ଓମ୍ ପ୍ରିୟଦର୍ଶୀ ଛୋଟରାୟ
କିନ୍ନର, ସମାଜର ଏକ ଅଭିନ୍ନ ଅଙ୍ଗ ହୋଇଥିଲେ ମଧ୍ୟ ଆଜିବି ଆମର ଦୃଷ୍ଟିକୋଣ ଓ କଥୋପକଥନରେ ସହଜେ ସାମିଲ ହୋଇପାରେ ନାହିଁ। ବେଦରେ କିନ୍ନରଙ୍କୁ ତୃତୀୟ ଲିଙ୍ଗର ଆଖ୍ୟା ଦିଆଯାଇଛି, କିନ୍ତୁ ଆମ ସମାଜ ସେମାନଙ୍କୁ କୌଣସି ଶ୍ରେଣୀ କିମ୍ବା ବର୍ଗ ଭୁକ୍ତ କରିବାକୁ କୁଣ୍ଠାବୋଧ କରେ। ତେବେ ବିବାହ ଓ ଜନ୍ମ ଉତ୍ସବରେ ଏମାନଙ୍କ ବହୁତ ଆଦର। କୁହାଯାଏ କିନ୍ନରଙ୍କ ଆଶୀର୍ବାଦ ଶିଶୁକୁ ଦୀର୍ଘାୟୁ କରେ, ବହୁ ଅଶୁଭକୁ ମଙ୍ଗଳରେ ପରିଣତ କରିଥାଏ। ମୁଁ ଦେଖିଛି ଟ୍ରେନରେ ନୂଆ କର୍ମସନ୍ଧାନରେ ଯାଉଥିବା ବ୍ୟକ୍ତି କିପରି କିନ୍ନରଙ୍କୁ ଚାତକ ପରି ଅପେକ୍ଷା କରିଥାନ୍ତି, କେମିତି ଦଶ ଟଙ୍କିଆ ନୋଟଟିଏ ଦେଇ ସଫଳତାର ଆଶିଷ ହାସଲ କରିନେବେ। ଆଉ ସେମାନେ ବି କେବେ ନିରାଶ କରନ୍ତି ନାହିଁ। ହଁ, ବେଳେବେଳେ ଟିକେ ଖିଟପିଟ ହୁଏ, କିନ୍ତୁ କଣ କହିବା, ପେଟ ପାଇଁ ସବୁ ନାଟ।
ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ପୂରିବାକୁ ଯାଉଥିବା ବେଳେ କିନ୍ନରମାନେ ଉଭୟ ସରକାରୀ ଓ ସାମାଜିକ ସ୍ତରରେ ମୁଖ୍ୟସ୍ରୋତର ଅଂଶ ହୋଇପାରି ନାହାନ୍ତି। କଂଗ୍ରେସ ଓ ତଥାକଥିତ ଶୋଷିତ, ଅବହେଳିତଙ୍କ ନେତୃତ୍ୱ ନେଉଥିବା ବାମପନ୍ଥୀମାନେ ଦୀର୍ଘଦିନ କ୍ଷମତାରେ ରହିଥିଲେ ମଧ୍ୟ କେବଳ ନାରାବାଜି, ରାସ୍ତାରୋକ ଓ ପୋଷ୍ଟର ଡ୍ରାମା କରିବା ଛଡା ଅନ୍ୟ କୌଣସି ଅବଦାନ ନାହିଁ। କିନ୍ନରଙ୍କ ବିକାଶ ନାମରେ ଏନ.ଜି.ଓ ଖୋଲାଯାଇ ବିଦେଶରୁ କୋଟି କୋଟି ଟଙ୍କା ଚାନ୍ଦା ଅଣାଯାଉଛି। କହିବା ବାହୁଲ୍ୟ ଯେ କିନ୍ନରଙ୍କ ନେତୃତ୍ୱ ନେଉଥିବା ତଥା ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଅନେକ ସାମାଜିକ କର୍ମୀ ଆଜି ସଂସଦରେ ପହଁଚି ଯାଇଥିବା ବେଳେ, କିନ୍ନରଟି ସାମାନ୍ୟ କିଛି ଟଙ୍କା ପାଇଁ ଚଳନ୍ତା ଟ୍ରେନରୁ ଫିଙ୍ଗି ଦିଆଯାଉଛି।
ନିକଟରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଏକ ଅଧିସୂଚନା ମାଧ୍ୟମରେ କିନ୍ନରମାନଙ୍କ ପାଇଁ ଏକ 'ଜାତୀୟ ପରିଷଦ'ର ଗଠନ କରାଯାଇଛି। ଏହି ପରିଷଦ "ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ଅଧିକାର ସଂରକ୍ଷଣ) ଅଧିନିୟମ-୨୦୧୯" ଅନୁଯାୟୀ ଗଠନ ହୋଇଛି। ଦେଖିବାକୁ ଗଲେ ଏହା (ଉଭୟ ଅଧିନିୟମ ଓ ପରିଷଦ) ମୋଦୀ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ଅଟେ; ବୋଧହୁଏ ସେହି କିନ୍ନର ଶବ୍ଦଟି ଯୋଡି ହେଇଥିବାରୁ ଉଭୟ ସମାଜ ଓ ଗଣମାଧ୍ୟମରେ ଅପେକ୍ଷିତ ଆଦୃତି ଲାଭ କରିନାହିଁ। ଆସନ୍ତୁ ପ୍ରଥମେ ଏହି ବିଲ ଏବଂ ତାର ଇତିହାସ ସମ୍ପର୍କରେ ଆଲୋଚନା କରିବା।
ଭାରତରେ 'ଟ୍ରାନ୍ସଜେଣ୍ଡର' ଶବ୍ଦଟିର ପ୍ରଚଳନ ନବେ ଦଶକର ମଧ୍ୟଭାଗରେ ଆରମ୍ଭ ହୋଇଥିଲା। ନାରୀବାଦର ତୃତୀୟ ତରଙ୍ଗ ସହ କିନ୍ନର, ସମଲିଙ୍ଗୀ ଆଉ କୁଇର ଥିଓରୀକୁ ଗୋଟିଏ ଛତା ତଳକୁ ଆଣି ଭାରତୀୟ ମହିଳା-ସଶକ୍ତିକରଣ କର୍ମୀମାନେ ଏକ ବିଶାଳ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଦାବି ଥିଲା ସାମାଜିକ ନ୍ୟାୟ ଓ ଅଧିକାର ସୁରକ୍ଷାର ପ୍ରତିଶୃତି। କିନ୍ତୁ ତତ୍କାଳୀନ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ ଆଉ ଗଣମାଧ୍ୟମ ବର୍ତ୍ତମାନ ଭଳି ସେତେଟା ପ୍ରଭାବଶାଳୀ ନଥିଲା । ସମସ୍ତ ଦାବି ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୨୧ ଓ ୨୩ର ଛାୟା ତଳେ ଦବି ଯାଇଥିଲା, ଯାହାକି ସେମାନଙ୍କ ଗ୍ରାଉଣ୍ଡ ଜିରୋ ପରିସ୍ଥିତି ଠାରୁ ବେଶ ଉର୍ଦ୍ଧ୍ୱରେ। ୧୯୯୪ ମସିହାରେ ଟ୍ରାନ୍ସଜେଣ୍ଡରଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା ସତ, କିନ୍ତୁ 'ଲିଙ୍ଗ' ସ୍ଥାନରେ ପୁରୁଷ କିମ୍ବା ସ୍ତ୍ରୀ ଲେଖିବାର ଦ୍ଵନ୍ଦ୍ୱ ସେମାନଙ୍କୁ ଭୋଟଦାନରୁ ବିଚ୍ୟୁତ କରିଥିଲା।
ବର୍ଷ ୨୦୧୪ ରେ ସୁପ୍ରିମକୋର୍ଟ ‘ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତୀୟ ସଙ୍ଘ’ ମାମଲାର ଶୁଣାଣି କରି କିନ୍ନରଙ୍କୁ ‘ତୃତୀୟ ଲିଙ୍ଗ’ର ମାନ୍ୟତା ପ୍ରଦାନ କରିଥିଲେ। କିନ୍ନରମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ବିକାଶ ପାଇଁ ବିଶେଷ ଆୟୋଗର ଗଠନ କରିବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ବର୍ଷ ‘ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଅଧିକାର ସଂରକ୍ଷଣ’ ନାମକ ଏକ ବ୍ୟକ୍ତିଗତ ବିଧେୟକ ସଂସଦର ଉଚ୍ଚ ସଦନରେ ଆଗତ କରାଯାଇଥିଲା, ଯାହାକି ୨୦୧୫ ରେ ପାରିତ ହୋଇଥିଲା। କିନ୍ତୁ ଲୋକସଭାରେ ଏହି ବିଲ୍କୁ ନେଇ ଅନେକ ବିତର୍କ ଓ ବାଦ-ବିବାଦ ଲାଗି ରହିଥିଲା। ଶେଷରେ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଏଥିରେ ଅନୁମୋଦିତ ପରିବର୍ତ୍ତନ ଆଣି ନିମ୍ନ ସଦନରେ ଆଗତ କରାଯାଇଥିଲା ଓ ଏହା ମଧ୍ୟ ବହୁମତରେ ପାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ରାଜ୍ୟସଭା ଓ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ସହ ଆଇନରେ ପରିଣତ ହୋଇଛି।
ଏହି ଅଧିନିୟମ ଟ୍ରାନ୍ସଜେଣ୍ଡରଙ୍କୁ ଏକ ଏପରି ବ୍ୟକ୍ତି ରୂପେ ପରିଭାଷିତ କରିବ, ଯାହାର ଲିଙ୍ଗ ଜନ୍ମ ସମୟର ଲିଙ୍ଗ ସହିତ ମେଳ ଖାଇ ନଥାଏ। ଏହା ଟ୍ରାନ୍ସ-ମେନ, ଟ୍ରାନ୍ସ-ଓମେନ, ସମଲିଙ୍ଗୀ ତଥା ସମାଜରେ କିନ୍ନର/ହିଞ୍ଜଡ଼ା ନାମରେ ପରିଚିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଏକକ ପରିସରଭୁକ୍ତ କରିବ। କିନ୍ନର ବ୍ୟକ୍ତିଟି ନିଜ ଲିଙ୍ଗ ସମ୍ବନ୍ଧରେ ଆତ୍ମ-ଘୋଷଣା କରିପାରିବ ତଥା ନିଜର ଲିଙ୍ଗଗତ ପ୍ରମାଣପତ୍ର ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରି ପାରିବ। ପରବର୍ତ୍ତୀ କାଳରେ ଲିଙ୍ଗ ପରିବର୍ତ୍ତନ କଲେ ପୁନଃ ଏକ ସଂଶୋଧିତ ପ୍ରମାଣପତ୍ର ଆବେଦନ ପାଇଁ ମଧ୍ୟ ଅନୁମତି ରହିଛି। ଏହି ଆଇନ ଅନୁସାରେ କିନ୍ନରମାନେ ନିଜ ପିତାମାତା ଓ ପରିବାର ସହ ଏକତ୍ର ବାସ କରିବା ସହ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ମଧ୍ୟ ହୋଇ ପାରିବେ। କିନ୍ତୁ ଏଥି ନିମନ୍ତେ ଉଭୟ ସରକାରୀ ଓ ସାମାଜିକ ସଂସ୍ଥାମାନଙ୍କ ଦ୍ୱାରା ବିଶେଷ ସଚେତନତା କାର୍ୟ୍ୟକ୍ରମ ହାତକୁ ନେବାକୁ ପଡିବ। କିନ୍ନରଙ୍କ ପରିବାର ଓ ପଡୋଶୀଙ୍କୁ ଦୃଢ଼ ଭାବେ ପ୍ରବର୍ତ୍ତାଇବାକୁ ହେବ, ନଚେତ ଅସହାୟ ରୂପେ ଘୁରି ବୁଲୁଥିବା ଭାରତର ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ (ସରକାରୀ ତଥ୍ୟ ଅନୁଯାୟୀ, ଟ୍ରାନ୍ସଜେଣ୍ଡର କର୍ମୀଙ୍କ ମତରେ ଏହା ପ୍ରାୟ ତିରିଶ ଲକ୍ଷ) ବ୍ୟକ୍ତିଙ୍କୁ ସମାଜର ସ୍ଥାୟୀ ଅଙ୍ଗ କରାଇବା ନିହାତି କଷ୍ଟସାଧ୍ୟ ଅଟେ।
କିନ୍ନରଙ୍କ ଉପରେ ଦିନକୁ ଦିନ ହତ୍ୟା, ଦୁଷ୍କର୍ମ, ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଭଳି ସଙ୍ଗୀନ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଅଧିନିୟମ ଅପରାଧକୁ ଫାଷ୍ଟ ଟ୍ରାକ ଅଦାଲତରେ ବିଚାର କରି ଦୋଷୀ ଜୋରିମାନା ସହ ଦୀର୍ଘ କାରାବାସ ଦେବାର ପ୍ରାବଧାନ କରିଛି। ଏତଦ୍ ବ୍ୟତୀତ ଏହି ଆଇନ, କିନ୍ନର ବ୍ୟକ୍ତିଙ୍କୁ ‘ଲିଙ୍ଗ ପୁନଃନିର୍ଧାରଣ ଅସ୍ତ୍ରୋପଚାର’ କରିବାର ଅଧିକାର ଦେଇଛି। ଏମାନଙ୍କ ପାଇଁ ବିଶେଷ ବୀମା ଯୋଜନା ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ କିନ୍ନର ପରିଷଦ (ଏନ୍.ସି.ଟି) ଗଠନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ରାଜ୍ୟରେ ଏକ ‘ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ’ର ପ୍ରତିଷ୍ଠା କରିବା ଯାହାକି କିନ୍ନର ସମୁଦାୟଙ୍କ ଗୃହ ନିର୍ମାଣ, ଖାଦ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ଜରୁରୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଏହି ପରିଷଦ କିନ୍ନର ସମୁଦାୟ ସମ୍ବନ୍ଧୀୟ ନୀତି, ଯୋଜନା ତଥା ଆଇନ ପ୍ରଣୟନ କରିବାରେ କେନ୍ଦ୍ର ସରକାରଙ୍କୁ ସହାୟତା କରିବା ସହ ସେଗୁଡିକର ସଠିକ ପରିଚାଳନା ଓ ସଫଳତାର ବାର୍ଷିକ ମୂଲ୍ୟାୟନ କରିବ। ଏହା କିନ୍ନର ସମାଜ ହିତରେ କାର୍ୟ୍ୟ କରୁଥିବା ସମସ୍ତ ସରକାରୀ ବିଭାଗ ଓ ସାମାଜିକ ସଂସ୍ଥା ଗୁଡିକର କାର୍ଯ୍ୟକ୍ରମକୁ ସମୀକ୍ଷା କରିବ ଓ ସେମାନଙ୍କ ମଧ୍ୟରେ ସୁ-ସମନ୍ୱୟ ସ୍ଥାପନ କରିବ। ଏନ.ସି.ଟି କିନ୍ନରମାନଙ୍କ ଅଭିଯୋଗ ଗ୍ରହଣ ଓ ସେଗୁଡିକର ନିବାରଣ ପାଇଁ ବିଶେଷ ଧ୍ୟାନ ଦେବ।
ଉପଯୁକ୍ତ ଶିକ୍ଷା ଓ ସ୍ଥାୟୀ ରୋଜଗାରର ଅଭାବ କିନ୍ନର ବର୍ଗର ଉନ୍ନତିରେ ବଡ ଅନ୍ତରାୟ ସୃଷ୍ଟି କରୁଛି। ଚିରାଚରିତ ସାମାଜିକ ଭେଦଭାବ ଏମାନଙ୍କୁ ଉଭୟ ବିଦ୍ୟାଳୟରେ ପ୍ରବେଶ ଓ କର୍ମସଂସ୍ଥାନରେ ନିଯୁକ୍ତି କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ଆଇନ ଏହି ପ୍ରକାର ବୈଷମ୍ୟତାକୁ କଠୋର ବିରୋଧ କରିବା ସହ ଉଭୟ ସରକାରୀ ଏବଂ ଘରୋଇ ସ୍ତରରେ ଏହାର ବିଲୋପ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ। ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ସରକାର ନୋଏଡ଼ା ସ୍ଥିତ ସେକ୍ଟର-୫୦ ମେଟ୍ରୋ ଷ୍ଟେସନକୁ କେବଳ ଟ୍ରାନ୍ସଜେଣ୍ଡରଙ୍କ ନିଯୁକ୍ତି ନିମନ୍ତେ ସମର୍ପିତ କରିଛନ୍ତି। ନୋଏଡ଼ା ମେଟ୍ରୋ ରେଳ ନିଗମ ଏହି ଷ୍ଟେସନକୁ "ସି-ମ୍ୟାନ" ନାମରେ ପୁନଃନାମିତ କରିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୧୮ ଜଣ କିନ୍ନର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆସରିଛି। ନିକଟରେ ରାଜ୍ୟ କ୍ୟାବିନେଟ ଦ୍ୱାରା "ଉତ୍ତରପ୍ରଦେଶ ରାଜସ୍ବ କୋଡ୍" ରେ ପରିବର୍ତ୍ତନ ଅଣାଯାଇ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ପୈତୃକ ଚାଷଜମି ମାଲିକାନା ପ୍ରାପ୍ତିର ବ୍ୟବସ୍ଥା କରାଯାଇଛି। ସେହିପରି ଭାରତର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗରରେ ସ୍ଥାପିତ ହେବାକୁ ଯାଉଛି। ଏଠାରେ କିନ୍ନର ସମୁଦାୟ ପ୍ରଥମ କକ୍ଷରୁ ପିଏଚଡି ପର୍ଯ୍ୟନ୍ତ ଶିକ୍ଷା ହାସଲ କରିବାର ସୁଯୋଗ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି।
ଅତଏବ, ଆମ ଦେଶରେ ଆଇନର ପ୍ରଣୟନ ଓ ଏହାର କାର୍ୟ୍ୟକାରିତା ମଧ୍ୟରେ ଆକାଶ ପାତାଳର ତଫାତ ରହିଛି। ଜନମାନସରେ ଏକ ନୂତନ ଦୃଶ୍ୟପଟ ପ୍ରସ୍ତୁତ କରିବା ମଧ୍ୟ ସେତେଟା ସହଜ ନୁହେଁ। ଏହା ଏକ ପିଢ଼ି-ବ୍ୟାପୀ ପ୍ରକ୍ରିୟା। କିନ୍ନର ମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଚିହ୍ନି ତଦନୁସାରେ ସରକାରଙ୍କୁ ପରାମର୍ଶ ଦେବା ପାଇଁ ପରିଷଦ ସକ୍ଷମ ହେଉଛି କି ନାହିଁ ତାର ନିର୍ଧାରଣ ପରିଷଦର କାର୍ୟ୍ୟପ୍ରଣାଳୀ ଦେଖିବା ପରେ ହିଁ କରିହେବ। ଦେଶରେ କିନ୍ନର ମାନଙ୍କ ପ୍ରତି ଏକ ସମ୍ବେଦନଶୀଳ କାନୁନ ଓ ପୋଲିସ ବ୍ୟବସ୍ଥାର ସଂରଚନା ପରିଷଦର ପ୍ରାଥମିକ ଦାୟିତ୍ୱ ହେବା ଉଚିତ। ଆମର କିନ୍ନର ଭାଇ ଭଉଣୀ ମାନଙ୍କୁ ମଧ୍ୟ ନିଜର ସ୍ୱାର୍ଥ ପାଇଁ ରାଜନୈତିକ ପ୍ରଦର୍ଶନ ବାଜି ଠାରୁ ଦୂରରେ ରହି ଉପଯୁକ୍ତ ନେତୃତ୍ୱର ସହଭାଗୀ ହେବାକୁ ପଡିବ। ଆଶା ଯେ, ଆଗାମୀ ଦଶନ୍ଧି କିନ୍ନର ସମୁଦାୟଙ୍କ ପାଇଁ ଏକ ନୂଆ ସକାଳ ଆଣିବ।
ଟ୍ୱିଟ୍: @iommpriyadarshi
୯୧୭୮୫୬୦୩୫୫