଅନ୍ୟ ଏକ ଅତ୍ୟାବଶ୍ୟକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଏଡ଼ାଯାଇ ପାରିବ ନାହିଁ।
ଏବେ ଦେଖାଯାଉଛି ଯେ ସେବା କ୍ଷେତ୍ରରୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ବା ସହଯୋଗ ବୃଦ୍ଧି ହେବାରେ ଲାଗିଛି। ଏହି କ୍ଷେତ୍ରରୁ ପାଖାପାଖି ୪୧%ରୁ ଊର୍ଦ୍ଧ୍ୱ ସହଯୋଗ ମିଳୁଥିବାର ହିସାବ କରାଯାଇଥିଲା। ତାହା ସବୁବେଳେ ଏହି ଅନୁପାତରେ ରହିବା ସମ୍ଭବ ହେବନାହିଁ। ପରିବହନ ଓ ରିୟଲ ଇଷ୍ଟେଟ୍ କାର୍ଯ୍ୟ ଅତ୍ୟୁଚ୍ଚରେ ପହଂଚିଲେ ଏଥିରୁ ଆୟ କ୍ରମେ କ୍ଷୟ ହେବ। ଏଥିରୁ ମୋଟାମୋଟି ଆୟ ରାଜ୍ୟର ମୋଟ ଉତ୍ପାଦନରୁ ୩୦% ଭିତରେ ସୀମିତ ରଖିବା ଦରକାର ଏବଂ ଏହାର ସ୍ଥାୟୀତ୍ୱ ନିର୍ଭର କରିବ ରାଜ୍ୟ ସରକାରଙ୍କର ଆଭିମୁଖ୍ୟର ପରିବର୍ତ୍ତନ ଉପରେ। ରାଜ୍ୟରେ ପ୍ରଚୁର ସୂର୍ଯ୍ୟରଶ୍ମୀ ଅଛି। ଏଥିରୁ ଅନ୍ତତଃପକ୍ଷେ ୧୦ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ଯୋଗାଇଦେବାର ବ୍ୟବସ୍ଥା କରିବା ସହ ରାଜ୍ୟରେ ବିଛାଡ଼ି ହେଇ ପଡ଼ିଥିବା ପର୍ଯ୍ୟଟନ ସ୍ଥଳିଗୁଡ଼ିକୁ ସଜାଡ଼ି ପାରିଲେ ଅନେକ ନିଯୁକ୍ତି ସୃଷ୍ଟିହେବା ସହିତ ସେବା କ୍ଷେତ୍ରରେ ରାଜ୍ୟର ସାମଗ୍ରିକ ଆୟ ବୃଦ୍ଧି ଘଟିବ। ସାମଗ୍ରିକ ଉତ୍ପାଦନରେ ଏହାର ଭାଗିଦାରିତା ସର୍ବଦା ୩୦%ରୁ ୩୫%ରେ ସୀମିତ ରଖିବା ଅଧିକ ବିଜ୍ଞାନ ସମତ ହେବ। କିନ୍ତୁ ଏଥିରେ ନିଯୁକ୍ତିକାରୀଙ୍କ ସଂଖ୍ୟା ସମୁଦାୟ କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ସଂଖ୍ୟାର ୪୦% ନିମନ୍ତେ ଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ଅଛି।
ଏହା ସତ୍ୟ ଯେ ଓଡ଼ିଶାରେ ପ୍ରଚୁର ପରିମାଣରେ କୋଇଲା ଓ ଖଣିଜ ସମ୍ପଦ ପ୍ରକୃତି ଭରି ଦେଇଛି। ସମଗ୍ର ଦେଶର କୋଇଲାର ୨୧.୧%, ଲୁହାପଥର ୫୦%, କ୍ରୋମାଇଟ୍ ୧୦୦%, ବକ୍ସାଇଟ୍ ୩୫.୨% ଓ ମାଙ୍ଗାନିଜ ୨୫.୫% ଏ ରାଜ୍ୟରେ ଭର୍ତ୍ତି ହୋଇରହିଛି। ଏହାର ଅବିଚାରିତ ବ୍ୟବହାର ସ୍ୱାଧୀନତା ପୂର୍ବ ଓ ପରଠାରୁ ଚାଲିଛି। ରାଜ୍ୟଭିତରେ ଏସବୁର ବ୍ୟବହାର କାରଖାନା ଓ କାରଖାନାରୁ ପ୍ରସ୍ତୁତ ଉତ୍ପାଦକୁ ବ୍ୟବହାର କରି ଛୋଟବଡ଼ ମାନୁଫାକ୍ଟରିଂ ୟୁନିଟ୍ କରାଗଲେ ନିଯୁକ୍ତି କ୍ଷେତ୍ର ପ୍ରସ୍ତୁତ ହେବା ସହିତ ଏକ ଶିଳ୍ପ ସମୃଦ୍ଧ ରାଜ୍ୟଭାବେ ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଥାନ୍ତା। ତା’ ହେଲାନାହିଁ। ଟାଟା କମ୍ପାନୀ ଓଡ଼ିଶା ନିକଟରେ ଜାମସେଦପୁର କାରଖାନା ପାଇଁ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଧରି ମୟୂରଭଞ୍ଜ, କେଉଁଝରରୁ ଲୁହାପଥର ଖଣି ଖାଲି କରିନେଲା। ରାଜ୍ୟ ଭିତରେ ଗୋଟିଏ କେଉଁଠି ମଟରଗାଡ଼ି ତିଆରି ବା ଅନ୍ୟାନ୍ୟ ଛୋଟ ଶିଳ୍ପଟିଏ କଲାନାହିଁ। ଶିଳ୍ପମାନଙ୍କର ଏହି ରୀତିନୀତି ଚାଲି ଆସିଛି। ସମସ୍ତେ ପ୍ରତିଯୋଗିତା କରୁଛନ୍ତି ଶିଳ୍ପାନୁଷ୍ଠାନ ନାମରେଏଠି ବିଜୁଳି ପ୍ରସ୍ତୁତ କରି ବାହାରେ ବିକ୍ରୀ କରିବାକୁ, ଇସ୍ପାତ ବା ଆଲୁମିନିୟମ ପିଣ୍ଡ ତିଆରି କରି ବାହାରକୁ ନେଇଯିବାକୁ, ଗୋଟିଏ ଗାଁଉଲି ଭାଷାରେ ମାଟିଛଣା କାରଖାନା ବସାଇବାରେ ଲାଗିଛନ୍ତି। ଏହା ଚାଲୁ ରଖିବାକୁ ଏବେବି ରାଜ୍ୟ ସରକାରଙ୍କ ଦୌଡ଼ ଚାଲିଛି। ମୁଖ୍ୟମନ୍ତ୍ରୀ ବମ୍ବେ, ବାଙ୍ଗାଲୋର, ହାଇଦ୍ରାବାଦ ଏପରିକି ବିଦେଶ ଯାଇ ଏହିପରି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଥିବା ଦେଖାଯାଉଛି।
“ମେକ୍ ଇନ୍ ଓଡ଼ିଶା” ନାମରେ ରାଜ୍ୟ ସରକାରଙ୍କର ଦୌଡ଼କୁ ଲକ୍ଷ୍ୟକଲେ ଦେଖାଯିବ ଯେ ପ୍ରତି ୨ ବର୍ଷ ଅନ୍ତରରେ ୨୦୧୬, ୨୦୧୮ ଓ ୨୦୨୦ରେ ଯେଉଁ କଳକାରଖାନାର ଆହ୍ୱାନ କରାଯାଇଥିଲା ସେଥିରେ ମୋଟ ୬ ଲକ୍ଷ ୨୬ ହଜାର ୩୪୯ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ମିଳିଥିଲା। ସେଥିମଧ୍ୟରୁ କେବଳ ଖଣିଜ ସଂପୃକ୍ତି ଥିବା କାରଖାନା ପାଇଁ ଆଗ୍ରହ ଥିଲା ୩ ଲକ୍ଷ ୪୦ ହଜାର କୋଟି ଟଙ୍କାର ଏବଂ ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୫୬୭୪ କୋଟି ଟଙ୍କାର ବିନିଯୋଗ ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ ହେଲା ଏବଂ ସେଥିମଧ୍ୟରୁ ମାତ୍ର ୬୨୦୦ କୋଟି ଟଙ୍କା ବିନିଯୋଗ ହୋଇଥିବା ଦେଖାଯାଇଛି। ଅନ୍ୟସବୁ ପ୍ରତିଶ୍ରୁତି ପୂରାପୂରି ପାଣିଫୋଟକା ପରି ମିଳାଇ ଯାଇଛି। ଏହା ପ୍ରମାଣ କରୁଛି ଯେ ସବୁ ଆଗ୍ରହୀ ପୁଂଜିପତିଙ୍କର ଆଖି ଓଡ଼ିଶାର ଖଣି ଉପରେ। ଏଥିରେ ଅତିବେଶୀ ନିଯୁକ୍ତି ସୃଷ୍ଟିର ସମ୍ଭାବନା ନାହିଁ। ଯାହା ନିଯୁକ୍ତି ମିଳିଛି ତାହା ମଧ୍ୟ ବାହାର ପ୍ରଦେଶର ଉଚ୍ଚ ଶିକ୍ଷାବାନ ଲୋକଙ୍କୁ ମିଳିଛି। ପାହାଡ଼ ଖୋଳିନେଲେ, ଜଙ୍ଗଲଗଲା, ଝରଣା ଗଲା, କେବଳ ଗୁଡ଼ାଏ ବର୍ଜ୍ୟବସ୍ତୁର ପାହାଡ଼ ସୃଷ୍ଟି ହେଲା। ଆଭିମୁଖ୍ୟ ବଦଳିବା ଦରକାର। ଶିଳ୍ପାନୁଷ୍ଠାନ ହେବା ଦରକାର। ମାତ୍ର ତାହା ସବୁ ଶେଷ ଉତ୍ପାଦନ ହେବା ଦରକାର। ରାଜ୍ୟର ସାମଗ୍ରୀକ ଆୟକୁ ଶିଳ୍ପର ଦାନ ହେଉଛି ୩୯%। ଏହି ଉତ୍ପାଦନ ବିଶ୍ୱ ଚାହିଦା ଉପରେ ନିର୍ଭରକରେ। ଏଣୁ ଅନେକ ସମୟରେ ଅସ୍ଥିର। ଏହା ୨୦୩୬ ସମୟକୁ ୩୦%, ୩୫% ଭିତରେ ସର୍ବଦା ରଖିବାର ପ୍ରୟାସ ବୁଦ୍ଧିମାନ କାର୍ଯ୍ୟ ହେବ ଓ ନିଯୁକ୍ତି କ୍ଷେତ୍ରର ସୁଯୋଗ ୨୦ରୁ ୨୫%ରୁ ଊର୍ଦ୍ଧ୍ୱ ହେବା ସ୍ୱପ୍ନ ଆଦୌ ଅବାସ୍ତବ ନୁହେଁ।
ରାଜ୍ୟ ମୋଟ କ୍ଷେତ୍ର ଫଲର ୩୫% ଘଞ୍ଚ ବନାନୀ ଥିଲା। ତାହା ଏବେ କ୍ଷୟ ପାଇବାରେ ଲାଗଛି। ସେଥିଉପରେ ନିର୍ଭରଶୀଳ ରାଜ୍ୟର ୨୨% ଜନସଂଖ୍ୟା ଅର୍ଥାତ୍ ଆଦିବାସୀ ଜୀବିକା ନିର୍ବାହ କରୁଥିଲେ। ତାହା ଏତେ ଅସଜଡ଼ା ହୋଇ ପଡ଼ିଛି ଯେ ସେଥିରୁ ଆଦିବାସୀଙ୍କ ଆୟ ଦିନକୁ ଦିନ କମିବାରେ ଲାଗିଛି। ରାଜ୍ୟର ସାମଗ୍ରିକ ଆୟକୁ ଜଙ୍ଗଲଜାତ ଦ୍ରବ୍ୟର ସହଯୋଗ କମିବାରେ ଲାଗିଛି। ଅଥଚ ଅନ୍ୟପକ୍ଷରେ ଆଧୁନିକତାର ସ୍ପର୍ଶ ଭିତରେ ଅନେକ ଜଙ୍ଗଲଜାତ ଦ୍ରବ୍ୟ ବହୁମୂଲ୍ୟରେ ବଜାରରେ ନିଜର ସ୍ଥିତି ବୃଦ୍ଧି କରିଚାଲିଛି। ହିମାମୀ, ଡାବର, ରାମଦେବଙ୍କ ଶିଳ୍ପାନୁଷ୍ଠାନ ପ୍ରଭୃତି ଜଙ୍ଗଲଜାତ ଦ୍ରବ୍ୟନେଇ ଜାତୀୟ ଅନ୍ତର୍ଜାତୀୟ ବଜାରରେ ବେପାର ବୃଦ୍ଧି କରି ଚାଲିଛନ୍ତି। ସେହି ସୁଯୋଗ ଓଡ଼ିଶା ନେଇଥିଲେ ଓ ଜଙ୍ଗଲ, କୃଷି, ଫଳଚାଷ ଓ ଜଙ୍ଗଲଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଗଲେ ମୋଟ ଜଙ୍ଗଲ ଉତ୍ପାଦନର ରାଜ୍ୟ ଉତ୍ପାଦନରେ ସହଭାଗିତା ୧୦%ରୁ କମ୍ ହେବାର କଥା ନୁହେଁ। ଏହି କ୍ଷେତ୍ରରେ ଭଲ ଆୟ କରୁଥିବା ଲୋକ ନିଯୁକ୍ତି ୧୫%ରୁ କମ୍ ହେବା ଉଚିତ୍ ନୁହେଁ।
ଏହିପରି ଏକ ସଜଡ଼ା ଅର୍ଥନୈତିକ କ୍ଷେତ୍ର ଗୁଡ଼ିକରୁ ଆୟର ଲକ୍ଷ୍ୟ ଧାର୍ଯ୍ୟ ହେବା ଦରକାର ଯାହାକି କୃଷି ଓ ଆନୁସଂଗିକ ବ୍ୟବସ୍ଥାରୁ ୩୦%, ଜଙ୍ଗଲରୁ ୧୦%, ସେବା କ୍ଷେତ୍ରରୁ ୩୦% ଓ ଶିଳ୍ପ କ୍ଷେତ୍ରରୁ ୩୦% ନିରନ୍ତର ହେବ। ଏହି ଅଭିବୃଦ୍ଧିର ଲକ୍ଷ୍ୟନେଇ କାମ କରି ଚାଲିଲେ ଓ ପ୍ରତ୍ୟେକ ମାଇଲଖୁଣ୍ଟ ଅତିକ୍ରମ କଲାବେଳେ ଥକି ନପଡ଼ି ଉତ୍ସାହର ସହିତ ଆଗକୁ ବଢ଼ିଲେ ୨୦୩୬ ବେଳକୁ ଏହି ରାଜ୍ୟ ଓ ରାଜ୍ୟବାସୀ ଅର୍ଥନୈତିକ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସ୍ଥାନର ଅଧିକାରୀ ହେବା ସମ୍ଭବ ହେବ। ଅଧିକ କର୍ମସଂସ୍ଥାନ ଉପରେ ମନନିଯୋଗ କରିବାକୁ ହେବ। ସେହିସବୁ କ୍ଷେତ୍ରରେ ନିଯୁକ୍ତିବେଳେ ଅଧିକ ଜ୍ଞାନ ଓ କୁଶଳୀ ଲୋକ ପ୍ରସ୍ତୁତି ହେବା ଦରକାର।
କର୍ମକ୍ଷେତ୍ର ୧୦୦% ପୂର୍ଣ୍ଣ ଓ ୧୫% ଅର୍ଦ୍ଧକ୍ଷମ ବା ବରିଷ୍ଠ ଲୋକଙ୍କ ପାଇଁ ପ୍ରସ୍ତୁତ ଥିବା ଦରକାର। ଏଇକଥା ଏ ଜାତିର ସ୍ୱାଭିମାନୀ ପୁରୁଷ ମଧୁସୂଦନ ଚାହିଁଥିଲେ। ଉତ୍କଳ ସମ୍ମିଳନୀର ସମସ୍ତ ପ୍ରସ୍ତାବଗୁଡ଼ିକ ଅନୁଶୀଳନ କଲେ ଓ ତାଙ୍କର କାର୍ଯ୍ୟଶୈଳୀକୁ ଲକ୍ଷ୍ୟ କଲେ, କୃଷି ଓ ଶିଳ୍ପ, ସେବା (କୋଅପରେଟିଭ) ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ଆକର୍ଷିତ ହୋଇଥାଏ। ହେଲେ ୧୮୬୬ ନଅଙ୍କ ପରର ସ୍ଥିତି ଓ କ୍ରମବର୍ଦ୍ଧିଷ୍ଣୁ ଭିକାରୀ ପ୍ରକୃତି ଏ ଜାତିକୁ ଏପରି ଦିଗହରା କରିଦେଇଛି ଯେ ସ୍ୱାଭିମାନୀ, ଆତ୍ମନିର୍ଭରଶୀଳ ଜାତି ଭାବରେ ଛିଡ଼ା ହେବା ସମ୍ଭବ ହେଲା ନାହିଁ ଓ ରାଜ୍ୟର ନେତୃତ୍ୱ ଜାତିକୁ ଅଧିକରୁ ଅଧିକ ରୁଗ୍ଣ ଓ ନିର୍ଭରଶୀଳତା ଦିଗରେ ଆଗେଇ ନେଲେ।
ଅଭିବୃଦ୍ଧିର ଲକ୍ଷ୍ୟ ଓ ପଥ ନିର୍ଣ୍ଣୟ କଲାବେଳେ ପ୍ରଥମେ ରାଜ୍ୟରୁ ପ୍ରତିମାସରେ ଖାଦ୍ୟ, ପୋଷାକ ବାବଦରେ ବାହାରକୁ ଯାଉଥିବା ୩୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋକିବାକୁ ହେବ। ଏହା ରାଜ୍ୟବାସୀଙ୍କର ଅନ୍ତର୍ନିହିତ ରକ୍ତ କଣିକାର ସମଷ୍ଟି। ଶୋଷି ହୋଇଯିବା ଫଳରେ ବ୍ୟକ୍ତି ଓ ଜାତି ରୁଗ୍ଣ ହେଉଛି। ଏହା ରୋକିବାକୁ ହେବ। ବାତ୍ୟା, ବନ୍ୟା ଓ ମରୁଡ଼ିର ପ୍ରକୋପରୁ ସୁରକ୍ଷା ସଜାଡ଼ିବାକୁ ହେବ, ଯେଉଁଥିରେ କ୍ଷତି ପରିମାଣ ହ୍ରାସ ପାଇବ। ରାଜ୍ୟର ସୀମାରେ ଥିବା ୪୮୦ କି.ମି. ବ୍ୟାପୀ ସମୁଦ୍ର ତଟରେ ଗୋଟାଏ ସବୁଜ ପ୍ରାଚୀର ଅର୍ଥାତ୍ ପାଞ୍ଚ କିଲୋମିଟର ଚଉଡ଼ାର ଗୋଟାଏ ଜଙ୍ଗଲ କିଆ, ହେନ୍ତାଳ, ଝାଉଁ, କାଜୁ, ଖଜୁରୀ, ନାନାଦି ପ୍ରକାର କୋଳି, ତାଳ ନଡ଼ିଆର ଜଙ୍ଗଲ ଦରକାର ନା ଗୋଟିଏ ବଡ଼ ଚଉଡ଼ା ଦରକାର ତା ନିର୍ଣ୍ଣୟ କରିବାକୁ ହେବ। ସବୁଜ ପ୍ରାଚୀର ହେଲେ ବାତ୍ୟାଦାଉରୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ରକ୍ଷା ମିଳିବ। ଆୟ ବୃଦ୍ଧି ଓ ପରିବେଶ ସୁରକ୍ଷାରେ ଏହା ସହାୟକ ହେବ।
ବୁଝା ପଡ଼ୁନାହିଁ ନଦୀମାନଙ୍କର ତଳମୁଣ୍ଡରେ ବୋହି ଯାଉଥିବା ମଧୁର ଜଳରାଶିକୁ ଗୋଟାଏ ବଡ଼ କୋଷ୍ଟ କେନାଲ ଦ୍ୱାରା ସଂଯୋଗୀକରଣ କରି ରୋକାଯିବା କଥା ଯୋଜନାକାରୀ - ସରକାରଙ୍କ ମୁଣ୍ଡରେ ପଶୁନାହିଁ କାହିଁକି? ବରଂ ଏକ ଅବାସ୍ତବ ଯୋଜନା ପାଇଁ ଚିନ୍ତା କରୁଛନ୍ତି। ଏକ ବିରାଟ ରାଜପଥ ନିର୍ମାଣ ନିମନ୍ତେ ବିପୁଳ ଅର୍ଥ ବ୍ୟୟ କରିବା ଦରକାର। ସେ ସଂପର୍କରେ ସୁଚିନ୍ତିତ ନିଷ୍ପତି ହେବା ଦରକାର। ସମୁଦ୍ରକୁ ବୋହି ଯାଉଥିବା ସମସ୍ତ ନଦୀକୁ ସଂଯୋଗ କରାଇ ଜଳର ସୁବିନିଯୋଗ ଆବଶ୍ୟକ। ଏଥି ସହିତ ସମୁଦ୍ର ପାଖରେ ଗୋଟାଏ ବୃକ୍ଷ ପ୍ରାଚୀର କରି ବାତ୍ୟାର ପ୍ରକୋପ କମାଇବା ସହିତ ପର୍ଯ୍ୟଟନ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଏକ ଶାନ୍ତ ପରିବେଶ ସୃଷ୍ଟି କରିବା ଦରକାର। ସେହିପରି ସମସ୍ତ ଉପନଦୀ ଓ ଶାଖାନଦୀମାନଙ୍କରେ ବନ୍ଧ ବାନ୍ଧି (ଆନିକଟ) କରି ବନ୍ୟା ଓ ମରୁଡ଼ି ଦାଉରୁ ଚାଷୀ ଓ ଚାଷକୁ ରକ୍ଷା କରିବା ଦରକାର। ଉପକୁଳରେ ସବୁଜ ପ୍ରାଚୀର ଓ ଉପକୁଳ ନଦୀ ସଂଯୋଗୀକରଣ କେନାଲ ବା ତିଆରିରେ ମନ ନଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ାଏ ମୂଲ୍ୟବାନ ଜମି ହରାଇ ଚଉଡ଼ା ରାଜପଥ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବହୁଳ ପ୍ରଚାର ହେଉଛି। ଏହାର ଲାଭ-କ୍ଷତି ସର୍ବସାଧାରଣରେ ପ୍ରକାଶିତ ହୋଇ ଚର୍ଚ୍ଚା ହେବା ଦରକାର।
୨୦୩୬ ଉପରେ ଲକ୍ଷ୍ୟ ରଖି ରାଜ୍ୟର ଅର୍ଥନୀତିକୁ ସଜାଡ଼ିବାକୁ ଚାହୁଁଥିବା ସମସ୍ତେ ଲୋକଙ୍କ ସୁଖକର ଜୀବନ, ରାଜ୍ୟର ସ୍ଥିର ଓ ନିରନ୍ତର ଅଭିବୃଦ୍ଧି, ଲୋକଙ୍କ ହାତକୁ କାମ ଯୋଗାଇବା, ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ, ଶିକ୍ଷା ଶକ୍ତି ସାମର୍ଥ୍ୟ ଓ କାର୍ଯ୍ୟ ସୁଯୋଗ ବୃଦ୍ଧିରେ ଲଗାଇବା ନିମନ୍ତେ ବିକାଶ ରାସ୍ତାରେ ମାଇଲଖୁଣ୍ଟ ଗୁଡ଼ିକ ପୋତିବାର ଆବଶ୍ୟକତା ରହିଛି। ନିରନ୍ତର ଅଭିବୃଦ୍ଧି ସହିତ କର୍ମ ନିଯୁକ୍ତି ସୃଷ୍ଟି ଜାରୀ ରଖିବାର ପ୍ରାଥମିକତାକୁ ଦେଖୁ। ଯେଉଁସବୁ ଯୋଜନା ବା ପରିକଳ୍ପନା ସାମନାକୁ ଆସିଥାଏ ସେଥିମଧ୍ୟରେ ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ର ପ୍ରସ୍ତୁତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପୋଷାକ ପତ୍ର, ଖାଦ୍ୟ ସାମଗ୍ରୀ ଆଦି ରାଜ୍ୟରେ ପ୍ରସ୍ତୁତ କରି ପ୍ରତିଦିନ ଏ ବାବଦରେ ବାହାରକୁ ଚାଲି ଯାଉଥିବା ୨୫୦୦ କୋଟି ଟଙ୍କାକୁ ଅଟକାଇବାର ବ୍ୟବସ୍ଥା ସୃଷ୍ଟି କରିବା। ସ୍ୱଳ୍ପ ବ୍ୟୟରେ ସୃଷ୍ଟି ହେଉଥିବା ସଂପଦକୁ ନଜରରେ ରଖି ପ୍ରାକୃତିକ ସଂପଦ ଯଥା ଜଳଜ, ବନଜ, ଭୂମିଜ ସଂପଦ ପ୍ରସ୍ତୁତ କରି ଦେଶ ବିଦେଶରେ ବିକ୍ରି କରିବାର ବଜାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା।
ଏ କଥା ମଧ୍ୟ ଭୁଲିଯିବା ଠିକ୍ ହେବ ନାହିଁ ଯେ ଓଡ଼ିଶା ଭାରତର ସଂଘୀୟ ବ୍ୟବସ୍ଥାର ଏକ ଅଂଶବିଶେଷ। ଭାରତର ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନର ଛାପ ଓଡ଼ିଶା ଉପରେ ନିଶ୍ଚୟ ପଡ଼ିବ। ବର୍ତ୍ତମାନର ଭାରତ ଯେଉଁ ବ୍ୟବସ୍ଥା ଆପଣେଇଛି ତାହା ବୈଷମ୍ୟ ସୃଷ୍ଟିକାରୀ। ଥିଲାବାଲା ରାଜ୍ୟର ଅଭିବୃଦ୍ଧି ଓ ଥିଲାବାଲା ଅଳ୍ପ କେତେକଙ୍କର ତ୍ୱରିତ ଅଭିବୃଦ୍ଧି ହେବାର ଦେଖାଦେଇଛି। ତା’ର ଭିତରେ ନିଜକୁ ସଜାଡ଼ିବାବେଳେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପ୍ରାଥମିକତା ନିର୍ଣ୍ଣୟ ନକରି ହଠାତ୍ ଦ୍ରୁତଗାମୀ ବୁଲେଟ୍ ଟ୍ରେନକୁ ଅହମଦାବାଦ୍ ଓ ବମ୍ବେ ଯୋଡ଼ିବାର ପ୍ରୟାସ କରିବାର କ’ର ପ୍ରାଥମିକତା ଅଛି? ଅଥଚ ଗୋଟିଏ ଭଲ ରେଲ୍ୱେ ଷ୍ଟେସନ୍ ଓଡ଼ିଶାରେ ଆଦୌ ନାହିଁ। ଷ୍ଟାଣ୍ଡଅପ୍, ସ୍ମାର୍ଟ ଅପ୍ ଇଣ୍ଡିଆ ପ୍ରଭୃତ ପଛରେ ଧାଇଁଲାବେଳେ ଦୁର୍ବଳ ସ୍ଥିତିରେ ଥିବା ରାଜ୍ୟ ବାଟରେ ପଡ଼ି ଖଣ୍ଡିଆ ଖାବରା ହେବାର ସମ୍ଭାବନା ବଢ଼ିବାରେ ଲାଗିଛି। ସେଥିରେ ତାଳଦେଇ ଚାଲିବାକୁ ହେଲେ ନିଜର ସମସ୍ତ ପ୍ରାଥମିକ ଆବଶ୍ୟକତା ଆଗ ପୂରଣ ହେବା ଦରକାର। ୧୯୩୬ ବେଳକୁ ଆପେ ଆପେ ଓଡ଼ିଶା ଛିଡ଼ା ହୋଇଥିବ, ଚଳୁଥିବ, ସମ୍ଭବ ହେଲେ ଅନ୍ୟମାନଙ୍କୁ ପଛରେ ପକାଇ ଦୌଡ଼ିବ।
ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧
ମୋ. : ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/Puri-3.jpg)